ଚାଲ ସଖୀ ଆମ୍ଭେ ଦର୍ଶନ କରିବା

ଉଇକିପାଠାଗାର‌ରୁ
Jump to navigation Jump to search
ଚାଲ ସଖୀ ଆମ୍ଭେ ଦର୍ଶନ କରିବା
ଲେଖକ/କବି: ସାଲବେଗ

ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛି ଗିରିବର ତୋଳିଆକୁ ।
ସେ ଯେ ଶ୍ରୀମୁଖ ତୋରା
ଶିରେ ସୁନାସୂତା କେରା କେରା ।୧।

ଶ୍ୱେତ ପଦ୍ମ ଆଖି ଦେଖିଲେ ଗୋ ସଖି ଚିତ୍ତ କି ବାହୁଡ଼େ ଆଉ
କର୍ଣ୍ଣରେ କୁଣ୍ଡଳ ଦିଶେ ଝଲଝଲ କଉସ୍ତୁଭ ଦାଉ ଦାଉ ।
ସେ ଯେ ହିଆ ବୃଷାଳ
ମିଶାମିଶି ବାରାନିଧି-ଫଳ ।୨।

ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ ଧରିଛନ୍ତି ଆଣ୍ଟ କରି
ଦୁଃସହ ଦୁର୍ଗତି ଗ୍ରହପୀଡ଼ାମାନେ ଆଉ କି ପଶିବେ ଡରି ।
ସେ ଯେ ଦୟା ସାଗର
ତାଙ୍କ ପଦ୍ମ ପାଦେ ଲୟ କର ।୩।

ଶ୍ରୀ ପୁରୁଷୋତ୍ତମ ରହଣି କରିବା ଖାଇବା ଛଡ଼ା ତୁଳସୀ
କହେ ସାଲବେଗ ସିଂହଦ୍ୱାରଠାରେ ହୋଇଥିବା କ୍ଷେତ୍ରବାସୀ ।
ସେ ଯେ ଆରତତ୍ରାଣ
କାଳଗଜକୁ ସିଂହ ପ୍ରୟାଣ
ଚାଲ ଚାଲ ପଶିବା ଶରଣ ।୪।