ତୁମ୍ଭ ଶୁଣିବାକୁ ମୋହ କହିବାକୁ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ତୁମ୍ଭ ଶୁଣିବାକୁ ମୋହ କହିବାକୁ
ଲେଖକ/କବି: ନିତ୍ୟାନନ୍ଦ ଦାସ

ତୁମ୍ଭ ଶୁଣିବାକୁ ମୋହ କହିବାକୁ

 
ତୁମ୍ଭ ଶୁଣିବାକୁ ମୋହ କହିବାକୁ
ସମୟ ନାହିଁ ମୁରାରୀ ।
ତୁମ୍ଭ କୃପା ହେଉ ହେଉ କହୁ କହୁ
ବିପତ୍ତି ଦେଉଛି ସାରି ।
ମହାପ୍ରଭୁ ହେ ।୧।

ଦୁଃଖ-ତଟିନୀ-ତଟ-ତରୁ ହୋଇ ମୋ
ପିଣ୍ଡେ ବଳ ନାହିଁ ମୁଳେ ।
ତୁମ୍ଭ ନିରାଶ-ପ୍ରବଳ-ପବନରେ
ଉପୁଡ଼ୁଛି ମୁଁ ସମୁଳେ ।
ମହାପ୍ରଭୁ ହେ ।୨।

ମୁହିଁ ଗଲେ ନାଶ ତୁମ୍ଭେ କେଉଁ ଯଶ
ଲଭିବ ଆହେ କରୁଣାନିଧି ।
ମଲାଠାରେ ଜଳି ଅଧିକରେ ଜାଳି
ସଂସାରେ କେତେ ରଖିବ ସିଦ୍ଧି ।୩।

ଦୁଷ୍ଟ ମତ୍ତନାଗ ରହିଥିଲେ ଆଗ
କେହି ତା ପୁଚ୍ଛ ଦିଅଇ ଟିପି ?
ଧର୍ମ ନିକି ଚାଳି ଦେବା ବନମାଳୀ
ଯେଉଁଠାରେ ସିଂହ ଥାଏ ଝାମ୍ପି ।୪।

ପ୍ରବଳ ପବନ ଘାତେ ରମ୍ଭାବନ
ହୋଇଲା ପ୍ରାୟେ ମରୁଛି ଭାଳି ।
କାଳକୁ ଗୁହାରି ଯେହ୍ନେ ନିତ୍ୟେ କରି
ଦୁଃଖୀ ମରୁଥାଇ ଝୁରି ଝୁରି ।୫।

ଏ ଡକା ପାରଇ ତାକୁ ନ ଶୁଭଇ
ସେ କେହ୍ନେ ହରିବ କଷ୍ଟ ତାର ।
ତେମନ୍ତ ତାର ଯେମନ୍ତ ଗତି ହୋଇ
ବେଳୁ ବେଳ ଏ ମୋ ଦୁଃଖ ଭାର ।୬।

କୃପଣକୁ ଲୋଭୀ ଥାଇ ଯେହ୍ନେ ସେବି
ଧରି ନ ଛାଡ଼ଇ ଲୋଭ ବଳେ ।
ଏ ତ ନ ଦିଅଇ ସେ ତ ନ ଛାଡ଼ଇ
ଲୋଭୀ ନାଶ-ଫଳ ପାଇଁ କାଳେ ।୭।

ପ୍ରଭୁକୁ କୃପଣ ଡରେ ନ ବୋଲଇ
ଦୁଃଖ ଲୋଭ ପଣ ହୁଏ ସିଦ୍ଧି ।
ପ୍ରଭୁପଣ ଥିଲେ ସବୁ ହିଁ ସୁନ୍ଦର
ଅସୁନ୍ଦର କଥା କଲେ ବିଧି ।୮।

ହୋଇ କୃପାସିନ୍ଧୁ କହିବାକୁ ବିନ୍ଦୁ
ସରିବ ବୋଲି ଡରିବାଠାରେ ।
ତେବେ ହେଁ ବୋଲନ୍ତି କରୁୁଣା-ସମୁଦ୍ର
ବିବେକ ମହତ ମନ୍ଥନରେ ।୯।

ଦୁଃଖ-ଅନ୍ଧକାରେ ନାମ ସୁଧାକର
ହୋଇ ତ କିରଣ ନ ଛାଡ଼ିଲ ।
ଏମନ୍ତ ନିଷ୍ଠୁର ହୃଦୟ କଠୋର
ନିରାଶ-ଘନରେ ଉହାଡ଼ିଲ ।୧୦।

ସୁଖ-ସିନ୍ଧୁ ବୋଲି ଶରଣ ମୁଁ ଗଲି
ବେଳୁ ବେଳୁ କଚାଡ଼ିଲ କୂଳେ ।
ପତିତ ପାବନ ଅପ୍ରାଧ ଭଞ୍ଜନ
ସତ୍ୟକୁ କିଏ ଛାଡ଼ିବ ଢାଳେ ।୧୧।

ତୁମ୍ଭେ ସତ୍ୟବାଦୀ ପଣକୁ ଅସିଦ୍ଧି
କଲେ କେହୁ ମର୍ତ୍ତ୍ୟେ ରହିବ କି ।
କହେ ନିତ୍ୟାନନ୍ଦ ମୂଢ଼ ମହାମନ୍ଦ
କ୍ଷିତିର ସାମନ୍ତ ନୋହିବ କି ।୧୨।