ଡକେଇତି

ଉଇକିପାଠାଗାର ରୁ
Jump to navigation Jump to search
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ଡକେଇତି (ଫତୁରାନନ୍ଦ) ଆଉ ଡକେଇତି ଦେଖନ୍ତୁ ।
ଡକେଇତି
ଲେଖକ/କବି: ଫତୁରାନନ୍ଦ

ପଧାନ ଘରର ପୁରିଉଠିଥିବା ଶିରୀ ଦେଖି ଆଖପାଖରେ ଲୋକମାନେ ଅଥୟ ହୋଇପଡ଼ିଲେ । ସମସ୍ତଙ୍କ ମୁହଁରେ ଖାଲି ହାଇ ହାଇ । କାହାର ଛାତି କରତି ନ ହେଉଛି, ଏମିତି ଜଣେ ପାଇବନି । ଚାରି ପାଞ୍ଚଜଣ ଏକାଠି ହେଲେ ଉଠିଲା ତା‘ରି କଥା । ଦିନେ କହୁ କହୁ ଶଙ୍କରା କହିଲା, ‘ଲକ୍ଷ୍ମୀ ପଶିଲାବେଳେ ଏମିତି ପେଲି ପଶନ୍ତି । କୋଉ ଶିରା ଦେଇ ନଡ଼ିଆରେ ପାଣି ପଶୁଛି କିଏ ଜାଣେ ? ସେମିତି ପଧାନ ଘରେ କୋଉବାଟେ ଲକ୍ଷ୍ମୀ ପଶୁଛନ୍ତି କିଏ କହିବ ?’ ଏହା ଶୁଣି ବନା କହିଲା, ମୁଁ କହିବି, ଗୋଟିଏ ବାଟ ନୁହେଁ, ଯେତେ ବାଟ ଅଛି ସବୁ କହିବି । କାନ୍‌ତରାଟି, କେନ୍ଦୁପତ୍ର ଠିକାଦାରି, କଳା ବେପାର, ମହାଜନି ଆଦି ଏତେ ବାଟ । ସବୁ ବାଟରେ ଲକ୍ଷ୍ମୀ ଧଇଁସଇଁ ହୋଇ ପଶୁଛନ୍ତି । ବେଲୁନ ପରି ତା’ଘରଟା ଫୁଲିବାରେ ଲାଗିଛି । ଜଣେ କହିଲା ‘ବେଶି ଫୁଲିଲେ ଠୋଃ ହୋଇଯିବ ।’ ବନା କହିଲା, ‘ରାମ୍‌ବୋଲ-ଫାଟିବାର କିଛି ଲକ୍ଷଣ ଦିଶୁନାହିଁ । ଆମ ପିଲାଏ ଅବା ତା ଠୋଃକୁ ଦେଖିବେ । ଏକ୍ଷଣି ତାର ଫୁଲିବାର ସମୟ ।’ ଆଉ ଜଣେ କହିଲା, ‘ସେ ବ୍ରହ୍ମଶୋଷା ପଧାନ ଗଇଁଠା ପାଉଁଶ ପରି ଚାରିଆଡ଼ର ସମସ୍ତଙ୍କୁ ଶୋଷି ସିଠା କରିଦେଲାଣି ।’ ଶଙ୍କରା କହିଲା, ‘ସେ କଅଣ ଖାଲି ଗଇଁଠା ପାଉଁଶ, ସେ ଗୋଟାଏ ଲକ୍ଷ୍ମୀ ଯନ୍ତା । ଲକ୍ଷ୍ମୀ ତା’ ଘରକୁ ପଶିଯାଆନ୍ତି, କିନ୍ତୁ ବାହାରିବା ଦେଖିଛ ?’ ସମସ୍ତେ ଏକାବେଳକେ କହି ଉଠିଲେ, ‘ଆରେ ଯା ଯା କାଣିକଉଡ଼ିଟାଏ ତ ବାହାରିବ ନାହିଁ । ପଇସା ତ ଦୂରର କଥା । ଆଉ ବି ତା’ ପଇସା ହଉଛି ଗୋବର ଲେଣ୍ଡା; ଅକସ୍ମାତ ଯେଉଁଠି ପଡ଼ିବ, ସେଠୁ ମାଟି ନେଇ ଉଠିବ ।’ କେତେଜଣ ଅତି ଅସହଣି ଟୋକା କହିଲେ, ‘ଶଳାର ଘରେ ଡକେଇତ ପୂରେଇଦେବା ।’ ଡକେଇତଙ୍କୁ ଖୋଜି ପାଇବା ବଡ଼ କଷ୍ଟକର ବୋଲି ମତ ପ୍ରକାଶ ପାଇବାରୁ ଜଣେ ମୁରୁକିହସା ଦେଇ କହିଲା- ‘ଡକେଇତଙ୍କୁ ପାଇବା ସିନା ପୁଲିସ ପକ୍ଷରେ କଷ୍ଟ । ଟିକିଏ ଇସାରା ଦେଲାମାତ୍ରେ ଦଶ, ପଚିଶ ଯେତେ ଚାହିଁବ ସେତେ ଆସି ହାଜର ହେବେ ।’ ସମସ୍ତେ ଠିକ୍‌ କଲେ ପଧାନ ଘରେ ଡକେଇତ ପୂରାଇବେ । ଖୋଜି ବସିଲେ ସବୁ କଥାକୁ ଯୁକ୍ତି ମିଳିଯାଏ । ଏମାନଙ୍କର ଯୁକ୍ତି ହେଲା, ଯେହେତୁ ପଧାନ ସମସ୍ତଙ୍କୁ ଶୋଷି ନିଜର ଢୋଲ ବଢ଼େଇଛି ସମସ୍ତେ ତା’ ଘରେ ଡକେଇତ ପୂରେଇ ତାକୁ ଶୋଷିବେ । ଯେସାକୁ ତେସା ନ ହେଲେ ଏ ଦୁନିଆରୁ ନପାରିଲା ଲୋକେ ପୋଛି ହୋଇଯିବେ । କଥାଟା ପକ୍‌କା ହୋଇଗଲା । ଡକେଇତଙ୍କୁ ନିମିତା କରିବାର ଭାର ଜଣକୁ ଦିଆଗଲା । ବନା ଯେତେବେଳେ ଜାଣିଲା ସତକୁ ସତ ଡକେଇତି ବ୍ୟବସ୍ଥା ହେଉଛି ସେ କାନରେ ହାତ ଦେଲା । ସମସ୍ତଙ୍କୁ ଡାକି କହିଲା, ’ଆରେ ଏ କି କଥା, ସମସ୍ତଙ୍କ ମୁଣ୍ଡ ବିଗିଡ଼ି ଗଲାଣି ନା କଅଣ ମ ? ଏମିତିଆ ମୂର୍ଖାମି ତ ମୁଁ କୋଉଠି ଦେଖିନି । କଅଣ ତୁମ ମୁଣ୍ଡରେ ପଶିଛି ମୁଁ ବୁଝିପାରୁନି ।’ ଜଣେ କହିଲା, ‘ଫେର୍‌ ବୁଝେଇବାକୁ ପଡ଼ିବ ? ସବୁ ବାଟରେ ଆମକୁ ଶୋଷି ସେ ଗଣ୍ଡି ବଢ଼େଇଛି । ଆମେ ତାକୁ ଯଦି କୋଉ ବାଟରେ ଶୋଷି ପାରିଲୁ ତେବେ କି ମୁସ୍କିଲ ହୋଇଗଲା-’ ‘ସେ ଯେମିତି ଚାଲାଖିରେ ଶୋଷୁଛି ତମେ ସେମିତି ଚାଲାଖି କରି ଶୋଷୁନ-’ ‘ଶଳାଠୁ ତ ପଇସାଟାଏ ବି ନେଇ ହେଲାନାହିଁ । ସବୁ ଉପାୟରେ ବିଫଳ ହେବାରୁ ସିନା ଏ ବାଟ ଧରିଲୁ ।’ ‘ଖବରଦାର୍‌ ଏ ବାଟ ଠିକ୍‌ ନୁହେଁ । ଠିକ୍‌ ବାଟ ମୋତେ ଜଣା । ତମର ଖାଲି ଶୋଷିବା ଯଦି ଲୋଡ଼ା ତେବେ ମୋ ବାଟରେ ଚାଲ । ଟିକିଏ ଖାଲି ସମୟ ଦରକାର । ଦେଖିବ ସେ ଛାଏଁ ଛାଏଁ ଆସି ତୁମମାନଙ୍କୁ ତା’ ଦେହରେ ଥଣ୍ଟ ଲଗାଇ ଶୋଷିବା ଲାଗି କାକୁତିମିନତି ହେବ । ଏଇଟା ସୁବିଧା ହେବ ନା ଡକାଏତି ସୁବିଧା ହେବ ? ସେଥିରେ ପୁଲିସ୍‌ ବନ୍ଧୁକ, ଘୋଷରା, ମକଦ୍ଦମା, ତା’ ପରକୁ ଓଲଟି ଓକିଲ ଶୋଷା । ଶୋଷିବାକୁ ଯାଇ ଓଲଟି ଶୋଷିତ ହେବ ।’ ସମସ୍ତେ ଗୁଣୁଗୁଣେଇ ଉଠିଲେ- ଏଗୁଡ଼ାକ ଖାଲି ମନଗଢ଼ା କଥା । ବରଜୁ ପଧାନ ଏଡ଼େ ଓଲୁ ନୁହେଁ । ଜାଣିଥାଅ ବନା ବି ଓଲୁ ନୁହେଁ । ପଧାନକୁ ସତର ଘଣାରେ ପାଣି ପିଆଇଲାବାଲା ମୁଁ । ମୋତେ ଦୁଇଟି ମାସ ସମୟ ଦିଅ । ଯଦି କିଛି ଫଳ ନ ହୁଏ ତେବେ ତୁମ ଦେଖିଲା କାମ ତୁମେ କରିବ । ଆଉ ଦେଖ, ମୋ କଥା ଅନୁସାରେ ସମସ୍ତେ ଚଳିବ । ମୋତେ ସର୍ଦ୍ଦାର ବୋଲି ଭାବିବ । ବେଶି ନାହିଁ ମୋଟେ ଦୁଇଟା ମାସ, ସ୍ୟାଡ଼କୁ ପଚାରିଲେ ପଚାରିବ, ନ ପଚାରିଲେ ନାହିଁ । ଏମିତିଆ କଥାରେ କିଏ ବା ରାଜି ନ ହେବ । ପୁଲିସ, ବନ୍ଧୁକ, ଓକିଲ, କଥା ଶୁଣି କେତେଜଣ ଘାବରେଇ ଯାଇଥିଲେ । ସେମାନେ ବି ଟିକିଏ ନିଃଶ୍ବାସ ମାରିଲେ । ସର୍ବସମ୍ମତିକ୍ରମେ ପ୍ରସ୍ତାବଟି ଗୃହୀତ ହୋଇଗଲା । ବନମାଳୀ ବରଜୁ ପଧାନଙ୍କର କାନକୁହା ସାଜିଲେ । ମନ୍ତ୍ରୀ ହେବାରେ ଯେ, ଏତେ ଲାଭ ପଧାନେ ଭାବିପାରି ନ ଥିଲେ; ବନା ତାଙ୍କ ଆଖି ଝଲସେଇ ଦେଲା । ତା’ଦ୍ବାରା ପ୍ରସ୍ତୁତ ଆୟବ୍ୟୟ ତାଲିକା ଦେଖି ପଧାନେ ଏକାବେଳକେ ଭୋଳ । ପ୍ରଥମେ ମାତ୍ର ଚାରିଅଣା ଖର୍ଚ୍ଚ । ଗୋଟିଏ କଂଗ୍ରେସ ମେମ୍ବର ହେବାକୁ ପଡ଼ିବ । ଜିଲ୍ଲା ଓ ପ୍ରାଦେଶିକ ମେମ୍ବରଙ୍କ ମୁହଁ ଚିକଣେଇବାରେ ହଜାରେ ଦୁଇହଜାର ଯିବ । ଟିକଟ ପାଇବାର ଗୁଞ୍ଜାଗୁଞ୍ଜିରେ ଦି’ ହଜାର, ଭୋଟ ଲଢ଼େଇରେ ଅତି କମ୍‌ରେ ଦଶହଜାର, ଗାଏମୋଟ ଚଉଦ ବା ପନ୍ଦର ହଜାର ଖର୍ଚ୍ଚ । ମନ୍ତ୍ରୀ ହେବା ପରେ ଗୋଟାଏ ଗୋଟାଏ ଥୋପରେ ୩୦/୪୦ ହଜାରରୁ କମ୍‌ ମିଳିବ ନାହିଁ । ତା’ ଉପରେ ପୁଣି ଦରମା ୫ ବର୍ଷକୁ ମୋଟାମୋଟି ଦେଢ଼ ଲକ୍ଷ । ତା’ ଉପରକୁ ପୁଣି ଗସ୍ତଖର୍ଚ୍ଚ ଅଛି । ପଧାନଙ୍କ ଆଖି ଖୋସି ହୋଇଗଲା । ସେ ବନାକୁ ଜକଟି ମକଟି ଧରିଲା । ତଳିଆ ଆଡ଼ୁ ଦିହ ଉଲୁସି ଉଠିଲା । ଅତି ବିଶ୍ବାସରେ ବନାକୁ ପଚାରିଲା- ‘ଆଛା ମୁଁ ତ ପାଠଶାଠ ସେମିତି କିଛି ପଢ଼ିନି ।’ ବନା ଖେଁ ଖେଁ ହୋଇ ବହେ ହସିସାରିବା ପରେ କହିଲା, ‘ସେଥିପାଇଁ ତ ପାଠ ବିଲ୍‌କୁଲ୍‌ ଦରକାର ନାହିଁ । ସବୁକାମ ସେକ୍ରେଟାରୀ, କିରାନିମାନେ କରିଦେବେ । ତୁମେ ଖାଲି ମଞ୍ଜୁର କରି ଲେଖି ଦସ୍ତଖତ୍‌ ମାରିପାରିବନି ?’ ‘ହଁ ହଁ, ତା’ ପାରିବି । ଇଂରେଜୀରେ ବି ଦସ୍ତଖତ୍‌ କରିଦେଇ ପାରିବି ।’ ‘ଏଁ ତମେ ୟା’ ଭିତରେ ଇଂରେଜୀରେ ଦସ୍ତଖତ୍‌ କରି ଶିଖିଲଣି ?’ ‘ହଁ ହଁ, ଚେକ୍‌ ଫେକ୍‌ରେ ବହୁତ ଦସ୍ତଖତ୍‌ ଦେବାକୁ ପଡ଼ିଲା । ବହୁତ ପରିଶ୍ରମ କରି ସେଇଟା ଶିଖିନେଲି । ସେତିକି ନୁହେଁ, ଚାରିଣିଆ ଉଆର୍ଡ଼୍‌-ବୁକ୍‌ଟା ଘୋଷି ମୁଖସ୍ଥ କରିଦେଇଛି ।’ ‘ତେବେ ତ କି କିସ୍ତୀମାତ୍‌ । ଆଉ ଚିନ୍ତାନାହିଁ ! ସେଠି ଖାଲି ଟଙ୍କା କାରବାର । ହିସାବ କିତାବରେ ତୁମକୁ କେହି ବଳିଯିବେ ନାହିଁ ।’ ‘ସେଥିରେ ପୁଣି ମୋତେ କିଏ ପାରିବ ? କେତେ ଇନ୍‌କମ୍‌ ଟିକସ ଅଫିସର, କେତେ ସେଲ୍‌ ଟିକସ ଅଫିସରଙ୍କୁ ଭୁଆଁ ବୁଲେଇ ଦେଇଛି । ପୁଅମାନେ ସମସ୍ତେ କାନମୁଣ୍ଡା ଆଉଁସି ଫେରିଯାଇଛନ୍ତି । ‘ବାସ୍‌ ବାସ୍‌, ଆଉ କିଛି ଚିନ୍ତା ନାହିଁ । ଆଉ ଦେଖ ମୁଁ କାମରେ ଲାଗିଲି । ତୁମେ ତ ଜାଣ ବେପାରରେ କେମିତି ଟଙ୍କା ଲଗାଇବାକୁ ହୁଏ । ବଖତ ବେଳକୁ ଗାଞ୍ଜିଆ ଚିପିଲେ ଚଳିବ ନାହିଁ । ଚାଲିଲି ମୁଁ କଂଗ୍ରେସ ଅଫିସ ।’ ତାଡ଼ାଏ ବାଘୁଆ ନୋଟ୍‌ ତା’ ହାତରେ ଗୁଞ୍ଜିଦେଇ ପଧାନ ତାକୁ ବିଦାୟ ଦେଲା ।

ବନାକୁ ସଦଳବଳ କଂଗ୍ରେସ ଅଫିସ୍‌ରେ ଦେଖିବାମାତ୍ରେ ସମ୍ପାଦକ ତଥା ସଭାପତି ଏକାବେଳେକେ ଆନନ୍ଦରେ ଅଥୟ । ପ୍ରଶ୍ନ ଉପରେ ପ୍ରଶ୍ନ- ଆଜ୍ଞା କେମିତି ଅଛନ୍ତି, ପିଲାପିଲି ଭଲ ତ । ଆମ୍ଭମାନଙ୍କୁ ଭୁଲିଗଲେ କି, ଆପଣଙ୍କ ଥାନାର ହାଲଚାଲ କ’ଣ-ଅନୁରୋଧ ଉପରେ ଅନୁରୋଧ- ଏଠି କିଛିଦିନ ରହନ୍ତୁ । କିଛି ଜଳଯୋଗ ନକରାଇ ଛାଡ଼ିବୁ ନାହିଁ । ଏଇଟା ଆପଣଙ୍କ ଘର, ଏଇଠି ରହନ୍ତୁ, କାହିଁକି ଆଉ କାହା ଘରକୁ ଯିବେ, ଖିଆପିଆ ବନ୍ଦୋବସ୍ତଟା ଏଇଠି ହେଉ ଇତ୍ୟାଦି । ଛଡ଼ିଦାରସହ ପଣ୍ଡାଏ ଯାତ୍ରୀଙ୍କୁ ପାକଳେଇବାଠାରୁ ଏମାନଙ୍କର ପାକଳାପାକଳି ଢେର୍‌ ଢେର୍‌ ବଳିଗଲା । ବନା ଓ ତା’ ସଙ୍ଗୀମାନେ ମନେମନେ ଭାବୁଥାନ୍ତି ଆ-ହା-ହା-ହା କେତେ ଦରଦ, ଅଲାଜୁକଙ୍କ ଦରଦ ମୁଣି ଫାଟିଯାଇଛି । ବର୍ଷେ ଦି’ ବର୍ଷ ତଳେ ୟାଙ୍କଠି ତେଲ ଲଗେଇ ଲଗେଇ ହାତ ବିନ୍ଧିଲା ପଛେ ଦୃଷ୍ଟି ଟିକଏ ପଡ଼ୁ ନଥିଲା । ବେହିଆ, ଥୋବରା ଭାବିଛନ୍ତି ନିର୍ବାଚନ ଦୁଇମାସ ବୋଲି ଆମେ ଜାଣିନୁ । ସୀମା ଆନ୍ଦୋଳନ ବେଳର ପୁଲିସ୍‌ ଠେଙ୍ଗୁଣି ଆମେ ଭୁଲିଯାଇଛୁ । ବଚ୍ଚା, ତୁମେ ଡାଳେ ଡାଳେ ଗଲେ ଆମେ ପତ୍ରେପତ୍ରେ ଯିବୁ । ପାଞ୍ଚବର୍ଷ ଅତ୍ୟାଚାରର ବଦଲା ଏଇ ଦୁଇ ମାସରେ ନେବୁ । ମନକଥା ମନରେ କିନ୍ତୁ ବାହାର କଥାଟା ଠିକ୍‌ ଓଲଟା । ବହୁ ବୁଝାବୁଝି ପରେ ସୁଦ୍ଧା ସଭାପତି ଟିକିଏ କୁନ୍ଥୁକୁନ୍ଥୁ ହେବାରୁ ବନା ତାଙ୍କୁ କଡ଼ ଘରକୁ ଡାକିନେଇ ସାଫ୍‌ ସାଫ୍‌ କହିଦେଲା- ଦେଖ ପଧାନକୁ ଟିକଟ ନ ଦେଲେ ସେ ସ୍ବାଧୀନ ଭାବରେ ଠିଆ ହେବ । ଟଙ୍କା ଦେଇ ଭୋଟ୍‌ କିଣିବା ପାଇଁ ତା’ର ଅକଳନ୍ତି ଟଙ୍କା ଅଛି । ତୁମେ ଖୁବ୍‌ ଦେଲେ ଛ’ହଜାର ଦେବ । ତୁମେ କିଛି ନଦେଲେ ବି ସେ ଛ’ର ଛଅ ଗୁଣ ଖର୍ଚ୍ଚ କରିପାରିବ । ତୁମେ ଟିକଟ ଦିଅ । ସେ ଛ’ ହଜାର ଛାଡ଼ିଦେବ । ମୋତେ ହଜାରେ ଦେଇ ତୁମେ ପାଞ୍ଚ ହଜାର ବାଣ୍ଟିନେବ । ଏତକ ନ କଲେ ଆମେ ସମସ୍ତେ ପଧାନ ପାଇଁ କାମ କରିବୁ । ସଭାପତି ଏକାବେଳେକେ ପାଣି ହୋଇଗଲେ । ଗଡ଼ ଜୟକରି ବନା ସଦଳବଳ ଫେରିଲା । ଭୋଟ୍‌ ଲଢ଼େଇ ଯହୁଁ ଯହୁଁ ଗରମ ହେଉଥାଏ, ପଧାନ ତହୁଁ ତହୁଁ ବନାକୁ ବେଶି ଜକଟି ମକଟି ଧରୁଥାଏ । ଏଇ ବନା ଲାଗି ସିନା ତା’ର ଉନ୍ନତି । ଆଜି ମୁତଫରକା କର୍ମୀଠାରୁ ଆରମ୍ଭ କର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ତା’ ଘରେ ଅତିଥି । ନିତି ତା’ ଘରେ ବାହାଘର ମଉଛବ । ବନା ଏକାବେଳେକେ ଦୁଇ ଫାଳ । ଗୋଟିଏ ଫାଳ ପଧାନକୁ କହି ଲାଗେ- ଖୋଲ ମୁଣି ଖୋଲ । ମନେରଖ ଖାଲି ଦରମା ଦେଢ଼ଲକ୍ଷ, ୟାର ବହୁଗୁଣ ଉପୁରି । ଆଉ ଆର ଫାଳଟା ଫୁସ୍‌ଫୁସ୍‌ କରି ଲୋକଙ୍କ କାନରେ କହେ- ମେଘ ବରଷୁଛି ପିଇଯାଅ ପାଣି । ମେଘ ତୁମରି ପରି ହ୍ରଦ, ପୋଖରୀ, ଗଡ଼ିଆ, ଟୁବରୁ ପାଣି ଶୋଷି ଶୋଷି ନେଇଥିଲା; ମୁଁ ତାକୁ କାଲୁଆ କରିଛି । ସେ ଏବେ ବରଷୁଛି । ପାଣି ଯେଉଁଠୁ ଯାଇଥିଲା, ଠିକ୍‌ ସେହିଠାକୁ ଫେରି ଆସିବ । ହୁସିଆର ହୋଇ ପିଇଯାଅ । କିନ୍ତୁ ଖବରଦାର, ପଇସା ଖାଇ ଇଜ୍ଜତ ବିକନା, ବୁଝି ସମଝି ଭୋଟ ଦିଅ । ପଇସା ଲୋଭରେ ଯେମିତି ମା ଭଉଣୀଙ୍କୁ ନ ବିକ । ଏ ବେପାରରେ ୪୦ ହଜାର ଟଙ୍କା ଖଟେଇ ସାରିବା ପରେ ପଧାନ ବନାମୁହଁକୁ ଚାହିଁଲା । ବନା ଆଶ୍ବାସନା ଦେଇ କହିଲା ଭୟ ନାହିଁ ଭୋଟର ସଂଖ୍ୟା ଯେତେ ଆମର କର୍ମୀ ତା’ର ପାଖାପାଖି । ବେପାରରେ ଟଙ୍କା ଲଗାଣ ମୁଁ କଅଣ ତୁମକୁ ଶିଖେଇବି । ଲାଭକୁ ମନରେ ରଖି ଟଙ୍କା ଲଗାଅ । ଏତେବେଳେ ଟିକିଏ ପଛେଇଲେ ଏ ଚାଳିଶି ହଜାର ପାଣିରେ ପଡ଼ିବ । ଖବରଦାର୍‌ ! ପଧାନ ଡରିଯାଇ ଟ୍ରେଜେରି ମେଲା କରିଦେଲା । ପାରାଭାଡ଼ି ଖୋଲିଦେଲେ ଯେପରି ପାରାଗୁଡ଼ିକ ଫଡ଼୍‌ଫାଡ଼୍‌ ହୋଇ ପଦାକୁ ଉଡ଼ି ଆସନ୍ତି, ଟ୍ରେଜେରି ଖୋଲା ହୋଇଯିବାରୁ ଅବରୁଦ୍ଧ ନୋଟ୍‌ଗୁଡ଼ାକ ପଡ଼୍‌ଫାଡ଼୍‌ ପଦାକୁ ଉଡ଼ି ଆସିଲେ । ବନାଦଳିଆ ଟୋକାମାନେ କରୁଳି ଉଠିଲେ । କାଳେ କେହି ବିରୁଦ୍ଧଦଳିଆ ପଧାନ କାନରେ ଫୋଡ଼ିଦେବ ଯେ ସେ ତାକୁ ଭଣ୍ଡେଇ ପଇସା ଲୁଟିବାରେ ଲାଗିଛି, ସେଥିଲାଗି ବନା ଆଗରୁ ସତର୍କ ହୋଇ ପଧାନକୁ ଜଣେଇଦେଲା, ‘ଦେଖ ବିରୁଦ୍ଧବାଲା ଏକାବେଳେକେ ଆଣ୍ଠେଇ ପଡ଼ିଲେଣି । ତାଙ୍କର ଭୟ ହେଲାଣି ଯେ ଡ଼ିପୋଜିଟ୍‌ ଟଙ୍କା ବି ଉଡ଼ିଯିବ । ସିଧା ବାଟରେ ନ ପାରି ସେମାନେ ବଙ୍କା ବାଟ ଧରିବେ ବୋଲି ମୁଁ ଶୁଣିପାରୁଛି । ମୁଁ ତୁମ ଟଙ୍କାଗୁଡ଼ିକ ବିନର୍ବ୍ୟୟ କରିଦେଉଛି ବୋଲି କହି ତୁମକୁ ବିଗିଡ଼େଇ ଦେବାକୁ ବସିଲେଣି । କିଏ କେଉଁ ଉଦ୍ଦେଶ୍ୟ ରଖି କଅଣ କହୁଛି ସେଥିପ୍ରତି ଟିକିଏ ହୁସିଆର ରହିବ । ଏତିକିବେଳକୁ ଆଉ ଜଣେ ନସର ପସର ହୋଇ ଧାଇଁ ଆସି କହି ପକେଇଲା- ‘କାଲି ଆର ପାଖର ମୁଣ୍ଡିଆମାନେ ମନ୍ତ୍ରଣା କରୁଥିଲେ, କେମିତି ବନାକୁ ପଧାନଠାରୁ ଛଡ଼େଇ ନେବେ । ଜଣେ କହିଲା ବନା ବିରୁଦ୍ଧରେ ଗୁଡ଼ାଏ ଲଗେଇଜୁଟେଇ କହିଲେ ତା’ର ନିଶ୍ଚୟ ଅବିଶ୍ବାସ ଜାତ ହେବ । ଆଉ ବନା ଯେପରି ଖାଣ୍ଟି ଲୋକ, ସେ ପଧାନର ଟିକିଏ ଅବିଶ୍ବାସ ଦେଖିଲେ ସଙ୍ଗେ ସଙ୍ଗେ ଅଲଗା ହୋଇଯିବ । ବନା ଅଲଗା ହେଲେ କାମ ଫତେ ।’ ଶୁଣିଲାମାତ୍ରେ ପଧାନ ବନାକୁ ଜାବୁଡ଼ିଧରି, ମୁରୁକିହସା ଦେଇ କହିଲା- ‘ଓହୋ ! ମୋତେ କେଡ଼େ ଓଲୁ ବୋଲି ବିଚାରିଛନ୍ତି । ବନୁକୁ ପୁଣି ମୋଠାରୁ ଛଡ଼େଇ ନେବେ । ଦେଖି କାହାର ଦଉଡ଼ କେତେ ।’ ଭୋଟ୍‌ ଦିଆହେବା ଦିନ, ପଧାନ ଛାମୁଡ଼ିଆ ତଳେ ସବୁ ଭୋଟରଦଳ ହାଜର । ବିରୁଦ୍ଧଦଳିଆଙ୍କ ଥାନରେ କୁଆ ଉଡ଼ୁଥାଏ । ସବୁ ଭୋଟନିଆ ଜାଗାରେ ଏକା କଥା । ବନା ସବୁ ଥାନରେ ଶେଷ ଖିଆପିଆର ଧୁମ୍‌ ଲଗେଇ ଦେଇଥାଏ । ବେଳେବେଳେ ଜଣ ଜଣକୁ ଆଖିଠାର ମାରି ଫୁସ୍‌ଫୁସ୍‌ କରି କହି ଦେଉଥାଏ ଭଲକରି ଖାଅ, ଖୁଆଅ, ଏଇ ଶେଷଖିଆ । ନିର୍ବାଚନ ଫଳ ବାହାରିଲା । ପଧାନ ଘର ଶୂନ୍‌ଶାନ ପଡ଼ିଗଲା । ପଧାନ ବିଚରା କତରା ଧରିଲା । କିନ୍ତୁ ଆଉ ଏକ ଗାଁରେ ଥିବା ଏକ ଘରେ ବନାକୁ ସମ୍ବର୍ଦ୍ଧନା କରିବାକୁ ଦଳେ ଟୋକା ଜମିଥାଆନ୍ତି । ବନା ସେମାନଙ୍କୁ କହିଲା- ତୁମେ ଯେଉଁ ଡକେଇତି କରିବ ବୋଲି ବସିଥିଲ ସେଇଟା ଭଲ ନା ଏଇଟା ଭଲ । ପଧାନ ଡାକିଡ଼ୁକି ତୁମ ସମସ୍ତଙ୍କୁ ନେଲା, ଡକେଇତି କରିବାକୁ ଟ୍ରେଜେରି ଖୋଲିଦେଲା । ଡକେଇତି ସରିବା ପରେ ଦିବ୍ୟ ରାଜାଘର ଖାନା ଦେଇ ବିଦା କଲା । ଏଥିରେ ପୁଲିସର ବଡ଼ବୋପା ବି କିଛି କରିପାରିବ ନାହିଁ । ସବୁଠାରୁ ବଡ଼ ଭୟ ଥିଲା ଇଜ୍ଜତ୍‌ । ତାହା ବି ଆମ ଗାଁଆ ଲୋକେ ବଜାଏ ରଖିଛନ୍ତି । ପଇସା ଲୋଭରେ ନିଜିନିଜର ମାଇପ ବିକିନାହାନ୍ତି । ଆନନ୍ଦର କୋଳାହଳ ଭିତରେ ବନାର କଥାଗୁଡ଼ାକ ଲୁଚିଗଲା ।