ଜଳଦ ଚଉତିଶା

ଉଇକିପାଠାଗାର‌ରୁ
ଜଳଦ ଚଉତିଶା
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

(ରାଗ କଲ୍ୟାଣ ଆହାରୀ)

କେଉଁ ପଥିକ ନଗରେ ବଳାହକ ଦେଖିଣ କରଇ ବିଚାର
ଖେଦେ ସେହି ନବ ବାଳା ମୋର ନାମ କରୁଥିବ କି ଉଚ୍ଚାର
ଜଳଦ, ଗୁପତ ପ୍ରୀତି ଖ୍ୟାତି ହେଲା,
ଘଟାଇ ଧାତା ଏ ଦଣ୍ଡ ଦେବ ବୋଲି କେତେଦିନରୁ ପାଞ୍ଚିଥିଲା ।୧।

ନଖ କାଞ୍ଚୁଲା ସହିତେ ସ୍ତନେ କ୍ଷତ କଲେ ଯେ କରଇ ଦର ଯେ
ଚକୋର ଈକ୍ଷଣି କି କରି ସହିଛି ନିଷ୍ଠୁର ମଦନ ଶର ଯେ
ଜଳଦ, ଛାର ଜୀବ କିମ୍ପା ରହିଛି,
ଯେବେ ଯିବି ଏଥୁ ଆଉ କି ତା ମୁଖ ଦେଖିବା ଭରସା ଦିଶୁଛି ।୨।

ଝୀନ ବସନ ପଦୁଁ ଶିର ପର୍ଯ୍ୟନ୍ତେ ଆଚ୍ଛାଦି ଥାଇ ଶୟନରେ
ନିଦ ନ ଥାଇ ମିଛେ ବୁଜି ନୟନ ହସୁଥାଇ ଚିତ୍ତ ଭିତରେ
ଜଳଦ, ଟାହି ନ ଜାଣି ମୁଁ ଡାକନ୍ତେ
ଠଣମୁଖୀ ଶୀଘ୍ରେ ଉଠି ମୋ ଲପନ ବୁଜାଇ ଧଇଲା ପଣନ୍ତେ ।୩।

ଡେରି ଦେଇଥାଏ ଶୁକ ପଞ୍ଜରୀକି ମୋତେ ଚାହିଁବାର ମାର୍ଗରେ
ଢାଳେ ଏହିକ୍ଷଣି ପଢ଼ ବୋଲି ଗିର ଚୁମ୍ବୁଥାଇ ମୋହ ଛଳରେ
ଜଳଦଳ, ଅନାଇଁ ମଥା ପୋତିବାର,
ତରଳି ଯିବେ ଚାହିଁଲେ ଜିତେନ୍ଦ୍ରିୟ ମନୁଷ୍ୟ କେତେକ ମାତର ।୪।

ଥରେ ମୋ ପରି ରତିରେ ସେ ଭିତ୍ତିରେ ଚାହିଁଲା ତା ଛବି ଛଇକି
ଦନ୍ତଗତି କେଡ଼େ ଝଟତିରେ କରି ଭାଜିଲା ମୋ ନେତ୍ର ଦୁଇକି
ଜଳଦ, ଧନ୍ଦି ହୋଇ ଦୀପ ନାଶକୁ,
ନ ପାରଇ ବୋଲଇ ପୁଣି ସେ ଛଇଲି ଢଳି ପଡ଼ୁଥାଇ ହୃଦକୁ ।୫।

ପୂର୍ଣ୍ଣଚନ୍ଦ୍ର ମୁହିଁ ରତି ସଜ ହୋଇ ଆଳୀକି ଡାକି ଦେହଳୀକି
ଫଳ ହୃଦବାସେ ଲୁଚାଇ ଧରିଣ ବୋଇଲେ ଏକାନ୍ତେ ଦେବୁ କି
ଜଳଦ, ବିନୟ ତାକୁ କେତେ ହୋଇ,
ଭରମ ଅଙ୍ଗୀ ସେ ଅଙ୍ଗୀକାର କଲେ ଦେଇ ପଥକୁ ଚାହୁଁଥାଇ ।୬।

ମୂରୁଛିବା ଥାଉ ମୁହୂର୍ତ୍ତେ ଯେବେ ସେ ନ ଦେଖଇ ମୋର ମୁଖକୁ
ଯତନେ କେତକୀଦଳେ ଲେଖିଥାଇ ସେ ଘଡ଼ିର ଯେତେ ଦୁଃଖକୁ
ଜଳଦ, ରତ୍ୟନ୍ତେ ମୋ କରେ ତା ଦେଇ,
ଲପନ ଅଳପ ନୁଆଇଁ ମୋ ବନ୍ଧୁ ନଖରେ ନଖ ଘଷୁଥାଇ ।୭।

ବିଳରୁ ଯେସନ ବାହାର ହୁଅଇ ଜାଙ୍ଗଳିକ ଗିରେ ଫଣୀ ଯେ
ସେପରି ଉଭା ହୋଇଥାଇ ଚତ୍ୱରେ ଦୂରୁ ଶୁଣି ମୋର ବାଣୀ ଯେ
ଜଳଦ, ସେ ଭଙ୍ଗା ନୟନେ ପୂରିଛି,
ସମୀପ ମୁଁ ହେଲେ ସେ ବୋଲେ କେ ତେଣେ ଥିବପରା ଦେଖିଆସୁଛି ।୮।

ହାତ ଧରି କହୁଥାଇ ନୋହିବାକୁ ସେ ନିତିକି ନିତିକି
ହଜାଇ ଦେଲି ମୋହର ଇଚ୍ଛାରେ ମୁଁ ସୁଦିବ୍ୟ ହେବ ପିତୁଳିକି
ଜଳଦ, କ୍ଷୀଣୋଦରୀ କ୍ଷିତିଭୂଷାକୁ,
କ୍ଷେମେ କହଇ ଗୋପାଳକୃଷ୍ଣ ଆଉ କି ଆଶା ଅଛି ଦେଖିବାକୁ ।୯।