ନମସ୍ତେ ପ୍ରଭୁ ଜଗନ୍ନାଥ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନମସ୍ତେ ପ୍ରଭୁ ଜଗନ୍ନାଥ
ଲେଖକ/କବି: ଜଗନ୍ନାଥ ଦାସ

ନମସ୍ତେ ପ୍ରଭୁ ଜଗନ୍ନାଥ

ନମସ୍ତେ ପ୍ରଭୁ ଜଗନ୍ନାଥ । ଅନାଥ ଲୋକଙ୍କର ନାଥ ।।
ନମସ୍ତେ ପ୍ରଭୁ ବାସୁଦେବ । ଭକତ ଜନଙ୍କ ବାନ୍ଧବ ।।
ନମସ୍ତେ ପ୍ରଭୁ ହୃଷୀକେଶ । ଭକତ ଜନଙ୍କ ବିଶ୍ୱାସ ।।
ନମସ୍ତେ ପ୍ରଭୁ ବିଶ୍ୱରୂପୀ । ସକଳ ହୃଦେ ଅଛ ବ୍ୟାପି।।
ତୁ ସୃଷ୍ଟି ସ୍ଥତି ଲୟ କରୁ । ଆବର ଗର୍ଭରେ ସଂହରୁ ।।
ଅଶେଷ କୋଟି ବସୁନ୍ଧରୀ । ତୋହର ଗର୍ଭେ ଛନ୍ତି ପୁରି ।।
ଚଉଦ ଭୁବନେ ଯା କିଣା । ଏ ସର୍ବ ତୋହର ରଚନା ।।
ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି । ତୋ ବିନୁ ଅନ୍ୟ ଗତି ନାହିଁ ।।
ସୃଷ୍ଟି ତୋହର ଖେଳଘର । ଅଶେଷ ମାୟା ତୋ ଆବର ।।
ତୋହର ନିଶ୍ୱାସ ମରୁତ । ଦେବେ ହୋଇଲେ ତହୁଁ ଜାତ ।।
ତୁହିଟି ଅଗ୍ନି ଦେବ ଇନ୍ଦ୍ର । ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର ।।
ଭୁଜରୁ ଅନନ୍ତ ମୂରତି । କଣ୍ଠରୁ ଜାତ ସରସ୍ୱତୀ ।।
ସଦା ଚଞ୍ଚଳ ନିଦ୍ରା ନାହିଁ । ଏ ରୂପେ ଶୂନ୍ୟେ ଅଛୁ ରହି ।।
ଅଶେଷ ତୋହର ମହିମା । କେ ଜାଣିପାରେ ଗୁଣସୀମା ।।
ତୋ ନାମ କରୁଥିଲେ ଲୟ । କୋଟିଏ ଜନ୍ମ ପାପ କ୍ଷୟ ।।
ନାମ ଘୋଷିଲେ ସର୍ବସିଦ୍ଧି । ଖଣ୍ଡଇ ରୋଗ ଶୋକ ଆଦି ।।
ଆରତ ଭଞ୍ଜନ ତୋ ବାନା । ଆତଙ୍ଗ କାଳେ ବଜ୍ର ସେହ୍ନା ।।
ହୋଇଲୁ ଦଶ ଅବତାର । ନାଶିଲୁ ଅବନୀର ଭାର ।
ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ।।
ତୁ ଅଟୁ ଦରିଦ୍ରର ଧନ । ତୋ ପାଦେ ରହୁ ମୋର ମନ ।।
ସତୀ ଯୁବତୀଙ୍କର ମନେ । ନିଜର ସ୍ୱାମୀ ଥାନ୍ତି ଯେହ୍ନେ ।।
ସେହି ପ୍ରକାରେ ମୋର ମନ । ତୋ ପାଦେ ରହୁ ଭଗବାନ ।।
କହଇ ଦାସ ଜଗନ୍ନାଥ । କମଳ ଚରଣକୁ ଆଶ ।।