ଜଣାଣ ଚୟନ

ଉଇକିପାଠାଗାର ରୁ
Jump to navigation Jump to search
ଜଣାଣ ଚୟନ

ଜଣାଣ ଚୟନ



୧୯୭୪




ଗୀତାମାର୍ଗ,
ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା,

କୋରାପୁଟ, ଆନୁକୂଲ୍ୟରେ ପ୍ରକାଶିତ ।


ମୂଲ୍ୟ- ୨୫ ପଇସା

Janana Chayana.pdf
--ଜଗନ୍ନାଥ ବନ୍ଦନା--
"କଦାଚିତ୍ କାଳିନ୍ଦୀ ତଟ ବିପିନ ସଙ୍ଗୀତ ତରଳୋ

ମୁଦାଭୀରୀ ନାରୀ ବଦନ କମଳା ସ୍ୱାଦ ମଧୁପଃ ।
ରମା ଶମ୍ଭୁ ବ୍ରହ୍ମାମର ପତି ଗଣେଶାର୍ଚ୍ଚିତ ପଦୋ

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ।"

ଶ୍ରୀ ଶଙ୍କରାଚାର୍ଯ୍ୟ

(ଏକଦା ଯେ ଯମୁନା ତଟର ନିକୁଞ୍ଜବନରେ ସୁଲଳିତ ସଙ୍ଗୀତ ଗାନ କରି ଆନନ୍ଦ ମନରେ ଭ୍ରମର ତୁଲ୍ୟ ଗୋପାଙ୍ଗନା ମାନଙ୍କର ମୁଖ-ପଦ୍ମର ଆସ୍ୱାଦ ଗ୍ରହଣ କରିଥିଲେ, ଯାହାଙ୍କର ଚରଳ ଯୁଗଳ ଲକ୍ଷ୍ମୀ, ଶିବ, ବ୍ରହ୍ମା, ଇନ୍ଦ୍ର ଗଣେଶାଦିଙ୍କ ଦ୍ୱାରା ଅର୍ଚ୍ଚିତ, ସେହି ପ୍ରଭୁ ଜଗନ୍ନାଥ ମୋର ନେତ୍ର ପଥରେ ରହିଥାନ୍ତୁ ।)

Janana Chayana.pdf

ମୁଁ ଅତି ପତିତ ଭରସା କରିଛି
ତୁମ୍ଭ ଶ୍ରୀ ଚରଣ ତଳେ ।
ଶ୍ରୀ ବୀର କିଶୋର ମହାରାଜ ଭଣେ
ଦୟା କର ମୋତେ ହେଳେ ॥୪॥

- ଶ୍ରୀ ବୀର କିଶୋର ଦେବ

--୨--

ଚାହାଁରେ ପତିତ ଜନ ପତିତପାବନ‌କୁ,
ଓଡ଼ିଆ ଗରବ ଧନ ଜାତି ସନମାନ‌କୁ (ଘୋଷା)
ଆଗେ ଚଲେ ତାଳଧ୍ୱଜ ଘେନି ସଙ୍ଗତେ ଅଗ୍ରଜ,
ବିତରେ ଅଭୟ ବର ଦୀନ ଦୁଃଖି ଜ‌ନଙ୍କୁ ॥୧॥
ମଝିରେ ଦର୍ପ ଦଳନ ଘେନି ଭଗିନୀ ରତନ,
କ‌ହେ ତେଜ ଧନ‌ଜନ ତୁଚ୍ଛ ଅଭିମାନ‌କୁ ॥୨॥
ପଛେ ନନ୍ଦିଘୋଷ ଧୀରେ ଚଳେ ମାତଙ୍ଗ ଗତିରେ,
ଘେନି କଳା କୁଞ୍ଜ ଦଳା ମଦନ ମୋହନ‌କୁ ॥୩॥
ଗଳେ ଦୋଳେ ମଣିମାଳା ନୟନେ ବିଜୁଳି ଖେଳା,
ମକର କୁଣ୍ଡଳ ଗଣ୍ଡ କୀରଟି ମଣ୍ଡନ‌କୁ ॥୪॥
ଅଖିଳ ଜଗତ ଜନ ଭେଦା ଭେଦ ବିନାଶନ,
ଅନାଥର ନାଥ ଜଗନ୍ନାଥ ଭଗବାନ‌କୁ ॥୫॥

--୩--

ଆହେ ନୀଳ ଶଇଳ-ପ୍ରବଳ-ମତ୍ତ ବାରଣ
ମୋ ଆରତ-ନଳିନୀ ବନକୁ କର ଦଳନ (ଘୋଷା)

ଗଜରାଜ ଚିନ୍ତାକଲା ଥାଇ ଘୋର ଜଳେଣ
ଚକ୍ରପେଶି ଗ୍ରାହନାଶି ଉଦ୍ଧାରିଲ ଆପଣ ।।୧।।

ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ
କେଡ଼େ ବଡ଼ ବିପତ୍ତିରୁ କରିଅଛ ତାରଣ ।।୨।।

କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ।।୩।।

ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ।।୪।।

ପ୍ରହଲ୍ଲାଦ-ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ।। ୫।।

କହେ ସାଲବେଗ ହୀନ ଜାତିରେ ମୁଁ ଯବନ ।
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ।।୬।।

ଯବନ କବି - ସାଲବେଗ

---୪---
ମାନ ଉଦ୍ଧାରଣ କରହେ କାରଣ,
ଶରଣ ମୁଁ ତୁମ୍ଭ ପାଦତଳେ ।।ପଦ।।

ଅନାଥର ନାଥ ନୀଳଗିରି ନାଥ,
ଜଗନ୍ନାଥ ନାମ ନୀଳା ଚଳେ ।।୧।।

ଲକ୍ଷେ ଯୋଜନରେ ଗଜ ଡ଼ାକ ଦେଲା,
ତା ଡ଼ାକ ଶୁଣିଲ ପଶା ଖେଳେ ।

ମାରକଣ୍ତ ଋଷି ଯାଉଥିଲେ ଭାସି
ଉଦ୍ଧରି ଧରିଲ ବାମ କରେ ।।୨।।

କିଷ୍କିନ୍ଦାକୁ ଗଲ ବାଳୀ ବିନାଶିଲ
ବନ୍ଧ ଯେ ବାନ୍ଧିଲ ସିନ୍ଧୁ ଜଳେ ।

ଲଙ୍କାରେ ରାବଣ ବଧିଲ ଆପଣ,
ଜନ‌କ ନ‌ନ୍ଦିନୀ ସୀତା ଛଳେ ।।୩।।

ଯୁଧିଷ୍ଠିର ବୋଲେ ହସ୍ତିନାକୁ ଗଲ,
ଭୋଜନ କଲ ବିଦୂର ଘରେ ।

କୁରୁସଭା ତଳେ ପାଞ୍ଚାଳୀ ଚିନ୍ତିଲା,
କୋଟି ବସ୍ତୁ ଦେଲ ଅବ‌ହେଳେ ।।୪।।
---୫---

ବନ ପୋଡ଼ି କାଳେ ଘୋର ଦାବାନଳେ,
ଉଦ୍ଧରି ରଖିଲ ବ୍ରଜବାଳେ ।
ଭଣେ ଉପଇନ୍ଦ୍ର କବି କୁଳ ଚନ୍ଦ୍ର,
ଶରଣ ମୁଁ ତୁମ୍ଭ ପାଦ ତଳେ ।।୫।।

ଉପେନ୍ଦ୍ରଭଞ୍ଜ
-୫ -
ଥକାମନ ଚାଲ ଯିବା, ଚକାନୟନ ଦେଖିବା ।
ଶଙ୍ଖନାଭି ମଣ୍ଡଳରେ,  ବେନିନେତ୍ର ପଖାଳିବା ॥ ପଦ ॥

ବାଟରେ ବାଟ ମଙ୍ଗଳା,  ଦେଖିବା ଅଠର ନଳା,
ପାଞ୍ଚ ମନ ଏକ ମେଳା  ନରେନ୍ଦ୍ରେ ସ୍ନାନ କରିବା ॥ ୧ ॥

ପ‌ହଞ୍ଚିବା ବଡ ଦାଣ୍ଡେ,  ସେ ରେଣୁ ପାଇବା ତୁଣ୍ଡେ,
ଛତା ତଳେ ରହି ଦଣ୍ଡେ,  ସାଧୁଙ୍କ ସେବା କରିବା ॥ ୨ ॥

ସିଂହଦ୍ୱାରେ ଭିଡାଭିଡି,  ବାଜୁଅଛି ବେତବାଡି,
ଠେଲିଦେଇ ଯିବା ମାଡି  ଧକ୍‌କା ବାଜିଲେ ସହିବା ॥ ୩ ॥

ବାଇଶି ପାବ ଚ୍ଛବିକା,  କୈବଲ୍ୟ ହେଉଛି ଚଖା,
ହାଣ୍ଡିକ ପଡ଼େ ସଉକା, ମନ ରଙ୍କା ଛଡାଇବା ॥ ୪ ॥

ଗରୁଡ ପଛରେ ଦେଖ,  ଦିଶୁଛି କଲା ଶ୍ରୀମୁଖ,
କହଇ ସାରିଆ ଭିଖ ,  ବଳରାମଙ୍କୁ କହିବା ॥ ୫ ॥


-ସାରିଆ-
-୬-

-୬-

ମଣିମା ଶୁଣିମା ହେଉ ଗରିବ ଡାକ
ନିରକ୍ଷଜ‌ନ‌‌କୁ ରଖ ପଙ୍କଜମୁଖ ।ପଦ।

କୃପାସାଗର କାହିଁକି ମୋ ବେଳକୁ ଗଲ ଶୁଖି,
ଜାଣିଲି ମୋ କର୍ମ ବାଙ୍କ ନୁହେଁ ସଳଖ ।୧।

ଆତଙ୍ଗ ନାଶନ ବାନା ନ ଶୁଣ ଭୃତ୍ୟ ବେଦନା,
ଏବେ ହୋଇଯିବ ମନା, କେ ଦେବ ଡାକ ।୨।

ଦାସ ଯେବେ ନାଶ ଯିବ, କିର୍ତ୍ତିରେ ଅକିର୍ତ୍ତି ହେବ ।
କିରତି ଚନ୍ଦ୍ରରେ ଲାଗି ଯିବ କଳଙ୍କ ।୩।

କହେ ସଦାନନ୍ଦ ଛାର ନାହିଁ ଆନ ପ୍ରତିକାର,
ଏ ହୀନ ଅବସ୍ଥା ମୋର ନେତ୍ରେ ନ ଦେଖ ।୪।

-ସଦାନନ୍ଦ-

-୭-

କ‌ହ କି କରିବି, ନ ଦିଶଇ ବୁଦ୍ଧି ହେ ଦୟାନିଧି (ଘୋଷା)
ବିଷୟ ଭୋଗରେ ମନ ହେଉ‌ଛି ସଦା ଉଚ୍ଛନ୍ନ
ଦୁଃଖ ଲାଭ ପରିଣାମ ଜାଣି ତିଳ ପରିମାଣ,
ଚିତ୍ତକୁ ମୁଁ ନ ପାରଇ ରୋଧି (୧)

-୭-

ଭାଇ, ଭଗ୍ନୀ, ପିତାମାତା  ଦାରା, ତନୟ ଦୁହିତା,
ଯା ସ‌ହ ଅଛି ବନ୍ଧୁତା  ବିଚ୍ଛେଦେ ବିଷମ ବ୍ୟଥା,
ମିଥ୍ୟା ଜାଣି ହୁଏ କିମ୍ପା ଧନ୍ଦି (୨)
ଲାଭରେ ଅତି ଆନନ୍ଦ  କ୍ଷତିରେ ଘୋର ବିଷାଦ,
ପୁଣ୍ୟଟି ନିଜ ସମ୍ପଦ  ପାପଟା ବିଧାତା ଛନ୍ଦ
ମଣୁଅଛି ମନେ ଏହି ବିଧି (୩)
ଧରମେ ନୁହେଁ ପ୍ରବୃତ୍ତି  ଅଧର୍ମେ ନାହିଁ ନିବୃତ୍ତି
ଯା ହୁଏ ତା ତବ ଗତି  ମଣି ନୁହେଁ ହୃଦେ ଶାନ୍ତି
ପାରୁନାହିଁ ଏ ରହସ୍ୟ ଭେଦି (୪)
ହେ ପରମ ପିତାମାତା  ଅ‌ଜ୍ଞାନ ତିମିର ହନ୍ତା,
ମୋ ହୃଦପଦ୍ମ ସବିତା,  ଘେନ ମୋ ଆରତି ଗାଥା
ଦେଖା ମୋତେ ପଥ ନିରବିଧି (୫)

-ପଦ୍ୟବିନୋଦ ଭଗବାନ ମିଶ୍ର-
-୮-
ଦୀନବନ୍ଧୁ ଦଇତାରି ! ଦୁଃଖ ନ ଗଲା ମୋହରି ।
ହେଲ କି ନିଷ୍ଠୁର ନାଥ ନୀଳାଚଳେ ବିଜେ କରି । ଘୋଷା ।
ଲକ୍ଷେ ଯୋଜନରେ ଜଗ ଡ଼ାକିଲା ହେ ଦେବରାଜ,
ତା ଡାକ‌କୁ ଚତୁର୍ଭୁଜ ! ଶୁଣିଛ ଶ୍ରବଣ ଡେରି ।୧।

-୮-

କୁରୁପତି-ସଭା ତଳେ  ଦୌପଦୀ ଆତଙ୍କ‌କାଳେ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜାରୁ କରିଛ ପାରି ।୨।

ବଳବନ୍ତ ପ୍ରଭୁ ବୋଲି ବେଳେ ମୁଁ ଯେ ଆଶ୍ରା କଲି
ଦେଖୁ ଦେଖୁ ଭାସିଗଲି କେ ଏଥୁ କରିବ ପାରି ।୩।

ରଖ ବା ନ ରଖ ମୋତେ ଶରଣ ତୋ ପାଦଗତେ
କହେ ବନମାଳୀ ଗୀତେ ବସିଅଛି ଧ୍ୟାନ କରି ।୪।

-ବନମାଳୀ ଦାସ-
-୯-

ବାଧିଲା ଜାଣି କ୍ଷମା, କର ନୋହିଲେ ରମାରମଣ ଦଣ୍ଡେ ଦିଅ ଟାଳି,
ତୁମ୍ଭଙ୍କୁ ଜଗନ୍ନାଥ! ଆଜି ମୋ ମନୋରଥ
ଭରତି କରିବି ଦେଇ ଗାଳି । ହର କୃପାନିଧି!
କରୁଣାସିନ୍ଧୁ ବୋଲି କରି, କହନ୍ତି ବୁଧେ ଡରିମରି,
କାଳସର୍ପ ଆପଣ କବଳ କର ପ୍ରାଣ-
ପବନମାନଙ୍କୁ ସବୁରି ହେ । ୧ ।

ଜଳଧି ଅନ୍ତେ ନିଜ, ଘର ଦେବାଧିରାଜ,
ବୁଡ଼ାଇ ଦେଇଛ ଆପଣ,
ତୁମ୍ଭରି ସିନା ଘେନ ଆଶ୍ଚର୍ଯ୍ୟ ନୋହେ ଆନ
ଜନର ଘରବୁଡ଼ା ପଣ, ହେ ଦୟାନିଧି !

-୯-

ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ, ବତାଅ ବୋଲି ଆଜ୍ଞାହେଲେ
ମୁଁ ନୁହେଁ ଘରବୁଡ଼ା, ବତାଇବାକୁ ଛିଡ଼ା
 ହୋଇଛି ବତାଇବି ଭଲେ ହେ କୃପାନିଧି। ୨ ।

ତାହାକୁ ବୋଲି ଚକ୍ରୀ, ଚକ୍ରଥିବାରୁ ଚକ୍ରୀ,
 ତୁମେ ତ ବୋଲାଅ ମଣ୍ଡଳେ,
ବେଭାରେ କୁଣ୍ଡଳୀ ସେ ଆପଣ ତ ବିଶେଷେ
 ଭୂଷିତ ମକର କୁଣ୍ଡଳେ, ହେ କୃପାନିଧି।
ଅଦୃଶ୍ୟ ହେବାରୁ ତ ପାଦ ତାହାକୁ ବୋଲି ଗୂଢ଼ପାଦ
ଆପଣା ଚରଣ ତ ବିରଞ୍ଚି କି ଗୁପତ
କାହିଁ ତାଠାରୁ ତୁମ୍ଭ ଭେଦ ହେ । ୩ ।

-କବିସୂର୍ଯ୍ୟ ବଳଦେବ-

-୧୦-

ଚକାଡ଼ୋଲା କିମ୍ପା ଡ଼କା  କିମ୍ପା ଡ଼କା ନ ଶୁଣ ।
ଢ଼କ୍‌କା ବଜା ପ୍ରଭୁ ଥକ୍‌କା ହୋଇ ବସି
ବିକାଶିଲ ପୁଣି ଏ କେଉଁ ଗୁଣ ।୧।
ସଖା ସଙ୍ଗେ ରଙ୍ଗେ  ଯମୁନା କୂଳରେ
ବକାଚିରି ହେଲ ନତ୍ର ବାରଣ
ରଖାଇଲ ଗୋପୀ  ଗୋପାଳ ସକଳ

-୧୦-

ଗୋବରଧନ‌କୁ କରି ଧାରଣ
ଗୋପତାରଣ ଖେଦବାରଣ ।୧।
ଭାରତ ସମରେ  ଅର୍ଜ୍ଜୁନ ପ୍ରେମରେ
ରଥଚାଲି ଶ୍ରମ ପାଇ ଆପଣ
ସେ ଶ୍ରମ ହରଣେ  ଲୁଚିଥିଲ ବନେ
କନ୍ଦରାରେ ପୁଣି କି ହେଲା ମନ
ଉଚ୍ଚ ଭବନ କଲ ଭିଆଣ ।୨।
ନୀଳଗିରିସାଇଁ  ବୋଲାଇ ଗୋସାଇଁ
ସିଂହାସନେ ବସି ହେଲ ମଉନ,
ଚିଆଇଁ ଶୋଇଲେ  କିଏ ଉଠାଇବ
ଭୁଲିଲକି ସବୁ ଅନ୍ତର ଜାଣ
ମୋ ଦୁଃଖ ଟାଣ  ହେଲ ପାଷାଣ ।୩।
ବିଷୟାରେ ମଜ୍ଜି  ତୁମକୁ ନ ଭଜି
ମୁଁ ଆଜି ପତିତ ହେ ନାରାୟଣ
ଏକା ମୋ ଶରଣ  ଶରଣ ରକ୍ଷଣ
ତ୍ରାହି କର ବାରେ ଗଜ ତାରଣ
ରଖ ଶରଣ  ତବ ଚରଣ ।୪।
-୧୧-

ଦୁଃଖ ନାଶନ ଗରୁଡ଼ାସନ ହରି

ଦୁଃଖ ଜଣାଇବି କାହାକୁ ।
ଦୀନ‌‌ନାଥ ଥାଉଁ ଅନ୍ଧାର ଘୋଟୁଛି
ଏ ନିନ୍ଦା ହୋଇବ କାହାକୁ ।ପଦ।
ଚିନ୍ତାନାବ ପରେ ବସାଇ କରି,
ପେଲିଦେଲ ବୁଡ଼ିଯାଉଛି ମରି ।
କାହାକୁ ଡ଼ାକିବି ରଖ ରଖ ବୋଲି
ଲଜ୍ଜାହେବ ଲକ୍ଷ୍ମୀ ନାହାଙ୍କୁ ।୧।
ସୁଦାମା ଦାରିଦ୍ର୍ୟ ଭଞ୍ଜନ କରି,
ରଖିଛ ପାଣ୍ତବେ କୁରୁ ସଂହାରି ।
ସମୁଦ୍ର ଜଳରେ ଗଜକୁ ରଖିଲ
ଛେଦିପକାଇଲ ଗ୍ରାହକୁ ।୨।
ଅଜାମିଳ ନାମେ ସେ ମହାପାପୀ
ତରିଗଲା ପୁତ୍ର ନାମକୁ ଜପି,
ନାତେକ ମାଇଲା ଶ୍ରୀବତ୍ସ ବ୍ରାହ୍ମଣ
ହୃଦେ ବ‌ହିଅଛ ତାହାକୁ ।୩।

-୧୨

ଯେଉଁ ନାମ ଧରି ପବନସୁତ
ସମୁଦ୍ର ଡେଇଁ ଆସିଲା ସଙ୍କେତ ।
ସେ ପାଦେ ଶରଣ କାଶୀ ବିଶ୍ୱମ୍ୱମ୍ଭର
ବ୍ରହ୍ମା ନ ପାଇଲେ ଯାହାକୁ ।୪।
-ଗୌରଚରଣ ଅଧିକାରୀ-

--୧୨--

ପତିତପାବନ ବାନା ଆଉ କେତେବେଳକୁ,
ଭାସିଗଲି ଭବଜଳେ ନାବ ଦିଅ କୂଳକୁ ॥ପଦ॥
ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ
ତିନିପୁରେ ଅପକୀର୍ତ୍ତି ହେବ ଆଦିମୂଳଙ୍କୁ ॥୧॥
ଦୂରେଥାଇ ଡାକିଦେଲେ ଡେରିଥାଅ କର୍ଣ୍ଣକୁ,
ନିକଟରେ ନ ଶୁଣିଲେ ମୋ କର୍ମ ଅବଳକୁ ॥୨॥
ଲକ୍ଷ ଯୋଜନରେ ଗଜ ଡାକଦେଲା ତୁମ୍ଭଙ୍କୁ,
ଚକ୍ର ପେଶି ନକ୍ର ନାଶି ଉଦ୍ଧରିଲ ତାହାକୁ ॥୩॥
ନକ୍ଷତ୍ର ଦିହୁଡ଼ି ଜଳେ ସନ୍ଧ୍ୟାଧୂପ ବେଳକୁ
ଲମ୍ବିଛି ଦୟଣାମାଳ ପାଦପଦ୍ମ ତଳକୁ ॥୪॥
ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହାକୁ,
ଭଣିଲେ ବୀର କିଶୋର ପାଶୋରିଲ ତାହାଙ୍କୁ ॥୫॥

-ବୀରକିଶୋର-

--୧୩--

--୧୩--
ଅନୁସରିତ
ପ୍ରଭୁ ! କାଳଯାକ ଗଲା ସରିତ ।
କଣ ବିତରଣ କଲେ କେତେ ଊଣା
ହୁଅନ୍ତା କରୁଣା ସରିତ ॥ଘୋଷା॥

ଅଶରଣ-ଜନ-ବନ୍ଧୁ ପଣ ଯଶ
ସଂସାରେ ହୋଇଛି ଉଦିତ
ପଥର ହୋଇ ପଥରେ ପଡ଼ିଥିଲା
ଅହଲ୍ୟାକୁ ଦେଲ ତରିତ ।୧।

ପାଞ୍ଚିଳୀକି ଦୁଃଶାସନ ଘଞ୍ଚାଳିଲା
ବଞ୍ଚାଇଲ ବାସ ଦେଇତ
ଘୁଞ୍ଚାଇଲ ନାହିଁ ମୋ ଛାର କଦନ
ପୋଛାଇଲ ନେତ୍ରୁ ବାରିତ ।୨।

କାହିଁଥିଲା ଚକ୍ର କାହିଁଥିଲା ନକ୍ର
ପଲକ ପତନ ନୋହୁତ ।
ଛଡ଼ିଗଲା ମଥା ରହିଗଲା କଥା
ଡାକିଲା ମାତ୍ରକେ କରୀତ ।୩।
--୧୪--

ଗୋପାଳ କୃଷ୍ଣ କହେ ଜଗନ୍ମଙ୍ଗଳ
ଯାହା କରିବ ତୁମ୍ଭ ଚିତ୍ତ
ଆପଣା କୃପାଳୁ ପଣକୁ ବଳି ମୋ
ଦୁଷ୍କୃତ ନୁହଇ ଭାରୀତ ।୪।

-ଗୋପାଳ କୃଷ୍ଣ-

-୧୪-
ଚକା ନୟନ ହେ, ପଲକ ପକାଅ ନାହିଁ
ପଲକ ବୁଜିଲେ ଆଖି ତୁମ ଏଇ
ସୃଷ୍ଟି ରହିବ ନାହିଁ ।୦।
ନୀଳାଚଳେ ତୁମେ ଉଡ଼ାଇଛ ବାନା
ଯେ ଡାକେ ସେ ପାଏ ତୁମରି କରୁଣା
ହେ କରୁଣା ନିଧି ବାଛ ବିଚାରତ
ତୁମ ପାଶେ କିଛି ନାହିଁ ।୧।
ଯବନ ଜନମ ସାଲବେଗ ପାଇଁ
ସେ ପୁଣି ତୁମରି ଚରଣକୁ ଧ୍ୟାୟୀ
ପଶିଲା ତୁମର ଶରଣ ପଞ୍ଜର
ହାତଦେଲ ତବ ବଢ଼ାଇ ।୨।
-ଯଦୁନାଥଦାସ ମହାପାତ୍ର-
-୧୫-

-୧୬-

କୃପାସିନ୍ଧୁ ବଦନ କରି ଅବଲୋକନ
କେଉଁ କରମ ହୀନ ଜଣ ,
କକୁସ୍ତାଭର ହୋଇ କର ଯୋଡି ଜଣାଇଁ
ଗରୁଡ ସ୍ତମ୍ଭ ସନ୍ନିଧାନ , ହେ ମହାପ୍ରଭୁ !
କୃପା ସରିତ ପତି ହୋଇ କର୍ମହୀନ ଜନର ତହିଁ
କରୁଣା କଲ ନାହିଁ କିମ୍ପା ହେ ଭାବଗ୍ରାହୀ !
ଏହା ମୁଁ ବିଚିତ୍ର ମଣଇ, ହେ ମହାପ୍ରଭୁ ॥ ୧ ॥

ଖିଳ ବ୍ରହ୍ମାଣ୍ଡେଦୂରେ କର୍ମହୀନ ଜନରେ
ଯେଣୁ ମୋ ସମଆନ ନାହିଁ,
ଖଗଳିତକ କାନ୍ତ ସେ କାରଣୁ ଏମନ୍ତ
ଖେଦ ଆରତେ କହିଲଇଁ, ହେ ମହାପ୍ରଭୁ |
ଖଣ୍ଡିଳ ନାହିଁ ଯେଣୁ ମୋର ଖେଦ ଆରତ ରତ୍ନାକର
ଖିଳ ବ୍ରହ୍ମାଣ୍ଡ ଧର ଖଣ୍ଡନାହିଁ କାହାର
କେଉଁ ବିପତ୍ତି ବିଶ୍ୱମ୍ବର ହେ ମହାପ୍ରଭୁ ॥ ୨ ॥

-୧୬-

ଗଜରାଜକୁ ଜଳେ ଗ୍ରାହ ଗ୍ରାସିବା କାଳେ

ଡାକିଲା ରଖ ଆଦି ମୂଳ ,
ଗୁରୁତର ଆତଙ୍ଗ ଜାଣିଣ ତା ଶ୍ରୀରଙ୍ଗ
ରଥାଙ୍ଗ ପେଷିଲ ତତ୍କାଳ , ହେ ମହାପ୍ରଭୁ !
ଗ୍ରାହ ଜୀବନେ ନିବାରିଲ । ଗାଜ ବିପତ୍ତରୁ ତାରିଲ
ଗୁରୁତ୍ନାନ-କେତନ ! ମମ କର୍ମକୁହୀନ
ନିରାଶ ନୀରନିଧି ହେଲ , ହେ ମହାପ୍ରଭୁ ॥ ୩ ॥
(ଦୀନ)କୃଷ୍ଣ ଦାସ

ଜଣାଣ

କେବେ ମୋ ଦୁଃଖ ଘୁଞ୍ଚିତ ହେ
ବିଶ୍ୱ ବନ୍ଦନୀୟ ହରି
ଭାବି ଭାବି ବୃଥା ଭାବନାରେ ବିଭୋ
ଦିନ ଜାଉଅଛି ସରି ॥ ଘୋଷା ॥


ଚିନ୍ତା ସ୍ରୋତେ ପଡି , କୁଳକୁ ଯେତିକି
ବାହୁଥାଏ ଆଶା ତରୀ;
ଭବସିନ୍ଧୁଗତ ମାୟା ଶୈଳ ଘାତ
ଦିଏ ଆହା ତାହା ଚୁରି ॥ ୧ ॥
ଅସାର କଲ୍ପନା ଅସାରପତ୍ୱ ସିନା
ଦିଶାଲଭେ ଏହିପରି ;
ସାରସ ଲପନ ସ୍ୱର ସ୍ୱମନନ
ଦିଅ ଅଛି ଅନୁସରି ॥ ୨ ॥
-ଭଗବାନ ମିଶ୍ର -
ପଦ୍ୟ ବିନୋଦ

ପଦେ.....

ଓଡ଼ିଆ ଜାତି ଶ୍ରୀ ଜଗନ୍ନାଥଙ୍କୁ ପତିତପାବନ ଆଶାରେ ଅତି ନିଜର କରି ନେଇଛି । ପ୍ରାଣର ଆବେଗରେ ସେ ତାର ପ୍ରାଣପ୍ରିୟ ଦେବତାଙ୍କୁ ଘରଭଙ୍ଗା, କାଳିଆ, ଜଗା କାଳିଆ ଭଳି ଡାକ ଭିତରେ ବାନ୍ଧିରଖିଛି । ସେ ତା'ର ହାନିଲାଭକୁ ଭକ୍ତି-ତଦ୍‌ଗତ-ପ୍ରାଣରେ ଶ୍ରୀ ଚରଣରେ ଅଜାଡ଼ି ଦେଇଛି । ଆଚାଣ୍ତାଳ ବ୍ରାହ୍ମଣ ସମସ୍ତଙ୍କର ଗୁହାରି ସେ ଚକାନୟନଠାରେ । ଆର୍ଯ୍ୟ ଅନାର୍ଯ୍ୟର ଭେଦ ସେ ବୁଝେନା । ବିଶ୍ୱ ବସୁ ଶବର ଏବଂ ଶ୍ରୀ ବତ୍ସ ବ୍ରାହ୍ମଣ ଉଭୟଙ୍କର ପାଇଁ ତାର ଚକ୍ଷୁ ବିସ୍ଫାରିତ । ତେଣୁ ସମସ୍ତଙ୍କର ଅବାରିତ ସ୍ନେହ ଜଣାଣ ରୂପେ ଝରିପଡ଼େ ତା'ରି ଉଦ୍ଦେଶ୍ୟରେ । ସେହି ଆତ୍ମିୟତାର ସାମାନ୍ୟ ଆଭାସ ଏହି ଚୟନରେ ପ୍ରକାଶ ପାଇଛି । ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା, କୋରାପୁଟର ଗୀତାମାର୍ଗ ଅନୁକୁଲ୍ୟରେ ଏହା ଆତ୍ମ ପ୍ରକାଶ କରୁଛି ଏବଂ ଭବିଷ୍ୟତରେ ପୁରୁଷୋତ୍ତମ ତ‌ତ୍ତର ପ୍ରସାରର ସାହାଯ୍ୟ ସ୍ୱରୂପ ଓଡ଼ିଶାର ଅଗଣିତ ଭକ୍ତ ଓ ପ୍ରେମିକଙ୍କ ନିକଟକୁ ପ‌ହଞ୍ଚିବା ପାଇଁ ଆଶାପ୍ରକାଶ କରୁଛି ।