ନ ଗଲୁ ମନ କ୍ଷେତ୍ରସ୍ଥଳକୁ

ଉଇକିପାଠାଗାର ରୁ
Jump to navigation Jump to search
ନ ଗଲୁ ମନ କ୍ଷେତ୍ରସ୍ଥଳକୁ
ଲେଖକ/କବି: ଭିକାରୀ

ନ ଗଲୁ ମନ କ୍ଷେତ୍ରସ୍ଥଳକୁ <poem>

ନ ଗଲୁ ମନ କ୍ଷେତ୍ରସ୍ଥଳକୁ ଧନ ଦାରାସୁତ ଆବୋରି ବସିଛୁ କେହି ନୋହେ ସଙ୍ଗ ଗଲାବେଳକୁ ।।

ତୁଳସୀ ଚଉରାଠାରେ ନୃତ୍ୟଲୀଳା ପ୍ରଦକ୍ଷିଣ କର ଯୋଡ଼ି କରକୁ । ମଧ୍ୟେ ପଞ୍ଚକୋଶୀ ପ୍ରଭୁଛନ୍ତି ବସି ସେଠାରୁ ଦେଖ ତୁ ନୀଳଚକ୍ରକୁ । ଧ୍ୱଜାଖଣ୍ଡକୁ ଚାହାଁ ଆଗକୁ ଚଉକିଛନ୍ତି ଅଠର ନଳାକୁ ।୧।

ସେ ଅଠର ନଳା ପଶ୍ଚିମରୁ ଜଳା ବହିଯା'ନ୍ତେ ପଥ ପୂର୍ବ ଭାଗକୁ । ଜନକପୁର ବାଲି ଆପେ ହରି ଚାଲି ସେ ରେଣୁ ନ ମିଳେ ବ୍ରହ୍ମା ଶିବଙ୍କୁ । ଧ୍ୟାୟି ତାହାଙ୍କୁ ଚଉବାହାକୁ ବଜାଏ ଡମ୍ବରୁ ଚଢ଼ି ଷଣ୍ଢକୁ ।୨।

ଧନ୍ୟ ବଡ଼ ଦାଣ୍ଡ ସର୍ବ ପାପ ଖଣ୍ଡ ସକଳ ତୀର୍ଥ ସେବନ୍ତି ତାହାକୁ । ଗୋରୁ ବିପ୍ର ମାରି ଗୁରୁ ପତ୍ନୀ ହରି ସେ ଠାବକୁ ଗଲେ ବହେ ପାପକୁ । ତଳେ ହସ୍ତକୁ ଦେଇ ମସ୍ତକୁ ଗଡ଼ଘାଲି ଶୁଅ ବଡ଼ ଦାଣ୍ଡକୁ ।୩।

ଛଣ ପୋତି ସାଧୁ ବୈଷ୍ଣବ ମହନ୍ତ କରୁଛନ୍ତି ଲୀଳା ଗାଇ ନାମକୁ । ଗଡ଼ୁଆ ଗଞ୍ଜାଇ ବିଡ଼ା ବିଡ଼ା ଖାଇ ଡାକୁଛନ୍ତି ସେ ମୁକତି ଧାମକୁ । ଚଉବାହାକୁ ଧ୍ୟାୟି ତାହାଙ୍କୁ ମିଳୁଛି ଅବଢ଼ା ଛେକ ବେଳକୁ ।୪।

ସେ ଅରୁଣ ସ୍ତମ୍ଭ ମେରୁ ସରି ଦମ୍ଭ ଦେଖ ସିଂହଦ୍ୱାରେ ଗଜସିଂହକୁ । ବାଇଶ ପାବଚ୍ଛ ଲଗା ତହିଁ ହସ୍ତ କୈବଲ୍ୟ ପସରା ବେନି ପାଶକୁ । ଚାହାଁ ଆଗକୁ ବିକାକିଣାକୁ ବହି ନେଉଛନ୍ତି ବଡ଼ଦାଣ୍ଡକୁ ।୫।

ସେଠାବରୁ ଧୀରେ କଳ୍ପବଟ ମୂଳେ ଦେଖ ବଟପୁଟଶାୟୀ ପ୍ରଭୁଙ୍କୁ । ପଦାଙ୍ଗୁଳି ନେଇ ବଦନରେ ଦେଇ ହସୁଛନ୍ତି ଚାହିଁ ମାତା ମୁଖଙ୍କୁ । ତହିଁ ଆଗକୁ ଦକ୍ଷଭାଗକୁ ପାହାରୀ ରଖିଛି ଗଜମୁଖକୁ ।୬।

ମୁକତି ମଣ୍ଡପେ ବସିଛନ୍ତି ବିପ୍ରେ ପଢ଼ୁଛନ୍ତି ବେଦ ସ୍ମୃତି ଶାସ୍ତ୍ରକୁ । ସେ ରୋହିଣୀ କୁଣ୍ଡ ସର୍ବ ପାପ ଖଣ୍ଡ କାକ ପଡ଼ି ହେଲା ଚତୁର୍ଭୁଜକୁ । ଗଲା ସ୍ୱର୍ଗକୁ ଯାଅ ଆଗକୁ ବିମଳା ଦେଖ ପଶ୍ଚିମ ଭାଗକୁ ।୭।

ସେଠାରେ ହିରଣ୍ୟ କୋପେ ନାରାୟଣ ଚିନ୍ତା କର ବାରେ ହୃଦେ ତାହାଙ୍କୁ । ମାତା ସରସ୍ୱତୀ ତହିଁ ଆଗେଛନ୍ତି ନମସ୍କାର କର ତାଙ୍କ ପାଦକୁ । ତହିଁ ଆଗକୁ ଉତ୍ତର ଦିଗକୁ ମାତା ମହାଲକ୍ଷ୍ମୀ ଦେଖ ତାହାଙ୍କୁ ।୮।

ସେଠାବରୁ ଏକ କୁଣ୍ଡ ଯାଇ ଦେଖ ତହିଁ ନେଇ କ୍ଷେପ ବୀଜ ଗର୍ଭକୁ । ପର ପ୍ରାୟ ପ୍ରଭୁ ଫିଙ୍ଗି ଦେଉଅଛ ଏ ନିନ୍ଦା ହୋଇବ ଆଉ କାହାକୁ । ଚଉବାହାକୁ ଚାହାଁ ଉର୍ଦ୍ଧ୍ୱକୁ ଉଡୁଛି ପତକା ତିନିପୁରକୁ ।୯।

ଜଗମୋହନରେ ପଶି ଯାଅ ଥରେ ଆଲିଙ୍ଗନ କର ପକ୍ଷୀରଜକୁ । ରତ୍ନବେଦୀ ପରେ ଚାହିଁ ଦିଅ ଥରେ ଦେଖ କଳାଧଳା ମୁଖ ଶୋଭାକୁ । ପାଦ ତଳକୁ ଲଗା ଶିରକୁ ପରିକ୍ରମା କର ରତ୍ନବେଦୀକୁ ।୧୦।

ଆଗେ ରତ୍ନଦୀପ ଜଳେ ଦପଦପ ଥୟ ହୋଇ ଲୟ କର ତାହାକୁ । କହଇ ଭିକାରୀ ସାହା କେହି ନାହିଁ ଦଣ୍ଡେ ନ ଛାଡଇ ରହି ଧନ୍ଦାକୁ । ଧରି ନାମକୁ ଡାକେ ତୁମ୍ଭକୁ ଅନ୍ତେ ନୋହୁ ଗତି ଯମପୁରକୁ ।୧୧