ଜନନୀର ଉକ୍ତି

ଉଇକିପାଠାଗାର‌ରୁ
ଜନନୀର ଉକ୍ତି
ଲେଖକ/କବି: ମଧୁସୂଦନ ଦାସ


ମାତା ମାତା ରବ ବହୁଦିନ ହେଲା
           ଦୂରରୁ ଶୁଣିଛି ମୁହିଁ,
ଦୂରରୁ ଶବଦ ପବନ ଆଣୁଛି
           ନିକଟରେ କେହି ନାହିଁ ।
ଗର୍ଭେ ଧରିଥିଲି ଶତ କର୍ମବୀର
           ସେମାନେ ଡାକିଲେ ନାହିଁ,
ବାକ୍ୟବୀରଙ୍କର ରବ ଶୁଣୁଅଛି
           କର୍ମବୀରେ ଗଲେ କାହିଁ ।
ଏକ ପୁତ୍ର ମୋର ନୀଳାଚଳ ଧାମେ
         ଉଡାଇଲା ମୋର ଧ୍ଵଜା,
ସମସ୍ତ ଭାଇଙ୍କୁ କୋଳେ ବସାଇଲା
           ଭେଦ ନାହିଁ ରାଜା ପ୍ରଜା ।
ଇତିହାସ ତୂରୀ ଜଗତେ ଘୋଷୁଛି
           ମୋର ସୁତଙ୍କର ଯଶ,
ତାଙ୍କର ବଂଶଜ ଘୃଣିତ ଓଡ଼ିଆ
           ଏହା ମୋ କପାଳ ଦୋଷ ।
ବହୁ କାଳ ଧରି ରୋଦନ କରୁଛି
           ନୟନକୁ ଦିଶୁନାହିଁ,
ମୋହର ସନ୍ତାନ କତିକି ଆସିଲେ
           ଅଣ୍ଡାଳି ଚିହ୍ନିବି ମୁହିଁ ।
ନାହିଁ ମୋର ମାନ ନାହିଁ ମୋର ଧନ
           ବଦନେ ଲାଗିଛି ଧୂଳି,
ବୀରପ୍ରସବିନୀ ଶୋଣିତ ରହିଛି
         ତୋ ଶିରାରେ ଦେବି ଢାଳି ।
ସେ ଶୋଣିତ ବଳେ ବୁଦ୍ଧିର କୌଶଳେ
           ହେବୁ ତୁହି କର୍ମବୀର,
ଅତି ଅଳ୍ପଦିନେ ପ୍ରଭୁଙ୍କ କୃପାରେ
         ତୋର ଦୁଃଖ ହେବ ଦୂର ।