ଦେଖ ସ୍ୱାମୀ ଏ ସଂସାର

ଉଇକିପାଠାଗାର‌ରୁ
ଦେଖ ସ୍ୱାମୀ ଏ ସଂସାର
ଲେଖକ/କବି: ଭୀମ ଭୋଇ

ଦେଖ ସ୍ୱାମୀ ଏ ସଂସାର ।
ହୋଇ ଯାଉଅଛି ନାରଖାର ଯେ । ଘୋଷା।

ସ୍ଥାବର ଜଙ୍ଗମ କୀଟାଦି ପତଙ୍ଗ ସର୍ବେ କଲେ ଅବିଚାର ।
ଆତ୍ମହିଂସା କରି କପଟ ଆଚରି ହୋଇଲେଣି ପରାପର ଯେ । ୧।

ଛତିଶ ପାଟରେ ଅକର୍ମ ବାଟରେ କଲେଣି ଅଣ ଆଚାର ।
ପରଧନ ପରନାରୀ ଚୋରିକରି ଅସତ୍ୟ କହି ସଭାର ଯେ । ୨।

ପର୍ବତ ପରାୟେ ଆପଣାର ଦେହେ ବହିଲେଣି ପାପଭାର ।
ପିତା ତୁଲେ ଝିଅ ମାତା ତୁଲେ ପୁଅ ସୁଖେ କରୁଛନ୍ତି ଘର ଯେ । ୩।

ପଣ୍ଡିତମାନେ ଅବିବେକ ହେଲେଣି ଜ୍ଞାନିମାନେ ବେଶ୍ୟାପୁର ।
କେହି କାହାରି ଜାତିକୁଳ ନ ରଖି ହୋଇଲେଣି ଏକାକାର ଯେ । ୪।

ଗୁରୁଠାରୁ ଶିଷ୍ୟ ହୋଇ ଅବିଶ୍ୱାସ ମହାଜନମାନେ ଚୋର ।
ସାଆନ୍ତ ପାଖରୁ ସେବକ ପରାଣୀ ପଳାଇ ଗଲେଣି ଦୂର ଯେ । ୫।

ଧର୍ମମାନ ଲଂଘି ପାଦେ ଶିରୀ ଫିଙ୍ଗି ମିଥ୍ୟା କହି ନିରନ୍ତର ।
କହେ ଭୀମଭୋଇ ପିଣ୍ଡ ବ୍ରହ୍ମାଣ୍ଡକୁ ଦୟାରେ ଉଦ୍ଧରି ଧର ଯେ । ୬।