ଚିତ୍ରକାବ୍ୟ ବନ୍ଧୋଦୟ/ଚନ୍ଦ୍ରବତ କୀରତୀ ରାମଚନ୍ଦ୍ର

ଉଇକିପାଠାଗାର‌ରୁ
Jump to navigation Jump to search

ପ୍ରଥମ ଛାନ୍ଦ
ଆହାରୀ, ରୋଢ଼ା ବାଣୀ

ଚନ୍ଦ୍ରବତ କୀରତୀ ରାମଚନ୍ଦ୍ର । ଇନ୍ଦ୍ର ବିପଦହାରୀ ରାଜଇନ୍ଦ୍ର ।୧।
ଶୀତାଂଶୁ ଶିତାମ୍ବୁଜମୁଖୀ ସୀତା । ନିତାନ୍ତ ଯାହାର ପ୍ରିୟବନିତା ।୨।
ରଥିମାନଙ୍କ ଶ୍ରେଷ୍ଠ ଦାଶରଥି । ପଥିକ ବନେ ଦୈତ୍ୟପରିପତ୍ନୀ ।୩।
ଦରନାଶନ ହାସଜିତଦର । ଧରଣୀକରତା କୋଦଣ୍ଡଧର ।୪।
ହରିଜିତଠାଣି ସାକ୍ଷାତ ହରି । କରିବି ଗତିକି ସମାନ କରି ।୫।
କଞ୍ଜନୟନ ଚରଣ ପଙ୍କଜ । ଭଞ୍ଜ ଉପଇନ୍ଦ୍ରର ଦୁଃଖ ଭଞ୍ଜ ।୬।
ଏ ସ୍ତୁତି ବୁଧେ ବୁଧଙ୍କୁ ପଚାର । ଗୁପ୍ତ ଆଦ୍ୟ ପ୍ରାନ୍ତେ ବେନି ଅକ୍ଷର ।୭।
ପଦଗୁପ୍ତ ଲକ୍ଷଣେ ଏ ଲକ୍ଷିତ । ପର୍ବ କବିଙ୍କରେ ଯେଣୁ ବିଦିତ ।୮।
ଏଣୁ ଏ କବି ବିଚାରଇ ଚିତ୍ତେ । କଲି ମୁଁ ଅନେକ ପ୍ରକାଶ ଗୀତେ ।୮।
ଅଶେଷ ଚଉତିଶା ଚଉପଦୀ । ତାହା କେତେ ଯେ କହିବି ସମ୍ପାଦି ।୯।
ଗାହା ଦୋହା ଷୋଡ଼ଶେନ୍ଦ୍ର ଛପୋଇ । ଇତ୍ୟାଦି କବିତ୍ୱ ଗଣନା ନାହିଁ ।୧୦।
ରସ କୃଷ୍ଣ ବିଷୟେ ଯେତେ ଗ୍ରନ୍ଥ । ଚିତ୍ତୋଇ ତହୁଁ କିଛି ଲେଖେ ଇଥ ।୧୧।
ପୁରାଣ ଛାଇ କଳ୍ପନା ମାଧୁରୀ । ଚାରୁ ଚିତ୍ରଲେଖା ହେମମଞ୍ଜରୀ ।୧୨।
ରସଲେଖା କାମକଳା ଚରିତ । ମନୋରମା ପ୍ରେମଲତା ସୁଗୀତ ।୧୪।
ଭାବବତୀ ମୁକ୍ତାବତୀ ପ୍ରମାଣ । ବରଜଲୀଳା ଯେ ଛାନ୍ଦଭୂଷଣ ।୧୫।
ଷଡ଼ଋତୁ କଳା କଉତୁକର । କନିୟମ ସାଦ୍ୟ ଶୁଭଦା ସାର ।୧୬।
ବୈଦେହୀଶ ବିଳାସ ସେହି ବାଦ୍ୟ । ପ୍ରସିଦ୍ଧ ଅବନା ଦ୍ୱାଦଶ ଛାନ୍ଦ ।୧୭।
ରାମଲୀଳାମୃତ ଶେଷଚରିତ । ପ୍ରେମସୁଧାନିଧି ଯମକେ ସ୍ଥିତ ।୧୮।
ରସିକହାରାବଳୀ ନାମେ ଗୀତ । କୁଞ୍ଜବିହାରାଦି ଶ୍ୟାମଚରିତ ।୧୯।
ଅଳଙ୍କାର ରୀତି ରସପଞ୍ଚକ । ଲାବଣ୍ୟବତୀ ରସିକ ତୋଷକ ।୨୦।
ପୁରୁଷୋତ୍ତମ ମାହାତ୍ମ୍ୟ ରଚନ । ନାନା କୋଶଶବ୍ଦେ ଗୀତାବିଧାନ ।୨୧।
ଛାନ୍ଦ କୋଟି ତାରା ଚନ୍ଦ୍ରମା ପରି । ଯା ନାମ କୋତି ବ୍ରହ୍ମାଣ୍ଡ ସୁନ୍ଦରୀ ।୨୨।
ତ୍ରୈଲୋକ୍ୟ ମୋହିନୀ ଆଦି ଯେ ଗୀତ । ନିର୍ମିତ ଛାନ୍ଦପୋଥି ପାଞ୍ଚ ସାତ ।୨୩।
ସେ ଅର୍ଥ ପାର୍ଥିବ ମାର୍ଗେଣ ପୁଣ । ହୋଇଛି ଯେଣୁକରି ବିତରଣ ।୨୪।
ବାଲ୍ମୀକି ମହାନାଟକ ପ୍ରକାରେ । ଦତ୍ତ ହେଲା ପ୍ରାୟ ହନୁମନ୍ତରେ ।୨୫।
ସେ ଏଣୁ ଲେଖା ନୋହିଲା ଲେଖାରେ । ନଗ୍ରହିଁ ନାଦ ଧନ ଭୂଲେଖାରେ ।୨୬।
ଏତେ ପ୍ରକାରେ କରି ଛାନ୍ଦଗୀତ । ଚିତ୍ର କବିତ୍ୱେ ବଳାଇଲି ଚିତ୍ତ ।୨୭।
ଚିତ୍ର ବୋଲି କହି ଏତେ କଥାକୁ । ଏକେ କେ ମୋହି ପାରନ୍ତି ମନକୁ ।୨୮।
ଛାନ୍ଦ ବନ୍ଧ ହୋଇ ବେନି ପ୍ରକାର । ସେ କେତେ ଛନ୍ଦ କେତେ ବନ୍ଧସାର ।୨୯।
ଶାର୍ଦ୍ଦୂଳ କ୍ରୀଡ଼ିତ ମଣ୍ଡୁକ ପ୍ଳୁତି । ଲୋମ ବିଲୋମ ତୁରଙ୍ଗମ ଗତି ।୩୦।
ବହିର୍ଲିପିକା ଜାଣି ଜାତି ପାଞ୍ଚ । ଷଟ ପ୍ରକାରେ ଅନ୍ତର୍ଲିପି ସଞ୍ଚ ।୩୧।
ପ୍ରଶ୍ନ ଉତ୍ତର ଅଜା ମେଷ ଯୁଦ୍ଧ । ଯମକ ରୀତି ପଦଛେଦ ସିଦ୍ଧ ।୩୨।
ସିଂହାବଲୋକନ ଶୃଙ୍ଖଳା ଦୁଇ । ଗୋମୂତ୍ର ପଦ୍ମ ମତ୍ସ୍ୟ ଛନ୍ଦ ହୋଇ ।୩୩।
ଜଳାନ୍ଧ୍ର ଶକଟ ପଦ୍ମ ଚକ୍ରହିଁ । ବ୍ୟୁହକ ଛନ୍ଦ ଗଣନାରେ କେହି ।୩୪।
ବର୍ଣ୍ଣ ବହୁତ କୋଷ୍ଟିରେ ସଂକ୍ଷେପ । ପ୍ରସାଦ କଠିନ ଅର୍ଥ ସ୍ୱରୂପ ।୩୫।
ସେ ରାମ ଶ୍ୟାମ ଚରଣ ପଙ୍କଜ । ସ୍ମରି ଶରଣ ଉପଇନ୍ଦ୍ର ଭଞ୍ଜ ।୬୩।