ଛମାଣ ଆଠଗୁଣ୍ଠ/କର୍ମଫଳ

ଉଇକିପାଠାଗାର ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
କର୍ମଫଳ

ତ୍ରୟୋବିଂଶ ପରିଚ୍ଛେଦ

କର୍ମଫଳ :

ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା, ନୁହେଁ, ଗଣ୍ତଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟ ଠାରେ ତୁଚ୍ଛା ବାଲି । ସେହିପରି ଟାଣୁଆ ବଢ଼ିହେଲେ ତୋଠ ଯାଏ ପାଣିଯାଏ । ଦଶ ବାର ଦିନ ହେଲା ସେହିପରି ବର୍ଷା ନ ଥିବାରୁ ନଦୀଟା ଛାଡ଼ିଥିଲା, ଗଲା ପରଦି ଓପର ଓତିଠାରୁ ଅଳ୍ପ ଅଲ୍ପ ପାଣି ପଡୁଅଛି, ମେଞ୍ଚା ମେଞ୍ଚା ଫେଣ ଧାଡ଼ି ଧାଡ଼ି ହୋଇ ଭାସିଯାଉଛି । କୌଣସି କୌଣସି ସ୍ଥାନରେ ପାଣିକଖାରୁ ପରି ଫେଣ ଟାଏ ଭଉଁରୀରେ ପଡ଼ି ଭାଙ୍ଗି ଟିକି ଟିକି ହୋଇଯାଉଛି । କାଠିକୁଟା କେତେ ଭାସିଯାଉଅଛି ଠିକଣା ନାହିଁ । ଗଣ୍ତଜାଗା ଥିବାରୁ ଏଠାରୁ ଗୋମୁଁହା କୁମ୍ଭୀରର ଉପଦ୍ରବ ଭାରି, ଦଢ଼ିଆଣି, ପଣ ଘଡ଼ିଆଳ ତ ପଣ । ଏଠାରେ ଭରସି ଆଣ୍ଠୁ ଆଣି ପାଣିରୁ କେହି ବେଶି ପାଣିକି ଯାଇପାରେ ନାହିଁ । ପୁଣି ନୂଆ ପାଣି ପଡ଼ିଲେ କୁମ୍ଭୀର ଗୁଡ଼ିକ ଭାରି ମାତନ୍ତି । ନୂଆ ବଢ଼ିକି ପରତେ ନାହିଁ, ଫେଣରେ କୁମ୍ଭୀର ଗୁଡ଼ିକ ଭାରି ମାତନ୍ତି । ନୂଆ ବଢ଼ିକି ପରତେ ନାହିଁ, ଫେଣରେ କୁମ୍ଭୀର ଖାଏ । 'ତୋଠରେ ଦିନରାତି ଖଣ୍ତିଏ ଡଙ୍ଗା ବନ୍ଧା ହୋଇଥାଏ; ଗାଉଁଲୀ ଲୋକେ, ହାଟୁଆ ଲୋକେ ପାରିହୁଅନ୍ତି । ସରକାରୀ ଡାକ ପାରିକରିବା ସକାଶେ ନାଉରୀ ଦିନରାତି ପଲାମାରି ଜଗିଥାଏ, ସରକାରରୁ ମାସକୁ ଦୁଇଟଙ୍କା ଦରମା ପାଏ । ଗାଉଁଲୀ ଲୋକେ ନଗଦ କିଛି ଦିଅନ୍ତି ନାହିଁ, ପୁଷମାସ ଧାନ କଟା ସମୟରେ ନାଉରୀ ବିଲ ବିଲ ବୁଲି ପ୍ରତି ଘରୁ ଗୋଟିଏ ଗୋଟିଏ ହଳା ଅସୁଲ କରେ । ହାଟପାଳି ଦିନ ବାଟୁଆମାନେ କେହି ପିତାଶୁଖୁଆ ପୁଞ୍ଜାଏ, କେହି ବାଇଗଣ ଯୋଡ଼ାଏ, କେହି ଲୁଣ ଚିମୁଟେ, କେହି ତେଲ ଦିଟୋପା ଦେଇଯାଏ । କୌଣସି କୌଣସି ଦିନ ବଡ଼ ବଡ଼ ମହାଜନ ଅଚିହ୍ନା ବାଟୋଇ ପହଞ୍ଚିଗଲେ ପଇସାଏ ଅଧଲାଏ ଖଜାଖିଆ ଦେଇଯାନ୍ତି । ଦେଶ କାଳ ପାତ୍ର ଘେନି ଏହି ଲାଭ ଊଣା ଅଧିକ ହୁଏ; ମାତ୍ର ସରକାରୀ ମନୁଷ୍ୟ ଅର୍ଥାତ୍ ଥାନାଦାରୋଗା, ମୁନିସି, କାନ ଗୋଇ ପାର ହେବାଦିନ କାନମୋଡ଼ାଟା, ଚାପୁଡ଼ାଟା, ଗାଳିଟି କେଭେ ଉଣା ହୁଏ ନାହିଁ । କେଉଟ ଚାନ୍ଦିଆ ବେହେରା କହେ, ଏହି ଘାଟ ବହି ତା ଦିହକ ପାହିଲାଣି, ତା'ପରି ଜଣେ ଆଣ୍ଟୁଆ ନାଉରୀ ଏ ଖଣ୍ତମଣ୍ଡଳରେ ଦେଖାନାହିଁ ।"

ରାତି ଶେଷ ହୋଇଆସିଲାଣି । ରାତିରେ ଭାରି ବର୍ଷା; ଭାରି ତୋଫାନ ଥିଲା, ବର୍ତ୍ତମାନ ପାଣି କିମ୍ବା ପବନ ନାହିଁ, ମେଘଟା ସେହିପରି ଘୋଡ଼ାଇଛି, ଅକାରଣ କେଉଁଠି କିପରି ଫାଙ୍କରେ ସାନ ସାନ ତରାଟିମାନ ଜୂଳୁ ଜୂଳୁ କରି ଅନାଇ ଲୁଚିଯାଉଛନ୍ତି । ଠିକ୍ ଏହି ସମୟରେ ଜଣେ ବାଟୋଇ ସାନ ଗଣ୍ତିରାଟିଏ ପିଠିରେ ବୋକଚା କରି ତୋଠ ପାଖରେ ନଦୀ କୂଳେ କୂଳେ ବୁଲୁଅଛି, ନଦୀ କୂଳେ କୂଳେ ଚାରି ପାଞ୍ଚଶ ହାତ ଚାଲିଯାଇ ପୁନର୍ବାର ତୋଠ ଠାକୁ ଫେରିଆସୁଅଛି । ଜଣାଯାଏ ପହଁରି ନଦୀପାର ହେବାର ଲୋକଟାର ଇଚ୍ଛା, ହେଲେ ବଳ ଖଟୁ ନାହିଁ । ତୋଠାରେ ଠିଆ ହୋଇ ଡାକିଲା, "ଏ ନାଉରି ଭାଇ, ଏ ନାଉରି ଭାଇ !" ଚାନ୍ଦିଆ ବେହେରା, ବାଲିରେ କାତଟା ପୋତି ଖଣ୍ତେ ଲମ୍ବା ଦଉଡ଼ିରେ ଡଙ୍ଗାଟା ଖଟାଇ ଦେଇ ତୁଠ ପାଖରେ ଭୂଇଁପଲାରେ ଶୋଇଅଛି । ବାଟୋଇ ପୁନର୍ବାର ଥରେ ଅତି ସାବଧାନରେ ଡାକିଲା, "ଏ ନାଉରି ଭାଇ, ଏ ନାଉରି ଭାଇ !" ବାଟୋଇ ଡାକିସାରି ଚମକି ପଡ଼ିଲାପରି ଥରେ ପଛକୁ ଅନାଇଲା । ନାଉରି କି ଶୋଇ ଯାଇଛି ? ଏତେ ଡାକର ଜବାବ ନାହିଁ କ୍ୟା ? ମାତ୍ର ଆମ୍ଭମାନେ ନିଶ୍ଚୟ ଜାଣୁ, ନାଉରି ରାତି ଘଡ଼ିଏ ଥାଉଁ ଉଠି ବସିଥାଏ । ଶାସ୍ତ୍ରକାରମାନେ ବୋଲି ଅଛନ୍ତି, ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବ । ଶାସ୍ତ୍ରବିଧି ପାଳିବା ସକାଶେ ଯେ ଚାନ୍ଦିଆ ଉଠିଥାଏ, ଏହା ନୁହେଁ । ଦିନେ ଦିନେ ରାତି ପିଛିଲା ପହରରେ ଡାକ ଆସି ପଡ଼ିଯାଏ, ସେଥିସକାଶେ ସେ ଜାଗ୍ରତ ତାଏ । ଆଉ ଗୋଟିଏ କଥା, ସଞ୍ଜ ବେଳକୁ ଘାଟ ବନ୍ଦ ହୋଇଯାଏ, ସଅଳେ ସଅଳେ ଚାରିଟା ଖାଇଦେଇ ଶୋଇପଡ଼ିଥାଏ । ରାତିଟାଯାକ କେତେ ଶୋଇବ ? ଚାନ୍ଦିଆ ପଲା ମଧ୍ୟରେ ଦୁଇ ଆଣ୍ଠୁ ଉପରେ ମୁଣ୍ତଟି ଦେଇ ଠୁଙ୍ଗା ହୋଇ ବସିଛି, ଆଗରେ ନିଆଁ ଉହ୍ମେଇ, ଚଷୁ ନିଆଁକୁ ଦୁଇହାତ ବଢାଇ ଦେଇଅଛି । ବୋଧହୁଏ ସେ ମନ ମଧ୍ୟରେ ଭାଳୁଅଛି, ଅବେଳରେ ଏ ବାଟୋଇଟା କିଏ ? ସରକାରୀ ଲୋକ ତ ନିଶ୍ଚୟ ନୁହେଁ, ଏ ଲୋକଟା 'ଭାଇ ଭାଇ' ଡାକୁଛି, ସରକାରୀ ଲୋକ ହୋଇଥିଲେ ତା ଘରଆଡ଼ ଭାଇ ଲେଖା କରି ଡାକନ୍ତା । ଯିଏ ହେଉ ଡାକୁଥାଉ, ରାତି ପାହୁ ଦେଖିବି । ପୁନର୍ବାର ଡାକ "ଏ ନାଉରି ଭାଇ, ଆ ବାହାରି ଆ, ଖଜାଖିଆ ଦେବି ।" ଚାନ୍ଦିଆ ଆଉ ସମ୍ଭାଳିପାରିଲା ନାହିଁ, ଖଜାଖିଆ ନାଁ ଶୁଣି ଦୁଇ ତିନିଥର କାଶିଲା । ଖଜାଖିଆ ଶବ୍ଦରେ କିପରି ଗୋଟାଏ ମନମୋହନ ଶକ୍ତି ଅଛି, ନାଉରି ତ ନାଉରି, ଖଜାଖିଆ ଶବ୍ଦ ଶୁଣିଲେ କେଡ଼େ କେଡ଼େ ଲୋକମାନେ କାଶିପକାନ୍ତି । ଚାନ୍ଦିଆ ପଲା ମଧ୍ୟରୁ ଜବାବ ଦେଲା, କିଏ ପାଟି କରୁଛ ହୋ, ରୁହ ରାତି ପାହୁ, ଲକ୍ଷେ ଟଙ୍କା ଦେଲେ ତ ମୁଁ ବାହାରକୁ ବାହାରକୁ ବାହାରିବି ନାହିଁ ।"

ବାଟୋଇ - ଦେଖ, ଭାଇ ନାଉରି, ମୋର କଟକରେ ମାମଲା ଅଛି, ଚଞ୍ଚଳ ଯିବି, ନେ ପାଞ୍ଚ ଟଙ୍କା ନେ ।

ପାଞ୍ଚ ଟଙ୍କା ! ଏ କ'ଣ ଏ ! ଗୋଟାଏ ପଝାରିକୁ ପାଞ୍ଚ ଟଙ୍କା ? ଚାନ୍ଦିଆ ଜୀବନରେ କେବେ ଏପରି ଘଟନା ଘଟି ନାହିଁ, ଏକା ବେଳକେ ପାଞ୍ଚ ଟଙ୍କା ତା ହାତରେ ପଡ଼ିଛି କି ନାହିଁ, ସେ ବିଷୟ ଆମ୍ଭମାନଙ୍କର ଘୋର ସନ୍ଦେହ ଅଛି । ସେ ପୂର୍ବ ମୁହୂର୍ତ୍ତରେ ପ୍ରତିଜ୍ଞା କରିଥିଲା, ଲକ୍ଷେ ଟଙ୍କା ପାଇଲେ ମଧ୍ୟ ବାହାରନ୍ତା ନାହିଁ, ଲକ୍ଷକରୁ ପାଞ୍ଚ ଫେଡ଼ି ଦେଲେ ବାକି କେତେ ଊଣା ହେଲା, ଏ କଥା ଆଲୋଚନା କରିବା ବୋଧହୁଏ ଅନାବଶ୍ୟକ ବୋଧ କଲା । ଏଣେ ଡର, ବାଟୋଇ ଯେବେ ବାହୁଡ଼ିଯାଏ, ଅବା ରାତି ପାହିଗଲେ ପଇସାଟିଏ ନୋହିଲେ ଯୋଡ଼ାଏ । ଚାଳିଆ ପଲାଭିତରୁ ଡାକ ଦେଲା, "ରହ ତେବେ ରହ, ମୁଁ ଯାଏ ।" ନିଆଁ ଉପରେଫୁଙ୍କି ଫୁଙ୍କି କାହାଳି ଲଗାଇ ହାରତେ ଆଭୁଲାଟାଏ ଧରି ପଲାରୁ ବାହାରିପଡ଼ିଲା, ପିନ୍ଧିଲା ଲୁଗାପଟା ଅଣ୍ଟାରେ ଭିଡ଼ି ଦେଇ ମୁଣ୍ତରେ ଗାମୁଛାଟା ଗୁଡ଼େଇ ଟୋପରଟା ଥୋଇଦେଲା । ବାଟୋଇକୁ କହିଲା "ଆଣ ଆଣ କଣ ଦେଉଛ ଦିଅ । ତୁମେ ବୋଲି ମୁଁ ବସାରୁ ବାହାରିଲି, ଆଉ କେହି ହେଇଥିଲେ ମୁଁ କି ଉଠିଥାନ୍ତି ?" ବାଟୋଇ ପାଞ୍ଚଟି ଟଙ୍କା ବଢ଼ାଇଦେଲା । ନାଉରି ଦୁଇ ହାତରେ ଏକ, ଦୁଇ, ତିନି, ଚାରି, ପାଞ୍ଚ, ଏ ହାତ ସେ ହାତ କରି ତିନିଥର ଗଣିଲା । 'ଟଙ୍କା ନେବ ଗଣି, ପାଣି ପିଇବା ଛାଣି ।' କାହାଳିଟା ବଳରେ ଭିଡ଼ିନେଇ ଆଲୁଅରେ ଥରେ ଟଙ୍କା ଗୁଡ଼ାକ ଦେଖିନେଲା । କୁଞ୍ଚକାନିରେ ବାନ୍ଧି ଅଣ୍ଟାରେ ଭଲ କରି ଖୋଷିଦେଇ ଆକାଶକୁ ପୁଣି ଚାରିଆଡ଼କୁ ଅନାଇଲା, ଆଉ ରାତି ନାହିଁ । ବାଟୋଇ ନାଆ ଆଗ ମଙ୍ଗରେ ବସିସାରିଲାଣି । ନାଉରି ଡାକିଦେଲା "ଭଲ କରି ସମ୍ଭାଳି ବସ ।" ଡଙ୍ଗାରେ ଡାହାଣ ହାତ ତିନି ଥର ଲଗାଇ ମୁଣ୍ତରେ ମାରି ଫିଟାଇଦେଲା, 'ଜେ ଗଙ୍ଗା ମାତା', କହି ନାଆରେ ଉଠିବସିଲା । ଉପର ପାଣି ତୋଡ଼ ପଡ଼ିଛି, ସମ୍ଭାଳି ହେଉ ନାହିଁ, ଆଉଲା ବାହୁ ବାହୁ ଡଙ୍ଗାଟା ଢେର ତଳକୁ ଭାସିଗଲା । ସମ୍ଭାଳି ଟେକୁ ଟେକୁ ନଦୀ ଛ'ପଣି ଦଶପଣି ହୋଇଅଛି, ରାତି ପ୍ରାୟ ପାହିଆସିଲାଣି । ଗୋପାଳପୁର ତୋଠପାଖରୁ ଗୋଟାଏ ଗୀତ ଶୁଭିଲା -

'ଏ-ଏ-ଏ-ରାମ ଯେ ଲଇକ୍ଷଣ ହେ ଗଲେ ମୃଗ ମାରି
କୁଡ଼ିଆ ଦୁଆରେ ଆସି ଉଭା ବ୍ରହ୍ମଚାରୀ
ବୋଇଲେ ସୀତୟା ଗୋ ଭିକ୍ଷା ଦିଅ ଆମ୍ଭଙ୍କୁ,
ନୋହିଲେ ଅଭିଶାପ ଗୋ ଦେବୁ ରାମ ଲଇକ୍ଷଣକୁ ।'

ବାଟୋଇ ଡଙ୍ଗାରେ ବସି ବାରମ୍ବାର ଗୋପାଳପୁର ତୋଠଆଡ଼କୁ ଚାହିଁଛି । ଗୀତର ଶବ୍ଦ ଅବିରଳ ଅନ୍ଧକାରରାଶି ଭେଦ କରି କାନରେ ପଡ଼ିବାରୁ ବାଟୋଇ ଚଙ୍ଗ ଚଙ୍ଗ ହୋଇ ଠିଆ ହୋଇ ସେ ଦିଗକୁ ଅନାଇଲା । ନାଉରି କାନକୁ ଶବ୍ଦ ଯାଇ ନାହିଁ, ଏକମନରେ ଡଙ୍ଗା ବାହୁଥିଲା, ଡଙ୍ଗା ଟଳ ଟଳ ହେବାରୁ ଡାକି ଦେଲା, 'ଆରେ ବସିପଡ଼ ।' ବାଟୋଇର ଭାବ ଦେଖି ନାଉରି ମଧ୍ୟ ତୋଠାଆଡ଼କୁ ଚାହିଁ କହିଲା, ଓହୋ; ଟପାଟା ହାବୁଡ଼ିଲା ଯେ ।' ଏହା କହି ଡଙ୍ଗା ମଙ୍ଗ ଫେରାଇଦେଲା । ବାଟୋଇ ବ୍ୟାକୁଳ ହୋଇ କହିଲା, "ଏ ନାଉରୀ ଭାଈ, ଡଙ୍ଗା ଫେରା ନା, ଫେରା ନା, ମୋତେ ଆଗ ପାରି କରିଦେ । "ନାଉରୀ କହିଲା, "ମଲା ଯା, ସରକାରୀ କଥା, ମୁଁ କଣ ଜେଲ ଯିବି ?" ରାତ୍ର ଶେଷ, ଅଳ୍ପ ଅଳ୍ପ ଆଲୁଅ ପଡ଼ିଲାଣି, ନାଉରୀ ଦେଖିଲା ବାଟୋଇର ସର୍ବାଙ୍ଗ ରକ୍ତମୟ, ଲୁଗାରେ ରକ୍ତ, ବୋକଚାରେ ରକ୍ତ । ଦୋଳରେ ଫଗୁ ଖେଳିଲାପରି ଲାଲ ଟହ ଟହ ଦିଶୁଅଛି । ନାଉରୀ ଚମକିପଡ଼ି କହିଲା, "କଣ ହେ ! ରକ୍ତ କାହୁଁ ଅଇଲା ? ତୁମେ କଣ କାହାକୁ ମାରିଛ ? ବାଟୋଇ ଚଞ୍ଚଳ ଗଣ୍ଠିରାଟି ଧରି, ନାଉରୀ ହାଁ ହାଁ କହୁଁ କହୁଁ ନଦୀକୁ ଡେଇଁ ପଡିଲା । ପନ୍ଦର କୋଡ଼ିଏ ହାତ ପହଁରି ଯାଉଁ ଯାଉଁ କାହୁଁ ଗୋଟିଏ ଗୋମୁହଁଅ କୁମ୍ଭୀର ଆସି ଟପ୍‌କରି ଧରିପକାଇଲା, ଗଣ୍ଠିରାଟି ଅଳ୍ପ ଦୂର ଭାସିଯାଇ ବୁଡ଼ିଗଲା । ଚାନ୍ଦିଆ ଚାହିଁଥାଏ । ଏ ଲୋକଟା କିଏ, କେଉଁଠାରୁ ଅଇଲା, କାହିଁ ଯାଉଁଥିଲା ? ବୁଝିବା ହେଲେ ପାଠକ ଅବଧାନ ! ଆମ୍ଭେମାନେ ହେଲୁ ଗ୍ରନ୍ଥକାର, ସୁତରାଂ ସର୍ବଜ୍ଞ । ଏହି ସେ କୁମ୍ଭୀର ଲୋକଟାକୁ ଘେନିଗଲା, କି ପାଇଁ ଘେନିଗଲା, କାହିଁ ଘେନି ଗଲା, ତାହା ସହିତ ସଦ୍‌ ବ୍ୟବହାର କଲାକି ଅସଦ୍‌ ବ୍ୟବହାର କଲା, ଏ ସମସ୍ତ ଗୁପ୍ତ ବିଷୟ ଆମ୍ଭ ମାନଙ୍କୁ ଭଲ ଜଣା । ହେଲେ, ଚାନ୍ଦିଆ ବେହେରା କୌଣସି କାରଣରୁ ଏ କଥା ଅନେକ ଦିନ ପର୍ଯ୍ୟନ୍ତ ଲୁଚାଇଥିବାରୁ ଆମ୍ଭେମାନେ ପ୍ରକାଶ କରିବାକୁ ନାରାଜ । ଲୋକଟା ଡଙ୍ଗାରୁ ପାଣିକି ଡେଇଁ ପଡ଼ିବାବେଳେ ତାହା ଗଣ୍ଠିରିରୁ ଡେମ୍ପେ ଲମ୍ବ ବିଡ଼ାଏ ତାଳପତ୍ର ଡଙ୍ଗାରେ ପଡ଼ିଯାଇଥିଲା । ସେହିବିଡ଼ାଟା ଚାନ୍ଦିଆ ପଲା ମଧ୍ୟରେ ଲୁଚାଇ ରଖିଥାଏ । କିଛିଦିନ ଉତ୍ତାରେ ଜଣେ ପଝାରି ଅବଧାନକୁ ପଢ଼ାଇବାରେ ସେ ଖଣ୍ତେ ପତ୍ରରୁ ଏହିପରି ପଢ଼ିଲେ -

ଶ୍ରୀ ଶ୍ରୀ ମୁକୁନ୍ଦ ଦେବଙ୍କ ସାତ ଅଙ୍କ କୁମ୍ଭମାସ କୃଷ୍ଣପକ୍ଷ ଦ୍ୱିତୀୟା ଦିନ ବେଳ ଦୁଇ ଘଡ଼ି ସମୟରେ ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ମହାଜନଙ୍କ ସୁସାକ୍ଷାତକୁ ଏହି ଗ୍ରାମର ରହିବା ଲୋକ ତେଲିପୁଅ ଶ୍ୟାମସାହୁର ଦେଲି ଗୁଜା, ଏନିମନ୍ତେ ଗୁଜା ଲେଖିଦେଲେ କି ମୋ ପୁଅ ଭୀମା ବିଭାଘରକୁ ଆପଣଙ୍କଠାରୁ ଦଶଟଙ୍କା କରଜ ନେଲି; ଆସନ୍ତା ଧନୁ ମାସରେ ମୋ ଖଳା ଉପରୁ ଆପଣଙ୍କ ଖମାର ଗଉଣୀରେ ଦାଣ୍ତ ଭାଉ ପ୍ରମାଣେ ଧାନ ମାପିନେଇ ତହିଁ କଳନ୍ତରକୁ ଅଧା କି ମୂଳ ନଉତିକେ ଆଠ ବିଶ୍ୱା ପରିମାଣରେ ମାପିନେବେ । ଏ ପ୍ରମାଣ, ଏଥକୁ ସାକ୍ଷୀ ଚନ୍ଦ୍ର ସୂର୍ଯ୍ୟ ଦଶ ଦିଗପାଳ ।

ଚାନ୍ଦିଆ ବେହେରା ଡଙ୍ଗା ବାହିନେଲାବେଳେ ଢେର୍ ଦିନପର୍ଯ୍ୟନ୍ତ ଠିକ୍ ସେହି ସ୍ଥାନରେ ଥରେ ଅନାଏ ।