ଜ୍ଞାନ-ଉଦୟ କୋଇଲି

ଉଇକିପାଠାଗାର‌ରୁ
Jump to navigation Jump to search
ଜ୍ଞାନ-ଉଦୟ କୋଇଲି
ଲେଖକ/କବି: ଲୋକନାଥ

ଜ୍ଞାନ-ଉଦୟ କୋଇଲି

ଲୋକନାଥ

କୋଇଲି ! କାଳିନ୍ଦୀଶିଖରେ ଯାଇ। କମଳ ଫୁଟିଅଛଇ ।
କମଳମଧ୍ୟେ ତ୍ରିବେଣୀ। କରୁଅଛି ହଂସ ଶୂନ୍ୟେ ଭ୍ରମଣି ଲୋ ।
କେ ତହୁଁ ହଂସ-ମହିମା ମୁଖେ। କ୍ରୀଡା କରେ ହଂସ ଅମନ ଶିଖେ ଲୋ ।

ଖୋଜୁଛନ୍ତି ଯାକୁମୁନି । ଖୋଜି ଭେଟ ନ ପାବନ୍ତି ଜ୍ଞାନୀ ।
ଖିନ୍ନନାଳର ଶିଖରେ । ଖେଳୁଅଛି ହଂସ ଶୂନ୍ୟ ମନ୍ଦିରେ ଲୋ ।
ଖଟାଅ ହଂସ ଚରଣେ ମନ । ଖଣ୍ଡନ ହେଉ ତୋ ପାତକମାନ ଲୋ ।

ଗୋଲକ ବୈକୁଣ୍ଠ-ଦ୍ବାରେ । ଗଙ୍ଗା-ଯମୁନା-ମଧ୍ୟରେ ।
ଗୁମ୍ଫାକୁ ଫିଟିଛି ବାଟ ।ଗୋଲାହାଟ ପରେ ପାଇବୁ ଭେଟ ଲୋ ।
ଗୁପତେ ଶୂନ୍ୟେ ରହିଛି ହଂସ ।ଗର୍ଭ ଭିତରେ ପୂରାଇ ଅଶେଷ ଲୋ |

ଘେନିଛ ବନ୍ଧୁ ସୋଦର । ଘୁମାଇଲେ ହେବେ ପର ।
ଘଡ଼ିଏ ତୋତେ ନଥୋଇ । ଘରୁ ଘେନି ଯିବେ ଶ୍ମଶାନ ଭୂଇଁ ଲୋ ।
ଘୋଷ ତୁ ମୁଖେ ଗୁରୁ ଶବଦ । ଘୁଞ୍ଛିଯିବ ତୋର ପାପ ପ୍ରମାଦ ଲୋ ।

ନୟନେ ଦେଖୁଛୁ ଯେତେ । ନ ଯିବେ କେହି ସଙ୍ଗତେ ।
ନୁହନ୍ତି କାହାରି କେହି । ନବା ଆଣିବାକୁ କିଛିହିଁ ନାହିଁ ଲୋ ।
ନାହିଁଟି ଆଉ ଅନ୍ୟରେ ଗତି । ନାମ ଆଶ୍ରେକଲେ ହେବୁ ମୁକତି ଲୋ ।

ଚଞ୍ଚଳ ନ କର ଚିତ୍ତ । ଚିଆଇଁ ଏବେ ତୁ ଚେତ ।
ଚନ୍ଦ୍ର ସୂର୍ଯ୍ୟ ବନ୍ଦୀ କର । ଚେତନାଘରେ ଚୈତନ୍ୟକୁ ଭର ଲୋ ।
ଚୈତନ୍ୟ ଚିତ୍ତେ ରହିଲେ ତୁହି । ଚାରିଯୁଗେ ଥିବୁ ଅମର ହୋଇ ଲୋ ।

ଛଅବଇରୀ ତୋ ବାଦୀ । କ୍ଷଣେ ନ ଦିଅନ୍ତି ସାଧି ।
ଛାଡ଼ନ୍ତି ନାହିଁ ସେ ତୋତେ । ଛାଇ ପ୍ରାୟ ରହିଥାନ୍ତି ସଙ୍ଗତେ ଲୋ ।
ଛନକା କରି ଡରାଉଥାନ୍ତି । ଛାତି ଦମ୍ଭ କର ଫିଟୁ ତୋ ଭ୍ରାନ୍ତି ଲୋ ।

ଜଳୁଛି ଶୂନ୍ୟରେ ଜ୍ୟୋତି । ଯହିଁ ନାହିଁ ଦିବା ରାତି ।
ଜ୍ୟୋତି-ଛାୟା ମଧ୍ୟେ ଯାଇ । ଜୀବ ପରମ ଭେଟ ଦେଖ ତୁହି ଲୋ ।
ଜୀବୁଁ ପରମ ନୋହେ ବାହାର । ଜୀବ ପରମ ଏକଇ ଅକ୍ଷର ଲୋ ।

ଝରୁଛି ତ୍ରିବେଣୀ-ଧାର । ଝରମୁଣ୍ଡେ ନିରାକାର ।
ଝଲକ ଜ୍ୟୋତିର ପରେ । ଝଟକୁଛି ହଂସ ଶୂନ୍ୟେ ମନ୍ଦିରେ ଲୋ ।
ଝିମିଟେ ହେତୁ ତୁ ତହିଁ ରଖ ।ଝଡି ପଡିବ ତୋ କଳ୍ମଷଯାକ ଲୋ ।

ନିରାକାର ଖେଳ ଦେଖ । ନଦୀ ଯେ ତ୍ରିବେଣୀଶିଖ ।
ନୀଳକଳ୍ପବଟମୂଳେ । ନିତ୍ୟେ ଖେଳେ ହଂସ ଯମୁନାଜଳେ ଲୋ ।
ଲେଉଟି ହଂସ ପିଉଛି ପାଣି । ଲାଞ୍ଜରେ ଥଣ୍ଟ ତା ଦେଇଛି ହାଣି ଲୋ ।

ଟଳୁଛି ପଦ୍ମରେ ପାଣି । ଟେକ ତୁ ବାୟୁ ଉଜାଣି ।
ଟେକ ବ୍ରହ୍ମରନ୍ଧ୍ର ପରେ । ଟାକି ଚୈତନ୍ୟକୁ ରଖ ସେଠାରେ ଲୋ ।
ଟଳଟଳିଆ ନକର ମନ । ଟସକର ବହିନେବେ ତୋ ଧନ ଲୋ ।

ଠୂଳଶୂନ୍ୟପରେ ବାସ । ଠାକିଛି ପରମହଂସ ।
ଠାବ ନ ପାଆନ୍ତି କେହି । ଠିକେ ଗୁରୁସେବା କଲେ ତା ପାଇ ଲୋ ।
ଠାଠିକେ ତ୍ରିଲୋଚନ କହିଲେ । ଠିକେ ନାଥିଆକୁ ବୁଝାଇଦେଲେ ଲୋ ।

ଡାକୁଛି ଶୂନ୍ୟରେ ହଂସ । ଡାକ ଶୁଭଇ ଅଶେଷ ।
ଡେର ତୁ ଶ୍ରବଣ ଦୁଇ । ଡୋଳା ଥୟ କରି ଦିଅ ଅନାଇ ଲୋ ।
ଡୋଳାରେ ଆଗେ ଖେଳୁଛି ହଂସ । ଡର ଛାଡ଼ି ତହିଁ ରଖ ବିଶ୍ବାସ ଲୋ ।

ଢଳହଳ ପଥ ଛାଡୁ । ଢାଳେହେଁ ଅମଡ଼ା ମାଡୁ ।
ଢାଙ୍କୁଣି ଫିଟିଛି ଅନା । ଢାଳେହେଁ ପଦାରେ ପଡ଼ିଛି ସୁନା ଲୋ ।
ଢେଉକୁ ଜଗି ଚୋରକୁ ଧର । ଢୁଳାଇଲେ ଘରେ ପଶିବ ଚୋର ଲୋ ।

ଅନ୍ଧାରେ ଅନ୍ଧ ହୋଇଲୁ । ଆଲୁଅ ଉଦେ ନ କଲୁ ।
ଅଙ୍ଗାରକୁ କଲୁ ଯତ୍ନ । ଅଣହେଳା କଲୁ ଅମୂଲ୍ୟରତ୍ନ ଲୋ ।
ଏବେହେଁ ଚେତ ତୋର ମନକୁ । ଆୟତ୍ତ କର ତୁ ଅରିମାନଙ୍କୁ ଲୋ ।

ତ୍ରିବେଣୀ ତ୍ରିକୂଟ ସ୍ଥାନ । ତଥିପରେ ନିରଞ୍ଜନ ।
ତୁଟିବ ପାପ ତୋହର । ତରକ ତେଜି ତୁ ମନରେ ଧର ଲୋ ।
ତୋହରି ଘଟେ ତୋତେ ତୁ ଚିହ୍ନ । ତୁହି ସିନା ଅଟୁ ପରମବ୍ରହ୍ମ ଲୋ ।

ଥୟ କର ପଞ୍ଚମନ । ଥକିତେ ରଖ ପବନ ।
ଥୟେ ନ ଜାଣନ୍ତି କେହି । ଥବିର ହୋଇ ତୁ ଦିଅ ଅନାଇ ଲୋ ।
ଥୟ ତୁ କରି ଚାହିଁ ପାଲଟି । ଥାପନାଦିଅଙ୍କୁ ନ ବଳା ଦୃଷ୍ଟି ଲୋ ।

ଦେବତାକୁ ଦେଖ ଯାଇଁ । ଦିଅଁ ଅଛି ଯେଉଁଠାଇ ।
ଦୃଷ୍ଟି ଦେଲେ ନାହିଁ ଦୂରେ । ଦିଅଁ ରହିଅଛି ଆପଣା ଘରେ ଲୋ ।
ଦୀପକୁ ଜାଳି ଦିଅଙ୍କୁ ଦେଖ । ଦିଅଁ ରହିଅଛି ଦେଉଳ ଶିଖ ଲୋ ।

ଧ୍ରୁବ ମଣ୍ଡଳ ମଧ୍ୟରେ । ଧ୍ବନି ଅନାହତ ଦ୍ବାରେ ।
ଧ୍ୟାନ ଦେଇ ତହିଁ ରହ । ଧ୍ବନି ଅନାହତ ଶବଦ ପାଅ ଲୋ ।
ଧର ତୁ ହୃଦେ ଗୁରୁ ଶବଦ । ଧଇଲେ ପାଇବୁ ଏ ବ୍ରହ୍ମପଦ ଲୋ ।

ନିରାକାର ଶୂନ୍ୟଦେହୀ । ଲୁଚିଛି ଶୂନ୍ୟରେ ସେହି ।
ନ ଦିଶଇ ତାର କାୟା । ନିରେଖି ଚାହାଁ ଦିଶୁଅଛି ଛାୟା ଲୋ ।
ନୟନ ପ୍ରାଣେ କରୁଛି ଲୀଳା । ନିଆଁ ପରାୟେ ଜଳୁଅଛି ହୁଳା ଲୋ ।

ପରମହଁସ-ଘରକୁ । ପଡ଼ିଛି ବାଟ ଯିବାକୁ ।
ପଶିଲେ ପାଇବୁ ବ୍ରହ୍ମ । ପଥ ନିକଟ ଯିବାକୁ ଦୁର୍ଗମ ଲୋ ।
ପଡ଼ିଛି ହଂସ ଘରକୁ ବାଟ । ପରଚେ ଜ୍ଞାନୀ ଗୁରୁପାଦେ ଖଟ ଲୋ ।


ଫୁକା ବନ୍ଧପରେ ବାଟ । ଫିଟିଛି କଞ୍ଚି କବାଟ ।
ଫୁଲଣା ହୋଇ ତୁ ଅନା । ଫୁଟି କମଳ କରୁଛି ବାସନା ଲୋ ।
ଫୁଟିଣ ଫୁଲ ଦିଶେ ଧବଳ । ଫଳ ତେଜି ଫୁଲ ରହେ ଶୂନ୍ୟର ଲୋ ।

ବୁଲୁଛି ଶୂନ୍ୟ ମଣ୍ଡଳ । ବିନ୍ଦୁ ମଧ୍ୟେ ହଂସଲୀଳା ।
ବୋହୁଛି ପବନ ତହୂଁ । ବେଦ ଶବଦ ଉଦେ ଅସ୍ତ ଯହଁ ଲୋ ।
ବାଜୁଛି ପଞ୍ଚଶବଦେ ବାଦ୍ୟ । ବ୍ରହ୍ମାଣ୍ଡ ଭେଦି ଶୁଭୁ ଅଛି ନାଦ ଲୋ ।

ଭେଦିବୁ ଯେବେ ସେ ଦ୍ବାର । ଭଗାରି ପଞ୍ଚିଶ ମାର ।
ଭ୍ରୁଲତାମଧ୍ୟକୁ ଚାହିଁ । ଭବ-ଭୟ-ଭ୍ରାନ୍ତି ପକା ଛିଣ୍ଡାଇ ଲୋ ।
ଭଜ ଶ୍ରୀଗୁରୁ କହିଲେ ଯାହା । ଭଜି ନ ପାରିଲା ଲୋକନାଥିଆ ଲୋ ।

ମହାଶୂନ୍ୟ ମଣ୍ଡପରେ । ମଣ୍ଡଳାଅ ବାଇ ଘରେ ।
ମଶାଗୋଡ ପ୍ରାୟବାଟ । ମାଡି ଯାଉଛି ମତ୍ତଗଜ ଥାଟ ଲୋ ।
ମନକୁ ତହିଁ ଦିଅ ଗଳାଇ । ମାୟାମୃଗତୃଷ୍ଣା ଯାଉ ପଳାଇ ଲୋ ।

ଜଗ ତୁ ଜ୍ୟୋତି-ଦୁଆର । ଯହିଁ ବିଜେ ନିରାକାର ।
ଜ୍ୟୋତି ପରେ ଜ୍ୟୋତି ଗୋପ୍ୟ । ଯାମିନୀ ପାହି ଜଳୁଅଛି ଦୀପ ଲୋ ।
ଯତନ କରି ଜଗିବୁ ଯେବେ । ଯୁଗେ ଯୁଗେ ଯୋଗୀ ହୋଇବୁ ତେବେ ।

ରମଣୀ ରସ ଫେରାଇ । ରସରେ ତା ମୁଣ୍ଡେ ନେଇ ।
ରସବିନ୍ଦୁର ଉପର । ରବିଠାରେ ନେଇ ଚନ୍ଦ୍ରକୁ ଧର ଲୋ ।
ରହିବୁ ଚନ୍ଦ୍ର ଦୁଆର ମାଡି । ରସବନ୍ଦୀ କର କାଳ ଘଉଡି ଲୋ ।

ଲୋଭ ମୋହ କାମ ତିନି । ଲାଭ କରୁଛନ୍ତି ହାନି ।
ଲଘୁତା ତୋହର ଛାଡୁ । ଲେଉଟି ଦୃଷ୍ଟି ତୋ ପଶ୍ଚିମେ ପଡ଼ୁ ଲୋ ।
ନୋହିଲା ବୋଲି ନକର ଭୟ । ଲହରୀ ରହିଲେ ଲାଗିବ ଭୟ ଲୋ ।

ବୁଝାଇଲେ ବୁଝୁ ନାହୁଁ । ବୋଲ କିପାଁ କରୁନାହୁଁ ।
ବଇରୀ ତୋର କଳ୍ପନା । ବୁଦ୍ଧିବଳ ଘେନି କାଟ ତୋ ଡେଣା ଲୋ ।
ବହୁଛି ବାର ଅଙ୍ଗୁଳେ ବାଇ । ବାନ୍ଧିଲେ ରହିବ ବହନ୍ତା ନଇ ଲୋ ।

ଶ୍ରୀଘଟପାଟଣାଦ୍ବାରେ । ସୁଷୁମୁନାର ମଧ୍ୟ ରେ ।
ଶୂନ୍ୟଘରେଛନ୍ତି ରହି । ସୁଷୁମୁନାକୁ ଗର୍ଭରେ ପୂରାଇ ଲୋ ।
ସତ୍ୟଟି ଏହି ଗୁରୁ ବଚନ । ସିଦ୍ଧମାନଙ୍କର ସଙ୍ଖାଳିଧନ ଲୋ ।

ଶିକୁଳି ତଳ ଛନ୍ଦାକୁ । ଷୋଳ ଡମରୁ ଭେଦକୁ ।
ସର୍ପଫଣା ଗଣ୍ଠି ଫେଡ । ଶତ୍ରୁକୁ ଜିଣି ଜୟ କର ଗଡ଼ ଲୋ ।
ସାଧିଲେ ସିଦ୍ଧି ହୋଇବ ବୋଧ । ସାରସ୍ବତମନ୍ତ୍ରେ ଜୀବକୁ ଶୋଧ ଲୋ ।

ସରସ୍ବତୀ ନଦୀତଟେ । ଗଙ୍ଗା-ଯମୁନା-ନିକଟେ ।
ସିନ୍ଧୁ ଦିଶୁ ଅଛି ଅନା । ସୂଚୀ-ଅଗ୍ରେ ବାଟ ସେ ଘରେ ସିନା ଲୋ ।
ଶଙ୍କର ଜଗୁଆଳ ସେଠାରେ । ସୂଚୀ-ଅଗ୍ରେ ବାଟ ସିନା ସେ ପୁରେ ।

ହର କପିଳାସ ଘାଟ । ହ ଅକ୍ଷରେ ମଧ୍ୟେ ବାଟ ।
ହେଟ ବୃକ୍ଷପରେ ଯାଇ । ହଂସ ରହିଅଛି ଉଲଟ ହୋଇ ଲୋ ।
ହେଜାଅ ହଂସ ଚରଣେ ମନ । ହତ ହେଉ ତୋର ପାତକମାନ ଲୋ ।

କ୍ଷକ୍ଷନ୍ଦ୍ରେ ବହେ ଉଜାଣି । କ୍ଷମେ ବୁଝ ପରମାଣି ।
ଛାୟା ମାୟା ଯାର ନାହିଁ । ଛନ୍ଦ ଫେଇ ଗୁରୁ ଦେଲେ ଦେଖାଇ ଲୋ ।
ଛାଡ ନା ଏବେ ମୁକତି ବାଟ । ଛାର ନାଥିଆ ତ୍ରିଲୋଚନ ଚାଟ ଲୋ ।