ଛମାଣ ଆଠଗୁଣ୍ଠ/ବାଘସିଂହ ବଂଶ
←ମନ୍ତ୍ରଣା | ଛମାଣ ଆଠଗୁଣ୍ଠ ଲେଖକ/କବି: ବାଘସିଂହ ବଂଶ |
ଟାଙ୍ଗୀ ମାଉସୀ→ |
ପଞ୍ଚଦଶ ପରିଚ୍ଛେଦ
ବାଘସିଂହ ବଂଶ :
ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି "ଓଡ଼ିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ତାଏତମାନେ ଥିଲେ ।" ପ୍ରକୃତରେ ଗଜପତି ଦରବାରରେ ଖଣ୍ତାମୁଠିଠାରୁ ଲେଖନ ମୁନପର୍ଯ୍ୟନ୍ତ ସମସ୍ତ ରାଜକାର୍ଯ୍ୟ ସେମାନଙ୍କ ହସ୍ତଗତ ଥିଲା । ବେତନ ନିମନ୍ତେ ଗନ୍ତାଘରୁ ନଗଦ ଟଙ୍କା ପାଉ ନଥିଲେ, ଓଡ଼ିଶାର ଅଧିକାଂଶ ଭୂମିଖଣ୍ତ ଜାୟଗିରିସ୍ୱରୂପେ ପୁରୁଷାନୁକ୍ରମେ ବାଣ୍ଟି ଖାଉ ଥିଲେ । ଖଣ୍ତାଏତମାନଙ୍କ ବାହୁବଳରେ ଓଡ଼ିଶା ବହୁ କାଳପର୍ଯ୍ୟନ୍ତ ସ୍ୱାଧୀନତା ରକ୍ଷା କରିବାକୁ ସକ୍ଷମ ହୋଇଥିଲା । ପଠାଣ ମାନେ ତିନି ବର୍ଷରୁ ଅଧିକ କାଳ ବଙ୍ଗଳାଦେଶରୁ ଡୁଙ୍ଗି ଡୁଙ୍ଗି ମଧ୍ୟ ସୁବର୍ଣ୍ଣରେଖା ପାର ହୋଇ ପାରି ନ ଥିଲେ । ପାଇକମାନେ ସର୍ବଦା ରାଜଦରବାରରେ ଉପସ୍ଥିତ ନ ଥାନ୍ତି । ଦଳପତିମାନେ ଆପଣା ଆପଣା ଅଧିନସ୍ଥ ପାଇକମାନଙ୍କୁ ଘେନି ଗୋଟିଏ ଗୋଟିଏ ଚକ୍ରରେ ବାସ କରୁଥିଲେ । ଦଳପତିମାନଙ୍କ ବୈଠକ ସ୍ଥାନର ନାମ ଚୌପାଢ଼ୀ । ସେ ସ୍ଥାନରେ ମାଲବିନ୍ଧାଣ, ଫରିଖେଳ, କାଣ୍ତବିନ୍ଧା ଏବଂ ଗୁଳିମାରିବା ଏହି ଚାରି ପ୍ରକାର ବିଦ୍ୟାଲୋଚନା ହେଉଥିବା ଯୋଗୁ ଚୌପାଢ଼ୀ ନାମରେ କଥିତ ହେଉଥିଲା । ଗଜପତିବଂଶର ପତନ ଉତ୍ତାରେ ଟୋଡରମଲ ବଡ଼ ବଡ଼ ଚୌପାଢ଼ୀକୁ କିଲ୍ଲା ନାମରେ ବନ୍ଦୋବସ୍ତ କରିଅଛନ୍ତି । ଓଡ଼ିଶାର ଅନେକ ସ୍ଥାନରେ ଆଜିପର୍ଯ୍ୟନ୍ତ ନାମମାତ୍ର କ୍ଷୁଦ୍ର କ୍ଷୁଦ୍ର ଚୌପାଢ଼ୀ ବିଦ୍ୟମାନ ଥିବାର ଦେଖାଯାଏ ଏବଂ ପ୍ରାଚୀନ ଦଳପତିମାନଙ୍କର ଅଯୋଗ୍ୟ ବଂଶଧରର ମଧ୍ୟ ଅଭାବ ନାହିଁ ।
ଆମ୍ଭମାନଙ୍କର ବାଘସିଂହ ବଂଶ ପୂର୍ବୋକ୍ତ ଦଳପତିମାନଙ୍କର ଜଣେ ବଂଶଧର ଅଟନ୍ତି । ଏମାନଙ୍କର ସଂଜ୍ଞା ମଲ୍ଲ, ଜ୍ୟେଷ୍ଠପୁତ୍ରର ଉପାଧି ବାଘସିଂହ । ଜ୍ୟେଷ୍ଠପୁତ୍ର ଜାୟଗିରିର ଉତ୍ତରାଧିକାରୀ । ଅନ୍ୟ ପୁତ୍ରମାନେ ଭାତିଆ ପାଆନ୍ତି । 'ପଦା ଭୂଇଁରେ ଗବଦାରୁ' । ବାଘସିଂହ ବଂଶ କ୍ଷୁଦ୍ର ଜାୟଗିରିଦାର ଥିଲେ ମଧ୍ୟ ମଫସଲରେ ନାମ ଡାକ ଥିଲା । ରତନପୁର ମୌଜାରେ ଚୌପାଢ଼ୀ, ସେଟା ନିସ୍କର ଖଣ୍ତାଏତୀ ମାହାଲ, ତାକୁ ଛାଡ଼ି ତାଲୁକେ ଫତେପୁର ସରଷଣ୍ଢ ଏବଂ କେତେକ ଖଣ୍ତ ବାଜେ ରିପୋର୍ଟ ଜମିଦାରୀ ଥିଲା । ନଟବର ଘନଶ୍ୟାମ ବାଘସିଂହ ଜମିଦାରୀସବୁ ଉଡ଼ାଇଦେଇ ଯାଇଛନ୍ତି । ଲୋକଟା ବଡ଼ ସାହାଖର୍ଚ୍ଚୀ ଥିଲେ । ଖର୍ଚ୍ଚବେଳେ ଆଗପଛ ବିଚାର ଥାଏ ନାହିଁ । ଆଜି ପାଞ୍ଚ ବୋଇଲେ ନାହିଁ, ସାତ ବୋଇଲେ ନାହିଁ, ହାତରେ ପଡିଲା ଦେ ଖରଚ । ମୁଁହ ହରାଇ ଜିନିଷଟାଏ ମାଗିଦେଲେ ନା ପଦ ଶୁଣିବ ନାହିଁ । ଭାଟ ଭିକାରୀପାଇଁ ଦ୍ୱାର ମେଲା । ଭାତ ହାଣ୍ତି ବସାଇ ଟୋକାଇ ଘେନି ତାଙ୍କ ଆଗରେ ଛିଡ଼ାହେବାକୁ ଲୋକମାନଙ୍କର ଭରସା ଖଟୁଥିଲା । ଖାଇବା ଖୁଆଇବାକୁ ଷଣ୍ଢଟାଏ । ଗାଁଲୋକେ କହନ୍ତି, ବାଘ ସିଂହ ଆଗରେ ଯାହାକୁ ଥରେ ସରୁଚକୁଳି, ନଡ଼ିଆପୁର ମଣ୍ତା, ପାଳୁଅ-କ୍ଷୀରୀ ଖୁଆଇଛନ୍ତି, ବଞ୍ଚିଥିବାଯାଏ ତାହା ମନରୁ ଯିବ ନାହିଁ । ନଟବର ଘନଶ୍ୟାମଙ୍କ ଦେହକରେ ଋଣ ଥିଲା, ତାଙ୍କ ପଛେ ପଛେ ଜମିଦାରୀ ସବୁ ଯାଇଅଛି, ଥିବା ମଧ୍ୟରେ ଖଣ୍ତାଏତୀ ମାହାଲ । ନଟବର ଘନଶ୍ୟାମ ବାଘସିଂହଙ୍କର ଚାରି ପୁଅ । ଜ୍ୟେଷ୍ଠ ଭୀମସେନ, ଅନ୍ୟ ତିନି ପୁଅ ପହ୍ଲାଦ ମଲ୍ଲ, କୁଚୁଳି ମଲ୍ଲ, ବଳରାମ ମଲ୍ଲ । ପୁଅମାନେ ବାପା ପରି ଉଡ଼ାବାଜ ନୁହନ୍ତି, ଚାରିଆଡ଼କୁ ନଜର ରଖି ଚାଲନ୍ତି । ପୂର୍ବ ସମ୍ପତ୍ତି ନାହିଁ, ଏକରକମେ ଦୁଃଖେରାମ, ସୁଖେ ରାମ ଚଳିଯାଏ । ପାଟ ଚିରିଲେ ପାଟ କନା, ପୁରୁଣା ଘର ବୋଲି ଲୋକେ ମାନନ୍ତି, ଭୟ ଭକ୍ତି କରନ୍ତି । ରତନପୁର ମୌଜାରେ ବାଘସିଂହ ଘର ଛାଡ଼ି ଗଉଡ଼, ଭଣ୍ତାରୀ, ରାଢ଼ୀ ଗୁଡ଼ିଆ, ପୁଅଭାୟା ଅଠର ଘର । ଏମାନେ ବାଘସିଂହ ପୂର୍ବବଂଶ ଦିଆକ ଜାୟଗିରି ପୁରୁଷାନୁକ୍ରମେ ଭୋଗ କରି ଆସୁଅଛନ୍ତି । ଦରକାରବେଳେ ବାଘସିଂହ ଘରେ ବେଠି କରନ୍ତି । ପୁରୋହିତ ଘର ମଧ୍ୟ ଏହି ଗ୍ରାମରେ । ଏମାନଙ୍କୁ ଛାଡ଼ି ଡମ ଆଠ ଘର, ପର୍ବପର୍ବାଣୀରେ ବାଜା ବଜାଇବା ସକାଶେ ଏମାନଙ୍କର ଜାୟଗିରି ଅଛି । ବାଘସିଂହ ଘରେ ପହରାଦେବା ଏମାନଙ୍କର ଆଉଗୋଟିଏ କାର୍ଯ୍ୟ । ଆଜକୁ ତିନି ବରଷ ହେଲା ନାନା କାରଣରୁ ମଙ୍ଗରାଜଙ୍କ ସହିତ ବାଘସିଂହ ବଂଶର ଭାରି କଳି ଲାଗିଅଛି । ମଙ୍ଗରାଜେ ଖୁବ୍ ବୁଦ୍ଧିମାନ, ମାଲି ମାମଲାରେ ଖୁବ୍ ଜାହାଁବାଜ; କିନ୍ତୁ ଠେଙ୍ଗନାମ ଶୁଣିଲେ ଘରୁ ବାହରନ୍ତି ନାହିଁ । ଏଣେ ବାଘସିଂହ ବଂଶ ବୋଲନ୍ତି, "ଠେଙ୍ଗା ସର୍ବାର୍ଥସାଧିକା"। ବିଶେଷରେ ଡମମାନଙ୍କ ଭୟରେ ମଙ୍ଗରାଜଙ୍କ ଲୋକେ ରତନପୁର ପାଖ ପଶିପାରନ୍ତି ନାହିଁ; କିନ୍ତୁ ଡମମାନେ ବାଡ଼ି ମଧ୍ୟରେ ଚୋରାମାଲ ପୋତି ରଖିଥିବା ଅପରାଧରେ ଜେଲ ଯାଇଅଛନ୍ତି । ଲୋକେ ବୋଲନ୍ତି, ଡମମାନେ କୌଣସି ପୁରୁଷରେ ଚୋରିବିଦ୍ୟା ଜାଣନ୍ତି ନାହିଁ, ମଙ୍ଗରାଜଙ୍କର ଏଥିରେ ଦୁଇଥଳୀ ଟଙ୍କା ଖରଚ । ମଙ୍ଗରାଜଙ୍କ ଉଦୁଆଁ ଗୋରୁ ରତନପୁର ମୌଜାରେ ଫନ୍ଦା ଉଜାଡ଼ କରିବାରୁ ସେଦିନ ବଳରାମ ମଲ୍ଲେ ଗୋବିନ୍ଦପୁର ମୌଜା ଦୋକାନପିଣ୍ତାରେ ବସି ମଙ୍ଗରାଜଙ୍କୁ ଦୁଇପଦ ଶୋଧିଦେଲେ । ମଙ୍ଗରାଜେ ପାଟି ଫିଟାଇ ପାରିଲେ ନାହିଁ । ଗୋବିନ୍ଦପୁରଠାରୁ ରତନପୁର ଦୁଇକୋଶ ଛଡ଼ା; ମାତ୍ର ଦୁଇ ମୌଜାର ବିଲ ଲଗା ଲଗି । ମଙ୍ଗରାଜଙ୍କ ଗୋରୁ ରତନପୁର ମୌଜା ଉଜାଡ଼ କରୁଥିବାର ସର୍ବଦା ଶୁଣାଯାଏ ।