Jump to content

ଧର୍ମପଦ

ଉଇକିପାଠାଗାର‌ରୁ
ଧର୍ମପଦ
ଲେଖକ/କବି: ଗୋପବନ୍ଧୁ ଦାସ

ଶିଶୁଗଣ ମେଳେ ଦାଣ୍ଡଧୂଳି ଖେଳେ କରେ କେତେ ନବ ସୃଷ୍ଟି,
ତୋଳଇ ଦେଉଳ ଗଢ଼ଇ ଅଟ୍ଟାଳୀ ଧନ୍ୟ ବିଚକ୍ଷଣ ଦୃଷ୍ଟି,
ଦେଖି କାରିଗରି ତା କଳାଚାତୁରୀ ଆଶ୍ଚର୍ଯ୍ୟ ମଣନ୍ତି ଜନେ,
କହନ୍ତି, "ଆୟୁଷ ଥିଲେ ଏ ପିଲାଟି ହେବ କେତେ ଲୋକେ ଜଣେ ।"
ପଚାରଇ ପୁଅ ଯେବେ ଶିଳ୍ପତତ୍ତ୍ୱ କହନ୍ତି ମାତା ଉତ୍ତରେ,
"ପଢିଲେ ଜାଣିବୁ ସବୁ ଆରେ ଧନ ପୋଥି ଅଛି ଆମ ଘରେ ।"
ପାଞ୍ଚ ବଷ ବେଳେ ଗ୍ରାମ ଚାଟଶାଳେ ଓଝା ଛୁଆଁଇଲେ ଖଡ଼ି,
ଚାହୁଁ ଚାହୁଁ ପୁଅ ଅଳପ ଦିନରେ ଗଲା ସବୁ ପାଠ ପଢ଼ି ।
ଗୀତା ଭାଗବତ ପୁରାଣଚରିତ ହୋଇଲା ଅଭ୍ୟାସ ତାର,
ଦେବାଳୟ ତୋଳା ପୁଷ୍କରିଣୀ ଖୋଳା ହିସାବ ଯେତେ ପ୍ରକାର ।
ସଙ୍ଗ ଚାଟ କେତେ ସହି ନ ପାରନ୍ତି ଆନେ କରନ୍ତି ଆଦର,
ସମସ୍ତଙ୍କଠାରେ ସମ ସ୍ନେହ ତାର, ନାହିଁ କେହି ପରାପର ।
ଚାହାଳିରୁ ଆସି ଘରେ ଶିଳ୍ପଶାସ୍ତ୍ର ପଢ଼େ କରି ଏକ ଲୟ,
କାଠ ପାଷାଣରେ ଗଢ଼ଇ ମୂରତି କେତେ ରଥ, ଦେବାଳୟ।
ଦିନେ ଚାହାଳିରୁ ଫେରିଆସି ପୁଅ ଉଭା ହେଲା ମାତା ପାଶେ;
ଆଖି ଥନଥନ, ବଦନ ମଳିନ, ତୁଣ୍ତରେ କଥା ନ ଆସେ ।
ପୁଅକୁ ଅନାଇ ମାତା ଅତି ଛନ୍ନେ ପଚାରନ୍ତି ବେଗେ ଦୁଃଖେ,
"କିପାଇଁରେ ଧନ ବିରସ ତୋ'ମନ, ହସ ନାହିଁ କିମ୍ପା ମୁଖେ ?
ଚାହାଳୀରୁ ଫେରି ଆନ ଦିନ କହୁ ହରଷରେ କେତେ କଥା ,
ଆଜି ତୋ ଏ ରୀତି ଦେଖି ମୋର ଭୀତି ଲଗାଇ ପରାଣେ ବଥା ।
ଦେଇଛନ୍ତି ଦଣ୍ଡ ଅବଧାନେ ଅବା ଗାଳିଦେଲେ ଆନ ଚାଟେ,
ହୀନିମାନ କରି କିଏ କି କହିଲା କିବା ଦାଣ୍ତେ ବାଟେ ଘାଟେ?
ଫେଡ଼ି କହ ବାବୁ, ଘଟିଛି ଯା ସବୁ ତୁଟୁ ମୋ ମନୁଁ ସନ୍ଦେହ,
ମୁଁ ତ ଜାଣେ ତୋର ଗୁଣ ଆଚରଣେ ସମସ୍ତେ କରନ୍ତି ସ୍ନେହ ।
କାନ୍ଦ କାନ୍ଦ ହୋଇ କିପାଇଁରେ ବାଇ କଥା ନ ଆଣୁଛୁ ମୁଖେ ?
ନ ଜାଣୁ କି ବାବୁ, ତୋ ଏ ଭାବ ଦେଖି ବଜ୍ର ପଡ଼ଇ ମୋ ବୁକେ!
ଲକ୍ଷେ ଦେବଦେବୀ- ପାଦ ସେବି ସେବି ପାଇଛିରେ ତତେ ଧନ!
କେତେ ମରି ମରି ରଙ୍କୁଣୀ ସଙ୍ଖାଳି ତୁ ମୋର ଜୀବ-ଜୀବନ ।
ତତେ ଚାହିଁ ସିନା କାଟୁଛି ମୁଁ ଦିନ ଏକାକିନୀ ଏତେ କାଳ,
କହ ମନକଥା ମୋ କୁଳ-ଚନ୍ଦ୍ରମା ଭିକାରିଣୀ ଗଳାମାଳ ।"
ମାତା ଆଶ୍ୱାସନା ପାଇ ପଛେ ପୁଅ ତେଜିଣ ମନୁଁ ସନ୍ତାପ,
"କହ ମା, ସତେ କି ଅଛି ଆମ କୁଳ କହ କିଏ ସେ ମୋର ବାପା?"
କହନ୍ତି ଜନନୀ, "କେବେ ତ ଏ କଥା ପଚାରି ନ ଥିଲୁ ଥରେ,
ଚାହାଳିରୁ ଆସି କିପାଁ ବାବୁ ଆଜି ପଚାରୁ ଏଡ଼େ କାତରେ?"
କହେ ପୁଅ ଆଜି ଚାହାଳିରେ ଚାଟେ କହିଲେ ମତେ ଯେ କଥା,
ଲାଜ ଅପମାନେ ଗଲି ମୁହିଁ ସଢ଼ି ଟେକି ନ ପାରିଲି ମଥା ।
ଚାହାଳୀରେ ଯେବେ ଲେଖୁଥିଲି ପାଠ ଗୋଟାଳି ମୋ ଗଲା ଗଡ଼ି,
ନିକଟ ପିଲାକୁ କହିଲି ହେ ଭାଇ, ବଢ଼ାଇ ଦିଅ ସେ ଖଡ଼ି।
ମୋ କଥାରେ ସେ ତ ଦେଲା ନାହିଁ ଖଡ଼ି, କହି କଲା ଉପହାସ !
ଭାଇ ଡାକି ଆଜ୍ଞା-ଦିଏ ଅବାବୁଆ ଏହାର କେଡ଼େ ସାହାସ !
ନ କହିଣ କିଛି ଅଳପେ ହସିଲେ ତହିଁ ଆନ ପିଲାମାନେ ,
ଲାଜେ ମଥା ପୋତି ଗୋଟାଳି ଉଠାଇ ଆଣି ବସିଲି ମୋ ଥାନେ।
ନ କରି ସଙ୍କୋଚ ଫେଡ଼ି ସତ-କହ ଛୁଇଁକରି ଏ ମୋ ଦେହ,
ଆମ କୁଳକଥା, କାହାନ୍ତି ମୋ ପିତା, ଯାଉ ମୋ ଭ୍ରମ ସନ୍ଦେହ ।"
କୋପେ ଜରଜର ଜନନୀ ସତ୍ବର ଭାଷନ୍ତି ଉଚ୍ଚେ ବଚନ,
"କିଏ ସେହୁ ପିଲା ଦେଲା ଏହିପରି ଅପମାନ ଅକାରଣ  ?
ତା ମା ଏଡ଼େ ସତୀ, ମୋ ପୁଅକୁ ପୁଣି କହେ ସେ ଅଣବାବୁଆ,
ତା କଥାରେ ଛଳ କରି କିବା ଫଳ ସେ ବି ତ ଅଜ୍ଞାନ ଛୁଆ ।
ବୁଢ଼ା ବୁଢ଼ୀମାନେ କହୁଥାନ୍ତି ଯାହା ଶୁଣିଛି ମୁଁ ପିଲାବେଳେ,
ପୂରୁବ ପୁରୁଷ ଯଶ ପଉରୁଷ ବୁଝ ବାବୁ ଏଥୁଁ ହେଳେ ।
ସୃଷ୍ଟି ଆଦ୍ୟକାଳୁଁ ବିଶ୍ୱକର୍ମା, ତହୁଁ ଆମ କୁଳ ଉତପତ୍ତି,
ଏ କୁଳର ବଡ଼-ବଡ଼େ ରଖିଛନ୍ତି କେତେ ଅକ୍ଷୟ କୀରତି।
ଇନ୍ଦ୍ରଦ୍ୟୁମ୍ନ ରାଜା ତୋଳାଇଲେ ଯେବେ ଶ୍ରୀକ୍ଷେତ୍ରେ ବଡ଼ ଦେଉଳ,
ହକାରିଣ ନାନା ଦେଶୁଁ କାରିଗର କରାଇଲେ ଆଗେ ଠୁଳ।
ପରଖି ସକଳେ ଯୋଗ୍ୟ ଶିଳ୍ପୀ ବାଛି ଲଗାଇଥିଲେ ସେ କାମ,
ତୋ ପୂର୍ବପୁରୁଷେ ଶିରେ ଦେଲେ ଶାଢ଼ୀ ପୂଣ୍ୟ ଳାଚଳଧାମେ ।
କେତେ କାଳ ଅନ୍ତେ ସେ ମନ୍ଦିର ଯେବେ ସଂସ୍କାର କଲେ ଯଯାତି,
ତୋ ପୂର୍ବପୁରୁଷେ ସେତେବେଳେ ତହିଁ ରଖିଥିଲେ ବଂଶ-ଖ୍ୟାତି।
ଶେଷେ ସେ ଦେଉଳ ତୋଳାଇଲେ ପୁଣି ଶ୍ରୀ ଅନଙ୍ଗଭୀମ ରାଏ,
ଉତ୍କଳେ ଅକ୍ଷୟ କୀର୍ତ୍ତିସ୍ତମ୍ଭ ପ୍ରାଏ ଶୋଭେ ଯାହା ଆଜିଯାଏ ।
ଦିନେ ଗଲେ ମତେ ଯୁଗ ପରି ଲାଗେ ମରୁଛି ମୁଁ ଭାଳି ଭାଳି,
ରହିଅଛି ସିନା ତୋ ମୁହଁ ଅନାଇଁ ତୁ ମୋ ନୟନ ସଙ୍ଖାଳି ।"
ଏହିପରି କଥା କହୁଁ କହୁଁ ମାତା ହୋଇଲେ ଅତି ବିକଳ
ତଳେ ମୁହଁ ପୋତି ବିଳପିଲେ ସତୀ ବହେ ଅଶ୍ରୁ ଅବିରଳ ।
"କିପାଇଁ କହ ମା, କାନ୍ଦୁଛୁ କାତରେ" ଚକିତେ ପଚାରେ ପୁଅ,
ବସି ମାତାକୋଳେ ବସନ ଅଞ୍ଚଳେ ପୋଛେ ତାଙ୍କ ନେତୃ ଲୁହ ।
"କାହାନ୍ତି ମୋ ବାପା, କେତେ ଦିନ ହେଲା କି କାର୍ଯ୍ୟେ ଗଲେ ସେ କାହିଁ ?
କେତେ ଦୂର ପଥ ଏଥୁଁ ସେ ରାଇଜ ମୁଁ କି ନ ପାରିବି ଯାଇ ?
ନ ଆସେ କି ତହୁଁ ବାରତା ଏଠାକୁ ଅଛନ୍ତି ଟିକି ସେ ଭଲେ?
ଯିବାର ଉପାୟ କହ ମା ତୁରିତେ ବାର୍ତ୍ତା ଆଣିବି ମୁଁ ଗଲେ ।"
ପୁଅର ମଧୁର କୋମଳ ବଚନେ ମାତା ପାଇଲେ ଆଶ୍ବାସ,
ଚୁମ୍ବି ପୁତ୍ରମୁଖ କହନ୍ତି ଆହ୍ଲାଦେ ପକାଇ ଦୀର୍ଘ ନିଶ୍ୱାସ ।
"ମରିଯାଏଁ ମୁଁ ଲୋ, କି ବିକଲେ ଲୁହ ପୋଛି ଦିଅଇ ମୋ ଧନ,
ଏହି ଭରସାରେ ବାର ବର୍ଷ ହେଲା ରହିଛି ଧରି ଜୀବନ।
ବାର ବର୍ଷ ହେଲା ଯାଇଛନ୍ତି ବାପ ଦେଉଳ ଗଢ଼ିବା ପାଇଁ,
ତୋଳାଉଛନ୍ତି ଯା, ନରସିଂହ ଦେବ ଗଜପତି ନରସାଇଁ।
ଚନ୍ଦ୍ରଭାଗା ତିର୍ଥେ ସାଗର-ପନ୍ତାରେ ଗଢ଼ାହେଉଛି ଦେଉଳ;
କହିଛନ୍ତି ରାଜା, କଳା କଉଶଳେ ବିଶ୍ୱେ ସେ ହେବ ଅତୁଳ।
ଶିବାଇ ସାଁ ତରା ପୁରତ ପଧାନ ବିଶ୍ୱକର୍ମା କୁଳ ରାଇ,
ଭଲ କାରିଗର ବାଛିଲଗାଇଲେ କାମେ ବାରଶ ବଢ଼ାଇ ।
ସେହି ଡାକରାରେ ଗଲେ ଯେ ତୋ ପିତା ବାହୁଡ଼ି ନାହାନ୍ତି ଘରେ,
ସେତେବେଳେ ତୁ ମୋ ଗର୍ଭେ ଚାରି ମାସ, ଜନ୍ମିଲୁ ଛ ମାସ ପରେ ।
କହୁଥିଲେ ଲୋକେ ହେବ ସେ ଦେଉଳ ଧର୍ମଦେବତାଙ୍କ ରଥ,
ପୂର୍ବେ ଦୁର୍ଗ ରୂପେ ଉତ୍କଳର ପୁଣି ଓଗାଳିବ ସିନ୍ଧୂ-ପଥ ।
ଧର୍ମଦେବତାଙ୍କ ଦେଉଳରେ ବାପ କରୁଛନ୍ତି ବୋଲି କାମ,
ସୁମରିଣ ତାଙ୍କୁ ଶରଧାରେ ଦେଲି ଧର୍ମପଦ ତୋର ନାମ ।
ଦେଖି ନାହିଁ ତୀର୍ଥ ଶୁଣିଛି କେବଳ ସାତ ଥର ଯିବ ଗଙ୍ଗା
ଥରେ କେହି ଯେବେ ଯିବ ଚନ୍ଦ୍ରଭାଗା ମୁହଁ ପଡ଼ିଯିବ ରଙ୍ଗା ।'
ଯିବା ଦିନୁଁ ବାପ ବାର ବର୍ଷ ହେଲା ପାଇ ନାହିଁ ମୁଁ ବାରତା
ତାଙ୍କ ଲାଗି ନିତି ପନ୍ଥାଇ ବସାଇ ପୂଜଇ ପନ୍ଥ-ଦେବତା ।
ଅଖଣ୍ଡଳ ଜାଳି ଗ୍ରାମଦେବତାଙ୍କ ପାଦେ ପଡ଼େ ଅନୁକ୍ଷଣ
ରବିବାର-ବ୍ରତ ପାଳି ମୁଁ ପଶିଛି ଧର୍ମଦେବତା ଶରଣ ।
କହେ ପୁଅ ତହୁଁ "ଯିବି ଚନ୍ଦ୍ରଭାଗା କରିବି ବାପାଙ୍କୁ ଦେଖା;
ଆଣିବି ତାଙ୍କର କୁଶଳ ବାରତା ତାଙ୍କ ନିଜ ହାତଲେଖା ।
"ମୋ ନେତ୍ରପିତୁଳି, ଛାଡ଼ି କିରେ ତତେ ପାରିବି ମୁଁ କ୍ଷଣେ ବଞ୍ଚି ?
ମୋ ଅନ୍ଧାର ଘରେ ତୁ ଏକା ପ୍ରଦୀପ ମୋ ହୃଦ-ସିନ୍ଧୁକ-କଞ୍ଚି ।
ଆହୁଲା ତୁ ମୋର ଜୀବନ-ବୋଇତେ ଅନ୍ଧର ଅଶ୍ରା-ଲଉଡ଼ି
ତୋ ବିନେ ନ ଚଳି ଯିବି ସିନା ବାବୁ ଶୋକ-ସିନ୍ଧୁ-ଜଳେ ବୁଡ଼ି ।
କହେ ପୁଅ ପୁଣି ବଳାଇ ସାଦରେ "ଯିବି ନିଶ୍ଚେ ବାପ ପାଶ
ମନ ତୋଷେ ମା ଗୋ ! ଦିଅ ଅନୁମତି ଫେରିବି ନ ପୂରୁ ମାସ ।
ବାପ ସଙ୍ଗେ ତହିଁ ଦେଖିବି ସୁଯୋଗ୍ୟ ଜାତିପୁଅ ଶତ ଶତ,
ଦେଖିବି କିପରି ଗଢ଼ା ହେଉଅଛି ଧର୍ମଦେବତାଙ୍କ ରଥ ।
ଚନ୍ଦ୍ରଭାଗା ତୀର୍ଥେ ସ୍ନାନ କରି ସୁଖେ ଦେଖିବି ସୂର୍ଯ୍ୟ-ଉଦୟ,
କର ନାହିଁ ଭୟ କହ ମା, ବାପାଙ୍କୁ ଦେବି ମୁଁ କି ପରିଚୟ ?"
କହନ୍ତି ମା, "ବାବୁ, ଯିବା ଲାଗି ଯେବେ କରିଅଛୁ ଦୃଢ଼ପଣ,
କିମ୍ପା ନିବାରିବି, ନିବାରଣେ ସିନା ହେବ ତୋ ମନେ କଷଣ ।
ଦେଖି ବାପ ତତେ ହେବେ ହରଷିତ ହୃଦେ, ତୁ ଯିବୁ ପରତେ,
ଦେଖିବୁ ଆବର ଓଡ଼ିଆ-ଶିଳ୍ପୀର ଅଦ୍ଭୁତ କର୍ମ ଜଗତେ ।
ବୟସରେ ତୁହି ହେଲେ ହେଁ ବାଳୁତ ବୁଦ୍ଧି ତୋର ସୁକୁମାର;
ବୁଝାଇ ବିଶେଷେ କହିବି ମୁଁ କିସ ? କର ଯାହା ତୋ ବିଚାର ।"
କହିଲେ ଆବର ବାପ ନାମ ତାର ଭୂମିରେ ସେ ଦେଇ ଲେଖି,
"ବାପ ପୁଅଙ୍କର ହେବ ଚିହ୍ନାଚିହ୍ନି ହେବା ମାତ୍ରେ ଦେଖାଦେଖି ।
ତୋ ରୂପ ଆକୃତି ପିତୃ-ପ୍ରତିକୃତି ଏକା ଛାଞ୍ଚେ ଯେହ୍ନେ ଢଳା,
ନେତ୍ରେ ନାସା ଆସ୍ୟ ଲଲାଟେ ପ୍ରକାଶ ବାପ-ମୁଖ ଷୋଳକଳା ।
ନୟନେ ନୟନ ହେଲେ ଭେଟାଭେଟି ହେବ ପରାଣ ମିଳନ,
ଯେ ଯାହାର ତାକୁ ଲୋଡ଼େ ସେ ସହଜେ କରିବାକୁ ଆଲିଙ୍ଗନ ।
ତଥାପି ନ ବଳେ ମନ ତତେ ଏକା ଛାଡ଼ିବାକୁ ଏତେ ଦୂର"
"ନ ଡର ଲୋ ବୋଉ ସଙ୍ଗେ ଯିବ ମୋର ଘର ବଳିଆ କୁକୁର ।
ବଳିଆ ବାପାଙ୍କୁ ନ ଚିହ୍ନିଲେ ତାକୁ ବାପା ଚିହ୍ନିବେ ନିଶ୍ଚୟ,
ଗ୍ରାମ ନାମ ମୋର ଜନମ-ବୃତାନ୍ତ କହିଦେବି ପରିଚୟ ।"
"ମରିଯାଏ ଆହା ମୋ ଧନମାଳୀର କେଡ଼େ ବୁଦ୍ଧି କି ସାହସ !
ଜଗନ୍ନାଥେ କୃପା-କଲେ ତୁ ରଖିବୁ କୁଳ-ଗଉରବ ଯଶ ।"
ତ୍ରୟୋଦଶୀ ତିଥି ଶୁଭବେଳ ଦେଖି ପୁଅ କଲା ଅନୁକୂଳ,
ଜାଗୁଳାଈ ପୂଜି କାନିରେ ଜନନୀ ବାନ୍ଧିଲେ ପ୍ରସାଦ-ଫୁଲ ।
ସ୍ୱାମୀ ଲାଗି ପୁଣି ବାଡ଼ି-ବରକୋଳି ଦେଲେ ଯାଉଁଳିରେ ବାନ୍ଧି,
କହିଲେ,"ଏଥିରେ ବାପାଙ୍କ ଶରଧା ନେବୁ ଯତନେ ସମ୍ପାଦି ।
ବଳିଆ ସଙ୍ଗତେ ବାଡ଼ି-ବରକୋଳି ହେବ ଆନ ପରିଚୟ,
ଲକ୍ଷ୍ମୀ ନରସିଂହ ଶ୍ରୀଦୁର୍ଗା ମାଧବ ହୁଅନ୍ତୁ ତୋର ଆଶ୍ରୟ ।"
ବୀର ଧର୍ମପଦ ମାତା ଆଶୀର୍ବାଦ ଘେନି ହୋଇଲା ବାହାର,
ଯାଏ ପୂର୍ବ ମୁଖେ ବଳିଆ କୁକୁର ଚାଲେ ପଛେ ପଛେ ତାର।
ଅପନ୍ତରା ବାଟ କେତେ ବେଣାପାଟ ବନ ବିଲ ନଦୀ ସର,
ଚାଲେ ଧର୍ମପଦ ନ ଗଣି ବିପଦ ଦିବା ନିଶି ନିରନ୍ତର ।
ଗୁଡ଼କଙ୍କ ପଛେ ଗୋଡ଼ାଏ ଉତ୍ସାହେ ବଳିଆ ଧାଏଁ ତା ପଛେ,
ଚନ୍ଦ୍ରଭାଗା-ଯାତ୍ରୀ ଧର୍ମପଦ ବୋଲି ଲେଖେ କାହିଁ ବାଟ ଗଛେ ।
ପଚାରି ପଚାରି ଚନ୍ଦ୍ରଭାଗା ତୀର୍ଥେ ହେଲା ଯାଇଁ ପରବେଶ,
ଲାଗିଛନ୍ତି ଯହିଁ ବାରଶ ବଢ଼ାଇ ବିଶ୍ରାମ ନାହିଁ ନିମେଷ ।
ଦିନ ରାତି ଯହିଁ ଜଣା ନ ପଡ଼ଇ ମୁଖରିତ ନିରନ୍ତର,
ଭୋଜନ ଶୟନ ଛାଡ଼ି ଲାଗିଛନ୍ତି ପ୍ରାଣପଣେ କାରିଗର ।
ବାରବରଷର ସରଳ ବାଳକ ସେ ଅଚିହ୍ନା ସ୍ଥାନେ ଏକା,
ଚକିତେ ଚୌଦିଗେ ଅନାଇଁ ଚିନ୍ତିତ ବାପର ନପାଇ ଦେଖା ।
ବିଚାରେ,"କାହାକୁ ପଚାରିବି ଏଥି କିଏ ବା ଦେବ ଉତ୍ତର,
ସର୍ବେ କର୍ମେ ରତ ଏକକୁ ଆରେକ ଚାହିଁବାକୁ ନାହିଁ ତର ।"
ଅବସର ବୁଝି କୋଳି ବିକ୍ରି ବ୍ୟାଜେ ବୁଲେ ସେ ଜନ ଗହଳେ,
ରସାଳ ପୃଥୁଳ ସେ ବଦରି ଫଳ ଯେ ଦେଖେ ତା ମନ ବଳେ ।
ଜଣେ କେହି ଶିଳ୍ପୀ ଘର କଥା ଭାବି ମରମେ ଆହତ ଅତି,
କହେ, ମୋ "ବାଡ଼ିରେ ଫଳୁଥିବ ଆହା! କେତେ କୋଳି ଏହି ମତି ।"
କୋଳିବିକା ପିଲା-ମୁହଁକୁ ଅନାଇଁ କିଛି ନ ପାରଇ କହି,
ନ ଜାଣେ ଅପୂର୍ବ ବାତ୍ସଲ୍ୟ-ମମତା କିମ୍ପା ହୃଦେ ଉପୁଜଇ ।
ବାଳକ ବଚନ ଶୁଣି କୁତୂହଳେ ପୂଲକେ ପୂରେ ପରାଣ,
କୁକୁରକୁ ଦେଖି ଅନ୍ତର ଇଙ୍ଗିତେ କରେ ସେ ସତ୍ୟ ପ୍ରମାଣ ।
ଗ୍ରାମ ନାମ ଆଦି ପଚାରି ପାଇଲା ଯେବେ ପୁତ୍ର-ପରିଚୟ,
ବାଳକ-ବଦନ ଚୁମ୍ବିଲା ସେନେହେ, ଚରଣେ ନମେ ତନୟ ।
ବାପ ପୁଅ ବେନି ଗଲେ ବସା ଘରେ ପକାଇଲେ କେତେ କଥା,
କହେ ଶିଳ୍ପୀ, "ବେଗେ ଯାଉଛି କାମକୁ ନ ଗଲେ ନ ରହେ ମଥା ।"
କିମ୍ପା ଏ ଉଦ୍‌ବେଗ ? ପାଇ ମନେ ଖେଦ ପଚାରେ କାତରେ ପୁଅ,
ବୃଦ୍ଧ ଶିଳ୍ପୀ ମୁଖେବଚନ ନ ସ୍ଫୁରେ ନୟନୁଁ ବହଇ ଲୁହ ।
କ୍ଷଣକ ଅନ୍ତରେ କହେ ବୃଦ୍ଧ ପୁଣି "ଥିଲା ମୋ ପୂର୍ବ ସୁକୃତ,
ଅନ୍ତକାଳେ ତୋତେ ଦେଖି ଏଥି ବାବୁ ହେଲି ଏବେ କୃତକୃତ୍ୟ ।
ବାର ବର୍ଷ ହେଲା ଲାଗିଲାଣି କାମ ମୁଦା ନ ହେଲା ଦେଉଳ,
କାଳ-ଅତିକ୍ରମେ ରାଜା ନରସିଂହ ଦାରୁଣ ଦୁଃଖେ ଆକୁଳ ।
ଦୁଇ ଦିନ ମଧ୍ୟେ ପୂରିବ ଦେଉଳ ନ ରହିବ କିଛି ଶେଷ,
'ନ ହେଲେ କାଟିବି ବଢ଼ାଇଙ୍କ ମୁଣ୍ଡ' ହୋଇଛି ରାଜା ଆଦେଶ ।
ଦୁଇ ଦିନୁଁ ଦିନେ ହେଲାଣି ଅତିତ ଆଉ କାଲି ଦିନ ବାକୀ,
ନିରାଶେ କାତର ସର୍ବେ କାରିଗର କାମକୁ ନ ପାଏ ଆଖି ।
ନଦୀ-ଗର୍ଭେ ହେଲା ଦେଉଳ ପତନ ରହିଲା ତହିଁ କି ଦୋଷ,
କେଜାଣି କାହାର ଅପରାଧେ ଅବା ଗ୍ରହରାଜ କଲେ ରୋଷ ।
କଲେ ଯେତେ ଯତ୍ନ ନ ପୂରେ ଦେଉଳ ନ ବସେ ଦହି-ନଉତି,
ଉପାୟ ନ ଦେଖି କାରିଗରଙ୍କର ହଜିଲାଣି ବୁଦ୍ଧି ବୃତ୍ତି।
ଛାମୁରୁ ଆଦେଶ ମନ୍ଦିର ମୁକୁଟେ ହେବ ଚୁମ୍ବକ ଖଚିତ,
ପ୍ରଭାବେ ଯାହାର ମହୋଦଧି-ବକ୍ଷେ ନ ଯିବ ଶତ୍ରୁ ବୋଇତ।
ବାରଶ ବଢ଼ାଇ ଏକୁଁ ଏକ ସର୍ବେ ଶିଳ୍ପବିଦ୍ୟା-ବିଶାରଦ,
ଗଢ଼ିଛନ୍ତି କେତେ ଦେଉଳ ଅଟାଳି ସେତୁ ଦୁର୍ଗ ଜନପଦ ।
ଯେଝା ବୁଦ୍ଧିବଳେ ଗଡ଼ନ୍ତି ପଥର ଖସି ସବୁ ପଡ଼େ ତଳେ,
ଦେଉଳ ମୁଦିବା ବୁଦ୍ଧି ନ ଦିଶଇ ନିରସ୍ତ ଏବେ ସକଳେ।
ଆଜି ନିଶି ଶେଷେ କାଲି ପ୍ରଭାତରେ ହୋଇବ ରବି-ଉଦୟ,
ପର ଦିନ ରବି ଉଇଁଣ ଦେଖିବେ ବାରଶ ବଢ଼ାଇ କ୍ଷୟ ।
ଆଜି ସଞ୍ଜବେଳେ କରିବେ ବିଚାର ବସି ସବୁ କାରିଗର,
ଯାଉଛି ମୁଁ ତେଣେ, ରହି ଏଥି ବାବୁ ନିଶ୍ଚିନ୍ତେ ବିଶ୍ରାମ କର।"
ବାପର ବିଷାଦ ଦେଖି ଧର୍ମପଦ ଆଶ୍ଚର୍ଯ୍ୟେ କହଇ ବାଣୀ-
"ସତେ ନରସିଂହ ମହାରାଜା ଦେବ ବାରଶ ବଢ଼ାଇ ହାଣି ?
ଉତ୍କଳର ଶିଳ୍ପୀ କୁଳ-ସୁପ୍ରସିଦ୍ଧ ଦକ୍ଷ କାରିଗରଗଣ ,
ମିଳୁଛନ୍ତି ଯହିଁ, ସେ କାର୍ଯ୍ୟ କି କେବେ ରହିପାରେ ଅପୂରଣ?
ନ ଥିଲେ ଆପତ୍ତି ଦିଅ ଅନୁମତି ସଭାସ୍ଥଳେ ଯିବା ପାଇ ,
ଶିଳ୍ପ-ଗୂଢ଼ ପ୍ରଶ୍ନ ଶୁଣିବି ଦେଖିବି ବାର ଶତ ଜାତି ଭାଇ ।"
ବାପ ପୁଅ ବେନି ତତକ୍ଷଣେ ତହୁଁ ଚଳିଗଲେ ସଭାସ୍ଥଳେ,
କଲେ ତର୍କ ଯୁକ୍ତି ଉକ୍ତି ପ୍ରତିଉକ୍ତି ସେଝା ବୁଦ୍ଧି କଉଶଳେ ।
ରଥ ଦେବାଳୟ ଗଠନ-ନିର୍ଣ୍ଣୟ ଚୁମ୍ବକର ତତ୍ତ୍ୱମାନ,
ବୃଦ୍ଧ ଶିଳ୍ପୀଗଣେ କଲେ ଆଲୋଚନା ଦେଖାଇ ଶାସ୍ତ୍ର-ପ୍ରମାଣ ।
ରାତି ଅଧଯାଏ ଚାଲିଲା ବିଚାର ନହେଲା କିଛି ମୀମାଂସ,
ଉପାୟ ନ ପାଇ ବାରଶ ବଢ଼େଇ ଛାଡ଼ିଲେ ପରାଣ ଆଶା ।
ଯୋଡ଼ି କର ବେନି ସବିନୟ ବାଣୀ କହେ ଶେଷେ ଧର୍ମପଦ-
"ନୀଳାଚଳେ ଯେବେ ସତ୍ୟ ଜଗନ୍ନାଥ, ନ ହେବେ କିଛି ଆପଦ।
ଏକାମ୍ର-କାନନେ ସତ୍ୟେ ପ୍ରତିଷ୍ଟିତ ଯେବେ ପ୍ରଭୁ ଲିଙ୍ଗରାଜ,
ନ ସହିବ କେବେ ନିନ୍ଦା ଅପଖ୍ୟାତ ଉତ୍କଳ ଶିଳ୍ପୀ ସମାଜ ।
ଯାଗାନଳୁଁ ଯେବେ ସତ୍ୟ ବେଦମନ୍ତ୍ରେ ଉଠିଥିବେ ବୀରଜାଈ,
ମୁଣ୍ଡ କଟା ହୋଇ ନ ମରିବେ ଏଥି କେବେ ବାରଶ ବଢ଼ାଇ।
ଧ୍ରୁବ ପ୍ରହଲାଦ ପୁରାଣ ପ୍ରବାଦ କବି-କଳ୍ପନା ନ କହ,
କାଳେ କାଳେ ଶିଶୁ ଅସାଧ୍ୟ ସାଧିବ ହେଲେ ପ୍ରଭୁ ଅନୁଗ୍ରହ।
ଶୁଣିଛ ତ ସର୍ବେ ଅଭିମନ୍ୟୂ କଥା ବୀର-ବାଳକ-ବିକ୍ରମ,
ଶୁଣିଛ ଜନମୁଁ ଥିଲେ ଶୁକଦେବ ବ୍ରହ୍ମଜ୍ଞାନୀ ଅନୁପମ।
ଶିଶୁ ବଢ଼ି କ୍ରମେ ହୁଏ ଯୁବା ବୃଦ୍ଧ ଚତୁର ପ୍ରବୀଣ ନର,
ପ୍ରଭାତ ଅରୁଣେ ଲୁଚି ରହିଥାଏ ମଧ୍ୟାହ୍ନ ତେଜ ପ୍ରଖର ।
କାଲି ଦିନ ରାତି ରହିଅଛି ବାକୀ ବିଚାରିବୁ ନାହିଁ କାଳ,
ଯାହା କରିବାର ସ୍ଥିର କର ଏବେ ଆଉ ଅଧିକ ନ ଭାଳ।
ଦଇବ ବିଧାନେ ଏ ବାଳକ ଏଥି ଯଥାକାଳେ ଉପଗତ,
ଛାଡ଼ିଦେବା ଏହା ହାତେ ବାକି କାର୍ଯ୍ୟ କର ସର୍ବେ ଏହି ମତ।"
ଏହିପରି ବହୁ ବିଚାର ଶେଷରେ ସ୍ଥିର କଲେ ଶିଳ୍ପୀଗଣ,
କରନ୍ତୁ ବାଳକ କାଲି ଦିବାଭାଗେ ଆଗେ ମନ୍ଦିର ବୀକ୍ଷଣ।
କାଲି ସନ୍ଧ୍ୟାଯାଏ ଲାଗିବା ସରବେ କାମ ନ ହେଲେ ପୂରଣ,
ସମର୍ପି ଦେଉଳେ ବାର ଶତ ଶିର ବାଳକେ ଯିବା ଶରଣ।
ବାଳକେ ସରବେ କଲେ ଧନ୍ୟ ଧନ୍ୟ ଭାଜିଲା ସଭା ସେ ଦିନ,
ବାରଶ ବଢ଼ାଇ ଲାଗିଲେ କାମରେ ନିରାଶେ ମୁଖ ମିଳିନ।
ତହିଁ ଆରଦିନ ଧର୍ମପଦ ଦେଖେ ଦେଉଳ ଗଠନ ରୀତି,
ପରଖେ ପତନ ପୀଢ଼ ଖମ୍ବ କୋଣ ଆଦ୍ୟା ପ୍ରାନ୍ତ ଅବସ୍ଥିତି ।
ବାରଶ ବଢ଼ାଇ ଲାଗିଛନ୍ତି କାମେ କରି ପ୍ରାଣ ପ୍ରାୟଶ୍ଚିତ୍ତ,
ଚାହୁଁ ଚାହୁଁ ଦିନ ହେଲା ଅବସାନ ରବି ହେଲେ ଅସ୍ତିମିତ।
ନ ସରିଲା କାମ ନ ଦିଶଇ ଆଶା ରାତି ମଧ୍ୟେ ପୂରିବାର,
ବାରଶ ବଢ଼ାଇ ମୁଣ୍ଡେ ହାତ ଦେଇ ବସିଲେ ତେଜି ଆହାର।
କହେ ଧର୍ମପଦ “ଆଜ୍ଞା ହେଲେ ମତେ କାମେ ଦେବି ଏବେ ହାତ,
ପ୍ରଭୁ ଦୟା କଲେ ପୂରିବ ଦେଉଳ ନ ହେଉଁ କାଲି ପ୍ରଭାତ।"
ବାରଶ ବଢ଼ାଇ କଲେ ଧନ୍ୟ ଧନ୍ୟ ଦେଲେ ସର୍ବେ ଆଶୀର୍ବାଦ,
“ଯାଅ ବାବୁ ଯାଅ ବିଳମ୍ବ ନ କର" କହି କଲେ ଉଚ୍ଚ ନାଦ।
“ରହୁ କୁଳମାନ ପୂରୁ ନରସିଂହ- ନୃପତି ମନ କାମନା,
ବାର ବରଷର ବଢ଼ାଇ ପୁଅର ହେଉ କୀରତି ଘୋଷଣା ।"
ଆରମ୍ଭିଲା କାମ ଦେଉଳ ଶିଖରେ ଏକ ଲୟେ ଧର୍ମପଦ,
ଆଶାର ଆନନ୍ଦେ କାରିଗରେ ଏଣେ ଆଶଙ୍କା କଲେ ଆପଦ।
ବାଳକ କରଣୀ ନିଶ୍ଚେ ଯିବେ ଜାଣି ନରସିଂହ ଗଜପତି,
ଏ ବାଳକ ମୁଣ୍ଡେ ବନ୍ଧା ହେବ ଶାଢ଼ୀ ଘଟିବ ଆମ ବିପତ୍ତି।
ଯଥା ସମୟରେ ପୂରିବ ଦେଉଳ ଏହି ମାତ୍ରା ଆଶ୍ୱାସନା,
ପରାଣ-ଭୟରେ ସବୁ କାରିଗରେ କରନ୍ତି ନାନା ଭାବନା ।
ବସି ଏକଠାଇଁ ବାରଶ ବଢ଼ାଇ ଆତଙ୍କେ କାଟନ୍ତି ନିଶି;
ଏହି ସମୟରେ ପୂରିଲା ଦେଉଳ, ଅଗ୍ର-କୁମ୍ଭ ଗଲା ଦିଶି।
ହରଷ-ବିଷାଦେ ଚାହିଁଲେ ସକଳେ ନିରେଖି ଦେଉଳେ ଚୂଳେ,
ରାତି ଥାଉଁ ଥାଉଁ ଓହ୍ଲାଇ ମିଳିଲା ଧର୍ମପଦ ତାଙ୍କୁ ତୁଲେ।
ଦେଖି କାରିଗରେ କରନ୍ତି ପ୍ରଶଂସା ନାହିଁ କାହା ମନେ ସୁଖ,
ପଚାରେ ବାଳକ, "କି ପାଇଁ ଦିଶନ୍ତି ଆପଣା ସର୍ବେ ବିମୁଖ।
ଦରବିକସିତ କମଳ ସରସେ କିପାଁ ହିମ ବିନ୍ଦୁପାତ?
ଉଲ୍ଲସିତ ପ୍ରାଣେ କାହୁଁ କି କାରଣେ ଅକସ୍ମାତେ କଷାଘାତ ?"
ଜଣେ ବୃଦ୍ଧ ଶିଳ୍ପୀ କହନ୍ତି ନିରୋପି ସମସ୍ତଙ୍କ ମନକଥା-
“ପୂରିଲା ଦେଉଳ, ‘ହେବ ତୁମ ଯଶ ନ ରହିବ ଆମ ମଥା ।"
ନ ଶୁଣୁ ଅଧିକ କହଇ ବାଳକ ମୋର ସେ ଯଶେ କି ଫଳ ?
ଯେବେ ଶିଳ୍ପୀକୁଳ ବାର ଶତ ଫୁଲ ଝାଉଁଳି ପଡ଼ିବେ ଢଳ ।
ମୁଁ ଶିଳ୍ପୀକୁଳର ଅଧମ ତନୟ ଜାତିଭାଇଙ୍କ କିଙ୍କର,
ଦେଉଳ ପୂରଣେ ନାହିଁ ମୋ କରଣୀ ସେସବୁ କାର୍ଯ୍ୟ ତୁମ୍ଭର।
ଜାତିଭାଇଙ୍କର ଆଦେଶେ ସିନା ମୁଁ କଲି କାର୍ଯ୍ୟ ସମ୍ପାଦନ,
ଜାତିପୁଅଙ୍କର ମୁଣ୍ଡ ଗଲେ, ମୋର ଜୀବନେ କି ପ୍ରୟୋଜନ ?
ବାରଶ ବଢ଼ାଇ ମୋର ଜାତିଭାଇ ଜାଣ ଏ କଥା ନିଶ୍ଚୟ ,
ଯାହା ହେବ ହେବ କେବେ ନ ଘଟିବ ତୁମ୍ଭ ଜୀବନ ସଂଶୟ ।
କେହି ନ ଜାଣନ୍ତି ମୋ ନାମ ଏଠାରେ ନ ଜାଣିବେ କେହି ତାହା,
ନ ହେଉଁ ଆଜି ଏ ରଜନୀ ପ୍ରଭାତ ଦେଖିବି ମୁଁ ନିଜ ରାହା ।
ରାତିକେ ଦେଉଳ ପୂରିଲା ଯେପରି ନ ହେବ ଲୋକେ ପ୍ରକଟ,
ନ ଜାଣିଲେ ରାଜା କି ଅବା ପ୍ରଧାନ ପଡ଼ିବ କିପାଁ ସଙ୍କଟ ?
ପହରେ ମାତର ଅଛି ଆଉ ରାତି ଯାଅ ବାସେ ଶୁଅ କ୍ଷଣେ,
ହେଉଛି ବିଦାୟ ଦଣ୍ଡବତ କରି ଜାତିଭାଇଙ୍କ ଚରଣେ ।"
ଯେ ଯାହା କୁଟୀରେ ଗଲେ କାରିଗରେ ବାପ ସଙ୍ଗେ ଧର୍ମପଦ,
କହେ ପୁଅ, "ଏବେ ପୁଚ୍ଛିବି କଥାଏ ମନେ ନ ଗଣ ଆପଦ ।
କହିବ ତୁରିତେ ପୁଅରେ ଦାୟ କି ବାରଶ ବଢ଼ାଇ ଦାୟ ,
ଏ ବିଚାରେ ହେବ ବାରଶ ବଢ଼ାଇ ତ୍ରାଣ-ଉଦ୍ଧାର-ଉପାୟ ।"
ବାପ ମନେ ଭାଳେ କେତେ ପାପ ଚିନ୍ତା ମୁଖେ ଉତ୍ତର ନ ଆସେ,
ଉଭୟ ସଂକଟେ ପଡ଼ି ଯଥା ନର ଯାଏ ନାହିଁ କେଉଁ ପାଶେ ।
ବାପର ବିଷାଦ ଦେଖି ଧର୍ମପଦ କହେ ସୁକୋମଳ ଭାଷା,
"ବାରଶ ବଢ଼ାଇ ରହନ୍ତୁ ଜୀବନେ ଛାଡ଼ ଏବେ ମୋର ଆଶା ।
ଏ ଜଗତେ କାହା ପୁଅ ବା କାହାର ସମସ୍ତ ମାୟା ଭିଆଣ;
ସାର୍ଥକ ଜନମ ତାର ଏକା ସିନା ପର ହିତେ ଯାର ପ୍ରାଣ ।
କହିଛନ୍ତି ମୁନି- 'କୁଳରକ୍ଷା ଘେନି ହେବ ଯେବେ ପ୍ରୟୋଜନ,
ତେଜିବ ଜଣକୁ ହେଲେ ହେଉ ପଛେ ସେ ଯେଡ଼େ ସ୍ନେହଭାଜନ ।
ନ ହୋଇ ବ୍ୟାକୁଳ ଗ୍ରାମହିତେ କୁଳ ବରଜନ୍ତି ସାଧୁଜନ,
ଦେଶହିତେ ଗ୍ରାମ ଜଗତ କଲ୍ୟାଣେ କର ଦେଶ ବିସର୍ଜନ ।
ବାରଶ ବଢ଼ାଇ ଆମ ଜାତିଭାଇ ଶିଳ୍ପୀକୁଳ-ଗଳାହାର,
ପାଆନ୍ତୁ ଜୀବନ, ମୋ ଜଣକ ଲାଗି ମନେ କିଛି ନ ବିଚାର ।
ତେଜ ମୋ ମମତା ହେବ ନାହିଁ ବାପା ଦେଖା ଆଉ ଏ ଜୀବନେ,
ଦିଅ ଅନୁମତି କର ଆଶ୍ରୀବାଦ ବିଦା ହେବି ଏହି କ୍ଷଣେ।"
କହେ ବୃଦ୍ଧ, ବାବୁ ବାର ବର୍ଷ ହେଲା ଛାଡ଼ି ଆସିଅଛି ଘର,
ଯେତେବେଳେ ତୁହି ହୋଇଥିଲୁ ମାତୃ- ଗର୍ଭରେ ଚାରି ମାସର ।
ପୁଅ କିବା ଝିଅ ହେଲା କି ଅପତ୍ୟ କିପାଁ ଗର୍ଭ ଗଲା ନାଶ,
ଭାବିବାକୁ ମତେ କେବେହେଲେ ଦଣ୍ଡେ ମିଳିନାହିଁ ଅବକାଶ ।
କି ଯୋଗରେ ବାବୁ ପହଞ୍ଚିଲୁ ଆସି କଲୁ ଅସାଧ୍ୟ ସାଧନ,
ଏପରି ସୁଯୋଗ୍ୟ ପୁଅ ପାଏ କିରେ ଅଳପ ଭାଗ୍ୟରେ ଜନ !
ବିଜୁଳି ପରାୟେ ଝଟକି ନିମିଷେ ଏବେ ଲୁଚିଯିବୁ କାହିଁ ?
ଏଡ଼େ ଭାଗ୍ୟର କି ଏହି ପରିମାଣ ଏହା କି ମୁଁ ଥିଲି ଦାହି ?
କେଉଁ ଜନ୍ମେ କାହା ଖାଇବା ପତରେ ପକାଇଥିଲି ମୁଁ ଧୂଳି,
କାହା ଅଞ୍ଜଳିରୁ ଧନ ହରି ନେଇ ଦେଲି ତା ହାତେ ଶାଙ୍କୁଳି !
ଅପାର ପାତକେ ପୂରି ରହିଅଛି ମୋ ପ୍ରାରବ୍ଧ କର୍ମବନ୍ଧ,
ପଲକେ ମୋ ପଥ ଉଜଳି ନୋହିଲେ କିପାଁ ଯିବୁ କରି ଅନ୍ଧ ?
ବାରଶ ବଢ଼ାଇ ଆମ ଜାତି ଭାଇ ନୁହନ୍ତି ମୋ ପ୍ରୟୋଜନ,
କୁଳ-ଗଉରବ ସଦା ରହିଥିବ ଥିଲେ ତୋ ପରି ନନ୍ଦନ ।
ଯାର ଗୁଣରାଶି ଜଗତେ ପ୍ରକାଶି ରଖେ ଜାତିକୁଳ ମାନ,
ସେପରି ଗୋଟିକ ସଙ୍ଗତେ ନୁହନ୍ତି ଆନ କୋଟିଏ ସମାନ ।"
ତହୁଁ ପୁଅ ବେଗେ ବୋଲେ ଉଦବେଗେ ଅଧିକ ନ କହ ଆଉ,
ହେଉଛି ଉଛୁର ଯିବି ଏଠା ଛାଡ଼ି ଏବେ ରାତି ଥାଉଁ ଥାଉଁ ।"
"କାହିଁ ଯିବୁ ବାବୁ ଫେଡ଼ି କହ ସବୁ ରହିବୁ ଟିକି ପରାଣେ ?
ବଞ୍ଚି ରହିଥିଲେ କେବେହେଲେ ଦେଖା, କାହିଁ ହେବ କିଏ ଜାଣେ !"
କହେ ପୁଅ, “ବାପ, ଜୀବନ-ମରଣ ଲାଗିଅଛି ଅନୁକ୍ଷଣ,
ଜନମ ହୋଇଲେ ଆଗେ ଅବା ପଛେ ଅବଶ୍ୟ ହେବ ମରଣ ।
କାପୁରୁଷ ପରି ମରିବା ଜଗତେ ନୁହେ ନର-ପଉରୁଷ,
ପରହିତ ସାଧି ମରେ ଯେ ମହୀରେ ସେହି ଏକା ସୁପୁରୁଷ ।
ମାନବ ଜୀବନ ନୁହଇ କେବଳ ବର୍ଷ-ମାସ-ଦିନ-ଦଣ୍ଡ,
କର୍ମେ ଜୀଏଁ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ ।
ମୁହୂର୍ତ୍ତେ ମାତର ଉଜ୍ଜ୍ୱଳ ପ୍ରଖର ଶିଖା ଟେକି ହୁତାଶନ,
ଜଳି ଯେବେ କରେ ଆଲୋକ ଉତ୍ତାପ ଚଉଦିଗେ ବିତରଣ ।
ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ ରହେ ତା ଆଦର ଯଶ;
କି ଲୋଡ଼ା ତହିଁରେ ରହେ ଯେ ମହୀରେ କୁହୁଳି ସହସ୍ର ବର୍ଷ ?
କହିଛି ନିଶ୍ଚୟ ଏ ଜୀବନେ ଥାଉ ହେବ ନାହିଁ ଯେବେ ଦେଖା,
ଜୀଇଁବା ମରିବା କିପାଇଁ ପ୍ରଚାର ସେ ଦୁଇ କଥା ତ ଏକା ।
ଏ ମୋ ବଡ଼ ଭାଗ୍ୟ ଘଟିଲା ସୁଯୋଗ ମିଳି ଏଥି ଯଥା ବେଳେ,
ମୁଦିଲି ଦେଉଳ କୂଟ ଶିଳ୍ପତନ୍ତ୍ରେ ଶିଖିଲି ଯା ଶିଶୁ-ଖେଳେ ।
ବାରଶ ବଢ଼ାଇ ମୋର ଜାତିଭାଇ ସହି ନିନ୍ଦା ଅପମାନ ।
ମଲେ ଯେବେ ଏଥି, କି ସୁଖ ମୋହର କରି ମନ୍ଦିର ନିର୍ମାଣ ?
ବାରଶ ବଢ଼ାଇ ରକତ-ରଞ୍ଜିତ ଯଶ-ସନମାନ-ଧନ,
ପାଇ ରାଜଦ୍ୱାରେ କହ କି ପ୍ରକାରେ ବଢ଼ିବ ମୋ ବଡ଼ପଣ ?
ଶାଢ଼ୀ ବାନ୍ଧି ମୁଣ୍ଡେ ଯିବି ରାଜଦାଣ୍ଡେ ଦେଖି ଜାତି-କୁଳ-ନାଶ,
କି ରଙ୍ଗେ ଚିତ୍ରିବ ଏ ଜଘନ୍ୟ ଛବି ଭବିଷ୍ୟତ ଇତିହାସ !
ଦେଉଳ ଅମୁଦା ରହି ମରିଥାନ୍ତେ ଯେବେ ସବୁ କାରିଗରେ,
ମୋ କର୍ମ-କୌଶଳେ ଲଜ୍ଜା ଅପମାନ ନ ଥାନ୍ତି ତାଙ୍କ ମୁଖରେ ।
ଉତ୍କଳର ଶିଳ୍ପୀ କୁଳ ଇତିହାସେ ନ ରହୁ ଏ କଳାଦାଗ,
ତେଣୁ ସ୍ୱଚ୍ଛମନେ ଏ ଜୀବନ ଲାଗି କର ବାପା ମୋତେ ତ୍ୟାଗ ।
ଛଞ୍ଚାଣ-କପୋତ ଅଦ୍ଭୁତ ଚରିତ ଶୁଣିଛ ମହାଭାରତେ,
ପରାଣ ବିକଳେ କପୋତ-ବ୍ୟାକୁଳେ ମିଳିଲା ଶିବି-ପୁରତେ।
କାଶୀ-ନରପତି କପୋତ-ବିପତ୍ତି ଦେଖି ପାଇଲେ କଷଣ,
ଯେବେ ଯଜ୍ଞାଗାରେ ଉଡ଼ିଣ ଆତୁରେ ପଶିଲା ପକ୍ଷୀ ଶରଣ ।
ଯାଚକ-ଯାଚଞ୍ଜା ନ କଲେ ପୂରଣ ଯଜ୍ଞଫଳ ଯାଏ ନାଶ,
ସଞ୍ଚାଣ ବଧିଲେ ହିଂସା ମହାପାପ ଆବର କରିବ ଗ୍ରାସ ।
ଉଭୟ ସଂକଟେ ନ ଦେଖି ଉପାୟ ଶିବି ରାଜା ମହାମତି,
ବେନି ପକ୍ଷୀ ମଧ୍ୟେ ଉଭା ହୋଇ ସଧେ ସଞ୍ଚାଣେ କଲେ ବିନତି ।
'ଦେବି ପକ୍ଷିରାଜ, ଯାହା ଇଛା ମାଗ ରଖ କପୋତ ଜୀବନ';
କହଇ ସଞ୍ଚାଣ 'ଲୋଡ଼ା ନାହିଁ ଧନ, ମୁଁ ଯେ କ୍ଷୁଧା-ଅବସନ୍ନ ।
କପୋତ ଉଦ୍ଧାରେ ଉଦାର ଅନ୍ତରେ କର ଯେବେ ଅଭିଳାଷ,
ନିଜ ଅଙ୍ଗୁ କାଟି ତୁଳି ଦିଅ ମୋତେ କପୋତ ସମାନ ମାଂସ'।
ହରଷେ ନୃପତି ଦେଖାଇଣ ଛାତି କାଟିଦେଲେ ମାଂସ ଖଣ୍ଡେ,
ପରିମାଣେ ମାଂସ କପୋତ ସମାନ ହେଲା ନାହିଁ ତୁଳାଦଣ୍ଡେ ।
ଆଉ ଖଣ୍ଡେ ପୁଣି କାଟିଲେ ନୃମଣି ସମ ନୋହିଲା ନିକିତି,
ଖଣ୍ଡେ ଖଣ୍ଡେ କ୍ରମେ କଲିଜା କାଟିଲେ କପୋତେ ପ୍ରକାଶି ପ୍ରୀତି।
ନୃପ-ଦୟାପଣ ଦେଖି ସେ ସଞ୍ଚାଣ କଲା ଶେଷେ ଜୟ ନାଦ,
ତେଜିଲା କପୋତେ ଗଲା ନିଜ ପୁରେ ଦେଇ ଦିବ୍ୟ ଆଶୀର୍ବାଦ ।
କପୋତର ହିତେ ଶିବି ଶୁଦ୍ଧିଚିତ୍ତେ କରି ଏ ଆତ୍ମ ଉତ୍ସର୍ଗ,
ଇହ ପରଲୋକ ଲିଭିଲେ ଅକ୍ଷୟ ଧର୍ମ ଆଦି ଚାରି ବର୍ଗ ।
ଏ ଜଗତ ବାପ ମହାମଖଣାଳ, ନରନାରୀ ଯଜମାନ;
ସେହି କୃତୀ, ଯେହୁ ପରହିତେ କରେ ଜୀବନ ଆହୁତି ଦାନ ।
ଭୁବନ-ବିଦିତ ଦଧୀଚି-ଚରିତ ପୁରାଣେ ତ ଅଛ ଶୁଣି,
କହି ସ୍ୱସ୍ତି ସ୍ୱସ୍ତି ଦେଲେ ନିଜ ଅସ୍ଥି ବିଶ୍ୱହିତେ ମହାମୁନି ।
ପରହିତେ ପ୍ରାଣ ଉତ୍ସର୍ଗି ପୂରବେ କେତେ କେତେ ମହାଜନ,
ଲଭିଛନ୍ତି ତ୍ୟାଗେ ପରାଣ-ପୂର୍ଣ୍ଣତା ମରଣେ ନିତ୍ୟ ଜୀବନ ।
କୋରକିତ ପ୍ରାଣ ଫୁଟେ ପ୍ରେମ-ସରେ ପବନେ ମିଶାଏ ବାସ,
ବିଶ୍ବବ୍ୟାପୀ ରବି ଉଜ୍ଜ୍ୱଳ ଆଲୋକେ ଚାରୁ ସ୍ନିଗଧ ମନ୍ଦହାସ ।
ବାରଶ ବଢ଼ାଇ ରହିଛନ୍ତି ଚାହିଁ ଏବେ ତୁମ ମୁଖ ପ୍ରତି,
ପୁତ୍ର-ସ୍ନେହ-ମାୟା ତୁଟାଇଲେ ତୁମ୍ଭେ ଯିବେ ସକଳେ ବିରତି ।
ବାରଶ ବଢ଼ାଇ ମୁହଁକୁ ଅନାଇଁ ମୋ ମମତା ଏବେ ଛାଡ଼,
ଜାଣ ଏ ଦେଉଳୁଁ ଗଡ଼ି ମରିଛି ମୁଁ ଭାଙ୍ଗି ମଥା ବୁକୁହାଡ଼ ।
ଚାହଁ ଏ ଦେଉଳେ ଚାହଁ ଜାତିକୁଳେ, ଛାଡ଼ ମନୁ ବୃଥା କଷ୍ଟ,
ବିଚାର ଜନମ ପାଇ ନାହିଁ ମୁହିଁ ହୋଇଅଛି ଗର୍ଭୁଁ ନଷ୍ଟ ।
କରୁଛ ଭାବନା ନ ହେବ ମୋ ବିନା ବଂଶ-ରକ୍ଷା ତୁମ୍ଭ ଅନ୍ତେ,
କର ହେ ବିଚାର କାହା ବଂଶ ଚିର ରହିଛି ବା ଏ ଜଗତେ?
କେତେ ମହାଜନ ଅସାଧ୍ୟ ସାଧନ କରିଗଲେ କାଳବଳେ,
କାହିଁ ତାଙ୍କ ବଂଶ? ଅଛି ମାତ୍ର ଯଶ ଆଜିଯାଏ ମହୀତଳେ ।
ଏକର ବିନାଶେ ଅନେକ ପ୍ରକାଶେ ସୃଷ୍ଟିର ଏ ନିତ୍ୟ ବିଧି,
ଏକର ଯା କ୍ଷୟ ଅନେକ ଉଦୟ, ଅନେକ ଏକର ସିଦ୍ଧି ।
ବଂଶ ପଛେ ଯାଉ ଜାତି ବୃଦ୍ଧି ପାଉ ସାଧ ଏ ଉଦାର ନୀତି,
କୋଣାର୍କ ଦେଉଳ ଗାଉ ଚିରକାଳ ତୁମ୍ଭ ପୁଣ୍ୟ ତ୍ୟାଗ-ଗୀତି ।
ପରେ ଦୟାବହି ସତ୍ୟ ରକ୍ଷା ପାଇଁ ପୂର୍ବେ କେତେ କେତେ ଲୋକ,
କାଟିଛନ୍ତି ନିଜ ହାତେ ପୁଅମୁଣ୍ଡ ମୁହୂର୍ତ୍ତେ ନ କରି ଶୋକ ।
ବିହିତ କରମ ମାନବ ଧରମ ବୀର ଭାବେ ଯେହୁ ସାଧେ,
ସେହି ଧନୁର୍ଦ୍ଧର ରାମ ବୀରବର ଭବାର୍ଣ୍ଣବେ ସେତୁ ବାନ୍ଧେ ।
ତୁମର ମୋହର ଦେଖା ଦିନକର, କିପାଁ ଏତେ ମାୟା ମୋହ?
ତେଜ ମୋ ମମତା ଦେଖାଅ ବୀରତା କର ନାହିଁ ଜାତି-ଦ୍ରୋହ ।
କହ ମନ ସୁଖେ ନାହିଁ ପୁଏ ଦାୟେ ବାରଶ ବଢ଼ାଇ ଦାୟ;
ଜଗତେ ଏ କଥା ରହୁ କାଳେ କାଳେ ନେଉଛି ଏବେ ବିଦାୟ ।
ପାହି ଆସିଲାଣି ଅନ୍ଧାର ରଜନୀ ନିର୍ମଳ ଦିଶେ ମୋ ପଥ,
ଦିଅ ଆଶୀର୍ବାଦ ଘେନ ଏ ଜୀବନେ ଏହି ଶେଷ ଦଣ୍ଡବତ।"
ଏତେ କହି ପୁଅ ବାପ-ପଦରଜ ନେଇ ଲଗାଇଲା ଶିରେ,
ବୃଦ୍ଧ ମୁଖେ କିଛି ବଚନ ନ ଆସେ ଗଣ୍ଡ ସିକ୍ତ ନେତ୍ର-ନୀରେ ।
ମୂକ ଆଶୀର୍ବାଦ ଇଙ୍ଗିତେ ପ୍ରକାଶି ସ୍ନେହେ ଚୁମ୍ବିଲା ବଦନ,
ଚାଲିଗଲା ପୁଅ କ୍ଷଣେ ବୃଦ୍ଧ ତହିଁ ହେଲା ଶୋକେ ଅଚେତନ ।
ଅରୁଣ-ଆରକ୍ତ ବରଣେ ରଞ୍ଜିତ ଦିଶେ ପୂରବ ଆକାଶ,
ଫିଟିନାହିଁ ନିଶା ଅଙ୍ଗ କଳାଶାଢ଼ୀ ଫୁଟି ନହିଁ ଉଷାହାସ ।
ଚନ୍ଦ୍ରଭାଗା-ନୀରେ ପାହାନ୍ତି ସମୀରେ ଖେଳଇ ମୃଦୁ ତରଙ୍ଗ,
ଅଦୂର କାନନେ ପହର ପ୍ରମାଣେ ରାବେ କୁମ୍ଭାଟୁଆ ଖଗ ।
ଏ ମୁହଁଅନ୍ଧାରୀ ବେଳେ ଧର୍ମପଦ ଚାଲିଗଲା ଅତି ଖରେ,
ଚାର-ପଥେ ଚଢ଼ି ଉଠିଲା ତୁରିତେ ଦେଉଳ ଶିଖ ଉପରେ।
ଚୌଦିଗେ ବିସ୍ତୃତ ସାଗର-ସୈକତ ନିସ୍ତବ୍ଧ ବିଜନ ବେଳା,
ସମ୍ମୁଖେ ଅପାର ନୀଳ ପାରାବାର ଚିରନ୍ତନ ଉର୍ମ୍ମି-ଖେଳା ।
ଊର୍ଦ୍ଧ୍ୱେ ସୁଶୋଭିତ ତାରକା ଖଚିତ ଅନନ୍ତ ନୀଳ ଆକାଶ,
ହେଲା ଶୁଦ୍ଧପ୍ରାଣେ ଅପୂର୍ବ ଉଦାର ମହାଭାବ ପରକାଶ ।
ଜଳ ସ୍ଥଳ ନଭ ହେଲା ଏକ ଭାବ ଲିଭିଗଲା ବିଚିତ୍ରତା,
ଅନନ୍ତେ ଅଭେଦେ ପରମ ନିର୍ବେଦେ ବ୍ୟକ୍ତି ବିଶ୍ବ-ମହାସତ୍ତା ।
ବାଳୁତ ହୃଦୟ ମିଶିଗଲା ସେହି ମହା ଅନନ୍ତ ବିତାନେ,
ଅଜ ଭାବ ଭୁଲି ମଣେ ଆପଣାକୁ ଏକୀଭୂତ ବିଶ୍ୱପ୍ରାଣେ ।
ମୁହୂର୍ତ୍ତକେ ପୁଣି ସେ କ୍ଷୁଦ୍ର ହୃଦୟେ ସଙ୍କୁଚିତ ବିଶ୍ୱସାରା,
ଭିତର ବାହାର କଲା ଏକାକାର ଅମୃତ ସଙ୍ଗୀତଧାରା ।
ହୋଇ ଏକ ଧ୍ୟାନ ମିଳାଇଣ ତାନ ବିଶ୍ୱ-ସଙ୍ଗୀତ-ଲହରେ,
ଗାଏ ଧର୍ମପଦ ପରମ ଆନନ୍ଦେ ‘ଜୟ ଜଗଦୀଶ ହରେ ।
"ନମୋ ନିରଞ୍ଜନ ନିଖିଳ ନିଦାନ ବ୍ୟାପ୍ତ ସର୍ବ ଚରାଚରେ,
ପ୍ରଭୁ ଦୟାମୟ ମଙ୍ଗଳ ଆଳୟ ଜୟ ଜଗଦୀଶ ହରେ ।
ନମୋ ନିରାକାର ସର୍ବ ବିଶ୍ୱାଧାର ବ୍ୟକ୍ତି ବାହ୍ୟ ଅଭ୍ୟନ୍ତରେ,
ପ୍ରଭୁ ବିଶ୍ୱପତି ଅଗତିର ଗତି ଜୟ ଜଗଦୀଶ ହରେ ।
ଧରି ତୁମ୍ଭ ବଳ ବହଇ ଅନଳ ଅନ୍ତରୀକ୍ଷେ ନିରନ୍ତରେ,
ଆଦେଶେ ଉଦଧି ନ ଲଙ୍ଘେ ଅବଧି ଜୟ ଜଗଦୀଶ ହରେ ।
ତବ ଦିବ୍ୟ ଜ୍ୟୋତି ପରକାଶେ ନିତି ଗ୍ରହ ତାରା ନୀଳାମ୍ବରେ,
ତବ ପୂଣ୍ୟ ହାସେ କୁସୁମ ବିକାଶେ ଜୟ ଜଗଦୀଶ ହରେ ।
ନଦୀ ବନ ଗିରି ଭୀମ କାନ୍ତ ଶିରୀ ତୁମ୍ଭରି କଟାକ୍ଷେ ଧରେ,
ଗାଏ ତୁମ୍ଭ ଗୀତି ଏ ବିଶ୍ୱ-ଭାରତୀ ଜୟ ଜଗଦୀଶ ହରେ ।
ଅନନ୍ତ ମହିମା ଅତୁଳ ସୁଷମା ଦିଶେ ବିଶ୍ୱ ସ୍ତରେ ସ୍ତରେ,
ତବ ମହାପ୍ରେମ ଖେଳେ ଚରାଚରେ ଜୟ ଜଗଦୀଶ ହରେ ।
ସେ ମହାମହିମା କି ବୁଝିବି ପ୍ରଭୋ, କ୍ଷୁଦ୍ର ନର କଳେବରେ ,
କି ଭାଷାରେ ତବ କରିବି ହେ ସ୍ତବ ଜୟ ଜଗଦୀଶ ହରେ ।
ଦେଶ କାଳ ସୀମା-ଅତୀତ ମହିମା ଆଗୋଚର ସୁର ନରେ,
ଏକ ଅଦ୍ୱିତୀୟ ପୂର୍ଣ୍ଣ ପ୍ରେମମୟ ଜୟ ଜଗଦୀଶ ହରେ ।
ପ୍ରଭୁ ପରାତ୍ପର ପରମ ଈଶ୍ୱର ଆଶ୍ରା ଦିଅ ଶ୍ରୀପୟରେ,
ପୂରୁ ତବ ଇଛା ଏ ନର ପରାଣେ ଜୟ ଜଗଦୀଶ ହରେ ।
ପ୍ରକାଶି କରୁଣା ଯେ ପୂଣ୍ୟ ପ୍ରେରଣା ଦେଇଅଛ ମୋ ଅନ୍ତରେ,
କର ତାହା ସିଦ୍ଧି କରୁଣା-ବାରିଧି ଜୟ ଜଗଦୀଶ ହରେ ।
ମୋ' ହୃଦୟସ୍ବାମୀ ପ୍ରଭୁ ଅନ୍ତର୍ଯାମୀ ଦେଖାଇଛ ଯାହା ଥରେ
ସେ ଅମୃତ ଗତି ଦିଅ ପ୍ରାଣପତି ଜୟ ଜଗଦୀଶ ହରେ ।
ଚନ୍ଦ୍ରଭାଗା ମୋ'ର ଘେନ ନମସ୍କାର ନିଅ ମୋତେ ନିଜ ଅଙ୍ଗେ
ବହି ମାତୃସ୍ନେହ ମିଶାଇ ଏ' ଦେହ ଅତଳ ଉଦଧି ସଙ୍ଗେ ।
ଗାଇ ଏହିପରି କହି ହରି ହରି ଡେଇଁଲା ସେ ନଦୀଜଳେ
ନ ରହିଲା ତା'ର ଚିହ୍ନ କି ଆକାର ଗଲା ମହାସିନ୍ଧୁ ତଳେ ।
ଆର ଦିନ ରବି ଉଇଁଣ ଚୁମ୍ବିଲା ସମ୍ପୂର୍ଣ୍ଣ ମନ୍ଦିର ଚୂଳ
ନ ଜାଣିଲେ କେହି କିଏ ସେ ମୁଦିଲା କୋଣାରକେ ଏ'ଦେଉଳ ।
ନଦୀ ଗିରି ବନେ ସାଗର କାନନେ ମିଶିଗଲା ହାଡ଼ମାଂସ
ଧର୍ମପଦ ନାମ କାଳସିନ୍ଧୁ କଲା ବିସ୍ମୃତି ଅତଳେ ଗ୍ରାସ ।
ଲୁଚି ରହେ ନାହିଁ ସତ୍ୟ ଚିରଦିନ କାଳେ ତା ହୁଏ ବିବୃତ୍ତି
ନାହିଁ ଧର୍ମପଦ ଭାଙ୍ଗିଛି ଦେଉଳ ଅଛି ଏବେ ଜନଶ୍ରୁତି ॥