ଛମାଣ ଆଠଗୁଣ୍ଠ/ହିତୋପଦେଶ

ଉଇକିପାଠାଗାର‌ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ହିତୋପଦେଶ


ହିତୋପଦେଶ :

ପ୍ରଥମା ଭାରି ତ ଫୁସ୍ ଫୁସ୍ ? ଦ୍ୱିତୀୟା - ଉଠିବ ପରାବାସ ।
ପ୍ରଥମା - ଚାଷ କିବାସ ? ଦ୍ୱିତୀୟା - ସର୍ବନାଶ ।

ଏ କିଏରେ ବାପା ! ତନ୍ତୀ ତୁଠରେ କବିତା । ରାନ୍ଧୁଣୀ ଗାଧୁଆବେଳେ ଗଡ଼ିଗଲାଣି, ତନ୍ତୀ ତୁଠରେ ଦିଓଟି ଦରବୁଢ଼ୀ ଦଶ ଦଶ ହାତ ଛାଡ଼ି ବସି ଦାନ୍ତ ଘଷୁ ଘଷୁ ଏ କଥା ଗୁଡ଼ିକ କହି ପରସ୍ପର ମୁହଁକୁ ଚାହାଁ ଚାହିଁ ହେଲେ, ମୁରୁକି ହସି ପୁଣି ଡରିଗଲା ପରି ତୁନିହେଲେ । ତୁମ୍ଭେ ପାଟିକରି କଥା କହ, ସେଥିରେ କେହି ମନ ଦେବେନାହିଁ, ନିହାତି ପାଖଲୋକ ମଧ୍ୟ ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ, ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ସମସ୍ତଙ୍କ ମନ ଗୁଡ଼େଇ ପୁଡ଼େଇ ହେଉଥାଏ ବାସ୍ତବିକ୍ ସାନ ମଞ୍ଜି ଭିତରେ ବଡ଼ ଗଛ ଲୁଚି ରହିଲା ପରି ତୁନି କଥା ମଧ୍ୟରେ କେବେ ଭାରି କାରଖାନା ହେଉଥାଏ । ତୁଠରେ ତ ଆଏ କେହି ନାହିଁ, ଦରବୁଢ଼ୀ ଦିଓଟି କି ସକାଶେ ତୁନି ତୁନି ଇଶାରାରେ ଏପରି କଥା କହିଲେ; ପୁଣି ଡରିଯାଇ ତୁନି ହେଲେ?

ତନ୍ତୀତୁଠରେ ପାଣି ଗଡ଼ନ୍ତି ଡାହାଣ ହାତ ଅଧାଅଧି ବାଟକୁ କୋଡ଼ିଏ ହାତ ଅନ୍ଦାଜ ଛାଡ଼ି ଯାଉଁଳି ବର ଅଶ୍ୱତ୍‌ଥ ଗଛ ଲଗାଲଗି ହୋଇ ରହିଅଛି । ଗଛ ଦିଓଟି ଅଧା ଭଳିଆ ଥାକୁଲ ଥୁକୁଲ, ପୁଣି ସେଥିରେ କଅଁଳ ପତ୍ର ଲଦି ହୋଇଅଛି । ଘାଟପାଖ ବାଟ ପାଖରେ ବର ଅଶ୍ୱତ୍‌ଥ ବିଭା କରାଇଦେଲେ କନ୍ୟା ଦାନର ଫଳ ମିଳେ । ହିନ୍ଦୁମାନଙ୍କର ଏହି ସଂସ୍କାରର ଚିହ୍ନ ଅନେକ ସ୍ଥାନରେ ଦେଖାଯାଏ । ମାଈକିନିଆ ଦିଓଟି କଥା କହୁ କହୁ ସେହି ଗଛ ମୂଳକୁ ଦୁଇ ତିନି ଥର ଅନାଇଲେ । ଏବେ କଥା କାହିଁ ଯାଏ ? ଚୋର ତ ଅନ୍ଧାର ରାତିରେ ହୁସିଆରୀରେ ଚୋରି କରେ, ଜେଲଖାନାକୁ ଏତେ କଏଦୀ କାହୁଁ ଅଇଲେ ? ବୁଦ୍ଧିମାନ ହୁସିଆର ଗୋଏନ୍ଦା ଆଖିରେ ଧୂଳି ପକାଇବା ସହଜକଥା ନୁହେଁ । ଅବଶ୍ୟ ଗଛମୂଳର ପଦାର୍ଥ ବିଶେଷ ସହିତ ଏମାନଙ୍କ କଥାର ଘନିଷ୍ଠ ସମ୍ବନ୍ଧ ଅଛି । ଠିକ୍ ଆମ ମାନଙ୍କ ଅନୁମାନ ସମ୍ପୂର୍ଣ୍ଣ ଠିକ୍ । ଖିଅ ମୁଣ୍ତଟି ହାତରେ ପଡ଼ିଲେ ବୁଦ୍ଧିମାନ ଜାଣିବ, ଟିକିଏ ସଙ୍କୁନ ଦେଇ ସବୁ କଥା ଆମ ମାନଙ୍କଠାରୁ ଶୁଣିଯାଅ । ଯାଉଁଳିଗଛ ଉହାଡ଼ରେ ଦିଓଟି ସ୍ତ୍ରୀ ବସି କଣ କୁହାକୁହି ହେଉଛନ୍ତି । ମଲା-ଯା ! ଏମାନଙ୍କୁ ଯେ ଆମେମାନେ ଭଲ କରି ଚିହ୍ନୁ ! ଅସମୟରେ ଆସ୍ଥାନରେ ଏମାନେ ବସି କଣ କହୁଛନ୍ତି ? ମିଳନଟା ମଧ୍ୟ ଭାରି ଚମତ୍କାର ରକମର । ଗୋଟିଏ ଧୂର୍ତ୍ତା ନଷ୍ଟ ପ୍ରକୃତି ଶୃଗାଳୀ, ଆଉ ଗୋଟିଏ ଠିକ୍ ବିପରୀତ-ନିତ୍ୟାନ୍ତ ନିରୀହ ମେଣ୍ଢି ଦୁହିଁଙ୍କ ମଧ୍ୟରୁ ଜଣେ ନାକବସାଣୀ ଟେକି, ସାପୁଣୀଫଣା ଟେକି ସାବଧାନତା ସହିତ ଅନାଇ ଅନର୍ଗଳ ବକ୍ତୃତା ଓଜାଡ଼ି ପକାଉଅଛି । ଦ୍ୱିତୀୟାର ପାଖରେ ପାଣି ମାଠିଆ ଥୁଆ, ଡାହାଣ ହାତରେ ଦାନ୍ତକାଠି ଖଣ୍ତିଏ ମୁଠା, କପାଳ ଯାଏ ଓଢ଼ଣାଟଣା । ଗୋଟିଏ ଉତ୍କଟ ଶଦ୍ଦ ଶୁଣିଲେ ମେଣ୍ଢି ଯେପରି ସେହି ଦିଗକୁ ତାଟକା ହୋଇ ଚାହିଁ ରହିଥାଏ, ସେହିପରି ସେହି ସ୍ତ୍ରୀଟି 'ସ୍ଥିର ମନ ଧୀର ବୁଦ୍ଧି ପଞ୍ଚଭୂତ ଆତ୍ମା ଦୋରସ୍ତ ନିର୍ମଳ ହୃଦୟ କମଳ'ରେ ଶୁକଦେବଙ୍କ ମୁଖରୁ ପରିକ୍ଷିତ ପୁରାଣ ଶୁଣିଲା ପରି ବାକ୍ୟାବଳୀ ଶ୍ରବଣ କରୁଅଛି; ମାତ୍ର ସେଗୁଡ଼ିକ ତାହା ମସ୍ତକଭଣ୍ତାରରେ ସଞ୍ଚିତ ହେଉଅଛିକି ଆର କାନବାଟେ ସଳଖେ ବାହାରି ଯାଉଅଛି, ତାହାର ସ୍ଥିରତା ବୋଲିବାକୁ ଆମେମାନେ ନିତ୍ୟାନ୍ତ ଅକ୍ଷମ । ଆପଣ ଅବଶ୍ୟ ସେମାନଙ୍କ କଥା ଶୁଣିବାକୁ ଇଚ୍ଛା କରିବେ,ସନ୍ଦେହ ନାସ୍ତି । ଜଣେ ମୁତୁଆଲା କ ହିଥିଲା - "ସଂସାର ବିଷବୃକ୍ଷସ୍ୟ ମଦ୍ୟ, ମାଂସ ଏହି ଦିଓଟି ଅମୃତ ଫଳ ଫଳିଅଛି । ଏକଥା ଶୁଣି ବୃଦ୍ଧ ମନୁ ବୋଇଲେ - "ନ ମାଂସଭକ୍ଷଣେ ଦୋଷ ନ ମଦ୍ୟେ ପ୍ରବୃତ୍ତିରେଷା ଭୂତାନାଂ -"

ଅର୍ଥାତ୍ ଭୂତମାନେ ବା ଭୂତପରି ଲୋକମାନେ ଏପରି କଥା କହନ୍ତି । ଠିକ୍ କଥା, 'ବୃଦ୍ଧସ୍ୟ ବଚନଂ ଗ୍ରାହ୍ୟଂ । ମାତ୍ର ସଂସାର ରୂପ ବିଷବୃକ୍ଷରେ ଯେ ଦୁଇଗୋଟି ଅମୃତ ଫଳ ଫଳିଅଛି, ଏକଥା ଠିକ ସତ୍ୟ । ଚିହ୍ନରା କିଏ ? କେବଳ ଆମ୍ଭମାନଙ୍କୁ ସେ ଫଳ ଦିଓଟି ଜଣା 'ପରୋପକାରଂ ସ୍ୱର୍ଗୀୟ' । ପରର ଉପକାର କରିବା ହେଉଛି ଆମମାନଙ୍କର ବ୍ରତ । ଆପଣମାନଙ୍କର ଉପକାର ସାଧନ ନିମନ୍ତେ ସେହି ଫଳ ଦିଓଟିର ନାମ ପ୍ରକାଶ କରିଅଛୁ । ଗୋଟିଏ ଫଳର ନାମ ତୁନି କଥା ଶୁଣିବାକୁ ଇଚ୍ଛା, ଆଉ ଗୋଟିକର ନାମ ପରନିନ୍ଦା । ତୁମେ କାହାରି ଘରର ଗୁପ୍ତ ଛିଦ୍ର କଥା କହ କି କାହାର ନିନ୍ଦା କର, ଦେଖିବ, ଲୋକମାନେ ଭାରି ଆନନ୍ଦରେ ମନ ଦେଇ ଶୁଣିବେ । ବୁଝିବା ହେଲେଟି କି? ଫଳର ମାହାତ୍ମ୍ୟ ନ ଥିଲେ କି ତାହାର ଏଡ଼େ ଆନନ୍ଦ ହୁଅନ୍ତା ?

ଆମ୍ଭେମାନେ କଣ ଲେଖିବାକୁ ଯାଇ କଣ ଲେଖି ପକାଉଅଛୁଁ । ଯେତେବେଳରେ ଆହୁଲା ଭିଡ଼, ପାଣିସୁଅଟା ନାଆକୁ ଲକ୍ଷ୍ୟସ୍ଥାନରୁ ଦୂରକୁ ଟାଣିନିଏ । ମାତ୍ର ଟାଣୁଆ ନାଉରି ମଙ୍ଗ ଛାଡ଼େ ନାହିଁ । ଆମ୍ଭମାନଙ୍କ କଲମ ଏଣେ ତେଣେ ଯାଉଅଛି ସତ୍ୟ; ମାତ୍ର ମୂଳ କଥାଟା ହଲଚଲ ହୋଇପାରିବ ନାହିଁ; କଥାଟା ଦାଣ୍ତେ ଦାଣ୍ତେ ଚାଲିଯିବ ।

ସେକଥା ଯାଉ, ଆପଣଙ୍କୁ ଆଉ ସନ୍ଦେହରେ ପକାଇ ରଖିବା ଉଚିତନୁହେଁ । ଏ ଦିଓଟି ସ୍ତ୍ରୀଲୋକ କିଏ, କି କି କଥା କହୁଅଛନ୍ତି, ସବୁ ଖୋଲାସ କରି କହିଦେବା ଉଚିତ । କୌଣସି କୌଣସି ଲୋକ ଅନେକ କଥା କହିବା ଆଗରୁ ଅନେକ ମୁଖବନ୍ଧ, ଅନେକ ବକ୍ତୃତା କରିବସନ୍ତି; ମାତ୍ର ଆମ୍ଭମାନଙ୍କର ସ୍ୱଭାବ ଏହାର ସମ୍ପୂର୍ଣ୍ଣ ବିପରୀତ । ଯା ବୋଲିବାର ପରିଷ୍କାର କରି ଝଟପଟ କହି ପକାଉଁ ଆଉ ଅନେକ ଲୋକ ଭୟରେ ଅନେକ କଥା ଲୁଚାନ୍ତି କିମ୍ବା କହୁ କହୁ କଣ କହିପକାନ୍ତି । ଏହିଦେଖନ୍ତୁ ନା ଦରବୁଢ଼ୀ ମାଈକିନିଆ ଦିଓଟି ଇଶାରାରେ କଣ କହୁ କହୁ ତୁନି ହୋଇଗଲେ । ମାତ୍ର ତନ୍ତୀଆଣୀ ମାଈକିନିଆମାନଙ୍କଠାରୁ ଆମ୍ଭମାନଙ୍କର ସାହସ ଖୁବ୍ ବେଶି । ବୀର ପରି ସବୁକଥା କହିଯିବୁଁ । ଆଉ ଗୋଟିଏ କଥା କଣ ଜାଣନ୍ତି ? ଆମ୍ଭ ଭଳିଆ ଲୋକ ଡକାପାଡ଼ିଲେ ମଧ୍ୟ କେହି ଶୁଣିବାକୁ ନାହିଁ; କିନ୍ତୁ କେହି ପ୍ରଧାନ ଲୋକ ଆଁ କରିଦେଲେ ଦେଖିବେ ଦୁଇଶ ଲୋକ ତାଙ୍କ ପାଟିକୁ ଅନାଇ ରହିବେ । ବିଲାତର ଲୋକେ ପ୍ରଧାନ ପ୍ରଧାନ ଲୋକଙ୍କ କଥା ଶୁଣିବାପାଇଁ ଅଣ୍ଟାରେ ପଇସା ଖୋସି ଦଉଡ଼ନ୍ତି । ଗଛମୁଳିଆ ସ୍ତ୍ରୀଲୋକ ଦିଓଟି ଗ୍ରାମରେ ସୁବିଖ୍ୟାତ । ଆପଣମାନେ ମଧ୍ୟ ସେମାନଙ୍କୁ ଭଲକରି ଚିହ୍ନନ୍ତି । ମନୁଷ୍ୟମାନେ ରୂପରେ ନୁହେଁ, ଗୁଣରେ ସିନା ଚିହ୍ନାଯାନ୍ତି ! ଭଲ ହେଉ ବା ମନ୍ଦ ହେଉ ସାଧାରଣ କଣ୍ଟରୁ ଯାହାର ଗୁଣ ଯେତେ ବେଶି, ସେ ସେତେ ବିଖ୍ୟାତ । ଗୋବିନ୍ଦପୁର ଗ୍ରାମରେ ଊଣା ଅଧିକେ କାହାଣେ ମାଈକିନିଆ ଅଛନ୍ତି, ସେମାନଙ୍କ ମଧ୍ୟରେ ଏ ଦିଓଟି ବଛା । ଗୋଟିଏ ଚତୁରତା ଓ ଧୂର୍ତ୍ତତାରେ, ଆଉ ଗୋଟିଏ ସରଳତା ଓ ନିର୍ବୋଧତାରେ । ଦିଓଟି ବିଖ୍ୟାତ ସ୍ତ୍ରୀଲୋକ ପୁଣି ଗୁପ୍ତକଥା ଆପଣ କି ନ ଶୁଣି ଛାଡ଼ିବେ ? ସେଥିସକାଶେ ସିନା ଲେଖିବାକୁ ବସିଅଛୁ । ଆମ୍ଭେମାନେ ବହୁ ପରିଶ୍ରମ ବହୁ ଯତ୍ନ କରି ସେମାନଙ୍କର କଥା ସଂଗ୍ରହ କରିଅଛୁଁ । ଗୋଟିଏ ସ୍ତ୍ରୀ ଭାରି ଏକ ଲମ୍ବା ବକ୍ତୃତା କରିଥିଲା । କେତେଗୁଡ଼ାଏ କଥା ଶୁଣିବାକୁ ଅସୁଖ ପାଇବେ, ଲମ୍ବା କଥା ଲେଖିବାରେ ଆମ୍ଭେମାନେ ମଧ୍ୟ ଅନଭ୍ୟସ୍ତ । ତାହାର ସାରମର୍ମ ଲେଖିଅଛୁ । ଦେଖ, ସାରିଆ - ବୁଢ଼ୀ ମଙ୍ଗଳା ସବୁର ମୂଳ, ତାଙ୍କ ଆଜ୍ଞାରେ ପୃଥ୍ୱୀ ଚଳୁଛି ସଂସାର ଆତ ଯାତ ହେଉଚି, ତାଙ୍କ ଆଜ୍ଞା କି ଅନାସ୍ତା ହବ ? କେତେ ବାର ବରତ କରି ଦେବୀଙ୍କ ଆଜ୍ଞା ପାଇଚ, ତୁମର ଖୁବ୍ ଭାଗ୍ୟ । ଏଡ଼େ ଭାଗ୍ୟ କାହିଁ ଦେଖିବାର ନାହିଁ ପରା ! ଏକା ସାଆନ୍ତଙ୍କ ଘର ଉପରେ ଦୟା ଥିଲା, ଏବେ ତମ ଉପରେ ହେଲା । ତମେ ମଙ୍ଗଳାଙ୍କ ମନ୍ଦିରଟା ବନାଇଦିଅ ତ, ଦେଖିବ ତମ ଘର ଲକ୍ଷ୍ମୀ ଭଣ୍ତାର ହୋଇଯିବ । ପଣ ପଣ, କାହାଣ କାହାଣ ଟଙ୍କା କାହୁଁ ଆସି ଘରେ ପଶିବ, ଧାଡ଼ି ଧାଡ଼ି ଧାନ ମରେଇ ବସିଯିବ, ଭଗବାନ କି ଆଉ ତନ୍ତ ବୁଣିବ ? ତମ ପଛରେ ଦଶଜଣ ପୋଇଲୀ ଗୋଡ଼େଇବେ, ତମେ ମଙ୍ଗଳାଙ୍କ ଆଜ୍ଞା ମାନ; ଯେପରି ହେଉ ମନ୍ଦିରଟା ବନାଇଦିଅ । ଟଙ୍କା ସକାଶେ ଭାବନା କଣ ଅଛି ? ମଙ୍ଗଳାଙ୍କ ନାଁ ଶୁଣିଲେ ଟଙ୍କା କିଏ ନ ଦେବ ? ଆଉ କୁଆଡ଼େ କ୍ୟା ଖୋଜିବ ? ମଙ୍ଗରାଜଙ୍କ କାନରେ ପଡ଼ିଲେ ରାତି ଅଧରେ ଟଙ୍କା ଗଣି ଦେବେ । ସେ କଥାରେ ମୁଁ ଲଗା ହେଲି, ମୁଁ ଟଙ୍କା ଆଣି ଦେବି, ତୁମକୁ କିଛି କରିବାକୁ ହେବନାହିଁ । ବେଶି ଟଙ୍କା ଲୋଡ଼ା ନାହିଁ, ଦେଢ଼ଶ ଟଙ୍କା ହେଲେ ଖୁବ୍ ଗୋଟାଏ ବଡ଼ ମନ୍ଦିର ହୋଇଯିବ । କେନ୍ଦରାପଡ଼ାରେ ଯେ ବଳଦେବଙ୍କ ମନ୍ଦିର ଅଛି, ଠିକ୍ ତେତିକି ଉଞ୍ଚା, ତେତିକି ଚଉଡ଼ା ହେବ । ତମ ଛ'ମାଣ ଆଠଗୁଣ୍ଠ ଜମି କଣ୍ଟ ଲେଖିଦେବ, ମୁଁ ଟଙ୍କା ଆଣିଦେବି । ତମ ଜମି ତ କେହି ଘେନିଯିବ ନାହିଁ, ଯେଉଁଠା ଜମି ସେହିଠାରେ ରହିବ, କେବଳ ଗୁଜାରେ ଲେଖାଯିବ । ମନ୍ଦିର ବନାସରିଲେ ତ ତମେ କେତେ ଲୋକଙ୍କୁ ଟଙ୍କା ଦବ । ମା ମଙ୍ଗଳା କିଛି ଶକୁନ ଦେଇଥିବେ, ନିଶ୍ଚେ ଦେଇଥିବେ । ସେ ପ୍ରଥମେ ଶକୁନ ପରି ଗୋଟିଏ ସୁନାଟଙ୍କା ଦିଅନ୍ତି, ସେ କିଛି ରୂପା ଟଙ୍କା ଦେବେ ? ବତ୍କୃତାକାରିଣୀ କଥା ଯେ ସାରିଆ ହୃଦୟଙ୍ଗମ କରିପାରିଲା, ଏହା ଆମେମାନେ ବିଶ୍ୱାସ କରିପାରୁ ନାହୁଁ । ସେ ବଲବଲ କରି ଚାହିଁ ରହିଥାଏ । ପଣ ପଣ ଟଙ୍କା, ଦେଢ଼ଶହ ଟଙ୍କାର ଅର୍ଥ ବୁଝିବା ତାହା ପକ୍ଷରେ କି ସହଜ କଥା ? ଟଙ୍କାକର ପଇସା ଗଣିବାକୁ ହେଲେ ସାରିଆ ଗାଁକୁ ବାହାରେ ନାହିଁ, ଭଗିଆ ଆଉ ସେ ଦୁଇ ଜଣ କବାଟ କିଳିଦେଇ ଦୁଇ ତିନି ଘଣ୍ଟା ମଧ୍ୟରେ ଗଣିକରି ଠିକ୍ କରନ୍ତି । ଯେଉଁଦିନ ପାଞ୍ଚ ସୁକା କି ଅଠର ଅଣାର ଲୁଗା ବିକ୍ରି ହୁଏ, ସେଦିନ ତାହା ଭାଇ ଲୋକନାଥିଆ ପାଖରୁ ଗଣାଇଆଣେ । ଆଉ ଘରେ ପାଞ୍ଚ ଛ ଜଣ ପୋଇଲୀ ପଶିବେ, ଏହା ବିପଦ କି ସମ୍ପଦ । ମହାମୁସ୍କିଲ ! ଭଗିଆ ପାଖରେ ନାହିଁ, କରେ କଣ ? ପଳାଇପାରିଲେ ରକ୍ଷା । ସାରିଆ ଗୋଟିଏ ଦୀର୍ଘନେଃଶ୍ୱାସ ପକାଇ ଥରେ ପାଣିମାଠିଆକୁ ଅନାଇ - 'ଚମ୍ପା ସାଆନ୍ତାଣୀ' ଏତିକି କହି ତୁନି ହେଲା, ଆଉ କିଛି କହିପାରିଲା ନାହିଁ; ମାତ୍ର ଧୂର୍ତ୍ତା ଚତୁର ଚମ୍ପାର କିଛି ବୁଝିବାକୁ ରହିଲା ନାହିଁ । ତାର ମନ୍ତ୍ର ଯେ କିଛି କାଟ କଲା ନାହିଁ, ତାହା ସେ ବେଶ୍ ବୁଝିନେଲା । ପୁଣି ଶିକାର ହାତରୁ ପଳାଇବା ସକାଶେ ଛଟପଟ ହେଲେଣି । ଢେର ଦିନ ଖୋଜି ଖୋଜି ବିରାଡ଼ି ଇଲିଶି ଧରିଅଛି, ତାହା ଦାଢ଼ରୁ କି ସହଜରେ ପଳାଇବ ? ମନ୍ତ୍ର ବଦଳାଇବା ଦରକାର । ଚମ୍ପା - "ଦେଖ ସାରିଆ, ଟଙ୍କାରେ କଣ ଅଛି ସୁନାରେ କଣ ଅଛି ? ଟଙ୍କାସୁନାରେ କେହି ସ୍ୱର୍ଗକୁ ଯାଏ ନାହିଁ । ମୂଳକଥା ପିଲାଝିଲା । ଯେଉଁ ଘରେ ପିଲା ନାହିଁ, ସେ ଘର ତ ଦିନ ଦିପ ହରରେ ଅନ୍ଧାର । ବାଞ୍ଝ ବରଡ଼ ହେବା କି ଊଣା ପାପ ? ସାଆନ୍ତଙ୍କ ଘରେ ରୋଜ ପୁରାଣ ହୁଏ, ମୁଁ ଶୁଣେ । ସେ ଦିନ ଗୋସେଇଁ ପୋଥିରେ ଗାଇଲେ - <poem> "ଯାହାର ପିଲାଝିଲା ନାହିଁ, ସକାଳୁ ତା ମୁହଁ ଚାହିଁବ ନାହିଁ । ତିନିପୁଅ ତୀ ସୁଲକ୍ଷଣୀ ବାଞ୍ଝବରଡ଼ୀ ଗାଁ ନିଉଛୁଣୀ । ଯାହାର ଘରେ ପୁଅ ଝିଅ ନ ଥାଏ, ସେଇ ମାଇକିନିଆ ବଡ଼ ଦୁଃଖ ପାଏ ।"

ଭାଗବତ ପାଠ କଣ ମିଛ ? ମାହାଳିଆକୁ ସମସ୍ତେ ଗାଦିକୁ ମୁଣ୍ତିଆ ମାରୁଛନ୍ତି ? ଆଉ ତମେ ଦେଖିବଟି, ବଡ଼ିସକାଳୁ ତମ ଦୁଆର ବାଟେ କେହି ଲୋକ ଚାଲନ୍ତି ନାହିଁ । କ୍ୟାଁ ଚାଲନ୍ତି ନାହିଁ ? ତମ ମୁହଁ ଦେଖିବେ ନାହିଁ ବୋଲି । ତମେ ଶୁଣିଥିବ, ଆମ ସାଆନ୍ତାଣୀ ପ୍ରଥମେ ବାଞ୍ଝ ଥିଲେ, ଦିନ ଘଡ଼ିଏଯାଏ ଆମେମାନେ ତାଙ୍କ ମୁହଁ ଚାହୁଁ ନ ଥିଲୁ ପରା । ସାଆନ୍ତାଣୀ କାନ୍ଦି କାନ୍ଦି ମଙ୍ଗଳାଙ୍କୁ ପୂଜା ଦେଲେ ଦେବୀଙ୍କର ତମ ଉପରେ ଯେପରି ଦୟା ହେଲା ଏବେ ଦେଖ, ନାତିନାତୁଣୀ ଦେଖିବାକୁ ବସିଲେଣି ।" ସାରିଆ ଚାହିଁ ସ୍ୱପ୍ନ ଦେଖୁଅଛି, କଥା ସବୁ ଶୁଣି ତା କାନ ଭାଁ ଭାଁ ଡାକିଲାଣି, ପଳାଇବାକୁ ଇଚ୍ଛା, ବାଟ ନାହିଁ ? ବିରାଡ଼ି ମୂଷା ବେକ ମାଡ଼ି ବସିଅଛି । ଦୁଇ ଆଖିରେ ପାଣି ଢଳ ଢଳ କରୁଅଛି । କଥା କହିବାକୁ ଇଚ୍ଛା, ପାଟି ଫିଟୁନାହିଁ । ବହୁତ କଷ୍ଟରେ ପାଟି ଫିଟିଲା । ସାରିଆ - ମୁଁ କଣ କରିବି ? ଲୋକେ କହୁଛନ୍ତି, ସାଆନ୍ତେ ଜମି କଣ୍ଟ ନେଖିନେଲେ ଫେରାଇ ଦିଅନ୍ତି ନାହିଁ । ସାରିଆ - ମୁଁ କଣ କରିବି ? ଲୋକେ କହୁଛନ୍ତି, ସାଆନ୍ତେ ଜମି କଣ୍ଟ ନେଖିନେଲେ ଫେରାଇ ଦିଅନ୍ତି ନାହିଁ ।
ଚମ୍ପା - ରାମ ! ରାମ ! ରାମ ! ଏ କି କଥା କହିଲ ! ମଙ୍ଗଳା କାମକୁ ଟଙ୍କା ଦେବେ; ତମ ଜମି ନେବେ ? ସେ ଗାଁ ଲୋକଙ୍କ କଥା ଶୁଣୁଛ କ୍ୟାଁ ? ଏ ଗୋବିନ୍ଦପୁର ଗାଁଟା ପୃଥୀର ନିଉଁଛଣା । ଏ ଗାଁ ମାଈକିନିଆଏ ଦିନ ଦିପହରେ ବୁଡ଼ାଇମାରିବେ ପରା । ତମ ସୁଖ ଦେଖି ସେମାନେ ହାଇଁପାଇଁ ହେଉଛନ୍ତି । ଏ ଗାଁର ଶାଗଖିଆକୁ ପେଜଖିଆ ଦେଖିପାରେ ନାହିଁ । ତମେ କାହାରି ପାଖରେ କିଛି କହିବ ନାହିଁ । ଆହୁରି ଦେଖ; ଠାକୁରାଣୀଙ୍କ ଆଜ୍ଞା ନ ମାନିଲେ ଆଖି ଫୁଟିଯାଏ, କାନକୁ ଶୁଭେ ନାହିଁ, ଲୋକେ ମରିଯାନ୍ତି । ଗୋପୀନାଥପୁରର ତିନିଜଣ ମାଈକିନିଆ ଠାକୁରାଣୀଙ୍କ କଥା ନ ମାନିବାରୁ ଏକାବେଳକେ ରାଣ୍ତ ହୋଇଗଲେ, ତମେ କଣ ଏ କଥା ଶୁଣିନାହଁ ? ସାରିଆ ନିଶ୍ଚଳ କାଠ ପିତୁଳାଟି ପରି ସବୁକଥା ଶୁଣୁଥିଲା, ଶେଷ କଥାଟା ଶୁଣି ଆଉ ସମ୍ଭାଳିପାରିଲା ନାହିଁ, କାନ୍ଦି ପକାଇଲା । କଇଁ କଇଁ ହେଇ କହିଲା, ମୁଁ କଣ କରିବି ? ଚମ୍ପା ସାଆନ୍ତାଣି, ମୁଁ କଣ କରିବି ? ଚତୁରୀ ଚମ୍ପା ଏତେବେଳେ ସାରିଆର ମନ କଥା ବେଶ୍ ବୁଝିନେଲା, ମନ୍ତ୍ର କାଟୁ କରୁଥିବାର ଜାଣି ମନ ମଧ୍ୟରେ ଖୁବ୍ ଖୁସିଟାଏ ହୋଇ କହିଲା, "ଦେଖ ସାରିଆ ! ତମେ କିଛି ଡର ନାହିଁ । ତମକୁ କିଛି କରିବାକୁ ହବ ନାହିଁ, ମୁଁ ସବୁ କରିଦେବି ।"
ସାରିଆ - ନାହିଁ ନାହିଁ, ମୋର କିଛି ଲୋଡ଼ା ନାହିଁ, ସେ ଭଲ ଥାଆନ୍ତୁ ।
ଚମ୍ପା - କିଛି ଡର ନାହିଁ, ଭଗବାନ ଗୋଡ଼ରେ କଣ୍ଟା ବାଜିବ ନାହିଁ । (ଚମ୍ପା ଦଧିବାମନ ଧଣ୍ତା ଓ ମୂର୍ତ୍ତିଏ ରସକୋରା ମହାରଦ ସାରିଆ ହାତରେ ଦେଇ କହିଲା) ଦେଖ ସାରିଆ,ଏହି ଧଣ୍ତା, ଏହି ମହାରଦ ସାକ୍ଷୀ ରହିଲେ, ମୁଁ ତମର ସବୁ ଭଲ କରିଦେବି, ତମର ତିନି ପୁଅ ହେବ, ଆଉ ଭଗବାନାର କୋଟିଏ ଆୟୁ ହେବ, କିଛି ଚିନ୍ତା ନାହିଁ ।
ସାରିଆ - ମୁଁ କଣ କରିବି ? ଚମ୍ପା ସାଆନ୍ତାଣୀ, ମୁଁ କଣ କରିବି ।
ଚମ୍ପା - ତମକୁ କିଛି କରିବାକୁ ହବ ନାହିଁ, ଆଜି ସନ୍ଧ୍ୟାବେଳେ ଭଗବାନ ଓ ତମେ ଦୁଇଜଣ ଏଠିକି ଆସିବ, ଯାହା କରିବାକୁ ହେବ, ମୁଁ କରିଦେବି । ଆଉ ମଙ୍ଗଳା ବରତ ଧଇଲେ ଯେତେବେଳ ଯାଏ ମଙ୍ଗଳାଙ୍କ କାମ ନ ହେଇଚି, ଦୁଇଜଣସିନା କରି ଓପାସ ରହିଥିବ, ଖାଲି ଅଳ୍ପ ଚୁଡ଼ା ଖାଇବ । ତମେମାନେ ବରତ କଥା ଜାଣି ନାହଁ; ସେଥିପାଇଁ କହୁଛି ।
ତାହାବାଦ୍ ସାରିଆ ଧୀରେ ଧୀରେ ଦୀଘି ମଧ୍ୟକୁ ଗାଧୋଇବାକୁ ଗଲା । ଚମ୍ପା କେତେବେଳ ଯାଏ ଗଛମୂଳରେ ଠିଆହୋଇ ଚାରିଆଡ଼କୁ ଅନାଇ ସନ୍ତୁଷ୍ଟ ଚିତ୍ତରେ ସାଆନ୍ତଙ୍କ ଉଆସ ଆଡ଼କୁ ଚାଲିଗଲା ।
ଆମ୍ଭେମାନେ ଗୁପ୍ତଭାବରେ ଅନୁସନ୍ଧାନ କରି ସମ୍ବାଦ ପାଇଅଛୁଁ, ସେ ଦିନ ଅଧରାତିଯାଏ ସାରିଆ ଉଆସ ମଧ୍ୟରେ ଥିଲା, ଭଗବାନ କଚେରୀରେ ଥିଲା । ତହିଁଆର ଦିନଠାରୁ ଚାରିଦିନ ଯାଏ ଭଗବାନକୁ ଗାଁ ମଧ୍ୟରେ କେହି ଦେଖିନାହିଁ । ତାହାକୁ କଟକ ବାଟରେ ଲୋକେ ଦେଖିଥିବାର କେହି କେହି କହନ୍ତି ।