ତୁମ୍ଭ ପରା ପ୍ରଭୁ

ଉଇକିପାଠାଗାର ରୁ
Jump to navigation Jump to search
ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ
ଲେଖକ/କବି: ନିତ୍ୟାନନ୍ଦ ଦାସ

ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ

ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ
ବୁଡିଲି ବିପଦ ଜଳେ ।
ଏତେ ବେଳେ ପ୍ରଭୁ ଡାକ ନ ଶୁଣୁଛ
ଯେତେ ଡାକିଲେ ବିକଳେ ।
ମହାପ୍ରଭୁ ହେ ।୧।

ଜଳମୀନ ଯେହ୍ନେ ମିହିର ତେଜରେ
ତେମନ୍ତ ହେଲାଣି ଦଶା ।
ଏଥିରେ କିଞ୍ଚିତେ କରୁଣା ନୋହୁଛି
ମୁଁ ଯେ କରିଛି ଭରସା ।
ମହାପ୍ରଭୁ ହେ ।୨।

ବିପଦ ଧାଡ଼ି ଯେତେ ମାଡ଼ି ପଡ଼ୁଛି
କେତେ ହେଁ କହିବି ମନେ ହେଜି ।
ସିଂହ ମୃଗ ଆଗେ ପରାୟେ ତରଙ୍ଗେ
ଧଇର୍ଯ୍ୟ ବନ୍ଧ ଯାଉଛି ଭାଜି ।୩।

ଯେତେ ରୂପେ ଦଣ୍ଡ ଦୁଃଖ ଦେଉଅଛ
କହିବାକୁ ମୋତେ ଆସୁନାହିଁ ।
ଯେତେ ଥିଲା ଆଶ ଆହେ ପୀତବାସ
ଏମ୍ଭେ ତୁମ୍ଭ ନିରାଶକୁ ଚାହିଁ ।୪।

ପ୍ରଭୁ ହୋଇ କୃପା ନ କରୁଛ କିମ୍ପା
ଦୀନ ପତିତ ଜନଙ୍କଠାରେ ।
ଅତି ହିଁ ନିରାଶପଣ କରିବାରେ
ଭାସିଗଲି ଶୋକନଦୀ-ଧାରେ ।୫।

ଥାଉଁ ପ୍ରଭୁପଣ କରୁଣା କୃପଣ
ହେବାରୁ ନୀତି କି ନ ଆସଇ ।
ବୁଡୁଥିଲେ ଭେଳା ତହିଁ କଲେ ହେଳା
ଦାରୁଣପଣ କି ନ ହୁଅଇ ।୬।

କରୁଣା-ନାବିକ-ନାବ ଥାଉଁ କୂଳେ
ଖେଦ ଜଳଧିରେ ଗଲି ବୁଡ଼ି ।
ତରଳ-ତରଙ୍ଗ-ଭଉଁରୀ-ପ୍ରଖର
ଏମନ୍ତ ନଦୀରେ ଦେଇ ଛାଡ଼ି ।୭।

ମୁଁ ଯେ ମଲେ ମଲି ଭାସିଗଲେ ଗଲି
ତୁମ୍ଭକୁ ସିନା ଏ ଅସୁନ୍ଦର ।
ତୁମ୍ଭ ନାମ ଧରି ହେବା ଏତେ ସରି
ଜଗତେ କିବା ବୋଲିବେ ନର ।୮।

ମୋର ଏ ଦୁର୍ଗତି ଯେତେ ନ ବାଧଇ
ତୁମ୍ଭ ନିନ୍ଦା-ଲାଜେ ମରୁଅଛି ।
ପୂର୍ବର କରୁଣା ଏବେ ଦେଖି ଉଣା
ଦିବା ନିଶି ମନେ ଗୁଣୁଅଛି ।୯।

ନାନା ରୂପେ ଶାସ୍ତି ଦେଇ ଦୁଃଖ ହସ୍ତୀ
ଦନ୍ତରେ ଗୁନ୍ଥିବା ମନ କଲା ।
ବିପତ୍ତି-କରୀ-ନାଶନ ତୁମ୍ଭ ବାନା
କିମ୍ପାଇ ନୀଳାଦ୍ରି ସିଂହ ହେଲା ।୧୦।

ଧଇର୍ଯ୍ୟ-କମଳ-ବନକୁ ମୋହର
ଧ୍ୱଂସି ପକାଉଛି ପ୍ରବଳରେ ।
ରଖ ରଖ ପ୍ରଭୁ ପ୍ରମତ୍ତ କେଶରୀ
ବୋଲି ଜଣାଉଛି ବିକଳରେ ।୧୧।

କେବେ ହେଁ କରୁଣା ନଦୀ ନ ବହିଲା
ବଢ଼ିଲା ସଙ୍କଟ ଗିରିବର ।
କହେ ନିତ୍ୟାନନ୍ଦ କର୍ମହୀନ ମନ୍ଦ
ସଦୟ-କୁଳିଶେ ନାଶ କର ।୧୨।