ଗଳ୍ପସ୍ଵଳ୍ପ/ରେବତୀ

ଉଇକିପାଠାଗାର ରୁ
Jump to navigation Jump to search
ଗଳ୍ପସ୍ୱଳ୍ପ ଲେଖକ/କବି: ଫକୀର ମୋହନ ସେନାପତି
ରେବତୀ

କଟକ ଜିଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ପାଟପୁର। ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର। ଆଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରୀ ଚାଳିଆରେ ଢିଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡ଼ିଦୁଆର। ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସା ଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି। ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ ଦରମା ଦୁଇଟଙ୍କା, ଦରମା ଛାଡ଼ି ପାଉତି ବିଶୋଧନୀ, ବାହାଲହଣା ଇତ୍ୟାଦିରୁ ଦୁଇ ପଇସା ହାତ ପୈଠ ହୁଏ। ସବୁ ମିଶାଇଲେ ମାସକୁ ଚାରି ଟଙ୍କାରୁ ଊଣା ହେବ ନାହିଁ, ସଂସାର ଏକରକମ ଚଳେ। ଏକରକମ କିଆଁ? ବୋଇଲେ ଭଲ ଚଳେ। ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ। ବାଡ଼ିରେ ଶାଗ ମାଗ ଛାଡ଼ି ସଜନା ଦୁଇ ଗଛ। ଘରେ ଲଗାପଡ଼ିଆ ବରଷବିଆଣୀ ଗାଈ ଦୁଇଟା ବନ୍ଧା; ଦୁଧ ଟିକିଏ, ଚହ୍ଲା ମନ୍ଦାଏ ହାଣ୍ଡି ତଳେ ଲାଗିଥାଏ। ବୁଢ଼ୀ ଚଷୁ ମିଶାଇ ଘଷି ତାଡ଼ି ଦିଏ, କାଠ କିଣା ବାଧେ ନାହିଁ। ଜମିଦାର ସାଢ଼େ ତିନି ମାଣ ଜମି ଚଷିବାକୁ ଦେଇଛନ୍ତି, ଧାନ ବଳେ ନାହିଁ, କି କମେ ନାହିଁ। ଶ୍ୟାମବନ୍ଧୁଟି ବଡ଼ ସିଧା ସଳଖ ଲୋକ, ପ୍ରଜାମାନେ ମାନନ୍ତି, ସୁଖ ପା’ନ୍ତି। ବାପରେ, ଧନରେ କହି କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ, କାହାରି ଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ। ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ, ସେ ଚାରି ଆଙ୍ଗୁଳି ତାଳପତ୍ର ଖଣ୍ଡେ ପାଉତି ଲେଖି ବଳେ ଚାଳରେ ଗୁଞ୍ଜି ଦେଇଯାଏ। ଜମିଦାର ପିଆଦା ଆସିଲେ ଗାଁ’କୁ ଛାଡ଼େ ନାହିଁ, ଆପେ ହାତ ଓଠ ଧରି ଧୂଆଁ ଦୁଇ ପଇସା ଅଣ୍ଟାରେ ଗୁଞ୍ଜି ଦେଇ ବିଦା କରେ। ଶ୍ୟାମବନ୍ଧୁ ଘରେ ଖାଇବାକୁ କୁଟୁମ୍ବ ଚାରି ଜଣ, ଆପେ ଦୁଇ ପରାଣୀ, ମା’ ବୁଢ଼ୀ, ଦଶ ବରଷର ଗୋଟିଏ ଝିଅ। ଝିଅର ନାମ ରେବତୀ। ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି ‘କୃପାସିନ୍ଧୁ ବଦନ’ ଗାଏ, ଆଉ ଆଉ ଭଜନ ଗାଏ, କେବେ କେବେ କାଠ ରୁଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢ଼େ, ରେବତୀ ପାଖରେ ବସି ଶୁଣୁଥାଏ। ସେ ମୁହେଁ ମୁହେଁ ଢେର ଭଜନ ଶିଖିଗଲାଣି, ତା ପିଲା ମୁହଁକୁ ଭଜନଗୁଡ଼ିକ ଖୁବ୍ ମାନେ। ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁ’ରେ କୌଣସି କୌଣସି ଲୋକ ଆସି ଶୁଣନ୍ତି। ରେବତୀ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା ସେଇଟି ଗାଇଲେ ଶ୍ୟାମବନ୍ଧୁ ବଡ଼ ଖୁସି ହୁଏ। ପ୍ରତିଦିନ ଝିଅକୁ ଗାଇବାକୁ କହେ, ରେବତୀ ଗାଏ-

କା’ ଆଗେ କରିବି ଗୁହାରି ?

ତୁମ୍ଭେ ନ ଚାହିଁଲେ ନାଥ ଗରିବ ଯିବ ସରି।

କର ବା ନ କର ତ୍ରାଣ, ପଦେ ସମର୍ପିଛି ପ୍ରାଣ,

ହୃଦେ ଅଛି ତବ ନାମ ଧରି।

ତୁମ୍ଭ ବିନା ତ୍ରିଜଗତ ଶୂନ୍ୟ ହେ ହରି।

ଶୀତଳ କର ଜୀବନ ପ୍ରେମାମୃତ ଦାନ କରି।

ଦୁଇ ବରଷ ତଳେ ସ୍କୁଲ ଡେଃ ଇନ୍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ। ଗ୍ରାମର ମୁଖିଆ ମୁଖିଆ କେତେ ଜଣ ଲୋକ କୁହାପୋଛା କରିବାରୁ ଦିପୋଟିବାବୁ ଓଡ଼ିଶା ବିଭାଗର ଇନ୍ସପେକ୍ଟରଙ୍କଠାରୁ ରିପୋର୍ଟ କରି ଗୋଟିଏ ଅପରପ୍ରାଇମେରୀ ସ୍କୁଲ ବସାଇ ଦେଇ ଅଛନ୍ତି। ଶିକ୍ଷକ ବେତନ ମାସକୁ ଚାରି ଟଙ୍କା। ଏହି ଚାରି ଟଙ୍କା ସରକାରରୁ ମିଳେ। ଏହା ଛଡ଼ା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି। ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ର, ନାମ ବାସୁଦେବ। ନାମଟି ଯେପରି ବାସୁଦେବ, ଲୋକଟା ମଧ୍ୟ ସେହିପରି ବାସୁଦେବ। ଟୋକାଟାର ଭିତର ବାହାର ସବୁ ସୁନ୍ଦର। ଗାଁ’ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ। ବୟସ ଅନ୍ଦାଜ କୋଡ଼ିଏ। ସୁନ୍ଦର ରୂପ ଯେମନ୍ତ ଗୋଟିଏ ଚାଊଳରେ ଗଢ଼ା। ପିଲାଦିନେ ପିହୁଳା ରୋଗ ହୋଇଥିଲା। ତା’ ମା’ ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା। ସେ ଚିହ୍ନ ଆଜି ଯାଏ ଅଛି। ହେଲେ ସେ ଚିହ୍ନ ତାକୁ ମାନେ। ବାସୁଦେବ ପିଲାକାଳରୁ ମା ବାପ ଛେଉଣ୍ଡ, ମାମୁ ଘରେ ରହି ମଣିଷ ହୋଇଛି। ବାସୁଦେବ ଜାତିରେ କରଣ, ଶ୍ୟାମବନ୍ଧୁ ମଧ୍ୟ କରଣ। କେବେ ପୁନେଇ ଗୁରୁବାରରେ ଘରେ ପିଠାପଣା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହି ଆସେ, “ବାପା ବାସୁ ! ସଞ୍ଜବେଳେ ଟିକିଏ ଆମ ଘରକୁ ଯିବ, ତୁମ ମାଉସୀ ଡାକିଛନ୍ତି।” ଏହିପରି ଯିବା ଆସିବାରେ ସେମାନଙ୍କ ମଧ୍ୟରେ ଗୋଟାଏ ମାୟା ଲାଗିଗଲାଣି। ରେବତୀ ବାସୁକୁ ଦେଖିଲେ କହେ, “ଆହା, ମା’ ଛେଉଣ୍ଡଟି, କ’ଣ ଖାଏ – କିଏ ତା’ ଖାଇବା ଦେଖୁଛି।” ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡ଼ିଏ ଅଧେ ବସି ଆସେ। ବାସୁକୁ ଦୂରରୁ ଦେଖିଲେ “ବାସୁ ଭାଇ ଅଇଲେ, ବାସୁ ଭାଇ ଅଇଲେ” ବୋଲି ରେବତୀ ପାଟି କରି ବାପକୁ କହେ। ରେବତି ସଞ୍ଜବେଳେ ବାପ ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନଗୁଡ଼ିକ ବାସୁକୁ ଶୁଣାଏ। ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ। ଦିନେ ଏ କଥା ସେ କଥା ପଡ଼ୁ ପଡ଼ୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ ଅଛି, ସେଠାରେ ଝିଅମାନେ ପଢ଼ନ୍ତି, ଲୁଗାସିଆଁ ଶିଖନ୍ତି। ସେହି ଦିନ ଠାରୁ ରେବତୀକୁ ପାଠ ପଢ଼ାଇବାକୁ ଶ୍ୟାମବନ୍ଧୁର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ କହିଲା। ବାସୁ ଶ୍ୟାମବନ୍ଧୁକୁ ପିତୃତୁଲ୍ୟ ମାନେ, କହିଲା, “ଆଜ୍ଞା, ମୁଁ ସେହି କଥାଟା କହିବି କହିବି ହେଉଥିଲି।” ଦୁଇଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢ଼ାଇବାର ସ୍ଥିର ହେଲା। ରେବତୀ ପାଖରେ ବସି ଶୁଣୁଥିଲା, ଦୁଇ ଚିଲାରେ ଘର ଭିତରକୁ ଯାଇ ମା’କୁ ଆଉ ଜେଜୀକୁ, “ମୁଁ ପାଠ ପଢ଼ିବି, ମୁଁ ପାଠ ପଢ଼ିବି” ଖବର ଦେଲା। ମା’ କହିଲେ, “ହଉ ହଉ ପଢ଼ିବୁ।” ଜେଜୀ କହିଲେ, “ପାଟ କ’ଣ ଲୋ?” ମାଇକିନିଆ ଝିଅଟା ପାଠ କ’ଣ? ରନ୍ଧା ବଢ଼ା ଶିଖ, ପିଠାପଣା କରି ଶିଖ, ଝୋଟିଦିଆ ଶିଖ, ଦହିମୁହାଁ ଶିଖ, ପାଠ କ’ଣ?”

ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବକାଠ ପିଢ଼ା ଉପରେ ବସି ଭାତ ଖାଉଛନ୍ତି, ରେବତୀ ସାଙ୍ଗରେ ବସି ଖାଉଛି। ବୁଢ଼ୀ ଆଗରେ ବସି – ‘ଭାତ ପୁଞ୍ଜାଏ ଆଣ; ଡାଲିପାଣି ଟିକିଏ ପକେଇ ଯା, ଲୁଣ ଟିକିଏ ଦେ’ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି। କଥାରେ କଥାଋଏ ବୁଢ଼ୀ କହି ବସିଲେ, “ହଁରେ ଶ୍ୟାମ ! ରେବୀ ପାଠ ପଢ଼ିବ – ପାଠ କ’ଣରେ, ତିରିଲାଝିଅର ପାଠପଢ଼ା କ’ଣ?” ଶ୍ୟାମବନ୍ଧୁ କହିଲେ, “ହେଉ, କହୁଛି ତ ପଢ଼ୁ। ଝଙ୍କଡ଼ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲି ପାରନ୍ତି, ବୈଦେହୀଶ ବିଳାସ ଛାନ୍ଦ ଗାଆନ୍ତି।” ରେବତୀ ଭାରି ଖପା ହୋଇ ଯାଇ ଜେଜୀକୁ ଗାଳି ଦେଇ କହିଲା, “ଯା’ ଲୋ ବୁଢ଼ୀ ଡୁଗୁରିଟା।” ତାହା ବାଦ ଅଳି କରି ବାପାକୁ କହିଲା, “ନାଁ ବାଁପାଁ – ନାଁ ବାଁପାଁ ମୁଁ ପାଁଠଁ ପଁଢ଼ିବିଁ।” ଶ୍ୟାମବନ୍ଧୁ କହିଲେ, “ହଁ – ହଁ – ତୁ ପଢ଼ିବୁ।” ସେଦିନ କଥା ଏତିକି।

ତହିଁ ଆରଦିନ ଉପରଓଳି ବାସୁଦେବ ସୀତାନାଥ ବାବୁଙ୍କ ପ୍ରଥପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ଼ ଖୁସି ହୋଇ ବାପା ପାଖରେ ବସି କିତାପର ମୂଳ ପୁଡ଼ାଠାରୁ ଶେଷ ପୁଡାଯାଏ ଓଲଟାଇ ଓଲଟାଇ ଦେଖିଲା। ସେଥିରେ ହାତୀ, ଘୋଡ଼ା, ଗୋରୁ ଇତ୍ୟାଦିର ଛବି ଦେଖି ଭାରି ଖୁସି ହୋଇଗଲା। ରଜାମାନେ ହାତୀ ଘୋଡ଼ା ବାନ୍ଧି ଖୁସି ହୁଅନ୍ତି, କେହି ହାତୀ ଘୋଡ଼ା ଚଢ଼ି ଖୁସି ହୁଏ, ଆମ ରେବୀ ଛବିଟା ଦେଖି ଖୁସି। ରେବୀ ଧାଇଁ ଯାଇ ମା’କୁ କିତାପର ଛବି ସବୁ ଦେଖେଇଲା; ତାହା ବାଦ ଜେଜୀକୁ ଦେଖାଇଲା। ଜେଜୀ କିଞ୍ଚିତ୍ ବିରକ୍ତ ହୋଇ କହିଲା, “ହଁ – ଯା’ – ଯା’ - ।” ରେବୀ ତାକୁ ‘ଦୂର୍ ଦୂର୍’ ଗାଳି ଦେଇ ଫେରି ଆସିଲା। ଆଜି ଦିନଟି ଭଲ - ଶ୍ରୀପଞ୍ଚମୀ। ରେବତୀ ସକାଳୁ ବୁଡ଼ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଛି, ବାସୁ ଭାଇ ଆସିଲେ କିତାପ ପଢ଼ାଇ ଦେବ। ବୁଢ଼ୀ ଭୟରେ ବିଧ୍ୟାରମ୍ଭର ଆୟୋଜନ କିଛି ହୋଇ ନାହିଁ। ବେଳ ଛ’ ଘଡ଼ି ସମୟରେ ବାସୁ ଯାଇ ପଢ଼େଇ ଦେଲା, ସ୍ବରେ – ଅ, ସ୍ବରେ – ଆ, ହ୍ରସ୍ବ – ଇ, ଦୀର୍ଘ – ଈ, ହ୍ରସ୍ବ ଉ, ଦୀର୍ଘ – ଊ ଇତ୍ୟାଦି। ପ୍ରତିଦିନ ପଢ଼ା ଚାଲିଲା, ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢ଼େଇଦିଏ। ଦୁଇ ବରଷ ମଧ୍ୟରେ ରେବତୀ ଢେର ପଢ଼ିଗଲାଣି। ମଧୁରାଓଙ୍କ ଛାନ୍ଦମାଳା ପଢ଼ିବା ବେଳେ ତୁଣ୍ଡରେ ବାଟୁଳି ବାଜେ ନାହିଁ।

ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇବା ବେଳେ ମା’ ପୁଅ ଦୁଇ ଜଣ କଥାବାର୍ତ୍ତା ହେଲେ। ପୂର୍ବେ ବୋଧକରୁଁ କିଛି କଥା ହୋଇଥିଲା, ଆଜି ସେହି କଥାର ଉପସଂହାର।

ଶ୍ୟାମବନ୍ଧୁ – କି ମା’, ଭଲ ହେବ ନାହିଁ କି?

ବୁଢ଼ୀ – ହଁ ଭଲ ତ ହେବ; ଜାତି କଥାଟା ବୁଝିଛୁ ନା?

ଶ୍ୟାମବନ୍ଧୁ – ମୁଁ ଆଜି ଯାଏ ଆଉ କ’ଣ ବୁଝୁଥିଲି? ଭଲ କରଣ, ଗରିବ ପୁଅ ହେଲେ କ’ଣ ହେବ, ଜାତି ଭଲ।

ବୁଢ଼ୀ – ଦନ ଦଉଲତ ନାହିଁ ବିଚାର, ଜାତି କଥାଟା ଆଗେ ପଚାର। ଘରେ ରହିବ ତ?

ଶ୍ୟାମବନ୍ଧୁ – ଘରେ ନ ରହି ଆଉ କୁଆଡ଼େ ଯିବ? ହଜାର ହେଲେ ମାମୁ ମାଈଁ ନା, ଆଉ କ’ଣ?

ରେବତୀ ପାଖରେ ବସି ଭାତ ଖାଉଥିଲା, ଏହି କଥାର ମର୍ମ ସେ କ’ଣ ବୁଝିଲା ସେ ଜାଣେ୍ ମାତ୍ର ସେହି ଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟରକମ ଦେଖୁଅଛୁଁ। ତାକୁ ବାପ ଆଗରେ ବାସୁଭାଇ ପଢ଼ାଇଦେଲେ କିପରି ଗୋଟାଏ ଲାଗ ମାଡ଼େ; ଅକାରଣ ସକାରଣ ସବୁବେଳେ ହସ ମାଡ଼େ, ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠ ବୁଜି ହସ ଲୁଚାଏ। ଏଣିକି ବାସୁ ପଢ଼ାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କରେ, ପଢ଼ା ସରିଲେ ପାଟି ବୁଜି ହସି ହସି ଘରକୁ ପଳାଇଯାଏ। ପ୍ରତିଦିନ ସଞ୍ଜବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଚାହିଁଥାଏ, ବାସୁ ଆସିଲେ ଘରକୁ ପଳାଏ, ପାଞ୍ଚ ଡାକରେ ବାହାରେ ନାହିଁ। ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢ଼ୀ ଖପା ହୁଏ।

ଦେଖୁଁ ଦେଖୁଁ ପଞ୍ଚମୀକୁ ପଞ୍ଚମୀକୁ ଦୁଇ ବରଷ ହୋଇଗଲାଣି। ବିଧାତାଙ୍କର ବିଧାନ, କାହାର ଦିନ ସମାନ ଭାବରେ ଯିବ ନାହିଁ। ଫଗୁଣମାସିଆ ଦିନ, କାହିଁ କିଛି ନାହିଁ, ଅଚାନକ କାହୁଁ ବାଡ଼ି ଆସିଲା – ସକାଳେ ଗ୍ରାମରେ ଶୁଣାଗଲା, ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିଙ୍କୁ ବାଡ଼ି ଧରିଛି। ମଫସଲ ଗାଁ’ରେ ବାଡ଼ି ପଡ଼ିଲେ ତାଟି କବାଟ ପଡ଼ିଯାଏ। ବାଡ଼ି ବୁଢ଼ୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଛି, ଏପରି ସମସ୍ତେ ମଣନ୍ତି। ଦୁଆରକୁ କାହାରି ଆସିବାର ନାହିଁ। ମାଇକିନିଆ ଦୁଇଟା କ’ଣ କରିବେ? ପିଲାଟା ଡକା ପାଡ଼ି ଘର ବାହାର ହେଉଛି। ବାସୁଦେବ ଶୁଣି ସ୍କୁଲ ଛାଡ଼ି ଧାଇଁଲା। ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ନାହିଁ, ଶ୍ୟାମବନ୍ଧୁ ପାଖରେ ବସି ଗୋଡ଼ରେ ହାତ ବୁଲାଉଥାଏ, ପାଣି ଟୋପାଏ ଟୋପାଏ ମୁହଁରେ ଦେଉଥାଏ। ବେଳ ତିନିପ୍ରହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇ ଖନେଇ କହିଲା, “ବାଁ – ସୁଁ ଏଁ – ବଁ ଆଁ – ଗିଁ - ଲା।” ବାସୁ ଭୋ ଭୋ କରି ଡକା ପାଡ଼ିଲା। ଘରେ ଚହଳ ପଡ଼ିଗଲା। ରେବତୀ ଭୂଇଁରେ ପଡ଼ି ଗଡ଼ୁଥାଏ, ଗ୍ରାମରେ ଲୋକେ ଶୁଣି କହିଲେ, ହୋଇଗଲା ପରା। ଦେଖୁଁ ଦେଖୁଁ ସଞ୍ଜବେଳକୁ କିଛି ନାହିଁ। କ’ଣ କରିବେ – ବାସୁଦେବଟା କାଲିକା ପିଲା, ଆଉ ଦୁଇଟା ଭୁଆସୁଣୀ। ଗ୍ରାମର ବନ ଶେଠି ଧୋବା ଜଣେ ଜାଣିବା ଶୁଣିବା ଲୋକ, ତା’ ଦେହକରେ ପଚାଶ କି ଷାଠିଏ ପାର କଲାଣି। କାଲି ହେଲେ ଯିବାକୁ ହେବ, ଆଜି ହେଲେ ଯିବାକୁ ହେବ, ଲୁଗାପଟା ଦି’ଖଣ୍ଡ ମଧ୍ୟ ମିଳିବାର ଭରସା। ଗାମୁଛାଟାଏ ଅଣ୍ଟାରେ ଭିଡ଼ିଦେଇ କୁରାଢ଼ୀଟାଏ କାନ୍ଧରେ ପକାଇ ହାଜର ହୋଇଗଲା। ଗ୍ରାମରେ କରଣ ସେହି ଘରକ; ଶାଶୁ, ବୋହୂ, ବାସୁଦେବ ତିନିଜଣ ଧରାଧରି କରି କର୍ମ ଚଳାଇଲେ। ସେ ସମୟର କଥାଗୁଡ଼ାକ ଲେଖିବାକୁ ଆଉ ହାତ ଚଳୁ ନାହିଁ। ଶ୍ମଶାନରୁ ଫେରି ଆସିବା ବେଳକୁ କୁଆଁତାରା ଉଇଁଲାଣି। ଘରେ ପଶିବା ମାତ୍ରକେ ରେବତୀମା’ ପୋଖରୀପାଣି ଗଲା, ଦେଖୁଁ ଦେଖୁଁ ଦିନ ଦ୍ବିପ୍ରହର ବେଳେ ଗ୍ରାମରେ ହାଟ ହେଲା, ରେବତୀ ମା’ ନାହିଁ।

ଦିନ ଚାଲିଯାଏ, କାହାରି ଲାଗି ଦିନ ବସି ରହେ ନାହିଁ। କାହାର ପାଲିଙ୍କି ଉପରେ ପାଟଛତା, କାହାର ବେଢ଼ି ଉପରେ କୋରଡ଼ା। ଦିନ ଯାଉଛି ସମସ୍ତଙ୍କର, ଯିବ ସମସ୍ତଙ୍କର। ଦେଖୁଁ ଦେଖୁଁ ତିନିମାସ କଟିଗଲାଣି। ଶ୍ୟାମବନ୍ଧୁ ଘରେ ଦୁଇଗୋଟି ଗାଈ ଥିଲେ, ତହବିଲ ବାକି ଟଙ୍କା ସକାଶେ ଜମିଦାରଘର ଲୋକେ ଆସି ବାନ୍ଧି ଘେନିଗଲେ। ଆମ୍ଭେମାନେ ଜାଣୁଁ, ଜମିଦାରଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବନିର୍ମାଲ୍ୟ ପରି ଜ୍ଞାନ କରେ, ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରିରେ ପୈଠ ନ କରିବାଯାଏ ତାହାର ନିଦ ନାହିଁ। ମାତ୍ର ତାହା ଉପରେ ଟଙ୍କା ଥାଉ ବା ନ ଥାଉ, ଗାଈ ଦିଓଟି ବଡ଼ ଦୁଧିଆଳୀ, ଏ କଥା ପୂର୍ବରୁ ଜମିଦାରଙ୍କ ଜଣାଥିଲା। ତାହା ଛଡ଼ା ଜମିଦାର ଚଷିବାକୁ ଯେ ତିନିମାଣ ଜମି ଦେଇଥିଲେ, ତାହା ଛଡ଼ାଇ ନେଲେଣି। ହଳିଆଟା ବା ଘରେ ଆଉ କିଆଁ ରହିବ? ଦୋଳପୂର୍ଣ୍ଣିମା ଦିନ ସେ ଛାଡ଼ିଗଲା। ବଳଦ ଦୁଇଟା ସାଢ଼େ ସତର ଟଙ୍କାରେ ବିକା ଯାଇଥିଲା, ଦୁଇଜଣଙ୍କ କ୍ରିୟାରେ ଖରଚ ଯାଇ ଯାହା ବଳିଥିଲା, ସଟାବଟା କରି ମାସେ ଚଳିଲା। ଆଜି ଢାଳଟା କାଲି ପିତ୍ତଳଟା ବିକାବଟା ବନ୍ଧାଛନ୍ଦାରେ ଆଉ ମାସେ ଗଲା। ବାସୁ ଦୁଇ ଓଳି ଦୁଆରକୁ ଆସେ, ରାତି ଘଡ଼ିଏ ଯାଏଁ ଥାଏ, ଆଈ ନାତୁଣୀ ଶୋଇବାକୁ ଗଲେ ବସାକୁ ଯାଏ। ବାସୁ କିଛି ଟଙ୍କା ପଇସା ଦେଲେ ଆଈ ବା ନାତୁଣୀ କେହି ନିଅନ୍ତି ନାହିଁ। ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡ଼ିଥାଏ। ବାସୁ ଜାଣିପାରି ଆଉ କିଛି ଦିଏ ନାହିଁ। ବୁଢ଼ୀ ପାଖରୁ ଗୋଟାଏ ଦୁଇଟା ପଇସା ନେଇ ସଉଦା କିଣିଦିଏ, ସେହି ଦୁଇପଇସାର ସଉଦାରେ ଆଠ ଦଶ ଦିନ ଚଳିଯାଏ। ଘରର ଚାଳ ଉଡ଼ିଗଲାଣି, ଛାଉଣି ଦରକାର। ବାସୁ ଦୁଇ ଟଙ୍କାର ନଡ଼ା କିଣି ବାଡ଼ିରେ ଗଦେଇଅଛି, ଶରଣ ଦେବାରୁ ଛପରବନ୍ଦି ହୋଇପାରି ନାହିଁ। ବୁଢ଼ୀ ଏବେ ଆଉ ଦିନ ରାତି ବସି କାନ୍ଦେ ନାହିଁ। କେବଳ ସଞ୍ଜ ହେଲେ ବସି କାନ୍ଦେ। କାନ୍ଦି କାନ୍ଦି ତଳେ ପଡ଼ିଯାଏ, ସେହିଠାରେ ରାତି କାଟେ। ରେବତୀ ଧକେଇ ଧକେଇ ପାଖରେ ପଡ଼ିଯାଏ। ବୁଢ଼ୀ ଆଖିକି ଏବେ ଭଲ ଦିଶୁ ନାହିଁ; ବାୟାଣୀ ପରି ହୋଇଗଲାଣି। ଏବେ ସେ କାନ୍ଦିବାର ଊଣା କରି ରେବତୀକୁ ଗାଳି ଦେବାକୁ ଆରମ୍ଭ କରିଛି। ଏତେ ଯେ ଦୁଃଖ, ଏତେ ଯେ ଦୁର୍ଦ୍ଦଶା ସବୁର ମୂଳ କାରଣ ରେବତୀ, ଏହା ସେ ମନ ମଧ୍ୟରେ ସ୍ଥିରସିଦ୍ଧାନ୍ତ କରି ସାରିଲାଣି। ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡ଼ିଗଲା, ବଳଦ ବିକାଗଲା, ଜମିଦାରଘର ଗାଈ ବାନ୍ଧି ଘେନିଗଲା। ରେବତୀ କୁଲକ୍ଷଣୀ, ସେ କୁଢଙ୍ଗୀ, ସେ ଲକ୍ଷ୍ମୀଛାଡ଼ୀ। ବୁଢ଼ୀ ଆଖିକୁ ଯେ ଦିଶୁ ନାହିଁ ତାହାର କାରଣ ରେବତୀର ପାଠପଢ଼ା। ବୁଢ଼ୀ ଗାଳି ଦେବାବେଳେ ରେବତୀ ଆଖିରୁ ଦୁଇଧାରା ବହି ଯାଉଥାଏ, ଡରେ ବୁଢ଼ୀ ପାଖରେ ଛିଡ଼ା ହୋଇପାରେ ନାହିଁ। ବାଡ଼ିଦୁଆରେ, ନୋହିଲେ ଘରକୋଣରେ ମୁହଁ ଘୋଡାଇ କାଠଟି ପରି ବସିଥାଏ। ବାସୁ ମଧ୍ୟ ଦୋଷୀ; କାରଣ ରେବତୀ ତ ଏତେଦିନ ଯାଏ ପଢ଼ି ନଥିଲା, ସେହି ଆସି ସିନା ପଢ଼ାଇ ଦେଲା। ମାତ୍ର ବୁଢ଼ୀ ବାସୁକୁ କିଛି କହିପାରେ ନାହିଁ, ବାସୁ ନହେଲେ ଘର ଦଣ୍ଡେ ଅଚଳ, ପୁଣି ଜମିଦାରଘର ଲଟ ଛିଡ଼ି ନାହିଁ। ଜମିଦାରଘର ଲୋକ ଆସି ଏ ହିସାବଟା, କାଲି ସେ ହିସାବଟା ମାଗେ। ବାସୁ ନହେଲେ ପାଞ୍ଜି ବିଡ଼ାରୁ ପଢ଼ି ପତର କାଢ଼ି ଦେବ କିଏ? ବାସୁ ନ ଥିବାବେଳେ ସେ ସହଜ କଥାରେ କେବେ କେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ। ରେବତୀ ଆଉ ଏଣିକି ସେହି ଗୃହପ୍ରାଙ୍ଗଣସଞ୍ଚାରିଣୀ ଲୀଳାମୟୀ ପ୍ରତିମା ନୁହେଁ, ତାହା ପାଟି ଆଉ କେହି ଶୁଣି ନାହିଁ< ବାପ ମା’ ଗଲାଦିନୁ ତାକୁ ଦାଣ୍ଡଦୁଆରେ ଆଉ କେହି ଦେଖି ନାହିଁ। କେତେ ଦିନ ଯାଏ ଭୋ ଭୋ କରି ଡକା ପାରୁଥିଲା, ଏବେ ଆଉ ପାଟି କରି କାନ୍ଦେ ନାହିଁ; ମାତ୍ର ଦିବାରାତ୍ର ତାହାର ବଡ଼ ବଡ଼ ଆଖି ଦୁଇଟା ସାନ ସାନ ନୀଳକଇଁ ପରି ପାଣିରେ ଢଳଢଳ ହେଉଥାଏ। ତାହାର କ୍ଷୁଦ୍ର ପ୍ରାଣ – ତହିଁରୁ ଅତି କ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗି ଯାଇଛି। ତା’ ପକ୍ଷରେ ବର୍ତ୍ତମାନ ଦିନରାତି ସମାନ। ସୂର୍ଯ୍ୟରେ ଆଲୁଅ ନାହିଁ, ରାତିରେ ଅନ୍ଧାର ନାହିଁ, ସମସ୍ତ ଜଗତ୍ଶୂନ୍ୟ ! କେବଳ ପିତାମାତାଙ୍କ ମୂର୍ତ୍ତି ହୃଦୟ ପୂର୍ଣ୍ଣ କରିଅଛି। ମା’ ଏହିଠାରେ ବସିଛନ୍ତି, ବାପା ଚାଲି ଯାଉଛନ୍ତି, ତାହା ଆଖିରେ କେବଳ ଏହି ଦୁଇଟା ଦିଶୁଅଛି। ବାପା ମା’ ମରି ଯାଇଛନ୍ତି, ଆଉ ସେମାନେ ଆସିବେ ନାହିଁ, ଏ କଥା ସେ ବିଶ୍ବାସ କରି ପାରୁନାହିଁ। ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ।, ଦିବା ନିଶି ଅନୁକ୍ଷଣ ପିତା ମାତା ଧ୍ୟାନ। ଜେଜୀମା’ ଡରରେ ଖାଇବାକୁ ବସେ। ଭୂଇଁରୁ ପ୍ରାୟ ଉଠେ ନାହିଁ। ଦେହରେ ହାଡ଼ ଚମ ଦୁଇଖଣ୍ଡ ଧୁଡ଼ଧୁଡ଼ ହେଉଛି। କେବଳ ବାସୁଦେବ ଘରକୁ ଆସିଲେ ଉଠି ବସେ, ବଡ଼ ବଡ଼ ଆଖି ଦୁଇଟାରେ ଜଳଜଳ କରି ବାସୁକୁ ଚାହିଁ ଥାଏ, ବାସୁ ଅନାଇଲେ ସାନ ନିଶ୍ବାସଟାଏ ପକାଇ ମୁଣ୍ଡ ପୋତିଦିଏ। ବାସୁ ପାଖରେ ଥିବା ଯାଏ ତାହାକୁ ଚାହିଁ ରହିଥାଏ। ତେତେବେଳେ ତାହାର ଆଉ କିଛି ଜ୍ଞାନ ନଥାଏ – ଆଖିରେ ବାସୁଦେବ, ଚିନ୍ତା ବାସୁଦେବ, ସମସ୍ତ ହୃଦୟଟା ବାସୁଦେବମୟ।

ଶ୍ୟାମବନ୍ଧୁ ମରିବାର ଆଜିକୁ ହାତଗଣତିରେ ପାଞ୍ଚ ମାସ, ଜ୍ୟେଷ୍ଠମାସିଆ ଦିନ, ଠିକ୍ ଦିନ ଦୁଇ ପ୍ରହର ବେଳେ ବାସୁ ଦୁଆରେ ଡାକିଲା। ଏତେବେଳେ ସେ କୌଣସି ଦିନ ଆସେ ନାହିଁ। ବୁଢ଼ୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା। ବାସୁ କହିଲା – “ଜେଜୀମା’, (ବାସୁ ବୁଢ଼ୀକୁ ଜେଜୀମା’ ବୋଲି ବରାବର ଡାକେ) ଦିପୋଟି ଇନ୍ସ୍ପେକ୍ଟର ହରିହରପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ, ସବୁ ସ୍କୁଲର ପିଲାମାନେ ଯିବେ, ମୋ’ ପାଖକୁ ଚିଠି ଆସିଛି, ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି, ପାଞ୍ଚଦିନ ଲାଗିବ।” ରେବତୀ କବାଟକଣରେ ଛିଡ଼ା ହୋଇ ଶୁଣୁଥିଲା, ଲଠ୍କରି ବସି ପଡ଼ିଲା, ଭାଗ୍ୟେ କବାଟ ଧରିଥିଲା, ନୋହିଲେ ପଡ଼ି ଯାଇଥାନ୍ତା। ବାସୁ ପାଞ୍ଚଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଣି ଆଣି ଅଗଣାରେ ଥୋଇ ଦେଇ ବୁଢ଼ୀକୁ ଜୁହାରଟାଏ ହୋଇ ଶନିବାର ମୁହଁ ସଞ୍ଜବେଳେ ବାହାରିଲା। ବୁଢ଼ୀ କହିଲା, “ବାପା, ଖରାରେ ବୁଲିବୁ ନାହିଁ, ଦେହପାଆକୁ ଚାହିଁବୁ, ବେଳରେ ଦି’ଟା ତୁଣ୍ଡରେ ଦେବୁ।” ଏହା କହି ନିଶ୍ବାସଟାଏ ପକାଇଲା। ରେବତୀ ଏକଧ୍ୟାନରେ ବାସୁକୁ ଚାହିଁଥାଏ, ଆଜିକା ଚାହାଁଣି ଅନ୍ୟ ରକମ। ଆଗେ ବାସୁ ଚାହିଁଲେ ମୁଣ୍ଡ ତଳକୁ ପୋତି ଦେଉଥିଲା, ଆଜି ସେ ଭାବ ନାହିଁ ଏକଧ୍ୟାନରେ ବାସୁକୁ ଚାହିଁ ରହିଛି। ବାସୁର ଯେମନ୍ତ ଖୁବ୍ ଇଚ୍ଛା – ରେବତୀକୁ ଭଲକରି ଦେଖିବ; କିନ୍ତୁ ଅନାଇପାରେ ନାହିଁ। ଆଜି ଚାରି ଚକ୍ଷୁର ମିଳନ, ଆଖି ଫେରାଇବାକୁ କାହାରି ଆୟତ୍ତ ନାହିଁ। ବାସୁ ଚାଲି ଗଲାଣି, ଆଉ ଦିନ ନାହିଁ, ଘର ବାହାର ଅନ୍ଧାର ପୂରି ଗଲାଣି। ରେବତୀ ଯେପରି ଚାହିଁଥିଲା, ସେହିପରି ଚାହିଁଅଛି। ବୁଢ଼ୀ ଡାକିବାରୁ ତାହାର ହେଲା, ଘର ବାହାର ସମସ୍ତ ଅନ୍ଧକାରମୟ।

ରେବତୀ ବସି ଦିନ ଗଣୁଛି, ଆଜି ଛ ଦିନ। ବାପ ମା’ ଗଲା ଦିନୁ ଦାଣ୍ଡ ଦୁଆର ଦେଖି ନଥିଲା, ଆଜି ସକାଳୁ ଦାଣ୍ଡଦୁଆରେ ଦୁଇ ଥର ମୁହଁମାରି ଗଲାଣି। ବେଳ ଅନ୍ଦାଜ ଛ ଘଡ଼ି, ହରିହରପୁରରୁ ସ୍କୁଲ ପିଲାମାନେ ଫେରି ଆସିବାମାତ୍ରେ ଲୋକେ ବୋଲା ବୋଲି ହେଲେ – ହରିହରପୁରରୁ ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡ଼ି ଧଇଲା, ଚାରିଥର ପୋଖରୀପାଣି ହେଲା, ଅଧରାତି ବେଳେ ଚାଲିଗଲେ। ଗ୍ରାମଲୋକମାନେ ହାୟ ହାୟ କଲେ, ପୁଅ ଝିଅ ମା’ ମାଇକିନିଆମାନେ ପାଟିକରି କାନ୍ଦି ପକାଇଲେ। କେହି କହିଲା – ଆହା କି ରୂପରେ ! କେହି କହିଲା – କି ଧୀରରେ ! କେହି କହିଲା – ଦାଣ୍ଡରେ ଚାଲି ଯାଉଥିବ ଯେ ମାଛିଟିକି ମର କହିବ ନାହିଁ।

ରେବତୀ ଶୁଣିଲା, ବୁଢ଼ୀ ଶୁଣିଲା। ବୁଢ଼ୀ କାନ୍ଦି କାନ୍ଦି ତାହା କଣ୍ଠ ରୁଦ୍ଧ ହୋଇଗଲା, ଆଉ କାନ୍ଦି ପାରିଲା ନାହିଁ, ଶେଷରେ ଉଠି କହିଲା – “ଆହା ବାପା, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରେଇଲୁରେ !” ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢ଼େଇବାରୁ ମରିଗଲା, ନୋହିଲେ କେଭେ ମରି ନଥା’ନ୍ତା। ଶୁଣିଲା ବେଳୁ ରେବତୀ ଘରେ ଯାଇ ପଡ଼ିଛି, ସୋର ଶବ୍ଦ ନାହିଁ। ସେ ଦିନଟା ଗଲା, ତହିଁ ଆରଦିନ ସକାଳେ ବୁଢ଼ୀ ରେବତୀକୁ ପାଖରେ ନଦେଖି ପାଟି କରି ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।” ବୁଢ଼ୀ ବାୟାଣୀ ପରି ହୋଇ ଗଲାଣି, କାନ୍ଦ ବୋବାଳି ନାହିଁ; କେବଳ ରାଗରେ ଦିନ ରାତି ରେବତୀକୁ ଗାଳି। ପଡ଼ିଶା ଲୋକେ, ଦାଣ୍ଡ ଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଛନ୍ତି, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!” ବୁଢ଼ୀ ଆଖିକୁ ଦିଶୁ ନାହିଁ, ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା, ଡାକିଲା, ଜବାବ ନ ପାଇ ତା’ ଦେହରେ ହାତ ବୁଲାଇ ଦେଖିଲା, ଭାରି ଜର, ଦେହରୁ ନିଆଁ ବାହାରୁଛି, ଜ୍ଞାନ ନାହିଁ। ବୁଢ଼ୀ ଢେର ବେଳ ଯାଇ ବସି କ’ଣ ପାଞ୍ଚିଲା। କ’ଣ କରିବ, କାହାକୁ ଡାକିବ। ମନ ମଧ୍ୟରେ ଜଗତ ସଂସାର ଘୋଜିଲା, ପାଖରେ କାହାକୁ ଦେଖିଲା ନାହିଁ। କିଛି ସ୍ଥିର କରି ନପାରି ଖପା ହୋଇ କହିଲା, “ଯାହା ଆପଣାକିଆ ତହିଁକି ଇଲାଜ କିଆଁ?” ଅର୍ଥାତ୍ ତୁ ପାଠ ପଢ଼ିବାରୁ ଜର ହେଲା, ମୁଁ କ’ଣ କରିବି?

ଦିନେ ଗଲା, ଦୁଇ ଦିନ ଗଲା, ତିନି ଦିନ ଗଲା, ଚାରି ଦିନ ଗଲା, ପାଞ୍ଚ ଦିନ ମଧ୍ୟ ଗଲା, ରେବତୀ ମାଟିରେ ଲାଗି ଯଇଅଛି, ଆଖି ଫିଟାଉ ନାହିଁ, ଡାକିଲେ ଉତ୍ତର ନାହିଁ, ଉଁ ଚୁଁ ହେବାକୁ ମଧ୍ୟ ନାହିଁ। ଆଜି ଛ ଦିନ, ରେବତୀ ସକାଳୁ ଦୁଇ ଚାରି ଥର ପାଟି କଲାଣି, ବୁଢ଼ୀ ପାଟି ଶୁଣି ପାଖକୁ ଗଲା, ଦେହରେ ହାତ ବୁଲାଇ ଦେଖିଲା, ଗୋଡ଼ ହାତ ଶୀତଳ, ଡାକିଲେ ହୁଁ ହୁଁ ଜବାବ ଦେଲା। କଟମଟ କରି ମୁହଁକୁ ଚାହୁଁଅଛି, କିଛି ନ ପଚାରିଲେ ମଧ୍ୟ କେତେ କଥା କହି ପକାଉଛି। କୌଣସି କବିରାଜ ଦେଖିଲେ “ତୃଷ୍ଣା ଦାହଃ ପ୍ରଳାପଶ୍ଚ-” ଇତ୍ୟାଦି ଶ୍ଳୋକ ପଡ଼ି କହନ୍ତେ, “ସନ୍ନିପାତସ୍ୟ ଲକ୍ଷଣଂ।” ମାତ୍ର ବୁଢ଼ୀ କିଛି ଖୁସି ହେଲା। ଦେହରେ ତାତି ନାହିଁ; କଥା କହୁ ନଥିଲା, ପାଟି ଫିଟାଇଲାଣୀ, ଚାହୁଁ ନଥିଲା, ଆଖି ଫିଟାଇଲାଣି; ପାଣି ପିଇବାକୁ ମାଗିଲାଣି, ଛ ଦିନ ହେଲା ଜିଭରେ ପାଣି ଟୋପାଏ ବାଜି ନାହିଁ, ଚାରିଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ। “ତୁ ଶୋଇଥା’, ମୁଁ ଚାରିଟା ପଥି ରାନ୍ଧି ଆଣେଁ,” ଏହା କହି ବୁଢ଼ୀ ବାହାରକୁ ବାହାରି ଆସିଲା। ପଥି ରାନ୍ଧିବ କ’ଣ? ଘରେ ପାଛିଆ କୁଣ୍ଢେଇ ହାଣ୍ଡି ଆଟିକା ସବୁ ଖୋଜିଲା; ମୁଠାଏ ଚାଉଳ ନାହିଁ। ନିଶ୍ବାସଟାଏ ପକାଇ ଘଡ଼ିଏ ବସିଲା। ବାସୁ ପାଞ୍ଚ ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା, ସେଥିରେ ଦଶଦିନ କିଆଁ ଚଳିଗଲା, ବୁଢ଼ୀର ଦୃଷ୍ଟିଶକ୍ତି ଥିଲେ ବୁଝି ପାରିଥା’ନ୍ତା। ବସି ବିଚାର କଲେ ବୁଦ୍ଧି ଦିଶେ। ଘରେ କଂସାବାସନ କିଛି ନାହିଁ; ହାତରେ ଗୋଟାଏ କଣା ଢାଳ ପଡ଼ିଲା, ସେହିଟା ଧରି ହରି ସା ଦୋକାନକୁ ବାହାରିଲା। ହରି ସା ଘର ଗ୍ରାମ ମଝିରେ, ତାହାର ରୀତିମତ ଦୋକାନ ନାହିଁ, ଚାଉଳ, ଡାଲି, ଲୁଣ, ତେଲ ରଖିଥାଏ; କୌଣସି ଦିନ ବିଦେଶୀ ଲୋକ ପହଞ୍ଚି ଗଲେ କିଣନ୍ତି, କେବେ ହେଲେ ଗ୍ରାମ ଲୋକଙ୍କର କିଛି ଦରକାର ହେଲେ କିଣନ୍ତି। ବୁଢ଼ୀ ଢାଳଟି ଧରି ହରି ସା ଦୁଆରେ ପହଞ୍ଚିଲା। ହରି ସା ବୁଢ଼ୀ ହାତରେ ଢାଳଟି ଦେଖି ଅର୍ଥଟା ବେଶ ବୁଝିଗଲା। ବୁଢ଼ୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟ ହାତରେ ଧରି ଚାରି ପାଖ ଦେହି କହିଲା; “ନାହିଁ ନାହିଁ ମୋ’ ଘରେ ଚାଉଳ ନାହିଁ; ଆଉ ଏହି କଣା ଢାଳଟା ରଖି କିଏ ଚାଉଳ ଦେବ?” ହରି ଘରେ ଯେ ଚାଉଳ ନ ଥିଲା ତା’ ନୁହେଁ, ଦେବାକୁ ମଧ୍ୟ ଇଚ୍ଛା; ତେବେ ଶସ୍ତାରେ ନେବାର କଥା। ଚାଉଳ ନ ଥିବାର ଶୁଣି ବୁଢ଼ୀ ମୁଣ୍ଡରେ ତ ବଜ୍ର ପଡ଼ିଲା। କ’ଣ କରିବି, ଝିଅଟା ଜରରୁ ଉଠିଛି, ତା’ ମୁହଁରେ କ’ଣ ଦେବି? ଘଡ଼ିଏ ବସିଗଲା; ବେଳ ବୁଡ଼ି ଆସିଲାଣି; ହରିକୁ ଦୁଇ ଥର ଅନାଇଲା। ଯାଏଁ ଝିଅଟା କ’ଣ କରୁଛି ଦେଖେଁ। ଢାଳଟି ଧରି ଉଠୁଛି, ହରି କହିଲା, “ଦିଅ ଦିଅ, ଢାଳଟା ଦିଅ, ଦେଖେଁ ଘରେ କ’ଣ ଅଛି।” ହରି ଢାଳଟା ରଖି ଚାରିମାଣ ଚାଉଳ, ଅଧମାଣେ ଜାଇ, କିଛି ଲୁଣ ଦେଲା। ବୁଢ଼ୀ ଚାରି ଛ ଜାଗା ବସି ଉଠି ଘରେ ଆସି ପହଞ୍ଚିଲା। ଏ ପର୍ଯ୍ୟନ୍ତ ବୁଢ଼ୀ ଦାନ୍ତରେ ଦାନ୍ତକାଠି ବାଜି ନାହିଁ, ଦେହ ମନ କଥା କ’ଣ କହିବୁଁ? ଘରେ ପହଞ୍ଚି ରେବତୀକୁ ଡାକିଲା। ତାହାର ବିଶ୍ବାସ, ରେବତୀ ଭଲ ହୋଇଗଲାଣି, ପାଣୀ କାଢ଼ି ଦେବ, ସେ ଭାତ ରାନ୍ଧିବ। ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇ ଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!” ଜବାବ ନାହିଁ।

ଏଣେ ରେବତୀର ସନ୍ନିପାତ ରୋଗ କ୍ରମଶଃ ବଢ଼ୁଛି; ଭୟାନକ ଯନ୍ତ୍ରଣା, ଦେହ କ୍ରମଶଃ ଶୀତଳ ହେଉଛି, ଜିଭ ଶୁଖିଲାଣି, ଭୟଙ୍କର ପିପାସା, ଜିଭଟା ଯେମନ୍ତ ଭିତରକୁ ଚାଲି ଯାଉଛି। ଥଣ୍ଡା ଜାଗାକୁ ଯିବାର ଇଚ୍ଛା, ଘରଯାକ ଗଡ଼ି ଗଡ଼ି ବାହାରକୁ ଆସିଲା, ସୁଖ ଲାଗିଲା ନାହିଁ। ବାଡ଼ି ଦୁଆରକୁ ଯାଇ ପିଣ୍ଡାରେ ବସିଲା। ଦିନ ଶେଷ ହୋଇ ଆସିଲାଣି, ଖୁବ୍ ପବନ ବହୁଛି, ବାଡ଼କୁ ଆଉଜି ବସିଲା। ବାଡ଼ିଯାକ ଅନାଇଲା, ଏହି ବାପା ଗଲା ବରଷ କଦଳୀ ଲଗାଇଥିଲେ, ଭଣ୍ଡା ବାହାରିଲାଣି, ଦୁଇ ବରଷ ତଳେ ମା’ ଗୋଟିଏ ପିଦୁଡ଼ି ଗଛ ବାଡ଼ିରେ ରୋଇଥିଲେ, ରେବତୀ ଧାଇଁ ଧାଇଁ କୂଅରୁ ଢାଳେ ପାଣି ସେ ଗଛରେ ଦେଇଥିଲା, ସେ ଗଛ କେଡ଼େଟାଏ ହେଲାଣି, ଫୁଲ ଧରିଲାଣି। ସେ ଗଛ ଦେଖି ମା’ ମନରେ ପଡ଼ିଲେ। ବୁଦ୍ଧି ସ୍ଥିର ନାହିଁ, ମନ ଚଞ୍ଚଳ, ଲଗାଲଗି କିଛି କଥା ମନରେ ପଡ଼ୁ ନାହିଁ; ମାତ୍ର ମାତାର ଆନନ୍ଦମୟୀ ମୂର୍ତ୍ତି ଆଉ ମନକୁ ଛାଡ଼ୁ ନାହିଁ। ସଞ୍ଜ ଗଡ଼ି ଗଲାଣି, ଗଛ ମୂଳରୁ ଡାଳ ଉଢ଼ାଳରୁ ଅନ୍ଧାରଗୁଡ଼ାକ ବାହାରି ବାଡ଼ି ପୂରି ଗଲାଣି, ଆଉ କିଛି ଦିଶୁ ନାହିଁ। ଆକାଶକୁ ଚାହିଁଲା, ପହରିକିଆ ତାରାଟିରୁ ଧକ ଧକ ହୋଇ କିରଣ ବାହାରୁଛି। ଏକ ଧ୍ୟାନରେ ରେବତୀ ସେହି ତାରାକୁ ଚାହିଁଅଛି, ଆଖିରେ ଆଉ ପଲକ ପଡ଼ୁ ନାହିଁ। ତାରାର ଆକାର କ୍ରମଶଃ ବଢ଼ି ଯାଉଛି, ଚକ୍ର ପରି ଆକାର ହୋଇଗଲାଣି, ଆହୁରି ବୃଦ୍ଧି, କ୍ରମଶଃ ଉଜ୍ଜଳ। ଆହା! ଏ କି ମୂର୍ତ୍ତି ତାରା ମଧ୍ୟରେ? ଶାନ୍ତିଦାୟିନୀ ପ୍ରେମମୟୀ ଆନନ୍ଦମୟୀ ମାତାଙ୍କର ଅଭୟା ମୂର୍ତ୍ତି ବସି ସ୍ନେହରେ କୋଳକୁ ନେବା ସକାଶେ ଡାକୁଛନ୍ତି। ମା’ ଦୁଇ ଗୋଟି କିରଣ ହସ୍ତ ବଢ଼ାଇ ଦେଲେ। ସେହି କିରଣ ଦିଓଟି ଆସି ଦୁଇ ଚକ୍ଷୁ ସ୍ପର୍ଶ କରି ହୃଦୟରେ ପ୍ରବେଶ କଲା। ସେହି ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ, କେବଳ ନିଶ୍ବାସ ଶବ୍ଦ। ସେ ଶବ୍ଦ କ୍ରମଶଃ ପ୍ରବଳ, ଖୁବ ଦୀର୍ଘନିଶ୍ବାସ, ଶେଷରେ ମା’ ମା’ ଦୁଇଥର ଅସ୍ପଷ୍ଟ ଶବ୍ଦ ଶୁଭିଲା। ବାଡ଼ି ନିସ୍ତବ୍ଧ, ନୀରବ।

ଏଣେ ବୁଢ଼ୀ ଘୁଷୁରି ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା, କେହି ନାହିଁ। ଘର ଯାକ, ବାହାର ଅଗଣା, ଢେଙ୍କିତଳ ଢେଙ୍କି ଲାଞ୍ଜ କାହିଁ ନାହିଁ। ମନେ କଲା, ଜର ଭଲ ହୋଇ ଗଲାଣି, ବାଡ଼ିରେ ବୁଲୁଥିବ। ସେହି ଡାକ –“ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!” ବାଡ଼ି ଦୁଆରକୁ ଗଲା, ଅଣ୍ଡାଳି ଅଣ୍ଡାଳି ପିଣ୍ଡାକୁ ଉଠିଲା। ପିଣ୍ଡାଟା ଭୂମିଠାରୁ ଦୁଇହାତ ଉଚ୍ଚ, ହାତେ ଚଉଡ଼ା।

“ମଲା, ତୁ ଏଇଠି ବସିଛୁ?” ଦେହରେ ହାତ ଦେଇ ବୁଢ଼ୀ ପ୍ରଥମେ ଚମକି ପଡ଼ିଲା, ଆଉ ଥରେ ଭଲକରି ଗୋଡ଼ଠାରୁ ମୁଣ୍ଡ ଯାଏ ହାତ ବୁଲାଇଲା, ନାକରେ ହାତ ଦେଇ ଗୋଟାଏ ଉତ୍କଟ ଶବ୍ଦ କଲା, ସଙ୍ଗେ ସଙ୍ଗେ ପିଣ୍ଡା ତଳେ ଦୁଲଦାଲ ଶବ୍ଦ!

ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତରେ ଆଉ କେହି ଦେଖି ନାହାନ୍ତି। ପଡ଼ୋଶିମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣି ଥିଲେ – “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!”