ଚାଟ ଇଚ୍ଛାବତୀ

ଉଇକିପାଠାଗାର ରୁ
Jump to navigation Jump to search
ଚାଟ ଇଚ୍ଛାବତୀ (୧୯୬୧) 
ଲେଖକ/କବି: [[ଲେଖକ:ବନମାଳୀ ଦାସ|ବନମାଳୀ ଦାସ]]
Chata Ichhabati.pdf
Chata Ichhabati.pdf

ଚାଟ ଇଚ୍ଛାବତୀ[ସମ୍ପାଦନା]

ପ୍ରଥମ ଛାନ୍ଦ[ସମ୍ପାଦନା]

ରାଗ ମଙ୍ଗଳଗୁଜ୍ଜରୀ[ସମ୍ପାଦନା]

ବନ୍ଦଇ ଯେ ଗଣପତି ଗଉରା ନନ୍ଦନ ।
କପୋଳେ ଶୋଭଇ ତୋର ଶ୍ରୀଖଣ୍ଡ ଚନ୍ଦନ ।୧।
ଦକ୍ଷିଣ ଦ୍ୱାରେଣ ତୁ ସର୍ବଦାଂ ଅଧିପତି ।
ସୁମରନ୍ତେ ବିଘ୍ନ ତୁ ନିବାରୁ ଗଣପତି ।୨।
ସଦାଶିବ ତାତ ତୁମ୍ଭେ ପାର୍ବତୀ ନନ୍ଦନ ।
ମୋତେ ତୁ ପ୍ରସନ୍ନ ହୁଅ ବିଘ୍ନେଶ୍ୱର ପୁଣ ।୩।
ଚାଟ ଇଚ୍ଛାବତୀ କଥା କ ହିବାକୁ ଇଚ୍ଛାଂ ।
ପ୍ରସନ୍ନେ ସାରଳା ତୁ ପୁରାଅ ମନ ବାଞ୍ଛା ।୪।
ଭୋଜରାଜା ନନ୍ଦିନୀ ସୁନ୍ଦରୀ ଇଚ୍ଛାବତୀ ।
ଚାଟ ସଙ୍ଗେ କେସନେକ ହୋଇଲା ପୀରତି ।୫।
ଦ୍ରାପକ ଦେଶର ସେ ମଦନବ୍ରହ୍ମ ରାୟେ ।
ଚାରୁବ୍ରହ୍ମ ବୋଲି କରି ତାହାର ତନୟେ ।୬।

( ୨ )
 
ପ୍ରତ୍ୟକ୍ଷେ ମଦନ କ ହୋଇଛି ଅବତାର ।
ବିଦ୍ୟାବନ୍ତ ରସିକ ସୁଜାଣ ଭାଗ୍ୟ ଧୀର । ୭ ।
ଦାନେ ଖଣ୍ତେ ନିର୍ବାଣ ଯେ ସାମର୍ଥ ଅଟଇ ।
ନୃପତିପଣକୁ ନିଜ ରାଜ୍ୟକୁ ଖଟଇ । ୮ ।
ନନ୍ଦନର ବିଚକ୍ଷଣ ଦେଖି ନୃପବର
ପାତ୍ର ମନ୍ତ୍ରୀ ଘେନି ରାଜା କଲାକ ବିଚାର । ୯ ।
କୁମାରକୁ କନ୍ୟା ଖୋଜି କର ବିଭାଘର ।
କୁଳୀନ ସୁନ୍ଦର ତା ସମାନେ ପଟ୍ଟାନ୍ତର । ୧୦ ।
ସୁଜାଣ ମନ୍ତ୍ରୀ ବେଗେଣ ଦୂତ ବରଗିଲ। ।
ଉତ୍ତର ଦକ୍ଷିଣ ଯେ ପଶ୍ଚିମ ଦିଗ ଗଲା । ୧୧ ।
ପୂର୍ବଦିଗକୁ ଜବେଣ, ଦୂତ ଚଳିଗଲେ ।
ଯେ ଯାହାର ଦେଶେ ଦେଶେ ଯାଇଣ ଖୋଜିଲେ । ୧୨ |
ବଂଶିକ ଧାର୍ମିକ ଯେ କନ୍ୟାନ୍ତମାନ୧୦ ଲୋଡ଼ି ।
ଚିତ୍ରପଟ ଲେଖାଇଣ ଆସନ୍ତି ବାହୁଡ଼ି । ୧୩ ।
ଯେ ଯାହାର ଦେଶୁ ଆସି ମିଳଲେକ ଚାର ।
କନ୍ୟାଙ୍କ ବାରତା କହ ମନ୍ତ୍ରୀଙ୍କ ଆଗର । ୧୪ ।

୫ । ପ୍ରତେଖେ (ପୋଥିପାଠ)
୬ । ‘ନୃପତିପଣରେ ଅଧିକ ସଙ୍ଗତ ।
୭ । ନୃର୍ପବର (ପୋଥିପାଠ) ।୮। ତା ସମନ୍ୟୋ (ପୋଥିପାଠ)

୯ । ବଂଶିକ = ସଦ୍‌ବଂଶଜ । ୧୦ । କନ୍ୟାନ୍ତ = କନ୍ୟାମାନଙ୍କୁ, ଏପରି ପ୍ରୟୋଗ (ଦ୍ୱିତୀୟା ବହୁବଚନ ଅର୍ଥରେ) ପ୍ରାଚୀନ କାବ୍ୟରେହିଁ ଦେଖିବାକୁ ମିଳେ ।

( ୩ )
ଶୁଣି ମନ୍ତ୍ରୀବର ରାଜା ଛାମୁରେ ଜଣାଇ ।
ଦୁତ ବରଗିଣ କନ୍ୟା ଖୋଜିଲି ଗୋସାଇ° । ୧୫ ।
ନୃପତି ବୋଇଲେ ଗୁରୁବ୍ରହ୍ମକୁ ଅଣାଅ ।
ତାର ମନକୁ ଖଟିଲେ ବିଭା ଯେ କରାଅ । ୧୨ |
ଶୁଣିକରି କୁମର ପାଶକୁ ଚଲିଗଲେ ।
ଯହୁ° ଯେତେ କନ୍ୟା ନେଇ ଚିତ୍ରପଟ ଦେଲେ ୧୧ । ୧୭।
କୁମର ବୋଇଲା ଯେ ବିଦ୍ୟାରେ ଗୁଣବନ୍ତ ।
ସୁଜାଣ ସୁନ୍ଦରୀ ଯେହୁ ପଣ୍ଡିତ ମହତ୍ୱ ଯେ । ୧୮ ।
ମୋର ମନ, ହରିବ ଯେ ବିଦ୍ୟାରେ ଗରିଷ୍ଠ ।
ସୁନ୍ଦର ସୁମୂର୍ତ୍ତି୧୨ କାମିନୀଙ୍କ ପରେ ଶ୍ରେଷ୍ଠ ଯେ । ୧୯ ।
ଏମନ୍ତ କନ୍ୟା ହୋଇଲେ ହୋଇବି ବରଣ ।
ସରୂସ୧୩ କହିଲି ତୁ ସଚିବ, ଏହା ଶୁଣ ହେ । ୨୦ ।
ଚିତ୍ରପଟ୍ଟମାନ ତା ନୟନେ ନ ରହିଲା ୧୪
ୟେଣେ ମୋର ପ୍ରୟୋଜନ୧୫ ନାହି° ଯେ ବୋଇଲା୧୬ ।୨୧।
ୟେସନ ବଚନ ଯେ ପାତ୍ରହି° ଶୁଣିଗଲା ।
ରାଜାଙ୍କ ଆଗରେ ଯାଇ୧୭ ସମସ୍ତ କହିଲା । ୨୨ ।
ଶୁଣିଣ ମଦନବ୍ରହ୍ମ ମନରେ ବିସ୍ମୟେ ୧୮
କୁଳକୁ କଳ°କ ପୁତ୍ର ହୋଇଲା ନିଶ୍ଚୟେ ୧୯ । ୨° ।


୧୧ । ଦେଲେହେଂ(ପୋଥିପାଠ)

୧୨। ଶୁମୃତୀ ( ପୋଥିପାଠ) । ୧୩ । ସ୍ୱରୂପ’ ଶୁଦ୍ଧପାଠ ।

୧୪ । ନରହୀଂ ଲାଂ ( ପୋଥିପାଠ) । ୧୫ । ପ୍ରିୟୋଜନ (ପୋଥିପାଠ)

୧୬ । ବୋଈଂଲା (ପୋଥିପାଠ) । ୧୭ । ଯାଈଂ (ପୋଥିପାଠ) ।

୧୮ । ବିଶ୍ରୟେ (ପୋଥିପାଠ ) । ୧୯ । ନିଶ୍ରୟେ ( ପୋଥିପାଠ ) ।

ୟେମନ୍ତ ବୋଲଣ କନ୍ୟା ସବୁଠାରେ ଖୋଜି ।
ନ ଦେଖିଣ କୁମର ମନକୁ ନ ଭଜି ହେ | ୨୪ ।
ଦଇବେଣ ଚାରୁବ୍ରହ୍ମ ବିଚିତ୍ର ଅଟଇ ।
ସୁନ୍ଦର ପଣେଣ୨୦ କାମଦେବକୁ ଖଟଇ ହେ । ୨୫ ।
ୟେମନ୍ତ କୁମର ମନ ହରିବ ଯେ ନାରୀ ।
ବିଧାତା ଗଢ଼ିଛି ତାହା୨୧ ଅତି ଯତ୍ନ କରି ହେ । ୨୬ ।
କନ୍ୟାମାନ ଯେତେଠାରୁ ଖୋଜିଣ ଆଣନ୍ତି ।
ଚାରୁବ୍ରହ୍ମ ଚିତ୍ତକୁ ସେ କେହି ନ ଯୋଗାନ୍ତି ହେ । ୨୭ ।
ରାଜନ ମନରେ ତହୁଁ କୋପ ପ୍ରଜଳିତ୨୨
ରାଜ୍ୟରୁ ବାହାର ହୋଇ ଯାଉ° ମୋର ସୁତ ହେ । ୨୮ ।
ମୋ ତହୁ° ଗରିଷ୍ଠ ଯେହୁ° ମାହାରାଜାମାନେ ।
କୁଳୀନ ସମ୍ପତ୍ତି ଶୋଭା ଅତି ବିଦ୍ୟମାନେ ହେ । ୨୯ ।
ଏମନ୍ତ ନୃପତି ଝିଅ ନରୁଚିଲା ଯହି° ।
ତାହାର ଇଚ୍ଛା ୟେ ବିଭା ହଉ° ଯହି° ତ‌ହି° ହେ । ୩୦ ।
ୟେମନ୍ତ ବଚନ ଯହୁଂ କୁମର ଶୁଣିଲା ।
ମନରେ ଅନେକ ଚିନ୍ତା ନଥିବି୨୩ ବୋଇଲା ହେ । ୩୧ ।
ମୋ ମନ ନ ଜାଣି ପିତା ବୋଇଂଲେ ୟେମନ୍ତ ।
ଆନ ରାଜ୍ୟ ଯିବି ବୋଲି ବିଚାରଇ ଚିତ୍ତ୨୪ ହେ । ୩୨ ।



୨୦ । ପଣେଂଣଂ (ପୋଥିପାଠ) ୨୧। ଏଠାରେ 'ତାହା' ବଦଳରେ 'ତାକୁ' ହେବା ଅଧିକ ସଙ୍ଗତ । ୨୨ । ପ୍ରଜ୍ୱଳିତ ଶୁଦ୍ଧପାଠ ।

୨୩ । ଏ ପଦଟିର ଅର୍ଥ ଆଦୌ ସୁସ୍ପଷ୍ଟ ନୁହେଁ । ୬୪ । ଚିତେଂହେ (ପୋଥିପାଠ)

ୟେମନ୍ତେ ଦିବସ ଯାଇ ନିଶି ପରବେଶ ।
ଚାରୁବ୍ରହ୍ମ ପାଇଅଛି ମନେ ବଡ଼ ପ୍ରାସ୨୪ ହେ |୩୩।
ରାଜ୍ୟ ସମ୍ପଦକୁ ତୁଚ୍ଛ ହାଥେ ଘେନି ଦଣ୍ଡ ।
ନବରୁ° ବାହାର ହୋୟେ ମନେ ପରଚଣ୍ଡ ହେ । ୩୪ ।
କିଛି ଧନ-ଦ୍ରବ୍ୟ- ରତ୍ନ ବସନେ ପୂରାଇ ।
ସୋମଲଡ଼ୁ ଭୋଖ ଲଡ଼ୁ ଘେନି ରାତ୍ରେଣ ଗମଇ ହେ । ୩୫ ।
ସେହୁ କଟକର ରାଜା ଭୋଜ ଚକ୍ରବର୍ତ୍ତୀ୨୬
ସୁବୁଦ୍ଧି ୨୭ ପଣ୍ଡିତ ସେ ଧାର୍ମିକ ନରପତି ହେ । ୩୬ ।
ସାତଶ ବାଆନ କବି ଆସ୍ଥାନେ ୨୮ ବସନ୍ତି ।
ରାଜନ ପଣ୍ଡିତ ସେ ଉପାୟେ ଚକ୍ରବର୍ତ୍ତୀ ହେ । ୩୭ ।
ସେ ରାଜା କଟକେ ଚାରୁବ୍ରହ୍ମ ଯେ ପ୍ରବେଶ ।
ନଗ୍ର ପରିମଳ ଦେଖି ମନରେ ହରଷ ହେ । ୩୮ ।
ସୁବର୍ଣ୍ଣରେଖା ଯେ ନାମେ ନଦୀ ବିଦ୍ୟମାନ ।
ଦେଖି ଚାରୁବ୍ରହ୍ମ ତହିଁ କଲାକ ସ୍ନାହାନ ଯେ । ୩୯ ।
ନିତ୍ୟକର୍ମ ସାରି ସେ ରାଉତ୨୯ ବେଶ ଧରି ।
ଦିବାନିଶି ବୁଲଇ କଟକେ ଫେରି ଫେରି ହେ । ୪୦ ।
କରୁଣାକର ନାମେଣ ୟେକ ଦ୍ୱିଜବର ।
ରାଜା ସିଂଘଦ୍ୱାରେ ତାଙ୍କ ଚାଟଶାଳୀ ଘର ହେ । ୪୧ ।


୨୫ । ପ୍ରାସ-କଷ୍ଟ, 'ପ୍ରାସ’, ‘ପରାସ' ଆଦି ପ୍ରାଚୀନ ପ୍ରୟୋଗ ଅଦ୍ୟାପି ମୁଖରୁ ଶୁଣାଯାଏ ।

୨୬ । ଚକ୍ରବତୀ ( ପୋଥିପାଠ ) । ୨୭ । ସୁବୁଧି (ପୋଥିପାଠ) ।

୨୮ | ଆସ୍ତାନେ ( ପୋଥିପ।ଠ )

୨୯ । ରାଉତ= ଅଶ୍ୱାରୋହୀ ସୈନ୍ୟ, ପ୍ରାଚୀନକାଳରେ ରାଜାମାନେ ବିଚକ୍ଷଣ

ଯୋଦ୍ଧାଙ୍କୁ 'ରାଉତ' ଉପାଧିରେ ଭୂଷିତ କରୁଥିଲେ ।


ଇଚ୍ଛାବତୀ କୁମାରୀକି ବିଦ୍ୟା ପଢ଼ାବନ୍ତି ।
ଶାହାସ୍ତ୍ର ସଙ୍ଗୀତ ବିଦ୍ୟମାନ ଶିଖାବନ୍ତି ହେ । ୪୨ ।
ଅଷ୍ଟାଦଶ ପୁରାଣ ସୁମୃର୍ତି ୩୦ କରି ଆଦି ହେ ।
ଯେ ଯାହା ଲୋଡ଼ଇ ସେ ଯେ ବିଦ୍ୟାରେ ସମ୍ପାଦି ହେ । ୪୩ ।
ଦେଖିଲାକ ଭୋଜରାଜା ଝିଅ ଇଚ୍ଛାବତୀ ।
ପଢ଼ୁଅଛି କୋଟିଏ ଚନ୍ଦ୍ରମା ଜିଣି୩୧ ଜ୍ୟୋତି ହେ । ୪୪ ।
ତାହା ଦେଖି ଚାରୁବ୍ରହ୍ମ ଧଉର୍ଯ୍ୟ ଉଡ଼ିଲା ।
ଚନ୍ଦ୍ରକୁ ଦେଖିଣ ଚନ୍ଦ୍ରମଣି ଝଟକିଲା ହେ । ୪୫ ।
ନ ଚଳଇ ନୟନ ଅଧିର ତାର କାୟେ ।
ଇଚ୍ଛାବତୀ ବିଦ୍ୟାସାରି କୁମରକୁ ଚାହେଁ ହେ । ୪୭ ।
ବିଚକ୍ଷଣ ଦେଖି ତାକୁ ପଚାରନ୍ତି ଗୁରୁ ।
କାହାର ନନ୍ଦନ ତୁ ଅଇଲୁ କେତେ ଦୂରୁ । ୪୭ ।
ସରୂପ୩୨ କରି କହ ନକର ମନେ ଭ୍ରାନ୍ତି ।
ନୃପତି ନନ୍ଦନ ତୁକି ଅଟୁ ନରପତି ଯେ । ୪୮ ।
ଶୁଣି ଦ୍ରହ୍ୱସିତ ୩୩ ହୋଇ କହଇ କୁମର ।
ସାବଧାନେ ଶୁଣ ଗୁରୁ ମୋହର୩୪ ଉତ୍ତର ଦେହ । ୪୯ ।
ଦ୍ରାପକ ଦେଶର ଯେ ମଦନ ବ୍ରହ୍ମ ରାୟେ ।
ତାହା°କର ପାତ୍ରର ମୁଂ ଅଟଇ ତନୟେ ହେ । ୫୦ ।


୩୦ । ସୁମୃର୍ତ୍ତି=ସ୍ମୃତି ଅର୍ଥରେ । ପ୍ରାଚୀନ କାଳରେ ବାଳକ ବାଳିକା ନିର୍ବିଶେଷରେ 'ସ୍ମୃତି' ଶାସ୍ତ୍ର ପାଠ ଶିକ୍ଷାର ଏକ ବିଶେଷ ଅଙ୍ଗ ଥିଲା

୩୧ । ଚନ୍ଦ୍ରମା ଜାଣି ଜ୍ୟୋତି (ପୋଥିପାଠ )

୩୨ । ସରୂପ = ବିସ୍ତୃତ ଭାବରେ ।

୩୩ । ଦହସିତ=ଦରହସିତ ପଦର ପଦ୍ୟଭାଷା ।

୩୪ । ମୋହୋର ( ପୋଥିପାଠ )


ସେ ନଗ୍ର ସୁବାହୁ ରାଜା ଜୁର ୩୫ କରି ନେଲା ।
କେହୁ ପଳାଇଲା କେହୁ ଯୁଦ୍ଧରେ ୩୬ ପଡ଼ିଲା ହେ ।୫୧।
ପିତା ମୋର ମହାକ୍ଷତ୍ରି ଯୁଦ୍ଧରେ ପଡ଼ିଲା ।
ତେଣୁଂ କରି ଅଇଲି ମୁଁ ବୋଲିଣ ବୋଇଲା ହେ ।୫୨।
ମହାରାଜା ଭୋଜ ଯେ ଉପାୟ ଚକ୍ରବର୍ତ୍ତୀ ।
ଅନେକ ଦୂରୁଂ ଶୁଣିଲି ୟେହାଂକର କୀର୍ତ୍ତି୩୭ ହେ ।୫୩।
ମୋତେ ଯେ ପୋଷିବ ତାକୁ ସେବା କରୁଥିବି ।
ଯେ ଯାହା କହିବ ମୁହି° କାର୍ଯ୍ୟ ସେ କରିବି ହେ । ୫୪ ।
ଗୁରୁୟେ ବୋଇଲେ ବାବୁ ଶୁଣ ମୋ ବଚନ ।
ଅମ୍ଭ ଘରେ ଅନ୍ନ ୩୮ ପାଣି କରିବ ଭୋଜନ । ୫୫ ।
କେମନ୍ତ ପ୍ରକାରେ ତୁମ୍ଭେ ନେମ୩୯ ଦିନକାଳ ।
ଅମ୍ଭର ଆଗରେ ଫେଡି କହ ତୁ ନିକର ହେ । ୫୬ ।
କୁମର ବୋଇଲା ତୁମ୍ଭେ ଶୁଣ ଧର୍ମତାତ ।
ମୁ ହିଁ ଧର୍ମପୁତ୍ର ସେବା କରିବି ନିଅତ ହେ । ୫୭ ।
ଗୁରୁୟେ ବୋଇଲେ ତୋର ପିତା ମାତା ଶୂନ୍ୟ ।
ଆଜ‌ହୁଂ ହୋଇଲ ମୋର ଧର୍ମର ନନ୍ଦନ ହେ । ୫୮ ।
ତିନିବେଳ ଭୁଞ୍ଜି ପଡ଼ୁଥିବ ଇଚ୍ଛା ତୁଲେ ।
ଧର୍ମ ଚାଟ ବିଦ୍ୟା ଚୋର ଗୁରୁ ନାମ ଦେଲେ ହେ ।୫୯ ।
ୟେହା ଶୁଣି ଇଚ୍ଛାବତୀ ମନରେ ହରଷ ।
ସଙ୍ଗକୁ ପାଇଲି ମୁହି° ସୁଜାଣ ପୁରୁଷ ହେ । ୬୦ ।


୩୫ । ପୁର (ପୋଥିପାଠ) କୁର = ବଲାତ୍କାରରେ ଅପହରଣ ୩୬ | ଯୁଧ୍ୟ (ପୋଥିପାଠ) | ୩୭ | କରି (ପୋଥିପାଠ) କିନ୍ତୁ 'କୀର୍ତ୍ତି' ହେବା

ସଙ୍ଗାତ | ୩୮ | ଅଣ୍ଣଂପାଣି (ପୋଥିପାଠ) | ୩୯ | ନେମ= ନେବା ।

ପଢ଼ାଈ° ସାରିଣ ଗୁରୁ ନିଜ ଗୃହେ ଗଲେ ।
ଆପଣା ମନ୍ଦିରେ ଯାଇ° ପ୍ରବେଶ ହୋଇଲେ । ୬୧ ।
ପାଣି ଝରୀ ହସ୍ତେ ଧରି ବ୍ରାହ୍ମଣୀ ବାହାର ।
କୁମରକୁ ଦେଖି କରି ପୁଚ୍ଛଇ ଉତ୍ତର ସେ | ୬୨ ।
ଅପୂର୍ବ କୁମର ଗୋଟି କାହୁଂ ୟେ ଅଇଲା ?
ପଣ୍ଡାଏ ବୋଇଲେ ୟେହା ମାତା ପିତା ମଲା । ୬୩ ।
ଅଝୁଂ ୟେ ହୋଇଲା ୟେବେ ଆମ୍ଭରି ନନ୍ଦନ ।
ଧର୍ମ ପୁତ୍ର ପଣେ ୟେବେ ପାଳିବା ନନ୍ଦନ । ୬୪ ।
ଶୁଣିକରି ପଣ୍ଡିଆଣୀ ଉସତ ହୋଇଲେ ।
ପୁତ୍ରର ସମାନେ ୪୦ ତାଙ୍କୁ ପ୍ରତି ଯେ ପାଳିଲେ ଯେ । ୬୫ ।
ପିଠାପଣା ପଇଡ଼ ଗୋଟିକା ଦୁଧ ସର ।
ପଂଚାମୃତ ଯୋଗାଡ଼ ସେ କଲେକ ଆହାର । ୬୬ ।
ଭୁଞ୍ଜିଣ କୁମର ମନେ ଅନେକ ସନ୍ତୋଷ ।
ଧର୍ମ୪୧ ପୁତ୍ର ପଣେ ରହିଲେ ଗୁରୁ ପାଶ ହେ । ୬୭ ।
ରଜନୀ ପ୍ରକାଶ ହୋନ୍ତେ ଉଦେ ଦିନକର ।
ନିତ୍ୟକର୍ମ ସାରି ଚାଟ ବିଦ୍ୟାକୁ ବାହାର ହେ । ୬୮ ।
ହସ୍ତେ ଖଡ଼ି ଘେନିଣ କୁମର ଚଳିଗଲା ।
ଓଝାଂକ ବଚନେ ଇଚ୍ଛା ପାରୁଶେ ପଢ଼ିଲା । ୬୯ ।
ମୁଦୁସୁଲୀ୪୨ ହକାରିଣ ଗୁରୁ ଆଗ୍ୟାଂ ଦେଲେ ।
ୟେତେ ବେଳ ଯାୟେ ଇଚ୍ଛା ପଢ଼ିତ ନଇଲେ ହେ । ୭୦ ।
ଆଗ୍ୟାଂ ପାଇ ମୁଦୁସୁଲୀ ଚଳିଗଲା ଖରେ ।
ତୁରିତେ କହିଲା ଯାଇ ଇଚ୍ଛାର ଛାମୁରେ ଯେ । ୭୧ ।


୪o । ସମାନ୍ୟେ (ପୋଥିପାଠ) । ୪୧ | 'ଧରମ ପୁତ୍ର' ହେଲେ ।

।୪୨। ମୁଦୁସୁଲୀ= ଅନ୍ତପୁର ଦାସୀ ।

ୟେତେବେଳ ଯାୟେ° ମାଗୋ ପଢ଼ିତ ନଗଲ;
ଗୁରୁ ଚଳୁଛନ୍ତି ୪୩ ବେଗ୪୪ କରି ଯିବା ଚାଲ ଗୋ ।୭୨ ।
ମୋଣୋହୀ ୪୫ ସାରି ଗୋ ମାୟେ ଚଳିଯିବା ଖରେ ।
ଅପୂର୍ବ କୁମର ଅଛୁ ଗୁରୁର ସଂଗରେ ଗୋ । ୭୩ ।
ଶୁଣିଣ କୁମାରୀ ଯେ ହସ୍ତରେ ଝଡ଼ି ଘେନି,
ଚାଟଶାଳୀ ପୁରେ ଯାଇ ମିଳିଲେ ତରୁଣୀ ଯେ ୪୬ । ୭୪ ।
କୁମରକୁ ୪୭ ଦେଖିଲା ନବୀନ କାମ ପ୍ରାୟେ ।
ମଦନ ଆରତେ କମ୍ପେ ୪୮ ଅଥିର ତା କାୟେ ଯେ । ୭୫ ।
ମନେ ମନେ ପୁଣି ରାମା କରଇ ବିଚାର ।
ମୋହୋରି ସାଦ୍ରିଂଶ୪୯ ଆସି ମିଳିଲାକ ବର ଯେ । ୭୬ ।
ଇଚ୍ଛାୟେଂ ବରିବି ବୋଲି ମନେ କଲା ଇଚ୍ଛା ।
ସିଦ୍ଧକର ୫୦ ଧାତା ୟେ ମୋହୋର ମନବାଞ୍ଛା ହେ । ୭୭ ।
ୟେତେ ବୋଲି ଇଚ୍ଛାବତୀ ପଢ଼ିଣ ବସିଲେ ।
ଶ୍ରୀ୫୧ ଆଦେବୀ ଲେଖିଣ ଗୁରୁଂକୁ ମାନ୍ୟ କଲେ ହେ ।୭୮।
ମନବାଞ୍ଛା ସିଧ ହଉ ବୋଲିଣ ବୋଇଲେ ।
ଚାଟକୁ ସଂଗତେ ଘେନି ପଢ଼ିଣ ବସିଲେ ହେ । ୭୯ ।


୪୩ । ଚଳୁଛନ୍ତି = ବିରକ୍ତ ହେଉଛନ୍ତି । ୪୪ । ବେଗକରି = ଶୀଘ୍ର ।
୪୫ । ଶୁଦ୍ଧପାଠ ମଣୋହୀ ଅର୍ଥାତ୍ ରାଜ ପରିବାର ଭୋଜନ ।
୪୬ । ଗୋ (ପୋଥିପାଠ) କିନ୍ତୁ 'ଯେ' ହେବା ସଙ୍ଗତ ।
୪୭ । କୁମକୁ (ପୋଥିପାଠ) ।୪୮। କମ୍ବେ (ପୋଥିପାଠ)
୪୯ । ସଦୃଶ ଅର୍ଥରେ ବ୍ୟବହୃତ ।
୫୦ । ପୋଥିରେ ଏହି ପଦଟି ‘ୟେ ମୋହୋର ମନବାଞ୍ଛା ସିଦ୍ଧକର ଧ ତାହେ' ବୋଲିଅଛି । ୫୧ | 'ଶ୍ରୀ' ଶବ୍ଦ ଲକ୍ଷ୍ମୀ ଓ ସରସ୍ୱତୀ ଅର୍ଥରେ ବ୍ୟବ‌ହୃତ ହୁଏ ।


ବିଦ୍ୟା ପଢ଼ିବାକୁ ଚାଟ ନବଳାଇ ୫୨ ମନ;
ନିରେଖି ଚାହୁଂଛୁ ୟେକା କୁମାରୀ ବଦନ ଯେ । ୮୦ ।
ଓଝାଙ୍କ ଛାମୁରେ ଇଚ୍ଛା ବୋଲଇ ଗୋସାଇଁ ।
କାହାର ନନ୍ଦନ ୟେ ଅଇଲେ କାହିଁପାଇଁ ଯେ । ୮୧ ।
ଓଝାୟୋ ବୋଇଲେ ତୁମେ ଶୁଣ ଜେମାଦେଈ ।
ଆମ୍ଭର ସେ ଧର୍ମ ପୁତ୍ର ତୁମ୍ଭ ଗୁରୁ ଭାଇ ଗୋ | ୮୨ ।
ୟେହା ଶୁଣି ଇଚ୍ଛାବତୀ ସନ୍ତୋଷ ହୋଇଲା ।
କୁମର ସଗତେ ବିଦ୍ୟା ପରୀକ୍ଷ ସେ କଲା ଯେ । ୮୩ ।
ସାହିତ୍ୟ ୫୩ ସଂଙ୍ଗୀତ ବିଦ୍ୟା ବାକ୍ୟ ପଚାରନ୍ତି ।
ଦୁହେଁ ଦୁହିଂକି ବିଦ୍ୟାରେ ସମାନ ୫୪ ଅଟନ୍ତି ଯେ । ୮୪ ।
ୟେହିମତି ନିତିଦିନ ବିଦ୍ୟା ପଢ଼ୁଥାନ୍ତି ।
ଦଇବ ପୁରୁଷ ଯାହା ଭେଟାଇ ଅଛନ୍ତି ହେ । ୮୫ ।
କୁମାରୀ କୁମର ମନେ ଅଭେଦ ପୀରତି ।
ଦଣ୍ଡେ ନ ଦେଖିଲେ ଦୁହେ° କ୍ଷଣେ ନିବ୍ରତନ୍ତି ୫୫ ହେ । ୮୬ ।
କରୁଣା ସାଗର ପ୍ରଭୁ କମଳଲୋଚନ ।
କହେ ବନମାଳୀ ମୋର ଦୋଷ ଯେ ନ‌ଘେନ ହେ ।

Chata Ichhabati.pdf

୫୨। ନବଳଇ (ପୋଥିପାଠ) ।
୫୩। ଶାକ୍ଷିତ (ପୋଥିପାଠ) । ୫୪। ଶମାନ୍ୟ (ପୋଥିପାଠ) ।

୫୫। ନିବ୍ରତନ୍ତି = ବ୍ୟାକୁଳ ହୁଅନ୍ତି ।

ଦ୍ୱିତୀୟ ଛାନ୍ଦ
ରାଗ-ବରାଡ଼ି

ବନ୍ଦଇଂ ଯେ ଗଣପତି ଗଉରୀର ବାଳ
ଶୀଖଣ୍ଡି ଚନ୍ଦନ ତୋର ଶୋହଇ କପୋଳ ।
ଦକ୍ଷିଣ ଦ୍ୱାର ମଣ୍ଡନ ସଦାଶିବ ସୁତ ।
ମୋତେ ତୁ ପ୍ରସନ ହୁଅ ଦେବ ଗଣନାଥ । ୨ ।
ଅନୁଗ୍ରହ କର ମୋତେ ପାର୍ବତୀ ତନୟେ ।
ଚାଟ‌ଇଚ୍ଛାବତୀ କଥା କରିବି ଉପାୟେ । ୩ ।
ୟେମନ୍ତେଣ ବେନିଜଣ ପଢ଼ୁଥାନ୍ତି ନିତି ।
ପଢ଼ନ୍ତି ସକଳ ବିଦ୍ୟା ଗୁରୁଙ୍କ ସ‌ଗଂତି । ୪ ।
ୟେକଦିନେ ଇଚ୍ଛାବତୀ ପଢ଼ିବାର ବେଳେ ।
ହସ୍ତରୁ ଖସିଲା ଝଡ଼ି ଗଡ଼ିଗଲା ତଳେ । ୫ ।
ବୋଲଇ କୁମାରୀ ତୁମ୍ଭେ ଶୁଣସି ହେ। ଚାଟ ।
ଖଡ଼ି ଗୋଟି ପଡ଼ିଗଲା ଦିଅ ମୋର ହସ୍ତ । ୬ ।
ଇଚ୍ଛାର ବଚନେ ଚାଟ ବୋଲଇ ଉତ୍ତର |
ଖଡ଼ି ଯେବେ ତୋଳି ଦେବି ସତ୍ୟ ମୋରେ କର ।୭।
ଚାଟର ବଚନେ ବାଳୀ କଲା ସନମତ ।
ଖଡ଼ି ଗୋଟି ତୋଳିଦିଅ ହେଲା ମୋର ସ‌ତ୍ୟ । ୮ ।
ୟେମନ୍ତ ବୋଲିଣ ଚାଟ ଓହ୍ଲାଇଣ ଗଲା ।
ଖଡ଼ିଗୋଟି ତୋଳି ଇଚ୍ଛାବତୀ କରେ ଦେଲା । ୯ ।


୧। ଅନ‌ଗୃହ (ପୋଥିପାଠ) । ୨। ଉତର (ପୋଥିପାଠ) ।

୩। ଉଲ୍ୟାଈଣ (ପୋଥିପାଠ) ।

ପଢ଼ନ୍ତି ହରଷେ ତହିଂ ନୃପତି କୁମାରୀ
ମଣୋହୀ° ନିମନ୍ତେ ବାମା ଗଲା ଖର କରି । ୧୦ ।
ଚାଟ ଭୁଞ୍ଜିଣଗଲା ଗୁରୁଙ୍କ ସଙ୍ଗରେ ।
ମୋଣୋହୀଂ ସାରିଣ ବାମା ଗଲା ଧାତିକାରେ ।୧୧ ।
ବିଚାରଇ କାହିଁକି ସେ କରାଇଲା ସତ୍ୟ ।
ୟେସନ ବିଚାରି ବାମା ଗମଇ° ତୁରିତ । ୧୨ ।
ଚାଟଶାଳୀ କୋଣେ ବାଳୀ ଅଛି ଗୋପ୍ୟ ହୋଇ ।
ୟେସନ ସମୟେ ଚାଟ ମିଳିଗଲେ ଯାଇ । ୧୩ ।
କେହି କେଣେ ନାହି° ବୋଲି ଚାହିଁଲା ନିରେଖି ।
ପଛଆଡ଼େ ଥାଇ ଇଚ୍ଛା ବୁଜିଲାକ ଆଖି । ୧୪ ।
ନଜାଣଇ କିୟେ ତୁମ୍ଭେ କହ ବୋଲି ଚାଟ ।
ନ ଛାଡ଼ଇ ଇଚ୍ଛାବତୀ ଉଛୁଡ଼ଇ ହସ୍ତ । ୧୫ ।
ଛଡ଼ାଇ ନ ପାରି ଚାଟ ହୋଇଲା ନିସତ
ନ ଛାଡ଼ୁ ବୋଲିଣ ତୋତେ ମୋହରି ସପତ । ୧୬ ।
ୟେସନ ସମୟେ ହସ୍ତ କାଢ଼ିଲା ତୁରିତ ।
ନେଉଟି ଚାହିଁଲା ପଛେ ନୃପତି ଦୋହିତ । ୧୭ ।
ହସ ହସ ହୋଇ ବାଳୀ ବୋଲଈ ଉତ୍ତର ।
ସ୍ୱରୂପ କରିଣ ଚାଟ କହ ମୋ ଆଗର । ୧୮ ।
ବୋଲନ୍ତି କୁମାରୀ ତୁମ୍ଭେ ଶୁଣସି ହୋ ଚାଟ,
ଖଡ଼ି ତୋଳି ଦେଲା ବେଳେ କରାଇଲୁ ସତ୍ୟ । ୧୯ ।


କହତ ସ୍ୱରୂପ ଚାଟ ଗୁପ‌ତ ନକର ।
ନ କହୁଣ ବୋଲିଣ ତୋତେ ସପତ ମୋହର । ୨୦ ।
ଇଚ୍ଛାର ବଚନେ ଚାଟ ମଉନ ହୋଇଲା ।
ମନକୁ ସଂକୋଚ କରି ଉତ୍ତର ନ ଦେଲା । ୨୧ ।
ମନେ ମନେ ଭାଳୁଅଛି କି କହିବି ବୋଲି ।
ନ-ଜାଣିଣ ଅନମିତେ ସତ୍ୟ କରାଇଲି । ୨୨ ।
ଯୁଗତେ ଅଟଇ ସେ ଯେ ନୃପତି କୁମାରୀ,
ଲୋକିତ ବେଭାରେ ମୁଁହି ଅଟଇ ଭିଖାରୀ । ୨୩ ।
କହିଲେହେଂ ପୁଣ ମୋତେ କରୁଥାଇ ରାଗ ।
କି ବୋଲି କହିବି ମୁହି° ଇଚ୍ଛାବତୀ ଆଗ । ୨୪ ।
ନୃପତି ଶୁଣିଲେ ନିକି ଜିଆଇବେ ମୋତେ ।
କୁମାରୀ ଆଗରେ ମୁହିଂ କହିବି କେମନ୍ତେ । ୨୫ ।
ସରୂପ କହିଲେ ମୋତେ ଯାହା ଇଚ୍ଛା କରୁ ।
ଇଚ୍ଛାବତୀ ହେତୁରେ ମୋ ସମ୍ପଦଈ ସରୁ । ୨୬ ।
ୟେସନ ବିଚାରି ଚାଟ ବୋଲଇ ବଚନ ।
ଯାହା ପଚାରିଲୁ ଇଚ୍ଛା ସାବଧାନେ୧୦ ଶୁଣ । ୨୭ ।
ଯେଉ° ଦିନୁ ସଂଗେ ତୋର ପଡ଼ୁଥାଇ ବସି ।
ଅହନିଶି ଗୁଣୁଥାଇ ମନେ ଶୁଭ୍ରକେଶି । ୨୮ ।
ତୁ ମୋର ଭାବିନୀ ୧୧ ହେବୁ ମୁହିଁ ତୋର ନାହା
ନିରନ୍ତରେ ହୃଦେ, ମୋର ଭାବୁଥାଇଂ ୟେହା । ୨୯ ।


ୟେହାଶୁଣି ଇଚ୍ଛାବତୀ ହୋଇଲା ସନ୍ତୋଷ ।
ହସ୍ତଧରି ଚାଟକୁ ସେ ବସାଇଲା ପାସ ।୩୦।
ଯାହା ତୋ ବୋଇଲୁ ଚାଟ ଚିନ୍ତା ତୁ ନ କର ।
ନିଶ୍ଚୟେଂ ଭାବିନୀ ମୁହିଁ ହୋଇବି ତୋହୋର । ୩୧।
ତୋତେ ମୋତେ ଧାତା ଆଣି କରାଇଂଛି ୧୨ ଭେଟ ।
ୟେ କଥାକୁ ମନେ କିଛି ନ ଧର ତୁ ଚାଟ ।୩୨।
ମୋହର ସାଦୃଶେ ୧୩ ଧାତା ବର ଆଣି ଦେଲା ।
ମୁହିଂ ନିରିମାଖୀ ବୋଲି ତୋତେ ଭେଟାଇଲା । ୩୩।
ଇଚ୍ଛାର ବଚନେ ଚାଟ ବୋଲେ ଅନୁସରି ।
ମୁହିଂ ଭିକ୍ଷାବାସୀ ତୁମ୍ଭେ ନୃପତି କୁମାରୀ ।୩୪।
ଗୁରୁଙ୍କର ଠାରୁ ମୁହିଂ ମାଗି ଖାଇଂ ଅନ୍ନ ୧୪
ନିଧନ ପୁରୁଷ ମୋର ହାତେ ୧୫ ନାହିଁ ଧନ । ୩୫।
ପିନ୍ଧିଲାର ବସ୍ତ୍ରଠାରୁ ଗୁରୁଦ୍ୟନ୍ତି ମୋତେ ।
ସରୂପ ବଚନ ବାମା କ‌ହିଲଇଁ ତୋତେ । ୩୬।
ନିଦ୍ରବ୍ୟ ପୁରୁଷ ମୁହିଂ ମହାଦୁଃଖେ ଦୁଃଖୀ ।
ମୋହୋର କଷ୍ଟକୁ ୟେକା ଧର୍ମହିଂ ସେ ସାକ୍ଷୀ । ୩୭।
ଚାଟର ବଚନେ ଇଚ୍ଛା କ‌ହେ ପରିଘାଇ । ୧୬
ୟେସନ ଅଭିନ ୧୭ ମନେ ଧରୁ କାହିଂ ପାଇଂ ।୩୮।


ତୁମ୍ଭେ ଯେ ବୋଇଲ ମୁହିଂ ନିଧନ ପୁରୁଷ ।
ପୀରତିଧନ ଯେ ଥାଉଂ କରିବାଟି କିସ ? ୩୯।
ମହତ ବଚନ ଚାଟ ପାଷାଣର ଗାର ।
ନିଧନ ତୁ ଅଟୁ ମୋତେ ଅମୂଲ୍ୟ ଭଣ୍ତାର ।୪୦।
ୟେ ଛାର ଜୀବନ ମୋର ଥିବ କେତେ ଦିନ ।
ତୁ ମୋର ଜୀବନ ମୁହିଂ କି କରିବି ଧନ ।୪୧।
ଗୁଂଆର ୧୮ ଯୁବତୀ ସିନା ଧନ‌କୁ ମଞ୍ଜଇ ୧୯
ସୁଜାଣ ସୁନ୍ଦେରୀ ପ୍ରୀତି ପାଇଂ ଜୀବ ଦେଇ ।୪୨।
ମୁହିଂ ଯେବେ ପୂର୍ବେ ସେବା କରିଥିବି ହର ।
ତେବେ ସିନା ଚାଟ ତୋର ଧରିବଈଂ କର ।୪୩।
ତୋତେ ମୋତେ ଧାତା ଆଣି କରିଛି ଘଟଣ ।
ମିଛ ନୋହେ ମୋତେ ମାତାପିତାଂ କର ରାଣ ।୪୪।
ଇଚ୍ଛାର ବଚନେ ଚାଟ ପରମ ସାନନ୍ଦ ।
ହୃଦଗତେ ସୁମରଇଂ ଶ୍ରୀରାମ ଗୋବିନ୍ଦ ।୪୫।
ହସି କୋଳାଗ୍ରତ କଲା ନୃପତି କୁମାରୀ ।
ଚାଟ କଣ୍ଠେ ଲମ୍ବାଇଂଲା ନେଇ ପୁସ୍ୟମାଳୀ ।୪୬।
ବେନି ଜନେ ୟେକ ଠାବେ ପାଶେ ନାହିଂ କେହି ।
ଦରିଦ୍ରରେ କୋଟି ଧନ ଅନ୍ଧ ଚକ୍ଷୁ ପାଇ ।୪୭।
ୟେସନ୍ତ ସମୟେ ଗୁରୁ ମିଳିଗଲେ ଯାଇ ।
ଦେଖିଣ ପଢି ବସିଲେ ମହା ସୁଖ ପାଇ । ୪୮।


ସେହି ଦିନୁ ବେନି ଜନେ ୟେକଚିତ ମନ ।
ଯାହା ସେଟି ପ୍ରଜାପତି କରିଛି ଲେଖନ ।୪୯।
ୟେକମୁଖ ହୋଇ ଦୁହେଂ ବିଦ୍ୟା ପଢୁଥାନ୍ତି ।
ଚନ୍ଦ୍ରକୁ ଦେଖିଣ ଚନ୍ଦ୍ରମଣି ଝଟକନ୍ତି ।୫୦।
ଦଣ୍ତେ ନ ଦେଖିଲେ ପ୍ରାଣ ନ ରଖନ୍ତି କେହି ।
ବେନି ଜନଂକର ସେ ଅଟଇ ୟେକ ଦେହୀ ।୫୧।
ୟେମନ୍ତ ପ୍ରକାରେ ସେ କେତେହେଂ ଦିଙ୍ଗଲା ।
ଦଇବେଣ ଗଣେଶ୍ୱର ଚଉଠୀ ପଡ଼ିଲା ।୫୨।
ଚାଟକୁ ହକାରି ଗୁରୁ ବୋଲନ୍ତି ବଚନ ।
ପୂଜା କରିବାକୁ ଫଳ ପୁଷ୍ପ ତୋଳି ଆଣ ।୫୩।
କରପତ୍ର ଯୋଡ଼ି ଚାଟ ବୋଲଇ ଉତ୍ତର ।
ମୁଂ ୟେକା କେମନ୍ତେ ଯିବି ସଂଗେ ଜଣେକର ୨୦ ।୫୪।
ଶୁଣିକରି ଗୁରୁ ତାଙ୍କୁ ନ ଦେଲେ ଉତ୍ତର ।
ଓଝାଂକ ଛାମୁରେ ଇଚ୍ଛା ଯୋଡ଼ି ବେନି କର ।୫୫।
ମୋତେ ପଠିଆଅ ମୁହିଂ ଚାଟ ସଙ୍ଗେ ଯିବି ।
ଫୁଲ ଫଳ ତୋଳି କରି ମୁହିଂ ଆଣି ଦେବି ।୫୬।
ଓଝାୟେ ବୋଇଲେ ତୁମ୍ଭେ ଯାଅ ଫୁଲ ତୋଳି ।
ଶୁଣିଣ ଆନନ୍ଦ ହେଲା ଇଚ୍ଛାବତୀ ବାଳୀ ।୫୭।
ଚାଟ ଇଚ୍ଛାବତୀ ଦୁହେଂ ଚଳିଗଲେ ଖରେ ।
ପ୍ରବେଶ ହୋଇଲେ ଯାଇ ତୋଟାର ୨୧ ଭିତରେ ।୫୮।


ପୁସା ତୋଳିବାକୁ ଚାଟ ନବଳଇ ମନ ।
ଅନୁସରି ଚାହୁଂଅଛି କୁମାରୀ ବଦନ ।୫୯।
ଚମ୍ପେକ ବୃକ୍ଷରେ ବାଳୀ ଉଠିଲାକ ଯାଇ
ପୁସ୍ୟ ତୋଳୁଅଛି ବାଳୀ ଆଂକୁଡ଼ୀ ଲଗାଇ ।୬୦।
ଚାଟ ଉଭା ହୋଇଅଛି ସେହି ବୃକ୍ଷ ତଳେ ।
ପଡ଼ିଲା ପୁସ୍ୟ କୁମର ତୋଳଇ ଅଞ୍ଚଳେ ।୬୧।
ଦକ୍ଷିଣ ୨୨ ପବନ ଯେ ବ‌ହଇ ଖରତର ।
ବାତଘାତେ ତନୁ ଯେ କମ୍ପଇ ଥରହର ।୬୨।
ଭୟ୨୩ ପାଇ ତରୁଡ଼ାଳ ଧରେ ଶୁଭ୍ରକେଶୀ ।
ହୃଦରୁ ଅଞ୍ଚଳ ତାର ପଡ଼ିଲାକ ଖସି ।୬୩।
ତରୁତଳେ ଥାଇଂ ଚାଟ ଦେଲାକ ଅନାଇ ।
ଦେଖିଲାକ ଯୁବତୀର ହୃଦେ ବସ୍ତ୍ର ନାହିଂ ।୬୪।
ୟେକେଣ ୨୪ ସୁନ୍ଦେରୀ ଯେ ନାହିଂ ୨୫ ପଟାନ୍ତର ।
ବେନିକୁଚ କିବା ତାର ମଦନ ଭଣ୍ତାର ।୬୫।
ଆବର ବିଶେଷେ ମଝା ୨୬ ଡମ୍ବରୁ ଆକାର ।
ତାହା ଚାହିଂ ଚାଟ ମନେ ହୋଇଲା କାତର ।୬୬।
ପଞ୍ଚୁବାଣ ତାର ଅଂଗେ ପିଡ଼ିଲା ମଦନ ।


ଟଳିଣ ପଡ଼ିଲା ଚାଟ ହୋଇ ଅଚେତନ ୨୭ ।୬୭।
ପବନ ରହନ୍ତେ ବସ୍ତ୍ର ସମ୍ଭାଳିଲା ଇଚ୍ଛା ।
କି କରୁଛୁ ୨୮ ବୋଲି ଚାଟ ତାକୁ କଲା ପୁଚ୍ଛା ।୬୮।
ଇଚ୍ଛାର ବଚନେ ଚାଟ ଉତ୍ତର ନ‌ଦେଲା ।
ନାହିଁ ବୋଲି କରି ବୃକ୍ଷ ତଳକୁ ଚାହିଂଲା ।୬୯।
ଦେଖିଲାତ ତରୁତଳେ ଚାଟ ଅଛି ଶୋଇ ।
ତର ତର ହୋଇ ବୃକ୍ଷୁ ଅଇଲା ଓହ୍ଲାଇ ।୭୦।
ତୋଳଇ ଚାଟକୁ ବାଳୀ ମନର ଆକୁଳେ ।
ଓଝାୟେ କୋପ କରିବେ ଉଛୁର ହୋଇଲେ ।୭୧।
ନ ଉଠଇ ଚାଟ ଇଚ୍ଛା ଉଛୁ‌ଡ଼ଇ କର ୨୯
ମୃକ୍ଷା ୩୦ ଯାଇ ପଡ଼ିଅଛି ନ ଦେଇ ଉତ୍ତର । ୭୨।
କିସ ଯେ ହୋଇଲା ବୋଲି ଭାଳଇ ତରୁଣୀ ।
ବେଗ କରି ଚାଟ ମୁଖେ ଛିଞ୍ଚିଲାକ ୩୧ ପାଣି ।୭୩।
ଚେତନା ପାଇଣ ଚାଟ ଉଠିଣ ବସିଲା ।
କୁମାରୀ ମୁଖକୁ ଚାହିଂ ଅଳ‌ପ ହସିଲା । ୭୪।


ଇଚ୍ଛାବତୀ ବୋଲେ ତୋହୋ କେବଣ ବେଭାର
ତୋହୋର ଅବସ୍ଥା ଦେଖି ତନୁ ମୋ କାତର ।୭୫।
କାହାକୁ ତୋ ଭୟେଭୀତି କ‌ହ ମୋ ଆଗର ।
ନ କ‌ହୁ ବୋଲିଣ ତୋତେ ସପତ ୩୨ ମୋହୋର ।୭୬।
ଇଚ୍ଛାର ବଚନେ ଚାଟ ଦ୍ରହସିତ ହୋଇଂ ।
ବୋଲେ ତୋ ରୂପ ଦେଖି ଗ୍ୟାନ ହାରିଲି ମୁହିଂ ।୭୭।
କି କରିବି କି ବୋଲିବି ନ ଜାଣଇଂ କିଛି ।
କେବଳ ସ୍ୱରୀରେ ମୋ ନିଶ୍ୱାସ ବ‌ହୁଛି ।୭୮।
ୟେହା ଶୁଣି ଇଚ୍ଛାବତୀ ସନ୍ତୋଷ ହୋଇଲା ।
ମୁଖରେ ଚୁମ୍ବନ ଦେଇ କୋଳେ ବସାଇଲା ।୭୯।
ଭୁଜରେ ଭିଡ଼ିଣ କୋଳ କରନ୍ତେ ହରଷ
ଚାଟ ଇଚ୍ଛାବତୀ ଦୁହେଂ କେହିନାହିଂ ପାସ ।୮୦।
ନାନାମତେ ପରିବନ୍ଧେ କାମେଣ ମାତିଲେ ।
ମଦନ ଆକୁଳ ବେନି ଅଂଗୁ ଶାନ୍ତି ୩୩ କଲେ ।୮୧।
ରତିରଂଗ ସାରି ଜଳେ ସ୍ନାହାନ ସାରିଲେ ।
ନୀବିବନ୍ଧ କେଶବାସ ଅଂଗ ସମ୍ଭାଳିଲେ ।୮୨।
ସୁରତି ୩୪ ସାରିଣ ପୁଣ କୁମର କୁମାରୀ ।
ଇଚ୍ଛା ମୁଖ ଚାହିଂ ଚାଟ ବଚନ ପଚାରି ।୮୩।
ପିତାମାତା ଛାଡ଼ି ମୁହି ହୋଇଲି ନିରେଖ ।
ତୋର ପରସାଦେ ମୁଂ ଲଭିଲି ମହାସୁଖ ୩୫।୮୪।


ନୋହିଲେ କି ଦୁଃଖ କାଳେ ନିଧି ପରାପତ ।
ବିଧାତା କଢ଼ାଈ ମୋତେ ଆଣିଲା ତୁରିତ ।୮୫।
ନିରଖ ଅଟଇ ମୁହିଂ ସଖା ୩୬ ବନ୍ଧୁ ନାହିଂ ।
ତୋତେ ମୁଂ ପାଇଲି ପୂର୍ବେ ଶଙ୍କରଂକୁ ଧ୍ୟାଈଂ ।୮୬।
ଚାଟ ବୋଲେ ବାଳୁତ କୁମାରୀ ୟେଡ଼େ ସତ ୩୭ (?)
ଯାବତ ଜୀବତ ମୋର ତୋର ତ‌ହିଂ ତ‌ତ୍ତ୍ୱ ୩୮ ।୮୭।
ସୁଫଳ ଜୀବନ ମୋର ତୋ ସଙ୍ଗେ ପୀରତି ।
ଆଜ‌ହୁଂ ବିଧାତା ମୋତେ ଦେଲା ସଦଗତି ।୮୮।
ଦୟା ଅନୁରାଗ ପ୍ରିୟେ କରିଥିବୁ ମୋତେ ।
ୟେତେକ ମାଗୁଣି ମୁହିଂ ମାଗୁଅଛି ତୋତେ ।୮୯।
ଚାଟର ବଚନେ ଇଚ୍ଛା ବୋଲଈଂ ଉତ୍ତର ।
ତୋତେ ମୋତେ ଦେଇଛନ୍ତି ଗଉରୀ ଶଂକର ।୯୦।
ଧନ ଯଉବନ ଚାଟ ସର୍ବଦା ନ ଥାଇ ।
ପୀରତି କୀରତି ୟେକା ଯୁଗେ ଯୁଗେ ଥାଇ ।୯୧।
ମହା ସେ ପ୍ରତାପୀ ରାଜା ଭୋଜ ନୃପବର ।
ତୁମ୍ଭଂକୁ ପାଇଂଣ ମୁଁ ଛାଡ଼ିଲି ଭୟେତାର ।୯୨।
ପିତା ମାତା ଭାଇବନ୍ଧୁ ଭୟେ ଭୀତି ନାହିଂ ।
ଛାଡ଼ିଲି ସକଳ ଲାଜ ତୁମ୍ଭର ସେ ପାଈଂ ।୯୩।


ଯାବତ ଜୀବନ ମୋର ଶରୀରେଣ ୩୯ ଥିବ,
ତୋହ ବିନୁ ସତ ୪୦ କି ମୋ ଆନରେ ବଳିବ ? ୯୪।
ତୁମ୍ଭେ ସେ ମୋହୋର କାନ୍ତ ମୁହିଂ ତୁମ୍ଭ ନାରୀ ।
ନିଶ୍ଚୟେଂ ୟେକଥା ଚାଟ ମନେ ଥିବ ଧରି ।୯୫।
ଯେ ଯିସ ୪୧ ବୋଲିବ ବୋଲୁ ମୁହିଂ ତୁମ୍ଭ ନାହା ।
ମନେ ଯାହା ଲୋଡ଼ୁଥିଲି ପାଇଲି ମୁଂ ତାହା । ୯୬।
ତୋତେ ମୋତେ ଧାତା ଆଣି କରାଇଛି ଭେଟ ।
ଆଜଠାରୁ ଅନୁଗ୍ରହ ୪୨ କରିଥିବୁ ଚାଟ ।୯୭।
ୟେତେ ବୋଲି କରିଣ ସେ କୁସୁମ ତୋଳିଲେ ।
ଓଝାୟେ କୋପ କରିବେ ଉଛର ହୋଇଲେ ।୯୮।
ଇଚ୍ଛାବତୀ ଚାଟ ଦୁହେଂ ଚଳିଗଲେ ଖରେ ।
ପ୍ରବେଶ ହୋଇଲେ ଯାଈଂ ଚାଟଶାଳୀ ଘରେ ।୯୯।
କୁସୁମ ଥୋଇଂଣ ଉଭା କୁମର କୁମାରୀ ।
ଚାଟ ମୁଖ ଚାହିଁଁ ଓଝା ବଚନ ପଚାରି ।୧୦୦।
ପୁସ୍ୟ ତୋଳି ଯାଇ ତୁମ୍ଭେ କଲ ଯେ ଉଛୁର,
ଓଝାଂକ ଛାମୁରେ ଇଚ୍ଛା ଯୋଡି ବେନିକର ।୧୦୧।
ତୋଟା ଯାକ କୁସୁମ ତୋଳିଲୁ ଆମ୍ଭେ ଖୋଜି,
ଓଝାୟେ ଜାଣିଲେ ସେ କୁମାରୀ ମନ ହେଜି ।୧୦୨।
ଅନୁସରି ଚାହୁଁଛନ୍ତି କୁମାରୀ ବଦନ ।
ସଂପୂର୍ଣ୍ଣ ୪୩ ଚନ୍ଦ୍ରମା ମୁଖ ଦିଶୁଛି ମଳିନ । ୧୦୩।


ଜାଣିଲେ ଇଚ୍ଛାକୁ ଚାଟ କଲା ବିଡ଼ମ୍ବଣା ୪୪
ୟେତେ କାଳ ଧାତା ଆଣି କଲା କି କଷଣା ୪୫ ।୧୦୪।
ଚାଟର ବଦନ ଯେ ଦିଶୁଛି ସେହିମତି ।
ୟେକାନ୍ତେ ଚାଟକୁ ଗୁରୁ ହକାରିଲେ କତି ।୧୦୫।
ଦେଶାନ୍ତରୀ ହୋଇ ତୋର ଭୟେ ଭୀତି ନାହିଂ ।
ୟେଡ଼େକ ବିସ୍ମୟେ କଥା କଲୁ କାହିଂପାଇଂ ।୧୦୬।
ମହାପ୍ରତାପୀ ସେ ଅଟେ ଭୋଜ ନୃପବର ।
ତାହାର କୁମାରୀ ସଙ୍ଗେ ତୋର ପରିଚାର ।୧୦୭।
ୟେତେକ ବୋଲିଣ ସେ ଚଉଠୀ ପୂଜା କଲେ ।
ନଇବେଦ୍ୟ ସାରିଣ ସେ ନିଜପୁରେ ଗଲେ ।୧୦୮।
ଇଚ୍ଛାହି ଥୋକାୟେ ଦୂର ୪୬ ଅଇଲେ ଗୋଡ଼ାଇ ।
ପ୍ରବୋଧିଣ ଗୁରୁ ତାଂକୁ ଦେଲେ ବାହୁଡ଼ାଇ ୪୭ ।୧୦୯।
ନିଜ ମନ୍ଦିରରେ ଯାଇଂ ପ୍ରବେଶ ହୋଇଲେ ।
ଚାଟକୁ ସଂଗଣେ ଘେନି ଭୁଞ୍ଜିଣ ବସିଲେ ।୧୧୦।
ଆଞ୍ଚୋବନ ୪୮ ସାରି ସେ ପ‌ହୁଡ଼ିଲେ ୪୯ ନିଶି ।
ୟେମନ୍ତେଣ ରାତ୍ର ପାହି ଦିବସ ପ୍ରକାଶି । ୧୧୧।


ଅନୁସରି ଇଚ୍ଛାବତୀ ବସିଅଛି ଆସି ।
ୟେମନ୍ତ ସମୟେ ଗୁରୁ ମିଳିଗଲେ ଆସି ।୧୧୨।
ୟେକା ହୋଇଂ ଗୁରୁ ଯହୁଁ ହୋଇଲେ ପ୍ରବେଶ ।
ଚାଟକୁ ନ ଦେଖି ଇଚ୍ଛା ଉଡ଼ିଲା ସାହସ ।୧୧୩।
ତୁମ୍ଭେତ ଅଇଲ ଗୁରୁ ଚାଟତ ନଇଲା ।
ଓଝାୟେ ବୋଇଲେ ଚାଟ ଗୃହରେ ରହିଲା ।୧୧୪।
ୟେହା ଶୁଣି ଇଚ୍ଛାବତୀ ବିକଳ ଶରୀର ୫୦
ଫେଡ଼ି କ‌ହିଲା ମନେ ରହିଲା ଅନ୍ତର ୫୧ (?) ।୧୧୫।
ଆମ୍ଭେ ନ‌କ‌ହିଲୁଂ ଗୁରୁ ଜାଣିଲେ କେମନ୍ତେ ?
ଚାଟ‌ହିଂ ନଈଲା ଅବା ତ‌ହିଂର ନିମନ୍ତେ ।୧୧୬।
ୟେମନ୍ତ ସମୟେ ମୁଦୁସୁଲୀ ପରବେଶ ।
ମୋଣୋହିଂ ସାରିବ ମାୟେ ବ‌ହନ ଗୋ ଆସ ।୧୧୭।
ୟେମନ୍ତ ଶୁଣିଣ ଇଚ୍ଛା ଅନ୍ତପୁର ଗଲା ।
ଦୀନ ବନମାଳୀ ୟେହା ଗୀତରେ ଗାଈଲା ।୧୧୮।


ତୃତୀୟ ଛାନ୍ଦ

ଆଷାଡ଼ ଶୁକ୍ଳ ବାଣୀରେ ଗାଈବ ।
ୟେଥୁ ଅନନ୍ତରେ ଶୁଣ ସୁଜନ
ଇଚ୍ଛାବତୀ ଗଲା ନିଜ ଭବନ ।
ଚାଟକୁ ନ ଦେଖି ବିକଳ ମତି,
ଚଉକତିକି ଚାହାଂଇ ନିରେଖି,
ସେ ତରୁଣୀବର, କମ୍ପଇ କାମେ ହୋଇଣ ଅଥିର ।୧।

ମନର ବେଦନା ନ‌ଜାଣେ କେହି,
ଦଇବ ବିନୁ ଆନ‌ଗତି ନାହିଂ
ତେଜିଲା ଭୋଜନ ଶୟନ ସେହି,
ବାମାରତନ ପ‌ହୁଡ଼ିଲା ଯାଇଂ,
ସେ ଚାଟ ବିଚ୍ଛେଦ
କେ ତାହା ଜାଣିମ ହୃଦ ବିଚ୍ଛେଦ ।୨।

ମୁଦୁସୁଲୀ ରାଣୀ ଆଗେ କ‌ହିଲେ,
ଇଚ୍ଛାବତୀ ତ ମଣୋହୀଂ ନୋହିଲେ ।
ବେସନ ନାହିଂ ତାପେ ଗୁରୁତର,
ଶୋଇଲା ବାମା ରତ୍ନପଲଂକର ।


ତା ଶୁଣି ଜନନୀ,
ବେଗେ ଅଇଲେ ମନେ ତାପ ଘେନି ।୩।

ପଲଂକେ ରାଣୀ ବସିଲେକ ଯାଇ,
ଆଶ୍ୱାସ କରି କ‌ହନ୍ତି ମଣାଈଂ ,
ତୁ ମୋର କୁଳମଣ୍ତଣୀ ଗୋ ଜେମା,
କି ନିମନ୍ତେ ତାପ କରିଛୁ ଜେମା,
ମୋ ଦୁଃଖୀରତନ,
ଦରିଦ୍ର ନିଧି ଅମୂଲ୍ୟ ରତନ ।୪।

ପିତା ତୋର ବନ୍ଧୁ ବାନ୍ଧେବ ,
ସବୁରି ଦୁଲଣା ଅତି ସୁଲଭ ।
କାହିଂପାଇଂ କି ମନେ ୟେତେ ତାପ,
କ‌ହୁକିନା ମୋର ଦୁଃଖର ବାପ,

ମୋ ଜୀବର ବନ୍ଧୁ,
ନୂଛି ହୋଇଯିବି କରୁଣାସିନ୍ଧୁ ।୫।
ମାତାଙ୍କ ଚାଟୁ ଶୁଣି ଇଚ୍ଛାବତୀ
ହୃଦବେଦନା କେହି ନ ଜାଣନ୍ତି,
ବଞ୍ଚାଇ କ‌ହନ୍ତି ଶୁଣ ଗୋ ମାଏ,
ଆଜ ମୋ ତନୁ ଅଳସିତ କାୟେ ।
କିଛି ନାହିଂ ଆନ,
ଅନ୍ନ ନଭୁଞ୍ଜିବି ଲିପ ଚନ୍ଦନ ।୬।

ଶୁଣିଣ ମାତା ଚଳିଗଲେ ଖରେ,
କର୍ପୂର ଚନ୍ଦନ ପନୀର ନୀରେ,
ଚୂଆ ଚନ୍ଦନ ନାନା ଦ୍ରବ୍ୟ ମାନ,
ମୁଦୁସୁଲୀ ହାଥେ ଦେଲେ ବ‌ହନ,
ମୋ ଜେମାକୁ ଲିପ,
ଯେମନ୍ତେ ତୁଟଇ ହୃଦର ତାପ ।୭।
ପରିବାରୀମାନେ ବେଗେ ଅଇଲେ,
ପୟର ମାଡ଼ି ଚନ୍ଦନ ଲେପିଲେ,
ମଦନବାଣ ବିନ୍ଧଇ ହୁତାସ,
ଉଠଇ ବସଇ ଛାଡ଼େ ନିଶ୍ୱାସ,
ସେ ଚାଟ ବିଚ୍ଛେଦ,
କେ ତାହା ଜାଣିମ ହୃଦର ଭେଦ ? ୮।

ଅମ୍ବବତୀ ନାମେ ଆତ୍ମାର ସଖୀ,
ସେ ଯାଇଂ ପଚାରଇ ଚନ୍ଦ୍ରମୁଖୀ,
ବାଳୁତ ତରୁଣୀ କାମେ ଦୁଃଖିତ,
ମୋତେ କିମ୍ପାଇଂ ନ ‌କ‌ହୁ ସଘାଂତ
ମୁଂ ତୋର ବିଶ୍ୱାସ,
ନିରତେ ସେବା କରୁଥାଇଂ ପାସ ।୯।
କେବଣ ବେଦନା ମୋତେ ନ କ‌ହୁ,
କିମ୍ପାଇଂ ୟେତେ ଦୁଃଖେ ଦିନ ନେଉ,
ତୋହ ଘେନି ସବୁ ମୋର ସମ୍ପଦ,
ମୋତେ ଅନ୍ତର କରୁଥାଉ ଚାନ୍ଦ ।
ଦୁଇକର ଧରି,
ଆଶ୍ୱାସି ବସାଇଲା କୋଳକରି ।୧୦।
ସଖୀକି ଦେଖିଣ କୋପେ ଦୁଃଖିତ,
କି କରିବି ମୋତେ କ‌ହ ସଘାଂତ,
ତୋହ ନଥିଲା ଘେନି ମୋର ସଖୀ,
ମୋ ବେଦନା କି ନ ଜାଣୁ ସଖି !
ତୁମ୍ଭେ ଗୁଣମଣି,
ଜୀବନ ରଖ ମୋ ପ୍ରାଣମିତଣି !୧୧।
ସମସ୍ତ ଦାସୀମାନଙ୍କୁ ବଞ୍ଚାଇଂ
ଅମ୍ବବତୀକି କ‌ହନ୍ତି ମଣାଇଂ୧୦

ମୋହ ଜୀବନ କିମ୍ପା ବଞ୍ଚିଅଛି,
ଧର୍ମ ଚାଟକୁ ନ ପାରଇ ମୃଛି,
ସେ ପୁରୂଷବର,
ତାତ‌ହିଂ ୧୧ ରହିଛି ଜୀବନ ମୋର ।୧୨।
ସୁବୁଦ୍ଧି ୧୨ ପୁରୁଷ ନାଗରବର,
ତାର ବିଚ୍ଛେଦେ ମତିଭ୍ରମ ମୋର,
ଯେବେ ଜୀଇବି ସଖି ତାକୁ ଆଣ,
ନୋହିଲେ ସଖୀ ତେଜିବି ପରାଣ,
ସେ ମୋହ ଜୀବନ,
ତାକୁ ନ ଦେଖି ନ ସରଇ ଦିନ ।୧୩।
ତୁ ସଖୀ ଆତ୍ମାକାରେଣୀ ୧୩ ମୋହର ୧୪,
ତୋହ ଘେନି ସିନା ମୋର ବିଚାର,
ୟେକଠାବରେ ବିଦ୍ୟା ପଢ଼ୁଥିଲୁଂ,
ଦୁହେଂ କାମ‌ଭୋଳେ ମତ୍ତ ହୋଇଲୁଂ,
ବଢ଼ିଲା ସୁରତି,
ସୁବେଶ ପୁରୁଷ ସଂଗେ ପୀରତି ।୧୪।
ମାଳତୀ ତୁଲେ ଭ୍ରମର ଯେମନ୍ତ,
ମୋତେ କୁମର କଲାକ ତେମନ୍ତ,

କଲେ ଦଇବ ବିଚ୍ଛେଦ କଷଣ,
ନିଶ୍ଚୟେଂ ସଖି ତେଜିବି ପରାଣ,
ଚାଟ ମୋତେ ଦିଅ,
ଚାରୁ ଘରକୁ ବେଗେ ଚଳିଯାଅ ।୧୫।
ଚରଣ ଧରି ଲୋଟଇ ସୁନ୍ଦରୀ,
ଆଶ୍ୱାସ କରି ଅମ୍ବବତୀ ନାରୀ,
ୟେ ଛାର କଥାକୁ ନ‌କର ଶୋକ
ମନ ଥିରକର ଯୁବା ବିବେକ
ଅଥିର ଗୋ ନୁହଂ,
ବିଚାରି କାର୍ଯ୍ୟ ସାଧନାଇଂ ୧୫ ପାଅ ।୧୬।
ସଖୀ ପ୍ରବୋଧି ସ‌ହଚରୀ ଗଲା,
ଗୁରୁଂକ ଘରେ ଚାଟକୁ ଦେଖିଲା,
ଚତୁରୀ ନାରୀ ଭଲ ଠାବ କଲା,
ସଖୀ ବିରହ ତାହାକୁ କ‌ହିଲା,
ସଖୀର ବେଦନା,
ଚାଟକୁ କ‌ହିଲା ଅତି ଶୋଚନା ।୧୭।
ଜୀବନ ତେଜି ମରୁଅଛି ଭାଳି,
ତୋତେ ନ ଦେଖି ଇଚ୍ଛାବତୀ ବାଳୀ ୧୬,
ନ ରୁଚେ ଗନ୍ଧ ଚନ୍ଦନ ସୁବେଶ,
ଅମୀୟ ୧୭ ପାନ ନ କରଇ ଗ୍ରାସ,

ବେଗେ ଚାଲ ଯିବା,
ଇଚ୍ଛାବତୀକି ଜୀବଦାନ ଦେବା ।୧୮।
ଶୁଣିଣ ଚାଟ ବୋଲଇ ବଚନ,
ମୁଂ ଛାର ଅଟଇ ଭିକ୍ଷାସି ୧୮ ଜନ,
ନୃପତି କୁମାରୀ ପାଇବି କାହିଂ,
ରାଜା ଜାଣିଲେ କନ୍ଧେ ମୁଣ୍ତ ନାହିଂ,
ନ କ‌ହ ଏମନ୍ତ,
ତୁମ୍ଭେ ରାଜାଲୋକ ଆମ୍ଭର ମାତ ।୧୯।
ନିରେଖ ମୁଂଜେ ମାତା ପିତା ନାହିଂ,
ଗୁରୁଙ୍କ ଘରୁ ଅନ୍ନ ମାଗିଖାଈଂ,
ଧର୍ମ ପିତା ମୋର ଗୁରୁ ଗୋସାଈଂ,
ତାହାଙ୍କ ବିନୁ ଆନ ଆଶ୍ରେ ନାହିଂ,
ତୁମ୍ଭେ ବେଗେ ଚଳ
ଗୁରୁ ଜାଣିଲେ ମୋ ପୂରିବ କାଳ ।୨୦।
ଅମ୍ବବତୀ ବୋଲେ ଶୁଣ କୁମର,
ବନମାଳା ସଖୀ ଦେଇଛି ୧୯ ମୋର,
ସଂସାରେ ୟେକା ପ୍ରୀତି ରହିଥାଇ,
ୟେତେ ଅପ୍ରୀତି କର କାହିଂ ପାଈଂ,
ସତ୍ୟ କରିଅଛି,
ମୋ ସଖୀ ତୋତେ ନ ପାରଈ ମୃଚ୍ଛି । ୨୧।

ୟେତେ ବୋଲି ମାଳ ଗଳେ ଲମ୍ବାଈ,
ଅନେକ ଚାଟୁ ବଚନ ବୁଝାଈ,
ଶୁଣି କୁମର ସନମତ କଲା,
ସନ୍ଧ୍ୟା ସମୟରେ ବାହାର ହେଲା,
ୟେକାକୀ କୁମର ୨୦,
ସ୍ତ୍ରିରୀ ରୂପରେ ପଶିଲାକ ଚୋର ୨୧ ।୨୨।
ଭୂମିରେ ଶୟନ ତେଜି ପଲଂକ,
ଧୂଳୀରେ ଯେହ୍ନେ ଅଡ଼ିଥାଈ ରଂକ,
ଦେଖି କୁମର ଚକିତ ହୋଇଲା,
ଧୂଳୀ ଝାଡ଼ି ତନୁ କୋଳେ ଧଇଲା,
ବିବିଧ ସୁବେଶ,
ମାଜଣା ମୋଣୋହୀଂ ଅମୀୟ ରସ ।୨୩।
ଲାଜେ ସୁନ୍ଦରୀ ନ ଟେକଈ ଶିର,
ପଲଂକେ ବିଜେ କୁମାରୀ କୁମାର,
ଇଚ୍ଛାବତୀ ଆଗେ କ‌ହଇ ଚାଟ,
ଗୁରୁ କରିଥାନ୍ତି ଅତି ଆକଟ,
ଆସି ନ ପାରଇ,
ମୋ ଛାର ଦୋଷ ନ‌ଧର ଗୋ ସ‌ହି ! ।୨୪।
ଶୁଣି ଇଚ୍ଛାବତୀ ତୋଷ ହୋଇଲା,
ଭୁଜେ ଭିଡ଼ି ମୁଖେ ଚୁମ୍ବନ ଦେଲା,

୨୦ । ୟେକ କାଠ ମେରି (ପୋଥିପାଠ) ।

୨୧। 'ପଶିଲା କ ଚୋର' ଅପେକ୍ଷା 'ପଶିଲ ନବର' ସୁନ୍ଦର ହେବ

ଶୟନ ୨୨ ତେଜି ବିବିଧ ସୁରତି,
ଚଉଷଠୀ ବନ୍ଧେ କଲେକ ରତି,
କନ୍ୟା ଅନ୍ତପୁରେ ୨୩,
ୟେମନ୍ତେ ଚାଟ ରହିଲା ରାତ୍ରରେ । ୨୫।
କେହି ନ‌ଜାଣଈଂ ଜାଣଈଂ ସଖୀ,
ଅମ୍ବୁବତୀ ପାଖେ ଥାଇ ନିରେଖି,
ୟେକ ୨୪ କାଠ ମେଢ଼େ ସ୍ତ୍ରୀରୀଂକ ବାସ,
ତ‌ହିଂକି ଗମିଲା କେଉଂ ପୁରୁଷ,
କେହି ନ‌ଜାଣଈଂ,
ଚାଟ ରହିଲା ଇଚ୍ଛାବତୀ ତ‌ହିଂ ।୨୬।
ଓଝାୟେ ଚାରିଆଡ଼େ ଖୋଜୁଥାନ୍ତି,
ଚାଟ କେଣେ ଗଲା ଅନ୍ତ ନ ପାନ୍ତି,
ବୋଇଲେ ଆମ୍ଭଂକୁ ନ‌କ‌ହି ଗଲା,
ଧର୍ମ ହୋଇଣ ସେ ଅନ୍ତର କଲା,
ଅନ୍ନ ବସ୍ତ୍ର ଦେଲୁ,
ଧର୍ମ ନନ୍ଦନ ୨୫ ପ୍ରତି-ପାଳିଥିଲୁ ।୨୭।
ସେ ଯାହା ଅର୍ଜିବ ଭୁଂଜିବ ତାହା,
ଦଈବ ଆଣି ଭେଟାଇଛି ଯାହା,

୨୨। ସୋୟନ (ପୋଥିପାଠ) ୨୩। ଅନ୍ତେଶ୍ୱରପୁରେ (ପୋଥିପାଠ) କିନ୍ତୁ ଉକ୍ତ ପାଠ ଦ୍ୱାରା ଅର୍ଥ ସଙ୍ଗତ ହୋଊନାହିଁ ।

୨୪। ୟେକ କାଠମେଢ଼ - ବିଶେଷ ପ୍ରହରୀ ନିଯୁକ୍ତ‌ଥିବା କନ୍ୟାନ୍ତଃପୁର ।

୨୫। ଧର୍ମର ନନ୍ଦନ (ପୋଥିପାଠ) ।

ଆମ୍ଭ ସମ୍ଭାଳିବା ୨୬ କିସ ହୋଇଲା,
କାଳେ ଆମ୍ଭଂକୁ ଅପଛାତି ୨୭ ଦେଲା,
ଧାତା ତାଂକୁ ରଖ,
ୟେତେ ବୋଲି ଗୁରୁ ମନେ ବିମୁଖ ।୨୮।
ସ୍ୱଭାବେ ଆଗମ ଶାସ୍ତ୍ର ଜାଣନ୍ତି,
ବିଦ୍ୟାରେ ପରିପୂର୍ଣ୍ଣ ସେ ଅଟନ୍ତି,
ତେଣୁକରି ସର୍ବ ଜାଣନ୍ତି ତାହିଂ,
ବେଳକୁ ସେ କଥା ଜାଣନ୍ତି ସେହି ୨୮,
ୟେମନ୍ତ କୁମର,
ଲୁଚି ଆହିଲା କୁମାରୀ ସଂଗର ।୨୯।
ୟେକର ଆଗେ ଆରେକ କ‌ହନ୍ତିଂ,
ରତିଚୋର ସଂଗେ ଇଚ୍ଛା ପୀରତି,
ୟେସନ ଧ୍ୱନି ୨୯ ଶୁଭିଲା କଟେକ,
ବୋଲାବୋଲି ୩୦ ହୁଅନ୍ତି ସର୍ବ ଲୋକ,
ଦୂତ ଯେ ଶୁଣିଲା,
ତୁରିତେ ୩୧ ରାଜା ଛାମୁରେ କ‌ହିଲା ।୩୦।

୨୬। ସମ୍ଭାଳିଲା (ପୋଥିପାଠ) କିନ୍ତୁ 'ସମ୍ଭାଳିବା' ଦ୍ୱାରା ଅର୍ଥ ସୁସ୍ପଷ୍ଟ ହୁଏ ।

୨୭। ଅପଛାତି - ଅପଖ୍ୟାତି ଅର୍ଥରେ

୨୮। ଏ ପାଦଟିର ଅର୍ଥ ସ୍ପଷ୍ଟ ନୁହେଁ ।

୨୯। ଖୁନି (ପୋଥିପାଠ) ।

୩୦। ବୋଲାବୋଲି ହେବା - କୁହାକୁହି ହେବା ।

୩୧। ତୁରିରେ (ପୋଥିପାଠ)।

ୟେମନ୍ତ ତ‌ହିଂ କେତେ ଦିନ ଗଲା,
ଇଚ୍ଛାଚାଟ ମୁଦୁସୁଲୀ ଦେଖିଲା,
କୁମାରୀ ଡ଼ରେ ସେ ନ କଲା ଗୋଳ,
ୟେକ ଆରେକ ସେ ମୁଖ ଚ‌ହଳ,
ସେ କାହୁଂ ରହିବ ?
ଅବଶ୍ୟ ସେହୁ ପ୍ରଘଟ ୩୨ ହୋଇବ ।୩୧।
ଶୁଣି ନୃପତି ଦୋସାଧୁ ହକାରି ୩୩,
ଚୋର ସଂଗେ ଇଚ୍ଛାବତୀ କୁମାରୀ,
ଧରି ଆଣି ମୋର ଛାମୁରେ ଦେବୁ,
ନୋହିଲେ ତୋ ବଂଶ ନିଶ୍ଚେ ନାଶିବୁ
ତା ଦୋସାଧୁ ଶୁଣି,
ନ‌ଗ୍ର ପାଟଣା ଫେରି ୩୪ ଖୋଜେ ପୁଣି ।୩୨।
ରାଜା ନ‌ବର ୟେକ କାଠିପୁର,
କନ୍ଦି ବିକନ୍ଦି ଆଡ଼ ଓହାଡ଼ର ୩୫,
ସ୍ତ୍ରିରୀ ମଧ୍ୟେ ପଶି ଠାବ ସେ କଲା,
ଅନେକ ଧନ ବସନ ବ‌ହିଲା ୩୬,
ଚୋର ଠାବକଲା,
ସ୍ୱରୂପ ବ‌ନମାଳୀ ଯେ କ‌ହିଲା ।୩୩।

୩୨। ପ୍ରଘଟ-ପ୍ରକାଶ । ୩୩। ହଜାରି - ଡ଼ାକି ।୩୪। ଫେରି - ବୁଲି ।

୩୫। ଉ‌ହାଡ଼, ଶୁଦ୍ଧପାଠ । ୩୬। 'ବ‌ହିଲା' ପରିବର୍ତ୍ତେ 'ଯେ ଦେଲା' ହେଲେ, ଦୋସାଧୁ ଅନେକ ଧନ ବସ୍ତ୍ର ବିନିମୟରେ ଚୋର ଖୋଜି ବାହାର କରିବାରେ ସମର୍ଥ ହୋଇଥିଲା ବୋଲି ଅର୍ଥ ସୁସ୍ପଷ୍ଟ ହେବ ।

୪ର୍ଥ ଛାନ୍ଦ
ରାଗ - କେଦାର
(କେଦାର ଚକ୍ରକେଳୀ ବାଣୀରେ ଗାଇବ)

ଏଥୁ ଅନନ୍ତରେ ଶୁଣ ସୁଜନ
ଚାଟ ଇଚ୍ଛାବତୀ ରସ ବିଧାନ ।୧।
ରାଜା ଶୁଣିଣ ମହା କୋପ କଲା,
ନ‌ଗ୍ର ଦୋସାଧୁ ଚାହିଂ ଆଂଗ୍ୟା ଦେଲା ।୨।
ତୁହୋ ରତି ଚୋରକୁ ଧରିନେବୁ,
ନେଇ ନ‌ଗ୍ରପ୍ରାନ୍ତେ ଶିର ଛେଦିବୁ ।୩।
ୟେଡେ ଗରବ ତାହାର ହୋଇଲା,
ୟେକ କାଠି ମେଢ଼କୁ ସେ ଗମିଲା ।୪।
ଭଲା ଦୋସାଧୁ ପଣେ ରାଜ୍ୟେ ଥାଉ,
ଛିଦ୍ର କ‌ଥାମାନ ମୋତେ ନ କ‌ହୁ ।୫।
ଶୁଣି ଦୋସାଧୁ ପାୟେ ପଡ଼ି ଶୋଈଂ,
ଆଂଗ୍ୟା ପ୍ରମାଣେ ଚୋର ଧରିବଈଂ ।୬।
ୟେତେ ବୋଲି ଭାଳଈ ନିରନ୍ତର,
ଚୋର ଖୋଜିବି କେବଣ ପ୍ରକାର ।୭।
ୟେ ନ‌ଗ୍ର କ‌ଟକରେ ଚୋର ନାହିଂ,
ସ୍ତିରୀ ନ‌ବରେ ଚୋର ଥିବ ରହିଂ ।୮।

୧। ଦୋସାଧୁ = କଟୁଆଳ ବା ନ‌ଗର ରକ୍ଷକ ।

୨। ନ ପାନ୍ତେ (ପୋଥିପାଠ)

ସ୍ତିରୀ ମଧ୍ୟେ ଗମି ଭେଟ କରିବି,
ବ‌ହୁତ ଧନବସ୍ତ୍ର ମୁହିଂ ଦେବି ।୯।
ୟେତେ ବୋଲି ସିଘଂଦ୍ବାର ଭିତରେ,
ନିତି ଗମଈଂ ଗୁପତ ପ୍ରକାରେ ।୧୦।
ଇଚ୍ଛାବତୀ ନିଯୋଗ ପରିବାରୀ ,
ଯୁବାସ୍ତିରୀ ରାମା ସେ ଯେ ସୁନ୍ଦରୀ ।୧୧।
କେହୁ ଜଳ ପୂରାଈ ଘେନିଗଲେ,
କେହୁ ନିଯୋଗ କୁମରେ ଖଟିଲେ ।୧୨।
ନାନା ନିଯୋଗ ପରିବାରୀ ଯେତେ,
ରଜକାରୀ ମାହାର ଆଦି ଯେତେ ।୧୩।
ଯେହୁ ଇଚ୍ଛାବତୀର ସେ ଆସିବ,
କେବା ଜାଣିମ ଯେ ଚିତ୍ତ ତାହାଂକ ।୧୪।
ଧନ ବସନ ଦେଲାକ ବ‌ହୁତ,
ରାଜା ମାରିବ ବୋଲି ଥାଇ ଦୂତ ।୧୫।
ତାଂକୁ କେହି ନ କ‌ହନ୍ତି ବଚନ,
କାହିଂ ଜାଣିମେ ଭେଦ କଥା ମାନ ।୧୬।
ୟେକ ମୁଦୁସୁଲୀ ନାମେ ମଦନା,
ପରଦୁଃଖେ ଜାଣେ ସେହୁ ବେଦନା ।୧୭।

୩। ଧନବଶ୍ର ମୁହିଁ ନେବି (ପୋଥିପାଠ)

୪। 'ପରିବାରୀ' ଶବ୍ଦ ସେବିକା ଅର୍ଥରେ ପ୍ରୟୋଗ ହୋଇଛି । ଯଥା ପୋଇଲି ପରିବାରୀ ।

୫। ରଜକାରୀ = ଧୋବଣୀ ।

୬। ମାହାର ପଦ ମେହନ୍ତରାଣୀ ଅର୍ଥରେ ବ୍ୟବ‌ହୃତ ହୋଇଛି ।

ଦିନେ ପଚାରିଲେ ସେ ଦୋସାଧୁକୁ,
  ତୁମ୍ଭେ କିନିମନ୍ତେ ଆସ ୟେଥକୁ ।୧୮।
ସ୍ତିରୀ ଭିତରେ ପୁରୁଷେକ ଦେଖି,
 କିମ୍ପା ନ‌ବରକୁ ଆସ ନିରେଖି ।୧୯।
କାନ୍ଦି ଦୋସାଧୁ ବୋଲେ ଶୁଣ ମାୟେ,
  ରାଜା ବିଷାବଳି ଦେବ ନିଶ୍ଚୟେଂ ।୨୦।
ୟେକ କାଠି ମେଢ଼ରେ ରତି ଚୋର,
 ଇଚ୍ଛାବତୀ ସଂଗେ ତାର ବିଚାର ।୨୧।
ୟେହୁ କ‌ଟକେ ଗୋଳ ବାଜୁଅଛି,
ରାଜା ହକରାଈଂ ମୋତେ ତର୍ଜିଛି ।୨୨।
ଚୋର ଧରି ଦେବୁ ଆମ୍ଭ ଛାମୁର,
ନାହିଂ ବଂଶ ମାରିବି ତୋ ନିକର ।୨୩।
ମାୟେ ତୁମ୍ଭେ ମୋ ବଂଶ ରକ୍ଷା କର,
ଧନ ବସନ ନିଅସି ଅପାର ।୨୪।
ଚୋର କେମନ୍ତେ ୧୦ ଭେଟାଇବ ମୋତେ,
ତୁ ମୋ ଧର୍ମମାତା ଅଟୁ ଯୁଗତେ ୧୧ ।୨୫।
ପାଦ ଧରିଣ ଦୋସାଧୁ ଶୋଇଲା,
ଶୁଣି ମଦନା ମନେ ଦୟାକଲା ।୨୬।

୭। ବିଷାବଳିଦେବା - ବିଷଦେଇ ମାରିବା ।

୮। ତଜିଛି (ପୋଥିପାଠ) ତର୍ଜିଛି - ତର୍ଜନା ଦେଇଛି ।

୯। 'ନଇଲେ ନିଶ୍ଚୟ ତୋ ବଂଶ ମାରିବି' ଏ ପାଦର ଅର୍ଥ ।

୧୦। କେମନ୍ତେ - କୌଣସି ପ୍ରକାରରେ ।

୧୧। ଯୁଗତେ - ପ୍ରକୃତରେ ।

(୩୮)

ବୋଲେ ସନ୍ଧ୍ୟାରେ ସ୍ତିରୀ ବେଶ ଧରି,
ଯାଇ ପଶିବୁ ୟେକ କାଠି ପୁରୀ ।୨୭।
ଚୋର ଇଚ୍ଛାବତୀ ୟେକ ପଲଂକେ,
ନାନା କ୍ରୀଡ଼ା କରୁଥିବେ୧୨ ନିଶଙ୍କେ ।୨୮।
ତାକୁ ସମସ୍ତ ମଣାଈଂ୧୩ କହିଲା,
କେହି ନ ଜାଣନ୍ତି ୟେହା ବୋଇଲା ।୨୯।
ଶୁଣି ଦୋସାଧୁ ମନରେ ହରଷ,
ୟେହି କଥାତ ଅଟି ଯୁଗତ୧୪ ।୩୦।
ଦୁଃଖ ସୁଖେଣ ଦିବସ ରହିଲା,
ସ୍ତିରୀ ରୂପେଣ ଦୋସାଧୁ ପଶିଲା ।୩୧।
ଆସି ମିଳିଲା ୟେକ କାଠି ପୁରୀ,
ଯହିଂ ଅଛନ୍ତି କୁମର କୁମାରୀ ।୩୨।
ଯାହା ମଦନା ତାକୁ କହିଥିଲା,
ସେହି ରୂପରେ ଚୋରକୁ ଦେଖିଲା ।୩୩।
ରଜ୍ଜୁ୧୫ ଘେନିଣ କଟୀରେ ବାନ୍ଧିଲା,
ନିଜ ଘରକୁ ବୋଲି ଘେନିଗଲା ।୩୪।
ଇଚ୍ଛାବତୀ ମରଡ଼ାଶାଳେ୧୬ ଥିଲେ,


୧୨। 'କରୁଥିବ'(ପୋଥିପାଠ), କିନ୍ତୁ ଇଚ୍ଛାବତୀ ଓ ଚାଟ ଦୁହେଁ କ୍ରୀଡ଼ା କରୁଥିବେ ହେବା ସଙ୍ଗତ।
୧୩। ମଣାଈଂ-ବୁଝାଇ।
୧୪। ଯୁଗତ(ପୋଥିପାଠ), 'ଯୁଗତ'(ଯୁକ୍ତିଯୁକ୍ତ) ଶବ୍ଦ ଦ୍ୱାରା ଅର୍ଥ ପ୍ରକାଶରେ କୌଣସି ବାଧା ଉପସ୍ଥିତ ହେଉ ନଥିଲେହେଁ ଉଭୟ ପାଦର ଶେଷ ଅକ୍ଷର ସମାନ ହେଉନାହିଁ ।
୧୫। ରେପୁ(ପୋଥିପାଠ)।

୧୬। ଅର୍ଥ ଅସ୍ପଷ୍ଟ।

ଶୁଣି ସେହି ଭୂମିରେ ମୋହଗଲେ ।୩୫।
ସବୁଠାରେ ବାଜିଲା (ସେ) ୧୭ ଚ‌ହଳ,
ରତିଚୋରକୁ ୧୮ ଧଈଲା କଟୁଆଳ ।୩୬।
ଇଚ୍ଛାବତୀର ପ୍ରାଣ ଛାଡ଼ିଗଲା,
ଚୋର ଦୋସାଧୁ ଘରେ ବନ୍ଦିହେଲା । ୩୭।
ୟେଥି ଉତ୍ତାରୁ ରଜନୀ ପାହିଲା,
ଦୋସାଧୁହିଂ ନିତ୍ୟକର୍ମ ସାରିଲା ।୩୮।
ରାଜା ଆସ୍ତାନେ କରି ୧୯ ବସିଛନ୍ତି,
ଯାଇଣ ଦୂତ ଛାମୁରେ ଜଣାନ୍ତି ।୩୯।
ଦେବ ଶୁଣିମା ହେଉ ସାବଧାନ ୨୦,
ଦୋସାଧୁ ଆସୁଅଛି ୨୧ ଚୋର ପୁଣ ।୪୦।
ରାଜା ବୋଲେ ବେଗେ ଆସି ୨୨ ଛାମୁକୁ,
ନ‌ଗ୍ରଲୋକେ ବେଢ଼ିଛନ୍ତି ତାହାକୁ ।୪୧।
ୟେହା କ‌ହନ୍ତି ନୃପତି ଛାମୁର,
ନ‌ଗ୍ର ଦୋସାଧୁ ଆଣୁଅଛି ଚୋର ।୪୨।

୧୭। 'ସେ' ଅକ୍ଷରତି ପୋଥିରେ ନାହିଁ ।

୧୮। 'ରତିଚୋରେ' ହୋଇଥିଲେ ଛନ୍ଦଭଙ୍ଗ ହୁଅନ୍ତା ନାହିଁ ।

୧୯। 'ରାଜା ଆସ୍ଥାନେ ବିଜେ କରିଛନ୍ତି' ହେଲେ ସୁନ୍ଦର ହେବ ।

୨୦ । ସାବଧାନେ (ପୋଥିପାଠ)

୨୧। ଆସୁଅଛି ସ୍ଥାନରେ 'ଆଣୁଅଛି' ହେଲେ ଅର୍ଥ ସୁସ୍ପଷ୍ଟ ହେବ ।

୨୨। 'ଆସ' ପରିବର୍ତ୍ତେ 'ଆଣ' ହେବା ଅଧିକ ଯୁକ୍ତିଯୁକ୍ତ ।

ନ‌ଗ୍ର ଲୋକେ ଧନ୍ୟ ଧନ୍ୟ କରନ୍ତି,
କୁମର ମୃତି ୨୪ ଦେଖି ମୋହ ଯାନ୍ତି ।୪୩।
ଧନ୍ୟ ପୁରୁଷ ଧନ୍ୟ ପିତା ମାତା,
ପୃଥୀ ହିତରେ ଗଢ଼ିଛି ବିଧାତା ।୪୪।
ଇଚ୍ଛାବତୀ କି ୟେହା ମୁରୁଛିବ ୨୫
ୟେହା ମଲେ ଇଚ୍ଛା ନିଶ୍ଚେଂ ମରିବ ।୪୫।
ଚୋର ଅଣ୍ଟାରେ ଦଉଡ଼ି ବାନ୍ଧିଛି,
ବେକେ ଗଳଥା ୨୬ ମାରି ଆଣୁଅଛି ।୪୬।
କିସେ ରୂପକୁ କାମ ପଟାନ୍ତର,
ୟେଡ଼େ ସୁନ୍ଦର ନାହିଁ ପଟାନ୍ତର ।୪୭।
ରାଜା ଛାମୁରେ ମେଇ ଭେଟାଇଲେ,
ଦେଖି ଭୋଜ ନୃପତି ମୋହଗଲେ ।୪୮।
ଚାହିଂ ହୋଇଲେ ଇଚ୍ଛାକୁ ଭାର୍ଜନ ୨୭
ୟେତ ଅଟଇ ନୃପତି ନନ୍ଦନ ।୪୯।
ଜେମା ସାଦ୍ରିଶେ ୨୮ ୟେ ବର ଅଟଇ,
ୟେହି ୨୯ ଆମ୍ଭ ମନ‌କୁର ଖଟଇ ।୫୦।
ୟେହା ମଲେ ଜେମା ନିଶ୍ଚେଂ ମରିବ,
ଦେଖି ଜାଣିମା କେମନ୍ତ ପଡ଼ିବ ୩୦ । ୫୧।

୨୪। ମୂର୍ତ୍ତି । ୨୫। ମୁରୁଛିବ = ତେଜି । ୨୬। ଗଳଥା = ତଣ୍ଟିଆ ବା ବେକରେ ଧକ୍‌କା । ୨୭। ଭାର୍ଜନ = ଭାଜନ (ଯୋଗ୍ୟ) ଶବ୍ଦର ଅପଭ୍ରଂଶ ।

୨୮। ସାଦ୍ରିଶେ = ସଦୃଶ ପଦର ଅପଭ୍ରଂଶ । ୨୯। ୟେହା ହେବା ବିଧେୟ ।

୩୦। 'ପଡ଼ିବ' ବଦଳରେ 'ହୋଇବ' ପ୍ରୟୋଗ ଦ୍ୱାରା ଅର୍ଥ ସଷ୍ଟ ହେବ । ଅର୍ଥାତ୍ ଏହାପ୍ରତି ଜେମାର ମନେଭାବ କଣ ତାହା ପରୀକ୍ଷା କରିବା ଲାଗି ରାଜା ସ୍ଥିର କଲେ ।

ୟେହା ବିଚାରି ରାଜା ଅବଧାରି ୩୧,
ଆମ୍ଭ ଜୁଆଇଂ ଅଟୁ ଦେଶାନ୍ତରୀ ୩୨ ।୫୨।
ରାଜା ପ୍ରସନ ଚାଟର ବଚନ,
ରାଜା ଭାଷାକୁ ହୋଇ ଅବଧାନ ।୫୩।
ଯେବେ ଭାନୁ ଉଇଂମ ପଶ୍ଚିମରେ,
ବିଚଳିତ ମେରୁଗିରି ଶିଖରେ ।୫୪।
ଇନ୍ଦ୍ର ଦେବତା ଅଗ୍ନି ବରଷିବ,
ଗିରିଶିଖରେ କୁମୁଦ ଫୁଟିବ ।୫୫।
ବାରାନିଧି ଯେବେ କୂଳ ଲଙ୍ଘିବ,
ତେବେ ମହତ୩୨ବାକ୍ୟ ନ ଟଳିବ । ୫୬ ।
ମହାପୁରୁଷ ଯେହୁ ବୋଲାବନ୍ତି,
ଯିବ ଗଲେହେଂ ବଚନ ପାଳନ୍ତି । ୫୭ ।
ତୁମ୍ଭେ ବଂଶିକ୩୪ ଭୋଜ ନୃପବର,
ଯାହା ବୋଳିଛ କରିବ ନିକର । ୫୮ ।
ୟେହା ଶୁଣି ଭୋଜ ରାଜ ଚକିତ,
ଯେହୁ ପଣ୍ତିତ ଅଟେ ବିଦ୍ୟାବନ୍ତ । ୫୯ ।
ୟେତେ ବିତପନ୩୫କାହିଁ ନ ଦେଖି,
ଭାଗ୍ୟ କରିଥିଲା ମୋ ଚନ୍ଦ୍ରମୁଖୀ । ୬୦ ।


୩୧ । ଅବଧାରି=ନିଶ୍ଚିତ କରି । ୩୨ । 'ହେ ବିଦେଶୀ,ତୁ ମୋର ଜୁଆଇଂ ହେବୁ; ଏହା ମନରେ ସ୍ଥିର କଲେ । ୩୩ । ମହତ୍ (ପୋଥିପାଠ)
୩୪ । ବଂଶିକ=ସଦ୍‌ବଂଶଜ । ୩୫ । ବ୍ୟୁତ୍ପନ୍ନ ।

ଚ୍ଚା :ଇ : ୬

ୟେହା ମାରିତ ବିହିତ ନୁହଇ,
କଥା ବୁଝିବା ଧର ତାକୁ ନେଇ ।୬୧।
ୟେଥୁ କିସ ହେବ ପରମାଣିମା ୩୬,
ଭଲା ସଂକେତ ସ‌ବୁହିଂ ଜାଣିମା ।୬୨।
ୟେଥୂଅନ୍ତେ ଦୋସାଧୁ ହକାରନ୍ତି,
ତୁନିକରି ତା କାନରେ କ‌ହନ୍ତି ।୬୩।
ୟେହୁ ମାରିବା ପଦାର୍ଥ ନୁହଇ,
ୟେହା ମଲେ କେ ଜେମାକୁ ଜିଆଇ ।୬୪।
ତାକୁ ଖଡ଼ଗ ୩୭ ପ୍ରହାରିବୁ ନାହିଁ,
ଉଞ୍ଚାଇ ଭୟ ଦେଖାଇବୁ ନେଇ ୩୮ ।୬୫।
ରାଜା ଦୋସ ଧୂୟେମନ୍ତ ବିଚାର,
କେହି ନ ଜାଣନ୍ତି ଜନ ବାହାର ୩୯।୬୬।
ରାଜା ବାହ୍ୟରେ ୪୦ ବୋଇଲେ ବଚନ,
ନେଇଂ ବିଷାବଳି ଦିଅ ବ‌ହନ ।୬୭।
ରାଜା ଆଗ୍ୟାଂରେ ଦୋସାଧୁ ଚଳିଲା,
ନ‌ଗ୍ରବାହାରେ ଶମଶାନେ ନେଲା ୪୧।୬୮।
ରୋଷେ ଖଡ଼ଗ ଧଇଲା ହସ୍ତର,
ନେଈଂ ବସାଇଲା ଚାଟ କନ୍ଧର ।୬୯।
ଇଷ୍ଟ ସୁମରଣା କର ତୋହର,
ରାଜା ନ‌ବରେ ପଶୁ ତୋହ ଛାର ।୭୦।


ଚୋର ବୋଲଇ ମୋର ଦୋଷ ନାହିଂ,
ଇଚ୍ଛାବତୀ ନେଲା ମୋତେ କଢ଼ାଇ ।୭୧।
ଆଜ ବେଳତ ନିଶ୍ଚୟ ମରିବି,
ଇଚ୍ଛାବତୀକି ନିଶ୍ଚୟ ଦେଖିବି ।୭୨।
ତାର ସମ୍ପୂର୍ଣ୍ଣ ଚନ୍ଦ୍ରମାବଦନ,
କାମ ଦ‌ହିବ ଲୋଚନ ଅଞ୍ଜନ ।୭୩।
ଶୁଣ ଦୋସାଧୁ ବଚନ ମୋହର,
ଜଗ‌ନ୍ନାଥ ୪୨ ଭାବନ୍ତି ନିରନ୍ତର ।୭୪।
ନିତ୍ୟେ ଜପୁଛନ୍ତି ୪୩ ନାମ ଯାହାର,
ବ୍ରହ୍ମା ଇନ୍ଦ୍ରଦେବ ଜଗୁ ସୋଦର ।୭୫।
ଆହେ ଦୋସାଧୁ ମୁହିଂ ଭାଗ୍ୟବନ୍ତ,
ଇଚ୍ଛାବତୀ ସଂଗତେ ପ୍ରୀତି ଜାତ ୪୪ ।୭୬।
ପୂର୍ବେ ଦଶଶିର ୪୫ କଲା ତରିଜା ୪୬,
ହରିନେଲା ରାମଚନ୍ଦ୍ର ଭାରିଜା ।୭୭।
ୟେକା ଯୁଈ ରଥରେ ବସାଇଲା,
ୟେତେକ‌କୁ ୪୭ ଦଶଶିର ଛେଦିଲା ।୭୮।
ମୋର ୟେକ ଶର କେତେ ମାତର,
ସୁଖ ଲଭିଲି କୁମାରୀ ସଙ୍ଗରର ।୭୯।
ମୋତେ ବାରେ ଦେଖାଉକିନା ପୁଣି,
ଜୀବ ଯିବାକୁ ମୁକତ ତରୁଣୀ ।୮୦।

ଶୁଣି ଦୋସାଧୁ ଖଡ଼୍‌ଗ ଝମକିଲା,
ଆରେ ନିଲଜ ତୋ ୪୮ ଛାର ବୋଇଲା ।୮୧।
ଜୀବ ଯିବାବେଳେ କୃଷ୍ଣ ନ ଧରୁ,
ସ୍ତିରୀ ଅବଳା ଛାରକୁ ସୁମରୁ ।୮୨।
ଶୁଣି ଚାଟ ମନେ ବ୍ୟଥା ପାଇଲା,
ଇଚ୍ଛାବତୀ ଛାର ତୋତେ ହୋଇଲା ୪୯ ।୮୩।
ଯେଉଂ ଶ୍ରୀରାମ ନାମ ଧରୁ ନିତ୍ୟେ
ସେହି ଇଚ୍ଛାକୁ ଭାବୁଥାଇ ନିତ୍ୟେ ୫୦ ।୮୪।
ୟେହିମତି ହୋଇଣ ରତିଚୋର,
ଉଚ୍ଚ ବାଚ ଶମଶାନ ଭୂମିର ।୮୫।
ଇଚ୍ଛାବତୀ ଯେ ମୋହ ଯାଇଥିଲେ,
ଚାଟ ମରୁଛି ବୋଲିଣ ଶୁଣିଲେ ।୮୬।
ଲାଜ ସଂକୋଚ ୫୧ ସମସ୍ତ ୫୨ ଛାଡ଼ିଲେ,
ୟେକ‌କାଠିରୁ ବାହାର ହୋଇଲେ ।୮୭।
ବଶ୍ର ଲୋଟି ପଢ଼ୁଅଛି ଭୂମିର,
ଫିଟି କବେରୀ ଚରମେ ୫୩ ତାହାର ।୮୮।
ଯାଇ ଶମଶାନେ ୫୪ ନୃପତି ଜେମା,
ରାହୁ ଆବୋରିଲା ଯେହ୍ନେ ଚନ୍ଦ୍ରମା ।୮୯।


ଲୋତକରେ ଅଞ୍ଜନ ଭାସିଯାଇ,
ମୁଖ କମଳ ଆଚ୍ଛା ୫୫ ନ ଦିଶଇ ।୯୦।
କୁମରକୁ ଚାହିଂଣ ଶୋକ‌କରି,
ଆହା ପ୍ରାଣନାଥ ୫୬ ମୋ ୟେତେ ସରି ।୯୧।
ଆରେ ମୁଂ ଛାର ଅଟେ ପାପ ନାରୀ,
ତୋର ଅଙ୍ଗ ଛୁଇଂଲି କେଣୁ ୫୭ କରି ।୯୨।
ମହେଶଙ୍କୁ ଖଣ୍ତ‌ତପ କରିଛି,
ତେଣୁ ମୁଂ ତୋତେ ସେବି ନ ପାରୁଛି ୫୮ ।୯୩।
ଆରେ ଦୋସାଧୁ ମୋର ବୋଲ ଶୁଣ,
ତୋହ ପାଦରେ ପଶୁଛି ଶରଣ ।୯୪।
ଦନ୍ତେ ତିରଣ ଧରିଣ ମାଗଇ,
ୟେ ପରଦେଶୀ ସୁଜନ ଅଟଇ ।୯୫।
ଆରେ ୟେହାକୁ ମୋ ଆଗେ ନ ମାର,
ଯେବେ ମାରିବୁ ଆଗେ ମୋତେ ମାର ।୯୬।
ୟେ ଯେ ପୁରୁଷମାନଙ୍କ ଉତ୍ତମ,
ମୋହ ଛାର କି ୟେହାକୁ ଭାର୍ଜନ ।୯୭।
ତୋତେ ଲକ୍ଷେ କୋଟି ଧନ ଦେବଇଂ
ପରିବାରୀ ପଣୈ ଥିବି ବିନୋଇ ୫୯ ।୯୮।
ଚାରୁବ୍ରହ୍ମକୁ ୬୦ ମୋତେ ଦାନ ଦିଅ,
ଯେବେ ନାଶିବୁ ଦୁଇ ପ୍ରାଣ ନିଅ ।୯୯।

(୪୬)
ଶୁଣି ଦୋସାଧୁ ବୋଲଇ ବଚନ,
ତୁ ଯେ କହୁଛୁ ମୋ ଆଗେ ୟେସନ । ୧୦୦ ।
ଲାଜ ବଳିଛିତ ନାହିଁ ତୋହର ୬୧ ,
ଜାର ବଳିକ୍ଷିତ ନାହିଁ ଆଗର । ୧୦୧ ।
ରା୍ଜୟେ ପ୍ରଘଟ ୬୨ ହୋଇଲା ଅପାର,
ରାଜଜେମା ତାହା ସଙ୍ଗେ ପ୍ରଚ୍ଚାର । ୧୦୨ ।
ଆନ ନୃପତି ନାକେ ହାତ ୬୩ ଦେବେ,
ଲାଜେ ଭୋଜଚକ୍କରବର୍ତ୍ତୀ ୬୪ ରହିବେ । ୧୦୩ ।
ୟେଡ଼େ କୁଳକୁ କଳଙ୍କ ଥୋଇଲ୍,
ନିଶ୍ଚେଂ କୁଳଟା ନାରୀତୁ ହୋଇଲ୍ ୬୫ । ୧୦୪ |
ଜେମା ବୋଲନ୍ତି ଶୁଣ ମୋ ଉତ୍ତର,
ପିତା ଦେବେ ତ ମୋତେ ୟେକ ବର । ୧୦୫ ।
ମୋର ଆନ ବରରେ କାର୍ଯ୍ୟ ନାହି°,
ୟେଡ଼େ ସୁଜାଣ ମୁଁ ପାଇବି କାହିଂ | ୧୦୬ ।
ଆରେ ପୃଥିରେ ଯେତେକ ନୃପତି,
ଗୁରୁବ୍ରହ୍ମକୁ ଧାଦେୟେ କରୁଥାନ୍ତି । ୧୦୭ ।
ନିଶ୍ଚେ ୟେହାକୁ ଯେବେ ତୁ ମାରିବୁ,
ସ୍ତିରୀହତ୍ୟା ଅନେକ ତୁ ପାଇବୁ । ୧° ୮ ।
ୟେହା ମଲେ ସର୍ବ ସ୍ତିରୀ ମରିବେ,
ଆଉ ପୃଥିରେ କେ ଘେନି ରହିବେ । ୧୦୯ ।
_________________________________________
୬୯ । ଏ ଦୁଇଟି ପାଦର ଅର୍ଥ ଆଦୌ ସୁସ୍ପଷ୍ଟ ନୁହେଁ ।
୬୧। ପ୍ରଘଟ=ପ୍ରଚାର । ୬୩ । ହାଥ (ପୋଥିପାଠ)
୬୪। ଚ୍କ୍କରବ୍ବରତୀ (ପୋଥୁପାଠ) । ୭୫ । ପାଦ ଦୁଇଟିର କ୍କରିୟା
ଥୋଇଲି “ହୋଇଲି’ ମ୍ୟୁଜିୟମ୍ ପୋଥିରେ ଅଛି ।

ଇଚ୍ଛାବତୀ ଦୋସାଧୁ କଥା ହୋନ୍ତେ,
ୟେକ ବେତାଳ ମିଳିଲା ତୁରିତେ ।୧୧୦।
ଚାରୁବ୍ରହ୍ମକୁ ଦେଖିଲା ବେତାଳ,
ୟେତ ମଦନ ବ୍ରହ୍ମର ଦୁଲାଳ ।୧୧୧।
ଆହୋ ଦୋସାଧୁ ୟେହାକୁ ନ ମାର,
ରାଜା ମଣିମା ଯାୟେଂ ରକ୍ଷାକର ।୧୧୨।
ୟେହୁ ରାଜାର ୬୬ କୁମର ଅଟି,
ୟେହା ମନ‌କୁ ନାରୀ ନ ଖଟଇ । ୧୧୩।
ପିତା ତେଜି ଅଇଲା ୟେତେଦୂର,
ଆସି ୟେଥେ ତ ଯାଉଅଛି ମାର । ୧୧୪।
ୟେତେ କ‌ହି ବେତାଳ ଧାଇଂଗଲା,
ଭୋଜ ରାଜାର ଆସ୍ଥାନେ ୬୭ ମିଳିଲା ।୧୧୫।
ରାଜା ଛାମୁରେ କବିତ୍ୱ ପଢ଼ିଲେ,
ଭୋଜରାଜା ଶୁଣିଣ ମୋହଗଲେ ।୧୧୬।
ତାର କବିତ୍ୱ ଶୁଣି ଭୋଜରାୟେ,
ଜାନୁ କମ୍ପଇ ଥରହର କାୟେ ।୧୧୭।
ତାକୁ ବୋଲନ୍ତି ମାଗ ଭାଟରାୟେ,
ଯାହା ମାଗିବୁ ଦେବଇଂ ନିଶ୍ଚୟେ ।୧୧୮।
ଭାଟ ବୋଲଇ ଶୁଣ ନୃପବର,
ଯାହା ମାଗିବି ସତ୍ୟ ମୋତେ କର । ୧୧୯।
ରାଜା ବୋଲନ୍ତି ସତ୍ୟ ନିରାଧାର ୬୮,
ଚାରୁବ୍ରହ୍ମ କୁମାରକୁ ନ ମାର ।୧୨୦।

‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌

୬୬। ରାଚାର (ପୋଥିପାଠ)। ୬୭। ଆସ୍ତାନେ(ପୋଥିପାଥି)।

୬୮। ନିରାଧାର - ପ୍ରତିଜ୍ଞାପୂର୍ବକ, ଏଭଳି ପ୍ରୟୋଗ ଅଦ୍ୟାପି ପ୍ରଚଳିତ

ଯେଉଁ ମଦନ ବ୍ରହ୍ମ ନୃପରାୟେ,
ଗୁରୁବ୍ରହ୍ମ ବୋଲି ତାର ତନୟେ । ୧୨୧ ।
ପିତାଠାରୁ ମନସ୍ତାପେ ୬୯ ଅଇଲା,
ଯହୁଂ ମନକୁ ନରୀ ନ ଘଟିଲା । ୧୨୨ ।
ରଥ ଗଜ ନବର ତା ୭୦ ବହୁତ,
ମହାପ୍ରତାପୀ ସେହୁ ନରନାଥ । ୧୨୩ ।
ତାକୁ ଯେବେ ମାରିବୁ ନରପତି,
ଆଉ ପାଇବୁଟିକି ନରପତି । ୧୨୪ ।
ରାଜା ୟେସନ ବଚନ ଶୁଣିଲେ ୭୧,
ବେଗେ ଦୋସାଧୁ ହକାରି ଆଣିଲେ ୭୨ । ୧୨୫ ।
ଆରେ ଚୋରକୁ ବେଗେ ଘେନିଆସ
ସେତ ୭୩ ବଡ଼ ଲୋକର ଅଟେ ଶିଷ । ୧୨୬ ।
ଯହୁଂ ୟେସନ ଦୋସାଧୁ ଶୁଣିଲା,
ଚାରୁବ୍ରହ୍ମକୁ ବେଗେ ଘେନିଗଲା । ୧୨୭ |
ରଘୁନାଥ ଆରତ ଫିଟାଇଲେ,
ଜେମା ଅନ୍ତଃପୁରକୁ ଚଳିଗଲେ । ୧୨୮ ।
ବେଗେ ଦୋସାଧୁ କୁମରକୁ ନେଲା,
ରାଜା ଛାମୁରେ ନେଇଂ ବସାଇଲା । ୧୨୯ ।


ମହାରାଜା ୭୪ ଯେ ଭୋଜ ଚକ୍ରବର୍ତ୍ତୀ ୭୫,
ଚୋର ସଙ୍ଗେ ୭୬ ଘେନି ବିଜେ କରନ୍ତି ।୧୩୦।
ଦିବ୍ୟ ମାଜଣା ଶ୍ରାହାନ ୭୭ ଭୋଜନ,
ରାଜା ଚାଟକୁ ଘେନି ସାବଧାନ ।୧୩୧।
ବିଭା ଉଛବ ବିଧି ପଚାରନ୍ତି,
ଦୀନ ବନମାଳୀ ରସେ ଗାବନ୍ତି ।୧୩୨।


୭୪ | ମହାରାଜ (ପୋଥିପାଠ) ୭୫ | ଚକ୍ରବର୍ତ୍ତୀ (ପୋଥିପାଠ) ୭୬ | ଚୋର ସଙ୍ଗେ (ପୋଥିପାଠ) ୭୭ | ଶ୍ରୀହୀନ = ସ୍ନାନ ଅର୍ଥରେ |

ପଞ୍ଚମ ଛାନ୍ଦ
ରାଗ ମଙ୍ଗଳ ଗୁଜ୍ଜରୀ

ଶୁଣ ସାବଧ୍ୟାନେଣ ପଣ୍ଡିତ ଭାଗ୍ୟବନ୍ତ ।
ଚାଟ ଇଚ୍ଛାବତୀ ବିଭାବିଧି ଯେ ସମସ୍ତ ହେ ।୧।
ଭୋଜ ନୃପ ଆଂଗ୍ୟା ଦେଲେ ଶୁଣ ମନ୍ତ୍ରୀବର
ଅନେକ ସମ୍ଭବେଂ ଚାଟ ଇଚ୍ଛା ବିଭା କର ହେ ।।୨।।
କୁଳୀନ ପଣ୍ଡିତ ସେ ମହତ ରାଜା ସୁତ ।
ଇଚ୍ଛାବତୀ କୁମାରୀ କି ଅଟଇ ବିହିତ ହେ ।।୩।।
ମଦନ ବ୍ରହ୍ମ ବୋଲିଣ ସେହୁ ସେ ରାଜନ ।
ଚାରୁ ବ୍ରହ୍ମ ବୋଲି କରି ତାହାର ନନ୍ଦନ ହେ ।।୪।।
ନୋହିଲେ ଦଇଦ ଭେଟାଇଛି ଆଣି ।
ପୂର୍ବର ଭିଆଣ ଯାହା ବିଧାତା ନିର୍ବାଣି ହେ ।।୫।।
ଇଚ୍ଛାବତୀ ମନ ୟେହାଠାରେ ବନ୍ଦି ହେଲା ।
ଦୁହେଂ ଦୁହିଂକ ସମାନ ନୃପତି ବୋଇଲା ହେ ।।୬।।
ପ୍ରସନ କରିଣ ରତ୍ନ ବେଦୀ ନିବାଡ଼ିବ
ସଂପୂର୍ଣ୍ଣ କରିଣ ଦଶ ପାବଚ୍ଛ କରିବ ହେ ।।୭।।
ବିଚିତ୍ର ଚାନ୍ଦୁଆ ଦିବ୍ୟ ଚନ୍ଦନ ପଟର ।
ପାଟ ନେତ ମଣ୍ଡଣି ମଣ୍ଡିବ ସବୁଠାର ହେ ।।୮।।


୧। ସାବଧ୍ୟାନେଣ (ପୋଥିପାଠ)।
୨। ଶୁଣନ୍ରି ବର (ପୋଥିପାଠ)।
୩। କୁଳୀଣ (ପୋଥିପାଠ)।
୪। ନିର୍ବାଣି- ନିର୍ମାଣ ଅର୍ଥରେ।।

୫। ନିବାଡ଼ିବ- ନିର୍ମାଣ କରିବ।

ସୁବର୍ଣ୍ଣ ଯୋଗାଡ଼ମାନ ନିବାଡ଼ କରିବ ।
ବିଭା ସମାପତ ବେଳେ ସମସ୍ତ ବାଢ଼ିବ ହେ ।।୯।।
ରଥ ଗଜ ଚତୁରଙ୍ଗ ଦାସ ଦାସୀ ମୂଳେ ।
ସୁରଭି ମଈଂଷି ନେଈଂ ଦେବ ବେଦି ତଳେ ହେ ।।୧୦।।
ଉଭାରି ଯେ ଦିବ୍ୟରସ ରତ୍ନ ଆୟେମାନ ।
ଚାଟକୁ ନିଯୋଗି ଯେଣେ ତୋଷ କର ମନହେ ।।୧୧।।
ଅନ୍ନ‌ଦାନ ବସ୍ରଦାନ ଅହନିଶି ଦେବ ।
ହୀନ ଅନାଥରେ ଦାନ ବହୁତ କରିବ ହେ ।।୧୨।।
ବନ୍ଧୁ ଯେ ସୋଦର ମୋର ବହୁତ ଅଛନ୍ତି ।
ଇଷ୍ଟଗୁରୁ ନାରୀ ବିପ୍ର ସାମନ୍ତ ଅଛନ୍ତି ହେ ।।୧୩।।
ସମସ୍ତେ ଚାରୁବ୍ରନ୍ଦକୁ ଯଉତୁକ ଦେବ ।
ଯେ ଯାହା ମାଗିବ ତା ଭଣ୍ଡାରୁ ନେଉଥିବ୧୦ ହେ ।।୧୪।।
ଇଚ୍ଛାବତୀ ଚାଟ ବିଭା ମୋହର ସୁଲଭ ୧୧
ଯେମନ୍ତ ଯୁଗ ଯୁଗାନ୍ତେ କଥା ରହିଥିବ ହେ || ୧୫ ||


୬ । ନିବାଡ଼= ପ୍ରସ୍ତୃତ ।

୭ । ଉଭାରି ଶବ୍ଦର ଅର୍ଥ ଜଣାଯାଊ ନାହିଁ । କବି ବୋଧହୁଏ ଏଠାରେ ଜାତ କରାଇବା ଅର୍ଥରେ ବ୍ୟବହାର କରିଛନ୍ତି ।

୮। ଆୟେ = ଅଳଙ୍କାର । ଅଦ୍ୟାପି 'ଆୟେଅଳଙ୍କାର' ଶବ୍ଦ ଗ୍ରାମ୍ୟଣ ଭାଷାରେ ବ୍ୟବହୃତ ହେଉଛି

୯ । ଅର୍ଣ୍ଣ (ପୋଥିପାଠ)

୧୦। ଏହି ପଦରେ ବ୍ୟବହୃତ 'ଯଉତୁକ ଦେବ’ ଓ 'ଭଣ୍ଡାରୁ ନେଉଥିବ’ ସ୍ଥାନରେ 'ଦେବେ’ ଓ ‘ନେଉଥବେ’ ହେଲେ ଅଧିକ ସମୀଚୀନ ହେବ ।

୧୧ । ସୁଲଭ ଶବ୍ଦ ଓଡ଼ିଆ ଭାଷାରେ ସୁନ୍ଦର ଅର୍ଥରେ ବ୍ୟବହୃତ ହେଉଥିବାର ଏବେ ମଧ୍ୟ ପ୍ରମାଣ ମିଳେ । ଯଥ। 'ଆଖି ସୁଲଭ’ 'ଦାଣ୍ଡ ସୁଲଭ’

ଦିବ୍ୟ ଯେ କାମେନୀମାନେ ହୋଇଣ ସୁବେଶ ।
ଗୀତ ନାଟ ମଙ୍ଗଳ ୧୨ କରିବେ ଚଉପାଶ ହେ ।।୧୬।।
ମୁକୁତା ଝରାରେ୧୩ ଗୃହ କାନ୍ଥ ନିବାଡିବ ।
ରାମଚନ୍ଦ୍ର ଚିତ୍ରପଟ ସମସ୍ତ ଲିହିବ ହେ ।।୧୭।।
ଦଶଅବତାର ମହାଭାରତହିଂ ଥିବ ।
ଚିତ୍ର ବିଚିତ୍ର କରିଣ ପ୍ରତିମା ଲେଖିବ ହେ ।।୧୮।।
ଚଣ୍ଡାଳ ବ୍ରାହ୍ମଣ ଆଉ ସବୁ ବିରଚିବ ।
ଯେମନ୍ତ ଭାର୍ଜନ ତାହା ତେମନ୍ତ କରିବ ହେ ।।୧୯।।
ବିଦ୍ୟାବନ୍ତ ବ୍ରାହ୍ମଣ ପ୍ରୋହିତ ପାଟଯୋଷୀ ।
କବିତାମାନଙ୍କୁ ୧୪ ତୁମ୍ଭେ ଆଣିବ ବିଶ୍ବାସି ହେ ।।୨୦।।
ନାନା ବିଧି କରି ଯେ ଭୋଜନ ସଞ୍ଚାଦେବ ୧୫
ସମ୍ଭାରମାନ ଯେ ସବୁ ଦେଉ ୧୬ ନ ସରିବ ହେ ।।୨୧।।
କେହି ନ ପାଇଲା ଯେବେ ଶୁଣିମଈଂ ।
ଦୋଷ ଅନୁରୂପେ ଦଣ୍ଡ ପାଇବଟି ସେହି ହେ ।।୨୨।।
ଯେମନ୍ତେ ଉଣା ଆମ୍ଭଂକୁ ନୋହେ ଲୋକାନ୍ତରେ ୧୭
ଅଙ୍ଗ ବୋଝ କରି କାର୍ଯ୍ୟକର ଯେ ଯାହାରେ ହେ ।।୨୩।।


୧୨ । ମଙ୍ଗଳ ଯେ (ପୋଥିପାଠ) । ୧୩ । କାନ୍ଥରେ ( ପୋଥିପାଠ) ।
୧୪ । 'କବିତା' ଶବ୍ଦ ଏଠାରେ ବୋଧହୁଏ ଆର୍ଶୀର୍ବାଦ ଶ୍ଳୋକାବଳୀ ଅର୍ଥରେ ବ୍ୟବହୃତ ।
୧୫ । ସଞ୍ଚା = ବିଶିଷ୍ଟ ଅତିଥିଙ୍କୁ ଦିଆଯାଉଥିବା ଖାଦ୍ୟୋପକରଣ ।
୧୬ । ଦେଉଂ = ଦେଉଥିଲେହେଁ ।

୧୭ । ଯେପରି କେହି ନିନ୍ଦା ନକରନ୍ତି ଏ ପାଦର ଅର୍ଥ ।

ୟେମନ୍ତେଣ ରାୟେ ସବୁ ମଣାଈ୧୮ କ‌ହିଲେ ।
ଦଣ୍ଡପାଟ୧୯ ମନ ଠାବ ଠାବକୁ ପେଶିଲେ ହେ ।।୨୪।।
ନାନା ସାମଗ୍ରୀ ଯେ ନାନା ସମ୍ଭାର ଯେ ମାନ ।
ବିଭା ସମାପତ ଯାୟେଂ ଖଟିବ ପ୍ରମାଣ ହେ ।।୨୫।।
ଆମ୍ଭ ଲଜ୍ଜାସର୍ମ ୨୦ ସିନା ତୁମ୍ଭମାନଙ୍କର ।
ଯେମନ୍ତେ ବିଭା ଉତ୍ସବ ହୁଅଈ ସମ୍ଭାର ହେ ।।୨୬।।
ୟେମନ୍ତ ବୋଲିଣ ପାତ୍ର ମନ୍ତ୍ରୀକିଂ କହିଲେ ।
ଶଙ୍ଖ ମହୁରୀ କାହାଳୀ ଦମାହିଂ ୨୧ ବାଜିଲେ ୨୨ହେ ।।୨୭।।
ଢୋଲ ଯେ ଟମକ ସେ ବାଜଇ ବଜ୍ରବାଣ ।
ମର୍ଦ୍ଦଳ କଂସାଳ ଢ଼ାଳ ବାଦ୍ୟ ଗରୁ ଟାଣ ହେ ।।୨୮।।
ଶୁଭଲଗ୍ନ ଦେଖିଣ୨୩ ସେ ଦିନ ଯେ ଖୋଜିଲେ ।
ପାତ ଜଉତିଷ ଭଟ୍ଟ ଆଚାର୍ଯ୍ୟ ଖୋଜିଲେ ୧ହ ।।୨୯।।
ବିଭା ଦିନେ ଥାଈଂଣ ମଙ୍ଗଳ ବିଧି କଲେ ।
ଅମୃତ ଯୋଗାଡ଼ମାନ ସମସ୍ତହିଂ ଦେଲେ ।।୩୦।।
ଦିବ୍ୟ କନ୍ୟାମାନ ଯେ କୁସୁମ ଗନ୍ଧ ଘେନି
ବରକନ୍ୟା ଦୁ‌ହିଁକି ମଙ୍ଗୁଳନ୍ତି ୨୪ କାମେନୀ ହେ ।।୩୧।।


୧୮। ମଣାଈ = ବୁଝାଇ ।

୧୯। ଦଣ୍ଡପାଟ - ସୈନ୍ୟ ବିଭାଗର ଉଚ୍ଚପଦାଧିକାରୀ ।

୨୦। ଲଜ୍ଜା ସର୍ମ = ଲାଜ ଓ ଶରମ । ଶରମ ଶବ୍ଦ ଯାବନିକ ବୋଲି ଓଡ଼ିଆ ଅଭିଧାନକାରମାନେ ମତ ଦିଅନ୍ତି । କିନ୍ତୁ ଗ୍ରାମ୍ୟ ଓଡ଼ିଆ ଭାଷାରେ ବିଶେଷ ପ୍ରଚଳନ ଦେଖାଯାଏ ।

୨୧। 'ଦମା' ଶବ୍ଦ ଏଠାରେ ଦମାଲୁ (ନାଗରା) ଅର୍ଥରେ ବ୍ୟବହୃତ ।

୨୨। ବାଇଲେ (ପୋଥିପାଠ) । ୨୩ । ଖୋଜିଣ (ପୋଥିପାଠ) ।

୨୪ | ମଙ୍ଗଳନ୍ତି (ପୋଥିପାଠ) ।

ସେ ଦିନ ଯେ ଯେତେ ବିଧି ଆଚରିଲେ ରାୟେ ।
ଆର ଦିନ ବିଭା ସାମଗ୍ରୀ ଘେନିଣ ୨୫ ଆୟେ ହେ ।।୩୨।।
ବିଚିତ୍ର ବେଦୀରେ ବିଜେ ଭୋଜ ନୃପବର ।
ଚାଟ ଇଚ୍ଛାବତୀ ବିଭା କରି ତତପର ହେ ।।୩୩।।
ସାତଶ ବ ଆନ କବି କରି ୟେକ ଯୋଗ ।
ବେଦିରେ ବେଢିଲେ ଯେ ଯେମନ୍ତ ଯୋଗ ହେ ।।୩୪।।
ରାଜାଙ୍କର ପୁତ୍ରମାନେ ଯେତେ ବନ୍ଧୁଗଣ ।
ସୁପଣ୍ଡିତ ବିଦ୍ୟାବନ୍ତ ଜୋତିଷ ବ୍ରାହ୍ମଣ ହେ ।।୩୫।।
କି ଅବା କହିବା ଭୋଜ ରାଜାର ସମ୍ପତ୍ତି ୨୬
ଦୁତୀ ଅମରାଧିନାଥ ମଞ୍ଚେ ବିହରନ୍ତି ହେ ।।୩୬।।
ତାହାଙ୍କ ସମାନେ ଯେହୁ ପାତ୍ର ରାଜାମାନେ ।
ଦେଖାଦରଶନ ୨୮ ଘେନି ଅଇଲେ ବହନେ ହେ ।।୩୭।।
ବେଦିରେ ବିଜୟେ ସେ ମଦନ ବ୍ରହ୍ମ ଶିଷ ।
ଭୋଜରାଜା କୋଳେ ଇଚ୍ଛା ହୋଇଣ ସୁବେଶ ହେ ।।୩୮।।
ଯଥାବିଧି ବାକ୍ୟ ଗୋତ୍ର କରି ଉଚ୍ଚାରଣ ୨୯ |
ମହାବାକ୍ୟ ଊଚ୍ଚାରିଣ ମନ୍ତ୍ରିଲେ ବ୍ରାହ୍ମଣ ହେ ।।୩୯।।
ଶଙ୍ଖେ ଜଳତୀଳ ଯେ କାଞ୍ଚନ ବିଧିମତେ ।
ଗୋଡ଼ଧୁଆ ଚଢ଼ାଇଲେ ଶ୍ରାହାନର ଅନ୍ତେ ୩୦ ।।୪୦।।
ହସ୍ତକୁ ବନ୍ଧନ ଯେ କରନ୍ତି ବିଦୁଜନ ।
ଲଜା ୩୧ ହୋମ କଲେ ତ‌ହିଂ ଶ୍ରାହାନ ଭୋଜନହେ ।।୪୧।।


୨୫ । ଘେନି (ପୋଥିପାଠ) । ୨୬ । ସମ୍ପନ୍ତୀ (ପୋଥିପାଠ) ।

୨୭ । ବିହନ୍ତୀ (ପୋଥିପାଠ) । ୨୮ । ଦେଖ ଦରଶନ = ଭେଟି |

୨୯ । ଉଚାର (ପୋଥିପାଠ) । ୩୦ । ଶ୍ରାହାନ ଅନ୍ତରେ (ପୋଥିପାଠ) ।

୩୧ । ଲାଜାହୋମ ଶୁଦ୍ଧିପାଠ ।

ବରକନ୍ୟା ୟେକଠାବେ ବିଚିତ୍ର ବେଦିରେ ।
ଯଉତୁକମାନ ନେଈଂ ବାଢ଼ିଲେ ଛାମୁରେ ହେ ।।୪୨।।
ଇଷ୍ଟ ବନ୍ଧୁ କୁଟୁମ୍ବ ଯେତେକ ଯାଇଥିଲେ ।
ପାତ୍ରମନ୍ତ୍ରୀ ସମସ୍ତେ ଯେ ଯଉତୁକ ଦେଲେ ହେ ।।୪୩।।
ପାଟ ମହାଦେଈମାନ ସାଗେଂଣ ଅଛନ୍ତି ।
ବରକନ୍ୟା ବନ୍ଦାଇଣ ଭିତରକୁ ଯାନ୍ତି ହେ ।।୪୪।।
ପଞ୍ଚୁଗ୍ରାସୀ ସାରିଣ ସେ ଚାଟ ଇଚ୍ଛାବତୀ ।
ବିଚିତ୍ର ପୁରେଣ ରତ୍ନ ପଲକେଂ ବସନ୍ତି ହେ ।।୪୫।।
ବେଭାରେ ଯୋଗାଡ଼ମାନ ପଞ୍ଚ ଯେ ଅମୃତ ।
କୋଟି କୋଟି ଅନ୍ନ ୩୨ ଦାନ ଦେଲାକ ବହୁତ ହେ ।।୪୬।।
ରାତ୍ରେ ମଉଶେଯେ ୩୩ ବିଜେ ଇଚ୍ଛାବତୀ ଚାଟ ।
ଚଉଷଠୀ ବନ୍ଧେ ରତ କଲେକ ବହୃତ ହେ ।। ୪୭ ||
ସରିଲା ଚଉଠୀ ୩୪ ଅଷ୍ଟମଙ୍ଗଳଣ ବିଧି ।
ଚାନ୍ଦ ବନ୍ଦାପନା ୩୫ ତ‌ହିଂ କଲେ ପରସିଧି ହେ ।।୪୮।।
ନୃପତିର ଦୁତି ଆତ୍ମା ଇଚ୍ଛାବତୀ ।
ନିଶ୍ଚନ୍ତେଣ ସାବଧ୍ୟାନେ ଥାଇ ତାର କତି ହେ ।।୪୯।।


୩୨। ଅର୍ଣ୍ଣ (ପୋଥିପାଠ) ।

୩୩। ମଉଶେଯ – ମଧୁଶଯ୍ୟା ।

୩୪ । ଚଉସଠି (ପୋଥିପାଠ), ବିବାହର ଚତୁର୍ଥ ଦିବସକୁ ଚତୁର୍ଥୀ ବା ଚଉଠୀ ବୋଲି କୁହାଯାଏ । ଅଷ୍ଟମଙ୍ଗଳଣ = 'ଆଠମଙ୍ଗଳା' ବୋଲି ଦେଶଜ ଭାଷାରେ କଥିତ । ବିବାହର ଆଠଦିନ ପର୍ଯ୍ୟନ୍ତ ମଙ୍ଗଳକୃତ୍ୟ ହେଉଥାଏ । ଅଷ୍ଟମ ଦିବସରେ ତାହା ଉଦ୍‌ଯାପନ ହୁଏ ।

୩୫ । ବିବାହର ପରବର୍ତ୍ତୀ ଶୁକ୍ଳ ତୃତୀୟା ଦିନ ବରକନ୍ୟା ଚନ୍ଦ୍ରଙ୍କୁ ପୂଜା କରନ୍ତି ।

ଆପଣାର ପୁତ୍ର ତହୁଂ ଅଧିକ ଦେଖଇ ।
ଜୀବଅତ୍ମା ଇଚ୍ଛାବତୀ ଚାରୁବ୍ରହ୍ମ ହୋଇ ହେ ।।୫୦।।
ୟେମନ୍ତେଣ ଚାଟ ଇଚ୍ଛା ୟେସନ ସମୟେ ।
ଇଚ୍ଛାକୁ ବୋଲଇ ଚାଟ କହିବି କଥାୟେ ଗୋ ।।୫୧।।
ମନରେ ଅନ୍ତର ତୁ ଗୋ ନଧରିବୁ ସଖି ।।
ମୋହର ଜୀବନ ଆଗୋ ଅଟ ଚନ୍ଦ୍ରମୁଖି ଗୋ ||୫୨||
ଲୁଚି ୩୬ହୋଇ ଯିବି ମୁହିଂ କୁରେଗୀଂ ଲୋଚନି ।
ମନେ ଆନ ନ ଧରିବୁ ଶୁଣରେ ମିତଣି ଗୋ ||୫୩||
ବୋଲଇ କୁମାରୀ କମ୍ପା ୟେଡ଼େକ ବିଲୋପୀ ୩୭
କହକିନା ଶୁଣ ତୁ ମୋର ପ୍ରାଣପତି ହେ ।।୫୪।।
କୁମର ବୋଲଇ ଶୁଣ ନୃପତି କୁମାରୀ ।
ଦୋସାଧୁ ଯେ ନେଲା ମୋତେ ଶମଶାନପୁରୀ ଗୋ ।।୫୫।।
ସେଠାରେ ଖଡ଼ଗ ଘେନି ପ୍ରହାରନ୍ତା ମୋତେ ।
ୟେ ଶିରୀ ସମ୍ପତ୍ତି ଛାଡ଼ି ଯାଆନ୍ତି କେମନ୍ତେ ଗୋ ।।୫୬।।
ମୁହିଂତ ଅଟଇ ନିରୀମାଖି ୩୮ ପରଦେଶୀ ।
ମୋହ ପାଇଂ କଂପା ତୁ ମରନ୍ତୁ ଶୁଭ୍ରକେଶି ଗୋ ।।୫୭।।
ତାହା ଶୁଣି କୁମାରୀର ଦେହ ଥର ହର ।
ସେ ଛାର ଅଟଇ ମୃଖ ଗୁଆଂର ପାମର ହେ ।।୫୮।।
ପିତା ଭୋଜରାୟେ ମୋ ଉପାୟେ ଚକ୍ରବତ୍ତୀ ।
ତାହାକୁ ତେଜିଣ ଗଲି ୩୯ ଶମଶାନ କତି ହେ ।।୫୯।।


୩୬। 'ଲୁଚିକରି’ ପାଠ ହେଲେ ସଙ୍ଗତ ହୁଅନ୍ତା ।

୩୭। ବିଲୋପୀ = ଗୋପନକାରୀ ।

୩୮। ବିସ୍ମବାସି (ପୋଥିପାଠ) । ୩୯। ଗଲା (ପୋଥପାଠ) ।


କାଳେ ଅପକୀରତି ରହିଲା ମ‌ହୀସ୍ଥଳେ ।
ୟେମନ୍ତ ବୋଲିଣ ଲୋଟି ପଡ଼ିଲା ଭୂତଳେ ୪୦ ଯୋ ।।୬୦।।
ଦେଖି ଚାରୁବ୍ରହ୍ମ ଯେ କମ୍ପଈ ଥରହର ।
ୟେ ମାନ ଘୁଞ୍ଚାଇବାକୁ ଶକତି କାହାର ହେ ।।୬୧।।
ଦୀନ ବନମାଳୀ ୟେହୁ ଗୀତରେ ଗାଈଲେ ।
ଶ୍ରୀ ଜଗନ୍ନାଥ ଚରଣେ ଶରଣ ପସିଲେ ହେ ।।୬୨।।

Chata Ichhabati.pdf






୪୦। ଧରଣି (ପୋଥିପାଠ) ।

ଷଷ୍ଠ ଛାନ୍ଦ

ରାଗ—ଚିନ୍ତା ଦେଶାକ୍ଷ

ୟେଥୁଅନନ୍ତରେ ରସିକ ଜନ ।
ଚାଟବାଣୀ ଶୁଣି ଇଚ୍ଛାବତୀର ମନ ।୧।
ନ ରୁଚିଇ ଗନ୍ଧ ଯେ ଚନ୍ଦନ ବେସନ
ଅଣଚାଶ ଶବ୍ଦୁ ବାଧା ନାହିଂ ତା ଗ୍ୟାନ ।୨।
ରୋଦନ କରଇ ଧାତା ୟେହା ସେ କଲା ।
ରସଭଗ୍ନ କରି କାନ୍ତ ୟେହା ବୋଈଲା । ୩ ।
ତେଜିବି ଜୀବନ ଆଉ ଜିଈ କି କାର୍ଯ୍ୟ ।
ୟେହାଙ୍କ ଉପରେ ହତ୍ୟା ଦେବଈଂ ଆଜ । ୪ ।
ତାହା ଶୁଣି ଚାରୁ ବ୍ରହ୍ମ ଅତି ବିନୟେ ।
ମୋହର ଅପ୍ରାଧ ତୁ ନଧର ନିଶ୍ଚୟେ । ୫ ।
ତୋର ବିନା ସାହା ମୋର ଆନ କେ ଅଛି ।
ତୋହର ପୁଣ୍ୟରେ ୟେତେ ଭାଗ୍ୟ ଅର୍ଜିଛି । ୬ ।


୧ । ଅନ୍ତରେ (ପୋଥିପାଠ) । ୨ । ବେସନ – ବ୍ୟସନ ଅର୍ଥରେ ।

୩ । ଏ ପାଦର ଅର୍ଥ ସୁସ୍ପଷ୍ଟ ନୁହେଁ ଉଭୟ ପୋଥି ସମାନ ପାଠ ।

୪ | ୟେହା ସେ ବୋଈଲା (ପୋଥିପାଠ) ।

୫ । ସାଖା (ପୋଥିପାଠ) ।

୬ । କେଛି (ପୋଥିପାଠ) ।

ପିତା ମାତା ତେଜି ମୁଂ ଅଇଲି ତୋ ପାସ
ସୁଜାଣ ସୁନ୍ଦରୀ ତୁ ନକର ନିରାଶ । ୭ ।
ଗୁରୁଙ୍କର ଧର୍ମଶିଷ ତୋହର ସିନା ।
ଦରିଦ୍ର ଧନ ତୁ ଉଠ ମରଈ କିନା । ୮।
ତୋର ପୁଣ୍ୟବଳେ ମୃତୁ ବର୍ତିଲି
ସାଗରେ ଝାସିଥିଲାକୁ ତୋତେ ପାଇଲି ।୯।
ଜାଣୁଟିକି ଉପବନେ ଫୁଲ ତୋଳିଲୁ ।
ମୋତେ ତଳେ ଛାଡ଼ି ବୃକ୍ଷ ପରେ ଉଠିଲୁ ।୧୦।
ତୋହ କୁଚ ଦେଖି ସଖି ମୋହ ଯେ ଗଲି ।
ପ୍ରାଣତେଜି ୧୦ କର ମୁଂ ଭୂମିରେ ପଡ଼ିଲି ।୧୧।
ବୃକ୍ଷରୁ ଓହ୍ଲାଈ ୧୧ ମୋତେ ସଚେତ କଲୁ ।
ରତିରସ ଦେଇଂ ଭୃତ୍ୟପଣେ ରଖିଲୁ ।୧୨।
ଗୁରୁଙ୍କ ବଚନେ ବାଣୀ ନଇଲା ମୋତେ ।
ଚତୁରି ସିହାଣ ୧୨ବଞ୍ଚାଇଲୁ ତୁରିତେ ।୧୩।
ବଚନେ ବୋଈଲି ତୁ ଯେ ସତ୍ୟ କରିବୁ ।
ମୁଂ ଯାହା ମାଗିବି ତାହା ନାହିଂ ନ କରିବୁ ।୧୪।
ୟେତେକବଚନ ସ‌ତ୍ୟ କଲୁ ସୁନ୍ଦର ।
ଆପଣେ ବରଣ ମୋତେ କରିଲୁ ୧୩ ନାରି ।୧୪।


୭। ତୋର ପାସ (ପୋଥିପାଠ) ୮। ମୃତ୍ୟୁ- ମୃତ୍ୟୁରୁ ।

୯। ବଞ୍ଚିଲି ଅର୍ଥରେ ।

୧୦। ପ୍ରାଣତେଜି 'ସ୍ଥାନରେ' 'ଜ୍ଞାନହାରି' ହେଲେ ଅର୍ଥ ସଙ୍ଗତ ହେବ ।

୧୧। ଓଲାଈ (ପୋଥିପାଠ) ।

୧୨। ଚତୁର ସିହାଣ ତୁ (ପୋଥିପାଠ) ।

୧୩। ହୋଇଲି (ପୋଥିପାଠ) ।

ଗୁରୁଙ୍କ ବଚନେ ସଖି ଦୁହେଂ ବିଚ୍ଛେଦ
ତୋର ମୋ ବିଚ୍ଛେଦ ସିନା କଲାକ ଭେଦ ।୧୬।
ମାଳା ଦେଇଥିଲୁ ଅମ୍ବୁବତୀର ହାଥେ ।
ମନ ବନ୍ଦି କରି ସେହୁ ୧୪ ଆଣିଲେ ମୋତେ ।୧୭।
ୟେକକାଠି ପୁରେ ତୋର ପାସେ ମିଳିଲି ।
ଭୂମିରୁ୧୫ ତୋଳିଣ ତୋତେ କୋଳେ ଧଇଲି ।୧୮।
ମୋତେ ଦେଖି ଶଶିମୁଖି ତେଜିଲୁ ଶୋକ ।
ଅମ୍ବୁବତୀ ବିନୁ ଅନ୍ୟ ନ ଜାଣନ୍ତି ଲୋକ ।୧୯।
ଦିବ୍ୟ ବେଶ ହୋଇ ମୋତେ ପଲଙ୍କେ ଘେନି ।
ରତି ରସ ପ୍ରମାଣେ ୧୬ ପୁହାଉ ରଜନୀ ।୨୦।
ଜାଣୁଟିକି ଦୋସାଧୁ ଯେ ଧଇଲା ମୋତେ ।
ୟେକକାଠି ମେଢ଼କୁ ଗମିଲା କେମନ୍ତେ ।୨୧।
ମୋର ଅପ୍ରମିତେ ତୋର ଜୀବନ ନାହିଂ ।
ତୋର ପୁଣ୍ୟ ବଳେ ତ‌ହୁଂ ତରିଲି ମୁହିଂ ୧୮।୨୨।
ମୁଁ ଛାର ଗୁଆଂର ତ ନ ଜାଣଈ କିଛି ।
ମୋହ ଛାର ଦୋଷ କ୍ଷେମା କର ମୃଗାଖି ।୨୩।


୧୪ । ସେ (ପୋଥିପାଠ) ।

୧୫ । ଉମିରୁ (ପୋଥିପାଠ) ।

୧୬ । 'ପ୍ରମାଣେ’ ପରିବର୍ତ୍ତେ ‘ପ୍ରଦାନେ’ ହେବା ଅଧିକ ସମୀଚୀନ ।

୧୬ । ତୁରିତେ (ପୋଥିପାଠ) ।

୧୭ । ଅପ୍ରମିତ ଶବ୍ଦର ପ୍ରକୃତ ଅର୍ଥ ଅନୁସାରେ ଏଠାରେ ପ୍ରୟୋଗ ହୋଇନାହିଁ । ଏଠାରେ ‘ବ୍ୟତିରେକେ’ ଅର୍ଥରେ ବ୍ୟବହୃତ ହୋଇଛି ।

୧୮ । ଏ ପାଦର ଅର୍ଥରେ ପୃର୍ବାପର ସଙ୍ଗତି ନାହିଁ ।

ମାଳତୀ ମଧୁପ ମଧୁ ମାଳତୀ ଜାଣି ।
ମୋ ଛାର ପାମର ତୁ ଯେ ପୁଣ୍ୟ ତରୁଣୀ । ୨୪ ।
ଅମ୍ବୁଜ ବାସନା କି ମଣ୍ଡୁକ ଜାଣଈ ।
ବାସନା ନଜାଣି ତ‌ଥି ପାରୁଷେ ଥାଈ । ୨୫ ।
ଅନ୍ୟ କିଛି ନ ବୋଇଲି କମଳ ମୁଖି ।
କିଞ୍ଚିତ କଥାକୁ ମାନ କମ୍ପାଈଂ ଦୁଃଖୀ । ୨୬ ।
ଜଳରେ ଭାସିଲା ବୃକ୍ଷ ରୁପିଲୁ ୧୯ ଆଣି ।
ପ୍ରତିପାଳି ନ ପାରିଲୁ ୨୦ ଉପାଡ଼ୁ ପୁଣି । ୨୭ ।
ପ୍ରଭୁ ହେଲେ ଭୃତ୍ୟ ଦୋଷ କରଇ କ୍ଷେମା ।
ସୁକୁମାର ସୁନ୍ଦରୀ ତୁ ନୃପତି ଜେମା । ୨୮ ।
ଅନେକ ପ୍ରକାର ଚାଟ ବିନୋଇ କଲା ।
ତଥାପି କୁମାରୀ ମନୁ ତାପ ନଗଲା ୨୧ । ୨୯ ।
ଗୁଣ ସୁମରିଣ ଚାଟ ବିନୋଇ କଲା ।
ତଥାପି ପ୍ରିୟାର ମନୁ ତାପ ନାଗଲ । ୩୦ ।
ଗୁଣ ସୁମରିଣ ଚାଟ ବିନୋଈ କଲା ।
ତଥାପି କୁମାରୀ ମନୁ ତାପ ନଗଲ । ୩୧ ।
ଗୁଣ ସୁମରିଣ ତୋଳି ଧଈଲା ।
ନୟନର ଜଳେ ବେନିପାଦ ଧୋଇଲା । ୩୨ ।
ଅନୁମାନ ୨୨ ଘେନିଣ ଯେ ନୃପତି ବାଳୀ ।
ଚାଟର ଶିର କମଳ ଧଈଲା ତୋଳି । ୩୩ ।


୧୯ । ରୋପିଲୁ ଶୁଦ୍ଧ ପାଠ । ୨୦ । 'ପାରିଣ' ଅର୍ଥରେ ।

୨୧ । ୨୯, ୩୦, ୩୧ ପଦର ଅର୍ଥ ସମାନ । କିନ୍ତୁ ଦୁଇଟିଯାକ ପୋଥିରେ ଏ ଦ୍ୱିରୁକ୍ତି ଦୋଷ ଥିବାର ଦେଖାଯାଏ ।

୨୨। 'ଅନୁମାନ ଘେନିଣ’ ପରିବର୍ତ୍ତେ 'ମନୁ ମାନ ତେଜିଣ’ ହେଲେ ଅର୍ଥ ସୃସ୍ପଷ୍ଟ ହେବ ।

ବୋଈଲ କୁମାରୀ ଚାଟ ଚତୁର ଅଟୁ ।
ମାନ ମୋର ଘୁଞ୍ଚାଇଲୁ କରିଣ ଚାଟୁ । ୩୪ ।
ଇଚ୍ଛାବତୀ ରାଗମାନ ତମ ଛାଡ଼ିଲା ।
ଚାଟକୁ ସଙ୍ଗେ ଘେନିଣ ବେଶ ହୋଇଲା । ୩୫ ।
ମାଜଣା ମୋଣହିଂ ସାରି ୨୩ ଦିବ୍ୟ ବେସନ ୨୪
ତ୍ରପୁର ବିଡିଆ ବେନି କଲେ ଭୋଜନ । ୩୬ ।
ରତ୍ନ ପଲଙ୍କରେ ଯାଇ ଶୟନ ୨୫ କଲେ ।
ନାନା ବିଧି ସୁରତୀରେ ଦୁହେଂ ୨୬ମାତିଲେ ।୩୭।
ଗୁରୁଙ୍କୁ ଧନ ବସନ ଅନେକ ଦେଲେ ।
ଚାଟ ଇଚ୍ଛାବତୀ ଗୁରୁ ୨୭ ପାଦେ ସେବିଲେ । ୩୮ ।
ଆମ୍ଭେ ତୁମ୍ଭ ସୁତ ସୁତା ଗୁରୁ ଗୋସାଂଈ ।
ତୁମ୍ଭର ଧର୍ମରୁ ସିନା ୟେମନ୍ତ ହୋଈ । ୩୯ ।
ଭାଟକୁ ନୃପତି ତ‌ହିଂ ଅନେକ ଦେଲେ ।
ଧନ ବସ୍ତ୍ର ଅଳଙ୍କାର ଅଶ୍ୱହିଂ ଦେଲେ । ୪୦ ।
ଆହେ ଭାଟ ରାୟେ ତୁମ୍ଭେ ମହତ ଜନ ।
ତୁମ୍ଭର ବଚନେ ଶାନ୍ତି ଆମ୍ଭର ମନ । ୪୧ ।
ଇଚ୍ଛାବତୀ ଚାଟ ବିଭା ବିଧି ବୃତ୍ତାନ୍ତ ।
ମଦନ ବ୍ରହ୍ମ ୨୯ ରାଜାକୁ କହ ସମସ୍ତ । ୪୨ ।


୨୩ । ଛାଡ଼ି (ପୋଥିପାଠ) ଶୁଦ୍ଧପାଠ । ୨୪ । ବେସନ = ବ୍ୟସନ ଅର୍ଥରେ ।

୨୫ । ସେୟନ (ପୋଥିପାଠ) ।

୨୬ । 'ଦୁହେଂ' ଅକ୍ଷର ଦୁଇଟି ପୋଥିରେ ନାହିଁ ।

୨୭ । ଘନ (ପୋଥିପାଠ) । ୨୮ । ବିହିଣଚିତ (ପୋଥିପାଠ) ।

୨୯ । ମର୍ଦ୍ଦଳ ବ୍ରହ୍ମ (ପୋଥିପାଠ)

ୟେହା ଶୁଣି ଭାଟ ଅଗ ହୋଇଣ ଗଲା ।
ଚାଟ ମାତା ପିତା ଆଗେ ଯାଈଂ କହିଲା । ୪୩ ।
ଇଚ୍ଛାବତୀ ଚାଟ ୟେକ କାଠି ମଧ୍ୟର ।
ନିର୍ଭରେ ରହିଲେ ଭୋଜ ନୃପତି ପୁର । ୪୪ ।
ୟେକ ଦିନେ ଚାଟ ବୋଲେ ଶୁଣ କୁମାରୀ ।
ପିତାଙ୍କୁ ଜଣାଅ ଯିବା ଆମ୍ଭର ପୁରୀ । ୪୫ ।
ମାତାଙ୍କ ଛାମୁରେ ଯାଈଂ ବେଗେ ଜଣାଅ ।
ବିନୟ ହୋଇ କହିବ ମେଲାଣି ଦିଅ । ୪୬ ।
ୟେହା ଶୁଣି ଜେମା ଗଲେ ମାତାଙ୍କ ପାସ ।
ଜୁଆଇଂ ବୋଈଲେ ଯିବୁ ଆମ୍ଭର ଦେଶ । ୪୭ ।
ୟେହା ଶୁଣି ରାଣୀ ରାଜା ଆଗେ ଜଣାଈଂ ।
ନିଜ ୩୦ ଦେଶେ ଯିବେ ତୁମ୍ଭ ଜେମା ଜୁଆଈଂ ।୪୮।
ଆମ୍ଭ ଘରେ ଥିବାର ତ ନୋହେ ବିହିତ ।
ସେ ମହାରାଜା ମଦନ ୩୧ବ୍ରହ୍ମର ସୁତ । ୪୯ ।
ଶୁଣି ଭୋଜ ନୃପ ମନେ ହରଷ ହେଲେ ।
ପଣ୍ଡିତ ହକାରି ଶୁଭ ଲଗ୍ନ ବୁଝିଲେ । ୫୦ ।
ରଥ ଗଜ ତୁରଙ୍ଗ ଯେ ପାଦାନ୍ତି ମାନ ।
ଦାସ ଦାସୀ ମହିଂଷି ସୁରଭି ଗହନ ୩୨ । ୫୧ ।
ଅଷ୍ଟରତ୍ନ ହାନ୍ଦୋଳା ବିଚିତ୍ର ଛାୟେଣି ୩୩
ଧନ ବଶ୍ର ଅଳଙ୍କାର କେ ପାରେ ଗଣି । ୫୨ ।


୩୦ । ନିଯେ (ପୋଥିପାଠ) ।

୩୧ । ସେ ମହାରାଯା ବ୍ରହ୍ମରାଜାର ସୁତ (ପୋଥିପାଠ) ।

୩୨ । “ସୁରଭ ଗହନର ଅର୍ଥ ସୁସ୍ପଷ୍ଟ ନୁହେଁ ।

୩୩ । ଛାଉଣୀ ଅର୍ଥରେ ।

                                                    
ନିଜ ମାତା ମାନେ ଯେ ସମସ୍ତେ ଅଇଲେ |
ବାର କନ୍ୟା ବନ୍ଦାଇ୩୪ ଉପହାର ଦେଲେ |୫୩|
ଅମୃତ ଯୋଗାଡ ଭୁଞ୍ଜି୩୫ ଇଚ୍ଛା କୁମାର |
ଦିବ୍ୟ ବେଶ ହୋଇଣ ହୋଇଲେ ବାହାର |୫୪|
ମତ୍ତହସ୍ତୀ ଉପରେ୩୬ ମଣ୍ଡଣି ନୀବାଡି |
ପାଟ ନେତ ମଣ୍ଡଣି ମଣ୍ଡିଲେ ଓହାଡି |୫୫|
ଆଲଟ ଚାମର ପଙ୍ଖା ଢାଳନ୍ତି ନାରୀ |
ମଣ୍ଡପରେ ବିଜେ କଲେ ଚାଟ କୁମାରୀ |୫୬|
ବାଜିଲା ଟମକ ନିଶାଣଇଂ ଯେ ଭେରୀ |
ଶଙ୍ଖ କାମ୩୭ ବାହକ୩୮ ମ୍ରଦଳ୩୯ ମହୁରୀ |୫୭|
ବାଦ୍ୟନାଦ ଶଵଦେ ବ୍ରାହ୍ମାଣ୍ଡ କମ୍ପିଲା |
ଚତୁରଙ୍ଗ ବଳ ଥାଟ୪୦ ଘେନି ଚଳିଲା |୫୮|


୩୪| ବନ୍ଦାଇଣ (ପୋଥିପାଠ) |

୩୫| ଭୁଞ୍ଜାଇଣ (ପୋଥିପାଠ) |

୩୬| ଉପରେ ଯେ (ପୋଥିପାଠ) |

୩୭| କମ - ମଙ୍ଗଳ |

୩୮| ବାହାକ - ବାଜା ବଜେଇବା ଲୋକ | କିନ୍ତୁ ଏଠାରେ କୌଣସି ବାଦ୍ୟ ବିଶେଷ ଅର୍ଥରେ କବି 'ବାହାକ' ପଦଟିକୁ ବ୍ୟବହାର କରିଛନ୍ତି | ଅନ୍ୟଥା ଅର୍ଥ ସଙ୍ଗତ ହେବ ନାହିଁ |

୩୯| ମ୍ରଦଳ - ମର୍ଦ୍ଦଳ ଶବ୍ଦର ପ୍ରାଚୀନ ଉଚ୍ଚାରଣ |

୪୦| ଥାଠ (ପୋଥିପାଠ) ଥାଟ - ସୈନ୍ୟ |

ନୃପତି ପାଛୋଟି କିଛିଦୂର୪୧ ଅଇଲେ |
କୁମାରୀକି ଦେଖି କ୍ରୋଧ୪୨ ଅନେକ କଲେ |୫୯|
ଚାଟକୁ ବୋଇଲେ ଆମ୍ଭ ଦୋଷ ନଧର |
ଇଚ୍ଛାବତୀ ଘେନି ତୁମ୍ଭେ ସୁରାଜ୍ୟ କର | ୬୦|
ଦୋଷାଦୋଷ ଅପ୍ରାଧ ଯେ କ୍ଷେମା କରିବ |
ଇଚ୍ଛାବତୀ ଦୋଷ କଲେ ସବୁ ସହିବ |୬୧|
ୟେମନ୍ତ ବୋଲିଣ ରାଜା ସବୁ କହିଲେ |
ଝିଅ ସଙ୍ଗେ ଜେଷ୍ଠା୪୩ କୁମାରକୁ ପେଷିଲେ |୬୨|
ମଦନ ବ୍ରହ୍ମ ରାଜ୍ୟକୁ ଚଳିଣ ଗଲେ |
ଶୁଭ ଯୋଗେ କଟକେ ପ୍ରବେଶ ହୋଇଲେ |୬୩|
ଶୁଣିଣ ଡଗର ରାଜା ଆଗେ ଜଣାଇଂ |
ଚାରୁବ୍ରହ୍ମ ଇଚ୍ଛାବତୀ ଘେନି ଆସଇ |୬୪|
ଆଗେ ଯାଇ ସବୁ ଭାଟ କହିଣ ଥିଲେ |
ଶୁଣିଣ ମଦନବ୍ରହ୍ମ ଥାଟ ସାଜିଲେ |୬୫|
କିଛିଦୂରେ ଦୁଇ ଥାଟ ହୋଇଲେ ଭେଟ |
ବାଦ୍ୟର ଶବଦେ ନଗ୍ର ଅତି ଉଚ୍ଚାଟ |୬୬|
ଚାରୁବ୍ରହ୍ମ ପିତା ପଡେ ଯାଈ୪୪ ଲୋଟିଲେ |
କୁମାରୀ ସହିତେ ପାଦ ଧୂଳି ଘେନିଲେ |୬୮|


୪୧ | "ନୃପତି ପାଛୋଟି କିଛିଦୂର ଯେ ଗଲେ' ହେବା ଅଧିକ ଅର୍ଥଦ୍ୟୋତକ |

୪୨ | ଏଠାରେ 'କ୍ରୋଧ' ରାଗ ଅର୍ଥରେ ବ୍ୟବହୃତ ନହୋଇ ଶୋକର ଆବେଗ ଅର୍ଥରେ କବି ପ୍ରୟୋଗ କରିଥିବାର ଅନୁମାନ |

୪୩ | ଜ୍ୟେଷ୍ଠ ଶବ୍ଦର ଅପଭ୍ରଂଶ |

୪୪ | ଚାଈଂ (ପୋଥିପାଠ) |

ଇଚ୍ଛାକୁ ଦେଖିଣ ମନେ ବଡ ହରଷ |
ୟେହା ବିନୁ ପୁତ୍ର ଆଉ କରିବ କିସ |୬୯|
ୟେତେ ବୋଲି ବରକନ୍ୟା ଘେନିଣ ଗଲେ |
ଆପଣା ମନ୍ଦିରେ ସେ ପ୍ରବେଶ ହୋଇଲେ |୭୦|
ବରମାୟେ ସଙ୍ଗେ ରାଣୀମାନଙ୍କୁ ଘେନି |
ବର କନ୍ୟାଙ୍କୁ ବନ୍ଦାଇ ଗଲେ କାମିନୀ |୭୧|
ସହଚରୀ ଘେନି ସାନ ନାବରେ ଗଲେ |
ବିଚିତ୍ର ମନ୍ଦିରେ ଶେଯ ଶେଯାଇ ଦେଲେ |୭୨|
ଶ୍ରାହାନ ଭୋଜନ ସାରି ବିବିଧ ବେଶ |
ପିଠା ପଣା ପଇଡ ଯେ ବିବିଧ ରସ |୭୩|
ଭୋଜନ ସାରି ବସିଲେ ପଲଙ୍କେ ଯାଇଁ |
କର୍ପୁର ବିଡିଆ ଲାଗି କରାନ୍ତି ନେଇଁ |୭୪|
ଭୋଜରାଜା ନନ୍ଦନ ଯେ ପାଛୋଟି ଗଲେ୪୬ |
ପଞ୍ଚାମୃତ ଦେଇଣ ବହୁତ ତୋଷିଲେ |୭୫|
କିଛୁ ଦିନ ଅନ୍ତେ ତାକୁ କଲେ ମେଲାଣି |
ଅକ୍ଷତ ଧନ ବସନ କେ ପାରୁ ଗଣି |୭୬|
ଦାନ୍ତୁଆଣି କଟକୁ୪୫ ଯେ ଯାଇଣ ଥିଲେ |
ସନମାନ ପାଇ ନିଜ ରାଜ୍ୟକୁ ଗଲେ |୭୭|
ୟେମନ୍ତେଣ ଚାଟ ଇଛା ନିଜ ରାଜ୍ୟରେ |
ପିତା ମାତା ଦେଖିଲେ ସେ ଶିରୀ ନବରେ |୭୮|


୪୫| ଦାନ୍ତୁଆଣୀ କଟକ ହେଲେ ଏହା ବର୍ତ୍ତମାନ 'ଦାନ୍ତନ' ନାମକ ସ୍ଥାନକୁ ବୁଝାଇବ |

୪୬| 'ଭୋଜନନନ୍ଦନ ଯେ ପାଛୋଟି ଯାଇଥିଲେ' ହେଲେ ଅର୍ଥ ଅଧିକ ସ୍ପଷ୍ଟ ହେବ |

ଦେଖି ପିତା ମାତାଙ୍କର ହୃଦ ପୂରିଲା।
ଚାରୁ ବ୍ରହ୍ମ କପାଳେ୪୭ ମୋ ୟେମନ୍ତ ଥିଲା। ୭୯।
ପୁତ୍ରକୁ ନୃପତିପଣ ଦେଲେ ରାଜନ।
ଚାଟ ଇଚ୍ଛାବତୀ ରାଣୀୟେ ବିଦ୍ୟମାନ୪୮। ୮୦।
ଲକ୍ଷେ ବଳ ନିଉଛାଳି୪୯ କଲେ କୁମର।
ଦୁତୀ୫୦ ରାଜା ପଣେ ସେବା କରନ୍ତି ନର। ୮୧।
ଇଚ୍ଛାବତୀ କଟେକ୫୧ ବୋଲିଣ ବିଦିତ।
ଚାରୁ ବ୍ରହ୍ମ ରାଜା ରାଣୀ ଭୋଜ ଦୋହିତ। ୮୨।
ୟେମନ୍ତ ପ୍ରକାରେ ରାଜ୍ୟ କଲେ୫୨ ସେ ମିଶି।
ପୁତ୍ରରୁ୫୩ ଅଧିକ ଯେ ଲୋକଙ୍କୁ ଆଶ୍ୱାସି। ୮୩।
ଲକ୍ଷ୍ମୀପତି ମନୋରଥ କଲେ ସଂପୂର୍ଣ୍ଣ।
ଇଚ୍ଛାବତୀ କୁମର ସବୁରି ଜୀବନ। ୮୪।
କମଳାପତି ଚରଣ ପଙ୍କଜ ଧ୍ୟାଈଂ।
ଇଚ୍ଛାବତୀ ଚରିତ ଗୀତରେ କହଈ। ୮୫।
ଇଚ୍ଛାବତୀ ଗୀତ ୟେହୁ ରସିକବାସ,
ହୀନମତି ଜଗତେ ମୁଂ କଲି ପ୍ରକାଶ। ୮୬।


୪୭। କନ୍ୟାରେ ମୋ (ପୋଥିପାଠ)।
୪୮। ଇଚ୍ଛାବତୀ ରାଣୀ ହେଲେ।
୪୯। ନିଉଛାଳି = ପାଦ ବନ୍ଦନା କରିବା।
୫୦। ଦୂତୀରାଜା = ଦ୍ୱୀତିୟ ରାଜା ରୂପେ।
୫୧। କଟେକ = କଟକ ଶବ୍ଦର ପ୍ରାଚୀନ ଉଚ୍ଚାରଣ।
୫୨। 'ମିଶି' ଏହି ଦୁଇଟି ଅକ୍ଷର ପୋଥିରେ ନାହିଁ।

୫୩। 'ପୁତ୍ର' ଏହି ଦୁଇଟି ଅକ୍ଷର ମୁଖ୍ୟ ପୋଥିରେ କୀଟ ଦଂଷ୍ଟ

ସୁଜନ ପଣ୍ଡିତ ଜନ ରସିକ ଯେହୁ ।
ଇଚ୍ଛାବତୀ ରସେ ତୋଷ ହୋଇବ ସେହୁ । ୮୭।
ନୀଳାଦ୍ରିପତି ଚରଣ ମୋହର ଶିରେ ।
ବୋଲଈଂ ଗୋବିନ୍ଦ୫୪ ତ୍ରାହି କରସି ମୋରେ । ୮୮।

Chata Ichhabati.pdf

୫୪ । ଏଠାରେ ଶେଷ ଭଣିତାରେ କବିଙ୍କ ନାମ ନଥିବାରୁ କେହି କେହି 'ଗୋବିନ୍ଦ' ପଦଟିକୁ କବିଙ୍କର ନାମ ବୋଲି ସନ୍ଦେହ କରିପାରନ୍ତି । କିନ୍ତୁ ଅନ୍ୟ ପାଞ୍ଚଟିଯାକ ଛାନ୍ଦରେ କବି ବନମାଳୀ ନାମ ଭଣିତା ଥିବାରୁ ଏଠାରେ ଗୋବିନ୍ଦ ପଦ ନାରାୟଣଙ୍କ ଅର୍ଥରେ ବ୍ୟବହୃତ ହୋଇଛି ବୋଲି ନିଃସନ୍ଦେହରେ ଧାରଣା କରିବାକୁ ହେବ ।

This work is released under the Creative Commons Attribution-Share Alike 4.0 International license, which allows free use, distribution, and creation of derivatives, so long as the license is unchanged and clearly noted, and the original author is attributed—and if you alter, transform, or build upon this work, you may distribute the resulting work only under the same license as this one.