Jump to content

ଜୀବନଚିନ୍ତା

ଉଇକିପାଠାଗାର‌ରୁ

ରେ ଆତ୍ମନ୍! ନିଦ୍ରା ପରିହରି
ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ,
ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ । ୧ ।
କି ବେଗରେ ଯାଉଅଛି ଚାଲି
ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି,
ଯାହାର ସ୍ମରଣେ ନର ଶୋକଶ୍ବାସ ଢାଳି
ଅତୀତକୁ ଉଦ୍‌ବୋଧଇ ବୃଥା ଭାଳି ଭାଳି ।୨ ।
ସ୍ବପ୍ନ ସମ ନିଦ୍ରା-ପାରାବାରେ
କ୍ଷଣକେ ହୁଅଇ ଲୀନ ଗର୍ବ ଦମ୍ଭ ଅଭିମାନ
ସଂସାରରେ ଆଡମ୍ବର ବୁଦ୍‌ବୁଦ ଆକାରେ
ସକଳ ଗ୍ରାସଇ କାଳ-ମୁଖ ନିର୍ବିଚାରେ ।୩ ।
ସେ ସିନ୍ଧ-ତରଙ୍ଗ ମୁଖ ପ୍ରତି
ଆକୃଷ୍ଟ ଅଦୃଶ୍ୟଭାବେ ହେଉଅଛି ସବୁ ଭବେ,
ମୃଦୁ ନିର୍ଝରିଣୀ, ମହାବେଗା ସ୍ରୋତସ୍ବତୀ,
ସୁଦୀନ ମନୁଷ୍ୟ, ମହାଯଶା ମହୀପତି ।୪ ।
ଭବସିନ୍ଧୁ ମାୟାଶୈଳମୟ,
ସମସ୍ତ ଛଳନାପୂର୍ଣ୍ଣ, ସେ ଶୈଳେ ସର୍ବଦା ଚୂର୍ଣ୍ଣ
ହୁଅଇ ଆଶାର ତରୀ, କାମନାନିଚୟ
ବିଫଳ ସତତ, ଚିତ୍ତ ନୈରାଶ୍ୟ-ଆଳୟ ।୫ ।
ଜଗତର ଲୋଚନନନ୍ଦନ
ଯୁବତୀର ରକ୍ତାଧାର, ରମ୍ୟ ଜ୍ୟୋତି ନୟନର
ସ୍ବର୍ଣ୍ଣ ଗନ ସମ ବକ୍ଷ, ଚାରୁ ପଦ୍ମାନନ,
ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବହନ ।୬ ।
ଯୁବକର ତେଜ ବୀର୍ଯ୍ୟ ବଳ
ପୌଢ଼ର ଚତୁର ଜ୍ଞାନ ସୁକୌଶଳ କାର୍ଯ୍ୟମାନ
କାଳର ପ୍ରଭାବେ ଦିନେ ହୋଇବ ବିଫଳ,
କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ! ।୭ ।
ଧନ ମାନ ଯଶ ଆଦି ଯାହା
ଭାଗ୍ୟଦେବୀ ପ୍ରସାଦରେ ଏ ଭବେ ଲଭନ୍ତି ନରେ
କାଳଚକ୍ର ଆବର୍ତ୍ତନେ କି ବେଗରେଆହା
ପଳାନ୍ତିରେ ଅନୁସରି ନିଜ ନିଜ ରାହା! ।୮ ।
ବିମୋହନ ମନ୍ମଥ ବିଳାସ
ଟାଣେ ମନ ମାୟାଯନ୍ତ୍ରେ, ଭୁଲାଏ କପଟ ମନ୍ତ୍ରେ,
କୌଶଳେ ଜନ୍ମଇ ଚିତ୍ତେ, କ୍ଷଣିକ ଉଲ୍ଲାସ
ରିପୁକୁଳ ବିପ୍ଳବକୁ କରାଏ ପ୍ରକାଶ ।୯ ।
ଆତ୍ମାରାଜ୍ୟେ ସେ ଭୀମ ବିପ୍ଳବେ
ଧର୍ମର ପୂଣ୍ୟ ରାଜତ୍ବ ପ୍ରଜ୍ଞାର ମହତ ତତ୍ତ୍ବ
ହୁଏ ପରହତ, ପାପ ଗର୍ଜ୍ଜଇ ଭୈରବେ,
ପଳାୟନ କରେ ଶାନ୍ତି ସେହି ଉପଦ୍ରବେ ।୧୦ ।
ମୁକୁଟମଣ୍ଡିତ ରାଜଶିର
ନୁହଇ ଶାନ୍ତି-ଆସ୍ପଦ, ଆଶଙ୍କା ଭୟ ବିପଦ
ନିରନ୍ତର ରାଜ ମନ କରଇ ଅସ୍ଥିର ।
ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର ।୧୧ ।
ଏ ସଂସାରେ ନାହିଁ ସୁଖ ଶାନ୍ତି
ଅହଙ୍କାର ଦ୍ବେଷ ରୋଷ ଲୋଭ ମୋହ ଅସନ୍ତୋଷ
ଦୁଷ୍ଟ ରିପୁକୁଳ ଘୋର ଅନର୍ଥ ଘଟାନ୍ତି,
ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି ।୧୨ ।
କାହିଁ ଶାନ୍ତି, କାହିଁ ନିତ୍ୟସୁଖ,
ଯାହା ଲଭିବାର ଲାଗି ଅଛି ଅବିରତ ଜାଗି
ଚିତ୍ତଗୃହେ ଆଶାଦୀପ ଉଜ୍ଜ୍ବଳମୟୁଖ,
କାହିଁ ଗଲେ ପାସୋରିବି ମୃତ୍ୟୁ ପାପ ଦୁଃଖ ।୧୩ ।
ରେ ହୃଦୟ! ନ ହୁଅ କାତର,
ସଂସାରର ବିଡମ୍ବନା ପାପ ସନ୍ତାପ ଯାତନା
ବିପଦ ଦୁର୍ଦ୍ଦିନତମ ଘୋର ଭୟଙ୍କର
ନିରେଖି ନିରାଶାବିଷେ ନ ହୁଅ ଜର୍ଜ୍ଜର ।୧୪ ।
ଧର ଧୈର୍ଯ୍ୟ ଘେନରେ ସାନ୍ତ୍ବନା,
ଅଛି ସେହି ମହାଧନ, ସେ ମହାସ୍ପର୍ଶରତନ,
ସେ ଅମୃତ ମହୌଷଧ, ଯାହାର କାମନା
ଆଶା, ଜାଗ୍ରତ ସତତ, କରେ ଉଦ୍ଦୀପନା ।୧୫ ।
ସ୍ଥିର ହୁଅରେ ଚଞ୍ଚଳ ମନ,
ଘେନ ମହାତତ୍ତ୍ବ ଦୀକ୍ଷା, ଜୀବନ ପରମ ଶିକ୍ଷା,
ତେବେରେ ଲଭିବୁ ସେହି ପ୍ରାଣାରାମ ଧନ,
ଆକୁଳ ହୃଦୟ କରେ ଯାହାର ଅନ୍ବେଷଣ ।୧୬ ।
ଧୂଳିର ଏ ମର କଳେବର,
ଆହୋ ମାନବ ଜୀବନ କି ଅଦ୍ଭୁତ ଉଦ୍ଭାବନ!
ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ,
କମଳ ଶୋଭଇ ଯଥା ପଙ୍କମୟ ସରେ ।୧୭ ।
ଏ ସଂସାର ଅନ୍ଧକାର ସ୍ଥାନ
ଅନ୍ଧାରେ ହେଲେ ଜଡିତ ନ ହୁଅଇ ବିକଶିତ
ଜୀବାତ୍ମା-କୁସୁମ ଏଥି, ହୁଏ ମ୍ରିୟମାଣ
ହରାଇଣ ଦିବ୍ୟ ଶୋଭା ପ୍ରେମ ଭକ୍ତି ଜ୍ଞାନ ।୧୮ ।
ଦିବାକରେ ନିରେଖି ଗଗନେ
ହର୍ଷେ ଫୁଟେ ପଦ୍ମଫୁଲ ତେସନେ ଆତ୍ମା ପ୍ରଫୁଲ୍ଲ
ଅନନ୍ତ ମଙ୍ଗଳାଳୟ ବିଭୁ ଦରଶନେ
ପୂଣ୍ୟର ତପନ ଯେହୁ ପାପର ଭୁବନେ ।୧୯ ।
ଯହିଁ ତେବେ ଭୁଞ୍ଜନ୍ତି ଅମୃତ
ବିଭୁପାଦପଦ୍ମ ପାଶେ, ପୁଣ୍ୟ ଜୋତିର୍ମୟ ବାସେ
ରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ,
ସେ ସୁଧାମ ଲାଗି ଆତ୍ମା ସଦା ପିପାସିତ ।୨୦ ।
ଏ ପିପାସା ନୁହଇ ନିବାରି
ଅସାର ସଂସାର ଜଳେ, ରିପୁଚୟ କୋଳାହଳେ
ନୋହେ ନିର୍ବାପିତ କେଭେ; ଏକା ଧର୍ମବାରି
ଶମଇ ଏ ମହା ଅଗ୍ନି ଅମୃତ ସଞ୍ଚାରି ।୨୧ ।
ତେବେ ଆରେ ଅସ୍ଥିର ହୃଦୟ,
ତ୍ୟଜି କୁତ୍ସିତ ବାସନା କର ତାଙ୍କ ଆରାଧନା
ଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ-ଆଳୟ,
ଅମୃତଜୀବନଦାତା ବ୍ରହ୍ମାଣ୍ଡ ଆଶ୍ରୟ ।୨୨ ।
ପରିହରି ପାପ ପ୍ରଲୋଭନ
ଉଜ୍ଜ୍ବଳ କର ବିଶ୍ବାସ, ସ୍ବାର୍ଥ ଅହଙ୍କାର ନାଶ,
କରରେ ହୃଦୟାକାଶ ନିର୍ମଳ ବହନ,
ତେବେରେ ଲଭିବୁ ଧର୍ମରସ ଆସ୍ବାଦନ ।୨୩ ।
ପ୍ରୀତିମୟ ଜୀବନରତନ
ତେବେ ତୋତେ ପରମେଶ, ତାଙ୍କର ପବିତ୍ରାଦେଶ
ନିଃସ୍ବାର୍ଥ ପବିତ୍ର ଚିତ୍ତେ କରରେ ସାଧନ,
ଜଗତର ହିତ ଅର୍ଥେ ଦିଅରେ ଜୀବନ ।୨୪ ।
ହେ ଇଶ୍ବର ପରିତତାରଣ,
ପ୍ରାଣାରାମ ନିରନନ, ଭୟ ବିଘ୍ନବିନାଶନ,
ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ,
ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ ।୨୫ ।
ଆସ ନାଥ ଅଗତିର ଗତି,
ତୁମ୍ଭ ବିନା ଏ ସଂସାରେ ମରଇ ମୁଁ ହାହାକାରେ
ତାର ମୋତେ ମହାପ୍ରଭୁ ଦେଇଣ ସୁମତି,
ଅନନ୍ତ ଦୟା ତୁମ୍ଭର, ଅନନ୍ତ ଶକତି ।୨୬ ।