ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ

ଉଇକିପାଠାଗାର‌ରୁ
Jump to navigation Jump to search
ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ
ଲେଖକ/କବି: ବନମାଳୀ ଦାସ

ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ
ରାଗ ଚକ୍ରକେଳି, ତାଳ ଯତି

ଜଗନ୍ନାଥ ହୋ
କିଛି ମାଗୁ ନାହିଁ ତୋତେ
ଧନ ମାଗୁନାହିଁ ଜନ ମାଗୁନାହିଁ
ମାଗୁଛି ଶରଧା ବାଲିରୁ ହାତେ । ଘୋଷା ।

ଆନ ଦରଶନ ନ ଲୋଡ଼େ ନୟନ
ଏକା ତୋହ ଦେଖା ବିନା
ଶୁଣିବାକୁ କାନ ନ ଇଚ୍ଛଇ ଆନ
ତୋହ ଚରିତେ କାମନା । ୧ ।

ରସନା ନ ବାଞ୍ଛେ ଗ୍ରାମ୍ୟ ଗୀତ ଗାଇ
-ବାକୁ ରଜନୀ ଦିବସ
ତୋହ ନାମାବଳୀ କେବଳ ସଙ୍ଖାଳି
ହୋଇଥାଉ ପୀତବାସ । ୨ ।

ନାସା ମୋର ତୃପ୍ତି ନ ଲଭଇ ଆନ
ସୁବାସ ଦ୍ରବ୍ୟ ଆଘ୍ରାଣେ
ତୋହ ଛଡ଼ା ମାଳ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ । ୩ ।

ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ
ହରେକୃଷ୍ଣ ଜପୁଥାଉ
ବୋଲେ ବନମାଳୀ ମୋ ବେନି ଚରଣ
ତୋ ତୀର୍ଥ ଭ୍ରମଣେ ଯାଉ । ୪ ।