ଛମାଣ ଆଠଗୁଣ୍ଠ/ଗୋବରା ଜେନା

ଉଇକିପାଠାଗାର ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ଗୋବରା ଜେନା

ଏକାଦଶ ପରିଛେଦ

ଗୋବରା ଜେନା :

ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର; ତା'ର ଦେଢ଼ମାଣ ଚୌକିଆ ଜାୟଗିରି ଅଛି, ଏ ସିବାୟ ଫି ଘରୁ ଧାନକଟା ସମୟରେ ଗୋଟାଏ ଲେଖାଏଁ ହଳା ପାଏ । ଜେନା ମଜବୁର ଆପଣା କାମରେ ଖୁବ୍ ହୁସିଆର । ତାହା ଯୋଗେ ଗ୍ରାମରେ ଚୋରି ଚପାଟି ହୁଏ ନାହିଁ । ଫି ବରଷ ଗ୍ରାମ ମଧ୍ୟରେ ଚାରି ପାଞ୍ଚନମ୍ବର ସୀନ୍ଧିହୁଏ ସତ୍ୟ; କିନ୍ତୁ ଜେନା ମଜବୁରର କିଛି ଦୋଷ ନାହିଁ; କାରଣ ସେହି ସବୁ ଚୋରି ରାତିରେ ଜେନା ପୁଅ ଜାତିଆଣ କାମରେ ଚାରିପାଞ୍ଚକୋଶ ଦୂରବର୍ତ୍ତୀ ଗ୍ରାମକୁ ଯାଇଥାଏ । ଚୌକିଦାର ସାରାରାତି ଗ୍ରାମରେ ପହରା ଦିଏ; ମାତ୍ର ସେ ଏପରି ହୁସିଆରରେ ପହରା ଦିଏ; ଯେ, ସେ କଥା କେହି କେତେବେଳେ ଜାଣିପାରନ୍ତିନାହିଁ । ପାଟିକରି ପହରା ଦେଲେ ତୁଣ୍ତଶୁଣି ଚୋରଯେ ପଳାଇଯିବେ । ପୁରୁଣା ପୋଲିସ ଭାରି ଲାଞ୍ଚଖିଆ ଥିଲେ, ଏପରି ଗୋଟାଏ ପ୍ରବାଦ ଅଛି । ସତ ମିଛ ଜଗନ୍ନାଥ ଜାଣନ୍ତି । ଲୋକମାନଙ୍କ ପାଟିରେ କିଏ ହାତଦେବ ? ବାଘ ମଣିଷ ଖାଏ - ସବୁବାଘ ଗୁଡ଼ାକ ମଣିଷଖିଆ ? ସାଧୁସଚରିତ୍ର ବାଘ କି ଦୁନିଆରେ ନାହାନ୍ତି ? ଆମମାନଙ୍କ ଜେନାପୁଅ ସେହିପରି ଜଣେ ସାଧୁ ସଚ୍ଚରିତ୍ର ଲୋକ । ଆପଣାର ହକ୍ ଅର୍ଥାତ୍ ବାର୍ଷିକ ହଳା, ବାହାପୁଆଣିରେ ଖଦୀ ମୂର୍ତ୍ତି ଏ, ଉପରି ବରଠାରୁ ଚୌକିଆ ରୋସମ ଟଙ୍କାଟିଏ, ଆଉ ମଲାମରୁଡ଼ିରେ ଭାତିଆ ବାବଦକୁ କିଛି ଖର୍ଚ୍ଚ ପିଢ଼ାରୁ ଲାଉ କଖାରୁଟାଏ ଛଡ଼ା କାହାଠାରୁ କିଛି ଲାଞ୍ଚ ରିସପତ୍ ଛୁଏଁ ନାହିଁ । ଆଉ ଚୋରି, ସାପକାମୁଡ଼ା, ଜଳଡୁବିମାମଲା ପଡ଼ିଲେ ପୋଲିସରେ ଏତଲା ଖର୍ଚ୍ଚ । ଟଙ୍କାଟିଏ, ସେ ତ ଆଇନ୍ ରେ ଅଛି, ସେଥିରେ ଚୌକିଆର କଣ ଇଲାକା ? ବରଞ୍ଚ ଗୋବର୍ଦ୍ଧନ ଭାରୀ ଦୟାଳୁ ଲୋକ, କେହି ଗରିବ ଉପରେ ମାମଲା ପଡିଲେ କଂସାଖଣ୍ଟି ଢାଳଟୋ ନେଇ କାମ ତୁଲାଇନିଏ । ମାସକୁ ଥରେ ପୋଲିସରେ ରିପୋର୍ଟ ଦେବାକୁ ଯିବାବେଳେ ଗ୍ରାମରୁ କଦଳୀ କାନ୍ଦିଟା, ଲାଉ, କଖାରୁ ପୁଞ୍ଜାଏ ମୁନ୍ସି ଜମାଦାର ବରକନ୍ଦାଜ ସକାଶେ ନେବାରେ ତ ସୁବାମତି କଥା । କାମ ଝଞ୍ଜଟ ହେତୁରୁ ଜେନାପୁଅ ରାତିଓଳିଟା ଘରୁଭାତ ଖାଇପାରେ ନାହିଁ । ପାଳିକରି ଗାଁ ଲୋକଙ୍କ ଘରୁଖାଏ ଯାହାଘରୁ ଯେଉଁଦିନ ଖାଇବାର ବେଳ ଥାଉଁ ଥାଉଁ ମୁଠାଏ ଚାଉଳ ପକାଇବା ସକାଶେ କହିଯାଏ । ଖଞ୍ଜ ଅଖଞ୍ଜରେ ଭାତ ହେଇନପାରିଲେ ଜେନାପୁଅ ସେଦିନ ରାତିରେ ତାହା ଘର ପହରା କାମରେ ଢିଲା କରିଦିଏ । ଚୋରମାନେ ତକ୍ଷଣେ ଏ କଥା ଜାଣିପାରି ସେଦିନ ରାତିରେ ତାହା ପିଢ଼ା ବା ବାଡ଼ିରୁ ଫଳ କଦଳୀଟା କିମ୍ବା ବିଲରୁଧାନ ଚୋରି କରି ଘେନିଯାଆନ୍ତି କିମ୍ବା କିଛି ନ ପାଇଲେ ତାହା ଦାଣ୍ତ ଦୁଆର ଖୁମ୍ବାଟା ଭାଙ୍ଗି ଦେଇଯାଅନ୍ତି । ଗୋବର୍ଦ୍ଧନ ଗାଁରେ ଭାତ ଖାଇସାରି ଆପଣା ଘର ପର୍ଯ୍ୟନ୍ତ, 'ଗାଁଲୋକେ ହୁସିଆର୍, ଘରବାଲେ ଖବରଦାର, ପାଟିକରି ଡାକ ଦିଏ । ଚେଇଁଥିବା ପିଲା ମାନେ ସେ ଡାକଶୁଣି ଶୋଇପଡ଼ନ୍ତି । ତାହା ବାଦ୍ ସେ ଗାଁରେ ସାରା ରାତି ପହରା ଦିଏ, ଏ କଥା କାହାକୁଜଣା ପଡ଼େନାହିଁ । ଗୋବରା ଜେନାକୁ ଗୋଟା ପାଣ ମଧ୍ୟରେ ଗଣିବ ନାହିଁ । ହଜାରେ ପାଞ୍ଚଶ ଗଣିଦେବାର ଲୋକ । ଧାନ ପାଞ୍ଚ ସାତ ଭରଣ ମଧ୍ୟ ଘରେ ସାଇତି ଅଛି । ଯେ ଯେଡ଼େ ହୁସିଆର ହେବ, ଆପଦ ବିପଦ କାହାରିକୁ ଛାଡ଼ିନାହିଁ । ଥରେ ଗୋଟାଏ ଚୋର ମାମଲା ତାହା ଉପରେ ଝୁଙ୍କିଥିଲା । ଶୁଣିବାରେ ଅଢ଼େଇଶ ଟଙ୍କା ମୁନିସ୍‌କୁ ପେଲିଦେଇ ଖଲାସ ପାଇଲା । ସେ ମାମଲାର ହାଲ ଏହିକି, ମାଖନପୁରି ମୌଜାର ଭୁବନିଶା' ତେଲୀ ମହାଜନ ଘର ଡକାଇତି ମୋକଦ୍ଦମାରେ ଆଠ ଜଣ ଡକାଇତ ଗ୍ରେପ୍ତାର ହୋଇଥିଲେ । ଗୋବରା ଜେନା ସହ୍ଲାରେ ସେହି ଡକାଇତି ହୋଇଥିବାର ଏବଂ ଆହୁରି ଦଶ ପନ୍ଦର ନମ୍ବର ଚୋରିରେ ତାହାର ସହ୍ଲାଥିବାର ଏବଂ ଚୋରାମାଲ ସବୁ ତାହାଦ୍ୱାରା ବିକ୍ରି ହୋଇଥିବାର ଆସାମୀମାନଙ୍କ ମଧ୍ୟରେ ଦିକଡ଼ିଆ ପାଣ ପ୍ରକାଶ କଲା; ମାତ୍ର ଆଉ ଆଉ ଆସାମୀ ମାନେ ଏ କଥା ଅସ୍ୱୀକାର କରିବାରୁ ଗୋବରା ଦେହକୁ ଆଞ୍ଚ ଲାଗିଲା ନାହିଁ । ଗୋବରା ଜେନାଙ୍କ ଯୋଗ୍ୟତାରେ ମଙ୍ଗରାଜେ ତାହା ଉପରେ ଭାରିଖୁସି । ସେ ସକାଳ ସଞ୍ଜବେଳେ ମଙ୍ଗରାଜଙ୍କ କଚେରୀରେ ହାଜର ଥାଏ । ଅଧରାତିବେଳେ ଗୋବରା ଓ ମଙ୍ଗରାଜ ନିରୋଳାରେ ବସିଥିବାର ଲୋକ ଦେଖିଛନ୍ତି । ଫତେପୁର ସରଷଣ୍ତ ତାଲୁକାରେ ଅନେକ ପାଣଙ୍କ ଘର ଅଛି । ସେମାନେ ଚୋରି, ଡକାୟତି, ରାହାଜାନୀ ବ୍ୟବସାୟୀଥିବାର ଲୋକେ ସନ୍ଦେହ କରନ୍ତି । ପୁଲିସ ଏବଂ ଜେଲଖାନା ସହିତ ଘନିଷ୍ଠ ସମ୍ବନ୍ଧ ଏହି ସନ୍ଦେହର କାରଣ ଅଟେ । ଗୋବର୍ଦ୍ଧନର ଗୋଟିଏ ମହତ୍ ଗୁଣ, କୌଣସି ପାଣ ଜେଲ୍ ଗଲେ ତାହାର ଅସହାୟ ପିଲା ବାଳକଙ୍କୁ ଚଳାଏ ଏବଂ ମଙ୍ଗରାଜଙ୍କ ଖମାରରୁ ଦାନ ଦିଆଦିଏ; ମାତ୍ର ନିନ୍ଦୁକ ଲୋକର ନିନ୍ଦାକଥା କାହିଁ ଛାଡ଼ ନାହିଁ; ଲୋକମାନେ ଗୋବର୍ଦ୍ଧନର ଏହି ସଦ୍‌ଗୁଣର ଅନ୍ୟ ପ୍ରକାର ଅର୍ଥ କରନ୍ତି । ସେଥି ସଙ୍ଗେ ମଙ୍ଗରାଜଙ୍କ ଦାତବ୍ୟତା ଉଲ୍ଲେଖ କରିବା ମଧ୍ୟ ଗୋଟିଏ ଭାରି ଖରାପ କଥା ଅଟେ ।