ତରୁଣ କବିର ଆଶା

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ତରୁଣ କବିର ଆଶା ( ମାୟାଧର ମାନସିଂହ) ଆଉ ତରୁଣ କବିର ଆଶା ଦେଖନ୍ତୁ ।
ତରୁଣ କବିର ଆଶା
ଲେଖକ/କବି: ମାୟାଧର ମାନସିଂହ

ଏଡ଼େ ବିରାଟ ସେ, ପାଏ କି ଭାଷା,
ହାୟରେ ତରୁଣ କବିର ଆଶା !
ଭାବିଥିଲି ଯିବି ଅସୀମ ପଥେ
ସୁରଭି-ଶୀତଳ-ମଳୟରଥେ
କୁସୁମ-ଫଗୁଳ ଫଗୁଣ-ପୁରେ
ବାହି ଗୋ ଦୂରେ !
ଅଶୋକକଳିକା ଶ୍ରବଣେ ଗୁଞ୍ଜି
ଚରମେ ଝୁଲାଇ ବଉଳ-ପୁଞ୍ଜି
ପରିମଳ ପାରି ଯାଆନ୍ତି ମିଶି
ମୁଁ ଦଶ ଦିଶି !
ପରିମଳ ସମ ଗଗନେ ଭାସି
ପାଗଳ କରନ୍ତି ଜୋଛନାରାଶି;
ଜୋଛନା ଡାକନ୍ତା ‘ଆସ ହେ ପ୍ରିୟ’
ଚୁମ୍ବନ ନିଅ !
ଚଇତି-ପବନ ସଙ୍ଗୀତ ଧରି
ସେପାର ଆକାଶେ ଯାଆନ୍ତି ଚଳି,
ମୁକତି ଲଭନ୍ତା ପରାଣ ମମ
ବିହଗ ସମ !
କୋକିଳ ଡାକନ୍ତା, ‘ଆସ ହେ ଭାଇ’
ତରୁଣ ସେ କବି ହୁଅନ୍ତା ବାଇ,
ଗୋଲାପ କହନ୍ତା, ‘ଆସିଲ ସତେ,
ଏତେ ଦିନକେ ?’
ଭାବିଥିଲି ଦୂରି ମଣିଷ-ପ୍ରାସ
ମଧୁର କରିବି ଧରଣୀ-ବାସ
ଏକଇ ଆଦେଶେ, ଜୀବର ହିତେ
ପୃଥିବୀ ପୀଠେ୤
ଦେଶରୁ ଦେଶରୁ ଯାଆନ୍ତି ଉଡ଼ି
ନିଖିଳ ଜାତିର ହୃଦୟ ଜୁରି
ପ୍ରେମର, ଜ୍ଞାନର ପ୍ରଚାର କରି
ପରାଣ ଭରି୤
ଭାବିଥିଲି ଅବା ବକୁଳ ତଳେ
ସୁରଭି କୁସୁମ ଶୟନ ପରେ
ଯାପିବି ଜୀବନ ପ୍ରେୟସୀ ଧରି
ସ୍ବପନ ପରି୤
ବାଛିନେଇଥିଲି ମୋର ପ୍ରେୟସୀ
ଲାବଣ୍ୟ ପ୍ରତିମା, ସମବୟସୀ
ଭାବିଥିଲି ତାରେ କରିବି ସାଥୀ
ପରାଣ ପାତି୤
ଭାବିଥିଲି ଛାଡ଼ି ପୃଥିବୀ ବାଧା
ପୂଜିବି ସେ ମୋର ହୃଦୟ-ରାଧା
ବଜାଇ ମୁରଲୀ ମୁଁ ଅହରହ
କାହିଁ ବିରହ ?
ଅସର ଚାନ୍ଦିନୀ ଯାମିନୀ ତଳେ
ସେ ରାଧା କୋମଳ ଜଘନ ପରେ
ଜୀବନ ମରଣ ଯାଆନ୍ତି ଭୁଲି
ସପନ ପରି !
ବିଜନ ତଟିନୀ ବେତସ ଗେହେ
ଢାଳି ଦେଇଥାନ୍ତି ଅଳସ ଦେହେ
ଚମକନ୍ତି ଶୁଣି ନୂପୁର ଧ୍ବନି
ପ୍ରେୟସୀ ମଣି !
ମାନସୀ ଆସନ୍ତା ହଲାଇ ବେଣୀ
ଚତୁରେ ଚଳାଇ ନୟମ ବେନି,
ଲଗାଇ ଦିଅନ୍ତା ପ୍ରିୟରେ ତାର
କୁସୁମ-ହାର୤
ପାଶରେ ଥାଆନ୍ତା ରସ କବିତା,
ଚିର-ଯଉବନ ପ୍ରଣୟ-ଗୀତା
ପ୍ରେୟସୀ ଗାଆନ୍ତା, ଚୂମ୍ବନ୍ତି ମୁଖ
ପୂରନ୍ତା ବୁକ !
ହାଇରେ ତରୁଣ କବିର ଆଶା
ଏଡ଼େ ବିରାଟ ସେ, ପାଏ କି ଭାଷା,
ଆକାଶ ବସୁଧା କେତେ ସେ କରେ
ନିମିଷକରେ୤
କାହିଁ କଳପନା କାହିଁ ଜୀବନ
ତରୁଣ କବିର ଜଳଇ ମନ,
ଚାରିଆଡୁ ବାଜେ ଦାରୁଣ ବାଧା
କାହିଁ ତା ରାଧା !
ନାହିଁ ରାଧା, ନାହିଁ ବେତସ-ଲୀଳା
ନାହିଁ ପାଶେ ବେଣୀହଲା ଛଇଳା,
ପ୍ରଣୟରେ ମାତି ହେବାକୁ ଗେଲ
କାହିଁ ତା ବେଳ !
ବାଳୁତର ସାଥୀ ନାହିଁ ତା ପାଶେ
ବାଳିକା ସେ ଗଲା ଆନର ଆଶେ,
କାହା ଗଳେ ସୁଖେ ଛନ୍ଦିବ ବାହୁ
କହ ସେ ଆଉ ?
ପ୍ରଣୟୀ ହେବାର ଛାଡ଼ିଛି ଆଶ
କେ ବାଳା ବାନ୍ଧଇ ପ୍ରଣୟ-ପାଶ
କେବଳହିଁ ପ୍ରାଣ-ପୀରତି-ଲଭି
ଗରିବ କବି !
ଗରିବ କବିରେ ସଂସାର ପୀଡ଼େ
କବିତାକୁ ବେଳ ନାହିଁ ଏ ଭିଡ଼େ,
ଫଗୁଣ ଚଳଇ ଚଇତ ଆସେ
କି ଯାଏ ଆସେ !
ପ୍ରଣୟ-କବିତା-ସ୍ବପନ ନାହିଁ
ନିମିଷେ ନିମିଷେ ଗଲେ ଉଭାଇ,
ମଣିଷ ବେଭାରେ ଯାଉଛି ଦ୍ରବି
ତରୁଣ କବି !
ଘୁଞ୍ଚାଇ ନେବାର ଜଗତ ବ୍ୟଥା
ସୁଦୂର ସ୍ବପନ୤ ନିଜର କଥା
ନପାରେ ତୁଳାଇ ଗରିବ କବି
କରୁଣ ଛବି୤
ମଣିଷ ହୋଇ ତା ଏଡ଼େ ବିଚାର
ଧରାରେ ସରଗ ସୃଜନା ତାର୤
ଏ କଳପନାକୁ ପାଏ କି ଭାଷା,
ହାଇରେ ତରୁଣ କବିର ଆଶା !