ଜଳ ଆଣି ଯାଇ
ଜଳ ଆଣି ଯାଇ
ଜଳ ଆଣି ଯାଇ କାଲି କଳିନ୍ଦସୁତାକୁ ।
ଫଳ ପାଇଲି ଅନାଇରେ । ସଙ୍ଗାତ ।
କଦମ୍ବ ମୂଳକୁରେ । ସଙ୍ଗାତ ।୧।
ନୀରଦଟି ନୀଳମଣି ପ୍ରତିମା ସେ କିଛି ।
ବାରିପାରିଲି ନାହିଁରେ । ସଙ୍ଗାତ ।
ନୟନେ ନାଚୁଛିରେ । ସଙ୍ଗାତ ।୨।
ଘମ ଘମ ନୀଳତ୍ପଳ କସ୍ତୁରୀ ସୁବାସ ।
ଘନ ଘନ ଆସୁଥିଲାରେ । ସଙ୍ଗାତ ।
ହୋଇଲି ଅବଶରେ । ସଙ୍ଗାତ ।୩।
ପଛେ ପଛେ କେକୀବୃନ୍ଦ ମତ୍ତେ ପୁଚ୍ଛ ଟେକି ।
ଡାକି ଡାକି ନାଚୁଥିଲେରେ । ସଙ୍ଗାତ ।
କହ ସେ କାହିଁକିରେ । ସଙ୍ଗାତ ।୪।
ଛପି ଛପି ନିକୁଞ୍ଜ ପୁଞ୍ଜ ତଳ ତଳରେ ।
ଆସି ଆସି ପାଇଗଲେରେ । ସଙ୍ଗାତ।
ଆଗେ କି ବେଗରେରେ । ସଙ୍ଗାତ ।୫।
ଝୁମୁ ଝୁମୁ ଧ୍ୱନି ଶୁଣି ଏଣେ ତେଣେ ମୁହିଁ ।
ଅନାଉ ଅନାଉ ରହିରେ । ସଙ୍ଗାତ ।
ବୋଇଲେ କେ ନାହିଁରେ । ସଙ୍ଗାତ ।୬।
ଦର ଦରଶନ କରି ଚମକି ପଡ଼ିଲି ।
ଦମ ଦମ ହେଲା ଛାତି ରେ। ସଙ୍ଗାତ ।
ମଥା ପୋତି ଦେଲିରେ । ସଙ୍ଗାତ ।୭।
ପ୍ରଚଳାଗ୍ର ପ୍ରଚଳାକ କମନୀୟ ଚୂଳ ।
ଢଳ ହଳ ଖେଳୁଥିଲାରେ । ସଙ୍ଗାତ ।
ଗଣ୍ଡରେ କୁଣ୍ଡଳରେ । ସଙ୍ଗାତ ।୮।
ଥରି ଥରି ଥରିଗଲି ବିବେକ ହଜିଲା ।
ଜର ଜର ହୋଇ ଅଙ୍ଗେରେ । ସଙ୍ଗାତ ।
ଝାଳ ବୁଡ଼ାଇଲାରେ । ସଙ୍ଗାତ ।୯।
ପ୍ରତି ପ୍ରତୀକ ଯାକରେ ପୁଲକ ପୂରିଲା ।
ତର ତର କେତେ ହେଲିରେ । ସଙ୍ଗାତ ।
ପଦ ନ ଚଳିଲାରେ । ସଙ୍ଗାତ ।୧୦।
କରକ ରଦନା କର ପ୍ରସାରୁ ସେ ପୁଣ ।
କହୁ କହୁ କିସଟି ମୁଁରେ । ସଙ୍ଗାତ ।
ବାଣୀ ହେଲା ବଟିରେ । ସଙ୍ଗାତ ।୧୧।
ଶୃଙ୍ଗାର ରସ କି ସ୍ମର ହେବେ ମୋ ମୂରତି ।
ଚାହୁଁ ଚାହୁଁ ଡାକିଦେଲାରେ । ସଙ୍ଗାତ ।
ଜଟିଳା ଜରତୀରେ । ସଙ୍ଗାତ ।୧୨।
ଆସୁ ଆସୁ ପୁରକୁ ପଥରେ ପଚାରିଲି ।
ଗୋପାଳକୃଷ୍ଣ କହଇରେ । ସଙ୍ଗାତ ।
ବ୍ରଜବିଧୁ ବୋଲିରେ । ସଙ୍ଗାତ ।୧୩।