Jump to content

ଗଳ୍ପସ୍ଵଳ୍ପ/ରାଣ୍ଡୀପୁଅ ଅନନ୍ତା

ଉଇକିପାଠାଗାର‌ରୁ
ଗଳ୍ପସ୍ୱଳ୍ପ ଲେଖକ/କବି: ଫକୀର ମୋହନ ସେନାପତି
ରାଣ୍ଡୀପୁଅ ଅନନ୍ତା

ସୁବଳ ମହାକୁଡ଼ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ଼ ହରିଶପୁରର ବଣ ଭିତରେ ପଲରେ ସବୁବେଳେ ଥାଏ । ଘରକୁ ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା’ ପକ୍ଷରେ ସମାନ । ହେଲେ ବର୍ଷା ଦିନଟା ବଡ଼ ଆନନ୍ଦର ଦିନ । ଚରା ଢେର ମିଳେ, ମଇଁଷିଗୁଡ଼ାକ ବଡ଼ ଦୁଧିଆଳୀ ହୁଅନ୍ତି । ତାଳପତ୍ର ଟୋପରଟିଏ ମୁଣ୍ଡରେ ଦେଇ ଚିତେ ଉଞ୍ଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ ଦିନ ଯାକ ମଇଁଷିଙ୍କ ପଛେ ପଛେ ଧାଇଁ ଥାଏ । କାହିଁ ଆଣ୍ଠୁଏ, କାହିଁ ଅଣ୍ଟେ ପାଣି, ଦେହ ଯାକ କାଦୁଅ ଲଟପଟ, ଏଟା ତା’ର ଭାରି ଆନନ୍ଦ । ମହାକୁଡ଼ର ଆଉ ଦିନେ ଘର ଦରକାର ନାହିଁ । ରନ୍ଧାବଢ଼ା ଲାଗି ବର୍ଷା ଦିନେ ଗୋଟିଏ ପଲା ଦରକାର । କେତେଟା ଡାଳ ପୋତି ତାହା ଉପରେ ବିଡ଼ାକାତେ ବେଣାଘାସ ପକାଇ ଦେଇ ଗୋଟିଏ ପଲା ତିଆରି କରେ । ପଲାଟା ନିହାତି ନୁଆଁଣ । ବସି ବସି ଭିତରକୁ ଯାଏ । ବସି ବସି ଭାତ ରାନ୍ଧେ । ଠିଆ ହେଲେ ପଲା ମୁଣ୍ଡରେ ବାଜିବ । ପଲା ଚାରି ପାଖେ ବାଡ଼ ନାହିଁ, କାରଣ ରାତିରେ ପଲା ଭିତରେ ଶୋଇଥିଲେ ବାହାରୁ ଯଦି କେନ୍ଦୁଆ ଆସି ମଇଁଷି ବାଛୁରୀ ଘେନିଯାଏ; ଦିଶିବ ନାହିଁ । ରାତିରେ ପଲା ଭିତରେ ଡେମ୍ଫେ ଉଞ୍ଚା କଠୋଉ ଯୋଡ଼ାକ ମୁଣ୍ଡତଳେ ଦେଇ ଟୋପରଟାରେ ମୁହଁ ଢାଙ୍କ ଦିଏ । ମୁହଁଟାରେ ପାଣି ନ ପଡ଼ିଲେ ହେଲା । ତା’ ଚାରିପାଖେ ମଇଁଷି ଛୁଆଗୁଡ଼ିଙ୍କୁ ଗୋଡ଼ରେ ଦଉଡ଼ି ଲଗାଇ ଖଟାଇ ପକାଏ । ବର୍ଷା ହେଲେ ମଇଁଷି ଛୁଆର ମଇଳା ଓ ମୂତ ଧୋଇ ଆସି ପଲା ଭିତରେ ଲହଡ଼ି ଖେଳୁଥାଏ । ମହାକୁଡ଼ ତାହାରି ଉପରେ ଚେଙ୍ଗ ମାଛ ପରି ଲଟପଟ ହେଉଥାଏ । ମଇଁଷିଗୁଡ଼ା ବସା ଚାରିପାଖେ ବଣ ଆଡ଼କୁ ମୁହଁ କରି ଶୋଇଥା’ନ୍ତି । ରାତି ତିନି ପହର ସରିକି ମଇଁଷିଗୁଡ଼ାକ ଉଠି ବଣକୁ ଯାଆନ୍ତି, ତେତେବେଳୁଁ ମହାକୁଡ଼ ଜାଗ୍ରତ ଥାଏ । ଠେଙ୍ଗା ପାଖରେ ପଡ଼ିଥାଏ; କାରଣ ତେତିକିବେଳେ ନେକଡ଼ିୟା ଆସି ବାଛୁରୀଟା ଘେନି ପଳାଇ ପାରେ । ବଣ ଭିତରେ ମଇଁଷି ଗୋଟାଏ ନାକସିଟକା ଦେଲେ ବାଘ ହେଉ ଛାଡ଼ି ପଳାନ୍ତି । ବାଘ ଗୁଡ଼ାକ ମହାକୁଡ଼ ଡାକ ବାରି ପାରନ୍ତି । ବଣରେ ଯିମିତି କୁକୁଡ଼ା ଗୁଡ଼ାକ କୁକୁ କୁକୁ କରିବେ ମଇଁଷିପଲ ବସାକୁ ନେଉଟି ଆସନ୍ତି । ତେତିକିବେଳେ ମହାକୁଡ଼ ଦୁହାଁଳୀ ମଇଁଷିଗୁଡ଼ାଙ୍କୁ ଛନ୍ଦି ଦୁହିଁ ପକାଏ । ଦିନ ଘଡ଼ିକି ସରିକି ମହାକୁଡ଼ାଣୀ ଦେବକୀ କାଣ୍ଡିଆ କୁଣ୍ଡା ମିଶା ସେରେ ଚାଉଳର ଗୋଟିଏ ପୋଡ଼ପିଠା, ପାଞ୍ଚ ସେର ଅକାଣ୍ଡିଆ ବରଗଡ଼ା ଚାଉଳ ଆଉ ଧୂଆଁପତ୍ର ବିଡ଼େ ଧରି ଗୋଠରେ ହାଜର । ମହାକୁଡ଼ର ତେତିକି ମାତ୍ର ଦୈନିକ ଖାଦ୍ୟ । ସକାଳୁ ପିଠାଟି ଖାଇ ଦେଇ ସେରେ ନିରୁତା ମଇଁଷି ଦୁଧ ପିଇଦିଏ । ଦିନ ଦୁଇ ପହର ସରିକି ଅଢ଼େଇ ସେର ଚାଉଳ ଟିକିଏ ଫୁଟାଫୁଟି କରିଦିଏ । ବଣରୁ ଯଦି କିଛି କାଙ୍କଡ଼, ଡଙ୍କ, ମଟକା, ଫୁଟଗୁଡ଼ୀ ମିଳି ଥାଏ ତାକୁ ଚାଉଳରେ ପକାଇ ଦେଇ ଥାଏ । ତରକାରୀ ପାଇଁ ଶୋଚନା ନଥାଏ । ବଖତରେ ୨.୨୫ ସେର ଚାଉଳ, ଦୁଇ ସେର ନିରୁତା ମଇଁଷି ଦୁଧ ମୂଳ ଖାଦ୍ୟ । ବୋଇଲା –

‘ମଇଁଷି ମଣେ ନୁହା ଚଣାଖିଆ,

ଘୁଷୁରୀ ମଣେ ଧାଈ।’

ମହାକୁଡ଼ାଣୀ ଚାଉଳ ପିଠା ତେତିକ ଦେଇ ଘରର ଦୁଃଖ ସୁଖ, ଗାଁ’ର ହାଲଚାଲ, ବନ୍ଧୁବାନ୍ଧବ ଖବରାଖବର କହି ନିତି ଦୁଧ କଳସିଟି ମୁଣ୍ଡରେ ମୁଣ୍ଡେଇ ଘରକୁ ବାହୁଡ଼ି ଆସେ । ଗ୍ରୀଷ୍ମକାଳରେ ମହାକୁଡ଼କୁ କିଛି ହରବରରେ ପଡ଼ିବାକୁ ହୁଏ । ବଣରେ ନାହିଁ ପାଣି, ଏଣେ ମଇଁଷିଗୁଡ଼ାକ ଦୁଇପହର ଯାଏ ଜଳଜନ୍ତୁ ପରି କାଦୁଅ ପାଣିରେ ଡୁବିବେ, ନାକଟି ଖାଲି ଦିଶୁଥାଏ । କ’ଣ କରିବେ? ବଣରୁ ବାହାରି ପାଟକୂଳରେ ଆସି ପଡ଼ନ୍ତି । ସେଠାରେ ପାଣି ଆଉ ଚରାର ଅଭାବ ଥାଏ ନାହିଁ । ମହାକୁଡ଼ ବଡ଼ ଗୋଟାଏ ତାଳପତ୍ର ଛତା ପାଟ କୂଳରେ ପୋତି ଦେଇ ତାହାରି ଭିତରେ ରୋଷେଇବାସ କରେ ଓ ରାତିରେ କଠୋଉ ଯୋଡ଼ାକ ମୁଣ୍ଡରେ ଦେଇ ତେଲଗୁଣି ପୋକ ପରି ମୋଡ଼ିମାଡ଼ି ଶୁଏ । ଶୋଇବା ପାଖରେ ଦୁଇ ତିନି ଗଦା ମଇଁଷି ଧୂଆଁ ଜଳୁଥାଏ । ତେବେ ସୁଦ୍ଧା ପାଟ କୂଳରେ କାଳିଆ କାଳିଆ ଡେଙ୍ଗା ଗୋଡ଼ିଅ ବଡ଼ ବଡ଼ ଏତେ ମଶା ଯେ ସମ୍ଭାଳି ହୁଏ ନାହିଁ । ମହାକୁଡ଼ କ’ଣ କରେ କି ପାଟ ଭିତରୁ ହାଣ୍ଡିଏ ପଙ୍କ ଆଣି ଗୋଡ଼ ଆଙ୍ଗୁଠିଠାରୁ ଅଣ୍ଟା ଯାଏ ଲେପିଦେଇ ‘ଯା’ ଗିହାଳୁ ଭାଇଏ ମଶା’ କହି ଶୋଇପଡ଼େ । ପିଠି ହାତ ପୋଡ଼ି ଉଠିଲେ ଚାପଡ଼ା ଚପଡ଼ାକେ ଦୁଇ ତିନି ପୁଞ୍ଜା ମଶା ଦଳି ହୋଇଯାଏ । ଟିକିଏ ନିଦ ଭାଙ୍ଗିଗଲେ, “ଆଲୋ ମାଳତୀ! ଆଲୋ ଶୁକ୍ରୀ! ଆଲୋ କାଳୀ!” କୁହାଟି ଦିଏ । ମଇଁଷିଗୁଡ଼ାକ ମହାକୁଡ଼ କଥା ବୁଝନ୍ତି, ଦୂରରେ ଥିଲେ ପାଖକୁ ଆସନ୍ତି । ଓଲିଆ ମଇଁଷି ବେକରେ କାଠ ଘଣ୍ଟ ବନ୍ଧା ଥାଏ, ଫାଶ ଫନ୍ଦା ଡାଳୁଅ ବିଲରେ ପଡ଼ିଲେ ଧାଇଁଯାଇ ବାଡ଼େଇ ଆଣେ ।

ବର୍ଷେ କ’ଣ ହେଲା କି ଅଚାନକ କାହୁଁ ଠାକୁରାଣୀ ଆସି ପଲରେ ପଶିଗଲା । ଦିନ ଆଠଟା ଭିତରେ ଅଢ଼େଇ ବୋଡ଼ିଅ ପଲଟା ଏକାବେଳକେ ପଟାରୁଟ୍ । ମହାକୁଡ଼ର ତ ଅଣ୍ଟା ବସି ଗଲାଣି । ଗାଲରେ ହାତ ଦେଇ ବସି ଥାଏ । ମହାକୁଡ଼ାଣୀ ଆସି କହିଲେ, “କିରେ ମହାକୁଡ! ତୁ ଇମିତି ବସି ଭାବୁଛୁ କ୍ୟାଁ? ଅଣ୍ଟା ବସି ଗଲାଣି! ଓହୋ! ଏ ଲାଗି ଗୋଟାଏ ଭାବନା? ଯା ହେବାର ହେଲା । ଆରେ ମୋ’ ଭାଇ ଗୋଠରୁ, ବୃନ୍ଦା ବାରିକ ଗୋଠରୁ ଦୁଧ କାଟ ଆଣି ଲଗାଇ ଦେବି ବେପାର । ବର୍ଷ ଦି’ଟା ଭିତରେ ଯେ ପଲକୁ ସେ ପଲ ଗୋଟି ଗୋଟି ଗଣି ନେ ।”

ମହାକୁଡ଼ କ’ଣ କଲା କି ଠାକୁରାଣୀଦାଢ଼ ବାହୁଡ଼ା ପିଲାପିଚିକା ଯେ ଦୁଇ ଚାରିଖଣ୍ଡ ଲାଙ୍ଗୁଡ଼ ଥିଲା, ବିକି ବାକି ପକାଇ ଜମିଦାରର ଚାରି ପଲରେ ସେଠ ହେଲା । ଏଡ଼େ ବଡ଼ ଚାକିରୀ ହେବାରୁ ମହାକୁଡ଼ାଣୀ ତ ବଡ଼ ଖୁସି । ଗାଁ’ରେ ତାକୁ କେହି ସେଠାଣୀ ନ କହିଲେ ଭାରି କଳି କରେ, ମାଇକିନିଆ ହେଉ ମିଣିପ ହେଉ ବାଡ଼େଇବାକୁ ଧାଏଁ ।

ଶୀତଦିନିଆ ପୁଲିସ ସାହେବ ମକ୍ରାମପୁର ଫାଣ୍ଡି ତଦାରକ କରିବାକୁ ଯାଇଥିଲେ । ଫାଣ୍ଡି ପାଖ ତୋଟାରେ ଡେରା ପଡ଼ିଥାଏ । ଡେରା ପାଖକୁ ଅଧକ୍ରୋଶ ଦୂରରେ ପାଟ । ସରାଳି, କାଜ ମାଣିକ ଯୋଡ଼, ଜଳ ଫିଫିଁ, ପାଣିହଂସ, ଚକୁଆ, ଦା-ବେକିଆ, ବଗ ଚଢ଼େଇ ଭର୍ତ୍ତି । ସାହେବଙ୍କ ନଜର ଯିମିତି ପଡ଼ିଗଲା, ବନ୍ଧୁକ କାନ୍ଧରେ ପକାଇ ଶିକାରକୁ ବାହାରିଲେ । ପଛରେ ଜଣ ଚାରି କନେଷ୍ଟବଲ, ଆଠ ଦଶ ଜଣ ଚୌକିଦାର; ମୁଣ୍ଡରେ ଲାଲ, କଳା, ହଳଦିଆ ଛିଣ୍ଡା ପାଗ ଖଣ୍ଡେ ଖଣ୍ଡେ ଗୁଡ଼ାଇ ଚିତେ ଚିତେ ବାଉଁଶ ଠେଙ୍ଗା କାନ୍ଧରେ ପକାଇ ଧାଇଁଛନ୍ତି । ସାହେବ ପାଟକୂଳରେ ପହୁଞ୍ଚି ଯିମିତି ବନ୍ଧୁକଟା ଦୁମ୍‌କରି ଆୱାଜ କଲେ ହଜାର ହଜାର ଚଢ଼େଇ ତ କେଁ କଟର କରି ଆକାଶରେ ଉଡ଼ି ଚକର ଦେଇ ଘୂରିଲେ । ବୋଧହୁଏ ସେମାନେ ତଳକୁ ଅନାଇ ବିଚାର କରୁଥିଲେ, “କାଳେ ଦେଖା ନାହିଁ ଶୁଣା ନାହିଁ, ଆଜି ଏଟା କ’ଣ ? ଏଟା ତ ଧଳା ମଣିଷ ପରି ଦିଶୁଛି, ଏଟା କ’ଣ ?” ସେମାନେ ଆପଣା ଆପଣା ଭିତରେ ଯେଉଁ କଥା ଭାଷା ହେଉଥିଲେ ସେଇଟାକୁ କହୁଛୁଁ ‘କେଁ କଟର ।’

ଯୋଡ଼ାଏ କାଜ ଦେହରେ ଛିଟା ବାଜି ଡେଣା ଓ ଗୋଡ଼ ଭାଙ୍ଗିଗଲା । ହେଲେ କ’ଣ ହେଲା ଠା ନ ପଡ଼ି ଖଣ୍ଡିଉଡ଼ା ଦେଇ ଯାଇ ପାଟ ମଝିରେ ଯାଇ ପଡ଼ିଲା । ଯାଉଛି କିଏ, ସାହେବ ତ ସମସ୍ତଙ୍କ ମୁହଁକୁ ଅନାଉଛନ୍ତି । ଜଣା ଅଛି ପାଟ ମଝିଟା ତାଳେ ଗହୀର । ମଣିଷଖିଆ କୁମ୍ଭୀର ଯୋଡ଼ାଏ ଥିବାର ବି ଶୁଣା ଅଛି । କନେଷ୍ଟବଲମାନଙ୍କର ତ ଡ୍ରେଶ ଭିଜି ଯିବ । ଚଉକିଆ ଗୁଡ଼ାକ ଗାଉଁଲିଆ, ପହଁରି ଜାଣନ୍ତି ନାହିଁ । ଅସଲ କଥା, କାହାରି ମନକୁ ଭରସା ଖଟୁ ନାହିଁ ଯେ ଯିବ । ସାହେବ ନୋହିଲେ ଜରିମାନା କରିବ, ନୁହେଁ ଚାକିରୀ ଛଡ଼ାଇ ଦେବ; ଜାଣି ଶୁଣି ଗୋମୁହାଁ କୁମ୍ଭୀର ମୁହଁକୁ କେ ଯିବ ? ତେତିକିବେଳେ କ’ଣ ହେଲା କି ଆମ୍ଭମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ । କୁହା ନାହିଁ ବୋଲା ନାହିଁ କଅଣ ମନକୁ ଆସିଲା ହୁଡ଼ ହୁଡ଼ କରି ପାଣିରେ ପଶିଗଲେ । ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାହେବ ଆଗରେ ଥୋଇ ଦେଲେ । ସାହେବ ତ ମହାଖୁସି । ଗୋଡ଼ରୁ ମୁଣ୍ଡ ଯାଏ ତିନି ଥର ଅନାଇଲେ, ପଞ୍ଚହତା ମର୍ଦ – ବାହୁ ଯୋଡ଼ାକ ଗୋଲ ଗୋଲ ମୋଟା ମୋଟା, ଦୁଇ ହାତରେ ଚେକା ପାଇବ ନାହିଁ, ମୁଠୁଣିଏ ଚଉଡ଼ା ଛାତି, ଚକା ମୁହଁ, ଗଉଡ଼ା ନାକ, ଜଙ୍ଘଗୁଡ଼ାକ ସଳଖ ମୋଟା ଶାଳଗଜାପରି । ସାହେବ ଭାରି ଖୁସି ହୋଇ ପଚାରିଲେ, “ତୁମ୍ କୋନ୍ ହେ?” “ମଣିମା ମୁଁ ଜମିଦାର ପଲର ସୁବଳ ସେଠ।” ସାହେବ – “ତୁମ୍ କନେଷ୍ଟବଳ ନୌକରି କରେଗା?” ସେଠିଏ ଟିକିଏ ଗୁମ୍ମାରି ରହିଲେ । ଦଣ୍ଡକ ବାଦ କହିଲେ, “ମୁଁ ଘର ଆଡ଼େ ନ ବୁଝି କହି ପାରୁ ନାହିଁ।” ସାହେବ ବୁଝିପାରିଲେ ନାହିଁ । ଜମାଦାର ମୁହଁକୁ ଚାହିଁଲେ, ଜମାଦାର ଇଂରେଜ ପଢୁଆ ବୋଲି ଚୌକିଦାର ମାନଙ୍କୁ ଜଣା । ଆମ୍ଭେମାନେ ଜାଣୁଁ ସେ ଫାଷ୍ଟବୁକ୍ ଖଣ୍ଡକ ବିଲକୁଲ ପଢ଼ିଥିଲେ, ଆଉ କାଗଜରେ ଇଂରେଜୀରେ ଦସ୍ତଖତ କରନ୍ତି । ସେ ମହାକୁଡ଼ କଥା ଇଂରେଜୀରେ ସାହେବଙ୍କୁ ବୁଝାଇ ଦେଲେ। “Sir, this guala Mahakur says he as his wife, If she says, he will constable” ସାହେବ ମନ ମଧ୍ୟରେ ଟିକିଏ ହସିଲେ । ଅସଲ କଥାଟା ବୁଝିବାକୁ ଦି ମିନିଟ୍ ଡେରି ହେଲା । ପକେଟରୁ ନୋଟ୍‌ବୁକ୍ ବାହାର କରି ଲେଖିଲେ “Subal Singh is fit to be a constable. He seems to be a clever man and knows how to sho respect to the fair sex.” ହୁକୁମ୍ ଦେଲେ, “ତୁମ୍ କାଲ ଫଜର ଡେରା କା ପାଶ୍ ହାଜର ହୋ ।”

ସୁବଳ ସିଂହ ସାହେବଙ୍କ ଅର୍ଦ୍ଦଳି । ସାହେବ ତ ଭାରି ଶିକାର ପ୍ରିୟ । ଶିକାର ସରଞ୍ଜାମ ତାହା ଜିମା ଥାଏ । ସୁବଳ ସିଂହ ନ ଥିଲେ ସାହେବ ଶିକାରକୁ ବାହାରି ପାରନ୍ତି ନାହିଁ । ସୁବଳ ଉପରେ ସାହେବଙ୍କର ଅନୁଗ୍ରହ ଦେଖି ଭଲ ଭଲ ଲୋକମାନେ ତାହାର ଅନୁସରଣ କରି ଥାଆନ୍ତି । ସେଥିରେ ତାହାର ଦରମା ମାସିକ ଟ୯ ଛଡ଼ା ଉପରି ଦି ଚାରି ପଇସା ବେଶ ରୋଜଗାର ହୁଏ । ହେଲେ ସବୁ ଦେବକୀ ହିସାବ କରି ନିଏ । କେବେ କାଳେ ସିଂହର ଟଙ୍କେ ମଷେ ବେଜାୟ ଖରଚ ଧରା ପଡ଼ିଲେ ଦେବକୀ ଖପା ହୋଇ ଗାଳି ଦିଏ । “କାଠଖିଆ, ତୁ ତ ଟଙ୍କା ଏଇରକମ ଉଡ଼େଇବୁ, ପର ଘରେ ଗୋଲାମି କରୁଛୁ କ୍ୟାଁ ?” ଆଉ ଗୋଟାଏ କଥା, ମହାକୁଡ଼ ସିଂହ ହେଲାରୁ ଦେବକୀ ନାମ ହେଲା ସିଂହଣୀ, ସେ ଆପେ ଗାଁ’ଯାକ ଏହି ନାମ କହି ଆସିଲା । ସିଂହଙ୍କର ଦି’ ତିନି ବରଷ ଚାକିରୀ ବାଦେ ଥରେ ପୁଲିସ ସାହେବ, ମେଜେଷ୍ଟର ସାହେବ ମିଶି ଡୋମପଡ଼ା ବଣକୁ ଶିକାର କରି ଯାଇଥିଲେ । ମେଜେଷ୍ଟର ସାହେବ ଗୋଟେ କେନ୍ଦୁଆକୁ ଯିମିତି ଗୁଳି କରିଛନ୍ତି, ହେଲା ଅଣ୍ଟାଗୁଳି, କେନ୍ଦୁଆଟା ଗୋଟାଏ ଝୁମ୍ପୁଡ଼ିଲଗା ଭିତରେ ପଶି ଗର୍ଜନ କରୁଥାଏ । ସାହେବ ସଙ୍ଗରେ ଶକଡ଼ା ବେଠିଆ, ଯୋଡ଼ାଏ ହାତୀ, ଘାଉଲା କେନ୍ଦୁଆ ପାଖକୁ ଯାଉଛି କିଏ ? ଘାଉଲା ବାଘ, ଧଇଲା ଯମ ଏକା କଥା । ପୁଲିସ ସାହେବ ସୁବଳ ସିଂହ ମୁହଁକୁ ଚାହିଁଲେ । ସିଂହେ ଉଁ କି ଚୁଁ ନ କରି ପଶିଲେ ବଣରେ । ସିଂହେ ସେଇ ମଇଁଷିମଣା ଠେଙ୍ଗା ଆଜି ଯାଏ ଛାଡ଼ି ନାହାନ୍ତି । ବାଘ ମୁଣ୍ଡରେ ଚାରି ପାହାର କଷି ଦେଇ ଲାଞ୍ଜ ଧରି ଭିଡ଼ି ଭିଡ଼ି ଆଣି ମେଜେଷ୍ଟର ସାହେବଙ୍କ ଆଗରେ ଥୋଇଦେଲେ । ସଙ୍ଗେ ସଙ୍ଗେ ନଗଦ ଟ୨୦ଙ୍କା ବକ୍ସିସ୍, ଆଉ ଟ୧୫ ଦରମାର ଜମାଦାରୀ । ଏତେ ହେଲା ହଁ, ହେଲେ ସିଂହଙ୍କୁ କାଳ ସହିଲା ନାହିଁ । କାର୍ତ୍ତିକମାସିଆ ଛୁଟି ନେଇ ଘରକୁ ଆସିଛନ୍ତି, କାହୁଁ ଗୋଟାଏ କାଳ-ଜ୍ୱର ଆସି ମାଡ଼ି ବସିଲା । ଜର ସଙ୍ଗେ ସଙ୍ଗେ ସନ୍ନିପାତ । ଦିନ ତିନିଟାରେ ଶେଷ ।

ଏଣେ ସିଂହାଣୀଙ୍କର ଦେହରେ ଯିମିତିକା ବଳ, ମନରେ ବି ସେହି ପରି ସାହସ; ଘୋର ବିପଦରେ ପଡ଼ି ହଟିବାର ନୁହନ୍ତି। ସ୍ୱାମୀର ଶୁଦ୍ଧିକାର୍ଯ୍ୟ ସାରି ଆପଣା ବେଉସାରେ ଲାଗିଗଲେ । ସିଂହେ ସିଂହାଣୀ ରୂପରେ ଗୁଣରେ ସମାନ । ବିଧାତା ଯେମନ୍ତ ଗୋଟିଏ ଚକରେ ଦୁଇଜଣଙ୍କୁ ଗଢ଼ିଛନ୍ତି; ତେବେ ସିଂହାଣୀ ଉଚ୍ଚାରେ ଅଧଚୌକେ ବେଶି ହେବେ । ନାହି ତଳକୁ ଲୁଗା ପିନ୍ଧିଥିଲେ ପେଟଟି ଛ ନଉତିଆ ଧାନ ଉଷୁନା କଳା ହାଣ୍ଡି ପରି ବାହାରି ପଡ଼ିଥାଏ । ସିଂହାଣୀ ଅଳଙ୍କାରକୁ ବୋଧହୁଏ ବଡ଼ ଭଲ ପା’ନ୍ତି । ପ୍ରଥମେ ବିଧବା ଦିନ ଦେହରୁ ସବୁ ଅଳଙ୍କାର କାଢ଼ି ପକାଇଥିଲେ । ଶୁଦ୍ଧ ବାସିଦିନ ଫେର ହାତଗଣ୍ଠିଠାରୁ କହୁଣୀଯାଏ ଦଶବିଶାର ପିତଳବାହି ବଳା ଦୁଇ ହାତରେ ଲଗାଇ ଦେଲେ । ନାକରେ ତୋଳାଏ ଓଜନର ସୁନାଗୁଣା ଚେପଟା ବିଶାଳ ନାକକୁ କାମୁଡ଼ି ଧରିଥାଏ । ବେକରେ ଦଶ ଦଶ ଗଣ୍ଡା ଗୋଡ଼ଲଗା ଟଙ୍କାମାଳ ନାହିଯାଏ ଲମ୍ବି ପଡ଼ିଥାଏ । ଦୁଇ ହାତରେ ଦି’ ପୁଞ୍ଜା ଗେଣ୍ଡା ପରି ଛାପ ମୁଦି । ସିଂହାଣୀଙ୍କ ସାହସ ଊଣା ନୁହେଁ । ଗାଁ’ ମୁଣ୍ଡ ନିଛାଟିଆରେ ଘର, ଛୁଆଟାକୁ ଧରି ଏକୁଟିଏ ପଡ଼ିଥାଏ । ସିଂହାଣୀ ହାତରେ ଢେର ଟଙ୍କା, ଏ କଥା ଗାଁ’ ଲୋକେ ଜାଣନ୍ତି; ଚୋରଗୁଡ଼ାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧି କରି ତିନି ଜନ ଚୋର ଘର ଭିତରେ ପଶିଲେ । ସିଂହାଣୀ ଶୋଇଥିଲେ, ତାକୁ ଯିମିତି ମାଡ଼ି ବସିଛନ୍ତି ସେ ତ ହାଉଳି ଖାଇ ହାତ ଯୋଡ଼ାକ ଛିଞ୍ଚାଡ଼ି ଦେଲା । ଚୋର ଗୁଡ଼ାକ ଚାରି ହାତ ଦୂରରେ ପଡ଼ିଗଲେ । ଯୋଡ଼ାଏ ଚୋର ତ ପଳାଇଲେ; ଗୋଟାକୁ ମାଡ଼ି ବସିଲା, ଗାଈ ପଘାରେ ଘର ମଝିଖୁମ୍ବରେ ଭିଡ଼ି ବାନ୍ଧି ଦେଲା । ସକାଳୁ ଗାଁ’ ଲୋକେ ଦେଖି ଧାଇଁଲେ, ଏ ଚୋରଟା କିଏ ମ ? ମଲା ମଲା ! ଏ ତ ଗାଁ’ ଚଉକିଆ ବାଉରୀ ଝପଟ ସିଂ । ସମସ୍ତେ ପରାମର୍ଶ କଲେ ଚୋରକୁ ଚଲାଣ ଦେବେ । ସିଂହାଣୀ କହିଲା, “ଆଚ୍ଛା ମୁଁ ଚଲାଣ ଦେବି ।” ଦୁଇ ଗାଲରେ କଷି ଲଗାଇଲା ଦୁଇ ଚାପଡ଼ା । ଉଆଉଫଡ଼ା ପରି ଗାଲ ଫୁଲିଗଲା, ଚଉକିଆପୁଅ ପନ୍ଦର ଦିନ ଘରୁ ବାହାରି ନାହିଁ, ବିଛଣାରେ ପଡ଼ିଥିଲା । ସିଂହେ ବିଯୋଗ ବେଳକୁ ପୁଅ ଅନନ୍ତାର ହୋଇଥିଲା ଚାରି ବରଷ । ବୟସ ଟଳା ବେଳେ ପୁଅଟିଏ ହେବାରୁ କୋଟିନିଧି ପାଇଥିଲେ । ପୁଅଟିର ଆକାର ବାପା ମା’ ପରି, ସେହିପରି ଦେହର ବର୍ଣ୍ଣ । ସିଂହାଣୀ ସଞ୍ଜବେଳେ କାମ ପାଇଟି ସାରି ପୁଅଟିକୁ ଘଡ଼ିଏ କୋଡ଼ରେ ବସାଇ ଗେଲ କରନ୍ତି, ଗେଲ କଲାବେଳେ ଗୀତ ଗାଉଥା’ନ୍ତି –

‘ହାତୀ ଝୁଲୁଥାଏ ଲସରପସର

କିଆକନ୍ଦା ଖାଇବାକୁ,

ଅନନ୍ତୁ ଝୁଲୁଛି ଲସରପସର

ମାଆଦୁଧ ଖାଇବାକୁ ।

ଆକାଶେ ବୁଲୁଛି ଚନ୍ଦ୍ର ଉଦିଆରେ

ସଙ୍ଗତେ ବହୁତ ତରା,

ଅନନ୍ତୁ ଝୁଲୁଛି ମାଆକୋଳେ ବସି

ଦୁଧ ସେ ଖାଇବ ପରା ।

ବାପ ତ ଯାଇଛି ମଇଁଷିଗୋଠକୁ

ମାଆ ତ ଦୁହିଁବ ଗାଈ,

ରାଜାଙ୍କ ଦୁଆରେ ପାଟହାତୀ ବନ୍ଧା

ଅନନ୍ତୁ ଚଢ଼ିବ ଯାଇ ।’

ଏହି ପରି ଗେଲ କରି ପୁଅକୁ ବସି ଝୁଲାଉଥା’ନ୍ତି । ହାତୁଣୀ କୋଳରେ ହାତୀ ପିଲା ପରି ପିଲାଟି ଝୁଲିଲେ ବଡ଼ମାନେ । ରୋଜି ବଡ଼ି ସକାଳୁ ଉଠି ପୁଅକୁ ତେଲ ହଳଦୀ ଟିକିଏ ମାଖି ଦେଇ କାଠ ପାନିଆରେ ମୁଣ୍ଡ କୁଣ୍ଡେଇ ମୁଣ୍ଡରେ ଗୋଟାଏ ସାନ ଜଟ ବାନ୍ଧିଦିଏ । ଘଡ଼ିଏଯାଏଁ ପୁଅ ମୁହଁକୁ ଚାହେଁ, ତା’ ବାଦ ଆପେ ଜିଭ କାମୁଡ଼ି ପକାଇ କୁହେ, “ମା’ ଡାହାଣୀ ! ସୁନ୍ଦର ପୁଅଟିକୁ ମୁଁ ଚାହିଁଛି ।” ତାହା ବାଦେ ତୁଳସୀ ମୂଳରୁ ଟିକିଏ ମାଟି ଆଣି ମୁଣ୍ଡରେ ଚିତା କରିଦିଏ । ଜଟ ଉପରେ ଟିକିଏ ଗୋବର ଲଗାଇ ଦିଏ । ତାହା ବାଦେ ପୁଅ ଉପରକୁ ଟିକିଏ ଛେପ ପକାଇ ଦିଏ । ଗାଁ’ରେ କେତେ ରକମ ମାଇକିନିଆ ଅଛନ୍ତି, କାହା ନଜର କେମିତି ? ପୁଅକୁ ହାୟରା କରିଦେବେ । ଏହି ଲାଗି ପୁଅ ବେକରେ ଖଣ୍ଡିଏ ଘୁଷୁରୀଥୋମଣୀ, ଗୋଟିଏ ତମ୍ବା ଡେଉଁରିଆ ଭିତରେ ମହାଦେବ ବେଲପତ୍ରୀ, ଦି’କଡ଼ା କାଣୀ କଉଡ଼ି, ଚାରିଟା ରୂପା ଡେଉଁରିଆ, ମୂଳମୂଳିକା ହାର କରି ପୁଅ ବେକରେ ଲଗାଇ ଦେଇଛି । ବାରଲୋକର ନଜର କଟିଯିବ ବୋଲି ଆପଣା ଗୋଡ଼ରୁ ଟିକିଏ ଧୂଳି ନେଇ ପୁଅ ମୁଣ୍ଡରେ ଲଗାଇ ଦିଏ । ରାତିରେ ସେରେ ଚାଉଳରେ ଗୋଟିଏ ପୋଡ଼ପିଠା କରି ରଖିଥାଏ, ସେ’ଟି ପୁଅ ହାତରେ ଦେଇ ଦହି ମୁହାଁଇ ବସେ । ତାହା ବାଦେ ପସରା ଉପରେ ଦୁଇ ତିନିଟା କଳସୀରେ ଚହ୍ଲା ପୁରାଇ ଗାଁ’କୁ ଦହି ବିକିଯାଏ । ମୁଣ୍ଡ ଉପରେ ପସରାରେ ଦୁଇ ତିନି କଳସୀ ଦହି, ତାକୁ ନ ଧରି ଦୁଇ ବାହୁ ଝୁଲାଇ ଗୋହରୀ ଦାଣ୍ଡରେ ଚାଲିଯିବା ବେଳେ ଲୋକମାନେ ଚାହିଁ ରହନ୍ତି । କୁହନ୍ତି, ‘ନନ୍ଦିଘୋଷ ରଥ!’ ସିଂହାଣୀର ଢେରଗୁଡ଼ିଏ ନାମ; ଏକ – ଦେବକୀ ଗଉଡୁଣୀ, ଦୁଇ- ମହାକୁଡ଼ାଣୀ, ତିନି – ତାଡ଼କା ଅସୁରୀ, ଚାରି – ନନ୍ଦିଘୋଷ ରଥ, ହେଲେ ସିଂହାଣୀର ଅଜଣାରେ ଲୋକମାନେ ଏହି ସବୁ ନାମ ଦେଇଛନ୍ତି । ସିଂହାଣୀ ବୋଲି ଡାକିଲେ ସେ ବଡ଼ ଖୁସି ହୋଇଯାଏ । ଗାଁ’ରେ କେତେ ଗୁଡ଼ିଏ ଥଟିଆଲା ମଣିଷ ତୁଚ୍ଛାଟାରେ – ‘ଏ ସିଂହାଣୀ ! ଦହି ଦେଇ ଯା’ ବୋଲି ଡାକନ୍ତି । ଦହି କିଣିବାବେଳେ ତାକୁ ଦୁଇ ଚାରିଥର ସିଂହାଣୀ ସିଂହାଣୀ କହିଲେ ସେ ବଡ଼ ଖୁସି ହୋଇ ଦୁଇ ଚାରି ସଢ଼େଇ ଦହି ଲାଭ ବୋଲି ଢାଳିଦିଏ ।

ସୁବଳସିଂହ ବିଯୋଗବେଳେ ଅନନ୍ତାର ଚାରି ବରଷ ପୂରି ଯାଇଥିଲା । ଦିନ କିଛି କାହାରି ଲାଗି ବସି ରହେ ନାହିଁ । ଅନନ୍ତାର ଚାହୁଁ ଚାହୁଁ ହେଲାଣି ଦଶ ବରଶ । ହେଲେ କ’ଣ ହେଲା, ଲୋକେ ତାକୁ କୋଡ଼ିଏ ବରଷର ଭେଣ୍ଡିଆ ବୋଲି ଠଉରିବେ । ରୋଜି ସିଂହାଣୀ ଦହି ବିକି ଆସି ମୋଟା ବରଗଡ଼ା ଚାଊଳ ପାଞ୍ଚସେର ଚୁଲୀରେ ବସାଇ ଦିଏ । ସୁବଳସିଂହର ଯେଉଁ ଫରମାସୀ ପିତଳ ବାସନଟା ଥିଲା, ସେଥିରେ ତିନି ସେର ଅନ୍ଦାଜ କଡ଼ଫୁଟା ପେଜୁଆ ଅନ୍ନ ସେ ପିତଳରେ ଢାଳି ପୁଅ ପାଖରେ ପରଷି ଦିଏ । ଅନନ୍ତାର ତରକାରି ପତ୍ର ଲୋଡ଼ା ନାହିଁ, ହେଲେ ମା’ ମନ କେତେକେମାନେ । ଚୋପା ମିଶା ବିରି ଡାଲି କଂସାଏ, ନୋହିଲେ ଶାଗ ମାମଡ଼ି ସିଜାସିଜି କରି ପୁଅ ପାଖରେ କଂସାଏ ବସାଇ ଦିଏ । ଅନନ୍ତା ଭାତ ଖାଇସାରି ଡାଲି ତେତକ ପିଇଦିଏ । ସିଂହାଣୀ ପୁଅ ଲାଗି ଗୋଟିଏ ଗାଈ ବାନ୍ଧିଛି । ଦିନକୁ ଚାରିସେର ଦୁଧ ଦିଏ । ଅନନ୍ତା ଭାତ ଖାଇସାରି ସେ କଞ୍ଚାଦୁଧତକ ପିଇଦିଏ ।

ଏବେ ସିଂହାଣୀ କିଛି ପୁଅଲାଗି ହରବରରେ ପଡ଼ିଲେଣି । ଅସହୁଣୀ ଲୋକଗୁଡ଼ା ଅନନ୍ତାକୁ ଦେଖି ପାରନ୍ତି ନାହିଁ । କିଏ କହିଲା – ‘ମୋ ବାଡ଼ିରୁ କାକୁଡ଼ି ଖାଇଗଲା’ କିଏ କହିଲା – ‘ମକା ଭାଙ୍ଗି ନେଲା’ ‘ଆମ୍ବ, କୟାଁ, କୋଳିଗଛରେ ଚଢ଼ି ଅନନ୍ତା ଖାଇଗଲା’ ବୋଲି ଗାଁ’ଲୋକମାନେ ରୋଜି ସିଂହାଣୀ ପାଖରେ ଗୁହାରି କଲେ । ସିଂହାଣୀ ମନ ମଧ୍ୟରେ ଗୁହାରିଆମାନଙ୍କ ଉପରେ ରାଗେ, ହେଲେ ପୁଅକୁ କିଛି କୁହେ ନାହିଁ । ଆଜିକାଲି ବି ସଞ୍ଜବେଳେ ଘଡ଼ିଏ ବସି ପୁଅକୁ ଗେଲ କରେ । ଶେଷରେ ସିଂହାଣୀ ବଡ଼ ଦିକ୍‌ଦାର ହୋଇ ଗାଁ’ରୁ ଆସୁଛି, ବାଟରେ ଦେଖିଲା ବଉଳଗଛ ମୂଳରେ ପିଣ୍ଡିଟି ଉପରେ ବୈଷ୍ଣବ ମହାନ୍ତି ଅବଧାନେ ବେତ ଘେନି ଗାଁ’ ପିଲାମାନଙ୍କୁ ପଢ଼ାଉଛନ୍ତି । ମନରେ କଲା, ‘ଏହି ଚାଟଶାଳୀରେ ଅନ୍ତୁକୁ ବସାଇ ଦେଲେ ପାଠ ବି ହେବ ଆଉ ଗାଁ’ ବି ବୁଲି ପାରିବ ନାହିଁ ।’ ତହିଁ ଆରଦିନ ଅବଧାନ ପାଖରେ ଛାଡ଼ିଦେଇ କହିଲା, “ଅବଧାନେ! ଅନ୍ତୁକୁ ଟିକିଏ ଭଲ କରି ପାଠ ପଢ଼ାଅ ।” ଅନ୍ତୁ ଭଲ ପିଲାଟି ପରି ଚାଟଶାଳୀରେ ବସିଗଲା । ସେ ପୃଥିବୀରେ ଏକଲା ମା’କୁ ଡରେ, ଆଉ ମା’ କଥାମାନେ ।

ଅବଧାନେ ଭୂଇଁରେ ଅ, ଆ ଲେଖିଦେଲେ, ତା’ ଉପରେ ଖଡ଼ି ମଡ଼ାଇବାକୁ କହିଦେଲେ । ତଳେ ହାତ ଚାଲିଛି, ହେଲେ ଉପରେ ବଉଳଗଛରେ କେଉଁଠି କୋଳି ଅଛି, କେଉଁଠି ପାଚିଛି ଅନାଇ ଦେଖୁଥାଏ। ନଜର ପଡ଼ିଲେ ମାଙ୍କଡ଼ ପରି ହୁପ୍କରି ଚଢ଼ି ଯାଇ କୋଳି ଆଣି ପାଟିରେ ପକାଇ ଲେଖିବାକୁ ବସିଯାଏ। ତାର ଗଛ ଚଢ଼ାରେ ଭାରି ଅଭ୍ୟାସ। ତା’ ତେନ୍ତୁଳି ମାଙ୍କଡ଼ ଆସିଲେ ଉପରକୁ ଉଠିଯାଏ ମାଙ୍କଡ଼ ଲାଙ୍ଗୁଡ଼ ଧରି ତଳେ କଚାଡ଼ି ମାରି ପକାଏ। ଗଛ ଚଢ଼ାରେ ମାଙ୍କଡ଼ ତା’ ସଙ୍ଗରେ ପାରିବେ ନାହିଁ। ଏଣେ କେତେଟା ଦିନ ଭିତରେ ଅବଧାନେ ଅଥୟ ହୋଇଗଲେଣି। ତା’ ଡରରେ ଚାଟଶାଳୀରୁ ଆଉ ଟିକିଏ ଗୋଡ଼ କାଢ଼ି ପାରୁ ନାହାନ୍ତି। ଟିକିଏ ଅବଧାନେ ପଛ କଲେ, ଚାଟଶାଳୀରେ ଭାରି ଗୋଟାଏ ଚହଳ ପଡ଼ିଯାଏ। କେଉଁ ପିଲାକୁ ପେଲିଦେଲା, କାହାକୁ ଧକା ମାରିଲା, କାହା ଗୋଡ଼ ଧରି ଟାଣିଲା, କାହାକୁ କଚାଡ଼ି ଦେଲା – ଏହିପରି ଲାଗେ। ଆଉ ପିଲେ ତାହାକୁ ବାଡ଼େଇଲେ ତାର ତାକୁ ଡରରେ ବାଡ଼ଉଛି କିଏ? ଅବଧାନେ ପହିଲେ ପହିଲେ ସିଂହାଣୀର ଡର, ଆଉ ସେ ଦହି ବିକିସାରି ବାହୁଡ଼ା ବେଳେ ଅବଧାନଙ୍କ କଂସାରେ ଯେ ଚାରି ସଢ଼େଇ ଚଲ୍ହା ଢାଳି ଦେଇଯାଏ ତେତିକି ଲୋଭରେ ଅନ୍ତାକୁ କିଛି କହୁଥିଲେ ନାହିଁ। ମଣିଷ ଡର ଓ ଲୋଭରେ ଢେର କାର୍ଯ୍ୟରୁ ନିବୃତ୍ତ ହୁଏ। ଆଉ ସମ୍ଭାଳି ପାରିଲେ ନାହିଁ। ଧରିଲେ ବେତ। ପହିଲେ ଦି ପାହାର ଚାରି ପାହାର, ଛ ପାହାର ପଟାପଟ୍ କରି ପିଟିଲେ। ହେଲେ ଅନ୍ତାର ସେଥିକି ଅନାଇବାକୁ ନାହିଁ। ଅବଧାନେ ପିଟିବାବେଳେ ବଉଳକୋଳିକୁ ଅନାଇଥାଏ, କେହି କେହି ଦିନ ହେଲେ ମାଡ଼ ଜାଗାଟା ଆଉଁସି ଦିଏ। ଆଉ ଚାଟଟୋକାଏ କହନ୍ତି, “ମହାଦେବର ବେଲପତ୍ରୀ ଊଣା, ଅନ୍ତାର ମାଡ଼ର ଊଣା ନାହିଁ।” ଚାଟଶାଳୀରେ ଏତେ ଯେ ମାଡ଼ ତା’ ମା’ ହେଲେ କିଛି ଜାଣିପାରେ ନାହିଁ। ଅନ୍ତା ସବୁ ଭୁଲିଯାଏ। ଚାଟଶାଳୀରୁ ବାହାରିବା ବେଳେ ସେ ମାଡ଼ କଥା ତାର ମନେ ଥାଏ ନାହିଁ। ଏଇ ରକମ ଚାରି ମାସ ଗଲା, ପାଞ୍ଚ ମାସ ବି ଗଲା, ଅନ୍ତା ଅ ଅକ୍ଷରଟା ଲେଖି ସାରି ଆ ମଡ଼ାଉଛି। କେତେ ଖଣ୍ଡ ବେତ ଛିଡ଼ି ଗଲାଣି, ଅବଧାନେ ଆଉ ପାରୁ ନାହାନ୍ତି। ତାକୁ ବାହାର ବି କରିଦେଇ ପାରୁ ନାହାନ୍ତି, ଚଲ୍ହା ମନ୍ଦାକ ବନ୍ଦ ହୋଇଯିବ ଯେ! ଦିନେ ଅବଧାନେ ଆଉ ପାରିଲେ ନାହିଁ। ବେତ ଫୋପାଡ଼ି ଦେଇ ଦି ଚାରିଖଣ୍ଡ ବିଛୁଆତି ଛିଡ଼ି ଆଣିଲେ – ଗୋଡ଼ରେ ହାତରେ ପିଠିରେ ଦଶ କୋଡ଼ିଏ ପାହାର କଷି ଦେଲେ। ସେହିଦିନ ଅନ୍ତାକୁ ଟିକିଏ ବାଧିଲା। ହେଲେ ଆଖିରୁ ପାଣି ପଡ଼ି ନାହିଁ। ଚାଟଟୋକାଙ୍କ ଆଗରେ କହିଲା, “ଶଳା ମାହାନ୍ତିକୁ ମୁଁ ଦେଖିବି।” ତହିଁ ଆରଦିନ କ’ଣ ହେଲାକି ଅନ୍ତା ଏକଧ୍ୟାନରେ ବସି ଅକ୍ଷର ମଡ଼ାଉଛି, କାହାକୁ ଅନାଇବାକୁ ନାହିଁ। ଭାରି ଭଲ ପିଲାଟିଏ। ଅବଧାନେ ଟେରେଇ ଟେରେଇ ଦୁଇ ଚାରିଥର ତାକୁ ଅନାଇଲେଣି। ଭାରି ଖୁସି। ମନର କଲେ, ‘ଏଡ଼େ ସୁନ୍ଦର ଉପାୟ ଥିଲା – ହାୟ! ହାୟ! ଆଗରୁ କ୍ୟାଁ ନ କଲି?’

ଦିନ ପହରକ ସମୟରେ ଅବଧାନଙ୍କୁ ପଦା ଆଡ଼େ ତଲବ ହେଲା। ଡାକି ଦେଲେ, “ଆରେ! ନିଆଁ ଆଣରେ, ଧୂଆଁପତ୍ର ଆଣରେ, ନୋଟା ଆଣରେ।” ପୁଞ୍ଜାଏ କି ଛ’ଟା ଚାଟଟୋକା ଧାଇଁ ଯାଇ ସବୁ ଠିକ କରିଦେଲେ। ଅବଧାନଙ୍କର ସବୁ କାମ ପିଲାମାନେ କରନ୍ତି। ଅବଧାନଙ୍କର ଗୋଡ଼ଘଷା, ପାଲଟା ଲୁଗା କଚା, ସଙ୍କୁଡ଼ି ଧୁଆ ବିଲକୁଲ କାମ ପିଲାମାନେ କରନ୍ତି। ଯେଡ଼େ ଲୋକ ପୁଅ ହେଉ ପଛକେ ଅବଧାନଙ୍କ ଗୋଡ଼ ଘଶିବ। ଗୁରୁଙ୍କ ଗୋଡ଼ ଘଷିଲେ ପାଠ ଆସେ। ଅବଧାନେ ପିକାଟିଏ ଭଲ କରି ମୋଡ଼ିଲେ – ନିଆଁଖୁଣ୍ଟାରେ ପକାଟି ଲଗାଇଦେଇ ଦି’କଳ ଭିଡ଼ିଲେ। ଫୁ କରି ଧୂଆଁ ଛାଡ଼ି କହିଲେ, “କି ବେ ମୁକୁନ୍ଦା। ଧୂଆଁ ଲାଗୁ ନାହିଁ ଯେ?”

ମୁକୁନ୍ଦା କହିଲା – ମୁଁ କ’ଣ କରିବି ଅବଧାନେ? ବାବା ତ କାଲି ହାଟରୁ ଏଇ ଧୂଆଁ ଆଣିଛି।

ଅବଧାନେ – ବେ ବିନ୍ଦିଆ! ତୋ’ ବାପ କଟକରୁ ଯେ ବାଲେଶ୍ବରୀ ଧୂଆଁପତ୍ର ଆଣିଥିଲା, ତାକୁ ଆଉ ଆଣିଲୁ ନାହିଁ ତ!

ବିନୋଦ – ମୁଁ କଅଣ କରିବି ଅବଧାନେ, ମା’ ତାକୁ ବିଡ଼ା ବାନ୍ଧି ସିକା ଉପରେ ରଖି ଦେଇଛି; ମୋ’ ହାତ ପାଇଲା ନାହିଁ।

ଅବଧାନେ – ଆଚ୍ଛା ତୁ ଗୋଟାଏ କାମ କରିବୁ। ତୋ’ ମା’ ଯେତେବେଳେ ଗାଧୋଇ ଯାଇଥିବ ତୁ ଗୋଟାଏ ବଡ଼ ପାଛିଆ ଉଗାଡ଼ି ପକାଇବୁ, ତା’ ଉପରେ ଚଢ଼ି ସିକାରୁ ଧୂଆଁପତ୍ର କାଢ଼ିବୁ। ସେଥିରୁ ଦୁଇ ଚାରି ଖଣ୍ଡ କାଢ଼ି ନେଇ ବିଡ଼ା ବାନ୍ଧି ସିକାରେ ଥୋଇ ଦେବୁ। ଖବରଦାର! ବେଶିଗୁଡ଼ାଏ ଆଣିବୁ ନାହିଁ। କାଲି ସକାଳେ ଯଦି ନ ଆଣିବୁ, ଅନାଇଥା’ ଏ ବେତକୁ। ଅବଧାନେ ଫେର ଥରେ ଅନ୍ତାକୁ ଅନାଇଲେ। ଅନ୍ତୁ ଧୀରେ ବସି ଖୁବ୍ ମନ ଦେଇ ଅକ୍ଷର ବୁଲାଉଛି। ଅବଧାନଙ୍କର ଭାରି ଦୟା ହେଲା। କଅଁଳରେ କହିଲେ, “ରେ ବାପ ଅନ୍ତୁ! ନେ’ତ – ଟୁକୁଣାଟା ନେଇ ଟୁକୁଣେ ପାଣି ଆଣ ତ, ବହିର୍ଦ୍ଦେଶ ଯିବୁଁ।” ଅନ୍ତୁ ଭଲ ପିଲାଟି ପରି ଟୁକୁଣା ଧରି ପୋଖରୀକୁ ଜଳ ଆଣିବାକୁ ଗଲା। ଅବଧାନେ ବସି ପିକା ଟାଣୁଥାନ୍ତି। ଅନ୍ତୁ ଆସେ ନାହିଁ – ବଡ଼ ମଠ କଲା। ଅବଧାନେ ଆଉ ସହି ପାରିଲେ ନାହିଁ। ଦୁଇଥର ତିନିଥର ପୋଖରୀତୋଠ ଆଡ଼କୁ ଅନାଇଲେଣି। ସେଠାରୁ ଉଠି ପିକା ଭିଡ଼ି ଭିଡ଼ି ତୋଠ ଆଡ଼କୁ ଚାଲିଗଲେ। ଅନ୍ତୁ ଟୁକୁଣାଟି ଧରି ଆଡ଼ି ଉହାଡ଼ରେ ଲୁଚି ପଡ଼ି ଅବଧାନକୁ ଅନାଉଥିଲା – ଆସୁଥିଲା ନାହିଁ। ଅବଧାନ ଉପରେ ଯେମିତି ନଜର ପଡ଼ିଛି, ଧୀରେ ଧୀରେ ପାଖକୁ ଚାଲି ଆସିଲା। ଅବଧାନଙ୍କ ହାତକୁ ଟୁକୁଣାଟି ଏମିତି ବଢ଼ାଇ ଦେଲା, ଯେମିତି ଟୁକୁଣାର ପାଣିକୁ ଅବଧାନଙ୍କର ନଜର ନ ପଡ଼େ। ଅବଧାନେ ଡେବିରି ହାତ ପାଞ୍ଚଆଙ୍ଗୁଳିରେ ଟୁକୁଣା ଫନ୍ଦଟି ଧରି ଡାହାଣ ହାତରେ ପିକା ଭିଡ଼ି ଭିଡ଼ି ଗାଁ’ ଶେଷମୁଣ୍ଡ ଗହୀର ବିଲକୁ ବହିର୍ଦ୍ଦେଶ ଗଲେ। ଅଧଘଣ୍ଟାଏ ହୋଇ ନାହିଁ, ଅବଧାନେ ତ ବିଲରୁ ଚାରି ଚାରି ହାତ ଚିଲା ମାରି ରଡ଼ି ଛାଡ଼ି ଧାଇଁଛନ୍ତି। ଲୁଟା କେଉଁଠି ପଡ଼ିଲାଣି। ଲୁଗା ଖଣ୍ଡ ପଡ଼ିଥା’ନ୍ତା, ହାତରେ ଜାବୁଡ଼ି ଧରିଛନ୍ତି, ହେଲେ ଅଧା ଲଙ୍ଗଳା, “ରେ ଅଳପାଇସିଆ ରେ!ରେ ସର୍ବନାସିଆ ଅନ୍ତା ରେ! ମାରି ପକାଇଲା ରେ।” ଯେମିତି ଚାଟଶାଳୀରେ ପହୁଞ୍ଚିଗଲେ, ଧରିଲେ ବେତ – “କାହିଁ ଅନ୍ତା?” ଆଉ ଅନ୍ତା! ଅନ୍ତା ଅନ୍ତର୍ଦ୍ଧାନ।

ଅବଧାନେ ଚାଟଶାଳୀର ଏ ମୁଣ୍ଡ ସେ ମୁଣ୍ଡ ଗଡ଼ାଗଡ଼ି କରୁଛନ୍ତି, ପାଣି ପାଣି ରଡ଼ି ଛାଡ଼ିଲେ। ଗୋଟିଏ ପିଲା ଧାଇଁ ଯାଇ ତାଙ୍କ ରୋଷାଇଘର ମାଠିଆରୁ କଂସାଏ ପାଣି ଆଣି ଦେଲା। ସେହି ପାଣିରେ ହାତ ଧୋଇ ପକାଇ ଯେମିତି ଗୋଟାଏ କୁଳକୁଞ୍ଚା କରିଛନ୍ତି, କଂସାଖଣ୍ଡ ପାଞ୍ଚହାତ ଦୂରକୁ ଫୋପାଡ଼ି ଦେଇ - ‘ବୋପା ଲୋ! ମା’ ଲୋ!’ ବୋଲି କହି ଗଡ଼ିଲେ। ଆଉ ରଡ଼ି କରି ପାରୁ ନାହାନ୍ତି, ଖାଲି ଗଁ ଗଁ ଗର୍ଜ୍ଜୁଛନ୍ତି। ମୁହଁ ଭାରି ଫୁଲିଗଲାଣି – ଆଖିପତା ଫୁଲିଯାଇ ମାଡ଼ି ପଡ଼ିଲାଣି – ଆଖିକୁ ଦିଶୁ ନାହିଁ। ଗାଁ ଲୋକେ ଉଜାଡ଼ି ପଡ଼ିଲେ। ‘କ’ଣ ହେଲା, କ’ଣ ହେଲା’ କହି ଦି’ ଚାରି ଜଣ ଅବଧାନଙ୍କୁ ଧରି ପାଣିରେ ପକାଇଲେ। ସଞ୍ଜବେଳ ସରିକି ଅବଧାନଙ୍କୁ ବଡ଼ ଶୀତ ଲାଗିଲା। ପାଣିରୁ ଛାଙ୍କି ଆଣି ପାଏ ଖସା ତେଲ ଅବଧାନଙ୍କ ଦେହଯାକ ଘଷିଲେ। ତେତେବେଳେ ଅବଧାନଙ୍କ ପାଟିରୁ କଥା ବାହାରିଲା। ହେଲେ, ମୁହଁଟା ଆଟିକା ପରି ଫୁଲିଯାଇଛି। ଭଲ କରି କଥା କହି ପାରୁ ନାହାନ୍ତି। ଅବଧାନେ ଜଣାଇଲେ, ‘ଭାରି ଭୋକ।’ ଆଉ ତ କିଛି ଖାଇ ପାରିବେ ନାହିଁ। ଗାଁ’ ଲୋକେ ଅଧସେରଟାଏ ଗରମ ଦୁଧ ଆଣି ଦେଲେ। ଢୋକେ ଢୋକେ କରି ତେତକ ପିଇ ଦେଇ ଅବଧାନେ ଟିକିଏ ସାଷ୍ଟମ ହୋଇ ବସିଲେ। ଥଣ୍ଡା ପଡ଼ିଗଲା – ଖସା ତେଲରେ ବାଇଡଙ୍କ ବିଷ ହରେ! ଅବଧାନେ ଟିକିଏ ସାଷ୍ଟମ ହେଲେଣି। ଗାଁ’ର ସବୁ ଲୋକେ ଜମା ହୋଇଥିଲେ। ପୁରୁଣା ପାଞ୍ଚଜଣ ଲୋକ ତନଖି କରିବାକୁ ବସିଗଲେ। ‘କଥା କ’ଣ? – କ୍ୟାଁ ଅବଧାନେ ଏପରି ହେଲେ?’ ପ୍ରତ୍ୟକ୍ଷ ଏବଂ ପାର୍ଶ୍ବବର୍ତ୍ତୀ ପ୍ରମାଣ ଏବଂ ଅବଧାନଙ୍କର ପୂର୍ବ ବ୍ୟବହାର ଆଲୋଚନା କରିବାରେ ସାଫ୍ ଜଣାଗଲା, ଏଟା ରାଣ୍ଡିପୁଅ ଅନନ୍ତାର କାମ। ସାଫ୍ ପ୍ରକାଶ ପାଇଲା କି, ଅବଧାନେ ଯେ ବିଛୁଆତି ଛଡ଼ିରେ ପିଟିଥିଲେ, ତା ମନରେ ଥିଲା ରାଗ। ଆଜି ସକାଳେ ଯେମିତି ଅବଧାନେ ଟୁକୁଣାଏ ପାଣି ଆଣିବାକୁ କହିଲେ, ସେ ପୋଖରୀକୁ ଟୁକୁଣା ଘେନି ଯାଏ ଅଧଟୁକୁଣେ ଅଠାଳିଆ କାଦ ଭର୍ତ୍ତି କଲା। ଲୋକେ ଦେଖିଛନ୍ତି, ପୋଖରୀ ଅଡ଼ି ବଣ ଉପରେ ଯେ ବାଇଡଙ୍କ ଲତା ମାଡ଼ିଛି ସେଥିରୁ ଦୁଇପୁଞ୍ଜା ଫଳ ଆଣି ଖପରାକାତି ଖଣ୍ଡକର ଆଁଶୁ ସବୁ ଚାଞ୍ଛିଛି। ଟୁକୁଣାରେ ଅଧେ ଆଁଶୁ ମିଶାଏ ଦେଇ ଆଉ ଗୁଡ଼ାଏ ପତ୍ର ଖଣ୍ଡରେ ପୋଟଳା କରି ଅଣ୍ଟିରେ ଖୋସିଥିଲା। ଅବଧାନେ ଯେମିତି ପଦା ଆଡ଼େ ଯାଇଛନ୍ତି, ତାଙ୍କ ରନ୍ଧାଘରେ ଯେଉଁ ପାଣି କୁମ୍ଭେ ଥିଲା ସେଥିରେ ତାହା ମିଶାଇ ଦେଇ ପଳାଇ ଯାଇଛି। ଅବଧାନଙ୍କ ମନରେ ତ ଥିଲା ରାଗ। ବେତ ଧରି ଉଠି ପଡ଼ିଲେ, “ମୁଁ ଆଜି ରାଣ୍ଡିପୁଅ ଅନ୍ତାକୁ ଦେଖିବି।” ବାହାରିଲେ ଅନ୍ତା ଦୁଆରକୁ। ଗାଁ ଲୋକ ସମସ୍ତେ ମନା କରୁଛନ୍ତି – ରାଗବେଳେ ମଣିଷର ଥାନ ଜ୍ଞାନ ଥାଏ ନାହିଁ। ଖଣ୍ଡେ ବାଟରୁ ଡାକିଛନ୍ତି, “ଲୋ ଦେବକୀ ଗଉଡ଼ୁଣି! ଲୋ ଦେବକୀ ଗଉଡ଼ୁଣି! ସେ ରାଣ୍ଡିପୁଅ ଅନ୍ତା ଅଳପାଇସିଆ କାହିଁ।” ସିଂହାଣୀ ସେତେବେଳକୁ ସବୁ କଥା ଶୁଣିଲେଣି। ପୁଅକୁ ଘର ଭିତରେ ଲୁଚାଇ ଦେଇ ଦାଣ୍ଡପଣ୍ଡାରେ ବସିଥିଲେ। ଅବଧାନ କଥା କାନରେ ଯେମିତି ପଡ଼ିଛି, ଘର ଭିତରୁ ବାହାର କଲେ ସେଇ ମଇଁଷିମଣା ଠେଙ୍ଗା। କୁହାଟଟାଏ ମାରି ଡାକି ଦେଲେ, “ଆରେ ଅଳପାଇସିଆ! ମାହାନ୍ତି ଗୋଲାମ! ଡାକୁଣିଖିଆ, ନଈଶୁଆ! ମୋ ଗିରସ୍ତ ଥିଲା ସାଇବର ଜମାଦାର – ମୁଁ ସିଂହାଣୀ – ମୋତେ କହିବୁ ଦେବକୀ ଗଉଡ଼ୁଣୀ? ମୋ’ ପୁଅକୁ କହିବୁ ଅଳପାଇସିଆ? କିରେ ତୋତେ କିସ ଲାଗିଲାଣି କି? ରହ ତୋ ମାହାନ୍ତି ଟୋକାକୁ ଦେଖେଁ।” ସିଂହାଣୀ ମୁଣ୍ଡରେ ଲୁଗା ନାହିଁ – ଡେମ୍ଫେ ଡେମ୍ଫେ କେତେ କେରା କଞ୍ଚା ପାକଲା ବାଳ ଫରଫର ଉଡ଼ୁଛି। କାନ୍ଧରେ ଠେଙ୍ଗା। ସେହି ବିକଟାଳ ରଡ଼ି ଶୁଣି ଅବଧାନଙ୍କର ତ ପିଳୋହି ପାଣି ହେଲାଣି! ସିଂହାଣୀର ଦେହବଳ ଅବଧାନଙ୍କୁ ଭଲ ଜଣା। ଦିନେ କ’ଣ ହେଲା କି ସକାଳ ଓଳିଆ ସିଂହାଣୀ ଗାଁ’କୁ ନଈବନ୍ଧ ଉପର ବାଟେ ଦହି ବିକି ଯାଉଛି। ତେତିକିବେଳେ ବିନୋଦବିହାରି ମନ୍ଦିର ମାରଣ ଷଣ୍ଢଟା ବିନ୍ଧିବାକୁ ତଡ଼ି ଆସିଲା। ସିଂହାଣୀ ଗୁମ୍ କରି ଛିଡ଼ା ହୋଇ ଯାଇ ଧରି ଷଣ୍ଢ ଶିଙ୍ଗ। ମୁଣ୍ଡ ଉପର ପସରାରେ ତିନି ମାଠିଆ ଘୋଳ, ତାକୁ ଧରିବାକୁ ନାହିଁ। ଷଣ୍ଢ ଶିଙ୍ଗ ଧରି କଡ଼େଇ କଡ଼େଇ ବନ୍ଧଧାରକୁ ଘେନିଗଲା। ଯେମିତି ପେଲିଦେଇ ଶିଙ୍ଗ ଛାଡ଼ି ଦେଇଛି ଷଣ୍ଢ ତ ପୁଟୁଳି ପରି ଗଡ଼୍ ଗଡ଼ି ଯାଇ ନଈ ଭିତରେ ପଡ଼ିଲା। ସେହିଦିନରୁ ଷଣ୍ଢ ଛୋଟା, ମାରଣାପଣିଆ ଛାଡ଼ିଲାଣି। ଏଟା ଅବଧାନଙ୍କ ଆଖି ଦେଖିବା କଥା। ଭୟରେ ଅବଧାନଙ୍କ ପଳାୟନ। ବାଘୁଣୀ ମୃଗକୁ ଗୋଡ଼ାଇଲେ ସେ ଯେମିତି ପଳାଏ, ଅବଧାନେ ସେହିପର୍ ପଡ଼ି ଉଠି ଧାଇଁଛନ୍ତି। ଆଣ୍ଠୁ ଗଣ୍ଠି ଛିଡ଼ି ଝର୍ ଝର୍ ରକ୍ତ ବହୁଛି। ସିଂହାଣୀ କାନ୍ଧରେ ଠେଙ୍ଗା, ଭାଲୁକୁଣୀ ପରି ଅବଧାନ ପଛରେ ଧପ୍ ଧପ୍ କରି ଧାଇଁଛନ୍ତି। ଧାଇଁବା ବେଳେ ସେହି ବିଶାଳ ପେଟଟି ଦଲ୍ ଦଲ୍ ଶୁଭୁଛି। ହାତରେ ସେ ପିତଳବାହି ବଳାଗୁଡ଼ାକ ପାଏ ବାଟ ଯାଇଁ ଝମ୍ ଝମ୍ ଶୁଭୁଛି। ସିଂହାଣୀଙ୍କର ସେହି ରଡ଼ିରେ ଗାଁ’ କମ୍ପି ଯାଉଛି। ଅବଧାନେ ଗାଁ’ ମଝିରେ କେଉଁଠି ଅନ୍ଧାରରେ ମିଶିଗଲେ। ସିଂହାଣୀ ଡାକିଦେଲା, “ଆରେ କାଠଖିଆ ମାହାନ୍ତି ଗୋଲାମ! ମୋ’ ପୁଅକୁ କୁଆଡ଼େ ଲୁଚାଇଛୁ ଆଣି ଦେ। ଜାଣିଥା’ କାଲି ସକାଳେ ପିତଳବାହିରେ ତୋ ମୁଣ୍ଡ ଚୂନା କରିବି।” ହେଲେ ଅବଧାନଙ୍କୁ ତହିଁ ଆରଦିନ ସକାଳଠାରୁ କେହି କେବେ ସେ ଗାଁ’ରେ ଆଉ ଦେଖି ନାହିଁ।

ଆହୁରି ବି ପାଞ୍ଚ ଛ ବରଷ ଗଲାଣି, ଅନ୍ତା ଲାଗି ଗାଁ’ର ଅନେକ ଲୋକ ଅସ୍ଥିର। ତାର ଆଉ କିଛି ଅତ୍ୟାଚାର ନାହିଁ। ଖାଲି କାହାରି ବାଡ଼ିରେ ମକା, କାକୁଡ଼ି, କୋଳି, ଆମ୍ବ, ବେଲ କିଛି ରହିବ ନାହିଁ, ଆଉ ସୁନା ରୂପା ପଡ଼ିଥାଉ ଅନାଇବ ନାହିଁ। ହେଲେ ସେ ଯେପରି ଉତ୍ପାତିଆ, ସେହିପରି ବି ଭଲ ଲୋକ। ତାକୁ ରଗାଇଲେ ରକ୍ଷା ନାହିଁ। ସେ ଆଗେ ଦୁଷ୍ମନ୍ ଘରର ଖୁମ୍ବ ଆଉ କବାଟ ଭାଙ୍ଗେ। ମା’ ମନା କରିଛି କାହାରି ଦେହରେ ହାତ ଦିଏ ନାହିଁ! ଏଣେ ସାକୁଲା ସାକୁଲି ଟେକା ଟେକି କରି ତାକୁ ଦି’ କଥା କୁହ, ତୁମ ଗୁହ କାଢ଼ିବ। କାହାରି ବାଡ଼ି ହଣା ଯାଉଛି ଅନ୍ତା ସେଠି ଦେଖୁଥିଲା – ତାକୁ ଯଦି କହିବ, “ବାପ ଅନ୍ତୁ। ତୁ ନ ହେଲେ କାହାର ଗାଁ’ ଚଳିବ?” ଆଉ କିଛି କଥା ନାହିଁ, ଧଇଲା କୋଡ଼ି। ଚାରି ଜଣ ମଣିଷ ଦିନକେ ଯାହା ପାରିବେ ନାହିଁ, ପହରକ ଭିତରେ ଫୁଟେ ଗହୀରରେ ବାଡ଼ିଟାକୁ ତାଡ଼ି ପକାଇବ। ମୁଲିଆ ମିଳୁ ନାହିଁ, କାହାର ଘର ଛପରବନ୍ଦି ହୋଇ ପାରିଲା ନାହିଁ, ଧଇଲା ଅନ୍ତାକୁ – ସାକୁଲାସାକୁଲି କରି କହିଲେ, ଦିନେ ଲାଗୁ, ଦି ଦିନ ଲାଗୁ ସେ ଏକଲା ଗୋଟାଏ ଘର ଛାଇ ପକାଇବ। ରାମା ଭିଣାର ବାପ ମରି ଘରେ ପଡ଼ିଛି। ବାଡ଼ିରେ ମରିଛି ବୋଲି ତାକୁ କେହି ଉଠାଇବାକୁ ଆସିଲେ ନାହିଁ। ଅନ୍ତୁ ରାତି ଛ ଘଡ଼ି ବେଳେ ଗାଁ’ ପାଖ ଦେଇ ଯାଉଥିଲା, ତାକୁ ସବୁ କହିଲା। ଆଉ କିଛି କଥା ନାହିଁ, ଏକଲା ହେଁସମିଶା କରି ମଡ଼ାକୁ କାନ୍ଧେଇଲା। ଅନ୍ଧାର ରାତି। ସେହି ସମୟରେ ବି ଗାଁ’ରେ ବାଡ଼ି ପଡ଼ିଛି। ଅଧକୋଶ୍ ଦୂରରେ ମଡ଼ାମଶାଣିରେ ମଡ଼ାଟାକୁ ଫୋପାଡ଼ି ଦେଇ ନଈରେ ବୁଡ଼ିପଡ଼ି ବାହାରି ଅଇଲା। ଅନ୍ତା ବାଘ, ଭାଲୁ, ଭୂତ ପ୍ରେତ, ସାପ, ବେଙ୍ଗ କାହାକୁ ଡରେ ନାହିଁ। ଅନ୍ତା ଲୋକଙ୍କ ବାଡ଼ିରୁ ଫଳକନ୍ଦ ଲୁଟିପାଟି ଖାଇବ; ହେଲେ ତାକୁ କିଛି ଖାଇବାକୁ ଯାଚ, ରାଗି ଘରଦୁଆର ଭାଙ୍ଗିବ।

ବିନ୍ଦିଆ ଚନ୍ଦ ଜଣେ ତନ୍ତୀ ମହାଜନ। ଆଠ ଦଶ ହଜାର ଗଣିଦେବା ଲୋକ। ଲୁଗା କାରବାର କରେ। ଗୋଟାଏ ବଡ଼ ଦୋକାନଘର ତିଆରି କରୁଛି। ଚାରି ଆଡ଼େ ଖୁଣ୍ଟ ପଡ଼ି ଚଉକ ବୁଲି ଗଲାଣି। ମଝି ଖମ୍ବ ଯୋଡ଼ାକ ଅଠର ହାତ। ଭାରୀ ମୋଟା ଶାଳଗଅଳ। ଦଶଜଣ ଲୋକ କଷାକଷି କରି ମଝି ଖମ୍ବ ଛିଡ଼ା କରି ପାରୁ ନାହାନ୍ତି। ଜଣେ ହସି ହସି କହିଲା, “ଆମେ ଏତେ ପାରୁ ନାହୁଁ, ରାଣ୍ଡିପୁଅ ଅନ୍ତା ହେଲେ ଏକଲା ଖମ୍ବଯୋଡ଼ାକ ଛିଡ଼ା କରିଦିଅନ୍ତା।” ଘଟଣା ଦେଖ, ତେତିକିବେଳେ ଅନ୍ତା ଦାଣ୍ଡରେ ଯାଉଥିଲା। ବିନ୍ଦିଆ ତନ୍ତୀ ଡାକିଦେଲା; “ଆରେ ଅନ୍ତା! ଏ ଯୋଡ଼ାଏ ଖମ୍ବ ଉଠାଇ ଦେ, ତୋତେ ଦି ଟଙ୍କା ଖଜାଖିଆ ଦେବି।” ଆଉ ଯାଏ କାହିଁ? “ହଁରେ ଶଳା ତନ୍ତୀ! ମୁଁ ତୋର ଗୋଲାମ? ତୋର ମୂଲ ଲାଗିବି?” ଧାଇଁଲା ମାରିବାକୁ। ତନ୍ତୀ ତ ଡରରେ କୁଆଡ଼େ ପଳାଇଲାଣି। ଦଶଜଣଲୋକ କୋଡ଼ିଏ ଦିନ କାମ କରି ଯେତେ ଖମ୍ବ ପୋତି ଛିଡ଼ା କରାଇଥିଲେ, ସବୁଗୁଡ଼ାକ ଘଣ୍ଟାକ ଭିତରେ ଉପାଡ଼ି ପକାଇଲା। ହେଲେ, ଜଣାଶୁଣା ଲୋକେ ଅନ୍ତାଠାରୁ ଢେର କାମ କରାଇ ନିଅନ୍ତି। ରୋଜି ରୋଜି କାହାରି ହେଲେ କିଛି ପାଇଟି କରି ଦେଇ ଆସେ। ବିନ୍ଦିଆ ତନ୍ତୀ ଗାଁ’ର ଭଲଲୋକ ପାଖରେ ଅନନ୍ତା ନାମରେ ଗୁହାରି କରି ଓଲ୍ଟା ଗାଳି ଶୁଣିଲା।

ବିନୋଦରାଏପୁର ଭାର୍ଗବୀନଦୀର ଉତ୍ତର କୂଳରେ। ନଦୀ ଗର୍ଭଠାରୁ ଗାଁ’ଟା ଅତି ଅଳ୍ପ ଉଞ୍ଚା। ବଢ଼ିପାଣିରୁ ଗାଁ’ ରକ୍ଷା ନିମନ୍ତେ ସରକାର ବାହାଦୁର ଗୋପାଳପୁର କତିରୁ ରାମନଗର ଯାଏଁ ଅଠର ମାଇଲ ଲମ୍ବା କୋଡ଼ିଏ ହାତ ଓସାର ଦଶ ହାତ ଉଞ୍ଚା ଗୋଟାଏ କୂଳବନ୍ଧ ପକାଇଛନ୍ତି। ସେ ବନ୍ଧ ଯୋଗୁ ନଈକୂଳିଆ ଢେର ଗାଁ’ ଆଉ ବିଲବାଡ଼ି ରକ୍ଷା ପାଏ। ବିନୋଦରାଏପୁର ଗୋଟିଏ ବଡ଼ ଧନବନ୍ତ ଗାଁ’। ଗାଁ’ ତଳେ କଳିନ୍ଦବିଲ ଢେର। ଗାଁ’ରେ ପ୍ରାୟ ଦୁଇଶ ଘର ବସ୍ତି। ସମସ୍ତେ ଥିଲା ଲୋକ। କେହି କାକୁ ଆଦୁର୍ଯ୍ୟା ହୁଏ ନାହିଁ। ସରକାରୀ ବଡ଼ ବଡ଼ ଅମଲା, ସ୍କୁଲ ମାଷ୍ଟର, କାରବାରିଆ, ମହାଜନ, କଲକତିଆ ଚାକିରିଆ ଢେର।

ଅଶିଣ ମାସ। ଦୂର୍ଗାପୂଜା ସମୟ। ବିଦେଶିଆ ସବୁ ଘରକୁ ଆସିଛନ୍ତି। ନାଚ ତାମସା, ଖିଆ ପିଆ ଦିନ ରାତି ଲାଗିଛି। ଗାଁ’ଟା ଆନନ୍ଦରେ ଭାସୁଛି। ଫି ବର୍ଷ ଏହି ସମୟରେ ଗାଁ’ଟାରେ ବଡ଼ ହାରି ହୁଏ। ଷଷ୍ଠୀ ବେଲବରଣ। ସକାଳିଆ ଉତ୍ତର ଦିଗରୁ ଖଣ୍ଡେ ମେଘ ଦେଖାଗଲା। ସୂର୍ଯ୍ୟ ଉଇଁ ମେଘରେ ଡୁବିଗଲେ। ମେଘଟା ଦେଖୁଁ ଦେଖୁଁ ଆକାଶଯାକ ଘୋଟିଗଲା। ସଙ୍ଗେ ସଙ୍ଗେ ପବନ। ବୁଢ଼ା ଗୋବିନ୍ଦ ପଣ୍ଡେ କହିଲେ, “ଆରେ ବାପା! ଡାକଋଷି କହିଛନ୍ତି

“ହସି ପଶେ – ଉଇଁ ନ ଦିଶେ,

ବାପ ବୋଲେ ପୁତା, ନିଶ୍ଚେ ବରଷେ।

ଆଜି ଜାଗ୍ରତ ଥାଅ, ନିଶ୍ଚେ ବରଷା ହେବ।” ପଣ୍ଡାଙ୍କ ମୁହଁ କଥା ମୁହଁରେ ଅଛି – ଟପ୍ ଟପ୍ ଟପ୍ର ଟପ୍ର କରି ପକାଇଲା ପାଣି; ଯେ ବର୍ଷୁଛି ସେହି ବର୍ଷୁଛି। ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ ସଞ୍ଜ ହେଲା, ପାଣି ଛାଡ଼ିବାକୁ ନାହିଁ, ଯେଉଁଠିକା ମଣିଷ ସେଇଠି ବସିଛନ୍ତି। ଶଏବର୍ଷର ବୁଢ଼ାମାନେ କହୁଛନ୍ତି, ଏପରି ବର୍ଷା କେବେ ଦେଖା ନ ଥିଲା। ଗାଁ’ରୁ ପା ଭାଗ ଘର କାନ୍ଥ ଧୁପ୍ ଧାପ୍ କରି ପଡ଼ି ଗଲାଣି, ଦିନରାତି ପାଣି ପବନ ଖାଉଛନ୍ତି। ଦଶରା ଦିନ ଯେମିତି ରାତି ପାହିଛି ‘ଗାଁ’ ଗଲା, ଗାଁ’ ଗଲା, ଗାଁ’ ଗଲା’ ଚହଳ ପଡ଼ିଗଲା। ଆଉ କ’ଣ ଲୋକେ ଘରେ ରହିବେ? ପାଛିଆ କୋଡ଼ି ଘେନି ବନ୍ଧକୁ ଧାଇଁଛନ୍ତି। ବଡ଼ ସାନ ବିଚାର ନାହିଁ। ବ୍ରାହ୍ମଣ ପାଣ ଛୁଆଁ ଛୁଇଁ ହେଉଛନ୍ତି। ପାଛିଆ କୋଡ଼ି ଧରି ସମସ୍ତେ ବନ୍ଧ ଉପରେ ହାଜର। ନଈ ଦକ୍ଷିଣକୂଳକୁ ଅନାଇବା ବେଳେ ଗୋଟା ସମୁଦ୍ର, ଆଉ କିଛି ନାହିଁ। ବଢ଼ି ପାଣି ବନ୍ଧ କାନେକାନ। ନଈ ଭିତରୁ ପାଞ୍ଚ ହାତ ଉଚ୍ଚ ଗୋଟାଏ ଗୋଟା ଲହରୀ ଆସି ଝଲକେ ଝଲକେ ପାଣି ବନ୍ଧ ଟପି ପଡ଼ୁଛି। ଯେଉଁଠି ଝଲକେ ପାଣି ଟପି ପଡ଼ୁଛି, କେହି କାହାକୁ କହିବାକୁ ନାହିଁ – ଶଏ ବୋଝ ମାଟି ପଡ଼ି ଯାଉଛି। ବନ୍ଧ ମୂଳଟା କୋରି ଗୋଟାଏ ଗୋଟାଏ ପୋଖରୀ କରି ପକାଇଲାଣି। ଆଉ ଏଣେ କ’ଣ ହେଲାକି ଚାରିକୋଶ ତଳେ ରାମପୁର ମୁହାଣ ବାଟେ ପାଣି ବୁଡ଼ିଆସି ଗାଁ’ ମୂଳକୁ ଲାଗିଲାଣି। ଗାଁ’ ଗହୀରଗୁଡ଼ାକ ସମୁଦ୍ର ପରି ଜଳମୟ। ବନ୍ଧର ପାଣି ନ ଟପିଲେ ବି ତଳ ପାଣି ଆସି ଗାଁ’କୁ ଭସାଇ ନେବ। ପାଣିଟା ଯେମିତି ହୁ ହୁ କରି ବଢ଼ୁଛି ଗାଁ’ ଭିତରେ ପାଣି ପଶିଲା ବୋଲି! ଘରେ ଆଉ ରନ୍ଧାବଢ଼ା କ’ଣ ହେବ? ତୀର୍ଲାଗୁଡ଼ାକ ଘରୁ ବାହାରି ଆସି ଶଙ୍ଖ ହୁଳହୁଳି ପକାଉଛନ୍ତି। ଗୁଡ଼ାଏ ତୀର୍ଲା କଅଁଳା ଛୁଆଙ୍କୁ କାଖେଇ ରଡ଼ି କରୁଛନ୍ତି। ଶଙ୍ଖ, ହୁଳହୁଳି, ହରିବୋଲ, କାନ୍ଦଣାରେ ଗାଁ’ଟା ଉଛୁଳି ପଡ଼ୁଛି। ସୂର୍ଯ୍ୟ ଡୁବେ ଡୁବେ। ଗାଧୁଆ ତୁଠ ବାଟେ ଗାଁ’କୁ ପଶିଲା ପାଣି। ଦେଖୁ ଦେଖୁ ପାଞ୍ଚ ହାତ ଗହୀର ହୋଇଗଲା। ଚଉଡ଼ାଟା ବି ବେଳକୁବେଳ ବଡ଼ି ଯାଉଛି। ପିଚକାରୀ ମୁହଁରୁ ପାଣି ବାହାରିଲା ପରି ବେଗରେ ପାଣି ଗାଁ’କୁ ଧାଉଁଛି। “ହରିବୋଲ, ହରିବୋଲ – ଗଲା, ଗଲା।” ଆଉ କିଛି କଥା ନାହିଁ। ଉଛୁଣି ସମୁଦ୍ରରେ ସମସ୍ତଙ୍କୁ ଯାକିଦେବ। ପାଣିସୁଅ ବନ୍ଦ ପାଇଁ ଶ’କୁ ଶ’ ବୋଝ ମାଟି ପଡ଼ୁଛି; ମାତ୍ର ମୁଠାଏ ବି ରହୁନାହିଁ, ସୁଅ ଭସାଇ ନେଉଛି। ଏତେ ଯେ କାଣ୍ଡ – ଅନ୍ତାର କାହିଁରେ ଚିନ୍ତା ନାହିଁ। ସକାଳୁ ଭିଜି ଭିଜି ଗାଁ’ର ଚାରିପିଠ ବୁଲୁଛି। ଲୋକମାନଙ୍କ ବାଡ଼ିରୁ ଗଛମିଶା ମକା କାକୁଡ଼ି ଭାସି ଆସୁଛି, ତାହା ସବୁ କେବଳ ଅଣ୍ଟାରେ ପୁରାଉଛି। ଯେତେବେଳେ ଗାଧୁଆ ତୁଠ କତିରେ ଭାରି ହୁରି ପଡ଼ିଲା, ତେତେବେଳେ ହସି ହସି କ’ଣ ହେଉଛି ମଜା ଦେଖିବା ପାଇଁ ଧାଇଁଲା। ଦେଖିଲା ଯେ ଗାଁ’କୁ ଗୋଟାଏ ଭାରି ପାଣିଶୁଅ ଧାଇଁଛି। ଶୁଣିଲା ଯେ ଗାଁ’ ଭାସିଯିବ। ଭଲ କରି ଅନାଇ ଧାଇଁଲା ଗାଁ’ ଭିତରକୁ। ବିନୋଦ ବିହାରୀ ଠାକୁର ସିଂହଦୁଆର କବାଟଟା ପାଞ୍ଚହାତ ଉଞ୍ଚା, ଚାରି ହାତ ଚଉଡ଼ା। ତାକୁ କାଢ଼ି ପକାଇ ମୁଣ୍ଡାଇ ଧାଇଁଛି। ଦାଣ୍ଡ ପାଖରେ ପାର୍ବତୀମା’ର ମେଲାରେ ଗୋଟାଏ ଢେଙ୍କ ପଡ଼ିଛି ତାକୁ ଜଣା। ଢେଙ୍କ କାଢ଼ି କାଖେଲା। ମୁହାଣରେ କବାଟଟାକୁ ଆଡ଼ କରି ଠିଆ କରି ଦେଇ ଢେଙ୍କଟା ଠେକେଇ ଦେଲା। ଆଉ ପିଠି ଭିଡ଼ି ଦେଇ କବାଟଟାକୁ ପେଲି ଧରିଲା। ତାହା ବାଦ ପାଟି କଲା, “ପକାଅ ମାଟି ପକାଅ ମାଟି।” କେବଳ ଡାକୁଛ୍, “ପକାଅ ମାଟି, ପକାଅ ମାଟି, ପକାଅ ମାଟି।” କବାଟ ଦୁଇ ପାଖରୁ ଶ’ ଶ’ ମାଟି ଝୁପ୍ ଝୁପ୍ ପଡୁଛି, ଅନ୍ତା ଛାତି ଯାଏଁ ମାଟି ହେଲାଣି, ଡାକୁଛି ଅନ୍ତା, ବେକ ପୋତି ଗଲାଣି; ସେଥିକି ତାର ନଜର ନାହିଁ। ଯେତେବେଳେ ଓଠ କତିରେ ମାଟି ପଡ଼ିଲା – ଦୁଇଥର ଡାକି ଦେଲା, “ହରିବୋଲ, ଦିଅ, ମାଟି ପକାଅ।” ଆଉ ଅନ୍ତା ପାଟି ଶୁଭିଲା ନାହିଁ। ମାଟି ସେହିପରି ପଡ଼ୁଛି। ପାଣି ସୁଅଟା ବନ୍ଦ ହୋଇଗଲା। ଲୋକମାନଙ୍କର ଭରସା ହେଲା, ଟିକିଏ ନିଶ୍ବାସ ପକାଇଲେ। ତେତେବେଳେ ଖୋଜିଲେ, ‘ଅନ୍ତା କାହିଁ? ଆଉ ଅନ୍ତା? ତା’ ମୁଣ୍ଡ ଉପରେ ଦି ହାତ ମାଟି। ଡାକ ପଡ଼ିଗଲା “ଧନ୍ୟ ଧନ୍ୟ ରାଣ୍ଡିପୁଅ ଅନ୍ତା!” ଦଇବ ଯୋଗେ କ’ଣ ହେଲା କି ବର୍ଷା ବନ୍ଦ। ନଈରୁ ଫୁଟେ ପାଣି ଖସି ପଡ଼ିଲାଣି। ଅନ୍ତା ମା’ ପିଣ୍ଡାରେ ବସିଥିଲା। ହୁରି ଆନନ୍ଦ ଶୁଣି କହିଲା, “କ’ଣ ହେଲା ଦେଖେଁ? ପୁଅଟା ବି ଆସିଲା ନାହିଁ, ଡାକି ଆଣେ।” ତା’ ସ୍ବାମୀର ଠେଙ୍ଗା କାନ୍ଧରେ ପକାଇଲା। ଘର ଦୁଆରଟା କିଳି ଦେଇ ବାହାରିଲା। ଯେମିତି ଦାଣ୍ଡରେ ଯାଉଛି – ଶୁଣିଲା ଯେ ସମସ୍ତେ କହୁଛନ୍ତି, ଧନ୍ୟ ଧନ୍ୟ ଅନ୍ତା!” ସମସ୍ତେ ତା’ ଗୋଡ଼ ତଳେ ପଡ଼ି କହୁଛନ୍ତି, ଧନ୍ୟ ଧନ୍ୟ ତୋ ପୁଅ!” ସିଂହାଣୀ ସଳଖେ ସଳଖେ ତୁଠ କତିକୁ ଚାଲିଗଲା। ସବୁ ଶୁଣିଲା, କାହାକୁ କିଛି କହିଲା ନାହିଁ। ବନ୍ଧ ଚାରିପାଖ ବୁଲି ଦେଖିଲା। ବନ୍ଧ ମଝିକୁ ଅନାଇଛି, ଚାରିପାଖ ବୁଲୁଛି। ତୁଠ ମଝିକୁ ନଜର ଅଛ୍; ନଈ ଆଡ଼କୁ ପିଠି। ବନ୍ଧ ତଳେ ଯେ ଦଶ ହାତ ପାଣି ତାକୁ ତ ସେ କଥା ଅଜଣା। ଯେମିତି ନଈ ଆଡ଼କୁ ବୁଲି ଯାଇଛି, ଧପାସ୍ କରି ଗୋଟାଏ ଶବ୍ଦ ହେଲା। ‘ହାଁ କ’ଣ ହେଲା’ କହି ଲୋକମାନେ ଦି’ଟା ଚାରିଟା ମଶାଲ ଆଲୁଅ ନଈକୁ ଦେଖାଇଲେ।କୂଳଠାରୁ ପାଞ୍ଚ ହାତ ଦୂରରେ ପାଣି ଭିତରେ ଗୋଟାଏ ଗାତରେ ମେଞ୍ଚାଏ ଫେଣ ଭଉଁରୀଟିଏ ବୁଲୁଛି, ଦଶ ହାତ ତଳକୁ ଖଣ୍ଡିଏ ବାଉଁଶ ବାଡ଼ି ଭାସି ଯାଉଛି।