ପତିତ ଜନଙ୍କୁ ଉଦ୍ଧାରିବା ପାଇଁ

ଉଇକିପାଠାଗାର ରୁ
Jump to navigation Jump to search
ପତିତ ଜନଙ୍କୁ ଉଦ୍ଧାରିବା ପାଇଁ
ଲେଖକ/କବି: ନିତ୍ୟାନନ୍ଦ ଦାସ

ପତିତ ଜନଙ୍କୁ ଉଦ୍ଧାରିବା ପାଇଁ

ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଉଅଛ ପତାକା ।
ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ ବିପତ୍ତି କରୁଛି ଡକା ॥
ମହାପ୍ରଭୁ ହେ !

ନାଶ ଗଲେ ନାଥ ପରେ କି କରିବ କରୁଣା ଭଣ୍ଡାର ଫେଇ ।
ଦୁଃଖୀ ଗଲେ ନାଶ ଅର୍ଜିବ କି ଯଶ ପଛେ ଚଉବର୍ଗ ଦେଇ ॥
ମହାପ୍ରଭୁ ହେ !

ଘୋର ନବଘନ ଥାଉ ଯେବେ ଦୀନ ଚାତକ ଜୀବନ ହରାଇବ ।
ସମୁଦ୍ରେ ବରଷି ଘୋର ଜଳରାଶି ଚାତକ ବନ୍ଧୁ କି ବୋଲାଇବ ॥୧॥

ମାଳତୀ ବକୁଳ ବିକଚ କମଳ ବନ ଥିବ ଅଳି ଯେବେ ମରି ।
ପୂର୍ଣ୍ଣ ସୁଧାକର ଅନାଇଁ ଚକୋର ମାଳିକା ଯେବେ ମରିବେ ଝୁରି ॥୨॥

କଳ୍ପଲତା ତଳେ ଥାଇ ଯେ ମୁଁ ଫଳେ ନିରାଶ ହୋଇବା କେଡ଼େ ଲାଜ ।
ରତ୍ନାକର ହୋଇ ରତ୍ନରଙ୍କ ଯହିଁ ଏ କଥା କେମନ୍ତ ଦେବରାଜ ॥୩॥

ଥାଉ ଗଙ୍ଗା କୂଳେ ପରାଣ ବିକଳେ ତୃଷାରେ ଯେବେ ହାରିବ ପ୍ରାଣ ।
ଦିନମଣି ଥିବ ଅନ୍ଧାର ହୋଇବ ଏ କଥା ପ୍ରଭୁ ମନକୁ ଆଣ ॥୪॥

ସାମନ୍ତ ଯେ ଚତୁବର୍ଗ ଅଧିକାରୀ ଲକ୍ଷ୍ମୀ ପରିଚାରୀ ଥିବେ ହୋଇ ।
ଏମନ୍ତେ ସାମନ୍ତେ ଆଶ୍ରା କରି ଭୃତ୍ୟ ଭିକ୍ଷା ମାଗୁଥିବ ଦୁଃଖ ପାଇ ॥୫॥

ଏଥୁ ଅଧିକ କି ଅଛି ଲୋକହସା ଆଉ କି ରହିଲା ପ୍ରଭୁ ଆଣି ।
ଝମକିଲା ସିଂହ ପ୍ରାୟ ଝମକିବ ବିଅର୍ଥ ଧରିବା ଚକ୍ରପାଣି ॥୬॥

ଦୀନବନ୍ଧୁ ବୋଲି ନାମ ଯେ ବହିଛ ଏହା ନ ଚେତ କି ଭାବଗ୍ରାହି ।
ଏ ନାମ ଏବେ ଏଣିକି ନ ବହିବ ଚକ୍ର ପରୁ ନେତ ଥୁଅ ନେଇ ॥୭॥

ତେବେ ତୁମ୍ଭକୁ କେ କାହିଁକି କହିବ କର୍ମ ଆଦରି ସହିବ ଦୁଃଖ ।
ନିରାଶ ଜଳଧି ତୁମ୍ଭ ନାମ ସିଦ୍ଧି ଜଗତରେ ବାଜିଯିବ ଡାକ ॥୮॥

ଆଉ ଭୁବନରେ ଠାକୁର ଖୋଜିବା ତୁମ୍ଭ ପରି କେହି ଥିଲେ ଜଣେ ।
ଦୁଃଖୀ ଲୋକଙ୍କର ଦୁଃଖ ହରୁଥିବେ କୃପା ବିଲୋକନ ନେତ୍ରକୋଣେ ॥୯॥
 
ସୁଦର୍ଶନ ନାମେ ଚକ୍ର ବହିଥିବେ ଟେକି ବାହୁରେ ଦକ୍ଷିଣ କରେ ।
କହେ ନିତ୍ୟାନନ୍ଦ ଅପରାଧୀ ନନ୍ଦ ମୋହର ଶରଣ ତାଙ୍କଠାରେ ॥୧୦॥