ଟୀକା ଗୋବିନ୍ଦ ଚନ୍ଦ୍ର

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଟୀକା ଗୋବିନ୍ଦ ଚନ୍ଦ୍ର
ଲେଖକ/କବି: ଯୋଗୀନ୍ଦ୍ର ବିପ୍ର
ଯଶୋବନ୍ତ ଦାସଙ୍କ ଗୋବିନ୍ଦଚନ୍ଦ୍ର ଉପାଖ୍ୟାନର ଟୀକା । କରୁଣ ରସ ପ୍ରଧାନ । ନାଥ ସମ୍ପ୍ରଦାୟର ଯୋଗୀମାନେ କେନ୍ଦରା ବଜାଇ ଗାଁ ଗାଁ ବୁଲି ଏହି ରଚନାଟିକୁ ବୋଲି ଭିକ୍ଷା ମାଗିଥାନ୍ତି ।

ରାଗ - ବଙ୍ଗଳାଶ୍ରୀ

ଭଜୁ କିନା ରାମ ନାମରେ ଗୋବିନ୍ଦ ବୋଲୁ କିନା ରାମ ନାମ,
ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧିନେବ କାଳଯମ ।

ସେହି କାଳଯମ ବଡ଼ ଦାରୁଣରେ ନ ଜାଣଇ ଦୁଃଖ ସୁଖ,
ବାଛି ନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖ ।

ଭଗ୍ନୀ ରାଣୀ ତୋର କରିବେ ରୋଦନ ଆବୋରିବେ ଷଢ଼ ମାସ,
ଘରର ଘରଣୀ କାନ୍ଦିବ ଯେ ବସି ଲୋଡ଼ିବ ସେ ଅନ୍ୟ ବାସ ।

ମାତା ଗର୍ଭଧାରୀ ନିରତେ କାନ୍ଦିବ ମରିବାର ଯୁଗାନ୍ତର,
କେ କାନ୍ଦିବ ଦିନ ଦଶରେ କୁମର କେ କାନ୍ଦିବ ଦିନ ବାର ।

ମୁହିଁ ମାତା ତୋର ନିରତେ କାନ୍ଦିବି ମରିବାର ଯୁଗାନ୍ତର,
ତେଣୁ ମୁଁ ବୋଲଇ ଗୋବିନ୍ଦଚନ୍ଦ୍ର ରେ କାଲିଯାଅ ଯୋଗୀଘର

ତୁହି ଯୋଗୀଘର ଗଲେରେ କୁମର ମୋତେଟି ପରମ ସୁଖ,
ଚାରିଯୁଗେ ବଳା ହେବୁରେ ଅମର ଚାହୁଁଥିବି ତୋର ମୁଖ ।

କି ବୋଲିବେ ତୋର ମାୟାସ୍ତିରୀମାନେ ମାୟାରେ ହୋଇଛୁ ଭୋଳ,
ଆଜି ମଲେ କାଲି ହେବ ଦୁଇ ଦିନ ଏ ସବୁ ମିଥ୍ୟା ସଂସାର ।

ପକାଇ ଆସିବେ ମଶାଣି ଭୁଇଁରେ ଦୁଆରେ ଦେବେ ଗୋବର,
ମଲା ଗଲା ବୋଲି ଦି’ଘଡ଼ି କାନ୍ଦିବେ ଜଣେ ନ ଯିବେ ସଙ୍ଗର ।

ଆସିବାର ବେଳେ ଏକାରେ କୁମର ଗଲାବେଳେ ଯିବୁ ଏକା,
ମଲେ ତୋର ସଙ୍ଗେ ଜଣେ କେ ନ ଯିବ ଧର୍ମ ଥିଲେ ହେବ ସଖା ।

ଯାହା ଦେବୁ ହସ୍ତ ଟେକିରେ କୁମର ଯାହା ଦେବୁ ହସ୍ତ ତୋଳି,
ଡାହାଣ ହସ୍ତରେ ଯେ ଧର୍ମ କରିବୁ ହେବ ପଥକୁ ସଙ୍ଖାଳି ।

ଲକ୍ଷେକ କପିଳା ଗୋରୁ ଦାନ ଦେଲେ ଅଙ୍ଗୁ ପାତକ ନ ଯାଇ
ଦାନ ଛଡ଼ା ପୂଣ୍ୟ ନାହିଁରେ କୁମର ମନରେ ଭାବ ୟା ତୁହି ।

ଦେବୁ ଦିଆଇବୁ ଦାନହିଁ କରିବୁ ମରଣ ପଥକୁ ସେହି
ମରଣର ପଥ କେଡ଼େସେ ଜଞ୍ଜାଳ ମୁକତି ଲଭିବୁ ତୁହି ।

ସେତେବେଳେ ପୁତ୍ର ଦେଉଛି ଉତ୍ତର ଶୁଣ ଗୋ ଜନନୀ ତୁହି
ତୋର ମନେ ଯେବେ ଥିଲାଲୋ ଜନନୀ ଯୋଗୀ କରିଦେବା ପାଇଁ ।

ଅଜ୍ଞାନ ବେଳରେ ବାଳୁତ କାଳରେ ଯୋଗୀ ନ କଲୁ କିମ୍ପାଇ
ଏତେବେଳେ ମାତା ମୋ ସଙ୍ଗେ ଲାଗିଛୁ ରାଜା ଯିବ ଯୋଗୀହୋଇ ।

ମାତା ତୁ ନୋହିଲୁ ଚଣ୍ଡାଳୁଣୀ ହେଲୁ ମୋ ପିଣ୍ଡେ ହେଲୁ ଭଗାରୀ
ତଳୁ ଲତା କାଟିଦେଇ ଲୋ ଜନନୀ ଉପରେ ସିଞ୍ଚିଲୁ ବାରି ।

ପାଣି ତଳୁ ବନ୍ଧ ବାନ୍ଧରେ କୁମର ପୁରି ରହୁ ସରୋବର
ପାଣି ଶୁଖିଗଲେ ତୋ ହଂସ ଉଡ଼ିବ ପିଣ୍ଡ ନେବ ନାରଖାର ।

ପାଣି ସିନା ରହେ ଗଭୀର ତଡାପେ ମୀନ ରହେ ସେହିଠାରେ
ପାଣି ସିନା ଜାଣେ ପୁତ୍ରର ବେଦନା ହୃଦ ପୋଡ଼େ ନିରନ୍ତରେ ।

ଗହନ ବନସ୍ତ ପୋଡ଼ିଲେ ଧନରେ ଜସ ଜଗତ ଜ।ଣନ୍ତି
ମାତା କ୍ଷୀରବତୀ ହୃଦୟ ପୋଡ଼ିଲେ ତାହା କେହି ନ ଜାଣନ୍ତି ।

ସେତେବେଳେ ପୁତ୍ର ଦେଉଛି ଉତ୍ତର ଶୁଣ ଗୋ ଜନନୀ ତୁହି
ଅପୁତ୍ରିକ ନାରୀ ସ୍ନାହାକୁ କହନ୍ତି କହ ଯେ ତାହା ବୁଝାଇ

ଅପୁତ୍ରିକ ନାରୀ ସ୍ନାହାନକୁ ଗଲେ ତୁଠ ନିର୍ମଳ ନୁହଁଇ ।
ଅପୁତ୍ରିକ ନାରୀ ସୂର୍ଯ୍ୟକୁ ଚାହିଁଲେ ସୂର୍ଯ୍ୟ ପାତକ ଲଗାଇ ।

ଅପୁତ୍ରିକ ନାରୀ ଦେଉଳକୁ ଗଲେ ଦେଉଳେ ଦିଅଁ ଲୁଚାଇ
ଅପୁତ୍ରିକ ନାରୀ ମୁଖ ଚାହିଁଗଲେ କାମନା ପୂର୍ଣ୍ଣ ନୁହଇଁ ।

ଅପୁତ୍ରିକ ନାରୀ ଯେ ସ୍ଥାନେ ବସଇ ସେ ସ୍ଥାନ ମାରୁ ବୋଲାଇ
ଅପୁତ୍ରିକ ନାରୀ ଯେ ଡାଳେ ବସଇ ସେ ଡାଳ ଛିଡ଼ି ପଡ଼ଇ ।

ଅପୁତ୍ରିକ ନାରୀ ପିତୃଶ୍ରାଦ୍ଧ ଦେଲେ ପିତୃଲୋକ ନ ଆସଇ,
ଅପୁତ୍ରିକ ନାରୀ ଯେ ଦାଣ୍ଡେ ବୁଲିଲେ ବସୁଧା ତାକୁ ଡରଇ ।

ଅପୁତ୍ରିକ ନାରୀ ବୃକ୍ଷମୂଳେ ବସେ ବୃକ୍ଷଗୋଟି ଜଳିଯାଇ
ସେ ବୃକ୍ଷରେ ଯେଉଁ ଫୁଲ କଷିମାନ ସେମାନେ ଛିଡ଼ି ପଡ଼ଇ ।

ଲକ୍ଷ ମାଢ଼ ସ୍ୱର୍ଣ୍ଣ ଦେଲେ ବିପ୍ରେ ଦାନ ତେବେ ପାତକ ନ ଯାଇ,
ଏକା ଅନ୍ନ ବସ୍ତ୍ର ଦୁଇ ଦାନ ଦେଲେ ପୁତ୍ର କଷ୍ଟ ପାର ହୋଇ ।

ଅପୁତ୍ରିକ ଦୋଷ ନ ଦିଅରେ ବଳା ବ‌ହୁତ ପାତକ ସେହି,
ତୋହରି ବାପର ଅନେଶ୍ୱତ ଗଣ୍ଡା ହୋଇଥିଲେ ମହାଦେଈ ।

ସାତ ଗର୍ଭ ପରିଯନ୍ତେରେ କୁମର ଦୁହିତା ଜନମ ହେଲେ,
କାହାରି କୋଳରେ କୁମରମଣିରେ ପୁତ୍ର ଜନମ ନୋହିଲେ ।

ନ ହେବାରୁ ପୁତ୍ର ବଳା ରାଜନରେ ରାଜା କଲେ ନିମଡୋହି,
ନିମଡୋହି ବୋଲି ଘର ତୋଳିଦେଲେ ନିମ‌ବନ ମଧ୍ୟେ ନେଇ ।

କେଉଁଠି ରହିଲେ ନିମଡୋହି ରାଣୀ ଦିନେ ପଚାରିଲେ ନାହିଁ,
ସେରକ ଚାଉଳ କଉଡ଼ି ବୋଡ଼ିଏ ନିତି ରାଜା ପଡ଼ି ଦେଇ ।

ସେହି ସେରକରୁ ସେହି ବୋଡ଼ିକରୁ ଚାରିଭାଗ କରିଥାଇ,
ରାତ୍ରହିଁ ପାହିଲେ ବଳାରାଜନରେ ସ୍ନହାନ ସାରି ଆସଇ ।
 
ସ୍ନାହାନ ସାରିଣ ତର୍ପଣ କରିଣ ଶିବଥାଳେ ଅନ୍ନ ଦେଇ,
ତ‌ହିଁରୁ ପୋଷେକ ବଳା ରାଜନରେ ବ୍ରାହ୍ମଣେ ବୈଷ୍ଣବେ ଦେଇ ।

ତ‌ହିଁରୁ ପାଏକ ବଳା ରାଜନରେ ଦିଅଁ ଦେବତା ପୂଜଇ,
ତିନିପା ଦେଇଣ ପାଏକ ବଳିଲେ ଆପେ ତରଣ ରାନ୍ଧଇ ।

ତିଅଣ ପାଇଁକି ପିତା ତୋର ବଳା ଲୁଣ ସରି ନ ଦିଅଇ,
ଲୁଣ ବୋଲିକରି ଯାହାକୁ ଦିଅଇ ଯବକ୍ଷାର ଭଣ୍ଡୁଥାଇ ।

ବାସନ ନିମନ୍ତେ କୁମରମଣିରେ ଗାତ ଖୋଳି ଭାତ ଖାଇ,
ଅନ୍ନର ନିମନ୍ତେ ଗୋବିନ୍ଦ ଚନ୍ଦ୍ରରେ ଉଠି ବସି ନ ପାର‌ଇ ।

ଜାଳ ଜାଳିବାକୁ ଦିଏ ତୋର ବାପ ବାରି ବାଇଗଣ ଝଟା,
ପରିବା ମଧ୍ୟରେ ଖଞ୍ଜାଏ ତୋ ବାପ ପୋଖରୀ କଳମଲଟା ।

କାନ‌ଲୋଳି କଣ୍ଟା ବାଇଗଣ ଝଟା ଜାଳ ଜାଳିବାକୁ ଦେଇ,
ତୋଡ଼ି ମାଛ ଥଣ୍ଟ ବାଇଗଣ ବେଣ୍ଟ ପରିବାରେ ଖଞ୍ଜୁଥାଇ ।
 
ତେଲ ବୋଲିକରି ଯାହାକୁ ଦିଅଇ ଅଶ୍ୱମୂତ୍ର ସେ ଅଟଇ
ହଳଦୀ ବୋଲିଣ ଯାହାକୁ ଦିଅଇ ବଣ ପିପ୍ପଳୀ ଭଣ୍ଡଇ ।

ଘୃତର ଅଭାବେ କୁମରମଣିରେ କେଶ ମୋ ଜଟା ବାନ୍ଧଇ,
ସିନ୍ଦୁର ବିହୀନେ କୁମରମଣିରେ ମଥା ମୋ ଶୂନ୍ୟ ଦିଶଇ ।

ମନ୍ଦୁରା ଅଭାବେ କୁମରମଣିରେ ତିରଣ ଶ‌ଯ୍ୟା କରଇ,
ବସ୍ତ୍ରର ଅଭାବେ ବଳାରାଜନରେ ବୃକ୍ଷ ବକଳ ପିନ୍ଧଇ ।

ଅତି ସୁକୁମାରୀ ରଜାଘର ଝିଅ ନ ପାରଇ ଦୁଃଖ ସ‌ହି,
ମୋ ବାପ ରାଜ୍ୟକୁ ବଳା ରାଜନରେ ଦେଲି ଡଗର ପଠାଇ ।

ଆରେ ତୁ ଡଗର ଶୁଣ ମୋର ଗୀର ବାବୁ ମୋ ବୋଲ କରିବୁ,
ଛ ମାସର ବାଟ ଛ ଦିନେ ଚାଲିବୁ ବାରଦିନେ ପ‌ହଞ୍ଚିବୁ ।

ବସିଥିବେ ବାପ ଲାଉଚନ୍ଦ୍ର ରାଜା ଶୁଭ ବାରତା କ‌ହିବୁ,
ଭାଇ ବସିଥିବେ କନିଷ୍ଠ ରାଜନ ଭିଣୋଇ ଗୁଣ ଗାଇବୁ ।

ମାତା ବସିଥିବେ ମଉନା ଦେଇ ଯେ ତାହାଙ୍କ ପାଖକୁ ଯିବୁ,
ଗ‌ହ‌ନ ବନରେ ରହିଛନ୍ତି ଜେମା କ‌ହି ଦୁଃଖ ଜଣାଇବୁ ।

ଯେବଣ ଝିଅକୁ ବିଭା କରିଥିଲା ବଙ୍ଗ ବଜାରରେ ନେଇ,
ସେହି ଝିଅ ତୋର ପାଉଅଛି କଷ୍ଟ ଘୋଡ଼ା ବନ୍ଦୀଶାଳେ ରହି ।

ବାଉନ ହଜାର ତେପନ ଅଶ୍ୱର ଲଣ୍ଡି ଯେ ନିତି କାଢ଼ଇ,
ଲଣ୍ଡିମାନ କାଢ଼ି କାଢ଼ି ଜନନୀ ଗୋ ଅଣ୍ଟାରେ ବିଣ୍ଡି ବସଇ ।

ସତର ମହଣ ପଥର ଲୋ ମାତା ବୁକୁରେ ତାର ଲଦଇ,
ବାରବିଶା ଲୁହା ଶିକୁଳି କରିଣ ବେନି ପାଦ ତା ଛନ୍ଦଇ ।

ଏତେକ ଶୁଣିଣ ଗର୍ଭଧାରୀ ମାତା ବ‌ହୁତ ରୋଦନ କଲେ,
ବିଧାତା ଯେ ଏତେ ଦୁଃଖ ଦେଇଦେଲା ଜଗତ ଜନ ଶୁଣିଲେ ।

ଜନମ ଦେଇଛି ବୋଲିରେ କୁମର କରମ ତ ଦେଇ ନାହିଁ,
ବିଧାତା ଲ‌ଲାଟ ପଟରେ ସେ ପୁଣି ଷଠୀ ଯାହା ଲେଖିଥାଇ ।

ବିଧାତାର ଯେଉଁ ଲଲାଟ ଲିଖନ କେ କରି ପାରିବ ଆନ,
ମାତା ପିତା ଦୁହେଁ ଦେଲୁ ଜନମରେ ପୋଡ଼ିଯାଉ ତା କରମ ।

ଲାଉଚନ୍ଦ୍ର ରାଜା ବୋଲେ ତୁ ରାଣୀଲୋ କେଭେ ଶୋକାତୁର ନୁହଁ,
ଆମ୍ଭରି ଭଣ୍ଡାରେ କେଉଁ ଦ୍ରବ୍ୟ ନାହିଁ ଡଗରଙ୍କ ହସ୍ତେ ଦିଅ ।

ତାହା ଶୁଣିକରି ମୌନାବତୀ ରାଣୀ ଭଣ୍ଡାର ଘରକୁ ଗଲେ,
ଲକ୍ଷେ ମାଢ଼ ଥିଲା ଖଣ୍ଡିଏ ସୁବର୍ଣ୍ଣ ଡଗରଙ୍କ ହସ୍ତେ ଦେଲେ ।

ଏହି ସୁବର୍ଣ୍ଣକୁ ନିଅରେ ଡଗର ନିମଡୋହି ବନେ ଯିବୁ,
ବସିଥିବ ଝିଅ ଘୋଡ଼ା ବନ୍ଦୀଶାଳେ ସୁବର୍ଣ୍ଣକୁ ନେଇ ଦେବୁ ।

ଆଜ୍ଞା ପାଇକରି ସୁଜ୍ଞାନୀ ଡଗର ତ୍ଵରିତେ ଗମନ କଲା,
ବସିଥିଲି ମୁହିଁ ଘୋଡ଼ା ବନ୍ଦୀଶାଳେ ସୁବର୍ଣ୍ଣକୁ ନେଇ ଦେଲା ।

ସୁବର୍ଣ୍ଣ ଦେଖିଣ ବଳା ରାଜନରେ ମନରେ ଆନନ୍ଦ ହେଲି,
ଏତେ ଦିନକରେ କପାଳ ଫେରିଲା ତାହା ହୃଦରେ ଠାଣିଲି ।

ସେହି ସୁବର୍ଣ୍ଣକୁ ଘେନିରେ କୁମର ବଙ୍ଗ ବଜାରକୁ ଗଲି,
ବଙ୍ଗ ବଜାରରେ ବଣିଆ ଦୁଆରେ ସୁବର୍ଣ୍ଣକୁ ଭଙ୍ଗାଇଲି ।

ହଜାର ହଜାର ଲକ୍ଷେ ଲକ୍ଷେ ହଜାରରେ ତୁଣ୍ଡେ ତୁଣ୍ଡେ ଯେ ଗଣିଲି,
ଲକ୍ଷ ଲକ୍ଷ ଧାନ ଭରଣ ମୁହିଁ ଯେ ସିଂହଦ୍ଵାରେ ପୋତାଇଲି ।

ତୋହରି ବାପର ନଗରକୁ ଚାହିଁ ଦୋବାଟି ନଗ୍ର ତୋଳିଲି,
ସେହି ତୋ ବାପର ଦୁହାଁଳି ଗାଈରେ ଉଆସରେ ବନ୍ଧାଇଲି,
ସେହି ତୋ ବାପର ପୋଇଲି ପ୍ରହରୀ ତହୁଁ ଅନେକ ରଖିଲି ।

ସେହି ତୋ ବାପର ଖଣ୍ଡା ବନ୍ଧୁକରେ ସିଂହଦ୍ଵାରେ ଡେରାଇଲି,
ରାଉତ ମାହୁନ୍ତ ପାଇକ ବହୁତ ସିଂହଦ୍ଵାରେ ଜଗାଇଲି ।

ତୋହରି ବାପର ଶାରୀଶୁଆ ଦେଖି ତହୁଁ ହଳିଏ ପୋଷିଲି,
ଯହୁଁ ତ ହଳିଏ ପୋଷିଲି କୁମର ରାମ ନାମ ପଢ଼ାଇଲି ।

ଦିନେ ତୋର ପିତା ଦାନ୍ତୁଆଣି ବେଳେ ପ‌ହଣ୍ଡି କରିବା କାଳେ,
ସେତିକି ବେଳରେ ଶାରୀ ରାବଦେଲା ଥାଇ ସ୍ୱର୍ଣ୍ଣ ପିଞ୍ଜରାରେ ।

ମଣିମା ମଣିମା ଗୁହାରି ଶୁଣିବା ଭାସିଗଲି ଭବଜଳେ,
ସେ ଶାରୀ ରାବନ୍ତେ କୁମରମଣିରେ ବାଜିଲା ପିତା କର୍ଣ୍ଣରେ ।
 
ଆଜ୍ଞ ଦେଲେ ତହୁଁ ସୈନ୍ୟ ଦଳବଳେ ମୋହରି ମୁଲକେ ଯିବ,
ବନସ୍ତ ମଧ୍ୟରେ କା ଶାରୀ ରାବୁଛି ତାହାକୁ ଦେଖି ଆସିବ ।

ଆଜ୍ଞା ପାଇକରି ସୈନ୍ୟଦଳମାନେ ଦୂରକୁ ଗମନ କଲେ,
ଛିନ୍ନ ଭିନ୍ନ କରି ବୁଲି ସେ ଦେଖିଲେ ଯାଇ କାନନ ମଧ୍ୟରେ ।

ବନସ୍ତଯାକ ସେ ବୁଲିଣ ଦେଖିଲେ ମୁକୁତା ଦେଇ ନବର,
ଅଷ୍ଟ ରତନରେ ନିର୍ମାଣ ହୋଇଛି ସୁବର୍ଣ୍ଣର ଚାରି ପୁର ।

ଅଗୁରୁ ଚନ୍ଦନ ରୁପ କରିଅଛି ଗୟଳର ସିଂହ ଚିତା,
ଗଣ୍ଠି ଗୋଟିକେତେ ଲଗାଇ ରହିଛି ଛ ଛ ଯୋଡ଼ି ଯେ ମୁକୁତା ।

ଜମିଦାର ବାଡ଼ି ଲାଗିଛି ନଡ଼ିଆ ଅଛି କେତେ କେତେ ଗୁଆ,
ଆମ୍ବ ବନରେ ଯେ କୋକିଳ ରାବୁଛି ତେନ୍ତୁଳିର ବନେ ଶୁଆ ।

ସେହି ଦୂତମାନେ ଲେଉଟି ଯାଇଣ କ‌ହିଲେ ରାଜା ଆଗରେ,
ଶିରେ ଯୋଡ଼ି ପାଣି ଅତି ଭକ୍ତି ଭରେ ଥାଇଣ ଖଣ୍ଡକ ଦୂରେ ।

ଯେମନ୍ତ ରାଣୀକି ମାଣିକଚନ୍ଦ୍ର ହେ କରିଥିଲ ନିମଡୋହି,
ସେହି ରାଣୀ ଏବେ ନବର ତୋଳିଛି ଦେଖି ଆସ ବେଗେ ଯାଇଁ ।

ତାହା ଶୁଣିକରି ମହରାଜା ତ‌ହୁଁ ମନ ମଧ୍ୟେ ବିଚାରିଲେ ,
ପଡ଼ି ଖାଇ ରାଣୀ ନବର ତୋଳିଛି ଦେଖିବାକୁ ମନ କଲେ ।

ବାରଶ ବଢ଼େଇ ତେରଶ ଯେ ଧୋବା ଝାଡ଼ ଜଙ୍ଗଲ କାଟିଲେ,
ଝାଡ଼ଖଣ୍ଡ ନଳୀ ତୋପ ସଜକରି ବନସ୍ତକୁ ବାହାରିଲେ ।

ମୁହିଁ ଶୋଇଥିଲି ରତ୍ନ ପଲଙ୍କରେ ନିଦ୍ରାରେ ସ୍ୱପ୍ନ ଦେଖିଲି,
ରାଜା ଆସିଛନ୍ତି ବୋଲିରେ କୁମର ଯୋଗ ଧ୍ୟାନରେ ଜାଣିଲି ।

ସୁବର୍ଣ୍ଣ ଘଟରେ ନୀର ଘେନିକରି ସିଂହ ଦରଜାକୁ ଗଲି,
ବାମ ଚରଣକୁ ଧୋଇଣ ପିତାର ଶିରରେ ନହୁଡ଼ି ହେଲି ।

ଡାହାଣ ଚରଣ ଧୋଇଣ ପିତାର ଜଳ ଗର୍ଭକୁ କ୍ଷେପିଲି,
ହସ୍ତ ଧରିକରି କୁମରମଣିରେ ପଲଙ୍କରେ ବସାଇଲି ।

ସେତିକିବେଳରେ ତୋହରି ଜନ‌କ ପଚାରୁ ଅଛନ୍ତି ରହି,
ସେରକ ଚାଉଳ ବୋଡ଼ିଏ କଉଡ଼ି ପଡ଼ି ଦେଉଥିଲି ମୁହିଁ ।

ସେ ପଡ଼ି ଖାଇଣ ଧନ କାହୁଁ ଏତେ ଆଣିଲୁ କ‌ହ ବୁଝାଇ,
ଦୋଚାରୁଣି ପଣେ ଧନ ଅରଜିଛୁ ତୋ ମୁଖ ଚାହିଁବି ନାହିଁ ।

ସେତେବେଳେ ରାଣୀ ଦିଅଇ ଉତ୍ତର ଶୁଣିମା ହେ ନରସାଇଁ,
ଚୋରୀ କରିନାହିଁ ଦୋଚାରୀ ନୁହଁଇ ଧର୍ମଥିଲା ମାଲ ଏହି ।

ଯେତେକ ନିୟମ କରାଇବ ରାଜା ସବୁ ନିୟମ କରିବି,
ଜଳରେ ନିୟମ କରାଇଲେ ରାଜା ଜଳରେ ପରୀକ୍ଷା ଦେବି ।

ସର୍ପ ବନ୍ଧନହିଁ କରାଇଲେ ରାଜା ସର୍ପମୁଖେ ହସ୍ତ ଦେବି,
ଖଣ୍ଡା ଦାଢ଼େ ବାଟ ଚଳାଇଲେ ରାଜା ଖଣ୍ଡା ଦାଢ଼େ ଚାଲିଯିବି ।

ଛୁଞ୍ଚି ମୁନେ ଛିଡ଼ା କରାଇଲେ ରାଜା ଛୁଞ୍ଚି ମୁନେ ଛିଡ଼ାହେବି,
ଶମ୍ଭୁ ନିୟମ ଯେ କରାଇଲେ ରାଜା ଶମ୍ଭୁର ଶିର ଛୁଇଁବି ।

ଅଗ୍ନିରେ ପରୀକ୍ଷା କରାଇଲେ ରାଜା ତ‌ହିଁରେ ମୁହିଁ ପଶିବି,
କ୍ଷୁର ଦାଢ଼େ ଗଳା ଦିଆଇଲେ ରାଜା ଗଳାରେ କ୍ଷୁର ମୁଁ ଦେବି ।

ଏ ଯେତେ ନିୟମ କ‌ହିଲୁ ଲୋ ରାଣୀ ସବୁ ନିୟମ ତ ମିଛ,
ଅଗ୍ନିରେ ପରୀକ୍ଷା ଦିଅ ବେଗେ ରାଣୀ ଆଉ ସବୁ କରି ତୁଚ୍ଛ ।

ତେବେ ତୋର ବାପ ପରତେ ନ ଗଲେ ମୋତେ ସଙ୍ଗତରେ ନେଲେ,
ଗ୍ରାମର ବାହାରେ ମଢ଼ା ମଶାଣୀରେ ଅଗ୍ନିକୁଣ୍ଡ ଖୋଳାଇଲେ ।

ଗୁଆଘୃତ ଆଣି ଚନ୍ଦନର କାଠ ତ‌ହିଁରେ ସଜାଡ଼ି ଦେଲେ,
ଦୂର ଗାଆଁ ଦେଖି କୁମରମଣିରେ ଚିଟାଉ ପତ୍ର ଲେଖିଲେ ।

ନିମଡୋହି ରାଣୀ କରୁଛି ନିୟମ ତୁମେ ଯେ ଆସ ଦେଖିବ,
ଅସତ୍ୟର ମାଲ ଅବା ସତ୍ୟ ମାଲ ଅଗ୍ନି ମଧ୍ୟେ ଦେଖାଯିବ ।

ଶୁକଳ ବସନ ପିନ୍ଧିଲିରେ ଧନ ଅର୍ଘ୍ୟ ଅଞ୍ଜୁଳିକି ବାନ୍ଧି,
ହାଦେ ହାଦେ ଜଳ ତିନି ହାଦେ ଜଳ ମା ବାପାଙ୍କୁ ବାଢ଼ିଲି,
ହାଦେ ହାଦେ ଜଳ ତିନି ହାଦେ ଜଳ ଗ୍ରାମ ଦେବତୀଙ୍କୁ ଦେଲି ।

ହାଦେ ହାଦେ ଜଳ ସପ୍ତ ହାଦେ ଜଳ ଧର୍ମ ଦେବତାଙ୍କୁ ଦେଲି,
ଜୀବନର ଆଶା ତେଜିଣ କୁମର ହୃଦେ ହରି ସୁମରିଲି ।

ଧରମକୁ ସାକ୍ଷୀ ଦେଇରେ କୁମର ଅଗ୍ନିକୁ ଡେଇଁ ପଡ଼ିଲି,
ସାତ ରାତି ସାତ ଦିନରେ କୁମର ଅଗ୍ନିରେ ରହଣି କଲି ।

ଯେଉଁ ସାତ ଦିନ ପାହାନ୍ତା ପ‌ହର ତୋ ପିତା ବିଜୟ କଲେ,
ଅଗ୍ନିକୁଣ୍ଡ ପାଶେ ଉଭାହୋଇ ବଳା ମୋତେ ବଚନ ବୋଲିଲେ ।

ଯେବେ ସତୀ କନ୍ୟା ହୋଇଥିବୁ ରାଣୀ ଅଗ୍ନିରୁ ଉଠି ଆସିବୁ,
ଅସତୀ ଯେବେ ତୁ ହୋଇଥିବୁ ରାଣୀ ପୋଡ଼ି ଭସ୍ମ ହୋଇଯିବୁ ।

ଏତକ ଶୁଣିଣ କୁମରମଣିରେ ଅଗ୍ନିରୁ ବାହାର ହେଲି,
ଚମ୍ପା ପୁଷ୍ପ ପ୍ରାୟେ ଝାଡ଼ି ଝୁଡ଼ି ହୋଇ ତୋ ବାପ ଆଗେ ବସିଲି ।

ନ ପୋଡ଼ିଲା କେଶ ନ ପୋଡ଼ିଲା ବାସ ନ ପୋଡ଼ିଲା ନିଜ ଦେହ,
ମାଘ ମାସ ପଶି ଜେସନେ ହେମାଳ ତ‌ହୁଁ ବଳି ମୋର କାୟ ।

ସେହିଦିନଠାରୁ କୁମରମଣିରେ ତୋ ପିତା ମାନିଲେ ସତ,
ସତୀ କନ୍ୟା ବୋଲି ସେହିଦିନଠାରୁ ଜଗତେ କଲେ ବିଖ୍ୟାତ ।

ସମସ୍ତ ରାଣୀକୁ ପଛ କରି ବଳା ମୋତେ ପାଟରାଣୀ କଲେ,
ସେହି ଦିନଠାରୁ କୁମରମଣିରେ ତୋ ପିତା ପରତେ ଗଲେ ।

ତୋହରି ପାଇଁକି କୁମରମଣିରେ କେତେ କଷ୍ଟ କରି ନାହିଁ,
ଦାଣ୍ଡ ଖରକଇ, ଚଉରା ଲିପଇ ଶତପୁତ୍ର ହେବ ପାଇଁ ।

ତୋହରି ପାଇଁକି କୁମରମଣିରେ ଚଇତ୍ର ମଙ୍ଗଳବାର,
ବାର ବର୍ଷ ପରିଯନ୍ତେ ରେ କୁମର ବସି ଜାଳିଲି ଜାଗର ।

ତୋହରି ପାଇଁକି କୁମରମଣିରେ ଦାଣ୍ଡ ପନ୍ଥାଇ ପୁଜିଲି,
ତୋହରି ପାଇଁକି କୁମରମଣିରେ ଶ୍ରୀପୁରୁଷୋତ୍ତମ ଗଲି ।

ତୋହରି ପାଇଁକି କୁମରମଣିରେ ଭୁବନେଶ୍ୱରକୁ ଗଲି,
ଭୁବନେଶ୍ୱରରେ ମରିଚି କୁଣ୍ଡରେ ତ‌ହିଁ ସ୍ନହାନ ସାରିଲି ।

ସ୍ନାହାନ ସାରିଣ କୁମରମଣିରେ ବଡ଼ଦେଉଳେ ପଶିଲି,
ବଡ଼ ଦେଉଳରେ ବଡ଼ ଲିଙ୍ଗରାଜ ତାହାଙ୍କୁ ଦର୍ଶନ କଲି ।

ଯୋଡ଼ା ଯୋଡ଼ା କରି ଶହେ ଯୋଡ଼ା ନୀର ଈଶ୍ୱର ଶିରେ ଢାଳିଲି,
ଲକ୍ଷେ ବେଲ ପତ୍ର ଦିଲକ୍ଷ ଗୟସ ଶମ୍ଭୁ ଶିରେ ଚଢ଼ାଇଲି ।

ଅରୁଆ ଚାଉଳ କଞ୍ଚା କ୍ଷୀର ନେଇ ପାର୍ବତୀଙ୍କୁ ପୂଜା କଲି,
ଗୋଟି ଗୋଟି କରି କୋଟି କୋଟି ଚମ୍ପା ଶମ୍ଭୁ ଶିରରେ ମୁଁ ଦେଲି ।

ଅତି ଭକ୍ତିଭରେ ଶୋଇଲଇଁ ମୁହିଁ ତାହାଙ୍କର ପାଦତଳେ,
ଈଶ୍ୱର ପାର୍ବତୀ ଦେହେଁ ବର ଦେଲେ ଗର୍ଭରେ ଧଇଲି ତୋତେ ।

ତିନି ମାସ କାଳ ମୋ ଗର୍ଭେ ରହିଲୁ ନିଶି ଦିବା ଗଣୁଥାଇ,
ଚାରି ମାସ ଯହୁଁ ହୋଇଲା ବଳାରେ ମୁଖୁ ଉଠିଲା ଯେ ହାଇ ।

ପାଞ୍ଚ ମାସ ବଳା ମୋ ଗର୍ଭେ ରହ‌ନ୍ତେ ତୁଣ୍ଡ ସୁଆଦ ଲୋଡ଼ଇ,
ଷଡ଼ ମାସ ଯହୁଁ ହୋଇଲା ବଳାରେ ଉଠି ବସି ନ ପାରଇ ।

ସପ୍ତ ମାସ ଯହୁଁ ହୋଇଲା ଗର୍ଭରେ ଭୂମିଶାୟୀ ମୁହିଁ ହେଲି,
ଅଷ୍ଟ ମାସ ହୋଇବାରୁ ବାପଧନ ଆଣ୍ଠୋଇ ବାଟ ଚାଲିଲି ।

ନବ ମାସ ଯହୁଁ ହୋଇଲା ଧନରେ ନବ ଦିନ ଯାତ୍ରା କଲି,
ଏହି ପରକାରେ କେତେ କଷ୍ଟମାନ କୁମର ମୁହିଁ ପାଇଲି ।

ଦଶ ମାସ ଦଶ ଦିବସ ପୁରନ୍ତେ ପୃଥୀବିରେ ଜନ୍ମ ତୋର,
ତୁହି ଜେତେବେଳେ ଜନମ ହୋଇଲୁ ଚେତେ ହଜିଗଲା ମୋର ।

ସେହି ସମୟରେ କୁମରମଶିରେ ପୋଇଲିମାନେ ଯେ ନେଲେ,
ତାଙ୍କର ହସ୍ତରେ ସୁନା ଖଡ଼ିକାରେ ବସି ତୋ ନାଭି କାଟିଲେ ।

ଚନ୍ଦନର କାଠ ଗୁଡ଼ିଏ ଆଣିଣ ଦେଲେ ଅନ୍ତୁଡ଼ି ଲଗାଇ,
ତଳେ ନ ପଡ଼ୁଣୁ କୁମରମଣିରେ ସେକିସାକି ଦେଲେ ଶୋଇ ।

ଷଡ଼ ଦିନେ ବଳା ଗୋବିନ୍ଦଚନ୍ଦ୍ରରେ ଷଷ୍ଠି ଘର ତୋଳାଇଲି,
ସପ୍ତମ ଦିନରେ ବଳା ରାଜନରେ ଉଠିଆରି ଘର କଲି ।

ବାର ରାତ୍ର ଦିନ କୁମରମଣିରେ ଧୋବାତୁଠ ଜୁର କଲି,
ଏକୋଇଶ ଦିନେ କୁମରମଣିରେ ଋଷି ବାକ୍ୟ କରାଇଲି ।

ଏକ ବର୍ଷ ବେଳେ କୁମରମଣିରେ ତୋହର ଜାତକ କଲି,
ନାୟକ ପଣ୍ଡିତ ଦୁହିଁଙ୍କୁ ଡକାଇ ରାଶି ନାମ ଗଣାଇଲି ।

ନାୟକ କ‌ହିଲା ଏକବିଂଶ ବର୍ଷେ ମରଣ ରିଷ୍ଟ ତୋହର,
ଏହା ଯେଉଁକ୍ଷଣି ଶୁଣିଲି ଧନରେ ଚେତା ବୁଡ଼ିଗଲା ମୋର ।

ଅଦ୍ୟାବଧି କଷ୍ଟ ପାଇଲି ଧନରେ ଧିକ ମୋ ଜୀବନ ଧିକ,
ଏତେ ବୋଲି ମାତା ନେତୃ ଝର ଝର ବ‌ହି ପଡ଼ଇ ଲୋତକ ।

ଅଢ଼ାଇ ବରଷ ପରିଯନ୍ତେ ଧନ ସ୍ତନ ଭାଙ୍ଗି ଦେଲି କ୍ଷୀର,
ପାଞ୍ଚ ବରଷରେ କୁମରମଣିରେ ଦେଲି ଚାଟଶାଳି ଘର ।

ଦଶ ବରଷରେ କୁମରମଣିରେ ରାଜନନୀତି ଶିକ୍ଷା ଦେଲି,
ପନ୍ଦର ବରଷେ କୁମରମଣିରେ ରାଜ୍ୟେ ରାଜା କରାଇଲି ।

ଅଠର ବରଷେ ଅନେଶ୍ୱତ ରାଣୀ ବାଛି ବିଭା କରାଇଲି,
ଏକବିଂଶ ବର୍ଷେ ମରଣର ଯୋଗ ଯୋଗୀ କରିବି ପାଞ୍ଚିଲି ।

ଶୁଣିକରି ତ‌ହୁଁ ଗୋବିନ୍ଦଚନ୍ଦ୍ର ଯେ ବିନୟେ ଏହା କ‌ହଇ,
ଅଜ୍ଞାନ କାଳରେ ବାଳୁତ ବେଳରେ ଯୋଗୀ ନ କଲୁ କିମ୍ପାଇ ।

ପୂର୍ବ ଯେ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଦିଗେ ଯେତେ ରାଜା,
ତାଙ୍କର କନ୍ୟାରୁ ବାଛି ବିଭା ଦେଲୁ ଅନେଶ୍ୱତ ଯେ ଭାରିଜା ।

ଅନେଶ୍ୱତଙ୍କର ଧବଳ ଛତ୍ର ଯେ ମୋହର ଶିରେ ଉଡ଼ୁଛି,
ଶହେ କୋଶ ପରିଯନ୍ତେ ଲୋ ଜନନୀ ମଣିମା ଡାକ ପଡ଼ୁଛି ।

ଅଶୀ କୋଶ ପରିଯନ୍ତେ ଲୋ ଜନନୀ ସୂର୍ଯ୍ୟ ତେଜ ନ ବାଧୁଛି,
ମୋହର ନାମ ଯେ ଶତୃର ହୃଦୟେ ଭ‌ୟ ଜାତ କରାଉଛି ।

ଏତେ ବଡ଼ ରାଜ୍ୟ କାହାକୁ ମୁଁ ଦେଇ ଯିବି ଏବେ ଯୋଗୀ ହୋଇ,
ଗଲେ ଦେହ ଯମ ଭୁବନ‌କୁ ଯିବ ଯୋଗୀ ମୁଁ ହୋଇବି ନାହିଁ ।

ଯୋଗୀକୁଳ ବଡ଼ ଦୁଃଖ ଲୋ ଜନନୀ ରାଜକୁଳ ବଡ଼ ସୁଖ,
ନ ମାନନ୍ତି ଖରା ବରଷା ଯେ ଯୋଗୀ ବୁଲି ମାଗୁଥାନ୍ତି ଭିକ ।

ତାଙ୍କରି ପରାୟେ କଷ୍ଟ ଲୋ ଜନନୀ ସ‌ହି ନ ପାରିବି ମୁହିଁ,
ଗଲେ ଦେହ ଯମ ଭୁବନ‌କୁ ଯିବ ରାଜ ସିଂହାସନେ ଥାଇ ।

ଛାର ମରଣକୁ କିମ୍ପାଇ ଡରିବି ଯୋଗୀ ଲାଉରେ ଭୁଞ୍ଜିଣ,
ମାତା ବୋଲେ ଯୋଗୀ ଲାଉ ନ ବୋଲରେ ଅଟେ ଶିବଥାଳ ଜାଣ ।

ସେ ଶିବ ଥାଳରେ ଅନ୍ନ ହିଁ ଭୁଞ୍ଜିଲେ ଅମର ହୋଇବୁ ତୁହି,
ଯୁଗ ଯୁଗାନ୍ତରେ ଅମର ହୋଇବୁ ନ ପାରିବ ଯମ ନେଇ ।

ମୋର ବୋଲ କର କୁମରମଣିରେ କାଲି ଯାଅ ଯୋଗୀ ହୋଇ,
ସେତେବେଳେ ପୁତ୍ର ଦିଅଇ ଉତ୍ତର ଶୁଣ ଗୋ ଜ‌ନନୀ ତୁହି ।

ଅତି ଯତନରେ ମାତା ବିଭା କଲୁ ରୋଦମା ଗୋଦମା ରାଣୀ,
କନ‌କ ବେଦୀରୁ ଯୌତୁକ ଆଣିଲି ଗୋଦମା ସାନ ଭଉଣୀ ।

କାହା ନାମ ହୀରା କାହା ନାମ ଲୀଳା କାହା ନାମ ଜମ୍ୱୁବତୀ,
ଶଶିକା, କୁନ୍ତଳା, ମରୁଆ, ମାଳତୀ କାର ନାମ ଯେ ଦ୍ରୌପଦୀ ।

ଏହିପରି ନାମ ବ‌ହିବା ସୁନ୍ଦରୀ ବିଭା ମୋତେ କରାଇଲୁ,
ଏତେ ରଜାଝିଅ ଆଣିକରି ମୋତେ ଏତେ ଦଣ୍ଡ କିମ୍ପା ଦେଲୁ ।

ଯେବେ ତୁ ଜନନୀ ହାଡ଼ି ପାଶେ ପୁଣି ମୋତେ ଦେଇଥାନ୍ତୁ ବିକି,
ଏମାନଙ୍କ କଷ୍ଟ ସ‌ହି ମୁଁ ନ ଥାନ୍ତି ଜଗତେ ବୋଲିବେ ଛି ଛି ।

ପୁତ୍ରର ମୁଖରୁ ଏ ବଚନ ଶୁଣି ବୋଲଇ ମୁକୁତା ଦେଇ,
ଅଜର ଅମର ହେବୁରେ କୁମର ମୋ ବଚନ କର ତୁହି ।

ନମ ବ୍ରହ୍ମକୁ ତୁ ଭାବରେ କୁମର ଏ ଦୁଃଖ ରହିବ ନାହିଁ,
ନନ୍ଦ ନନ୍ଦନ‌କୁ ଡାକ ବାର ବାର କରୁଣା କରିବେ ସେହି ।

ତରକିବୁ ଯେବେ ରହିଯିବ ତେବେ ଦେବ ନାହିଁ ଯମ ଦୁଃଖ,
କାରଣ ନ ମାନି ନ ଶୁଣିଲେ କଥା ବସା ହେବ କୁମ୍ଭୀପାକ ।

ଜାଣି ଶୁଣି ଯେବେ ରତନ ଛାଡ଼ିବୁ କରିବୁ ଅର୍ଗଡ଼ ହାର,
ଟ‌ହ ଟହ ହସିକରି ଦେଇ ଟାହି ଜାଣିବ ଯମ କିଙ୍କର ।

ଯମ ନିକଟରୁ ଉଦ୍ଧାର ପାଇବୁ ଯେବେ ଭଜ ହରି ନାମ,
ସେହି ହରି ନାମ ଅଟେ ବ୍ରହ୍ମ ଜ୍ଞାନ ସେ ନାମ କର ସ୍ମରଣ ।

ସାତ ସମୁଦ୍ରର ପାଣି ନ ଲାଗିବ ପାଦ ନ ବୁଡ଼େ ଜଳରେ,
ପୁତ୍ର ବୋଲେ ଏଡ଼େ ବ୍ରହ୍ମଜ୍ଞାନୀ ତୁହି ରହି ବଙ୍ଗ ବଜାରରେ ।

ମୋହର ପିତାକୁ ଯମ ବାନ୍ଧିନେଲା ରଖି ନ ପାରୁଲୁ ତୁହି,
ମାତା କ‌ହେ ମୁହିଁ ତପ କରୁଥିଲି ଜାହ୍ନବୀ ଜଳରେ ରହି ।

ଏଥୁ ଯାଇକରି ଖବର କ‌ହିଲେ ସୁଜ୍ଞାନୀ ପଣ୍ଡିତ ତ‌ହିଁ,
ସେହି ଓଦା ଦେହେ ସେହି ଓଦା ବସ୍ତ୍ରେ ଯମ ପୁରେ ମିଳିଲଇଁ ।

ଯମ ସିଂହାସନେ କଂସାର କବାଟ ବାମ ଗୋଡ଼େ ଦେଲି ଠେଲି,
ଅନାଇ ଦେଲି ମୁଁ ଧର୍ମ ମଣ୍ଡପକୁ ଯମ ବସିଛି ଦେଖିଲି ।

ବାଇଶି ମହଣ ଗୋଚର୍ମ ଦଉଡ଼ି ଯମ କାନ୍ଧରେ ପଡ଼ିଛି,
ବାର ବିଶା ଲୁହା ଶାଙ୍କୁଳି ବାଡ଼ି ଯେ ଯମ ଆଗରେ ରହିଛି ।

ଅଶି ବିଶା ଲୁହା ଶାଙ୍କୁଳି ବାଡ଼ି ଯେ ଯମ କାନ୍ଧରେ ରହିଛି,
ଚିତ୍ରଗୁପତକୁ ପଚାରୁଅଛି ଯେ କି କି ଧର୍ମ କରିଅଛି ।

କରିଥିଲେ ଦାନ କରିଥିଲେ ପୁଣ୍ୟ ବୈକୁଣ୍ଠପୁରକୁ ଦେବି,
କିଛି ଯେବେ ଧର୍ମ ପୁଣ୍ୟ କରିନାହିଁ ନର୍କ କୁଣ୍ଡେ ବୁଡ଼ାଇବି ।

ଏହା ଶୁଣିକରି କୁମରମଣିରେ ମୁହିଁ କୋପଭର ହେଲି,
ଗୋରେଖଙ୍କ ମନ୍ତ୍ର ସୁମରି ଯମକୁ ବ୍ରହ୍ମ ଚାପୋଡ଼େ ମାଇଲି ।

କାହିଁକି ମାଇଲୁ ମୁକୁତା ଦେଇଲୋ ଯମ ରାଜନ ବୋଲଇ,
ମୋହର କି ଦୋଷ ଏଥିରେ ଅଛି ଯେ କ‌ହ ମୋ ଆଗେ ବୁଝାଇ ।

ତୋହ ତପସ୍ୟାରେ ବଞ୍ଚେଇ ରଖିଲି ଶହେ ଷାଠିଏ ବରଷ,
ଆହୁରି ଯଦ୍ୟପି ପରମାୟୁ ଅଛି ପାଞ୍ଜି ପତ୍ର ଦେଖିଆସ ।

ଆବର ଆଯୁଷ ଥିଲେ ଲୋ ଜନନୀ ଶହେ ବରଷକୁ ଦେବି,
ଯଦ୍ୟପି ଆଯୁଷ ନ ଥିବ ଜନନୀ କାହୁଁ ଆଣି ପୁରାଇବି ।

ଯମ ହସ୍ତୁ ପାଞ୍ଜିପତ୍ର ଛଡ଼ାଇଣ ଆପଣା ହସ୍ତେ ପଢ଼ିଲି,
ଏକବିଂଶ ବର୍ଷେ ମରଣ ପୁତ୍ରରେ ପାଞ୍ଜିରେ ତ‌ହୁଁ ଦେଖିଲି,
ସେହି ଦିନୁ ପୁତ୍ର ଯାଉ ଯୋଗୀଘର ମୁହଁ ମନରେ ପାଞ୍ଚିଲି ।
 
ଛାର ସମ୍ପତ୍ତିକି ମନ କରୁ ତୁ ରେ ବିପତ୍ତି ନ ନେବେ କେହି,
ସମ୍ପତ୍ତି ତୋହର ବାଣ୍ଟିକୁଣ୍ଟି ନେବେ ବିପତ୍ତିକି ନେବେ ନାହିଁ ।

ଇଚ୍ଛା ହେଉଅଛି ଗୋବିନ୍ଦଚନ୍ଦ୍ରରେ ନିଅ ଭଣ୍ଡାର ତୁ ବୋହି,
ପୁତ୍ର ବୋଲେ ଏକ କଥା କ‌ହିବି ଲୋ ରୋଷ ନ କରିବୁ ତୁହି ।

ଯୋଗୀର ଯେତେକ ସମ୍ପଦ ମାଆଲୋ କାଲି ଆଣିଦେବୁ ମୋତେ,
ରୁଦ୍ରାକ୍ଷର ମାଳା ଢାଉରଙ୍ଗ ପାଗ ଦେବୁ ତୁ କାଲି ସକାଳେ ।

କର୍ଣ୍ଣର କୁଣ୍ଡଳ ଦେହ କନ୍ଥାମାଳ ତୁହି ଆଣି ରଖିଥିବୁ,
ମୃଗଛାଲ ଆଦି ଆଣିଣ ଯେ ତୁହି ସେ ସମସ୍ତ ମୋତେ ଦେବୁ ।

ଜନନୀ ବୋଇଲେ ନୁହଁଇ ଏପରି ଶୁଣ ତୁହି ମନ‌ଦେଇ,
ଗୁରୁ ବିନା କାହୁଁ ହୋଇବଟି ସିଦ୍ଧ ଗୁରୁପାଦେ ଥିବୁ ଧ୍ୟାୟୀ ।

ପୁତ୍ର ବୋଲେ ଗୁରୁ କ‌ହିଦିଅ ମୋତେ ଭଜିବି ତାହାର ପାଦ,
ତାହା ଶୁଣି ମାତା ବୋଲନ୍ତି ବଚନ ଧ୍ୟାୟିବୁ ହରି ଗୋବିନ୍ଦ ।

ଗୋବିନ୍ଦ ତୁହି ଶୁଣ ଯେବଣ ହାଡ଼ିପା ଖଟୁଅଛି ବାଡ଼ି ତାଟି,
ନିରନ୍ତର ତୁହି ତାଙ୍କୁ ସେବାକର ଚରଣ ତଳରେ ଲୋଟି ।

ସେହି ଯଦି ତୋତେ ପ୍ରସନ୍ନ ହୋଇବେ ଛାଡ଼ିବ କାଳ ସମନ,
ଯମର ପାଶରୁ ମୁକତ ହୋଇବୁ ହରିପଦେ ହେବୁ ଲୀନ ।

ନୃପତି ବୋଲନ୍ତି ସିଦ୍ଧ ସେ ପୁରୁଷ କିମ୍ପା ହୀନ କୁଳେ ଜନ୍ମ,
ପ୍ରଭାତରୁ ଉଠି ମୋର ବାଡ଼ି ତାଟି ଖଟଇ କେଉଁ କାରଣ ?

ନୀଚ ଜାତି ହୋଇ ମଇଳା କାଢ଼ଇ ଗୁରୁ କେସନେ କରିବି,
ଅକାରଣେ ମାତା ଜଞ୍ଜାଳେ ପଡ଼ିବି ପ୍ରାଣକୁ ନିଶ୍ଚେ ତେଜିବି ।

ମୁକୁତା ବୋଲଇ ଶୁଣ ବାପ ବ୍ରହ୍ମ ଶାପରୁଟି ସେହି ଜନ୍ମ,
ମର୍ତ୍ତ୍ୟ ଯୁଗେ ସେହି କରିଲାରେ ବାପ ବ୍ରହ୍ମାଙ୍କ ପାଦରେ ଧ୍ୟାନ ।

ତ‌ହୁଁ ବେଦବର ପ୍ରସନ୍ନ ହୋଇଣ ବଚନ ତାଙ୍କୁ ହୋଇଲେ,
ସତେ ଧୂଳି ମାଂସ କରାଇବୁ ଦେହୀ ଅଗ୍ନିରେ ଲୀନ ନୋହିଲେ ।

ବ୍ରହ୍ମାଙ୍କ ବଚନେ ଋଷିଙ୍କ ନନ୍ଦନ ଘୋର ଅନଳେ ପଶିଲା,
ଅଗ୍ନି ଯେ ତାହାର ନାଭିରେ ଲାଗନ୍ତେ ଆତ୍ମା ଛଟପଟ ହେଲା ।

ବେଦବର ବୋଲେ ନୋହିଲା ନୋହିଲା ଅକାରଣ ତପ ତୋର,
ଘେନ ଘେନ ଶାପ ବୋଇଲା ବିଧାତା ଜନ୍ମ ହେବୁ ହାଡ଼ି ଘର ।
 
ମୁକତ କାରଣ କ‌ହ ବେଦବର ହୀନ କୁଳେ ହେବି ଜନ୍ମ,
ବେଦବର ଭଣି ଶୁଣ ମହାମୂନି ଘେନ ମନ୍ତ୍ର ମହାଜ୍ଞାନ ।

ବେତାଳ ହସ୍ତରେ ଗୋବିନ୍ଦଚନ୍ଦ୍ରର ମଇଳା କାଢ଼ି ଖଟିବୁ,
ସେ ଗୋବିନ୍ଦଚନ୍ଦ୍ର ରାଜା ଆଗେ ବ୍ରହ୍ମ ଜ୍ଞାନ କ‌ହି ମୁକ୍ତ ହେବୁ ।

ତ‌ହିଁ ପରେ ତୋର ଆସିବରେ ସିଦ୍ଧି ପୁଣି ଆସିବୁ ବ‌ହ‌ନ,
ଦେବତାଙ୍କ ସଙ୍ଗେ ନିଶ୍ଚ‌ୟ ରହିବୁ ମନରେ ତୁ କର ଜ୍ଞାନ ।

ବେଦବରଙ୍କର ବଚନେ ଜନ୍ମିଲା ସେହି ହାଡ଼ିଘରେ ଯାଇ,
ତୁ ଯେ ବୋଲୁ ମୋର ମଇଳା ଖଟଇ ଏଣୁ ପାପୀ ହୋଇ ସେହି ।

ଜନନୀ ମୁଖରୁ ଶୁଣିଣ କୁମର ଭିତର ପୁରକୁ ଗଲା,
ମଣୋହି ସାରିଣ ଚଉରାଶି ଫୁଲ ପଲଙ୍କରେ ପ‌ହୁଡ଼ିଲା ।

ରାତି ଗତ ହୋଇ ହୁଅନ୍ତେ ପ୍ରଭାତ ରାଜା କଠଉ ମାଡ଼ିଣ,
ମରଡ଼ା ଶାଳରେ ଗୁପ୍ତେ ବିଜେ କଲେ ଜାଣିବେ ବୋଲି କାରଣ ।

ଏମନ୍ତ ସମୟେ କାକ ରାବ ଶୁଣି ହାଡ଼ିପା ଯେ ତ‌ହିଁ ମିଳି,
ତାହାର କୁମର କାନ୍ଦି ଆସିଣ ସେ ପିତାକୁ କରଇ ଅଳି ।

ଏହି ବୃକ୍ଷରୁ ତୁ ଫଳ ଗୋଟି ଦେବୁ ଏ କିସ ଫଳ ଫଳଇ,
କୁମରର ବାଣି ହାଡ଼ିପା ଯେ ଶୁଣି ପଇଡ଼ ବୋଲି ବୋଲଇ ।

ରାଜାଙ୍କର ଏହି ବଗିଚା ଅଟଇ ଫଳ କିପରି ଆଣିବା,
ତୋଟାଳିଆମାନେ ବାନ୍ଧିକରି ନେବେ ସେଠରେ ଦଣ୍ଡ ପାଇବା ।

ପୁତ୍ରର କ୍ରନ୍ଦନ ସ‌ହି ନ ପାରିଣ ଫଳ ବୃକ୍ଷକୁ ଡାକିଲେ,
ଆକାଶରୁ ଯହିଁ ମଞ୍ଚକୁ ଆସିଲା ତ‌ହୁଁ ଗୋଟିଏ ତୋଳିଲେ ।

କୁମରକୁ ନେଇ ସେ ଫଳକୁ ଦେଇ ବୃକ୍ଷକୁ ଯାଅ ବୋଇଲେ,
କୁମର ଲେଉଟି ଘରକୁ ଚଳିଲା କୋଦାଳେ ତ‌ହୁଁ କ‌ହିଲେ ।

ବେଗେ ଯାଇ ତାଟି ବାଡ଼ି ତୁ ଖଟରେ ନିର୍ମଳ କରିଣ ମହୀ,
ଆଜ୍ଞା ପରମାଣେ କୋଦାଳ ଯାଇଣ ସବୁ ନିର୍ମଳ କରଇ ।

ନ‌ଗର ବାହାରେ ପକାଇଲା ପାଣି ହାଣ୍ଡି ଗୋମ‌ୟ ଢାଳଇ,
ନ ବୋଲୁ ପ‌ହଁରା ପ‌ହଁରିଣ ନେଲା ଯେଝା ଠାବରେ ରହଇ ।

ହାଡ଼ିପା ଯେ ଗଲେ ନିଜ ସଦନ‌କୁ ଗୋବିନ୍ଦ ଏହା ଦେଖିଲେ,
ହାଡ଼ିପା ଚରିତ ନୟନରେ ଦେଖିଣ ମାତା ପାଶରେ ମିଳିଲେ ।

ଦେଇଥିଲେ ଆଜ୍ଞା ତୁମ୍ଭେ ଗୋ ଜନନୀ ନୟନେ ମୁହିଁ ଦେଖିଲି ,
ହାଡ଼ିପାର ପୁତ୍ର ସଙ୍ଗତରେ ଥିଲା ଫଳ ମାଗିଲା ଶୁଣିଲି ।

ତକ୍ଷଣେ ହାଡ଼ିପା ଆଜ୍ଞା ଯେ ଦେଲାକ ଗଛ ନୁଆଁଇ ଆସିଲା,
ଫଳ ଏକ ତୋଳି କୁମରକୁ ଦେଲା କୁମର ପଳାଇଗଲା ।

ସେହି ବୃକ୍ଷ ଯାଇ ଆକାଶେ ଲାଗିଲା ଆଜ୍ଞା ମାତ୍ରକେ ତାହାର,
କୋଦାଳ, ଟୋକେଇ ଖଟେ ବାଡ଼ି ତାଟି ପ‌ହଁରା ଓଳାଏ ଦ୍ୱାର ।

ଜନନୀ ବୋଲଇ ଦେଖିଲୁ ପ୍ରତ୍ୟକ୍ଷେ ସଦଗୁରୁ ପୂଜା କଲେ,
ପିଣ୍ଡମୋକ୍ଷ ତୋର ହୋଇବ କୁମର ତୁହି ତାହାଙ୍କୁ ସେବିଲେ ।

ନାମ ବ୍ରହ୍ମ ଶୁଣି କାରଣ ପାଇବୁ ଜଉ ଅଗ୍ନି ପାଶେ ଜାଳି,
ପୁରୁଷ ଦେହକୁ ସଂସାର ମଧ୍ୟରେ ଅଗ୍ନି ପରାୟେ ତରୁଣୀ ।

ବ୍ରହ୍ମା ବିଷ୍ଣୁ ହର ନ ତରନ୍ତି ତାର ମାୟା ଜଞ୍ଜାଳରେ ପଡ଼ି,
ପୁନଃ ପୁନଃ ସେହୁ ଜନମ ଲଭନ୍ତି ସଂସାର ମାୟାରେ ଜଡ଼ି ।

ବିଜୁଳି ପବନ ପ୍ରାୟେକ ଜୀବନ ଘଟ ମଧ୍ୟେ ଅବସ୍ଥିତି,
ସର୍ବ ଜ୍ଞାନ ଯହିଁ ଗୋବିନ୍ଦର ନାମ ଭଜିଲେ ମୁକତି ଗତି ।

କୌଶଲ୍ୟା ଗର୍ଭରେ ରାମ ଜନ୍ମ ହେଲେ ବାଳକ ସମୟେ ମାତା,
କ୍ଷୀରପାନ ଦେଇ ସନ୍ତୋଷ କରାଇ ପ୍ରଭୁ ହେଲେ ଜଗଜ୍ଜିତା ।

ଆକାଶୁ ଓହ୍ଲାଇ ଚଉଷଠି ସିଦ୍ଧ ପଛେ ଗୋରେଖ ଗୋସାଇଁ,
ହୋଇଣ ଚଞ୍ଚଳ ନିମିଷେ ଅନ୍ତର ଆସୁଛନ୍ତି ବେଗେ ଧାଇଁ ।

ଭୁମିରେ ଆଣ୍ଠୁକୁ ପକାଇଣ ସେହି ବ୍ରହ୍ମକୁ ଯେ ଲୟ କଲେ,
ଅଜ୍ରାମର ହୋଇ ଯୁଗ ଯୁଗାନ୍ତର ଜୀବିତ ହୋଇ ରହିଲେ ।

ଗୋବିନ୍ଦର ନାମ ମହାମନ୍ତ୍ର ବୋଲ ସଂସାରରେ ସାର ଜାଣି,
ସେହି ନାମ ଗୋଟି ଘୋଷିଲେ ପାଇବୁ ମୁକତି ପସରା ପୁଣି ।

ବରଷାର ପାଣି ଯେସନେ ଉତ୍ପନ୍ନ ଶରୀର ଅଟଇ ଜାଣ,
ଫୋଟକାର ଜଳ ମୁହୁର୍ତ୍ତେ ରହଇ ଜୀବନ ତ‌ହିଁରୁ କ୍ଷୀଣ ।

ସେହିମତି ଦେଖି ଶରୀର ଗୋଟିଏ ଅକାରଣେ ପାପେ ଜଡ଼ି,
ସଂସାର ମାୟାରେ ଜଡ଼ି ହେଉଥାଏ ଅନ୍ଧ କୁପରେଣ ପଡ଼ି ।

ସର୍ବାଙ୍ଗେ ବିଭୁତି ବୋଳି ହୋଇଥିବୁ କନ୍ଧେ ତ୍ରିଶୁଳ ଘେନିବୁ,
ଢ଼ାଉ ରଙ୍ଗ ଲୁଗା ତ୍ରିକଚ୍ଛ ପିନ୍ଧିବୁ ଲା‌ଉ ଥାଳରେ ମାଗିବୁ ।

ନ‌ଗ୍ରରେ ପଶିଣ ଗୋବିନ୍ଦଚନ୍ଦ୍ରରେ ମାଗିବୁ ଯାଇଣ ଭିକ୍ଷା,
ଦେଉ କି ନ ଦେଉ ମନରେ ତୋହର କେବେ ନ ଧରିବୁ କକ୍ଷା

ପାଇଲେ ଆନନ୍ଦ ନ ପାଇଲେ ତୋର ମନେ ନ ଧରିବୁ ରୋଷ,
ଜାଗିଲା ଜାଗିଲା ମାତା ବୋଲିକରି ଶଙ୍ଖ ନାଦେ ତୁହି ଘୋଷ ।

ଭିକ୍ଷା ଦେଲା ସ୍ତିରୀ ବଦନ ନ ଚାହିଁ ମାତୃଜ୍ଞାନରେ ଚଳିବୁ,
ପୁରୁଷମାନଙ୍କୁ ପିତୃ ତୁଲ୍ୟ ତୁହି ନିରନ୍ତରେ ଭାବୁଥିବୁ ।

ସର୍ବ ଭୁତେ ବାବୁ ଦୟା ରଖିଥିବୁ ଅହିଂସାକୁ ଥିବୁ ଧରି,
ଗୋ ବିପ୍ରମାନଙ୍କୁ ଦେଖିଲେ ନୟନେ ତାଙ୍କ ପ୍ରତି ଦୟା ବ‌ହି ।

ବାଳୁତେ କାଟିବୁ ହିଂସା ଅହଂକାର ତାଙ୍କପ୍ରତି ଦୟା ବ‌ହି,
ପଞ୍ଚମ ନିଶ୍ୱାସୁ ଅଧିକ ରହିଲେ ଧରମ ତ‌ହିଁ ନୁହଁଇ ।

କାମ କ୍ରୋଧ ନିଦ୍ରା ତ୍ୟାଗ ତୁ କରିବୁ ସଂସାରେ ହୋଇ ଉଦାସୀ,
ଚଉରାଶୀ କାଠି ସିନ୍ଧୁର ଗଭୀର ପାର ହେବୁ ନାବେ ବସି ।

ଷୋହଳ ଡମ୍ୱରୁ ସରୋବର ପରି ମନ କରିବୁ ଲହରୀ,
ତେବେ ହେ ତରିବୁ ବିଷ୍ଣୁ ମାୟା ଘୋର ଏହା ଥିବୁ ହେତୁ କରି ।

ଏବେ ଚାଲ ବାବୁ ଗୁରୁଙ୍କୁ ଦେଖିବା କିପରି ଅଛନ୍ତି ସେହି,
ଏତେ ବୋଲି ମାତା ପୁତ୍ରକୁ ଘେନିଣ ରାତ୍ରରେ ବାହାର ହୋଇ ।

ସଙ୍ଗତରେ ଆଉ କାହାକୁ ନ ନେଇ ଫୁଲ ଚାଙ୍ଗୁଡ଼ି ଧଇଲେ,
ଚନ୍ଦନ କର୍ପୁର ଗୋଳା ହୋଇଅଛି ହାଡ଼ିପା ଦ୍ୱାରେ ମିଳିଲେ ।

ଜାଣିଣ ହାଡ଼ିପା ଘରୁ ବାହାରିଲେ ମିଳିଲେ ତାହାଙ୍କ ପାଶ,
ଦେଖିଣ ଗୋବିନ୍ଦ ଫୁଲ ଚାଙ୍ଗୁଡ଼ିକୁ ଥୋଇ ହୋଇଲେ ହରଷ ।

ହାଡ଼ିପା ଚରଣ ଧରି ଓଳଗିଣ ବୋଇଲେ ତୁମ୍ଭ ଶରଣ,
ଦେଖିଣ ହାଡ଼ିପା ମନରେ ଯେ ଭୀତି ଜାତ ହୋଇଲା ତକ୍ଷଣ ।

କୋଳାଗ୍ରତ କରି ବୋଲନ୍ତି ହାଡ଼ିପା ଏ କର୍ମ କିମ୍ପା ରାଜନ,
ନୀଚ କୁଳେ ମୁହିଁ ଜନମ ଲଭିଛି କିମ୍ପା ଧର ମୋ ଚରଣ ।

ଛରିଶ ପାଟକ ଜାତି ମଧ୍ୟେ ସାର ବୈଶ୍ୟ କ୍ଷତ୍ରିୟ ବ୍ରାହ୍ମଣ,
ସବୁଠାରୁ ପାପୀ ହୀନ ହାଡ଼ି ଜାରି ତୁମ୍ଭେ କ୍ଷତ୍ରିୟ ରାଜନ ।

ବାଡ଼ି ତାଟି ତୋର ଖଟେ ନିରନ୍ତର ନ ସରଇ ମୋର ଦିନ,
ପ୍ରଭାତରୁ ଉଠି ମୋତେ ଦେଲେ ଦୃଷ୍ଟି ନ ମିଳଇ ତାକୁ ଅନ୍ନ ।

ମୁକୁତା ଦେଈଙ୍କ ମୁଖକୁ ଚାହିଁଣ ହାଡ଼ିପା ଯେ ମହାଯତି,
ଜାଣୁ ଜାଣୁ ତୁମେ ଏହା ବିଚାରିଲ ଅଜ୍ଞାନ ହେଲା କି ମତି ।

ବୋଲନ୍ତି ମୁକୁତା ଶୁଣ ମହାଜ୍ଞାତା ଗୋବିନ୍ଦକୁ ଶିଷ୍ୟ କର,
ମନ୍ତ୍ର ଦିଅ ତାକୁ ମହାମାୟା ଫାସ ଛେଦି ହେଉ ଅଜ୍ରାମର ।

ହାଡ଼ିପା ବୋଲଇ ଏକଇ କୁମର ଅଟଇ ତ ତୋର ପୁଣି,
ରାଜ୍ୟକୁ ଶାସନ କିଏ ସେ କରିବ ମନେ କର ତୁ ଭାଳେଣି ।

ଅନେଶ୍ୱତ ରାଣୀ ମଧ୍ୟେ ପାଟରାଣୀ ଦୁଇ ଯେ ହୋଇଛି ସାର,
ଅନାଥ ହୋଇଲେ କିଏ ସମ୍ଭାଳିବ ସେହି ରତନ ଭଣ୍ଡାର ।

ମୁକୁତା ବୋଲନ୍ତି ଛାଡ଼ି ସର୍ବ ମତି ସଦଜ୍ଞାନ ତୁମ୍ଭେ ଦିଅ,
ଅଜର ଅମର ହୋଇ ମୋ କୁମର ରଖୁ ଶ୍ରୀହରିରେ ଲୟ ।

ହାଡ଼ିପା ବୋଲନ୍ତି ଶୁଣ ଗୋବିନ୍ଦାଇ କଷ୍ଟ ତୁ ସ‌ହ୍ୟ କରିବୁ,
ମନ ଦୃଢ଼ କରି ରାଜ୍ୟକୁ ପାଶୋରି ଯେବେ ତୁ ସବୁ ଛାଡ଼ିବୁ ।

ଲହୁଣୀରଠାରୁ ଶରୀର କୋମଳ ଅଟଇ ତୋହର ପୁଣି,
ଶ୍ମସାନ ଭୂମିରେ ଏକାନ୍ତେ ବୁଲିବୁ ଏହା ମୋହର ଭାଳେଣି ।

ଗ୍ରାମେ ନ ଭୁଞ୍ଜିବୁ ଯାନେ ନ ଚଢ଼ିବୁ ଶୋଷେ ନ ଭକ୍ଷିବୁ ନୀର,
ଯେଉଁ ହରି ନାମ ମୁକତି ପଶରା ଲଭିଲେ ହୋଇବ ଚିର ।

ପବନ ନିରୋଧି ବାଟମାନଙ୍କରେ ନିଶ୍ୱାସ ଛାଡ଼ି ଉଚ୍ଚାଟେ,
ନବ ଦ୍ୱାର ତୋର ରୁନ୍ଧିଣ ରଖିବୁ ଚଳିବୁ ଦଶମ ବାଟେ ।

ନାଭିର ପାଖରେ ନାସାଟି ତୋହର ଯେବେ ଲାଗିଣ ରହିବ,
ତେବେ ତୋର ପିଣ୍ଡ ଅଜ୍ରାମର ହୋଇ ଯୁଗ‌ଯୁଗାନ୍ତରେ ଥିବ ।

ଏହା ଶୁଣିକରି ଗୁରୁଙ୍କ ଚରଣେ ନମି ଯେ ଭକତି ଭରେ,
ଖଣ୍ଡେ ଦୂରେ ଧୀରେ ଉଭା ହୋଇକରି ହସ୍ତ ନିବେଶି ଶିରରେ ।

ବୋଲନ୍ତି ଗୋବିନ୍ଦ ଶୁଣ ମହାଗୁରୁ ପାଇବି ପରମ ଗତି,
ଶ୍ରୀଚରଣ ତଳେ ଶରଣ ପଶିଲି ରଖ ତୁମ୍ଭେ ମହାଯତି ।

ସାଧିବି ମୁଁ ଯେ ଲଭିବି ସୁଯୋଗ କର୍ଣ୍ଣ ପଥରେ ଶୁଣିଣ,
ଛାଡ଼ିଲି ସମ୍ପତ୍ତି ତେଜ୍ୟ କଲି ପୃଥ୍ୱୀ ଲଭି ତମର ଚରଣ ।

ହାଡ଼ିପା ତାହାର ମନ ମଧ୍ୟେ ସାର ବୁଝି ବୋଲନ୍ତି ବଚନ,
ଆସ ଗୋବିନ୍ଦାଇ ମନ୍ତ୍ର ଦେବି କ‌ହି କର୍ଣ୍ଣ ବିବର ମଧ୍ୟେଣ ।

ତାହାର ଦକ୍ଷିଣ କର୍ଣ୍ଣରେ ମନ୍ତ୍ରକୁ ହାଡ଼ିପା ଦେଲେକ କ‌ହି,
ତୋହର ଶରୀର ଅଜର ଅମର କରିବେଟି ଭାବଗ୍ରାହୀ ।

କର୍ଣ୍ଣରେ ମୁଦୁରା ବୋଲି ନାଦ ଦେଲେ ଅକ୍ଷ୍‌ୟ ହୋଇଣ ଥାଅ,
ଆନନ୍ଦ ମନରେ ନିର୍ମଳ ଜଳରେ ଗୁରୁପାଦେ କଲା ଲୟ ।

ଆନନ୍ଦ ମନରେ ନିର୍ମଳ ଜଳରେ ଗୁରୁପାଦ ପଖାଳିଲା,
କ୍ଷେପିଣ ଅର୍ଦ୍ଧେକ ସିଞ୍ଚି ଦେହ‌ଯାକ ଆତ୍ମଶୁଦ୍ଧି ସେହୁ କଲା ।

ସତ୍ୱର ଉଠିଣ ମାତାଙ୍କ ଚରଣ ଧରିଣ ଓଳଗି ହୋଇ,
ଯାଅ ଗୋ ଜନନୀ ମୋର ବୋଲ ମାନି ପାଳ ରାଜ୍ୟ ଏବେ ତୁହି ।

ଆସନ ସଞ୍ଚିଣ ଗୁରୁ ସୁମରିଣ ଉର୍ଦ୍ଧ୍ୱକୁ ଦୃଷ୍ଟି ଟେକିଲା,
ଲୟ ଲଗାଅନ୍ତେ ଦେଖିଣ ସାକ୍ଷାତେ ବ୍ରହ୍ମଜ୍ଞାନ ଦୃଶ୍ୟ ହେଲା ।

ତେଜ୍ୟ କରି ସୁତ ବୋଇ ବ୍ୟାକୁଳିତ କାନ୍ଦନ୍ତି ମୁକୁତା ଦେଈ,
ଗୃହକୁ ମୁଁ ଗଲେ ବନ୍ଧୁଙ୍କୁ ଦେଖିଲେ କିସ ପ୍ରବୋଧିବି କ‌ହି ।

କିମ୍ପା ଏହି କର୍ମ କଲଇଁରେ ଧର୍ମ ଏକୋଇର ବଳା ମୋର,
ଗୃହେ ନ ରହିଲା ରାଜ୍ୟ ଶିରି ଗଲା ପୁତ୍ର ଗଲା ଦେଶନ୍ତର ।

ଦଇବ ପୁରୁଷ କଲେ ଏ ଭବିଷ୍ୟ ମାତି ପୁତ୍ର ଭିନ୍ନ ଭିନ୍ନ,
ବଙ୍ଗ ରାଜ୍ୟ ମୋର କଲା ନାରଖାର ପୁତ୍ରକୁ କଲି ଉଚ୍ଛନ୍ନ ।

ସୁଣ ସୁଜ୍ଞ ଜନ ହୋଇ ଏକମନ ହାଡ଼ିପା ତାଙ୍କୁ କ‌ହିଲେ,
ଅନେକ ପ୍ରକାରେ ବୁଝେଇ କ‌ହିଲେ ଗୃହେ ଯାଅ ଏବେ ଭଲେ ।

ମନେ କି ପାଞ୍ଚିଲ ପୁତ୍ର ଯୋଗୀ କଲ ଏବେ ବ୍ୟାକୁଳ କିମ୍ପାଇଁ,
ରୋଦିଲେ କି ହେବ ଆଉ କି ଫେରିବ ଗୃହେ ଯାଅ ତୁନି ହୋଇ ।

ମାତାଙ୍କର ମନ ଜାଣିଣ ରାଜନ ଅନେକ ପ୍ରବୋଧ କଲେ,
ଅଳ୍ପଦିନେ ମାତା ଫେରିବି ତ୍ୱରିତ ତୁମ୍ଭର ସୁଦୟା ଥିଲେ ।

ରିପୁଚନ୍ଦ ରାଣୀ ସ୍ଥରି ହୋଇ ପୁ୍ଣି ଘରକୁ ଯେ ଫେରିଗଲେ,
ଗ୍ରାମ ପଣ୍ଡପରେ ବସିଣ ସତ୍ୱରେ ଜ୍ଞାନେ ଲୟ ଲଗାଇଲେ ।

ରାଣୀଙ୍କର ମନ ହୋଇଲା ଉଚ୍ଛନ୍ନ ରାଜ୍ୟ ଲୋକ ମୁଖୁ ଶୁଣି,
ବାଟ ଚାହିଁଥିଲେ ଶାଶୁଙ୍କୁ ଦେଖିଲେ ଏକା ଲେଉଟିଲେ ରାଣୀ ।

ଚାହିଁ ଶାଶୁ ମୁଖ ହୋଇଣ ବିମୁଖ କାନ୍ଦନ୍ତି ରୋଦମା ଦେଈ,
କନ୍ୟା ଅନେଶ୍ୱତ ହୋଇଲେ ଅନାଥ ଏହା କଲ କାହିଁପାଇଁ ।

ପ୍ରାଣନାଥ ମୋର ଛନ୍ତି କେଉଁଠାରେ ଦେଖାଇ ଦିଅଲୋ ସ‌ହି,
ଏସନ ଭାରତୀ କ‌ହିଣ ଶ୍ରୀମତୀ ସଙ୍ଗେ ସଖିମାନ ନେଇ ।

ରାଜାଙ୍କ ସାକ୍ଷାତେ ମିଳିଲେ ତ୍ୱରିତେ ଆକୁଳ ହୋଇ ବୋଲନ୍ତି,
ଆମ୍ଭେ କି କରିବୁ କା ମୁଖ ଚାହିଁବୁ କ‌ହ ଆହେ ପ୍ରାଣପତି ।

ଯୋଗୀ ହେବା ଯେବେ ପାଞ୍ଚିଥିଲ ପୁର୍ବେ କିମ୍ପାଇ ବିବାହ କଲ,
କେତେ ଦିନ ପାଇଁ ଅନେଶ୍ୱତ ରାଣୀ ଭସାଇ ଦେଇଣ ଗଲ ।

ଆହେ ପ୍ରାଣନାଥ ତୁମ୍ଭକୁ ଏସନ କିଏ ବାଇ କରାଇଲା,
କାହାଠାରୁ ତୁମ୍ଭେ ହୀନବୁଦ୍ଧି ପାଇ ସଂସାର ତେଜିଲ ଭଲା ।

ନବ ଲକ୍ଷ ବଙ୍ଗ ଅନେଶ୍ୱତ ରାଣୀ ଷୋଳଶତ ହସ୍ତୀ ଘୋଡ଼ା,
ଚାରିଦେଗେ ସିନ୍ଧୁ ମଧ୍ୟରେ ନବର ଘର ତ‌ହିଁ ହୀରା ଯଡ଼ା ।

ହସ୍ତୀର ଉପରେ ଦଣ୍ଡ ସିଂହାସନେ ବିଜୟ କରନ୍ତୁ ଯାଇ,
ଏଡ଼େ ବଡ଼ପଣ ଛାଡ଼ି ଦେଶାନ୍ତର ଯିବ କ‌ହ କାହାପାଇଁ ।

କାନ୍ଧରୁ ମନ୍ଦୁରା ଢ଼ାଉ କନ୍ଥା ଯୋଡ଼ା ସକଳ ପକାଇ ଦିଅ,
ବିନୟେ କ‌ହୁଛି ପାଟ ଯୋଡ଼ା ନେଇ ନିଶ୍ଚିନ୍ତ ହୋଇଣ ଥାଅ ।

ମେଦିନିକି ଚାହିଁ ରାଜା ବୋଲେ ତୁମ୍ଭେ ଶୁଣ ଏବେ ବେନି ରାଣୀ,
ମାୟା ମୋହ ତେଜି ଦେଶାନ୍ତରେ ଯିବୁ ଅକ୍ଷୟ ହୋଇବୁ ପୁଣି ।

କୋଟିଏ ପୁରୁଷ କାଋଣ ହୋଇବେ ଯମ ମୁଖେ କାଲି ଦେବୁ,
ଦଣ୍ଡସିଂହାସନ ନ ରୁଚଇ ପୁଣି ଅନ୍ୟାୟ କିମ୍ପାଇ ଭାବୁ ।

ମାତାଙ୍କ ବଚନ କରିବି ପାଳନ ହାଡ଼ିପା ମୋହର ଗୁରୁ,
ଏ ପାପୀ ଶରୀର ମୁକ୍ତ ହୋଇଯିବ ଭଜିଲେ କଳପତରୁ ।

ମନରୁ ମୁରୁଛି ଧଇର୍ଯ୍ୟକୁ ଧର ଅଥୟ ନୁହେଁ ମୋ ବାଳି,
ମୁକୁତା ଦେଈଙ୍କୁ ସେବା କରୁଥାଅ ନିରନ୍ତରେ ଭଜ ହରି ।

ରୋଦମା ଗୋଦମା ବଚନ ବୋଲନ୍ତି ଶୁଣ ଆହେ ମହୀପାଳ,
ମୁଖ ଟେକିକରି ଚାହିଁଲେ ଆମକୁ ହୋଇଯିବ ଦୁଃଖ ଦୂର ।

ଷୋଳ ବରଷର ଦୁଇ ରାଣୀ ଆମେ ତୁମକୁ ବିଂଶ ବର୍ଷର,
ଏ ଯୁବା ବୟଷ ବ୍ୟର୍ଥ ହୋଇଯିବ ତୁମ୍ଭେ ଯିବ ଦେଶାନ୍ତର ।

ଏମନ୍ତ ବଚନ ଶୁଣିଣ ଗୋବିନ୍ଦ ରାଣୀମାନଙ୍କୁ କ‌ହଇ,
ନ ଚାହିଁବି ମୁଖ ନିଶ୍ଚୟ ଯିବଇ ଗୁରୁ ଆଜ୍ଞା ନ ଲଙ୍ଘଇ ।

ଦଇବ ବଚନ କେ କରିବ ଆନ ଏପରି ଅଛି ଭିଆଣ,
ମଦନର ବାଣ ନ ସ‌ହିଲେ ପୁଣ କର ମନ୍ଦ ଆଚରଣ ।

ଯୋଗୀ ହୋଇ ମୁହିଁ ଲାଉ ତୁମ୍ବା ନେଇ ସଂସାର‌ଯାକ ବୁଲିବି,
ଭିକ୍ଷାକୁ ମାଗିଣ ପ୍ରାଣକୁ ପୋଷିଣ ଯୋଗରେ ଲୟ ରଖିବି ।

ଏ ବଚନ ଶୁଣି ମହାଦେଈ ପୁଣି ତଟସ୍ଥ ହୋଇ ରହିଲେ,
କିଛିକ୍ଷଣ ପରେ ରାଜାଙ୍କୁ ଅନାଇ ବଚନ ପୁଣି ବୋଲିଲେ ।

ଏହି ମଣ୍ଡପରେ କୁଟୀର ମଧ୍ୟରେ ଯୋଗ ଧ୍ୟାନ ଏବେ କର,
ସୁବର୍ଣ୍ଣ ଥାଳିରେ ମାଗୁଥିବ ଭିକ୍ଷା ଲୋକ ଖଟିବେ ଅପାର ।

ଅଗୁରୁ ଚନ୍ଦନ ହୀରା ମୋତି ହାର ଶେଯେ କରିଣ ଛାଉଣୀ,
ଏକାନ୍ତେ ଶୟନ କରିବାଟି ଜାଣି ଭିକ୍ଷା ଆଣିଦେବୁ ପୁଣି ।

ବଡ଼ ଯୋଗୀବର ତ୍ରିଲୋଚନ ସାରା ସଂସାର ଏହା ପ୍ରମାଣ,
ପାର୍ବତୀ ତାହାର ଖଟେ ନିରନ୍ତର ଏ କଥା ଅଟେ କି ଆନ ।

ଏକ ନେତ୍ର ତାଙ୍କ ଯୋଗରେ ରହଇ ଆନ ରହେ ସ୍ତିରୀଠାର,
ଏହି କଥା ଗୋଟି ଆହେ ନୃପମଣି ହୃଦରେ କର ବିଚାର ।

ଜଗତର ହୀନ କପାଳୀ ଆମେ ତ ପୋଡ଼ା କରମ ଆମ୍ଭର,
ବୋଲନ୍ତି ବଚନ ଶୁଣ ବାମାମାନେ ଏହୁ ମାୟାର ସଂସାର ।

ବୋଇଲେ ଯେ ମଠ କରିଦେବୁ ଏଥି ଏହା ଉଚିତ ନୁହଁଇ,
ମଣ୍ଡପ କୋଣରେ ମୋହର ଇଛାରେ ଗୁପ୍ତରେ ଭକ୍ଷିବି ଯାଇ ।

ପ୍ରଜ୍ଜ୍ୱଳିତ ହୋଇ ମହାଦେଈମାନେ ହାଡ଼ିପାକୁ ଗାଳିଦେଲେ,
ହୀନ ହାଡ଼ି ବର ଅଟୁରେ ଚାଣ୍ଡାଳ ଅଜ୍ଞାନୀ ତୁହି ବୋଇଲେ ।

ତୋହର ମୁଣ୍ଡରେ ବଜ୍ର ପଡ଼ୁ ବାରେ ତାହା ତୁ ସ‌ହ ପାମର,
ନର୍କଗତି ତୋତେ ହୋଇବଟି ଅନ୍ତେ ଲଭିବୁ ତୁ ଯମ ଘର ।

ଏ ଯୁବା ବୟସେ କଷ୍ଟ ଦେଲୁ ତୁହି ରାଜାଙ୍କୁ ଆମର ନେଇ,
କି ମନ୍ତ୍ର ଶିଖାଇ କି ଯେ କଲୁ ବାଇ ଛାଡ଼ିଲେ ରାଜ୍ୟର ଭୁଇଁ ।

କୁଳର ଦୀପକୁ ଲିଭାଇ ଦେଇଣ ଏଡ଼େ କରମ ତୁ କଲୁ,
ରାଜା ଥାଉ ଥାଉ ରାଣୀମାନଙ୍କର ହସ୍ତର ଚୁଡ଼ିକି ନେଲୁ ।

ଏତେ ବୋଲି ରାଣି ପାଷାଣରେ ପୁଣି କଚାଡ଼ି ହୋଇ ପଡ଼ିଲେ,
ପୋଇଲିଏ ଧାଇଁ ଯାଇ ତୋଳି ଧରି ସାଷ୍ଟାମରେ ବସାଇଲେ ।

ରାଣୀଏ ବୋଲନ୍ତି ଶୁଣ ମହାରାଜା କପାଳ ଲିଖନ ଏହି,
ସ୍ୱାମୀ ଥାଉ ଥାଉ ବିଧବା ହୋଇଲୁ କ‌ହିବୁ କାହାକୁ ଯାଇ ।

ମହୁରା ପିଇବୁ ବିଷ କି ଖାଇବୁ ଏହା ଆମ୍ଭର ବିଚାର,
ନୃପତି ବୋଇଲେ ହାଡ଼ି ଘର ଗଲେ ଏବେ କି ଅଛି ମୋହର ।

ତୁମ୍ଭକୁ ଆମର ଯୋଗ ନାହିଁ ଚିତ୍ତେ ଇଚ୍ଛା ହେଲେ ରହ ଘର,
ସମ୍ପଦ ଭଣ୍ଡାର ନିଅ ନିରନ୍ତର ତ‌ହିଁରେ ନାହିଁ ଆଦର ।

ଏଠାରୁ ବ‌ହ‌ନ ବାହାରି ଯାଅ ଗୋ ନ କର ଗୋଳ ଆବର,
ସମସ୍ତ ଯୁବତୀ ବେଢ଼ି ବସିଛନ୍ତି ଚନ୍ଦ୍ରକୁ ତାରା ପ୍ରକାର ।

ଗୋବିନ୍ଦଚନ୍ଦ୍ର ଯେ ଶୋଭା ପାଉଛନ୍ତି ସେହୁ ଯୁବତୀ ରତନ,
ଦିନ ନ ସରିବ ଭାଳି ମରିବଟି ଏବେ ସେ ନାରୀର ମନ ।

ରାଣୀଏ ବୋଇଲେ ଯୋଗୀ ଯେବେ ହେବ ଘେନ ଆମ୍ଭର ବଚନ,
ଷଡ଼ମାସ ରହି ଏ ଠାବରୁ ଯାଇ କର ଅନ୍ୟରେ ଭ୍ରମଣ ।

ପଲଙ୍କେ କଟାଅ ଦେହ ହେ ଆବର ପାଟ ଯୋଡ଼େ ନିରନ୍ତର,
ତୁଳିକା ଶେଯରେ ଶୋଇ ନ ଆସଇ ଶୋଇବ ଧୂଳି ଉପର ।

ଆମ୍ଭେ ବେନି ନାରୀ ପରିବ୍ରତା ପାଳି ନୋହିଲା ଆମ୍ଭ କାରଣ,
ଏଡ଼େକ ନିରାଶ କିମ୍ପାଇ କରୁଛ ଜ୍ଞାନୀ ହୋଇଣ ରାଜନ ।

ତୁମ ସଙ୍ଗତରେ ନିଅ ବେନି ଜନେ ନ ଭାଙ୍ଗିବୁ ତୁମ ତପ,
ସଙ୍ଗତରେ ରହି ନେତ୍ରେ ଦେଖୁଥିବୁ ହରିବୁ ସକଳ ପାପ ।

ଗୋବିନ୍ଦ ବୋଲନ୍ତି ଶୁଣ ମହାଦେଈ ଯୋଗ ଯେ ଭାଙ୍ଗିବ ମୋର,
ହେବ ପାପ ଘୋର ପଡ଼ିବ ନର୍କର ଜୀବନ ହେବ ଅସାର ।

ସକଳେ କାନ୍ଦିଲେ ରାଜାଙ୍କୁ ଅନାଇ ଆଚରଣେ ଭୋଳ ହୋଇ,
ଶାଶୁ ଯେ ଆମ୍ଭର ଏହା ଭିଆଇଛି କ‌ହିବୁ କାହାକୁ ଯାଇ ।

ଜଗତେ ତାଙ୍କର ଦୂଷଣ ହେଉଛି ମନେ ନ ଭାଳନ୍ତି ସେହି,
ସ୍ତିରୀଙ୍କ ଲକ୍ଷଣ ସ୍ତିରୀଏ ଜାଣନ୍ତି ଅନ୍ୟ ଜାଣିବାକୁ ନାହିଁ ।

ପୁତ୍ର ଏକୋଇର ନନ୍ଦନ ତାଙ୍କର ପୃଥ୍ୱୀକି ଭୁଷଣ ସେହି,
ତାହାଙ୍କୁ ଯେ ଯୋଗୀ ଭେକ ଦିଆଇଲେ କାହାଠାରୁ ଜ୍ଞାନ ପାଇ ।

ସମୁଦ୍ରେ ଭାଷିଲୁ ଭେଳା ବୁଡ଼ାଇଲୁ କ‌ହିବୁ କାହା ଆଗରେ,
ମାଆ ପୁଅ ଦୁହେଁ ଏମନ୍ତ ବିଚାରି ଛୁରୀ ଦେଲେ ଯେ ଗଳାରେ ।

ନୁହଇ ଯେମନ୍ତେ କ‌ହ ତା କେମନ୍ତେ ସଂସାରେ ନ କରେ କେହି,
ଆମ୍ଭ କର୍ମ ମନ୍ଦ ଆହେ ନୃପଚନ୍ଦ୍ର ତୁମ୍ଭର ତ ଦୋଷ ନାହିଁ ।

ଶୁଣିଣ ଗୋବିନ୍ଦ ହୋଲନ୍ତି ବଚନ ଶୁଣ ତୁମ୍ଭେ ଆଗୋ ରାଣୀ,
ଆଜିଯାଏ ତୁମ୍ଭେ ଭାର୍ଯ୍ୟା ରୁପେ ଥିଲା ଏବେ ହୋଇଲ ଜନନୀ ।

ଏମନ୍ତେ ନାରୀଏ ନିରାଶ ହୋଇଣ ରାଜାଙ୍କଠାରୁ ରହିଲେ,
ରାଜ୍ୟ ଲୋକ‌ଯାକ ଆସି ମିଳି ତ‌ହିଁ କୋଳାହଳ ଧ୍ୱନୀ କଲେ ।

ବସିଲେ ମଣ୍ଡପ ତଳରେ ସକଳେ ହୋଇଣ ବିରଷ ମନ,
କ୍ରନ୍ଦନ ଶବଦ ଉଠେ ଘନ ଘନ ପୂରଇ ବ୍ରହ୍ମାଣ୍ଡ ଜାଣ ।

କେ ବୋଲେ ରାଜନ କିମ୍ପାଇ ଏସନ ବାଇ ପ୍ରାୟେକ ହୋଇଲେ,
କେଉଁ ଗୁରୁ ଦୀକ୍ଷା ପାଇ ମନ୍ତ୍ର ଶିକ୍ଷା ଯୋଗୀ ବେଶକୁ ଧଇଲେ ।

ଯୋଗୀ ହେଲେ ତୁମ୍ଭେ କି କରିବୁ ଆମ୍ଭେ ମହୀ କିଏ ସେ ପାଳିବ,
ଏ ବଙ୍ଗ ବଜାର ଅରାଜକ ହୋଇ ନିଶ୍ଚେ ନରକେ ବୁଡ଼ିବ ।

ରାଜନ ବୋଲନ୍ତି କି କରିବି ମୁହିଁ ମୋହର ଆୟତ୍ତ ନାହିଁ,
ଲ‌ଲାଟରେ ଧାତା ଯାହା ଲେଖିଛନ୍ତି ତାହା ସିନା ଭୁଞ୍ଜିବଇଁ ।

ରାଣୀ ବା ନ‌ଗର ନ ରୁଚଇ କିଛି କ‌ହିଲି ତୁମ୍ଭ ଆଗରେ,
ମାତାଙ୍କ ସେବିଣ ଥିବ ଯେ ସକଳେ ଆନ ନ ଧର ମନରେ ।

ଦଳବଳମାନେ ହୋଇଣ ନିରାଶ ଶିରରେ କରକୁ ଦେଲେ,
ଯୋଗୀ ହୋଇଯିବ ଆମର ପାଉଣା କିଏ ସେ ଦେବ ପଛରେ ।

ଶୁଣିଣ ରାଜନ ବୋଲନ୍ତି ବଚନ କେତେ ପାଉଣା ତୁମର,
କରଣକୁ ଯାଇ ଡାକି ଘେନିଆସ ବୁଝିବ ସବୁ ଖବର ।

ତ‌ହୁଁ ତାର ଘରେ କରଣ ଛାମୁରେ ଜଣାଇଲେକ ଡଗର,
ରାଜନ ଡାକନ୍ତି ଆସନ୍ତୁ ଝଟତି ପାଞ୍ଜି ପତ୍ର ଧରି କର ।

ଆଜ୍ଞା ପରମାଣେ ଆସିଣ କରଣ ରାଜା ସନ୍ନିଧେ ମିଳିଲେ,
ଗୋବିନ୍ଦ ଦେଖିଣ କରଣ ବଦନ ଜମା ଖର୍ଚ୍ଚ ପଚାରିଲେ ।

ଦଳବଳଙ୍କର କାହାର କି ଅଛି ବୁଝାଇ ଆଣିଣ ଦିଅ,
ପାଞ୍ଜିକି ଫେଡ଼ିଣ କରଣ ତକ୍ଷଣ ମନ‌କୁ କରିଣ ଥୟ ।

ବୁଝାଇ କରଣ ଯାହାର ଯେ ଗୁଣ କାହାଣ ପର୍ଯ୍ୟନ୍ତ ହେଲା,
ମୋଟରେ ସତର ପଦ୍ମ କୋଟି ତେର କଉଡ଼ି ହେଲା କ‌ହିଲା ।

ଶୁଣଣ ସନ୍ତୋଷ ବୋବିନ୍ଦ ରାଜନ ମାତାଙ୍କୁ କୁହ ବୋଇଲା,
ଶ୍ରୀକରଣ ଯାଇ ରାଣୀଙ୍କି କ‌ହଇ ଶୁଣ ତୁମେ ରାଜବାଳା ।

କୁମର ତୁମ୍ଭର ହିସାବ କରିଲେ ପାତ୍ରମାନଙ୍କ ବେତନ,
ହୋଇଛି ବେତନ ସତର ଯେ ପଦ୍ମ ତୋର ତେର କୋଟି ଯେ ପ୍ରମାଣ ।

ଭଣ୍ଡାରକୁ ଯାଅ କଞ୍ଚି ବେଗେ ନିଅ ଆଣି ଦିଅ ହେ ବ‌ହ‌ନ,
ମୁକୁତା ଶୁଣିଣ ଆନନ୍ଦ ହୋଇଣ ବିଜେ ଭଣ୍ଡାର ପାଶେଣ ।

ଭଣ୍ଡାର ନାୟକ ଶୁଣରେ ପାଏକ ଭଣ୍ଡାରକୁ ତୁ ଫିଟାଅ,
ଶୁଣିଣ ତକ୍ଷଣେ ଭଣ୍ଡାର ବ‌ହ‌ନ ଫେଡ଼ିକଲା ସବୁ ଥୟ ।

କଉଡ଼ିକି ସଂଖ୍ୟା କରିକି ଥୋଇଲା ହେଲା ସତର ଯେ ପଦ୍ମ,
ତେର କୋଟି ସଂଖ୍ୟା ଗଣିକରି ଦେଲା ରାଣୀ ଘେନିଗଲେ ପଦ୍ମ ।

ମଣ୍ଡପ ତଳରେ କୁଢ଼ାଇ ରଖିଲେ ସକଳେ ଅଛନ୍ତି ଯହିଁ,
ବୋଲନ୍ତି ଗୋବିନ୍ଦ ଶୁଣ ପାତ୍ରଦଳ ବୁଝି ନିଅ ସର୍ବେ ଯାଇ ।

ଏକ‌କୁ ଆରେକ ଚାହିଁଣ ବୋଲନ୍ତି ଶୁଣ ତୁମ୍ଭେ ଭାଇମାନେ,
ଏପରି କରିବେ ରାଜନ ଆମର ଭାବି ନ ଥିଲୁ ତ ମନେ ।

ମାଗିଲେ ବେତନ ରହିବେ ରାଜନ ବିଚାରିଥିଲୁ ମନର,
ଏବେ ଗଣି ଦେଲେ ନେବା ଚାଲ ସର୍ବେ ପୋଡ଼ା କରମ ଆମ୍ଭର ।

କରଣ ଦିଅନ୍ତି ସମସ୍ତେ ନିଅନ୍ତି ରାଜାଙ୍କର ସନ୍ନିଧାନ,
ଏମନ୍ତ ସମୟେ ମୁକୁତା ଦେଈ ଯେ ରାଜାଙ୍କ ପାଶେ ମିଳିଣ ।

ସୁବର୍ଣ୍ଣ ଥାଳିରେ ଅନ୍ନ ପୁରାଇଣ ଭି୍କ୍ଷାକୁ ଭୁଞ୍ଜ ବୋଇଲେ,
ଖାଅ ତୁରେ ବାବୁ ମନ ହୃଷ୍ଟ କରି କପାଳରେ ତୋର ଥିଲେ ।

ଗୋବିନ୍ଦ ବୋଲନ୍ତି ସୁବର୍ଣ୍ଣ ଥାଳିରେ କିପରି ମୁହିଁ ଭକ୍ଷିବି,
ଲାଉର ତୁମ୍ବାରେ ଦିଅ ତ‌ହିଁ ଅନ୍ନ ବୃକ୍ଷ ମୂଳରେ ଭୁଞ୍ଜିବି ।

ଗୁରୁଙ୍କ ବଚନ କଲେକ ଲଙ୍ଘନ ପାପୀ ହୋଇଣ ପଡ଼ିବି,
ନର୍କ କୁଣ୍ଡେ ଯାଇ କୀଟ ପୋକ ହୋଇ ଯୁଗ ଯୁଗାନ୍ତର ଥିବି ।

ଶୋକ ଗଦଗଦ ଗର୍ଭଧାରୀ ମାତା ଲାଉ ଥାଳେ ଅନ୍ନ ଦେଲେ,
ଭୁଞ୍ଜ ହେ ଗୋବିନ୍ଦ ବୋଲନ୍ତି ଜନନୀ ଅନ୍ତର ହୋଇ ରହିଲେ ।

ରାଜନ ଭୁଞ୍ଜିଣ ସନ୍ତୋଷ ହୋଇଣ ମଣ୍ଡପରେ ବିଜେ କଲେ,
ଦେଖି ସୈନ୍ୟଦଳ ହୋଇଣ ବିକଳ ଏକୁ ଆରେକ କାନ୍ଦିଲେ ।

ସୈନ୍ୟଦଳ ତ‌ହୁଁ ଆକୁଳ ହୋଇଣ ରାଜାଙ୍କୁ ବଚନ ଭାଷି,
ଅପୁତ୍ରିକ ତୁମ୍ଭେ ଯିବ ଦେଶାନ୍ତରେ କେଉଁ ଶାସ୍ତ୍ରେ ଏହା ଅଛି ।

ସନ୍ତାନ ତୁମ୍ଭର ନୋଇଛି ନିକର ଯିବାରଟି ଏହୁ ନୋହି,
କୁମରକୁ ରଖି ରାଣୀଙ୍କ ପାଶରେ ଯାଅ ଯୋଗୀବେଶ ହୋଇ ।

ଗୋବିନ୍ଦ ଚନ୍ଦ୍ର ଯେ ବୋଲନ୍ତି ବଚନ ପୁତ୍ରେ ମୋର କାର୍ଯ୍ୟ ନାହିଁ,
ଅପୁତ୍ରିକ ଦୋଷ ସଂସାରେ ଘଟିଲେ ପାପର ଯେ ଲୟ ନାହିଁ ।

ମୂଳ ଥିଲେ ଡାଳ ପଲ୍ଲବେ ସକଳ ଏହାତ ସଂସାରେ ଅଛି,
ମୂଳ ଗଲେ ଡାଳ ରହେ କି ପ୍ରକାରେ ଏହା କ‌ହିଲେ ସେ ବାଛି ।

ଆହେ ସୈନ୍ୟଦଳ ତୁନି ହୋଇଯାଅ ମାତାଙ୍କ ଚରଣେ ସେବ,
ତାହାଙ୍କ ଆଦେଶ ପାଳଣ କରିଣ ତୁମ୍ଭେ ପଡ଼ି ଘେନୁଥିବ ।

ଏମନ୍ତ ବଚନ ଶୁଣି ଦଳବଳ ତ‌ହୁଁ ବାହୁଡ଼ିଣ ଗଲେ,
ମାତାଙ୍କୁ ଚାହିଁଣ ଗୋବିନ୍ଦଚନ୍ଦ୍ର ଯେ ମେଲାଣି ଦିଅ ବୋଇଲେ ।
 
ଏହି ଦୁଇ ରାଣୀ ଲାଗିଲେ ତୁମକୁ ରାଜ୍ୟକୁ ଭଲେ ପାଳିବ,
ଦେଶରାଷ୍ଟ୍ର ପାଳି ରାଜ୍ୟ ପାଳୁଥିବ ପରରାଷ୍ଟ୍ରକୁ ବୁଝିବ ।

ମନର ଖୁସିରେ ମୋହଠାରେ ମାତା କଲ୍ୟାଣ ଯେ କରୁଥିବ,
ବ‌ହ‌ନ ମେଲାଣି କର ତୁ ଜନନୀ ମନରେ ଆନନ୍ଦ ଭାବ ।

ମାତା ଯେ ବୋଇଲେ ସିଦ୍ଧି ହେବ ତୋର ଗୁରୁ ବଚନ ପାଳିଲେ,
କ‌ହିଣ ମୁକୁତା ମନ ମଧ୍ୟେ ଚିନ୍ତା ବୋହୁଙ୍କ ପାଶେ ମିଳିଲେ ।

ଦୁଇରାଣୀ କର ଧରିଣ ସତ୍ୱର ଘର ଭିତରକୁ ନେଲେ,
କର୍ଣ୍ଣେ ମହାମନ୍ତ୍ର ବୋହୁଙ୍କୁ ଦେଇଣ ଅଜ୍ଞାନତା ଛଡ଼ାଇଲେ ।

ସଦ୍‌ବୁଦ୍ଧି ହେଲା କାମ ଚେଷ୍ଟା ଗଲା ହରିରେ ଲୟ ରହିଲା,
ଯାଆନ୍ତୁ ରାଜନ ଲଭନ୍ତୁ କାରଣ ସାହା ହୋଇ ଚକାଡୋଳା ।

ଅନଳେ ରଖନ୍ତୁ ବୈଶ୍ୱାନର ତାଙ୍କୁ ଜଳେ ବରାହ ରଖିବେ,
ଗମନ କାଳରେ ବାମନ ଦେବତା ତାଙ୍କୁ ସାହା ହୋଇଥିବେ ।

ଶୟନ କାଳରେ ପଦ୍ମନାଭ ତାଙ୍କ ଅଙ୍ଗକୁ ରକ୍ଷା କରିବେ,
ପ୍ରବାସ କାଳରେ ତ୍ରିବିକ୍ରମ ମୁର୍ତ୍ତି ତାହାଙ୍କୁ ସ‌ହାୟ ହେବେ ।

ଯୁଦ୍ଧ ସମୟରେ ଦେବ ଚକ୍ରଧର ରକ୍ଷା କରନ୍ତୁ ସତ‌ତ,
ପ୍ରିୟଜନ ସଙ୍ଗତରେ ହେ ଶ୍ରୀଧର ରଖନ୍ତୁ ତାଙ୍କୁ ନିରତ ।

ଜଳର ମଧ୍ୟରେ ଜଳଶାୟୀ ପୁଣି ପର୍ବତେ ରଘୁନନ୍ଦନ,
ସର୍ବ ଦେବତାଏ ସର୍ବାଙ୍ଗ ରଖନ୍ତୁ ସର୍ବ ପରେ ନାରାୟଣ ।

ସର୍ବଜନ ତ‌ହୁଁ ନିରାଶ ହୋଇଣ ତୁନି ହୋଇଣ ରହିଲେ,
ଏଥୁ ଅନନ୍ତରେ ଆନ ସମାଚାର ରାଜାଙ୍କୁ ଋଷି କ‌ହିଲେ ।

ବାଳ ବୃଦ୍ଧ ଯୁବା ସମସ୍ତେଣ ଗଲେ ଯେ ଯାହାର ନିଜ ପୁର,
ଏହି ସମୟରେ ଗୁରୁ ଯେ ତାଙ୍କର ମିଳି ଗୋବିନ୍ଦ ପାଶର ।

ବିଶେଷରେ ଜ୍ଞାନ ବୁଝାଇ କ‌ହିଲେ ଗୋବିନ୍ଦଚନ୍ଦ୍ର ଝଟତି,
ମୁକତି ଲଭିଣ ବୋଲିଣ ଗୋବିନ୍ଦ ଗୁରୁପାଦେ ଶିର ଦ୍ୟନ୍ତି ।

ଚାଲ ହେ ଗୋବିନ୍ଦ ନ‌ଗ୍ର ବୁଲିଯିବା ନିର୍ମଳ ରହିବ ମନ,
ବନସ୍ତ କନ୍ଦରେ ନ‌ଦୀମାନଙ୍କରେ ରହି ଯେ କରିବା ସ୍ନାନ ।

ତୀର୍ଥ ବ୍ରତ କରି ପାପକୁ ନିବାରି ଲଭିବାକୁ ସଦଜ୍ଞାନ,
ନୃପତି ବୋଇଲେ ତୁମ୍ଭର ଯେ ଇଚ୍ଛା ଆଜ୍ଞା କରନ୍ତୁ ବ‌ହ‌ନ ।

ଗୁରୁ ଯେ ବୋଇଲେ ଦୀକ୍ଷା ଆମ୍ଭେ ଦେଲୁ ଦକ୍ଷିଣା ଦିଅ ଇଚ୍ଛାଏ,
ଦକ୍ଷିଣାକୁ ନେଇ ବଙ୍ଗ ବଜାରକୁ ରକ୍ଷାକର ମହାଶୟେ ।

ବୋଇଲେ ହାଡ଼ିପା ଦେଲ ଯେଉଁ ଭିକ୍ଷା କି କରିବୁ ଆମ୍ଭେ ନେଇ,
ରାଜ୍ୟକୁ ମାଗୁଣି ନାହିଁ ମୋର ପୁଣି ଧନେ ମତି ନ ବଳଇ ।

ଛଡ଼ାଇଲେ ଠୁଳମଣ୍ଡପେ ନିକର ରହିଣ ତ‌ହିଁ ବସିବା,
ବୋଇଲେ ଗୋବିନ୍ଦ କି କରୁଛ ଆଜ୍ଞା ସଂଶୟ ମୋର ଫେଡ଼ିବା ।

ହାଡ଼ିପା ବୋଇଲେ ପାଇଲୁ ଯେ ଦିକ୍ଷା ପଞ୍ଚଦ୍ୱାରେ ଭିକ୍ଷା ନିଅ,
ଏ ନ‌ଗର ବୁଲି ଲଜ୍ଜ୍ୟା ତ୍ୟାଗକରି ଭିକ୍ଷା ଆଣିକରି ଥୁଅ ।

ସୁଖ ଛାଡ଼ିକରି ଦୁଃଖକୁ ଆବୋରି ପାରିବୁ ତୁ ଯେବେ ନିତ୍ୟେ,
ପଞ୍ଚୁକୋଳି ଅନ୍ନ ଭୁଞ୍ଜିଣ ରହିବୁ କାମ କ୍ରୋଧ ତେଜି ଚିତ୍ତେ ।

ନିଦ୍ରାକୁ ତେଜିବୁ ଯୋଗୀ ତୁ ହୋଇବୁ ଅଳ୍ପେ ଆହାଅର ତୁଟିବ,
ଚଉଷଠି ରୋଗ ଦେହେ ନ ପଶିବ ସଦଜ୍ଞାନେ ଚିତ୍ତ ଥିବ ।

ଶ୍ମଶାନ ଭୁମିରେ ଅମଡ଼ା ବାଟରେ କିଛି ନ ବାଧିବ ତ‌ହିଁ,
ଏହାକୁ ନ କଲେ ବଳ ପୁର୍ବ କଲେ ଘୋଟି ରହିବେକ ଯାଇଁ ।

ଯେଉଁ ଲାଉଥାଳ ଦେଇଥିଲୁ ବାବୁ ନିତ୍ୟେ ସୁତ ଏ ଘୋରିବୁ,
ତ‌ହିଁରେ ଯେତେକ ଅନ୍ନ ସମ୍ଭାଳିବ ତାହା ଆହାର କରିବୁ ।

ଲବଣ ତିଅଣ ପାଶକୁ ନ ଯିବୁ ଲାଉ ତୁମ୍ବାଟି ତୁଟିଲେ,
ଅନ୍ନ ନ ଖାଇବୁ ଆମ୍ବିଳ ଯେ ଶାକ ଆମିଷ ନ ଭୁଞ୍ଜି ଭଲେ ।

ଏକମାତ୍ର ତୁହି ଦୁଗ୍‌ଧ ଅନ୍ନ ଖାଇ ତରୁଣ କରିବୁ ଅଙ୍ଗ,
ସବୁବେଳେ ତୋର ଏହିପାରି ଥିବ ନୋହିବ କଦାଚ ଭଙ୍ଗ ।

ଚିତ୍ତେଇଣ ତୁହି ଏହି କଥା ଗୋଟି ମନରେ ରଖିଣ ଥିବୁ,
ଅଥିରୁ ଅନ୍ୟଥା କରିଲେଣ ଜାଣ ବିପଦେ ନିଶ୍ଚେ ପଡ଼ିବୁ ।

ବଙ୍ଗ ମହିପାଳ ତେଜିଲେ ସକଳ ମନରେ ହୋଇ ସନ୍ତୋଷ,
ଗୁରୁଙ୍କ ବଚନ ନ କଲେ ପାଳନ ନ‌ଦୀ ବିନା ଯେହ୍ନେ ଝାସ ।

ଏତେ ଭାଳି ମନେ ମେଖଳା କନାକୁ ଦକ୍ଷ କାନ୍ଧରେ ପକାଇ,
ଲାଉ ତୁମ୍ବା ହସ୍ତେ ଧରିଣ ତ୍ୱରିତେ ପୁରବେ ପାଦ ଲମ୍ୱାଇ ।

ଜାଗିଲାରେ ମାତା ବୋଲିଣ ନ‌ଗରେ ଦ୍ୱାରେ ଦ୍ୱାରେଣ ବୁଲଇ,
ଭିକ୍ଷା ଦିଅ ମାତା ଅତି ସତ୍ୱରରେ ମୁଁ ତ ଯୋଗୀ ଆସିଲଇଁ ।

କାଇ ବସ୍ତ୍ର ଦେଖି କୁକୁରେ ବେଢ଼ନ୍ତି ଦେଖିଣ ରାଜା କାତର,
ବାଡ଼ି ଧରି କରି ହାଁ ହାଁ ସେ କରନ୍ତି ଚିତ୍ତ ରଖି0ହରିଠାର ।

ରାଜାଙ୍କ ବେଭାର ନ‌ଗ୍ରଲୋକେ ଦେଖି କରୁଛନ୍ତି ହାହା କାର,
ବାଳ ବୃଦ୍ଧ ତ‌ହିଁ ରୋଦନ କରନ୍ତି ରାଜାଙ୍କ ପଛ ଭାଗର ।

ଆହେ ନରପତି କି ସୁଖ ଛାଡ଼ିଲ ଭିକ୍ଷା କଲ ଦ୍ୱାର ଦ୍ୱାର,
ଏବେ ହୋ ତୁମ୍ଭଙ୍କୁ କ‌ହୁଅଛୁ ଆମ୍ଭେ ଶୁଣ ତୁମ୍ଭେ ନୃପବର ।

କର୍ଣ୍ଣରୁ ମୁଦୁରା ଝୁଲା କନ୍ଥା ଯୋଡ଼ା ଏମାନଙ୍କୁ ଦୂର କର,
ଗୁରୁ ଯେ ତୁମ୍ଭର କି କରି ପାରିବେ ଆମ୍ଭେ ବଧିବୁ ନିକର ।

ଗୁରୁ ହାଡ଼ି ଟୋକା କି ଜ୍ଞାନ‌କୁ ଦେଲା କାହୁଁ ସେ ଜ୍ଞାନ ପାଇଲା,
ବାଇ ପ୍ରାୟ କରି ଆମ୍ଭ ରାଜନ‌କୁ ଦ୍ୱାରେ ଦ୍ୱାରେ ବୁଲାଇଲା ।

ଏ ବାଣୀ ସକଳ କର୍ଣ୍ଣେ ନ ଶୁଭିଲା ଭିକ୍ଷାରେ ରହିଛି ମନ,
ଭିକ୍ଷା ଦିଅ ମାଏ ବୋଲିଣ ବୁଲନ୍ତି ବଙ୍ଗ ଦେଶର ରାଜନ ।

ପଞ୍ଚ ଦ୍ୱାରେ ଭିକ୍ଷା ଘେନିଣ ଚଳିଲେ ତୁମ୍ୱା ହୋଇଅଛି ପୁର୍ଣ୍ଣ,
ଲେଉଟି ଆସିଲେ ଗୁରୁପାଦେ ଦେଲେ ମଣ୍ଡପ ପୁର୍ବଭାଗେଣ ।

ଛିଡ଼ା ହୋଇ ତ‌ହିଁ ଗୁରୁଙ୍କୁ ପୁଛିଲା କିସ କରିବି ଗୋସାଇଁ,
ହାଡ଼ିପା କ‌ହିଲେ ଦୁଇଭାଗ କରି ଚୁଲ୍ଲୀ ଖୋଳିଦିଅ ଯାଇଁ ।

ଅଗ୍ନି ଦେବ ଆଣି ଲଗାଅ ଏକ୍ଷଣି ହାଣ୍ଡିରେ ପୁରାଅ ନୀର,
ଚାଉଳ ଅଧୁଆ ପୁରାଇଣ ଦିଅ ଅନ୍ନ‌କୁ କର ସଞ୍ଚାର ।

ଏ ବାଣୀ ଶ୍ରବଣ କରିଣ ରାଜନ ସେହି ରୁପରେ କରିଲେ,
ଶ୍ରୀଗୁରୁ ତାଙ୍କର ଅନ୍ନ ରାନ୍ଧିବାର ମନ୍ତ୍ରକୁ କର୍ଣ୍ଣରେ ଦେଲେ ।

ଶୁଣ ବାବୁ ତୁହି ମନ ଥୟ ହୋଇ ବିଷ୍ଣୁ ଯୋଗାଡ଼ିଲେ ପାଣି,
ଅଗ୍ନି ଆଣି ବ୍ରହ୍ମା ସଜାଡ଼ିଲେ ପାକ ରାନ୍ଧିଲେ ସ୍ୱୟଂ ରୁଦ୍ରାଣୀ ।

ଆଦିତ୍ୟ ଦେବତା ଥାଳ ଗୋଟି ଦେଲେ ବିଷ୍ଣୁ ଦେଲେକ ବିଭୁତି,
କୁମ୍ଭ ଗୋଟି ଆଣି ଅନାଦି ଗୋରେଖ କରିଥିଲେ ତାହା ସ୍ଥିତି ।

ଦଶ ପନ୍ଥ ସନ୍ଥ ଶତ ପନ୍ଥ ଛନ୍ତି ନିରନ୍ତରେ ହୋଇ ଯୋଗୀ,
ଗୁରୁ ଆଜ୍ଞା ପାଇ ଗୋବିନ୍ଦ ରାଜନ ବେଦମନ୍ତ୍ରେ ଅଗ୍ନି ଭୋଗୀ ।

ତ‌ତକ୍ଷଣେ ପାଦ ସିଦ୍ଧ ଯେ ହୋଇଣ ଓହ୍ଳାଇ ରଖିଲେ ପୁଣି,
ହାଡ଼ିପା କ‌ହିଲେ ଗାତ ଖୋଳି ତ‌ହିଁ ଘୋଡ଼ାଇ ଦିଅ ଢାଙ୍କୁଣୀ ।

ଅକଟା ଅବଟା ଅଖାଦ୍ୟ ଅଭକ୍ଷ ଫଳକୁ କରିଣ ଥୟ,
ବିନା ଲବଣରେ ବ୍ୟଞ୍ଜନ ରାନ୍ଧିଲେ ରିପୁଚନ୍ଦ୍ରଙ୍କର ପୁଅ ।

ଖଣତିକୁ ଧରି ଗର୍ତ୍ତ ତ‌ହିଁ କରି ଖୋଳିଲେ ଚବିଶ ମୁଠି,
ଗୁରୁଙ୍କ ଆଦେଶେ ହାଣ୍ଡି ତ‌ହିଁ ଭରି ଘୋଡ଼ାଇ ଦେଲେକ ମାଟି ।

ବଟ ବୃକ୍ଷ ଯହିଁ ବ୍ରହ୍ମା ବିଷ୍ଣୁ ତ‌ହିଁ ବାସକଲେ ନିରନ୍ତର,
ତାହାର ପାଖରେ ଚିହ୍ନ ତ‌ଥ୍ୟ କରି ବାହାରିଲେ ସେ ସତ୍ତ୍ୱର ।

ତିନି ଯେ ପ୍ରହର ରଜନୀ ଅନ୍ତର ଚନ୍ଦ୍ର ପଶ୍ଚିମକୁ ସ୍ଥିତି,
ଗ୍ରାମର ମୁଣ୍ଡରେ ପୁଷ୍କରିଣୀ ତୀରେ ବିଭୁତି ବୋଳି ହୁଅନ୍ତି ।

ଭବ ରବ ଶବ୍ଦ ଶଙ୍ଖ ଘଣ୍ଟା ନାଦ ଦେବ ଆଳୟେ ବାଜିଲା,
ମୁକୁତା ଦେଈଙ୍କ କର୍ଣ୍ଣ ବିବରରେ ଶବ୍ଦ ଯାଇ ପ୍ରବେଶିଲା ।

ଧାତିକେରେ ତ‌ହୁଁ ବାହାର ହୋଇଲେ ରଜନୀ ହୋଇଛି ଶେଷ,
ଏକା ହୋଇ ରାଣୀ ଗମନ କରଇ ମିଳିଲେ ଯୋଗୀଙ୍କ ପାଶ ।

ମାତାଙ୍କୁ ଦେଖିଣ କୁମରମଣି ଯେ ପଡ଼ିଲେ ଚରଣ ତଳେ,
ବିନୟେ ପୁଛନ୍ତି କେଉଁ କାରଣରେ ବିଜୟ ଆସିଣ ହେଲେ ।

ଛାଡ଼ିଲ ଯାହାକୁ ଲୋଭକର ତାକୁ ଏ କଥା କର କିମ୍ପାଇ,
ମଲା ଗଲା ସରି ଦୁଇତ ଏପରି ଜନନୀ ହେଲ କି ବାଇ ।

ପୁତ୍ର ବାଣୀ ଶୁଣି ପାଟ ମହାଦେଈ ମନେ ସନ୍ତୋଷ ଲଭିଲେ,
ଜଳ ସ୍ଥଳେ ତୋତେ ରଖନ୍ତୁ ଅନାଦି ମନରେ ଏହା ବାଞ୍ଛିଲେ ।

ନିରାକାର ବିଷ୍ଣୁ ଶରୀର ରଖନ୍ତୁ ଅଜୟ କରନ୍ତୁ ଅଙ୍ଗ,
ଜଗତ ଯାକରେ ଭ୍ରମିଣ ଆସିବୁ ଶରୀର ନୋହିବ ଭଙ୍ଗ ।

ହାଡ଼ିପା ବୋଇଲେ ମୁକୁତ ଦେଈଙ୍କୁ କିମ୍ପା ଆସିଲ ରାତ୍ରର,
ତୁମ୍ଭର ପୁତ୍ରକୁ ନେବାକୁ କି ଅବା ମନେ କରୁଛ ବିଚାର ।

ମାତା ପୁତ୍ର ଦୁହେଁ ଚାରି ଚକ୍ଷୁ ହେଲେ ତ‌ହୁଁ ଉପୁଯିବ କୋହ,
ଅତିହିଁ ନିରାଶ ପନ୍ଥାରେ ଭବିଷ୍ୟ ଜାଣିଣ ତେଜିଲେ ମୋହ ।

ପୁତ୍ରକୁ ନେଇଣ ଯୋଗୀରେ ଦେଇଣ ସଦମାର୍ଗକୁ କ‌ହିଲ,
ଛାଡ଼ିଲ ମୁହାଁଶ କିମ୍ପା ହେଲ ବଶ ଜଗତେ ନୋହିବ ଭଲ ।

ତୁମ୍ଭ ଗୁରୁ ପୁଣି ଗୋରେଖ ଅଟନ୍ତି ଆମ୍ଭ ଗୁରୁ ଯେ କାହ୍ନୁପା,
ସେବାରେ ତୁମ୍ଭର ଲେଖାରେ ଆମ୍ଭର ଅର୍ଦ୍ଧସଖା ପରି ମ‌ପା ।

ଜାଣୁ ଜାଣୁ ତୁମ୍ଭେ ଅଧର୍ଯ୍ୟ ହେଉଛ ମନରେ ଲୋଡ଼ୁଛ ଦୁଃଖ,
ମୁକୁତା କୁହଇ ଗର୍ଭଧାରୀ ମୁହିଁ ନ ହୁଅ ତୁମ୍ଭେ ବିମୁଖ ।

ଏକୋଇର ବଳା ଯୋଗୀ କରିଦେଲି ଚକ୍ଷୁ ପୁରାଇ ଦେଖିବି,
ବଙ୍ଗ ଦେଶ ମୋର ଶୂନ୍ୟ ହେଲା ସିନା କାହା ମୁଖକୁ ଚାହିଁବି ।

ଛାର ଏ ଜୀବନ ଅକାରଣେ ରହେ ତେଜିବି ମୋର ପରାଣ,
କୁମର ମୁଖକୁ ଚାହିଁ ଶୋକ କରେ ଅଥୟ କରିଣ ମନ ।

ବୋଲନ୍ତି ଗୋବିନ୍ଦ ଶୁଣ ଗୋ ଜନନୀ ଯିବାବେଳେ ଏ ବେଭାର,
ଜ୍ଞାନ ବାଟ ଦେଇ ଗୁରୁ ଭେଟାଇଲ ମନେ ନ କର ବିଚାର ।

ନବରକୁ ଯାଅ ମନ କରି ଥୟ ଦିଅ ଗୋ ମୋତେ ମେଲାଣି ,
ପୁତ୍ରର ଭାରତୀ କର୍ଣ୍ଣପଥେ ଶୁଣି ମନରେ ତୃପ୍ତ ଯେ ରାଣୀ ।

ଚାଲଇ ରାଜନ ହୋଇ ହୃଷ୍ଟ ମନ ପଛକୁ ନ ଚାହିଁ ପୁଣି,
ପୁତ୍ରର ବେଭାର ହୃଦରେ ଜାଣିଣ ଗୃହେ ଲେଉଟିଲେ ରାଣୀ ।

ନବରୁ ବାହାର ହୋଇଲେ ଯେ ଦିନେ ଦୋଳପୂର୍ଣ୍ଣମୀ ଅଟଇ,
ବ‌ହୁତ ଯେ ବାଟ ଗମନ କରିଣ ଶୋଣିତ ରାଜ୍ୟେ ଭେଟଇ ।

ଗୋବିନ୍ଦକୁ ଚାହିଁ ଗୁରୁ ଯେ ବୋଲନ୍ତି ଭିକ୍ଷା ଆଣ ପଥୁ ବାବୁ,
ଯାଅ ନ‌ଗ୍ର ଫେରି ଆଣ ଭିକ୍ଷା କରି ଭାବ ବୁଝାଅ ଏ ସବୁ ।

ଗୁରୁଙ୍କ ବଚନ ଗୋବିନ୍ଦ ରାଜନ ଭିକ୍ଷା କାରଣେ ଗମନ,
ପଞ୍ଚଦ୍ୱାରୁ ଭିକ୍ଷା ଘେନିଣ ଆସିଲେ ଗୁରୁଙ୍କର ସନ୍ନିଧାନ ।

ଜାଗିଲାରେ ମାତା ଥୋଇ ଗୁରୁପାଶେ ଛିଡ଼ା ହୋଇଣ ରହିଲେ,
ହାଡ଼ିପା ବୋଇଲେ ଶୁଣ ହେ ରାଜନ ଭୁଞ୍ଜ ଆତ୍ମ ସନ୍ତୋଷରେ ।

ଗୋବିନ୍ଦଚନ୍ଦ୍ର ଯେ ବୋଲନ୍ତି ବଚନ ନ ଭୁକ୍ଷିବି ଆଗେ ମୁହିଁ,
ଭୁଞ୍ଜ ତୁମେ ଗୁରୁ ଯାହା କି ବଳିବ ଭକ୍ଷଣ କରିବି ଯାଇ ।

ହାଡ଼ିପା ଜାଣିଲେ ଗୋବିନ୍ଦର ମନ ତ‌ହୁଁ କଲେ ଅର୍ଦ୍ଧ ଭାଗ,
ଅର୍ଦ୍ଧେକ ଭକ୍ଷିଣ ଅର୍ଦ୍ଧେକ ରଖିଲେ ଭୁଞ୍ଜ ତୁ ଗୋବିନ୍ଦ ବେଗ ।

ଭୁଞ୍ଜଇ ଗୋବିନ୍ଦ ରଉଦିଗେ ଚାହିଁ ଲବଣ ତିଅଣ ନାହିଁ,
ନ ଭୁକ୍ଷିଣ ତାହା ଫୋପଡ଼ାଇ ଦେଲେ ଭୁଞ୍ଜିବାକୁ ଇଚ୍ଛା ନାହିଁ ।

ଆଚମନ ସାରି ଗୁରୁପାଶେ ମିଳି ଆସନ ମାଡ଼ି ବସିଲେ,
ଗୁରୁଙ୍କ ପୟର ପ୍ରକ୍ଷାଳନ କରି ଉଜାଗରରେ ରହିଲେ ।

ଚତୁର୍ଥ ପ‌ହର ଅଟେ ନିଶିଥର ଏହିପରି ବ‌ହିଯାଏ,
ରାତ୍ର ଶେଷ ପରେ ନିଦ୍ରା ଆସି ହୁଏ ହୋଇଲେ ସୂର୍ଯ୍ୟ ଉଦୟେ ।

ଉଠି ଗୁରୁ ପୁଣି ମୁଖକୁ ଧୋଇଣ ଚେଲାକୁ ଉଠାଇ ଦେଲେ,
କେତେ ନିଦ୍ରା ଯାଅ ଗୋବିନ୍ଦରାଜନ ଗୃହ କି ମଣିଛ ଭଲେ ।

ସେଠାରୁ ଉଠିଣ ଗୁରୁ ଚେଲା ଦୁହେଁ ନ‌ଦୀରେ କୁଳେ ମିଳିଲେ,
ସ୍ନାହାନ ପ୍ରକାର ସାରିଣ ତ‌ତ୍ପର ହାଡ଼ିପା ଶିବ ଜପିଲେ ।

ସେ ସ୍ଥାନେ କୋମଳ ପତ୍ରକୁ ପିନ୍ଧନ୍ତି ଭକ୍ଷଣ ତ‌ହିଁ ଗୋରସ,
ସେ ରାଜ୍ୟେ ରାଜନ ଭିକ୍ଷା ନ ପାଇଣ ଆସି କ‌ହିଲେ ସନ୍ଦେଶ ।

ଦୁଗ୍‌ଧ ଭିକ୍ଷା ଆଣି ଶିଷ୍ୟ ଗୁରୁ ପୁଣି ଭୁଞ୍ଜିଲେ ମନରେ ତୋଷ,
ଅମଳ କମଳ ଦେଶମାନ ବୁଲି ଗଲେ ସଉରାଷ୍ଟ୍ର ଦେଶ ।

ଚଉର ତସ୍କର ବିଶେଷ ସେଠାରେ ବ୍ୟାଘ୍ର ଭୟ ଯେ ପ୍ରବଳ,
ନିତ୍ୟ ଉଜାଗର ଗୁରୁ ଚେଲା ଦୁହେଁ ରହି କାଟୁଛନ୍ତି କାଳ ।

ମନେ ମନେ ଗୁରୁ ବିଚାର କରନ୍ତି ରାଜାଙ୍କୁ ଯେ ଯୋଗୀ କଲି,
କାମ ଚେଷ୍ଟା ୟାର କି ରୁପରେ ଅଛି ମୁହିଁ ଜାଣି ନ ପାରିଲି ।

କୋଡ଼ିଏ ବରଷ ହୋଇଛି ରାଜନ ସ୍ତିରୀରେ ଯେ ସ୍ନେହ ଥିଲା,
ରତ୍ନ ପାଲଙ୍କରେ ଶୟନ କରିଣ ଦିବା ନିଶି ହରୁଥିଲା ।

ମଦନର ଶର ଅଛିକି ତାହାର ଜାଣିବା ଏହା କିଭଳି,
ଏହା ଭାବି ଊଷି କାଞ୍ଚିପୁରେ ଆସି ରମ୍ଭା ବେଶ୍ୟା ଘରେ ମିଳି ।

ଦେଖିଣ ଗଣିକା ହୋଇଲା ତାଟକା ଯତିର ପାଦେ ଲମ୍ବଇ,
ଆହେ ଯତିବର କେଉଁ ଦେଶେ ଘର ଦେଖିଲେ ମନ ଡରଇ ।

କ‌ହ‌ନ୍ତି ହାଡ଼ିପା ଶୁଣ ଗୋ ଗଣିକା ଦେଶ ଭ୍ରମଣେ ଆସିଲୁ,
ବୁଲି ବ‌ହୁ ଦେଶ ପାଇ ବ‌ହୁ ତ୍ରାସ ତେଣୁ ତୋ ପୁରେ ମିଳିଲୁ ।

ଏହି ଚେଲା ଗୋଟି କଷ୍ଟରେଣ ପୁଣି ପଥ ଚାଲିବା ବ୍ୟଥାରେ,
ରଖି ତୋର ପୁର ଯିବି ମୁଁ ନିକର ପାଳିବୁ ୟାକୁ ସତ୍ତ୍ୱରେ ।

ବୋଲଇ କାମିନୀ ଶୁଣ ମହାମୁନୀ ଦୁହେଁ ରହ‌ନ୍ତୁ ମୋ ପୁରେ,
ଯେ ହେବ ଚରଚା କରିବି ଚରଚା କିଛି ନ ଭାଳ ମନରେ ।

ଶୁଣି ଯତିବର ବୋଲନ୍ତି ଉତ୍ତର ଆମ୍ଭେ ତପସ୍ୟାକୁ ଯିବୁ,
ଚତୁର୍ମାସ୍ୟା ରହି ଫେରିଣ ଆସିଲେ ଏହାକୁ ଘେନି ଚଳିବୁ ।

ଏହାକୁ ଯେ ଭିକ୍ଷା ଦେଉଥିବୁ ଏକା ଏହାର ବୁଝିବୁ ମନ,
ସେହି ବେଶ୍ୟା ଗୋଟି ପୁର୍ବରୁ ଋଷିଙ୍କୁ କରିଣ ଅଛଇ ଧ୍ୟାନ ।

ଇନ୍ଦ୍ର ଶାପେ ସେହି ଗନ୍ଧର୍ବ ବନିତା ମଞ୍ଚେ ବେଶ୍ୟା ରୁପେ ଜାତ,
ନୃତ୍ୟ କରୁଥିଲା ଅନ୍ୟେ ମନ ଦେଲା କରିଦେଲେ ବ‌ହିଷ୍କୃତ ।

ବୋଲେ ବଜ୍ରପାଣି ଶୁଣ ଗୋ କାମିନୀ ଭଗ୍ନ ତୁ କଲୁ ନୃତ୍ୟକୁ,
ବେଶ୍ୟା ହୋଇକରି ମର୍ତ୍ତ୍ୟ ମଣ୍ଡଳରେ ଭୋଗକର ସେ ପାପକୁ ।

ଏକ ଯତିବର ଭେଟିବେ ସେଠାରେ ଚେଲା ରଖାଇ ତୋ ପୁରେ,
ସେହିଟି ଗୋବିନ୍ଦ ରାଜନ ଅଟଇ ମନ ବଳାଇବୁ ତାରେ ।

ତାହାର ମତି ଯେ ପରୀକ୍ଷା କରିଣ ଆସିବୁ ସ୍ୱର୍ଗର ଆଳେ,
ଏ କଥା ସୁମରି ଅଛଇ ଯେ ବାଳି ମିଳିଲା ଏସନ କାଳେ ।

ଚେଲାକୁ ସେଠାରେ ରଖି ତପୀବର କଇଳାଶ ପୁର ଗଲେ,
ଗୋବିନ୍ଦ ରାଜନ ବେଶ୍ୟାର ଭବନେ ଗୁରୁ ଆ୍ଜ୍ଞାରେ ରହିଲେ ।

ରହି ମତି ତ‌ହିଁ କେତେଦିନ ଯାଇ ବେଶ୍ୟା ଭାବଇ ମନର,
ଏହାର ଯେ ମତି ପରୀକ୍ଷା କରିବି ଇନ୍ଦ୍ର ଦେଇଥିଲେ ବର ।

ଏହା ବିଚାରିଣ ସୁବେଶ ହୋଇଣ ବସିଲା ରାଜା ପାଶରେ,
ଏପରି ସୁବେଶ ହୋଇଛି ଯେ ବେଶ୍ୟା ନ ଥିବେ ତିନି ପୁରରେ ।

ରାଜାଙ୍କର ଜ୍ୟୋତି ଦେଖିଣ ଯୁବତୀ ଅଜ୍ଞାନ ହୋଇ ପଡ଼ନ୍ତି,
ପ୍ରତିଦିନ ସେହି ଲାଉଥାଳ ନେଇ ଭାଷିଲେ ଅନ୍ନ ଭୁଞ୍ଜନ୍ତି ।

ମଦନର ଶର ରାଜାଙ୍କ ଶରୀରେ କେବେ ବ୍ୟଥା ନ କରଇ,
କାମିନୀ ରୁପକୁ ଦେଖିଣ ଗୋବିନ୍ଦ ମୁଖ ତଳକୁ କରଇ ।

ବୋଲେ ବେଶ୍ୟା ନାରୀ ଶୁଣ ତପଚାରୀ ଜଗତ ମଧ୍ୟେ ସୁନ୍ଦର,
ଏହି ତୁମ୍ଭ ରୁପ ନିନ୍ଦଇ କନ୍ଦର୍ପ ନୟନର ଅଗୋଚର ।

ତୁମ୍ଭକୁ ଭେଟିଲା ଦିନରୁ ମୋହର ଦେହ ସଫଳ କରିଛି,
କରିବି ବିବାହ ଆହେ ତପୀବର ମନ ମଧ୍ୟରେ ପାଞ୍ଚିଛି ।

ଜୀବନ ସଫଳ ଅଟଇ ମୋହର ବର କରି ପାଇଅଛି,
ପତି ଅଟ ତୁମ୍ଭେ ପତ୍ନୀ ଅଟୁ ଆମ୍ଭେ ପୂର୍ବୂ ବିଧାତା ଲଭିଛି ।

ଗୁରୁ ଯେ ତୁମ୍ଭର ମୋଠାରେ ଛାଡ଼ିଲେ ଏହି ସ୍ଥାନେ ଥିବ ରହି,
କୌଣସି ଆଡ଼କୁ ଫେରିଯିବ ନାହିଁ ଗୁରୁ ଅଛନ୍ତି ଯେ କ‌ହି ।

କାକରେ ନ ବୁଲି ଖରା ଯେ ବରଷା ନ ସ‌ହିବ ତୁମ୍ଭ ଦେହୀ,
ମୁହିଁ ନିରାଧାର ବଚନ କ‌ହୁଛି ବିବାହ କରିବା ଦୁଇ ।

ଲାବଣ୍ୟ ମାଧରୀ ସ୍ୱର୍ଗର ନାଗରୀ ଶଚୀ ନୋହିବେକ ସରି,
ମଞ୍ଚପୁରେ କେହି କାମିନୀ ନାହାନ୍ତି ପାର୍ବତୀଙ୍କଠାରୁ ବଳି ।

ଈଶ୍ୱର ଘରଣୀ ଜଗତମୋହିନୀ ନାମ ତାହାର କାମାକ୍ଷୀ,
ରୁପ ଗୁଣରେ ସେ ମୋତେ ସରି ନୁହେଁ ଦେଖ ତୁମ୍ଭେ ଏହା ବାଛି ।

ପାତାଳ ଭୁବନେ ନାଗବର ସ୍ଥାନେ ବିଷ୍ଣୁ କରନ୍ତି ଆସନ,
ସେହି ଭୁବନରେ କମଳା ଅଛନ୍ତି ରୁପ ଗୁଣ ନୋହେ ସମ ।

ସେହୁ ମୋର ପାଖେ ଛିଡ଼ା ହେଲେ ଜାଣ ଦିଶିବ କଳାବଦନ,
ଆହେ ତପୀବର ହରି ପରେ ମୋହ ହରିରେ କର ଶୟନ ।

ଯାଇ ଯୁଇ ମଲ୍ଲୀ ସଜାଇ ରଖିଛି ଚନ୍ଦନ କର୍ପୂରମାନ,
ପକାଇଛି ଟୀକା ବୋଳି ବୋଳିହୋଇଥିବ ମନେ ନ ବିଚାରି ଆନ ।

ମୋର ଭୁବନରେ ଅପୁର୍ବ ଯେ କିସ ସଜାଇ ସବୁ ରଖିଛି,
ଜୀବ ଥିବାଯାଏ ଭୁଞ୍ଜୁଥିବ ବସି ଏପରି ପଦାର୍ଥ ଅଛି ।

ଆହେ ତପୀବର କନ୍ଥାମାଳା ତୋର ବେଗେ ପକାଇଣ ଦିଅ,
ଲାଉ ତୁମ୍ବା ନେଇ ଜଳରେ ବୁଡ଼ାଇ ନିଶ୍ଚିନ୍ତରେ ବସିଥାଅ ।

ପାଟଲୁଗା ପିନ୍ଧି ଆନନ୍ଦେ ରହିବ ଦେହେ ଚନ୍ଦନ ବୋଳିଣ,
କାଇମାଟି ଛାଡ଼ି ଅଙ୍ଗ ସଜକରି ସୁବର୍ଣ୍ଣ ପାତ୍ରେ ଭୋଜନ ।

ଏ ସବୁ କଥା ଯେ ଗୁରୁ ନ ଜାଣିବେ ଆସିଲେ କ‌ହିବି ମୁହିଁ,
ତୁମ୍ଭ ଶିଷ୍ୟ ଥିଲେ କେଉଁ ଦେଶ ଗଲେ ଏହା ମୁହିଁ ନ ଜାଣଇ ।

ଗୁପତ ମୋହର ଅଛି ଏକ ପୁର ରଖିବି ଚାଲ ସେଠାରେ,
ଚନ୍ଦ୍ର ସୂର୍ଯ୍ୟ ଭିନ୍ନ ଆନ ନ ଯାଣଇ ଏହି ଜଗତ ମଧ୍ୟରେ ।

ଉଠ ତପୀବର ଧରୁଅଛି କର ଚାଲ ଭୁବନ ଭିତରେ,
ଶୁଣିଣ ରାଜନ ତଳକୁ ଆନନ ବଚନ କ‌ହ‌ନ୍ତି ଧୀରେ ।

ହୀନ କୁଳେ ମୁହିଁ ଜନମ ଲଭିଛି ନ ଛୁଅଁ ମୋର ଶରୀର,
ଅପାଣ୍ଡୁକ ପଣେ କୁଟୁମ୍ବ ପୋଷଣେ ବୁଲୁଅଛି ଦେଶାନ୍ତର ।

ତୁ ମୋର ଜନନୀ ଅନ୍ନ ଦେଉ ପୁଣି ପାପ ନ ଧର ତୁଣ୍ଡର,
ସୁପକ୍ୱ ଆହାର କିସ କରିବଇଁ ପଞ୍ଚୁକୋଳି ଅନ୍ନ ସାର ।

ପଞ୍ଚୁକୋଳି ଅନ୍ନ ଯେ ଯୋଗୀ ଭୁଞ୍ଜଇ ତାକୁ ଯେ ଭୁଲାଏ ଲୋକ,
ମହାପାପୀ ହୋଇ ନରକେ ପଡ଼ଇ ବୁଝ ମନେ ସୁବିବେକ ।

ପଲଙ୍କ ସୁପାତି ଶେଯେ ମୋର କିଛି କାର୍ଯ୍ୟ କାରଣ ନୋହିବ,
ଗୃହ ଆଦିକରି ସକଳ ସମ୍ପତ୍ତି ବିଅର୍ଥରେ ଦିନ ଯିବ ।

କାହାର ମେଲାରେ ଧୂନି ଲଗାଇବୁ କାକର କୁହୁଡ଼ି ସହି,
କର୍ମରେ ମିଳିଲେ ତାହା ଯେ ଭୁଞ୍ଜିବୁ ଗୁରୁପାଦେ ମନ ଦେଇ ।

କର୍ମ ଦୋଷେ ମୁହିଁ ହୀନ ହୋଇଅଛି ଜଗତ ଯାକ ବୁଲଇ,
ଯେତେ ସ୍ତିରୀ ଜାତି ସଂସାରେ ଅଛନ୍ତି ମାତୃ ତୁଲ୍ୟରେ ଭାବଇ ।

ମନରେ ତୋହର ଆନ ନ ବିଚାର ପୁତ୍ରତୁଲ୍ୟ ଭାବ ମୋତେ,
ଜନନୀ ଯେପରି କଲ୍ୟାଣ କରନ୍ତି ତାହା ଲଭନ୍ତି ଯେମନ୍ତେ ।

ବୋ‌ଲଇ ସୁନ୍ଦରୀ ଶୁଣ ତୁମ୍ଭେ ନାଥ ପିଇଣ ପବନ ପାଣି,
ଜଗତ ମୋହିନୀ ଲୋଭରେ ପଡ଼ନ୍ତି ଜନ‌କ ସନ‌କ ପୁଣି ।

ଏ ଦେହ ଘେନିଣ ଭୋଗ ଯେ କରଇ ଜୀବ ଗଲେ କି ଲଭିବ,
ମୋର ବଦନ‌କୁ ଚାହିଁ ଦିଅ ଯଦି ସେଥିରୁ ବି ଲାଭ ହେବ ।

ମୋତେ ତୁ ଭୁଲାଉ ନ ଭୁଲିବି ମୁହିଁ ମନ ନିଶ୍ଚଳ ରଖିଛି,
ବଙ୍ଗ ଦେଶେ ମୋର ଅନେଶ୍ୱତ ରାଣୀ ଗୁରୁ ଆଜ୍ଞାରେ ଛାଡ଼ିଛି ।

ଏମାନେ ଛାଡ଼ିଲି ମାତାଙ୍କର ବୋଲେ ହାଡ଼ିପାକୁ କରି ଗୁରୁ,
ତୁହି ବେଶ୍ୟା ନାରୀ କି ଅଟୁ ସୁନ୍ଦରୀ ଜଗତକୁ ନିନ୍ଦା କରୁ ।

ପୁଣି ସେହି ବାମା ମନରେ ଆନନ୍ଦ ମୁକ୍ତି ଲଭିବି ଏଥର,
ପାପରୁ ତରିବି ସ୍ୱର୍ଗକୁ ମୁଁ ଯିବି ରକ୍ଷା କଲେଣି ଈଶ୍ୱର ।

ଏହା ଭାବି ମନେ ଉଠି ତ‌ହୁଁ ଗଲା ଗୃହେ ରହିଲା ସ୍ୱଚ୍ଛେଣ,
ଚତୁର୍ମାସ୍ୟା ଶେଷ ହୋଇଲାକ ତ‌ହୁଁ ହାଡ଼ିପା ବିଚାର ମନ ।

କୈଳାସ ତେଜିଣ ଆସନ୍ତି ବ‌ହ‌ନ ସେହି ଯେ ମହତ ଯୋଗୀ,
ବେଶ୍ୟାର ଦ୍ୱାରରେ ତକ୍ଷଣେ ମିଳିଲେ ହୋଇଛନ୍ତି ଅନୁରାଗୀ ।

ହାଡ଼ିପାକୁ ଦେଖି ଗୋବିନ୍ଦ ରାଜନ ସାଷ୍ଟାଙ୍ଗରେ ଯେ ଶୋଇଲେ,
ତାଜା ରହ ବୋଲି ବୋଲନ୍ତେ ହାଡ଼ିପା ସତ୍ୟ ପଥେ ମନ ଦେଲେ ।

ତ‌ହୁଁ ବାରନାରୀ ଗୃହରୁ ବାହାରି ଗୁରୁ ଚେଲା ପାଦେ ପଡ଼ି,
ଇନ୍ଦ୍ରର ଶାପରୁ ମୁକତି ଲଭିବି ଯିବି ମର୍ତ୍ତ୍ୟପୁର ଛାଡ଼ି ।

ହାଡ଼ିପା ବୋଲନ୍ତି ଶୁଣ ବେଶ୍ୟା ନାରୀ କିପରି ବୁଝିଲ ମନେ,
ସତ୍ୟ କରି ତାହା ମୋ ଆଗରେ କ‌ହ ମନେ ନ ବିଚାରି ଆନେ ।

ଶୁଣିଣ ସୁନ୍ଦରୀ ହାଡ଼ିପାକୁ ଚାହିଁ ବଚନ ଧୀରେ ଭାସଇ,
ଦେଇଅଛ ଯେଉଁ ମନ୍ତ୍ରକୁ ଶିଖାଇ ରାଜା ଚିତ୍ତ ନ ଟଳଇ ।

ଏତେ କ‌ହି ବାଳି ଶରୀର ଛାଡ଼ିଲା ଦିବ୍ୟ ରୁପକୁ ଧଇଲା,
ଗୁରୁ ଚେଲା ଦୁହେଁ ଅନାଇ ଅଛନ୍ତି ସ୍ୱର୍ଗକୁ ସେ ଚଳିଗଲା ।

ସେଠାର ହାଡ଼ିପା ଚେଲାକୁ ଘେନିଣ ବାହାର ତ‌ହୁଁ ହୋଇଲେ,
ଉତ୍ତର କୋଶଳ ଭ୍ରମି ଭ୍ରମି ଯାଇ କାଶୀ ନ‌ଗରେ ମିଳିଲେ ।

ନାନା ତୀର୍ଥ ତ‌ହିଁ ବିଶ୍ୱନାଥ ଯହିଁ ଅଛନ୍ତି ତାଙ୍କୁ ଦେଖିଲେ,
ତୀର୍ଥମାନଙ୍କରେ ସ୍ନାନ ସନ୍ଧ୍ୟା ସାରି ପାପମାନ ଛଡ଼ାଇଲେ ।

ସେ ସ୍ଥାନରେ କିଛି ଦିନ କଟାଇଣ ଭୈରବ ପୁରେ ମିଳିଲେ,
ପଥ ବୁଲି ବୁଲି ଗୁରୁ ଚେଲା ଦୁହେଁ ବୃକ୍ଷ ମୂଳରେ ବସିଲେ ।

ସେ ଦେଶର ଲୋକ ଦୁର୍ଗାଙ୍କୁ ପୁଜନ୍ତି କେବଳ ମାଂସ ଭକ୍ଷନ୍ତି,
ଭିକ୍ଷୁକ ସେ ଦେଶେ ଭିକ୍ଷା କରିଗଲେ ମାଉଁସ ମାଗି ଆଣନ୍ତି ।

ଗୁରୁଙ୍କୁ ସେଠାରେ କ୍ଷୁଧା ଯେ ଲାଗିଲା ଚେଲାଙ୍କୁ ଦେଲେ ଆଦେଶ,
ଶୁଣି ଗୋବିନ୍ଦାଇ ନ‌ଗ୍ର ବୁଲି ଫେରି ଆସି ହୋଇଲେ ନିରାଶ ।

ଦେଖିକରି ଗୁରୁ କ‌ହ‌ନ୍ତି ବଚନ କି ଭିକ୍ଷା ଆଣିଲ ପୁଣି,
କ‌ହଇ ଗୋବିନ୍ଦ ଶୁଣ ମହାଗୁରୁ ମାଂସ ଭକ୍ଷନ୍ତି ଯେ ପ୍ରାଣୀ ।

ଶୁଣିଣ ହାଡ଼ିପା ଦେଖାଇଣ ଦେଲେ ମହତ ଚନ୍ଦନ ବୃକ୍ଷ,
ଏହାର ବକଳ ଘେନିଆସ ବାବୁ ଆଜି ହେବ ଆମ ଭକ୍ଷ ।

ବୃକ୍ଷର ବକଳ ଆଣିଲେ ଗୋବିନ୍ଦ ଗୁରୁଙ୍କ ଆଗରେ ଦେଲେ,
ଦୁଇଭାଗ କରି ଭକ୍ଷଣ କରିଲେ ଦିନେକ ତ‌ହିଁ ରହିଲେ ।

ତ‌ହିଁ ଆରଦିନ ଉଠିଣ ସେ ଦୁଇ ଚଳିଣ ଗଲେ ବ‌ହ‌ନ,
ମାଳବ ଦେଶରେ ପ୍ରବେଶ ହୋଇଲେ ଗୁରୁ ଶିଷ୍ୟ ଦୁଇ ଜଣ ।

ସେ ନ‌ଗର ଭଲ ମନ୍ଦ କଥାମାନ ବୁଝିଲେକ ସବୁ ଗୁରୁ,
ଧନୀ ଶୁଣ୍ଢୀ ଦ୍ୱାରେ ପ୍ରବେଶ ହୋଇଣ ଡାକନ୍ତି କଳପତରୁ ।

ଏକାନ୍ତ କରିଣ ତାହାକୁ କ‌ହ‌ନ୍ତି ଶୁଣ ଆହେ ଧନେଶ୍ୱର,
ମଠକୁ ଆମ୍ଭର ଯିବାର ସକାଶେ କିଛି ହିଁ କର ବିଚାର ।

ଚେଲା ଗୋଟି ଆମ୍ଭେ ବନ୍ଧା ଦେଉଅଛୁ ମନେ ଦୁଃଖିତ ନ ହେବ,
ତୁମ୍ଭର ସେ କାର୍ଯ୍ୟ ସମସ୍ତ କରିବ ତୁମ୍ଭ କଥା ମାନିଥିବ ।

ଗୋବନ୍ଦକୁ ଚାହିଁ ହାଡ଼ିପା କ‌ହ‌ନ୍ତି ଶୁଣ ଆରେ ମୋର ବାବୁ,
ପର ସ୍ତିରୀ ମାତା ଗୁରୁଙ୍କୁ ଯେ ପିତା ଏହା ହୃଦେ ଧରିଥିବୁ ।

ପର ଧନ ଟେକା ସମାନ ଅଟଇ ମନ ତ‌ହିଁ ନ ବଳାଅ,
ସାହୁଙ୍କର କଥା ସବୁ ତୁ ସ‌ହିବୁ ମଠୁ ଆସୁ ଆମ୍ଭେ ଯାଇ ।

ଖରଚ ଘେନିଣ ଗୁରୁ ଯେ ଚଳିଲେ ଗୋବିନ୍ଦ ତ‌ହିଁ ରହିଲେ,
ରାତ୍ର ଦିନ ସେହି ମଦକୁ ବିକିଣ ଶୁଣ୍ଢୀ ମନ‌କୁ ତୋଷିଲେ ।

ଶୁଣ୍ଢୀଆଣି ଅଟେ ଷୋଡ଼ଶବୟସୀ ଦେଖି ଗୋବିନ୍ଦ ରୁପକୁ,
ମଦନେ ବିହ୍ୱଳ ହୋଇଣ ସେ ନାରୀ କିଛି ନ ରୁଚଇ ତାକୁ ।

ଗୋବିନ୍ଦଚନ୍ଦ୍ରର ଆଶ୍ରମ ସ୍ଥାନରେ ପ୍ରବେଶିଲା ବେଶ ହୋଇ,
ବ‌ହୁତ ପ୍ରକାରେ ବିନୟ କରିଣ କର ଯୋଡ଼ିଣ ଜଣାଇ ।

ସଂସାରର ସୁଖ ଛାଡ଼ିଣ କିମ୍ପାଇ ଯୋଗୀ ଯେ ତୁମ୍ଭେ ହୋଇଲ,
ଆସ ତୁମ୍ଭେ ଆମେ ପିରତି କରିବା ମୋର ଚିତ୍ତକୁ ମୋହିଲ ।

ନ କଲେ ପିରତି ପ୍ରାଣ ମୁଁ ଦେବିଟି ଏ କଥା ଅଟେ ପ୍ରମାଣ,
ଶୁଣିଣ ଗୋବିନ୍ଦ କ‌ହିଲେ ତାହାକୁ ମାତା ତୁମ୍ଭେ ମୋର ଶୁଣ ।

ରୁମ୍ଭ ପତି ସେହୁ ପିତା ଯେ ଅଟଇ ଅନ୍ନ ଦେଉଛନ୍ତି ନିତି,
ଏଣୁ କରି ତୁମ୍ଭ ଦୋଷ କ୍ଷମା କଲି କ‌ହିଲ ତମ୍ଭେ ଅନୀତି ।

ଶାପ ଦେଲେ ନାସା ଶ୍ରବଣ ଖଣ୍ଡନ ହୋଇଣ ଯିବ ବ‌ହ‌ନ,
କାହାରି ମୁଖକୁ ଚାହିଁ ନ ପାରିବି ନିନ୍ଦା କରିବେଟି ଜନ ।

ଭୟରେ ସେ ନାରୀ ପଳାଇଣ ଗଲା ଗୋବିନ୍ଦ ତ‌ହୁଁ ଉଠିଲେ,
ହରି ଜଗନ୍ନାଥ ଶ୍ରୀରାମ ସୁମରି ପୃଥ୍ୱୀରେ ହସ୍ତ ମାଇଲେ ।

ସଙ୍କଟରୁ ମୋତେ ତାରିଲ ହେ ହରି ଧନ୍ୟ ତୁମ୍ଭର ମହିମା,
ତୁମ୍ଭ ପଦ୍ମପାଦେ ଚିତ୍ତ ମୋର ରହୁ ଦୋଷ କରୁଥିବ କ୍ଷମା ।

କାରଣ ହୋଇବି ଜୀବନ ପାଇବି ବସିଣ ଗୋଲକ ପୁରେ,
ଯାହା କ‌ହି ଗୁରୁ ରଖି ଯାଇଛନ୍ତି ରହୁ ମନ ନିରନ୍ତରେ ।

ନିଶ୍ଚିତ ମନର ତ୍ୟାଗ କଲି ସବୁ ନ ରୁଚଇ ଆନ କଥା,
ଦୟାନିଧି ତୁମ୍ଭେ ସାହା ହୋଇ ସଦା ହୁଅ ମୋର ରକ୍ଷା କର୍ତ୍ତା ।

ମନରେ ଗୁରୁଙ୍କୁ ସୁମରଣା କଲା ଗୋବନ୍ଦଚନ୍ଦ୍ର ଯେ ତ‌ହିଁ,
ଅବିଳମ୍ବେ ଗୁରୁ ପ୍ରବେଶ ହୋଇଲେ ଧନେଶ୍ୱର ଘରେ ଯାଇ ।

ପାଞ୍ଚଟଙ୍କା ତାକୁ ଲେଉଟାଇ ଦେଇ ହାଡ଼ିପା ତାକୁ କ‌ହିଲେ,
ଗୁରୁ ଶିଷ୍ୟ ଆମ୍ଭେ ଦୂର ଦେଶେ ଯିବୁ ଖୁସିରେ ରହ ତୁ ଭଲେ ।

ଶୁଣ୍ଢିଆଣି ଘରୁ ବାହାରି ଆସିଣ ଗୁରୁଙ୍କ ପାଦେ ପଡ଼ିଲା,
ଧନ୍ୟ ଚେଲା ତୁମ୍ଭ ପିତାମାତା ତାର ଧନ୍ୟ ଗୁରୁ ତୁମ୍ଭେ ଭଲା ।

ମୋଠାରୁ ବଳିଲା ମନ ନ ଟଳିଲା କି କ‌ହିବି ତାଙ୍କୁ ମୁହିଁ,
ଅକ୍ଷୟ ଅତୁଟ ହୋଇଲେଣି ଏହି ଚିରକାଳ ଥିବେ ରହି ।

ପ୍ରତ୍ୟକ୍ଷେ ଜାଣିଲି ଅନାଦି ଈଶ୍ୱର ଅଟଇ କି ଅବା ଏହି,
ଯୁବା ବୟଷରେ କାହିଁ କେଉଁ ଜନ ସିଦ୍ଧ ଯୋଗୀ ଅଛି ହୋଇ ।

ହାଡ଼ିପା ବୋଲନ୍ତି ଶୁଣ ଆଗୋ ନାରୀ ତୋ କଥା ଅଟେ ପ୍ରମାଣ,
ଯୋଗେଶ୍ୱରୀ ତାର ମାତା ଯେ ଅଟଇ କେ କରି ପାରିବ ଆନ ।

ସିଦ୍ଧ ହୁଅ ତୁହି ଗୋବିନ୍ଦଚନ୍ଦ୍ରରେ ଅମର ହୋଇଣ ଥାଅ,
ସଂସାରେ ତୋ କଥା ବିଖ୍ୟାତ ଯେ ହେଉ ଚିତ୍ତେ ହରି ଭଜୁଥାଅ ।

ଏତେ କ‌ହି ତ‌ହୁଁ ଗୁରୁ ଶିଷ୍ୟ ଦୁହେଁ ସେଠାରୁ ଚଳିଣ ଗଲେ,
ଗୁଜ୍ଜର ଦେଶରେ କେଉଟୁଣୀ ଘରେ ଯାଇ ପ୍ରବେଶ ହୋଇଲେ ।

କୈବର୍ତ୍ତ କୈବର୍ତ୍ତୀ ବୋଲିଣ ଡାକନ୍ତେ ଉଠିଲାକ ରାଢ଼ିଆଣୀ,
ପୟରେ ପଡ଼ିଣ ତାହାଙ୍କୁ ପୁଛଇ କିଏ ତୁମ୍ଭେ କ‌ହ ପୁଣି ।

କେବଣ ଦେଶରେ ଘର ହେ ତୁମ୍ଭର କାହିଁକି ଡାକ ଗୋସାଇଁ,
ମୋର କେହି ନାହିଁ ଅଲକ୍ଷଣୀ ମୁହିଁ ଏକା ଅଛି ଘରେ ରହି ।

ତୁମ୍ଭ ପାଦ ଲାଗି ମୋହର ମନ୍ଦିର ପବିତ୍ର ହୋଇଲା ଜାଣ,
ଯେତେ ଦିନ ତୁମ୍ଭେ ଏଠାରେ ରହିବ ଖଟୁଥିବି ଭିକ୍ଷା ପୁଣ ।

ଅପୁତ୍ରିକ ମୁହିଁ ପୁତ୍ର ମୋର ନାହିଁ ଧନ ମୋ କିଏ ଖାଇବ,
ମଲେ ମୋର ଧନ ନେବେ ରାଜାଗଣ ତ‌ହିଁ କି ଫଳ ହୋଇବ ।

ଧର୍ମ ଆଚରିଲେ ବାଟକୁ ସମ୍ବଳ ହୋଇବଟି ମୋର ସେହି,
ଯୋଗୀଙ୍କର ସେବା ମୂଳ ଯେ ଅଟଇ ପଛକୁ କାରଣ ହୋଇ ।

ହାଡ଼ିପା ବୋଲନ୍ତି ଆଲୋ ରାଢ଼ିଆଣୀ ତୋ କଥାକୁ କର୍ଣ୍ଣେ ଶୁଣି,
ସେହି ଯୋଗୁ ତୋର ଗୃହେ ପ୍ରବେଶିଲି ଦାତାବୋଲି ମନେ ଗୁଣି ।

କୈବର୍ତ୍ତ କ‌ହଇ ଆହେ ତପି ସାଇଁ ଆଉ ଯୋଗୀ ଥିଲେ ଆଣ,
ଯେତେ ଜଣ ହେବେ ତାଙ୍କୁ ଚରଚିବି ଦେଇଣ ଅନ୍ନ ବ୍ୟଞ୍ଜନ ।
 
ହାଡ଼ିପା ବୋଲନ୍ତି ଧର୍ମ ପ୍ରାଣୀମାନେ ସତ୍ୟ ବଚନ କ‌ହ‌ନ୍ତି,
ତୁମ୍ଭ ମନ ଧର୍ମେ ଥିବା ଆମ୍ଭେ ଜାଣି ଭିକ୍ଷା ମାଗିଲୁ ଯୁବତୀ ।

ଆଉ କାହୁଁ ତପୀ ଆଣିବୁ ଯେ ଆମ୍ଭେ ଚେଲା ଏକା ଯେ ରହିବ,
ପାଞ୍ଚ ମୁଠା ଭିକ୍ଷା ନିତ୍ୟେ ଦେଉଥିଲେ ବ‌ହୁତ ପୁଣ୍ୟ ହୋଇବ ।

ଦୁଇ ବେଳା ତାକୁ ଖଟୁଥିବୁ ତୁହି ଚିତ୍ତରେ ଆନ ନ ଧରି,
ଅନ୍ନଭୋଗୀ ଆମ୍ଭେ ନୋହୁ ଆଗୋ ନାରୀ କିମ୍ପା ରହିବୁ ତୋ ପୁରୀ ।

ଆମ୍ଭେ ଯେ ଆସିବା ଯାଏ ରଖିଥିବୁ ଚେଲା ଗୋଟିକୁ ଆମ୍ଭର,
ଇଚ୍ଛ ସମୟରେ ଯେବେ ମୁଁ ଆସିବି ସଙ୍ଗେ ନେବି ଚେଲା ମୋର ।

କ‌ହେ ତାଢ଼ିଆଣୀ ଯେତେ ଦିନେ ଇଚ୍ଛା ଆସ ଆପଣ ଗୋସାଇଁ,
ସେତେଦିନ ପରିଯନ୍ତେ ରଖିଥିବି ଚେଲାକୁ ତୁମ୍ଭର ମୁହିଁ ।

ଶୁଣିଣ ହାଡ଼ିପା ବୋଲନ୍ତି ତୋହର ବଚନ ପ୍ରତି ପାଳିବ,
ଯହିଁକି ପେଶିବୁ ତ‌ହିଁକି ଯେ ଯିବ ଚିତ୍ତେ ଆନ ନ ଧରିବ ।

ଗୋବିନ୍ଦଚନ୍ଦ୍ରକୁ ଚାହିଁଣ ହାଡ଼ିପା ବଚନ ତ‌ହିଁ ବୋଇଲେ,
ମେରୁ ପ୍ରଦକ୍ଷିଣ କରି ଆସୁ ଆମ୍ଭେ ୟା କଥା ମାନିବୁ ଭଲେ ।

ରାଜନ କ‌ହଇ ଶୁଣ ଆହେ ଗୁରୁ ତୁମ୍ଭ ଆଜ୍ଞା ଶିରେ ଧରି,
ଯେ ଆଜ୍ଞା କରିବ ସେ ଆଜ୍ଞା ପାଳିବି ସେବକ ଅଟେ ତୁମ୍ଭରି ।

ଶିଷ୍ୟକୁ ଛାଡ଼ିଣ ଗୁରୁ ଯେ ଚଳିଲେ ଗୋବିନ୍ଦ ତ‌ହିଁ ରହିଲେ,
କଇବର୍ତ୍ତ ନାରୀ ଅନ୍ନ ଭିକ୍ଷା ଦେଲେ ସନ୍ତୋଷେ ତାହା ଭୁଞ୍ଜିଲେ ।

ଭିକ୍ଷା ସାରି ରାଜା ଆନନ୍ଦ ମନରେ କଇବର୍ତ୍ତୀ ଘରେ ରହି,
ଦିବସର ଶେଷେ ରଜନୀ ହୁଅନ୍ତେ ଭାଜେ ରାଢ଼ିଆଣୀ ଖଇ ।

ଗୋବିନ୍ଦ ଛଡ଼ାନ୍ତି ତାହାକୁ ବିକନ୍ତି ଦୋକାନରେ ବସିକରି,
ରାଢ଼ୀଆଣୀ କଥା ମାନିଥାନ୍ତି ସେହି ଚିତ୍ତେ ଆନ ନ ବିଚାରି ।

ପ୍ରତିଦିନ ଲାଉ ଥାଳକୁ ଘଷନ୍ତି ଧରଇଟି ଯେବ ଅନ୍ନ,
ସେତିକି ଭକ୍ଷିଣ ସନ୍ତୋଷ ଲଭନ୍ତି ଗୋବିନ୍ଦଚନ୍ଦ୍ର ରାଜନ ।

ନିତି ବିକାକିଣା କରନ୍ତେ ରାଜନ ବୁଢ଼ୀ ପ୍ରଶଂସା କରଇ,
ଭୁଞ୍ଜିବାକୁ ମୋର କ୍ଷଣେ ତର ନାହିଁ ଧନ୍ୟ ଅଟ ହେ ଗୋସାଇଁ ।

ଧେନୁମାନେ ମୋର ଗୁହାଳ ଗୁହାଳ ଦେଖୁଅଛ ଯୋଗୀବର,
ଧାନ ଶତ ଶତ ଭରଣ ମୋହର ପଡ଼ି ଅଛଇ ଦୁଆର ।

ଦିନ ରାତି ମୋତେ ନିଦ୍ରା ନ ଆସଇ, ଦିନ ନ ସରଇ ମୋର,
ରାତ୍ରରେ ନିମିଷେ ନିଦ୍ରା ଯାଇକରି ତ‌ହିଁ ଉଠଇ ସତ୍ତ୍ୱର ।

ସବୁବେଳେ ମନ ଚଞ୍ଚଳ ହୁଅଇ ଚାରିଶ ଭରଣ ଧାନ,
ନ‌ଗରେ କରଜ ଦେଇଅଛି ମୁହିଁ ଆସେ ସେହି ଦେଢ଼ୀମାନ ।

ବିକା କିଣା କଲି ସକଳ ସମୟ କ୍ଷୁଧା ମୋତେ ନ ଲାଗଇ,
ତୁମ୍ଭ ଗୁଣେ ଚିତ୍ତେ ସନ୍ତୋଷ ହୋଇଲା କିସ କ‌ହିବି ଗୋସାଇଁ ।

କ‌ହୁଅଛି କିଣା ବିକାର ନିୟମ ଶୁଣ ତୁମ୍ଭେ ତପୀସାଇଁ,
ଧାନ ଅଢ଼ାକରେ ଦୁଇଗୁଣ ଭୁଜା ସନ୍ତୋଷେ ଦେବ ଗୋସାଇଁ ।

ସାନ ବଡ଼ ଅଛି ଦୁହିଙ୍କ ଯେ ନିଅ ଯାଠାରୁ ଯେ ରୁପେ ନେବ,
କେହୁ ଅଢ଼ାକରେ ଭୁଜା ଦୁଇଗୁଣ ମାପିକରି ଦେଉଥିବ ।

ଗୋବିନ୍ଦ୍ରଚନ୍ଦ୍ର ଯେ ଅଟନ୍ତି ରାଜନ ଛନ୍ଦ ମନ୍ଦ ନ ଜାଣନ୍ତି,
ସାନ ନେଇ ବଡ଼େ ଦିଅନ୍ତି ରାଜନ ବୁଢ଼ୀ ଦେଖିଲା ଏ ରୀତି ।

ରାଢ଼ିଆଣୀ କହେ ଆହେ ଯୋଗୀବର ସାନ ବଡ଼ ନ ଚିହ୍ନିଲ,
କେମନ୍ତ ପ୍ରକାରେ କିଣା ବିକା କର ମୁଳ ଲାଭ ହେବ ଠୁଳ ।

ଗୋବିନ୍ଦ କ‌ହ‌ନ୍ତି ଶୁଣ ଆଲୋ ମାତା ଧନ ତୁ କିସ କରିବୁ,
ଧନ୍ଦାଳି ହୋଇଣ ଯେବେ ତୁ ରଖିବୁ ରାଜାର ଭୋଗକୁ ଦେବୁ ।

ଏତେକ ସମ୍ପତ୍ତି ଅଟଇ ତୋହର ଜୀବନ ଥିବା ପର୍ଯ୍ୟନ୍ତ,
ଖାଇଣ ବସିଲେ କେଭେ ନ ସରିବ ଶୁଣ ଆଲୋ ତୁହି ମାତ ।

ଜଗତ ମଧ୍ୟରେ ତୋହରି ପରାୟେ ଧାନ କେହୁ ସଞ୍ଚୁଅଛି,
କେତେ ଧନେଶ୍ୱର ତେଜିଣ ସମ୍ପତ୍ତି ଯୋଗୀ ହୋଇଣ ବୁଲନ୍ତି ।

ବଙ୍ଗ ଦେଶ କଥା ଶୁଣ ଲୋ ଜନନୀ କ‌ହିବି କାହାର ଗୁଣ,
ରାଜାଗୋବିନ୍ଦାଇ ରାଜ୍ୟ କରୁଥିଲା ଛାଡ଼ି ହେଲା ଯୋଗୀ ପୁଣ ।

ନବଲକ୍ଷ ଦେଶ ଅନେଶ୍ୱତ ରାଣୀ ସ‌ହସ୍ରେକ ହ‌ନ୍ତକାର,
ଅଶ୍ୱଗଜମାନ ଅଗଣିତ ଥାନ୍ତି ଗଣିବଟି କେଉଁ ନର ।

ଲୋଭ ମୋହ ସବୁ ସକଳ ଛାଡ଼ିଣ ଜ୍ଞାନରେ ସେହୁ ମଜ୍ଜିଲା,
ସକଳ ସମ୍ପତ୍ତି ଛାଡ଼ିଣ ରାଜନ ଯୋଗୀ ହୋଇ ବୁଲିଗଲା ।

ବୁଢ଼ୀ ଯେ ବୋଲଇ ଶୁଣ ଯେ ଗୋବିନ୍ଦ ସୁଜ୍ଞାନୀ ଜନଟି ସେହି,
ତୋଠାରୁ ଗୋବିନ୍ଦ ତପୀ କେ ହୋଇବ ବୁଲୁଥାଇ ସାହି ସାହି ।

ରାଜ ସିଂହାସନ ଛାଡ଼ିଣ ପ୍ରଜାକୁ ଆକୁଳ ସେହୁ ଯେ କଲା,
କୁଟୁମ୍ୱ‌ଯାକ‌କୁ ଅନାଥ କରିଣ କେଉଁ ଯଶକୁ ଲଭିଲା ।

ସ୍ତିରୀଙ୍କ ନିଶ୍ୱାସେ ଭସ୍ମ ସେ ହୋଇବ କେଉଁ ସ୍ୱର୍ଗକୁ ସେ ଯିବ,
ଆପଣାର ଜ୍ଞାତି ସେହୁ ଯେ ନ ପାଳେ ନରକ ଭୋଗ କରିବ ।

ମୁହିଁ ବ‌ହୁ ଦୁଃଖ କରିଣ ଯେ ଧନ ସଞ୍ଚୟ କରି ରଖିଛି,
ଅନ୍ନ ବସ୍ତ୍ର ଧନ ଯେ ଯାହା ମାଗଇ ତାହା ମୁଁ ଦେଇଣ ଅଛି ।

ମୋହଠାରୁ ସେହି କେଉଁ ଗୁଣେ ଶ୍ରେଷ୍ଠ କ‌ହିଲ ଯେ ମୁନିବର,
ଦେବା ଦେଇବାରେ ସୁଳ୍ପତ ଲଭନ୍ତି ମନେ ତୁମ୍ଭେ ହେତୁକର ।

ଗୃହକର୍ମେ ଥାଇ ସକଳ ପାରିବି ଏହି ଅଟଇ ପ୍ରମାଣ,
ଦେଶ ଦେଶ ହୋଇ ଯେ ଜନ ବୁଲଇ ତ‌ହିଁରେ ନାହିଁ କାରଣ ।

ହିନ‌କୁ କେବଳ କରି ମୁଁ ବଞ୍ଚଇ ଭାଜୁଥାଇ ଭୁଜାମାନ,
ତେଣୁ କରି ମୋତେ ନିଦ୍ରା ନ ମାଡ଼ଇ ନ ଥାଇ ପୁରୁଷେ ମନ ।

ତେରଶ ଅଶୀ ଯେ ବରସ ହୋଇଲା ଦିନେ ଅଙ୍ଗକୁ ମୋହର,
ଅଳସ ନୁହଇ ସ୍ୱଚ୍ଛନ୍ଦରେ ଖାଇ ଶୁଣ ଆହେ ଯତିବର ।

କଇବର୍ତ୍ତୀ କଥା ରାଜନ ଶୁଣିଣ ତାକୁ ଜିଣି ନ ପାରିଲେ,
ମନ ଆନନ୍ଦରେ ଭୁଜା ବିକିକରି ଗୁରୁଙ୍କୁ ହୃଦେ ସ୍ମରିଲେ ।

ସେହିଦିନଠାରୁ ଗୋବିନ୍ଦଚନ୍ଦ୍ର ଯେ ଏକ ବେଳା ଭିକ୍ଷା କଲେ ,
ନିଶାରେ ଭୋଜନ କରନ୍ତି ରାଜନ ଦିନ ଯାକ ଉପାସରେ ।

ଏମନ୍ତ ପ୍ରକାରେ ରହ‌ନ୍ତେ ରାଜନ ତ‌ହୁଁ କେତେଦିନ ଗଲା,
କଇବର୍ତ୍ତୀ ଦିନେ ବିଚାରଇ ମନେ ମୋହ ମୁଖ ନ ଚାହିଁଲା ।

ହେଠମାଥ ଅବିଚ୍ଛନ୍ନେ ବସିଥାନ୍ତି ଦିନେ ମୁଁ ଆନ ନ ଦେଖେ,
ବସି ବସି ବୁଢ଼ୀ ତାହାକୁ ନିରେଖି କର୍ଣ୍ଣମୂଳ ଚିହ୍ନ ଦେଖେ ।

ପାଦ ପଦ୍ମେ ଚିହ୍ନ ହରସ ସେ ହୋଇ ବୋଲଇ ଏ ବଡ଼ ଜନ,
କି ଅବା ରାଜନ ଅଟେ ଯୋଗୀଜନ ଭକ୍ତି ଅଂଶରେ ଜନମ ।

ଏମନ୍ତ ମନରେ ଭାଳିଣ ସେ ବୁଢ଼ୀ ରାଜା ମୁଖ ଚାହିଁ କ‌ହି,
ଆଜିଠାରୁ ତୁମ୍ଭେ ଭୁଜା ନ ବିକିବ କ‌ହିଲି ଆହେ ଗୋସାଇଁ ।

କଇବର୍ତ୍ତୀ ବାକ୍ୟ ଶୁଣିଣ ରାଜନ ମନେ ମନେ ବିଚାରନ୍ତି,
ଚିହ୍ନିଲା ଆମ୍ଭଙ୍କୁ ଆଜ ଏହୁ ନାରୀ ମନେ ଗୁରୁଙ୍କୁ ଚିନ୍ତନ୍ତି ।

ସେଠାରୁ ଆସନ ପଦାରେ କରିଣ ରହିଲେକ ଗୋବିନ୍ଦାଇ,
ଚାରି ବରଷ ଯେ ସମ୍ପୁର୍ଣ୍ଣ ହୁଅନ୍ତେ ଗୁରୁ ମିଳିଲେକ ତାହିଁ ।

ଗୁରୁଙ୍କୁ ଦେଖିଣ ଆସନୁ ଉଠିଣ ଆଦେଶ ଆଦେଶ ବୋଲେ,
ଚରଣେ ପଡ଼ନ୍ତେ ଅତି ଆନନ୍ଦରେ ଗୁରୁ କଲ୍ୟାଣ କରିଲେ ।

ସିଦ୍ଧ ହୋଇ ବଇକୁଣ୍ଠରେ ବସିଣ ଅମର ହୁଅ ବୋଇଲେ,
ରାଢ଼ୀଆଣୀ ଦେଖି ତକ୍ଷଣେ ଗୁରୁଙ୍କ ପାଦେ ବିନୟ ହୋଇଲା ।

ଖଣ୍ଡେ ଦୂର ବୁଢ଼ୀ ଗଡ଼ି ଗଡ଼ି ଆସି ହାଡ଼ିପା ପାଦେ ପଡ଼ିଲା,
ପୁଣିଆଜ୍ଞା ପାଇ ତକ୍ଷଣେ ସେ ଉଠି କର‌ଯୋଡ଼ି ଉଭା ହେଲା ।

କଇବର୍ତ୍ତୀ ଚାହିଁ ହାଡ଼ିପା ଯେ କ‌ହି ଶୁଣ ଆଲୋ ନାରୀବର,
କି କି ଅନ୍ୟାଚାର ଦେଖିଲ ଏହାର ଫେଡ଼ି କ‌ହ ହେ ସତ୍ତ୍ୱର ।

ରାଢ଼ୀଆଣି ତ‌ହିଁ କର ଯୋଡ଼ି କରି ବଚନ ସଧିରେ କ‌ହେ,
ଅନ୍ୟାଚାରୀ ଏହି କେବେ ଯେ ନୁହଇଁ କି କ‌ହିବି ମହାଶୟେ ।

ପଚାରିଲେ କଥା ଉତ୍ତର ଦିଅନ୍ତି ମୁଖପୋତି ବସିଥାନ୍ତି,
ସେଠାରୁ ଯେ କେଉଁଠାରେ ନ ଗମନ୍ତି ଶୁଣୁଥାନ୍ତି ଦିବା ରାତି ।

ନୁହଁଇ ଅଚଳ ଚିତ୍ତ ଯେ ୟାଙ୍କର ସିଦ୍ଧ ପରୁଷ‌ଟି ଏହି,
ଅନ୍ୟାଚାର କଥା କିଛି ନ ଦେଖିଲି ଫେଡ଼ି କ‌ହିଲି ଗୋସାଇଁ ।

ଗୁରୁ ଶିଷ୍ୟ ଦୁହେଁ ମେଲାଣି ହୋଇଣ ସେଠାରୁ ଚଳିଣ ଗଲେ,
ବାଟରେ ଯାଆନ୍ତେ ଗୋବିନ୍ଦଚନ୍ଦ୍ରକୁ ହାଡ଼ିପା ଯେ ପୁଚ୍ଛାକଲେ ।

ନିଜର ରାଜ୍ୟାକୁ ଚାଲ ହେ ରାଜନ ମାତାକୁ ଦେଖିବୁ ତୁହି,
ରାଜ୍ୟ ସିଂହାସନ ଭଣ୍ଡାର ସକଳ କେମନ୍ତେ ଅଛଇ ରହି ।

ନୃପତି ବୋଇଲେ ତ‌ହିଁରେ ମୋହର କିସ କାର୍ଯ୍ୟ ଆଉ ଅଛି,
ରାଜ୍ୟ ସିଂହାସନ ନାରୀ ଯେ ସକଳ ଏହା ମୁଁ ଅଛି ମୁରୁଛି ।

ହାଡ଼ିପା କ‌ହ‌ନ୍ତି ମାତାଙ୍କୁ ତୁମର ରାଜ୍ୟରେ ଭେଟ କରାଇ,
ଶୀଘ୍ର ଯେ ଆସିବି କେହି ନ ଦେଖିବେ ଚାଲ ତୁହି ଗୋବିନ୍ଦାଇ ।

ଗୁରୁ ଶିଷ୍ୟ ଦୁହେଁ ସତ୍ତ୍ୱର ଆସିଲେ ନିଶିରେ ରାଜ୍ୟେ ପ୍ରବେଶ,
ସିଂହଦ୍ୱାରେ ରହି ଗୋବିନ୍ଦକୁ କ‌ହି ଯାଅ ତୁହି ମାତା ପାଶ ।

ନିଦ୍ରାରେ ସମସ୍ତେ ମୋହ ଯେ ଅଛନ୍ତି ଉଜାଗର କେହି ନାହିଁ,
ଅନ୍ତଃପୁରେ ଯାଇ ମାତା ପୁତ୍ର ଦୁଇ ଭେଟ ହୁଅ ଶୀଘ୍ର ହୋଇ ।

ରାଣୀ ମହାଦେଈ ମୁଦୁସୁଲୀମାନେ ଆଉ ଯେତେ ଛନ୍ତି ରହି,
କାହାରିକୁ ଦେଖା ନ ଦେଇ ଗୋବିନ୍ଦ ଆସିବୁଟି ବେଗ ହୋଇ ।

ନୃପତି ବୋଲନ୍ତି କବାଟ କିଳିଣୀ ନିଗୁଡ଼େ ବନ୍ଦ ରହିଛି,
କେଉଁ ପରକାରେ କେମନ୍ତ ବାଟରେ ଯିବି ମୁଁ ଚିତ୍ତେ ଭାବୁଛି ।

ଶୁଣିଣ ଯେ ଗୁରୁ କବାଟରେ କର ଲଗାଇଣ ବେଗେ ଦେଲେ,
ଭିତର ବାହାର ସକଳ ଫିଟିଲା ନୃପତି ତ‌ହୁଁ ଚଳିଲେ ।

ସିଂହଦ୍ୱାରେ ଗୁରୁ ମାଡ଼ିଣ ବସିଲେ ମାତାପାଶେ ଗୋବିଦାଇ,
ସେଠାରେ ପ୍ରବେଶ ହୋଇଣ ଗୋବିନ୍ଦ ଜାଗିଲା ଜାଗିଲା କ‌ହି ।

ରତ୍ନ ପଲଙ୍କରେ ମାତା ଶୋଇଥିଲେ ଜାଗିଲା ଜାଗିଲା ଶୁଣି,
ଧାତିକାରେ ସେହୁ ପଲଙ୍କୁ ଉଠିଣ ବଚନ କ‌ହ‌ନ୍ତି ପୁଣି ।

ତୁହି କି ମୋହର ଅଟୁରେ କୁମର ଗୋବିନ୍ଦଚନ୍ଦ୍ର ରାଜନ,
ମାତାଙ୍କ ଚରଣ ତଳରେ ପଡ଼ିଲା ଶୁଣି ତାହାଙ୍କ ବଚନ ।

ସିଦ୍ଧଲୋକ ଜପି କଲ୍ୟାଣ ବାଞ୍ଛିଲେ ତ‌ହୁଁ ସେ ମୁକୁତା ଦେଈ,
ଗୁରୁ ଯେ ତୋହର କେଉଁଠାରେ ଛନ୍ତି ଆସିଲୁ ତୁ ଏକା ହୋଇ ।

କୁମର କ‌ହଇ ସିଂହଦ୍ୱାରେ ଗୁରୁ ବସି ଅଛିନ୍ତି ମୋହର,
ବସରେ କୁମର ବୋଲିଣ ଯେ ମାତା ଗଲେକ ଭିତର ପୁର ।

ଅନ୍ନ ଆଣି ପୁତ୍ରେ ଦେଇଣ କ‌ହିଲେ ଭୁଞ୍ଜରେ କୁମରମଣି,
ରାଜନ କ‌ହଇ ଲବଣ ଗୋଟିଏ ଦିଅ ଗୋ ମୋର ଜନନୀ ।

ମୁକୁତା କ‌ହ‌ନ୍ତି କି ଯୋଗ ସାଧିଲୁ ବାର ବରଷ ଯେ ହେଲା,
ଲୁଣ ନ ଛାଡ଼ିଲୁ ମାୟା ଚାରି ସଙ୍ଗେ ବିଅର୍ଥରେ ଦିନ ଗଲା ।

ଭଲା ସେହି ଗୁରୁ କି ଜ୍ଞାନ ସେ ଦେଲେ ଏହା କ‌ହି ଲୁଣ ଦେଇ,
ଭୁଞ୍ଜିଲେ ଗୋବିନ୍ଦ ବିରସ ମନରେ ଅଛନ୍ତି ଯେ ତ‌ହିଁ ରହି ।

ଜନନୀ କ‌ହ‌ନ୍ତି ଶୁଣରେ କୁମର ଅନ୍ନ ଲବଣ ଛାଡ଼ିବୁ,
ଦେଶେ ଦେଶେ ବୁଲି ପବନ ଆହାରେ ଅମର ପଦ ଲଭିବୁ ।

ଏତେକ ବୋଲିଣ ମାତା ପୁତ୍ର ଦୁହେଁ ଚଳିଲେ ଗୁରୁଙ୍କ ପାଶ,
ସିଂହଦ୍ୱାରେ ମିଳି ଆଦେଶ ଆଦେଶ କଲେ ମୁକୁତା ପ୍ରକାଶ ।

ଚରଣେ ପଡ଼ିଣ ବୋଲନ୍ତି ସେ ରାଣୀ ଶୁଣ ତୁମ୍ଭେ ମହାଗୁରୁ,
ଦ୍ୱାଦଶ ବରସ ହେଲା ଯେ ଗୋବିନ୍ଦ ଶିକ୍ଷାକଲା ତୁମ୍ଭଠାରୁ ।

କି ଯୋଗ ସାଧିଲା କି ଜ୍ଞାନ ପାଇଲା ଲବଣ ତ ଛାଡ଼ିନାହିଁ,
ଲବଣ ସକାଶେ ମାଉଁସ ଝଡ଼ିବ ଏ କଥା ପୁରାଣେ କ‌ହି ।

ସର୍ବ ସ୍ୱାଦମାନ ଯେବେ ନ ଛାଡ଼ିବ କେଉଁ ସିଦ୍ଧିକୁ0ପାଇବ,
ଏବେ ଏହିକ୍ଷଣି ପୁତ୍ରକୁ ମୋହର ଘେନିଯାଅ ପୁତ୍ର ଧ୍ରୁବ ।

ଅନ୍ନ ଭୋଗଆଦି ସକଳ ଛାଡ଼ିବ ପବନ କରୁ ଆହାର,
ତାହା ଯୋଗେ ସିଦ୍ଧ ଅଙ୍ଗ ଯେ ହୋଇବ ନ ଜାଣ କି ମୁନିବର ।

ହାଡ଼ିପା କ‌ହ‌ନ୍ତି ଶୁଣ ଗୋ ମୁକୁତା ବୁଝାଇ କ‌ହିବା ତୋତେ,
ଆଡ଼େ ଆଡ଼େ କରି ସିନା ଯେ ଛାଡ଼ନ୍ତି ନ ବିଚାରୁ ତୁହି ଚିତ୍ତେ ।

ମାତା ତୋ ପୁତ୍ରକୁ ଭେଟାଇବା ପାଇଁ ସଙ୍ଗେ ଘେନିଣ ଆସିଲି,
ପ୍ରତ୍ୟକ୍ଷେ ଜାଣିବୁ ଆର ଲେଉଟାଣି ସିଦ୍ଧ କି ଅସିଦ୍ଧ ବୋଲି ।

ଗୁରୁଙ୍କ ବଚନ ଶୁଣିଣ ସେ ରାଣୀ ଭିତର ପୁରକୁ ଗଲେ,
ଗୋବିଦଚନ୍ଦ୍ରକୁ ଘେନିଣ ହାଡ଼ିପା ତ‌ହିଁ ବେଗେଣ ଚଳିଲେ ।

ରଜନୀ ପାହାନ୍ତେ ରୋଦମା ଆଗରେ ଗୋଦମା କ‌ହଇ ପୁଣ,
ସ୍ୱପନ ଦେଖିଲି କାଲି ନିସିଥାରେ ଆସିଥିଲେ ପ୍ରାଣଧନ ।

ମାତାଙ୍କ ପାଶରେ ଭେଟ ହୋଇକରି ବ‌ହ‌ନ ସେ ଚଳିଗଲେ,
ନିଦ୍ରା ଯେ ଭାଙ୍ଗନ୍ତେ କାହିଁ କାହିଁ ବୋଲି ରୋଦିଲି ମୁହିଁ ଉଚ୍ଚରେ ।

ରୋଦମା କ‌ହଇ ଶୁଣ ଲୋ ଜନନୀ ସେ କଥା ଅଟେ ପ୍ରମାଣ,
କାଲି ରଜନୀରେ ସ୍ୱପନେ ମୋହର ପଲଙ୍କେ ଥିଲେ ରାଜନ ।

କେତେକ ରହସ୍ୟ ବଚନ କ‌ହିଲେ ମୋହ ସଙ୍ଗେ ସେହି ପୁଣି,
କେତେ ଉପଦେଶ ବୁଝାଇ କ‌ହିଲେ କି କ‌ହିବି ସପତଣୀ ।

ଏମନ୍ତ ଯେ ତ‌ହିଁ ରୋଦନ କରନ୍ତି ପୁଣି ସର୍ବ ନାରୀମାନେ,
ରୋଦନ ଶବଦ ଶୁଣିଣ ସମସ୍ତେ ଦଉଡ଼ିଲେ ପ୍ରଜାମାନେ ।

ମୁକୁତା ଦେଈ ଯେ ନବରୁ ବାହାରି ବଧୁଙ୍କୁ ପ୍ରବୋଧ ଦେଲେ,
ଆଉ ଚାରିମାସ ଚାହଁ କିନା ତୁମ୍ଭେ ରାଜନ ଆସିବେ ଭଲେ ।

ଶୁଣି ରାଣୀମାନେ ବଚନ ବୋଲନ୍ତି ବାର ବରଷ ହୋଇଲା,
କେମନ୍ତ ପ୍ରକାରେ ତାହାଙ୍କୁ ଭେଟିବୁ ଏ କଥା ମନେ ନ ଗଲା ।

ମୁକୁତା ବୋଲନ୍ତି ଶୁଣ ଆଗୋ ମାଏ ନିଶ୍ଚେ କୁମର ଆସିବ,
ରାଜ୍ୟ ସିଂହାସନ ସକଳ ସମ୍ପତ୍ତି ସେ ସିନା ଭୋଗ କରିବ ।

ଶାଶୁଙ୍କ ବଚନ ଶୁଣି ରାଣୀମାନେ ସନ୍ତୋଷେ ତ‌ହୁଁ ରହିଲେ,
ଏଥୁ ଅନନ୍ତରେ ଗୁରୁ ଶିଷ୍ୟ ଦୁହେଁ ଯେବଣ ଚରିତ କଲେ ।

ବଙ୍ଗ ଦେଶ ଯାନ୍ତେ ହାଡ଼ିପା ବାଟରେ କ‌ହ‌ନ୍ତି ରେ ଗୋବିନ୍ଦାଇ,
ମାଆ ଯେ ତୋହର ଆମ୍ଭଙ୍କୁ ବାଛିଲା କର୍ଣ୍ଣେ ଶୁଣିଅଛୁ ତୁହି ।

ବାର ବର୍ଷ ହେଲା କି ଯୋଗ ସାଧିଲୁ କି କି ଶିକ୍ଷା କ‌ହିଦେଇ,
ସାଧନା ଅସାଧ୍ୟ ସେହୁ ସେ କରଇ ଗୁରୁରେ କି ଦୋଷ ହୋଇ ।

ସାଧିଲେ ଅମର ନିଶ୍ଚୟ ହୋଇବୁ ଅନ୍ନ ତୁ ବେଗରେ ଛାଡ଼ି,
ପବନ ଆହାର ନିତ୍ୟ ତୁ କରିଣ ବାହାର ଭିତରେ ଭିଡ଼ି ।

ଏମନ୍ତ କ‌ହିଣ ମୁନିବର ତ‌ହିଁ ସିଦ୍ଧମୂଳ ଚିହ୍ନାଇଲେ,
ଏହାକୂ ଖାଇଲେ ଅମର ହୋଇବୁ କ‌ହିଦେଲୁ ତୋତେ ଭଲେ ।

ଯୋଗାସନ ମନ୍ତ୍ର ଯହୁଁ ସେ କ‌ହିଲେ ବାରେଣି ମନ୍ତ୍ର ସମସ୍ତ,
ଉର୍ଦ୍ଧ୍ୱକୁ ଉଠିଣ ଯାଉଛି ପବନ ଉଜାଣିରେ ଦିଅ ଚିତ୍ତ ।

ଗୋବିନ୍ଦ ବୋଲନ୍ତି ତୁମ ପରସନେ ମୋର ଲାଉଟି ସରିଲା,
ଅଳ୍ପ ଅନ୍ନ ତ‌ହିଁ ଧରିବାକୁ ନାହିଁ ଚିତା ପରାୟେ ରହିଲା ।

ଆଜ୍ଞା ଦେଲେ ତୁମ୍ଭେ ଏହାକୁ ନେଇ ମୁଁ ଜଳରେ ଭସାଇ ଦେବି,
ଆଜିଠାରୁ ଜଳ ଅନ୍ନ‌କୁ ଛାଡ଼ିଣ ପବନ ମୁହିଁ ଭକ୍ଷିବି ।

ଗୁରୁଙ୍କ ଆଜ୍ଞାରେ ଜଳରେ ପକାଇ ତ‌ହୁଁ ସେ ଚଳିଣ ଗଲେ,
ଅରଣ୍ୟ ଡିଙ୍ଗର ପର୍ବତ ପଥରେ ରାତ୍ର ଦିନ ସେ ଗମିଲେ ।

ଡାହାଣ ଆବର୍ତ୍ତ ହୋଇଣ ହାଡ଼ିପା ବେଗେ ଗମନ କରନ୍ତି,
ଅନ୍ନ ଛାଡ଼ିବାର କେତେକ ଦିନରେ ଗୋଷ୍ଠେ ଯାଇଣ ମିଳନ୍ତି ।

କ୍ଷୀର ପାନ‌କରି ତ‌ହୁଁ ସେ ଯାଇଣ ମିଳିଲେ ସାଗର ପାଶ,
କୋମଳ ପଲ୍ଲବ ଫଳ ମୂଳ ଖାଇ ରହିଲେ କେତେ ଦିବସ ।

ଗୁରୁଙ୍କୁ ଗୋବିନ୍ଦ ଚାହିଁଣ ବୋଲନ୍ତି ସ୍ୱାମୀ ଶୁଣ ମୋ ଉତ୍ତର,
ଯେଉଁଦିନ ମୁହିଁ ବଙ୍ଗଦେଶେ ଥିଲି ଆସୁଥାନ୍ତି ଦ୍ୱିଜବର ।

କ‌ହ‌ନ୍ତି ଯେ ସେହି ସପତ ସାଗର ସପତ ଦୀପଟି ଅଛି,
କେମନ୍ତ ପ୍ରକାରେ ତାହା ମୁଁ ଦେଖିବି ପାଦେ ତୁମର ପଡ଼ୁଛି ।

ଏମନ୍ତ ବୋଲିଣ ଗୋବିନ୍ଦ ଚନ୍ଦ୍ର ଯେ ଗୁରୁଙ୍କ ପାଦେ ଲୋଟଇ,
ଉଠ ବାବୁ ସପ୍ତ ଦୀପ ସପ୍ତ ସିନ୍ଧୁ ଦେଖାଇ ଦେବିଟି ମୁହିଁ ।

କେମନ୍ତ ବୁଲିବୁ ଆଦେଶ ନ ହେଲେ ଚୌରାଶି କାଠି ଗଭୀର,
ସୁରା ଦୁଗ୍‌ଧ ଦ‌ଧି ଲବଣ ଯେ ଘୃତ ଇକ୍ଷୁ ସ୍ୱଚ୍ଛ ଯେ ଆବର ।

ଆସ ଆସ ପୁତ୍ର ବୋଲିଣ ସେଠାରୁ ପାଦୁକା ମନ୍ତ୍ର କ‌ହିଲେ,
ଏହି ମନ୍ତ୍ର ବଳେ ଯେଣେ ଇଚ୍ଛା ତୋର ପଥ ଚଳିବୁଟି ଭଲେ ।

ଆବର ଅଞ୍ଜନ ମନ୍ତ୍ର କ‌ହିଦେଲେ ନିଶାରେ ଶତ ଯୋଜନ,
ଦୃଷ୍ଟିରେ ଦିଶିବ ସନ୍ୟାସ ମନ୍ତ୍ରକୁ ଘେନ ଗୋବିନ୍ଦ ରାଜନ ।

ଏ ମନ୍ତ୍ର ଜାଣିଲେ ସ୍ୱର୍ଗ ମର୍ତ୍ତ୍ୟପୁର ପାତାଳକୁ ଉଡ଼ିଯିବୁ,
ଯେଣେ ଇଚ୍ଛା ତୋର ଗମ ତୁ ରାଜନ ସକଳ ତୁହି ଦେଖିବୁ ।

ଆବର ମନ୍ତ୍ରେକ ଅଛଇ ରାଜନ ଶୁଣ ତୁମ୍ଭେ ମନ ଦେଇ,
ଅନ୍ନପୂର୍ଣ୍ଣା ମନ୍ତ୍ର ତୋତେ କ‌ହି ଦେଲୁ ଅଳ୍ପକେ ପୂର୍ଣ୍ଣ ହୁଅଇ ।

ଆପଣା ଗାତ୍ରକୁ ତୀର୍ଥ ଜଳେ ଧୋଇ ତଣ୍ଡୁଳ ଗୋଟିଏ ଦେବ,
ଏ ମନ୍ତ୍ରକୁ ପଢ଼ି ଅଗ୍ନିରେ ବସାନ୍ତେ ସିଦ୍ଧ ଅନ୍ନ ସେ ହୋଇବ ।

ଲକ୍ଷ ଲକ୍ଷ ଲୋକ ଖାଇଲେ ସେ ଅନ୍ନ ଭଣ୍ଡାର କେଭେ ନ ସରେ,
ଏହି ମନ୍ତ୍ର ତୁହି ଦୃଢ଼ରେ ରଖିଲେ ଯଶ ହେବ ସବୁଠାରେ ।

କୁହୁକ ମନ୍ତ୍ରକୁ କ‌ହୁଅଛୁ ଏବେ ଶୁଣ ତୁହି ଗୋବିନ୍ଦାଇ,
ଏ ମନ୍ତ୍ର ପଢ଼ିଣ ଯେଣେତେଣେ ଗଲେ ତୋତେ ନ ଦେଖିବେ କେହି ।

ଆବର ମନ୍ତ୍ରକୁ ନିଅ ହେ ଗୋବିନ୍ଦ ଅକାଟ ସେହୁ ଅଟଇ,
ଖଡ଼ଗେ କାଟିଲେ ବଜ୍ରରେ ପିଟିଲେ ତୋର କିଛି ହେବ ନାହିଁ ।

ଆଜିଠାରୁ ତୋର ବଜ୍ର ଅଙ୍ଗ ହେଉ ସିଦ୍ଧ ହେଉ ତୋ ତପସା,
ଯେଉଁ ଉପଦେଶ ଆମ୍ଭେ ତୋତେ ଦେଲୁ ନ କ‌ହ ବେଗେ ମନିଷା ।

ଏମନ୍ତ ପ୍ରକାରେ ଅନେକ ଯେ ମନ୍ତ୍ର ଗୁରୁ ତାଙ୍କୁ କ‌ହିଦେଲେ,
ଗୋବିନ୍ଦ ଚନ୍ଦ୍ର ଯେ ହରଷ ମନରେ ସବୁ ମନ୍ତ୍ରକୁ ଶିଖିଲେ ।

ଗୁରୁ ଶିଷ୍ୟ ଦୁହେଁ କୃଷ୍ଣାଜିନ ନେଇ ସମୁଦ୍ର ଜଳେ ମେଲିଲେ,
ଦୁହିଙ୍କ ଆସନେ ଦୁଇଜଣ ବସି ସପ୍ତସିନ୍ଧୁ ଯେ ତରିଲେ ।

ପବନ ଆଶ୍ରାରେ ବିଜୁଳି ପ୍ରକାରେ ଚଳଇ ସେହୁ ଆସନ,
କ୍ଷଣକ ମଧ୍ୟରେ ପ୍ରବେଶ ହୋଇଲେ ସିଂହଳ ଦ୍ୱୀପରେ ଜାଣ ।

ହାଡ଼ିପା କ‌ହ‌ନ୍ତି ଏ ଦ୍ୱୀପ ମହିମା ଶୁଣ ତୁହି ଗୋବିନ୍ଦାଇ,
ପଞ୍ଚମ ସ‌ହସ୍ର ଆଡ଼ ଦୀର୍ଘ ଏଥି ଅନେକ ତୀର୍ଥ ଅଛଇ ।

ତ‌ହିଁ ଅନ୍ତରୀକ୍ଷେ ଗମନ କରିଣ ଗୁରୁ ଶିଷ୍ୟ ଦୁହେଁ ଗଲେ,
କୁଶଦ୍ୱୀପରେ ପ‌ହଞ୍ଚି ସେ ଦୁଇ ତ‌ହିଁ ସେ ଦିନ ରହିଲେ ।

ଚାରି କୋଷ ସେହି କୁଶସ୍ଥଳୀ ଅଟେ ଶୁଣ ଆହେ ବୋବିନ୍ଦାଇ,
ହୀରା ନୀଳା ମୋତି ମାଣିକ୍ୟ ବୈଡୁର୍ଯ୍ୟ ଏ ସ୍ଥାନେ ସବୁ ମିଳଇ ।

ତ‌ହୁଁ ଯେ ପାଦୁକା ମନ୍ତ୍ରକୁ ପଢ଼ିଣ ରମ୍ୟକ ଦ୍ୱୀପେ ରହିଲେ,
ଏହିପରି କ୍ରମେ କ୍ରମେ ଗୁରୁଶିଷ୍ୟ ସପ୍ତଦ୍ୱୀପକୁ ଭ୍ରମିଲେ ।

ଯେତେ ଦ୍ୱୀପେ ଯେଉଁ ତୀର୍ଥମାନ ଥିଲେ ସେ ତୀର୍ଥମାନଙ୍କୁ କରି,
ପୁଣି ସମୁଦ୍ରର କୂଳ ଉପସ୍ଥିତ ହେଲେ ତ‌ହୁଁ ତପଚାରୀ ।

ଗୋବିନ୍ଦଚନ୍ଦ୍ର ଯେ ହରଷେ ବୋଇଲେ ନିସ୍ତରିଲି ନିସ୍ତରିଲି,
ତୁମ୍ଭର ପ୍ରସାଦେ ମନ ପବନ‌କୁ ନେତ୍ର ପଥରେ ଦେଖିଲି ।

ଛାଡ଼ିଲି ମୁଁ ଚିନ୍ତା ସକଳ ବ୍ୟବସ୍ଥା ମନେ ମୋର ଦୁଃଖ ନାହିଁ,
କ୍ଷଣକ ଭିତରେ ସପତ ସମୁଦ୍ର ସପ୍ତଦ୍ୱୀପ ବୁଲିବଇଁ ।

ମାତାଙ୍କୁ ପ୍ରଶଂସା କରନ୍ତି ଗୋବିନ୍ଦ ଧନ୍ୟ ଧନ୍ୟ ଲୋ ଜନନୀ,
ତୋହ ବୁଦ୍ଧି ବଳେ ଜଗତ ମଧ୍ୟରେ ହୋଇଲି ମୁହିଁ ଅଗ୍ରଣୀ ।

ଗୁରୁଙ୍କୁ ଚାହିଁଣ ଗୋବିନ୍ଦ କ‌ହଇ ଶୁଣ ଆହେ ଗୁରୁଦେବ,
ଦଣ୍ଡ ସିଂହାସନ କିସ ସେ ହୋଇବ ୟାଠାରୁ କେଉଁ ଦୁର୍ଲ୍ଲଭ ।

ହସ୍ତୀ ଘୋଡ଼ା ଆଦି ଧନ ଯେ ସମ୍ପତ୍ତି ମାୟା ମୋହ ଅଟେ ସେହି,
ମାୟାରେ କାୟାଯେ ଭସ୍ମ ହୋଇଯିବ ଏ କଥାକୁ ବୁଝିଲଇଁ ।

ଅବଶ୍ୟ ଏ କାୟା ଭସ୍ମ ହୋଇଥାନ୍ତା କି କରନ୍ତେ ପ୍ରଜା ଜନ
ରୋଦମା ଗୋଦମା ଆଦି ନାରୀମାନେ ରଖନ୍ତେ କି ମୋର ପ୍ରାଣ ।

ଅସାଧ୍ୟକୁ ମୁହିଁ ସାଧ୍ୟ ଯେ କରିବି ମନପବନ ନିରୋଧି,
ଦୃଢ଼ବନ୍ଧେ ତାକୁ ବାନ୍ଧି ତାକୁ ବାନ୍ଧି ରଖିଅଛି ଶୁଣ ମୋ ବଚନ ସିଦ୍ଧି ।

ଗୁରୁ ଯେ ବୋଇଲେ ସିଦ୍ଧ ତୁ ହୋଇଲୁ ପାଇଲେ ବ‌ହୁ କାରଣ,
ଏବେ ଦିଗେ ଦିଗେ ବିଜେ କରିଯିବା ଚାଲ ତୁହି ହେ ରାଜନ ।

ସିନ୍ଧୁ କୁଳ ବୁଲି ବୁଲି ଯାଉଛନ୍ତି ଗୁରୁଚେଲା ଦୁଇଜଣ,
ଯୋଗାନ୍ତ ଧାରଣେ ରାଜନ‌କୁ କିଛି କଷ୍ଟ ନ ବାଧଇ ମନ ।

ଗଣ୍ଡୁକୀ ଗୋମତୀ କେଦାର ଯେ ତୀର୍ଥ ଗଉତମରେ ମିଳିଲେ,
ଚିତ୍ରତ୍ପଳା ବଇତରଣୀ ସଙ୍ଗମ ଗଙ୍ଗାଠାରେ ପ‌ହ‌ଞ୍ଚିଲେ ।

ସେହୁ କୁଶଭଦ୍ରା ଉତ୍ତର ବାହିନୀ ସରସ୍ୱତୀ ଯେ ନର୍ମଦା,
ଅଯୋଧ୍ୟା, ମଥୁରା ବୃନ୍ଦାବନ ଆଦି କାଶୀ କ୍ଷେତ୍ରେ ହେଲେ ସିଦ୍ଧା ।

କପିଳାସ ଗଲେ ଗୌହାଟୀ ଦେଖିଲେ ଈଶ୍ୱର ଈଶ୍ୱରୀ ପୁଣ,
ସେଠାରୁ ଦର୍ଶନ କରିଣ ଆସିଲେ ଶୁଦ୍ଧ ମନେ ଦୁଇଜଣ ।

ଏହିମତେ ନାନା ତୀର୍ଥ ଯେ ଭ୍ରମିଣ ସର୍ବ ସ୍ଥାନ‌କୁ ଦେଖିଲେ,
କ୍ଷଣକେ ବିଶ୍ରାମ ନାହିଁ ଦୁଇଜଣ ଦ୍ୱାଦଶ ବର୍ଷ ଭ୍ରମିଲେ ।

ବୋଲନ୍ତି ହାଡ଼ିପା ଶୁଣ ଆହେ ବାପା ବଙ୍ଗ ଦେଶକୁ ଦେଖିବା,
କିପରି ଅଛନ୍ତି ଜନନୀ ତୋହର ସେଠାରେ ତୋତେ ଛାଡ଼ିବା ।

ଗୋବିନ୍ଦ ବୋଇଲେ ଶୁଣ ମହାଗୁରୁ ମୋହର ଯେ ଇଚ୍ଛା ନାହିଁ ,
ତୁମ୍ଭ ଅନୁଗ୍ରହେ ସକଳ ଦେଖିଲି ରାଜ୍ୟ ମୁଁ ଛାଡ଼ି ଅଛଇ ।

ନଗର ବାହାରେ ଜଗତିରଠାରେ ପ୍ରବେଶ ହୋଇଲେ ଯାଇ,
ଦେଖିଲେ ଯେ ନଗ୍ର ଅଟାଳି ମଣ୍ଡପ ଭଗ୍ନ ତ ହୋଇ ଅଛଇ ।

ପ୍ରଜାଙ୍କର ଘର ନାହିଁ ଯେ କାହାର ହୋଇଛି ଶ୍ମଶାନ ପରି,
ମୃଗ ବ୍ୟାଘ୍ର ଗଣ୍ଡା ଅନେକ ଅଛନ୍ତି ତହିଁରେ ଯେ ବାସ କରି ।

କୂପ ବାମ୍ଫି ବାଣି ପୁସ୍କରିଣୀ ଅଛି କାହିଁରୁ ଜଳ ନ ସରେ,
ଛାଡ଼ିଗଲେ ପ୍ରଜା ଗୁରୁଯେ ବୋଲନ୍ତି ଦେଖ ତ ନଗ୍ର ଭିତରେ ।

କଟକ ବୁଲିଣ ଉଆସେ ପଶିବୁ ମାତାଙ୍କୁ ତୋ ପଚାରି,
ସନ୍ଦେଶ ନିଝିବୁ ରାଣିମାନଙ୍କର ମାତାଙ୍କୁ ତୋର ପଚାରି ।

ଗୁରୁଙ୍କ ବଚନ ପାଇଣ ରାଜନ ଶୁନ୍ୟେ କରିଣ ଗମନ,
ଦେଖିଲା କଟକ ତାର ନାରଖାର ଶୁନ୍ୟ ସକଳ ଭୁବନ ।

ପାଚେରୀ ଅଟ୍ଟାଳି ଆଦିକରି ଯେତେ ସବୁ ଯେ ଭଗ୍ନ ହୋଇଛି,
ସିଂହଦ୍ୱାରେ ଯାଇ ପ୍ରବେଶ ହୋଇଲେ ରାଢ୍ୟାଣୀ ଗୃହ ଦିଶୁଛି ।

ଜାଗିଲା ଜାଗିଲା ମାତା ବୋଲିକରି ଗୋବିନ୍ଦଚନ୍ଦ୍ର ଡାକଇ,
ଘରର ଭିତରେ ଥାଇଣ ସୁମତୀ କର୍ଣ୍ଣରେ ଶୁଣିଲା ସେହି ।

ହସ୍ତେ ଭିକ୍ଷା ମୁଠି ଧରି କଇବର୍ତ୍ତୀ ବାହାର ଆସି ବୋଇଲା,
ଏ ବଡ଼ ଅନ୍ଧାର ଜାଗିଲା ଜାଗିଲା ଭିକ୍ଷା ନିଅ ଯେ ବୋଇଲା ।

ରାଜାଙ୍କ ମୁଖକୁ ନିରୀକ୍ଷ ଚାହିଁଣ ବୋଲେ କ‌ହି କଇବର୍ତ୍ତୀ,
ଯୁଗାନ୍ତର ନାଥ ଅଟ ହେ ଆପଣ କିମ୍ପା ଜଗାଇଲ ଏଥି ।

ଅନ୍ଧାର ରାତିରେ ଭିକ୍ଷା ନ ନେଉଛ ମନର କି କଥା କୁହ,
କୁଶଳ ବାରତା ତୁମ୍ଭର ଯେ ଅଛି ମୋଠାରୁ ବୁଝିଣ ନିଅ ।

ରାଢିଆଣୀ କଥା ଶୁଣିଣ ଗୋବିନ୍ଦ ତ‌ହୁଁ ବଚନ କ‌ହ‌ନ୍ତି,
ଏହି କଟକରେ ରାଜା ଗୋବିନ୍ଦାଇ ହୋଇଣ ଥିଲେ ନୃପତି ।

ଚବିଶ ବରଷ ଆମ୍ଭେ ଅଛୁ ଗଣି ଯୋଗୀ ହୋଇ ସେହୁ ଗଲେ,
ରାଜ୍ୟ ସିଂହାସନ ଧନ ଯେ ଭଣ୍ଡାର ସକଳ ତ୍ୟଜ୍ୟ ସେ କଲେ ।

ମାତା ମହାଦେଈ ଅନେଶ୍ୱତ ରାଣୀ ଏହିଠାରେ ଥିଲେ ରହି,
ସେମାନେ କେମନ୍ତ ପ୍ରକାରେ ଅଛନ୍ତି କ‌ହ ଲୋ ମାତା ବୁଝାଇ ।

ରାଢୀଆଣୀ କ‌ହେ ଯାହାକୁ ଖୋଜୁଛି ତୁମ୍ଭେତ ସେହି ଆପଣ,
ଏ ବଚନ ଶୁଣି ଅନ୍ତର୍ଦ୍ଧ୍ୟାନ ହେଲେ ତ‌ହୁଁ ଗୋବିନ୍ଦ ରାଜନ ।

ସୁମତୀ ରାଢ୍ୟାଣି ମନେ ବିଚାରଇ ଗୋବିନ୍ଦଚନ୍ଦ୍ରଟି ଏହି,
ପଚାରି ସମସ୍ୟା ନ ନେଇ ଚଳିଲେ ଆଉ ନ ଦେଖିବି ମୁହିଁ ।

ଭିତର ପୁରକୁ ପ୍ରବେଶ ହୋଇଲେ ଯାଇଣ ମାତାଙ୍କ ପାଶ,
ଜାଗିଲା ଜାଗିଲା ବୋଲିଣ ଗୋ ମାତା ବଚନ କଲେ ପ୍ରକାଶ ।

ହସ୍ତିଦନ୍ତ ପଲଙ୍କରେ ଶୋଇଥିଲେ ତକ୍ଷଣେ ନିଦ୍ରା ଭାଜିଲା,
ସତେ କି ଗୋବିନ୍ଦ ଆସିଲୁ ମୋହର ଯୋଗ ତୋର ସିଦ୍ଧ ଦେଲା ।

ଏତେ କ‌ହି ରାଣୀ ପୁତ୍ରକୁ ଧରିଣ ରୋଦନ ତ‌ହୁଁ କରନ୍ତି,
ବାରବରଷରେ ତୋତେ ମୁଁ ଦେଖିଲି ମୋ ନେତ୍ର ହୋଇଲା ତୃପ୍ତି ।

କ‌ହୁ କ‌ହୁ ଶୋକ ଅସମ୍ଭାଳ ହେଲା ଅଶ୍ରୁ ବ‌ହେ ଅନର୍ଗଳ,
ଶୋକ ଶାନ୍ତ କରି ପଚାରନ୍ତି ବାବୁ କ‌ହ ଗୁରୁଙ୍କ କୁଶଳ ।

ଏତେକ କ‌ହିଣ ଖନ୍ଦାଶାଳେ ଯାଇ ଅନ୍ନ ବଞ୍ଜନ ଆଣିଲେ,
ଅନ୍ନ ପରଶନ୍ତେ ଗୋବିନ୍ଦ କ‌ହଇ କି କରିବି ମାତା ନେଲେ ।

ଅନ୍ନ‌କୁ ଛାଡ଼ିଣ ପବନ ଆହାର କରୁଥାଇ ନିରନ୍ତରେ,
ଶୁଣିଣ ମୁକୁତା ବୋଲଇ କୁମର କ୍ଷୀରପାନ କର ବାରେ ।

ଶୁଣିଣ ଗୋବିନ୍ଦ ବୋଲଇ ବଚନ ପବନ ଆହାର କରି,
ବ୍ରହ୍ମାଣ୍ଡ ଯାକ ମୁଁ ଭ୍ରମଣ ଯେ କରେ ନ ଭକ୍ଷୀବି କାହା ପୁରୀ ।

ଶୁଣିଣ ହରଷ ମୁକୁତା ଦେଈ ଯେ ବୋଇଲେ ହେଲୁ ଅମର,
ଆଜିଠାରୁ ଅଜ୍ରାମର ହୋଇଥାଅ ଏହି କଲ୍ୟାଣ ମୋହର ।

ତୁମ୍ଭର ହେ ଗୁରୁ କେଉଁଠାରେ ଛନ୍ତି ଚାଲ ବାବୁ ଯିବା ତ‌ହିଁ,
ମାତା ପୁତ୍ର ଦୁହେଁ ବାହାର ହୋଇଣ ଗଲେ ଗୁରୁଙ୍କର ଠାଇଁ ।

ଭଙ୍ଗା ଦେଉଳରେ ଗୁରୁଙ୍କୁ ଭେଟିଲେ ଆଦେଶ ଆଦେଶ ବୋଲି,
ମାତା ପୁତ୍ର ହୁହେଁ ଚରଣେ ଲୋଟିଲେ ଗୁରୁ ଧଇଲେକ ତୋଳି ।

ରାଣୀ ମୁଖ ଚାହିଁ ହାଡ଼ିପା ବୋଲନ୍ତି ତୋ ପୁତ୍ର ସିଦ୍ଧ ଏଥର,
ମାତା ପୁତ୍ର ଦୁହେଁ ରାଜ୍ୟ କରୁଥାଅ ଆମ୍ଭେ ହୋଇଲୁ ବାହାର ।

ବୋଲନ୍ତି ମୁକୁତା ଆରେ ଗୋବିନ୍ଦାଇ ବୃକ୍ଷ ନାରୀକେଳ ତୋଳ,
ତୋ ବଚନ ମାନି ଆସିବ କି ନାହିଁ ଦେଖିବା ଯେ ତୋର ବଳ ।

ଶୁଣିଣ ଗୋବିନ୍ଦ ଡାକନ୍ତେ ବୃକ୍ଷକୁ ଆସି ହସ୍ତରେ ମିଳିଲା,
ଯା ଯା ବୋଲି କରି ବୋଲନ୍ତେ ତାହାକୁ ପୁଣି ନିଜସ୍ଥାନେ ଗଲା ।

ବୋଲନ୍ତି ମୁକୁତା ପଥର ଖଣ୍ଡିଏ ଧରି କର ତୁ ସୁବର୍ଣ୍ଣ,
ପଥର ଖଣ୍ଡିଏ ଧରନ୍ତେ ଗୋବିନ୍ଦ ହୋଇଲା ଅଷ୍ଟ ରତନ ।

ମୃତ୍ତିକା ମୁଠାଏ ଧରିଣ ଗୋବିନ୍ଦ ସିଦ୍ଧ ବିଭୁତି ଯେ କଲେ,
ହରଷ ହୋଇଣ ମୁକୁତା ଦେଈଯେ ଲକ୍ଷେ ଚୁମ୍ବଦାନ ଦେଲେ ।

ହାଡ଼ିପା ବୋଲନ୍ତି ଗୋବିନ୍ଦଚନ୍ଦ୍ରରେ ଆଣ ପୋତାଲାଉ ଭାତ,
ସିଦ୍ଧ ଅନ୍ନ ହୋଇ ରହିଅଛି ସେହି କାଢ଼ ଯାଇଣ ତୁରିତ ।

ଗୁରୁଙ୍କ ବଚନ ଶୁଣି ଗୋବିନ୍ଦାଇ ଖଣତି ଘେନିଣ ଖୋଳି,
ଢାଙ୍କୁଣୀ କାଢ଼ନ୍ତେ ତିଅଣ ଦେଖିଲା ପୋକ ଅଛି ମନେ ଭାଳି ।

ଆମ୍ବିଳ ବାସୁଛି ଆହେ ମହାଗୁରୁ କିସ ଏହା ମୁଁ କରିବି,
ଗୁରୁ ଯେ କ‌ହ‌ନ୍ତି ଶୁଣ ହେ ରାଜନ ମନରେ କିଛି ନ ଭାବି ।

ଆଜ୍ଞ ପରମାଣେ ଗୋବିନ୍ଦଚନ୍ଦ୍ର ଯେ ଅନ୍ନ ବ୍ୟଞ୍ଜନ ଆଣିଲେ,
ଦୁଇଗୋଟି ଭାଣ୍ଡ ହସ୍ତରେ ଘେନିଣ ଗୁରୁଙ୍କ ପାଶରେ ଦେଲେ ।

ଗୋବିନ୍ଦକୁ ଚାହିଁ ହାଡ଼ିପା କ‌ହ‌ନ୍ତି ଶୁଣ ଆହେ ନୃପସାଇଁ,
ତିଅଣେ ଲବଣ ଯେଉ ଜନ ଖାଇ ତାହାର ଯେ ମୃତ୍ୟୁ ହୋଇ ।

କରିବ ଅସାଧ୍ୟ ଅନ୍ନଟି ସାଧନ ଲୁଣ‌ଟି ଅସାଧ୍ୟ ଜାଣ,
କ୍ଷୀର ଅନ୍ନ ଦେଇ ଦୁହିଁକି ଭକ୍ଷିଲେ ସିଦ୍ଧ ହୋଇବଟି ପୁଣ ।

ଏ କଥା ମାନଙ୍କୁ ଯେ ଜନ ଜାଣଇ ଚିରକାଳ ସେ ବଞ୍ଚଇ,
ବସି ମାତା ପୁତ୍ର ସିଦ୍ଧାନ୍ନ ଭୁଞ୍ଜିଣ ଉଠିଲେ ଅମର ହୋଇ ।

ଚବିଷ ବରଷ ଅନ୍ନ ପୋତାଥିଲା ଅଗ୍ନି ସମତୁଲ ହୋଇ,
ସାମାନ୍ୟ ଅନ୍ନ‌କୁ ତିନିଜଣ‌ଯାକ ଭୁଞ୍ଜିଲେ ସନ୍ତୋଷ ହୋଇ ।

ହାଡ଼ିପା ବୋଲନ୍ତି ଶୁଣରେ କୁମର ଅମର ହୋଇ ରହିଲୁ,
ଏବେ ମାତା ପୁତ୍ର ରାଜ୍ୟ ଭୋଗକର ଏ କଥା ଆମ୍ଭେ କ‌ହିଲୁ ।

ଏହା କ‌ହି ତ‌ହୁଁ ଅନ୍ତର୍ଦ୍ଧ୍ୟାନ ହେଲେ କେହି ନ ଦେଖିଲେ ତାଙ୍କୁ,
କୈଳାସ କନ୍ଦରେ ଆମ୍ଭେ ଯାଉଅଛୁ ଇଚ୍ଛା ହେଲେ ତୋର ଯିବୁ ।

କୈଳାସ କନ୍ଦରେ ପ୍ରବେଶ ହୋଇଣ ତ‌ହିଁ ନିଶ୍ଚିନ୍ତେ ରହିଲେ,
ଗୋବିନ୍ଦକୁ ଚାହିଁ ମୁକ୍ତାଦେଇ ରାଣୀ ସଧୀରେ ବଚନ ବୋଲେ ।

ବର୍ଷ ଶେଷ ଯାଏ କୁମରମଣିରେ ଭଙ୍ଗା ଦେଉଳରେ ଥାଅ,
କୁହୁକ ଲଗାଇ ନିଶ୍ଚିନ୍ତ ହୋଇଣ ଯିବା ଆସିବାର ହୁଏ ।

ମାତାଙ୍କ ଉତ୍ତର ଶୁଣିଣ କୁମର ତ‌ହୁଁ ବୋଲନ୍ତି ବଚନ,
ମାୟାକୁ ଲଗାଇ ମୋତେ ଯେ ଚିହ୍ନିବେ ଏଠାରେ ସକଳ ଜନ ।

ନ‌ଗ୍ର ନରନାରୀ ଚିହ୍ନିବେ ସକଳେ ମାୟାରେ ହେବି ମୋହିତ,
ମାୟାଚାରୀ ହୋଇ କାହିଁକି ମୁଁ ଥିବି ଶୁଣ ଆଗୋ ମୋର ମାତ ।

ତୁମ୍ଭେ ମହାଦେଇ ଏହି ନ‌ଗ୍ରେ ଥାଅ ସନ୍ତୋଷ ହୋଇ ମନରେ,
ତୀର୍ଥ ବ୍ରତ କରି ସମୟେ ସମୟେ ଆସିବୁ ତୁମ୍ଭରି ପୁରେ ।

ଏକାନ୍ତେ ଗୋଟିଏ ତୀର୍ଥ ମୁଁ କରିବି ସପତ ଦ୍ୱୀପ ମଧ୍ୟରେ,
ସ୍ୱର୍ଗ ମର୍ତ୍ତ୍ୟ ଆଦି ପାତାଳ ଭ୍ରମିବି କ‌ହିଲି ଗୋ ମାତା ତୋରେ ।

ସପ୍ତସିନ୍ଧୁ ଲଙ୍କା ଦ୍ୱୀପସ‌ହିତରେ ମେରୁ କ୍ରୋଟରକୁ ଯିବି,
ଅସାଧ୍ୟ ସାଧନ କରିଣ ନ‌ଗର ନୟନରେ ମୁଁ ଦେଖିବି ।

ଶୁଣିଣ ଜନନୀ ବୋଲନ୍ତି ବଚନ ଯାଅରେ ତୁହି ଗୋବିନ୍ଦ,
ଏତେକ କ‌ହିଣ ଭିତର ପୁରକୁ ଚଳିଲେ ହୋଇ ଆନ‌ନ୍ଦ ।

ପୃଷ୍ଠକୁ ଦେଇଣ ଚଳନ୍ତି ଜନନୀ ଗୋବିନ୍ଦ ଉତ୍ତର ମୁଖ,
ପାଦୁକା ମନ୍ତ୍ରକୁ ମନରେ ସୁମରି ଚଳିଗଲେ ସେ ପ୍ରତ୍ୟକ୍ଷ ।

ରୋଗ ଶୋକ ଚିନ୍ତା କିଛି ମାତ୍ର ନାହିଁ ଧୀରେ ଧୀରେ ସେ ଗମନ୍ତି,
ଯେଉଁଠାଏ ଯେଉଁ ତୀର୍ଥକୁ ଦେଖନ୍ତି ତ‌ହିଁରେ ସ୍ନାନ କରନ୍ତି ।

ଦିବା ରାତ୍ର ଗମି ସପତ ଦ୍ୱୀପକୁ ଭ୍ରମିଲେ ସେହୁ ରାଜନ,
ଉତ୍ତର ଦକ୍ଷିଣ ପୁରୁବ ପଶ୍ଚିମ ଉର୍ଦ୍ଧ୍ୱ ପାତାଳ ଭୁବନ ।

କୋଟିଏକ ତୀର୍ଥ କରିଣ ସେ ପୁଣି ଜଳଧି ପୁରକୁ ଗଲେ,
କୃଷ୍ଣାଜିନ ଛାଲ ସିନ୍ଧୁରେ ପକାଇ ଗୁରୁଙ୍କୁ ସ୍ମରି ବସିଲେ ।

ପବନ ଆଘାତେ ମନ୍ତ୍ର ବଳେ ଛାଲ ଅନ୍ତରୀକ୍ଷରେ ଚଳିଲା,
ସପ୍ତସିନ୍ଧୁ ସାତ ଦ୍ୱୀପ ବୁଲି ବୁଲି ସିଂହଳ ଦ୍ୱୀପେ ମିଳିଲା ।

ଶତ‌ଯୁଣ ଦୀର୍ଘ ଅଟଇ ସେ ପୁର କି କ‌ହିବା ତା ମହିମା,
ସୁବର୍ଣ୍ଣ ପାଚେରୀ ସ୍ୱର୍ଗକୁ ଲାଗିଛି ନ ମିଳିଛି ତାର ସୀମା ।

ସବୁ ପୁର‌ଯାକ ସୁବର୍ଣ୍ଣ ରଞ୍ଜିତ ପୋହଳାର ଓରାମାନ,
କାହିଁ ତେଜପତ୍ର ସୁବର୍ଣ୍ଣ ଛାଏଣି ହୀରା ହୋଇଛି ବସାଣ ।

ସେ ଠାବରେ ଜନ ରାମ ନାମ ଗୁଣ ଗାଉଣ ଅଛନ୍ତି ନିତି,
ସେଠାରେ ରାଜନ ହରଷ ହୋଇଣ ଚଳିଲେ ହୋଇ ଝଟତି ।

ରତ୍ନାକର ପୁରେ ପ୍ରବେଶ ହୁଅନ୍ତେ ଦାଣ୍ଡେ ବରୁଣ ଦେଖିଲା,
ଚିହ୍ନି ଜଳପତି ବଚନ ବୋଲନ୍ତି ବଙ୍ଗ ଦେଶ ରାଜାପରା ।

ଦେହତ ତୋହର ଅମର ହୋଇଲା ସିଦ୍ଧଗୁରୁ ସେବା କରି,
ଜଳଧି ପୁରକୁ ଅଇଲ ରାଜନ ମାନବ ଶରୀର ଧରି ।

ଯୋଗାନ୍ତ ସାଧିଲୁ ସିଦ୍ଧ ତୁ ହୋଇଲୁ ଦେବ ସଙ୍ଗେ ସଙ୍ଗୀ ହେଲୁ,
ରହ ଚତୁର୍ମାସ୍ୟା ମୋହର ପୁରରେ ଗୋବିନ୍ଦ ତୋତେ କ‌ହିଲୁ ।

ବୋଲନ୍ତି ଗୋବିନ୍ଦ ଶୁଣ ହେ ବରୁଣ ଲେଉଟାଣି ମୁଁ ଆସିବି,
ତୁମ୍ଭ ନିକଟରେ କିଛି ଦିନ ରହି ଦେଶ ଭ୍ରମଣକୁ ଯିବି ।


ଶୂନ୍ୟସ୍ଥାନେ ମନ୍ତ୍ର ପଢ଼ିଣ ଗୋବିନ୍ଦ ଅନ୍ତର୍ଦ୍ଧ୍ୟାନ ତ‌ହୁଁ ହେଲେ,
ଶନ୍ୟେ ଶୂନ୍ୟେ ଭ୍ରମି ଅଳକା ଭୁବନେ ଯାଇ ପ୍ରବେଶ ହୋଇଲେ ।

ନ‌ଗର ପଶ୍ଚିମେ ମଣ୍ଡପ ଦେଖିଲେ ସୁବର୍ଣ୍ଣେ ସେହୁ ନିର୍ମିତ,
ଅଭୟା ଭଣ୍ଡାର କର୍ପୂର ଯେ ଅତି ଅଷ୍ଟ ରତ୍ନରେ ଜଡ଼ିତ ।

ଷଡ଼ଋତୁ ଯାକ ସେଠାରେ ରହିଲେ ତାଙ୍କୁ କେହି ନ ଦେଖିଲେ,
ମଣ୍ଡପ ଦୁଆରେ କୁବେର ପୁରକୁ ଆନନ୍ଦ ହୋଇ ଚଳିଲେ ।

କୁବେର ଗୋବିନ୍ଦଚନ୍ଦ୍ରକୁ ଚିହ୍ନିଣ ବଚନମାନ କ‌ହ‌ନ୍ତି,
ଜନମ ମରଣ ସିଦ୍ଧ କଲୁ କାୟେ ପାଇଲୁ କେତେ ବିଭୁତି ।

ଆମ୍ଭପୁରେ କିଛିଦିନ ରହ ରାଜା ସେବା ଯେ ମୁହିଁ କରିବି
ମନେ କିଛି ଆନ ନ ଧର ହେ ବାବୁ ଯାହା ଚାହଁ ତାହା ଦେବି ।

କୁବେର ବଚନ ଶୁଣିଣ ରାଜନ କ‌ହ‌ନ୍ତି ବିନୟ ବାଣୀ,
କିଛି ଦିନ ମୁହିଁ ଭ୍ରମଣ କରିଣ ଆସିବି ଏଠାକୁ ପୁଣି ।
ଏତେ କ‌ହିକରି ଗିବିନ୍ଦଚନ୍ଦ୍ର ଯେ ବରୁଣ ପୁରେ ପ୍ରବେଶ,
ବେନିମାସ ତ‌ହିଁ ରହିଣ ଗୋବିନ୍ଦ ଭୁବନେ ହେଲେ ପ୍ରବେଶ ।

ଅମର ସଭାରେ ମିଳନ୍ତେଣ ସେହୁ ଇନ୍ଦ୍ର ପାଶକୁ ରାଈଲେ,
ବଙ୍ଗଦେଶ ସାଇଁ ଅଟ ହୋ ଗୋବିନ୍ଦ ଶଚୀପତି ପୁଚ୍ଛାକଲେ ।

କିସ କାର୍ଯ୍ୟ ଅଛି ତୁମ୍ଭର ଏଠରେ କ‌ହ ଆହେ ନୃପସାଇଁ,
ଶୁଣିଣ ଗୋବିନ୍ଦଚନ୍ଦ୍ର ଯେ ବୋଲନ୍ତି ଦର୍ଶନ କରିବା ପାଇଁ ।

ସ୍ୱର୍ଗ ପୁରେ ଆସି କାରଣ ପାଇଣ ଯିବି ମୁଁ ବ୍ରହ୍ମା ପୁରକୁ,
ଇନ୍ଦ୍ର ଯେ ବୋଲନ୍ତି ସିଦ୍ଧ ଅଙ୍ଗ କଲୁ ଲଭିଣ ତୁ ହାଡ଼ିପାକୁ ।

ପ୍ରଶଂସା ପାଇଣ ରାଜା ଯେ ଉଠିଣ ଅମରପୁର ଦେଖନ୍ତି,
ସପ୍ତରାତ୍ର ତ‌ହିଁ ରହିଣ ରାଜନ ଯଶୋବନ୍ତୀ ପୁରେ ଯାନ୍ତି ।

ବ୍ରହ୍ମାଙ୍କ ଭୁବନ ଦେଖିଣ ଗୋବିନ୍ଦ ମନରେ ସନ୍ତୋଷ ହେଲା,
ତ‌ହୁଁ ଯେ ବାହୁଡ଼ି ଆସିଣ ଗୋବିନ୍ଦ ସଞ୍ଜିବନୀରେ ମିଳିଲା ।

ଜନ୍ତୁପତି ଦେଖି ଆସନ ଉପେକ୍ଷି କ‌ହ‌ନ୍ତି ତ‌ହିଁ ରାଜାକୁ,
ମହାତପ ବଳେ ମୋହ କାଳପାଶୁ ଜିଣିଲେ ଯେ ମରଣକୁ ।

ନିଶ୍ଚୟ ଦେଖିଲି ସିଦ୍ଧ ଅଙ୍ଗ ହେଲୁ ବସ ବୋଲି ଠାବ ଦେଲେ,
ବେନି ଦଣ୍ଡ ତ‌ହିଁ ରହିଣ ରାଜନ ମୃତ୍ୟୁ ମଣ୍ଡଳେ ଗମିଲେ ।

ଶୁନ୍ୟପଥ ଦେଇ ଗମନ କରିଣ ମୁକୁତା ଦେଈର ବଳା,
ଶୁନ୍ୟେ ଶୁନ୍ୟେ ଭ୍ରମି ଯାଇଣ ଦେଖନ୍ତି ତନ୍ତିପା କରନ୍ତି ଖେଳା ।

ଶୂନ୍ୟରେ ଆସନ୍ତି ଲୁଗା ସେ ବୁଣନ୍ତି ତାର ଶୂନ୍ୟେ ଲାଗିଅଛି,
ପଶ୍ଚିମ ଦିଗରେ ଥାଆନ୍ତି ତନ୍ତିପା ପ୍ରଭୁ ଗୋରେଖ ଆସନ୍ତି ।

ଦୁଇଜଣଙ୍କର ଭେଟ ଯେ ହୋଇଲା ଶୂନ୍ୟେ ଗୋବିନ୍ଦ ଦେଖଇ,
ଉଚ୍ଚବାଚ ହୋଇ ଦୁଇଜଣ‌ଯାକ ଗାଳି ଯେ କରନ୍ତି ତହିଁ ।

ଗୋରେଖ କ‌ହ‌ନ୍ତି ହଇରେ ତନ୍ତିପା ମୋ ଠାରୁ ବଡ଼ ଯେ କାହିଁ,
ଗର୍ବରେ ଶୂନ୍ୟରେ ଲୁଗା ବୁଣୁଛୁ ଯେ ତୋଠାରୁ ନିର୍ଲଜ ନାହିଁ ।

ତନ୍ତିପା ବୋଲନ୍ତି ମୋହ ଲୁଗାବୁଣା ଛଡ଼ାଇ ନେବୁ କି ତୁହି,
ତୋତେ ମୁଁ ଚିହ୍ନିଛି ଆରେରେ ଗୋରେଖ ଏଡ଼େ ବଡ଼ାଇ କିମ୍ପାଇ ।

ଶୁଣିଣ ଗୋରେଖ କ୍ରୋଧରେ ବୋଇଲେ ଛିଡ଼ୁ ଆରେ ତନ୍ତ ତ‌ହିଁ,
ଛିଡ଼ିବା ମାତ୍ରକେ ତନ୍ତିପା ବଚନେ ପୁଣି ସେ ଲାଗିଲା ଯାଇଁ ।

ଏହି ପରକାରେ କେତେକ ଯେ ଥର ଛିଡ଼ିଣ ସେହୁ ଲାଗଇ,
ଶେଷକୁ ତନ୍ତିପା ଯୋଡ଼ି ନ ପାରିଲେ ଅତି କ୍ରୋଧ୍ୱାନ୍ୱିତ ହୋଇ ।

କ‌ହ‌ନ୍ତି ତନ୍ତିପା ଶୁଣରେ ଗୋରେଖ ମୋଠାରୁ ତୁ କେତେ ବଡ଼,
ଅଧିକା ମୁଁ ଯେତେ ରୂପ ପ୍ରକାଶିବି ନ ଚିହ୍ନିବୁ ତୁହି ରାଢ଼ ।

ଗୋରେଖ କ‌ହ‌ନ୍ତି ଶୁଣରେ ତନ୍ତିପା ତୋଠାରୁ ଯେ ବାଇ ନାହିଁ,
ମୋହର ଆଗରେ ତୋହର ପ୍ରତିଜ୍ଞା କରୁଅଛୁ କାହିଁ ପାଇଁ ।

ଶୂନ୍ୟପୁର ମୋର ଅଟଇ ଯେ ପୁଣି ତନ୍ତ ଖଣ୍ଡ ତୁହି ଧରି,
ଆଡ଼ ହୋଇକରି ଶୂନ୍ୟ ଛାଡ଼ିଯାଅ କ‌ହିଲି ମୁହିଁ ବିସ୍ତାରି ।

ଶଣିଣ ତନ୍ତିପା ବୋଲନ୍ତି ବଚନ ତୋର ଶଙ୍ଖଧ୍ୱନି ଶୁଣି,
ଚମକଇ ହିଆ ହୁଏ ଦମଦମ ଭେଟ ପଡ଼ିଅଛୁ ପୁଣି ।

ଚୌଷଠି ସିଦ୍ଧିରେ ମୁଁ ବରଣ ଅଟେ ମୋଠାରୁ ଅଧିକ କାହିଁ,
ମନେ ଯାହା ଆସେ ସେ ରୁପ ଧରଇ କେମନ୍ତେ ଚିହ୍ନିବୁ ତୁହି ।

ସ୍ଥାବର ଜଙ୍ଗମ କୀଟ ଯେ ପତଙ୍ଗ ସବୁ ସ୍ୱରୁପ ହୁଅଇ,
ଦେଖିବା ଆରେରେ ଗୋରେଖ କେମନ୍ତେ ଚିହ୍ନିବୁ ମୋତେ ରେ ତୁହି ।

ଶୁଣି ପ୍ରତ୍ୟୁତ୍ତର ଦିଅନ୍ତି ଗୋରେଖ ରୁପ ଧରି ତୁହି ଯାଇ,
କେମନ୍ତ ପ୍ରକାରେ କି ରୁପ ହୋଇବୁ ତାହା ଯେ ଦେଖିବି ମୁହିଁ ।

ଶୂନ୍ୟରେ ସେ ଖସି ପଡ଼ନ୍ତେ ତ‌ନ୍ତିପା ଷଣ୍ଢ ଗୋଟିଏ ହୋଇଲେ,
ଗୋରେଖ ଚିହ୍ନିଣ ତାହାର ଚୁଳକୁ ବେଗେ ଯାଇଁଣ ଧଇଲେ ।

ଚୁଳକୁ ଧରିଣ ବେକ‌କୁ ମୋଡ଼ନ୍ତେ ତନ୍ତିପା ଯେ ପଳାଇଲେ,
ନାରିକେଳ ବୃକ୍ଷ ପଥରେ ହୋଇଣ ଗୋଟିଏ ଫଳ ଫଳିଲେ ।

ଗୋରେଖ ଫଳକୁ ଚିହ୍ନିଣ ଛଡ଼ାନ୍ତେ ଅନ୍ତର୍ଧ୍ୟାନ ତ‌ହିଁ ହୋଇ,
ପକ୍ଷୀ ରୁପ ଗୋଟି ଧରିଣ ତନ୍ତିପା ଆକାଶେ ଉଡ଼ିଲେ ଯାଇଁ ।

ମତ୍ସ୍ୟଧର ନେଲା ଦେଖିଣ ତାହାକୁ ବଜ୍ର ବିଧାଏ ମାଇଲେ,
ତ‌ହୁଁ ସେ ତନ୍ତିପା ଅନ୍ତର ହୋଇଣ ଲିଙ୍ଗ ରୁପକୁ ବହିଲେ ।

ଦେଉଳ ଅଟ୍ଟାଳି ଅନେକ ହୋଇଲା ଯେସନ‌କି ଶିବପୁର,
ଚିହ୍ନିଣ ଗୋରେଖ ଭାଙ୍ଗନ୍ତେ ଦେଉଳ ତ‌ହୁଁ ହୋଇଲେ ଅନ୍ତର ।

ତନ୍ତିପା ପଳାନ୍ତି ଗୋରେଖ ଗୋଡ଼ାନ୍ତି ସମୁଦ୍ର କୁଳରେ ହେଲେ,
ମତ୍ସ୍ୟ ପଦ‌ଧରି ସେଠାରେ ତନ୍ତିପା ଜଳ ଭିତରେ ଲୁଚିଲେ ।

ଜାଲକୁ ପାତିଣ ଗୋରେଖ ହାତରେ ଧରିବାକୁ ଆରମ୍ଭିଲେ,
ତନ୍ତିପା ସେଠାରୁ ଯାଇଣ ସତ୍ୱର କଙ୍କଡ଼ା ରୁପ ଧଇଲେ ।

ଗାତରୁ ଗୋରେଖ କଙ୍କଡ଼ା ଆଣିଣ ଗୋଡ଼ ତାହାର ଭାଙ୍ଗନ୍ତି,
ତ‌ହିଁ ଯେ ଆକାଶ ମାର୍ଗରେ ଚଳିଣ ବଉଦ ରୁପ ଧରନ୍ତି ।

ଗୋରେଖ ଯେ ପୁଣ ପବନ ରୁପେଣ ଶୂନ୍ୟେ ତାକୁ ଉଡ଼ାଇଲେ,
ତ‌ହୁଁ ଯେ ତନ୍ତିପା କୁହୁଡ଼ି ହୋଇଣ ଅନେକ ଯେ ବରଷିଲେ ।

ସୂର୍ଯ୍ୟର କିରଣ ହୋଇଣ ଗୋରେଖ କୁହୁଡ଼ିକୁ ବିଦାରିଲେ,
ତ‌ହୁଁ ସେ ତନ୍ତିପା ପଳାଇ ଯାଇଣ ଗେଣ୍ଡା ରୁପକୁ ଧଇଲେ ।

ଗେଣ୍ଡାକୁ ଧରିଣ ଛେଚନ୍ତେଣ ପୁଣି ତ‌ହୁଁ ତନ୍ତିପା କ‌ହ‌ନ୍ତି,
ହାରିଲି ଯେ ମୁହିଁ ଆହେ ମହାଯତି ଦେଖାଅ ତୁମ ବିଭୁତି ।

ଶୁଣିଣ ଗୋରେଖ ହସିଣ କ‌ହ‌ନ୍ତି କିସ ଯେ ତୁମେ ଚିହ୍ନିବ,
ଯେଉଁ ରୁପ ହେବି ଜଗତ ମଧ୍ୟରେ ମୋତେ କେ ଠାବ କରିବ ।

ଶୁଣିଣ ତନ୍ତିପା ବୋଲନ୍ତି ହେ ଗୁରୁ ବାରେକ ସେ ରୁପ ଧର,
ଦେଖିବି ସେ ରୁପ ଇଚ୍ଛା ଅଛି ମୋର କରିବି ସଂଶୟ ଦୂର ।

ଶୁଣିଣ ଗୋରେଖ ବେଗରେ ଯାଇଣ ଜଳ ରୁପକୁ ଧଇଲେ,
ଜଳରେ ସେ ମିଶି ଗୁପତ ଭାବରେ ତ‌ହିଁ ଯାଇଣ ରହିଲେ ।

ତନ୍ତିପା ବ୍ରହ୍ମାଣ୍ଡ‌ଯାକ ଖୋଜିଖୋଜି କାହିଁ ଭେଟ ନ ପାଇଲେ,
ସେହିଠାରେ ବସି ବିକଳ ହୋଇଣ ଗୋରେଖକୁ ସେ ଡାକିଲେ ।

ହସିଣ ଗୋରେଖ ବୋଲନ୍ତି ବଚନ ତନ୍ତିପା ଶୁଣ ମୋ ଗୀର,
ଏହୁ ମହାସିଦ୍ଧି ଜାଣି ତୁ ପାରିଲେ ବଜ୍ର ଅଙ୍ଗ ହେବ ତୋର ।

ଏହି ସମୟର ଗୋବିନ୍ଦଚନ୍ଦ୍ର ଯେ ତ‌ହିଁ ପ୍ରବେଶ ହୋଇଲେ,
ଆଦେଶ ଆଦେଶ ବୋଲିଣ ଯେ ପୁଣି ଗୋରେଖ ପାଦେ ପଡ଼ିଲେ ।

ଗୋବିନ୍ଦକୁ ଚାହିଁ ଗୋରଖ କ‌ହ‌ନ୍ତି ନାତି ଯେ ଅଟୁ ଆମ୍ଭର,
ତୋହର ଯେ ମାତା ଆମ୍ଭଙ୍କୁ ସେବିଣ ଜ୍ଞାନ ଲଭିଲା ସତ୍ୱର ।

ସେହି ଜ୍ଞାନ ବଳେ ତୋହର ଜନନୀ ତୋତେ ବୁଦ୍ଧି ବତାଇଲା,
ହାଡ଼ିପା ଗୁରୁଙ୍କୁ ଭେଟନ୍ତେଣ ପୁଣି ସବୁ ସିଦ୍ଧି ବତାଇଲା ।

ଏବେ ଆମ୍ଭଠାରୁ ଉପଦେଶ ନିଅ ରାଜା ତୁହି ଗୋବିନ୍ଦାଇ,
ଯେ ରୁପ ବାଞ୍ଛିବୁ ସେ ରୁପ ହୋଇବୁ ତୋତେ ବ ଚିହ୍ନିବେ କେହି ।

ବଜ୍ର ବିଭୁତିକୁ ତୋତେ ମୁଁ ଦେଉଛି ତୋ ଅଙ୍ଗ ବଜ୍ର ହୋଇବ,
ଅଗ୍ନିରେ ଜଳରେ କାହିଁରେ ତୋ ଅଙ୍ଗ କେଭେହେଁ ନଷ୍ଟ ନ ହେବ ।

ସୃଷ୍ଟିରୁ ପ୍ରଳୟ ପର୍ଯ୍ୟନ୍ତ ରହିବୁ ଦୁଃଖ ସୁଖ ତ‌ହିଁ ନାହିଁ,
ଏ ରୁପେ ବିଷ୍ଣୁଙ୍କୁ ଭଜି ତୁ ପାରିଲେ ପ୍ରଳୟ ପାରିବୁ ସ‌ହି ।

ସେହୁ ନିରାକାର ଅନାଦି ଈଶ୍ୱର ରୁପରେଖ ତାଙ୍କ ନାହିଁ,
ଭକତ ଭାବରେ ରୁପକୁ ଧରନ୍ତି ଦୀନବାନ୍ଧବ ଗୋସାଇଁ ।

ବ୍ରହ୍ମ ରୁପ ଧରି ସୃଷ୍ଟିକି ସୃଜନ୍ତି ବିଷ୍ଣୁ ରୁପରେ ପାଳିଣ,
ଶିବ ରୁପ ଧରି ସଂହାର କରନ୍ତି ସେହି ପ୍ରଭୁ ନାରାୟଣ ।

ସକଳ ଘଟରେ ପୁରିଣ ଅଛନ୍ତି ତାଙ୍କୁ ନ ଦେଖନ୍ତି କେହି,
ନୟନ ନାହିଁ ସେ ସକଳ ଦେଖଇ କର୍ଣ୍ଣ ନାହିଁ ଶୁଣୁଥାଇ ।

ଶୁଣିଣ ଗୋବିନ୍ଦ ଚଣେ ପଡ଼ିଣ କ‌ହଇ ହେ ମହାଗୁରୁ,
ସଂଶୟ ମୋହର ଗୋଟିଏ ଯେ ଅଛି ଦୂର କର ମୋ ମନରୁ ।

ବ୍ରହ୍ମୁ କୀଟ ଯାଏ ପୁରିଣ ଯେ ଥାନ୍ତି ସେଇ ବ୍ରହ୍ମାଣ୍ଡ ଗୋସାଇଁ,
କିମ୍ପା ଅଣାକର ପଦକୁ ଲଭିଲେ ମୋତେ କ‌ହ‌ନ୍ତୁ ଭୁଝାଇ ।

ଗୋରେଖ କ‌ହ‌ନ୍ତି ଶୁଣ ଗୋବିନ୍ଦାଇ ଏକ ଅପୂର୍ବ ଚରିତ,
ସଚରାଚରରେ ପୁରି ରହିଛନ୍ତି ସେହୁ ଅଲେଖ ଅଚ୍ୟୁତ ।

ନିରାକର ରୂପ ଆକାର ତ ନାହିଁ ତୋତେ ଥିଲି ଆଗେ କ‌ହି,
ଶୁଣିବାକୁ ଯେବେ ତୋ ଇଚ୍ଛା ବଳିଲା କିଛିହିଁ ଦେବୁ ବୁଝାଇ ।

ତାଙ୍କର ମହିମା ଜଗତରେ ପୁଣି କେ ଜନ ମୁଖେ କ‌ହିବ,
ସୁକ୍ଷ୍ମ ରେଣୁ କେହୁ ବ‌ହି ଯେ ପାରିବ କିଞ୍ଚିତେ ଜାଣିବ ଭାବ ।

ବ୍ୟାସ ଶୁକଦେବ ଅଙ୍ଗିରା ଆଦି ଯେ କେହି ତ‌ଥ୍ୟ ନ ଜାଣନ୍ତି,
ଭଲ ଭାବରେ ଯେ ବଶ ସେ ହୁଅନ୍ତି ଭକତିରେ ତୋଷୁଥାନ୍ତି ।

ଅଣାକାର ସେହୁ ବୋଲି ହେ ପଚାର ସେ କଥାକୁ କ‌ହିଦେବା,
ତୋହର ମନରେ ସଂସୟ ଯେ ଅଛି କିଞ୍ଚିତେ ଦୂର କରିବା ।

ଶୂନ୍ୟଦେହୀ ସେହି ଶୂନ୍ୟ ଆସନରେ ଘଟେଘଟେ ପୁରିଥାଇ,
କାହାର ସଙ୍ଗରେ କାହାର ପାଖରେ କେବେ ସେ ମିଶଇ ନାହିଁ ।

ମୁନି ଯେ କ‌ହ‌ନ୍ତି ପରମ ପୁରୁଷ ପଦ ଧରି ତ‌ହିଁ ଅଛି,
ଜୀବର ସଙ୍ଗତେ ତାଙ୍କ ଭେଟ ନାହିଁ ଶୁଣ ଆହେ ରାଜବତ୍ସି ।

ଜୀବ ମାୟାମୋହ ପଡ଼ିଣ ସକଳ ବିଷୟମାନଙ୍କୁ କରେ,
ଭଲ ମନ୍ଦ କଥା ବିଚାର ନ କରି ମରେ ଯମ ଯାତନାରେ ।

ହିଂସା କ୍ରୋଧ ମୋହ ସକଳ ଆଚରି ଜୀବ କରିଛି ବେଭାର,
ଏଣୁ କରି ତାର ମୃତ୍ୟୁ ଯେ ହୁଅଇ ନୋହିଲେ ଅଟେ ଅମର ।

ଅଭକ୍ଷ ଭକ୍ଷକ ସକଳ ସାଧଇ ପାପର ତ ଭୟ ନାହିଁ,
ଏଣୁକରି ଜନ ଅଳ୍ପାୟୁ ହୁଅନ୍ତି କହିଲିରେ ଗୋବିନ୍ଦାଇ ।

ସେ ଜନ ଯେ କର୍ମ କରଇରେ ବାବୁ ସେହି ଫଳକୁ ଲଭଇ,
ଫଳ ଅନୁସାରେ ଜନ୍ତୁପତି ତାକୁ ମର୍ତ୍ତ୍ୟରେ ଜନ୍ମ ଦିଅଇ ।

ଚୌରାଶି ନରକ ଅଛି ସମୟରେ ଏ କଥାମିଛ ନୁହଇ,
ମର୍ତ୍ତ୍ୟରେ ଜନମି ନର୍କ ଭୋଗ କରେ କୀଟ ରୁପ ସେହିପରି ।

କୀଟ ରୁପରେ ଯେ ପରମ ପୁରୁଷ ଶୁନ୍ୟ ଆସନରେ ଅଛି,
ତାର ଜୀବ ଗଲେ ଶୂନ୍ୟରେ ଚଳନ୍ତି ତାହାକୁ କେ ଅବା ବାଛି ।

ଶୁଣିଣ ଗୋବିନ୍ଦ ଚରଣେ ପଡ଼ିଲା ଶୁଣିମା ଆହେ ଗୋସାଇଁ,
ଶୁଣିଛି କର୍ଣ୍ଣରେ ନେତ୍ର ଦେଖି ନାହିଁ ଅବତାର ହୋନ୍ତି ସେହି ।

କେଉଁ ପରକାରେ କେଉଁଠରେ ହରି କି ରୁପମାନ ଧରିଲେ,
କିମ୍ପାଇ ମର୍ତ୍ତ୍ୟରୁ ଶରୀର ଛାଡ଼ିଣ ପୁଣି ବୈକୁଣ୍ଠକୁ ଗଲେ ।

ଶୁଣିଣ ଗୋରେଖ ହରଷ ହୋଇଣ ଧନ୍ୟ ତୁ ରାଧା ବୋଇଲେ,
ମହାଗୁଢ଼ ସନ୍ଧି ମୋତେ ପଚାରୁଛୁ ମୁନି ଯାହା ନ ପାରିଲେ ।

ଯାହା ଯାଣିଥିବି କିଞ୍ଚିତେ କ‌ହିବି ସେ ଭାବ ଜାଣଇ କିଏ,
ଗୁରୁଙ୍କ ମୁଖରୁ ଯାହା ମୁଁ ଶୁଣିଛି ପଦ କେତେ ତୋତେ କ‌ହେ ।

ପୂର୍ବେ ସତ୍ୟଯୁଗେ ଶଙ୍ଖାଶୁର ନାମେ ଅସୁର ଜନମ ନେଲା,
ବ୍ରହ୍ମାବେଦ ପୋଥି ଚୋରାଇ ନେଇଣ ଜଳ ମଧ୍ୟରେ ରହିଲା ।

ବିରଞ୍ଛି ଯେ ବେଦ ପୋଥି ନ ପାଇଣ ମନେ ବିକଳ ହୋଇଲେ,
ତ‌ହୁଁ ସେହି ଯାଇ କ୍ଷୀରାର୍ଣ୍ଣବ ତଟେ ବିଷ୍ଣୁକୁ ମନେ ସ୍ମରିଲେ ।

ଭକ୍ତିଭାବେ ଭୋଳ ହୋଇଣ ସେ ହରି ମତ୍ସ୍ୟ ରୁପକୁ ଧରିଣ,
ଶଙ୍ଖାସୁର ମାରି ବେଦପୋଥି ଆଣି ବ୍ରହ୍ମାଙ୍କୁ ଦେଲେକ ପୁଣ ।

ବ୍ରହ୍ମାଙ୍କୁ ଆଦେଶ ଦେଇଣ ଶ୍ରୀହରି ବୈକୁଣ୍ଠ ପୁରକୁ ଗଲେ,
ତାହାଙ୍କ ଆଦେଶ ପାଇଣ ବିରଞ୍ଚି ଚଉଦପୁର ରଚିଲେ ।

ବ୍ରହ୍ମା ମନେ ମନେ ଗୁରୁଙ୍କୁ ସ୍ମରିଲେ ସକଳ ଶୂନ୍ୟ ଦେଖିଲେ,
ବିଷ୍ଣଙ୍କୁ ମନରେ ସ୍ମରଣ କରନ୍ତେ ଆସିଣ ତ‌ହିଁ ମିଳିଲେ ।

ବୋଲନ୍ତି ଶ୍ରୀହରି ଶୁଣ ହେ ବିରଞ୍ଚି କିମ୍ପା ମନରେ ବିରସ,
କି କାର୍ଯ୍ୟେ ଆମ୍ଭଙ୍କୁ ସୁମରଣା କଲ କ‌ହ ତୁମ୍ଭେ ସତ୍ୟଭାଷ ।

କ‌ହ‌ନ୍ତି ବିରଞ୍ଚି ଶୁଣ ହେ ଗୋସାଇଁ ସକଳ ପୁରେ ରଚିଲ,
ଦେବତା ଅସୁରମାନ‌ଙ୍କୁ ଯେ ପଶୁପକ୍ଷୀ କୀଟ ଆଦି କଲ ।

ବୃକ୍ଷଲତା ଆଦି ପର୍ବତ ସ‌ହିତ ଫଳ ପୁଷ୍ପମାନ ତ‌ହିଁ,
ଇନ୍ଦ୍ରକୁ ସ୍ୱର୍ଗର ରାଜା ଯେ କରାନ୍ତି ଭଣ୍ଡାରରେ ଧନ ନାହିଁ ।

ଶୁଣିଣ ଗୋବିନ୍ଦ ବୋଲନ୍ତି ବଚନ ଶୁଣ ଆହେ ବେଦବର,
ପ୍ରଳୟ ଜଳରେ ସବୁ ନଷ୍ଟ ହେଲା ଅଛି ସମୁଦ୍ର ଭିତର ।

ସମୁଦ୍ର ମନ୍ଥିଲେ ସକଳ ପାଇବା ଦେବାସୁର ବେଗେ ଚାଲ,
ବ୍ରହ୍ମା ଆଦିକରି ଦେବ ଯେ ଅସୁର ମିଳିଲେ ସମୁଦ୍ରଜଳ ।

ମେରୁକୁ ଆଣିଣ ସମୁଦ୍ରେ ପକାନ୍ତେ ସେହୁ ଜଳରେ ଭାସଇ,
କୁର୍ମ ରୁପ ଧରି ଆପଣ ଯେ ହରି ମେରୁକୁ ପୃଷ୍ଠେ ଧରଇ ।

କଶ୍ୟପ ଋଷିଙ୍କଠାରୁ ଜନମିଲେ ହିରଣ୍ୟ ଯେ ହିରଣାକ୍ଷ,
ହିରଣ୍ୟ ପ୍ରତାପେ ପ୍ରୁଥିବୀ ନାଶିଲେ ବିରଞ୍ଚି ମନରେ ଦୁଃଖ।

ସ୍ମରନ୍ତେ ଶ୍ରୀହରି ବରାହ ରୁପରେ ହିରଣାକ୍ଷକୁ ବଧିଲେ,
ପୃଥିବୀକି ସ୍ଥିର ଭାବରେ ରଖିଣ ବୈକୁଣ୍ଠ ପୁରକୁ ଗଲେ ।

ହିରଣ୍ୟ ପ୍ରତାପ କ‌ହିଲେ ନ ସରେ କି କ‌ହିବି ତାର ଗୁଣ,
ସ୍ୱର୍ଗ ମର୍ତ୍ତ୍ୟପୁର ପାତାଳ ଭ୍ରମିଣ କଲାକ ଅଥୟ ଜାଣ ।

ଦେବତା ଆକୁଳେ ବିଷ୍ଣୁଙ୍କୁ ଜଣାନ୍ତେ କଲେ ସେ ଏକ ବିଚାର,
ତାହାରି କୋଳରେ ଏକ ଭକତକୁ କରିଦେଲେ ସେ କୁମର ।

ତାହାର ନାମ ଯେ ପ୍ରହଲାଦ ଅଟେ ବିଷ୍ଣୁଙ୍କୁ ମନେ ସୁମରି,
କିଛି ଦିନ ଇନ୍ଦ୍ର ପଦେ ବସି ସେହି ଏବେ ଅଛି ବିଷ୍ଣୁ ପୁରୀ ।

ହିରଣ୍ୟର ପୁତ୍ର ପ୍ରହଲାଦ ଅଟେ ପିତା କଥା ନ ମାନିଲା,
ଅସୁର କ‌ହଇ ଶିବ ନାମ ଜପ ବିଷ୍ଣୁଙ୍କୁ ସେହି ଜପିଲା ।

ଜାଣିଣ ହିରଣ୍ୟ ପୁଅକୁ ତାହାର ବିଷ ଲଡ଼ୁ ଖୁଆଇଲା,
ହସ୍ତିଦନ୍ତେ ଚିରି ସମୁଦ୍ରରେ ମେଲି ନାନାଦି କଷ୍ଟ ସେ ଦେଲା ।

ଯେତେଥର ପ୍ରହଲାଦକୁ ବଧଇ ରଖନ୍ତି ତ‌ହିଁ ଶ୍ରୀହରି,
କ୍ରୋଧାନ୍ୱିତ ହୋଇ ଏକ ଦିନ‌କରେ ସ୍ତମ୍ଭୁ ବାହାରିଲେ ହରି ।

ନୃସିଂହ ରୁପକୁ ଧରିଣ ଶ୍ରୀହରି ହିରଣ୍ୟକୁ ଚିରିଦେଲେ,
ଦେବତାମାନଙ୍କୁ କଷ୍ଟରୁ ତାରିଣ ବୈକୁଣ୍ଠ ପୁରକୁ ଗଲେ ।

ସେ ସତ୍ୟ ଯୁଗରେ ବଳୀ ବୋଲି କରି ଏକଇ ଅସୁର ଥିଲା,
ଦାନ ଯଜ୍ଞ କର୍ମ କରନ୍ତେ ଅସୁର ଜଗତେ ଯଶ ପୁରିଲା ।

ସ୍ୱର୍ଗ ପୁରେ ଇନ୍ଦ୍ର ଭାବନା କରଇ ମୋହର ପୁରକୁ ନେବ,
ଏହିକଥା ସେହି ଭାବନା କରିଣ ଗଲାକ ବ୍ରହ୍ମାଙ୍କ ଠାବ ।

ବ୍ରହ୍ମା ଇନ୍ଦ୍ର ଦୁହେଁ କ୍ଷୀରସିନ୍ଧୁ ତୀରେ ହରିଙ୍କୁ ମନେ ଭାବିଲେ,
ତାହାଙ୍କ ବିକଳ ଜାଣିଣ ଶ୍ରୀହରି କଶ୍ୟପ ଘରେ ଜନ୍ମିଲେ ।

ବାମନ ଶରୀର ଧରିଣ ମୁରାରି ବଳି ପୁରକୁ ସେ ଯାନ୍ତି,
ତାର ସିଂହଦ୍ୱାରେ ରହିଣ ଗୋସାଇଁ ସାମ ବେଦ ଉଚ୍ଚାରନ୍ତି ।

ବେଦ‌ଧ୍ୱନି ଶୁଣି ବଳି ଯେ ଆସିଣ ପାଦ ପଦ୍ମକୁ ପୁଜିଲା,
ଭିତର ପୁରକୁ ନେଇଣ ରାଜନ ଆସନ ତାହାଙ୍କୁ ଦେଲା ।

କେଉଁ କାରଣରେ ଆସିଛ ଗୋସାଇଁ ତାହା ଯେ ମୋତେ କ‌ହିବ,
ଯେ ପଦାର୍ଥ ଚାହଁ ନିଶ୍ଚୟ ମୁଁ ଦେବି ଏ କଥା ଅଟଇ ଧ୍ରୁବ ।

ବଳିର ବଚନ ଶୁଣିଣ ବାମନ ବୋଲନ୍ତି ଶୁଣ ରାଜନ,
ସତ୍ୟ ତୁହି କର ଟେକି ଦିଅ ନୀର କ‌ହିବା ତ‌ହିଁ କାରଣ ।

ତ‌ହୁଁ ଶୁକ୍ର ମନ୍ତ୍ରୀ ଥିଲେ ଯେ ତାହାର ବୋଲନ୍ତି ନିଶ୍ଚୟ ହରି,
ବଳିକି ବୋଲନ୍ତି ଦାନ ତୁ ନ ଦିଅ ନଷ୍ଟ ହେବ ତୋର ପୁରୀ ।

ବଳି ଯେ ବୋଲନ୍ତି ଶ୍ରୀହରି ଯେବେ ସେ ନିଶ୍ଚୟ ସେହୁ ହୋଇବେ,
ମୋହଠାରୁ ଦାନ ଘେନିଲେକ ପୁଣ ବୈକୁଣ୍ଠ ପୁରକୁ ନେବେ ।

ଗୁରୁଙ୍କ କଥାକୁ ନ ମାନିଣ ବଳି ଜଳ ତିଳ ଟେକିଦେଲେ,
ଶଙ୍ଖରୁ ଜଳ‌ ଯେ ନ ଆସନ୍ତେ ଜାଣି ହରି କୁଶକୁ ମାଇଲେ ।

ଜଳକୁ ସେ ଶୁକ୍ର ରୋଧ କରିଥିଲେ ସେ ଯୋଗେ ଫୁଟିଲା ଆଖି,
ଜଳ ତିଳ ବିଷ୍ଣୁ କରରେ ଦେଇଣ ବଳି ଯେ ହୋଇଲା ସୁଖୀ ।

ବାମନ ବୋଲନ୍ତି ଶୁଣ ହେ ରାଜନ ତିନିପାଦେ ଭୁମି ଦେବୁ,
ଧନ ବସ୍ତ୍ର ଆଦି କିଛି ନ ମାଗଇ ତ‌ହିଁରେ ତପ କରିବୁ ।

ଶୁଣିକରି ବଳି ବୋଲନ୍ତି ବଚନ ଇଚ୍ଛା ତୋର ଯାହା ଥାଇ,
ଧନ ରତ୍ନ ଆଦି ଯାହା ତୁ ମାଗିବୁ ତାହା ଯେ ମୁହିଁ ଦେବଇ ।

ଜାଣିଣ ଶ୍ରୀହରି ତାହାର ଯେ ମନ ସ୍ୱର୍ଗକୁ ପାଦେକ ଦେଲେ,
ଆଉ ଏକ ପାଦ ମର୍ତ୍ତ୍ୟରେ ରଖିଣ ବଳିକି ତ‌ହୁଁ ବୋଇଲେ ।

ଆଉ ତୋର ଭୁଇଁ କାହିଁ ଅଛି ବାବୁ ଆମ୍ଭଙ୍କୁ ଦେଖାଇ ଦିଅ,
ଶୁଣିକରି ବଳି ବଚନ କ‌ହଇ କାହିଁ ତୁମ୍ଭ ପାଦ କ‌ହ ।

ନାଭିରୁ ପାଦେକ ବାହାର ହୁଅନ୍ତେ ବଳି ମସ୍ତକ ପାତିଲେ,
କ୍ରୋଧାନ୍ୱିତ ହୋଇ ତାହାକୁ ଯେ ହରି ପାତାଳକୁ ଚାପିଦେଲେ ।

ତ୍ରିବିକ୍ରମ ମୁର୍ତ୍ତି ଛାଡ଼ିଣ ଶ୍ରୀହରି ବୈକୁଣ୍ଠ ପୁରେ ଚଳିଲେ,
କିଛି ଦିନପରେ ଆପଣେ ଶ୍ରୀହରି ମୁନି ରୁପକୁ ଧଇଲେ ।

ପର୍ଶୁରାମ ନାମ ଧରିଣ ସେ ପୁଣି ପୃଥ୍ୱୀକୁ ସାଧନା କଲେ,
ତ୍ରେତା ଯୁଗେ ପୁଣି ଦଶରଥ ପୁରେ ଚତୁର୍ଦ୍ଧା ରୁପ ଧରିଲେ ।

ଶ୍ରୀରାମ ଲକ୍ଷ୍ମଣ ଭରତ ଶତୃଘ୍ନ ଏହି ନାମକୁ ବ‌ହିଣ,
ପିତା ସତ୍ୟ ପାଳି ଶ୍ରୀରାମ ଲକ୍ଷ୍ମଣ ଜାନ‌କିହିଁ ଗଲେ ବନ ।

ସୂର୍ପଣଖା ନାସା ଶ୍ରବଣ ଛେଦନ୍ତେ ରାବଣ ସୀତା ହରିଲା,
ପକ୍ଷୀ ଜଟା ମାରି ଲଙ୍କାରେ ଉତୁରି ଅଶୋକ ବନେ ରଖିଲା ।

ଖୋଜି ଖୋଜି ଯାଇ ସୁଗ୍ରୀବର ସଙ୍ଗେ ରାମ ମଇତ୍ର ହୋଇଲେ,
ବାଳିକି ମାରିଣ ସେତୁବନ୍ଧ ବାନ୍ଧି ପରେ ରାବଣ ମାଇଲେ ।

ସୀତାଙ୍କୁ ଆଣିଣ ଅଯୋଧ୍ୟାରେ ପୁଣି ରାଜପଦରେ ବସିଲେ,
କିଛି ଦିନ ରହି ବୈକୁଣ୍ଠ ପୁରକୁ ଗମନହିଁ ପୁଣି କଲେ ।

ଦ୍ୱାପର ଯୁଗରେ କୃଷ୍ଣ ଅବତାରେ ଗୋପରେ ବଢ଼ିଲେ ଯାଇଁ,
ଗୋପିଙ୍କୁ ମୋହିଲେ ଅଷ୍ଟମଲ୍ଲ ମାରି କଂସକୁ ବଧିଲେ ତ‌ହିଁ ।

ପାଣ୍ଡବଙ୍କୁ ରଖି କୁରୁବଳ ଧ୍ୱଂସି ନିଜ ବଂଶ ନାଶ କଲେ,
ଉଦ୍ଧବରେ ଜ୍ଞାନ କ‌ହିଣ ଶ୍ରୀହରି ବୈକୁଣ୍ଠ ପୁରେ ଚଳିଲେ ।

ଏ କଳିଯୁଗରେ ବୌଦ୍ଧ ଅବତାରେ ନୀଳଗିରିରେ ଅଛନ୍ତି,
ଜଗନ୍ନାଥ ବଳଭଦ୍ର ନାମ ବ‌ହି ଭକତ ମନ ମୋହ‌ନ୍ତି ।

ଏ ଯୁଗ ଶେଷରେ କଳିକି ରୁପରେ ବନ୍ମ ହୋଇବେ ଗୋସାଇଁ,
ଦୁଷ୍ଟ ନିବାରିବେ ସନ୍ଥକୁ ପାଳିବେ ଶୁଣ ରାଜା ଗୋବିନ୍ଦାଇ ।

ଦଶ ଅବତାର ତୋତେ କ‌ହିଲଇଁ ବିଭୁତି ମୋଠାରୁ ନିଅ,
ବିଭୁତି ଘେନିଣ ଏ ମାୟା ସଂସାରୁ ଅଚିରେ ମୁକତ ହୁଅ ।

ଏତେକଥା କ‌ହି ଗୋରେଖ ଯେ ତ‌ହିଁ ବିଭୁତି କାଢ଼ି ଧଇଲେ,
ଗୋବିନ୍ଦଚନ୍ଦ୍ର ଯେ ତ‌ନ୍ତିପା କପାଳେ ସ୍ୱହସ୍ତ ଦେଇ ବୋଇଲେ ।

ବଜ୍ରାଙ୍ଗ ଶରୀର ହେଲାହେ ରାଜନ ତନ୍ତିପା ଯେ ତୁମ୍ଭେ ବେନି,
ଯାଅ ହେ ବୋଲିଣ ସେଠାରେ ଗୋରେଖ ହୋଇଲେ ତ‌ହୁଁ ମେଲାଣି ।

ତନ୍ତିପାଙ୍କର ଯେ ତନ୍ତ ଛିଡ଼ିଥିଲା ବିଭୁତି ଯୋଗେ ଲାଗିଲା,
ସନ୍ତୋଷ ମନରେ ତ‌ହିଁ ଯେ ତନ୍ତିପା ତନ୍ତ କାର୍ଯ୍ୟ ଚଳାଇଲା ।

ତନ୍ତିପା ବୋଲନ୍ତି ଶୁଣ ହେ ରାଜନ ନାମେ ଆଶ୍ରା କରିଥିବୁ,
ମାୟା ମୋହ ଛାଡ଼ି ଯୋଗ ପଥେ ବସି ହରିଙ୍କୁ ସଦା ଚିନ୍ତିବୁ ।

ମନ ଇଚ୍ଛା କଲୁ ଅଜ୍ରାମର ହେଲୁ ଯାଅ ଯାଅ ଗୋବିନ୍ଦାଇ,
ଏତେକ କ‌ହିଣ ତ‌ହୁଁ ସେ ତନ୍ତିପା ଗଲେ ଅନ୍ତର୍ଦ୍ଧ୍ୟାନ ହୋଇ ।

ଗୋବିନ୍ଦଚନ୍ଦ୍ର ଯେ ମତ୍ତ୍ୟ ମଣ୍ଡଲରେ ଏକ ହୋଇଣ ରହିଲେ,
ଶ୍ରୀହରି ନାମକୁ ଭଜନ କରିଲେ ଗଣ୍ଡୁକୀ ନ‌ଦୀର ତୀରେ ।

ସପତ ବରଷ ଯାଏ ତ‌ହିଁ ପୁଣି ମଉନ ତପ ଆଚରି,
ଦ୍ୱାଦଶ ବରଷ ସମ୍ପୁର୍ଣ୍ଣ ହୁଅନ୍ତେ ଆପଣା ରାଜ୍ୟରେ ମିଳି ।

ମାତାଙ୍କୁ ଦର୍ଶନ କରିଣ ଗୋବିନ୍ଦ କ‌ହିଲେ ସବୁ ବୁଝାଇ,
ଦେଖି ସପ୍ତଦ୍ୱୀପ ସପ୍ତ ପାରାବାର ଜଳଧି ପୁରକୁ ଯାଇ ।

ସ୍ୱର୍ଗକୁ ବୁଲିଣ ଆସନ୍ତେ ଗୋ ମାତା ଗୋରେଖଙ୍କୁ ମୁଁ ଭେଟିଲି,
ତନ୍ତିପା ତାଙ୍କର କଳି ଲାଗିଥିଲେ ଶୂନ୍ୟରେ ଥାଇ ଦେଖିଲି ।

ଶେଷେ ତାଙ୍କ ପାଶେ ସାକ୍ଷାତ ଦିଅନ୍ତେ ବ‌ହୁତ ପ୍ରଶଂସା କଲେ,
ସିଦ୍ଧ ବିଭୁତିଙ୍କୁ ଗୋରେଖ ସ୍ୱହସ୍ତେ ମୋର କପାଳେ ବୋଳିଲେ ।

ବୋଇଲେ ଗୋରେଖ ଶୁଣରେ ଗୋବିନ୍ଦ ନାତି ଅଟୁ ଯେ ଆମ୍ଭର,
ତୋ ମାତା ମୁକୁତା ଦେଈ ଆମ୍ଭଠାରୁ ଜ୍ଞାନ ପାଇଛି ଅପାର ।

ତାଙ୍କଠରୁ ତ‌ହିଁ ମେଲାଣ ମାଗିଣ ଗଣ୍ଡୁକୀ ତୀର୍ଥକୁ ଗଲି,
ସପତ ବରଷ ତ‌ହିଁ ଜପକରି ତୁମ୍ଭ ପାଖକୁ ଅଇଲି ।

ଏବେ ଗୋ ଜନନୀ ସିଦ୍ଧ ହେଲି ଯିବି ମୁଁ ନିଜେ କୈଳାସ ପୁରୀ,
କେତେଦିନ ହେଲା ଗୁରୁ ଦେଖି ନାହିଁ ଦେଖିବି ଈଶ୍ୱର ପୁରୀ ।

ଏତେ ବୋଲିକରି ଗୋବିନ୍ଦଚନ୍ଦ୍ର ଯେ ମେଲାଣି ହୋଇଣ ଗଲେ,
ତୀର୍ଥ ବ୍ରତମାନ ବାଟରେ କରିଣ ଶିବ ପୁରରେ ମିଳିଲେ ।

ଗୁରୁଙ୍କ ଚରଣ ତଳରେ ପଡ଼ିଣ ସବୁ ବୁଝାଇ କ‌ହିଲେ,
ଗୁରୁଙ୍କ ପାଖରେ ମିଳିଲେ ଗୋବିନ୍ଦ ତ‌ହୁଁ ସ୍ତୁତି ପୂଜା କଲେ ।

ହାଡ଼ିପା ବୋଲନ୍ତି ଶୁଣ ଗୋବିନ୍ଦାଇ କିପରି ଅଛି ତୋ ମାତା,
ତାହା ସଙ୍ଗତରେ ଦେଖା ତୋ ହେଲା କି କ‌ହ ତ‌ହିଁର ବାରତା ।

ଗୋବିନ୍ଦ କ‌ହଇ ଶୁଣ ଆହେ ଗୁରୁ ମାତା ପାଶେ ଯାଇଥିଲି,
ସର୍ବ ସମାଚାର ତାହାକୁ କ‌ହିଣ ତୁମ୍ଭ ପାଶକୁ ଅଇଲି ।

ମାତା ଯେ ମୋହର ଆନନ୍ଦେ ଅଛନ୍ତି ବଧୂମାନଙ୍କୁ ଯେ ଘେନି,
ରାଜ୍ୟର ଚରଚା ସବୁ ଯେ ବୁଝନ୍ତି କ‌ହିଲି ହେ ମହାମୁନୀ ।

ଗାଡ଼ିପା କ‌ହ‌ନ୍ତି ଶୁଣ ଗୋବିନ୍ଦାଇ ଏବେ ତୋର କେଉଁ ଇଚ୍ଛା,
କେଉଁଠାକୁ ୟିବୁ କେଉଁଠି ରହିବୁ କ‌ହରେ ମୋହର ବତ୍ସା ।

ଗୋବିନ୍ଦ କ‌ହଇ ଶୁଣ ମହାଗୁରୁ ଆଉ କାହିଁ ଇଚ୍ଛା ନାହିଁ,
ନିରନ୍ତରେ ଏହି ଶ୍ରୀଚରଣ ସେବି ଦିନ ହରିବି ଗୋସାଇଁ ।

ଶୁଣି ମହାଗୁରୁ ସନ୍ତୋଷ ହୋଇଣ ବୋଲନ୍ତି ଯେ ଇଚ୍ଛା ତୋର,
ରୁହ ବାପ ତେବେ ଆନନ୍ଦେ ଏଠରେ ଚିନ୍ତି ହୃଦେ ଚକ୍ରଧର ।

ଆଜ୍ଞାଙ୍କୁ ପାଇଣ ସନ୍ତୋଷେ ରହିଲେ ତ‌ହିଁ ପୁଣି ଗୋବିନ୍ଦାଇ,
ଶୁଣ ଗୋ ପାର୍ବତୀ ଏମନ୍ତ ପ୍ରକାରେ ଅମର ହୋଇଲେ ସେହି ।

ଏ କଳି ଯୁଗରେ ଗୋବିନ୍ଦ କେମନ୍ତେ ସିଦ୍ଧି ପୁରୁଷ ହୋଇଲା,
କଲେ ସେ ପ୍ରକାରେ ହରିଙ୍କୁ ଭଜନ ନୁହ‌ନ୍ତିଟି ଆନ ଭଲା ।

ଆହେ ସାଧୁଜନ ଗୋବିନ୍ଦ ଚରିତ ମନରେ ଭାବନା କର,
ଶ୍ରୀହରି ଭଜନ କର ସର୍ବଜନ ହେବ ଭବଧାମ ପାର ।

ଏ କଳି ଯୁଗରେ ଅନେକ ପ୍ରକାରେ ପାପକୁ କରନ୍ତି ଇଚ୍ଛା,
ହିଂସା ଲୋଭ ମୋହ ମନରେ ବ‌ହିଣ କଳିକି କରନ୍ତି ବାଞ୍ଛା ।

କେତେ କେତେ ଦୁଷ୍ଟଜନ ଯେ ଅଛନ୍ତି ଗର୍ବ ମନରେ ରଖନ‌୍ତି,
ନ ମିଳିଲେ କିଛ ପରର ଧନ‌କୁ ବେଗରେ ସେହୁ ହରନ୍ତି ।

ଆହେ ଦୀନବନ୍ଧୁ ଏହି ସଙ୍କଟରୁ ମୋତେ ଉଦ୍ଧାର କରିବ,
ତୁମ୍ଭ ପଦ୍ମ‌ପାଦେ ସେବା ନିରନ୍ତରେ ଏହି ଅଧମକୁ ଦେବ ।

ଅଭୟ ଚରଣ ଭିନ୍ନ ମୋ ଶରଣ ନ ରୁଚଇ ଆନ କିଛି,
ଦାସ ଦୋଷ କ୍ଷମା ନ କଲେ ମହିମା ଦେଖିବେ କି ରୂପେ ଖ୍ୟାତି ।

ବାରେ ତୁ ସଦୟ ନ ହୋଇଲେ ଆଉ ବଞ୍ଚିବ କି ଏ ଜୀବନ,
ଯାହା ଇଚ୍ଛା ତୋର ରହିଛି ଚରଣେ କର କରୁଣ ନିଧାନ ।

ଚଳିଗଲେ କାଳ କରିବ କବଳ ନ ହେବି ଆଉ କାରଣ,
ଗଳେ ବାନ୍ଧି ଫାଶ ରଖିବେ ନର୍କରେ ହରଷରେ ଯମଗଣ ।

ନିତ୍ୟେ ତୁମ୍ଭ ନାମ ସ୍ମରଣ କରିବି ନ ହେବ କେବେ ପାଶୋର,
ଏହି ଆଜ୍ଞ ମୋତେ ପ୍ରସନ୍ନେ ଦେବଟି ଆହେ ପ୍ରଭୁ ଚକ୍ରଧର ।

ହାଡ଼ିପା ଗୋରେଖ ତନ୍ତିପା ପଦରେ ମୋହର ଚିତ୍ତ ଯେ ଥାଉ,
ହରିନାମ ଜପି ଜୀବନ ମୋହର ବେଗରେ ବାହାରି ଯାଉ ।

ଆହେ ସାଧୁଜନେ ମୋହର ଯେ ଦୋଷ କେବେହଁ ତୁ୍ମ୍ଭେ ନ ଧର,
ଅଟଇ ଅଜ୍ଞାନ ନାହିଁ ତିଳେ ଜ୍ଞାନ ମୋର ଦୋଷ କ୍ଷମା କର ।

ଈଶ୍ୱର କୃପାରୁ ଗିବିନ୍ଦଚନ୍ଦ୍ରର କଥା ମୁହିଁ ଯେ ବଖାଣି,
ଜୀବ ଯିବ ମନେ ମୁହିଁ ଯେ ଭାବୁଛି ପୂର୍ବରୁ ପାତକ ଘେନି ।

ଏ ପାପରୁ ହରି ମୋତେ କୃପାକର ତୁମ ଚରଣେ କିଙ୍କର,
ତୁମ୍ଭେ ଯେ ପ୍ରସନ୍ନ ନ ହୋଇଲେ ପୁନଃ ବୁଡ଼ିଗଲା ମୋ ସଂସାର ।

ଶିବ ପାର୍ବତୀଙ୍କ ଚରଣେ ମୋହର ଚିତ୍ତ ନିରନ୍ତରେ ରହୁ,
ଯୋଗୀନ୍ଦ୍ର ଦୈବିଜ୍ଞ ବିପ୍ର ଯେ କ‌ହଇ ମୋତେ ରଖ ମହାବାହୁ ।