ତୁଚ୍ଛାରେ ଯାହା ମୁଁ ଶ୍ୟାମ

ଉଇକିପାଠାଗାର ରୁ
Jump to navigation Jump to search
ତୁଚ୍ଛାରେ ଯାହା ମୁଁ ଶ୍ୟାମ
ଲେଖକ/କବି: କାହ୍ନୁଚରଣ

ଆକ୍ଷେପାନୁରାଗ

( ରାଗିଣୀ—ମୋହନା, ତାଳ—ଝୁଲା )

ସଖୀ ପ୍ରତି ଶ୍ରୀରାଧା

ତୁଚ୍ଛାରେ ଯାହା ମୁଁ ଶ୍ୟାମେ ହୋଇଲି ଉତ୍ସାହା ଗୋ ।
କୁତ୍ସାରେ ସରିଲି କୁଳବରତ ଘୁଞ୍ଚାଇ ଲୋ । ଘୋଷା ।
ମୁଁ ଛାର ପରାଏ ସେବି, ନିଶି ଦିବା ଥାଏ ଭାବି
ସେ ଦିନେ ମୋ ବେଦନାକୁ ନ ନେଲେ ପୁଛାଇଁ ଗୋ । ୧ ।
ମୁଁ ଛାର ସେ ସେବା ଭଳି ନୋହିବାରୁ ଚନ୍ଦ୍ରାବଳୀ
ଝଳିଛି ମୋହନ ହୃଦେ ଚିତ୍ତକୁ ରୁଚାଇ ଗୋ । ୨ ।
ସୁଚାରୁରୂପାଏ ଗୋପ, ଅଛନ୍ତି ତାଙ୍କ ସ୍ୱରୂପେ
ସେତ ବୀଟ-ରାଟ ଥିବେ କୁଚାଗ୍ରକୁ ଚାହିଁ ଗୋ । ୩ ।
ଲୁଚାଇ ପାଳିବା ପ୍ରୀତି, ମୋର ଏହି ଅପକୀର୍ତ୍ତି
କହନ୍ତି ଶାଶୁ ନଣନ୍ଦେ କେ କେତେ ଘୁଞ୍ଚାଇ ଗୋ । ୪ ।
ମୁଁ ଛାଏଁ ସିନା ହୁଡ଼ିଲି ତୋହ କଥାରେ ପଡ଼ିଲି
ନିଶୀଥେ ଆସି ଅରଣ୍ୟେ ମଲି ଚାହିଁ ଚାହିଁ ଗୋ । ୫ ।
ଲୁଚାଏ ତୋ ପରା କେତେ, ପ୍ରଶଂସା କରନ୍ତି ଯେତେ
ଶ୍ୟାମ ପ୍ରୀତି ଗୁଣି ନିତ୍ୟେ ମୋ ଆଗେ ବଞ୍ଚାଇ ଗୋ । ୬ ।
ଘୁଞ୍ଚାଇବା ତାପ ମନୁ, ନୁହେଁ ଚାଲ ଯିବା ବନୁ
କହଇ ଚରଣ କାହ୍ନୁପଦେ ନିଉଛାଇଁ ଗୋ । ୭ ।