ତିନିବନ୍ଧୁ

ଉଇକିପାଠାଗାର ରୁ
Jump to navigation Jump to search

ଭବପୁରେ ଥିଲେ ମହାଧନୀ ନରଦାସେ,
ବନ୍ଧୁଗଣ ବେଢି ରହିଥିଲେ ଚଉପାଶେ,
ସବୁବନ୍ଧୁ ମଧ୍ୟେ ବଡ ଥିଲେ ତିନିମିତ,
ତିନିଙ୍କର ନାମ କର୍ମରୁ ହେବ ବିଦିତ,
ତିନିବନ୍ଧୁ ମଧ୍ୟେ ଏକ ଥିଲେ ପ୍ରିୟତମ,
ଦ୍ୱିତୀୟଙ୍କଠାରେ ମମତା ଥିଲା ମଧ୍ୟମ,
ତୃତୀୟଙ୍କଠାରେ ଉଦାସୀନ ଦାସେ ଅତି,
ସେ ତୃତୀୟ ପୁଣି ଅତି ଅପ୍ରଗଳଭ ମତି,
ସେବନ୍ତି ଦାସଙ୍କୁ ନୀରବେ ଗହଣେ ଥାଇ,
ନିଜ ସ୍ନେହ କେବେ ଦେଖାଇ ହୁଅନ୍ତି ନାହିଁ
ଦେଖାଇ ହେବାର ଠାବ ସିନା ଭବପୁର
ଦେଖାଇ ହୁଏ ଯେ ସେହି ସିନା ବାହାଦୂର
ମିତ ଥିଲେ ଯେଣୁ ଏ ମହାଗୁଣେ ବଞ୍ଚିତ,
ବାହାବା ନେବକୁ ହେଉଥିଲେ ବଡ ଭୀତ,
ଆଗଭରି ଆସି କହନ୍ତି ନାହିଁ ସେ କଥା,
ଆଗଭରି ଆସି ନୁଆନ୍ତି ନାହିଁ ସେ ମଥା,
ଚାଟୁକାର ପଣେ ଅପଟୁ ଥିବାରୁ ସେହି,
ଦାସେ ତାଙ୍କଠାରେ ନ ଥିଲେ ନିରତେ ସ୍ନେହୀ,
କେବେ ହେଲେ ତାଙ୍କୁ ସ୍ମରନ୍ତି ନାହିଁ ସରାଗେ,
ସ୍ମରି, ପୁଣି ତାଙ୍କୁ ପାଶୋରନ୍ତି ସେହିଲାଗେ,
ଭୋଳ ହୋଇ ଆନ ବେନିବନ୍ଧୁ ସହବାସେ,
ବୋଲକରା ହୋଇ ରହିଲେ ତାଙ୍କର ଦାସେ,
ତାଙ୍କ ସହବାସେ କଲେ ଦାସେ କେତେ ଲୀଳା
ଆଚମ୍ବିତେ ମହାବିପତ୍ତି ଆସି ଘୋଟିଲା
ସବୁ ବନ୍ଧୁ ସୁନା କିଏ ସୁନା କିଏ ଭେଲ,
ପରଖରେ ସିନା ନିକଷ ବିପତ୍ତି ବେଳ
ରାଜାଙ୍କ ହକରା ଆସିଲେ ଦାସଙ୍କ ପ୍ରତି,
ଛାଟିଆ ଆସିଲେ ନେଇଯିବେ ଛାମୁକତି,
ସେ ହକରା ଶୁଣି ଦାସଙ୍କ ଉଡିଲା ହଁସା
କି କରିବି, ଆହା, ଦିଶୁତ ନାହିଁ ଭରସା
କେବଣ ଦୋଷରୁ ତୁଷ୍ଟ ହେଲେ ନରନାହା
ଏ ସଙ୍କଟେ ମୋର କେଉଁ ମିତ ହେବ ସାହା
ତିନି ବନ୍ଧୁଙ୍କର ମୁହଁ ଚାହିଁ ନରଦାସେ
ପୁଛିଲେ ଏ କଥା ବାଷ୍ପ ଗଦଗଦ ଭାଷେ
ତିନିବନ୍ଧୁଠାରେ ଏ କଥା ହୁଅନ୍ତେ ପୁଛା
ପ୍ରିୟତମ ବନ୍ଧୁ ଆଗେ ଦେଲେ ପଛଘୁଁଚା
ବୋଇଲେ ଏ କଥା ମତେ ନ ବୋଲିବ ଭାଇ,
ଗହଣେ ତୁମ୍ଭର ମୁଁ ତ ନ ପାରିବି ଯାଇ
ଦ୍ୱିତୀୟ ମିତଙ୍କୁ ପୁଛିଲେ ଦାସେ ବ୍ୟାକୁଳେ
ଏ ସଙ୍କଟ କାଳେ ଯିବ ଟିକି ମୋର ତୁଲେ
ଦାସଙ୍କ ଆରତି ଦେଖି ଦୁଃଖେ ସେହି ମିତ
ଅଶ୍ରୁପୂର୍ଣ୍ଣ ମୁଖେ ଉତ୍ତର ଦେଲେ ତ୍ୱରିତ,
ଗହନ କଥା ସେ ଉଭା ହେବା ଶ୍ରୀଛାମୁରେ
ନିଜ ଦେହ ଜଗି ରହିବି ତେଣୁ ମୁଁ ଦୂରେ,
ସିଂହଦ୍ୱାର ଯାଏ କଷ୍ଟେ ସୃଷ୍ଟେ ଯିବି ଭାଇ,
ତେଣିକି ଯିବାକୁ ଶକତି ତ ମୋର ନାହିଁ
ତୃତୀୟ ମିତଙ୍କୁ ତହୁଁ ରାଇ ନିଜ ପାଶେ,
ଲାଜେ ମଥା ପୋତି ପଚାରିଲେ ନରଦାସେ
କପଟ ମିତଙ୍କ ଚାଟୁବୋଲେ ଭୋଳ ହୋଇ,
ତୁମ୍ଭଠାରେ ଭାଇ, ହୋଇଥିଲି ମୁହିଁ ଦ୍ରୋହୀ,
ବାହାରେ କେବଳ ଦେଖାଇ ମୁଖେ ଆଦର,
ମନୁ କରିଥିଲି ତୁମ୍ଭଙ୍କୁ ସଦା ଅନ୍ତର,
ତୁମ୍ଭ ଭଲକଥା ଦେଇଥିଲି ହେଳେ ଏଡି,
କି ପାଞ୍ଚ ତୁମ୍ଭର କହ ମୋତେ ଏବେ ଫେଡି
ମୋର ଦୋଷ ଯାକ ଭୋ ମିତ, ଘେନା ନ କରି,
ଅବେଳେ ଯିବ କି ସଙ୍ଗେ ମୋତେ ତୁମ୍ଭେ ଧରି
ଅବେଳର ମିତ ଉତ୍ତରିଲେ ଡର ନାହିଁ
ଭେଟିବି ମୁଁ ତୁମ୍ଭ ସଙ୍ଗେ ଯାଇଁ ନରସାଇଁ
ଯିବାକୁ କେବଳ ମୋତେ ଏକା ବଳ ପାଏ,
ସିଂହଦ୍ୱାର ଲଙ୍ଘି ତାଙ୍କ ସିଂହାସନ ଯାଏ,
ତୁମ୍ଭ ଲାଗି ତାଙ୍କ ଛାମୁରେ କରିବି ଅଳି
ମୋ ଗୁହାରି ଶୁଣି ନିଶ୍ଚେ ସେ ଯିବେ ତରଳି
ତାଙ୍କ ଶ୍ରୀ ଛାମୁରୁ ଆଣିବି ମୁଁ ମୁକୁଳାଇ
ମୁହିଁ ଏକା ସିନା ବାନ୍ଧବ ଏ ବେଳ ପାଇଁ
ସୁଜନେ, ଜଗତେ ଏହି ତିନି ବନ୍ଧୁ ଘେନି,
ରହନ୍ତି ସରବେ ପ୍ରିୟ ମଣି ଆଦ୍ୟ ବେନି,
କିଏ କେଉଁଭଳି, ଅନ୍ତିମେ ଏ ବନ୍ଧୁ ସିନା,
ନର ଦାସେ ଯଥା, ନରଙ୍କୁ ଦିଅନ୍ତି ଚିହ୍ନା
ଆଦ୍ୟ ବନ୍ଧୁଘରେ ରହେ, ପ୍ରେତଭୂମି ଯାଏ,
ଦ୍ୱିତୀୟ ବନ୍ଧୁ ସେ ଶବ ସଙ୍ଗେ ସଙ୍ଗେ ଯାଏ,
ପ୍ରେତଭୂମି ପରେ ତେଣେ ଯେ ବିଷମ ରାହା
ପ୍ରେତର ତହିଁ ସେ ତୃତୀୟ ବନ୍ଧୁଟି ସାହା
ଧନଦାସ, ଜନଦାସ, ଧର୍ମ୍ମଦାସ ଜ୍ଞାନି
ଜନେ, ଏ ତିନିଙ୍କୁ କର୍ମ୍ମୁ ନେଇଥିବ ଜାଣି