ଚିତ୍ତ ଚିନ୍ତ ଜଗନ୍ନାଥ କଳାମୁଖକୁ

ଉଇକିପାଠାଗାର ରୁ
Jump to navigation Jump to search
ଚିତ୍ତ ଚିନ୍ତ ଜଗନ୍ନାଥ କଳାମୁଖକୁ
ଲେଖକ/କବି: ବ୍ରଜନାଥ ବଡ଼ଜେନା

ଚିତ୍ତ ଚିନ୍ତ ଜଗନ୍ନାଥ କଳାମୁଖକୁ

ଚିତ୍ତ ଚିନ୍ତ ଜଗନ୍ନାଥ କଳାମୁଖକୁ।
ପାଇବୁ ପରମାନନ୍ଦ ସୁଖକୁ ରେ।
ଅରୁଣ ରଙ୍ଗ ଅଧର ଆହା କେଡେ ମନୋହର
ହସୁଥିଲା ପ୍ରାୟେ ଦିଶେ ପାଖକୁରେ ॥ପଦ॥

ପ୍ରବଳ ବିପୁଳ ବାହା ଟେକିବା ଭଙ୍ଗିକି ଚାହାଁ
ଯାହା ତଳେ ରଖନ୍ତି ଅରକ୍ଷକୁରେ ॥୧॥

ସୁନିଶ୍ଚଳ ଚକାଆଖି ଚାହିଁଲେ କରି ନିରେଖି
ନ ଯିବୁ ଯମ ଦଣ୍ଡ ପାଖକୁରେ ॥୨॥

କରୁଣାରେ ପରିପୂର୍ଣ୍ଣ ଢାଳେ ପଙ୍କଜ ନୟନ
ତାରୁଛନ୍ତି ପାପୀ ଲକ୍ଷ ଲକ୍ଷକୁରେ ॥୩॥

ଅଟନ୍ତି ସେ ଭାବଗ୍ରହୀ ଶ୍ରୀବତ୍ସ ପାଦକୁ ବହି
ଅଛନ୍ତି ଅନାଉ କିନା ବକ୍ଷକୁରେ ॥୪॥

କର୍ଣ୍ଣେ ମକର କୁଣ୍ଡଳ ଝଲକେ ଗଣ୍ଡମଣ୍ଡଳ
ନାହିଁ ତ ଉପମା ଦେବା ଲକ୍ଷ୍ୟକୁରେ ॥୫॥

କପୋଳେ ରତନ ଚିତା ଦେଖି ଧରି ନୋହେ ଚେତା
ତଥିପରେ ହେମ ରାହୁ ରେଖକୁରେ ॥୬॥

ବ୍ରଜନାଥ ବୋଲେ କାଳଦେଵତା ନ ଧରୁ ବାଳ
କରିଥା କରୁଣାସିନ୍ଧୁ ପକ୍ଷକୁରେ ॥୭॥