ନର ଦେହେ ପାଇଛ ଜନ୍ମ

ଉଇକିପାଠାଗାର ରୁ
Jump to navigation Jump to search

ନର ଦେହେ ପାଇଛ ଜନ୍ମ

ଭୀମ ଭୋଇ

ନର ଦେହେ ପାଇଛ ଜନ୍ମ ଏତେବେଳେ ଡାକ ମହିମା ନାମ । ଘୋଷା ।


କାଳଚକ୍ର ବ୍ରହ୍ମାଣ୍ଡରେ ଫେରିଲାଣି ଅଦୃଷ୍ଚ କରମ ହେଉଛି ବାମ । ଏକ ପ୍ରଭୁ ବିନୁ ଏ ମାନବ ତନୁ ରଖିବାକୁ କେହି ନୁହନ୍ତି କ୍ଷମ ।୧।


ମିଛ କଥାକୁ ପସରା କରିଅଛ ସରିଲାଣି ଦେଖ ସକଳ କାମ । ଦିନ ନ ସରି ଅପମୃତ୍ୟୁ ହେଉଛି ବିଅର୍ଥରେ ବାନ୍ଧି ନେବଟି ଯମ ।୨।


ଅଗ୍ନୀ ଅଙ୍ଗୀକାର ପୁରୁଷ ଅଟନ୍ତି ତାଙ୍କ ତୁଲେ କେହି ନୁହନ୍ତି ସମ । ଚାରି ତୀର୍ଥ ଆସି ଶର୍ଣାଗତ ପଶି ଶ୍ରୀଚରଣ ତଳେ ସେ ଚଉଧାମ ।୩।


ଯେ ଆଶ୍ରିତ ହେବ ଗୁରୁଧର୍ମ ନେବ ଆକାଶକୁ ଚାହିଁ କର ନିୟମ । ନ ଧରିଲେ ରଟି ଗଣ୍ଠି ଯିବ ଫିଟି ପଶ୍ଚାନ୍ତେ ପାଇବ ପଥ ଶରମ ।୪।


ସପ୍ତ ବ୍ରହ୍ମାଣ୍ଡକୁ ସାତ ଥର ହୋଇ ଫେରି ଆସିଲାଣି ଅଲେଖ ଧର୍ମ । ଜାଣି ଶୁଣି କରି ଚିତ୍ତରେ ନ ଧରି ମାୟାରେ କିମ୍ପାଇଁ ହେଉଛ ଭ୍ରମ ।୫।


ଅକ୍ଷରେ ନ ବସେ ରୂପରେ ନ ଦିଶେ ସେ ପ୍ରଭୁଙ୍କୁ ନ ପାଇଲେଟି ଗମ୍ୟ । ଆତ୍ମଜ୍ଞାନୀ ହେଲେ ତେବେ ଯାଇଁ ମିଳେ ଭଣେ ଭୀମ ଭୋଇ ପାମର ହୀନ ।୬।