ପଥ ଛାଡିଦେ ମୁଁ ଯିବି

ଉଇକିପାଠାଗାର ରୁ
Jump to navigation Jump to search
ପଥ ଛାଡିଦେ ମୁଁ ଯିବି
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

ପଥ ଛାଡିଦେ ମୁଁ ଯିବି


ପଥ ଛାଡିଦେ ମୁଁ ଯିବି ଫୁଲ ତୋଳି ଯେ। ବନମାଳି ।
ସ୍ନାନ କରିଛି ପୂଜିବି କରମାଳି ଯେ । ପଦ ।

ବୃନ୍ଦାବନେ ପୁଷ୍ପ ତୋଳୁ ରଙ୍ଗେ। ଗୋଷ୍ଠ ସୁଧାକର ରଧା ଆଗେ ।
ମିଳନ୍ତେ ଅନାଇଁ ଚମକି ଭାଷନ୍ତି
ଛନ୍ନହୋଇ ମନ ଉଦବେଗେ ଯେ । ୧ ।

ଚାହିଁବାକୁ ଆଖି ଢାଳି ଢାଳି । ନୁହଇଟି ମୁଁ ସେ ଚନ୍ଦ୍ରାବଳୀ ।
ବରଜ ଦାଣ୍ଡରେ ବଜାରବସାଇ
ବଇରି ହାତେ ନ ମରା ତାଳି ଯେ । ୨ ।

ବନ ମଧ୍ୟେ ଏକି କଉତୁକ । ଯା ଯା ବାଟେ ବାଟେ ଯିବା ଲୋକ ।
ଯେ ତୋ ସଙ୍ଗତେ ଛାଉଲି ହେଉଥିବ
ତା ଆଗେ ହୁଅ ଏ ଭଙ୍ଗୀଯାକ ଯେ । ୩ ।

ମୁରଲୀ ଛୁଆଇଁ ଦେଲା ଲାଗେ । ପୁଲକ ପୂରିଗଲା ଶ୍ରୀଅଙ୍ଗେ ।
ଥର ଅପସର ଆଣି ନେତ୍ରୁ ବାରି
ଭାଷଟି ଲଗନାଟି ମୋ ସଙ୍ଗେ ଯେ | ୪ ।

ବାଳକ ବୁଦ୍ଧିତ ଛାଡ଼ି ନାହୁଁ। ଛୁଇଁଦେଲୁ ସରି କହୁ କହୁ ।
ବଳି ଯାଉଛୁନା ଉପଦର୍ପଯାକ
ଯାଉ ବୋଲି ସବୁ ସହୁ ସହୁ ଯେ । ୫ ।

ନୁହଇ ମୁଁ ତୋ ଟାପରା ଭଳି । ରଖ ଯା ଘରେ ଏ ଚାତୁରାଳି ।
ନିକଟେ ଅଛନ୍ତି ଲଳିତା ଜାଣିଲେ
ମୁଖକୁ ନ ଚାହିଁ ଦେବେ ଗାଳି ଯେ । ୬ ।

ହଟାକୁ ଡରି ଶୁଭାଇ ଡାକି । ନ ପାରିବାରୁ ମୁଁ ସଜନୀଙ୍କି।
ନିର୍ମଳ କୁଳ ପତିବ୍ରତା ବରତ
ନାଶ କରୁଛୁ ଏ ଧରମ କି ଯେ । ୭ ।

ହୋଇବାରୁ ଲାଗି ଲାଗି ହରି । ଲୀଳା କମଳ ଶ୍ରୀହସ୍ତେ ଧରି ।
ମାରି ହସିଲା ହୋଇ ଧୀରେ ବୋଲନ୍ତି
ପଳାଅ ଅଇଲେ ସହଚରୀ ଯେ । ୮ ।

ଯାଅ ହୁଅନା ମୋ ପାସ ପାସ । ନାଶ କରିଦେଲୁ ସୁମନସ ।
ହାତକୁ ହାତ ବଜାଇ ଦେଇ ପୁଣି
ବୋଲୁଛୁ ଆହୁରି କାହା ଦୋଷ ଯେ । ୯ ।

ଛିଡିଗଲା ଲୀଳା ଅରବିନ୍ଦ । ଏହିକ୍ଷଣି ଆସି ଆଳିବୃନ୍ଦ ।
ପଚାରିଲେ ତାଙ୍କୁ କି ବୋଲି କହିବ
ହସୁଛୁ ଆହୁରି ମନ୍ଦ ମନ୍ଦ ଯେ । ୧୦ ।

ଓଗାଳୁ ସରଣୀ ଗଲେ ଯେଣେ । ଚରମ ବାସ ଓଟାରୁ ତେଣେ।
ପଚାରି ବି କି ତୋ ଜନନୀଙ୍କି ଯାଇ
ଏ ରିତିଯାକ ସେ ଗୋଷ୍ଠାଙ୍ଗଣେ ଯେ । ୧୧ ।

ପ୍ରରାର୍ଦ୍ଧ ମଦନ ରୂପୋଦ୍ଧତି । ନବାଞ୍ଜନ ପୁଞ୍ଜ ପରି କାନ୍ତି ।
କୁଞ୍ଜବନ ଯାକ ଦେବତା ବୁଲୁଛି
ଏହା ଦେଖି ପରା କହୁଥାନ୍ତି ଯେ । ୧୨ ।

ନାରୀ-ମନ-ଧନ ହରିବାର । ଖଣ୍ଟ-କୁଳ ଗୁରୁ ତୁ ନାଗର ।
ରୂପ ଗୁଣ ବଂଶୀ ଆକୃତି ପ୍ରକୃତି
ଘଟାଇ ଦେଇଛି ବେଦବର ଯେ | ୧୩ ।

ଆହା ମୂଖରା ଆସନ୍ତା ହେଲେ । ପଳାଇ ଯଆନ୍ତି ଭାରି ଗଲେ ।
ଆଉ ଏ ବରଜ ବନକୁ ଆସିବି
ନାହଁ ମୋ ଦେହରେ ପ୍ରାଣ ଥିଲେ ଯେ । ୧୪ ।

ହେଟି କାଲି ଧୂଳୀ ଖେଳବାର । ଝାଳେ ଦଶେ ତନୁ ଜର ଜର ।
ଚୂର୍ଣ୍ଣ କୁନ୍ତଳ ମୁଖକୁ ପଡ଼ୁଥିଲା
ତର୍ଣ୍ଣକ ପଛରେ ଧାଇଁବାର ଯେ । ୧୫ ।

ଦର ବିଚଳିତ ବାଲ୍ୟବସ୍ଥା । ଏଡ଼େ ବେଗି କାହୁଁ ଏଡ଼େ କଥା ।
ପର ରମଣୀକି ଦେଖିଲେ ଦୂରରୁ
ଲହିଁ ଯାଉଥାନ୍ତା ସିନା ମଥା ଯେ । ୧୬ ।

ପତ୍ନୀ ଶ୍ରଦ୍ଧା ଥିଲେ ବ୍ରଜେଶ୍ୱରୀ । ଆଗେ କହ ଦେବେ ବିଭା କରି ।
ପର ପରମଦା ପରେ ଆଶା କଲେ
ମନୁ ଯିବ କେତେ ସଧ ସରି ଯେ । ୧୬ ।

ଜନ୍ମ ଜନ୍ମାନ୍ତରେ ତପ କରି । ପତି ପାଇଥିଲେ ଏହାପରି ।
ହାତ ପଛଆଡ଼େ ଲୁହ ପୋଛୁ ପୋଛୁ
ଦିନ ନେବ ସିନା ମନ ମାରି ଯେ । ୧୮ ।

ଯମୁନା ତଟରୁ ନାରୀଙ୍କର । ଲାଟ ବାସ ଚୋରି କରିବାର ।
ଗୋପରେ ଆଜକୁ ବାଜଛି ଘୋଷଣା
ଅଣ୍ଟିନାହିଁ ଲାଜ ଥରକର ଯେ । ୧୯ ।

ଏହି ଦିନୁ ଏଡ଼େ ଉଚ୍ଛୃଙ୍ଖଳ । ଆହୁରି ଅଛିତ କାଳ ବେଳ ।
ଯଉବନ ଲବ ଛୁଇଁଛି କି ନାହିଁ
ବ୍ରଜ ହୋଇଗଲା କୋଳାହଳ ଯେ। ୨୦।

ବ୍ରଜବଧୂ ଗଲେ ଦହି ବିକି । ଯମୁନାରେ ବାହି ତରଣୀକି ।
ସ୍ରୋତ ମଧ୍ୟେ ନାବ ରଖି ତାଙ୍କୁ
କଲା ଉଦାସୀ ଧରଣୀ ଧରିବାକି ଯେ। ୨୧।

ସଖୀମାନେ କହୁଥିଲେ ଯାହା । ଅନୁଭବ ଆଜି କଲି ତାହା ।
ଶ୍ରୀ ଗୋଷ୍ଠେଶ୍ବରୀଙ୍କ ଗର୍ଭରୁ ସମ୍ଭୂତ
ହୋଇବାକୁ ଏକା ଥିଲା ଏହା ଯେ। ୨୨।

ଗୋପ ଜାତିରେ ବରହୋତ୍ତଂସ । ବଂଶୀ ବଜାଇ କେ ନଟବେଶ ।
ହୋଇ ନାଚୁଥୁଲା ବିହି କି ବିହିଲା
କରିବାକୁ ସାଧ୍ବୀବ୍ରତ ଧ୍ବଂସ ଯେ । ୨୩ ।

ଯାହାକୁ ସନ୍ତତେ ଡରୁଥୁଲି । ତା ଆଗେ ଏକାକୀ ପଡ଼ିଗଲି ।
କାହାକୁ ଡାକବି କାନନ ମଧ୍ୟରେ
କେହି ନାହିଁ ଜାତି ହରାଇଲି ଯେ। ୨୪ ।

ଘରକୁ ଗଲେ ସେ ବିଶାଖାକୁ । ପଚାରିବି ସିନା କାନନକୁ ।
ଫୁଲ ତୋଳିଯିବା ବୋଲି ଡ଼ାକିଆଣି
କରାଇଲା ଏ ବଡ଼ମ୍ବନାକୁ ଯେ। ୨୫।

ଗୃହପତି ଜନନୀ ଜଟିଳା । ଗରଳୁ ବଳିତା ବାଣୀ ଜ୍ବଳା ।
ଏପରି ଥିବାର ଦେଖିଲେ କାଟିବ
କଟାଳ କୁଠାରେ ମୋର ଗଳା ଯେ । ୨୬ ।

ଗଉରୀ ତୀର୍ଥକୁ ଚନ୍ଦ୍ରାବଳୀ । ଗଲା ପୂଜି ସାରିବନି କାଳୀ।
ମନ କାମନା ପୂରାଇବ ସେ ସିନା
ଯାଅ ଲେଡ଼ୁଥିଲେ ତାର ଆଳୀ ଯେ । ୨୭ ।

ପାଶେ ଥିବାବେଳେ ଆର୍ଯ୍ୟଗଣ । କାହିଁ ଥାଇଟି ଏ ଧୂର୍ତ୍ତପଣ ।
ଦଶ ଆଙ୍ଗୁଳୀକି ଅନାଇ ଚାଲିଲା
ପରି ଦିଶୁଥାଇ ଆଚରଣ ଯେ । ୨୮ ।

ଗୋଷ୍ଠେନ୍ଦ୍ର ନନ୍ଦନ ଅଲୌକକ । ସୁନ୍ଦରପଣ ସୁଗୁଣ ଯାକ ।
ଛାର ପରବଧୂ ପରସଙ୍ଗ ରଙ୍ଗ
ଆଶାରେ ନ ବୁଡ଼ା ଏଡ଼େ ଟେକ ଯେ । ୨୯ ।

କେ ଦେଖିଲେ ପ୍ରୀତି ଥିଲାପରି । ଏବେ ପଡ଼ିଯିବ ବ୍ରଜେ ହୁରି ।
ପାଟକ ଜାତି ମୋ ଶିଖଣ୍ଡ ମୁକୁଟ
କୁଳରୁ ଦେବେ କଟାଳ କରି ଯେ। ୩୦।

ନାଗର ହଟ ନ କର ବୃଥା । ଲୁଚିବ ନାହିଁଟି ଏ ସର୍ବଥା ।
ବଦନେ ବାସ ଦେଇ ଲେକେ ହସିବେ
କାଳକୁ ବୋଲି ରହିବଟି କଥା ଯେ । ୩୧ ।

ଏହି କ୍ଷଣିଟି ଆର୍ତ୍ତରେ ଧାଇଁ । ସଖାଏ ଆପଣା ନାମ ଦେଇ ।
ଡାକି ଡାକି ଏହି ପଥେ ଗଲେ ମୁହିଁ
ଥାଉଛି ଏଠାରେ ଆସ ଯାଇଁ ଯେ । ୩୨ ।

ଗୋରୁ ଗୋପାଳଙ୍କୁ ଗିର ଧରି । ଉଦ୍ଧରିଛ କେତେ ଉପକାରୀ ।
ପଣନ୍ତ ପ୍ରସାରି ମାଗୁଛି ମୁଁ ଏତେ
ଆଡ଼ ହୁଅ ଥରେ ଦୟା କରି ଯେ । ୩୩ |

ରହୁ ହାସ ପରିହାସ ଯାକ । ନିକଟେ ଶୁଭୁଛି ଲୋକ ଡାକ ।
ଜୁହାର କରୁଛି ରହି ନ ପାରଇ ।
ହୃଦ ହେଉଛି ମୋ ଦକ ଦକ ଯେ । ୩୪।

ନିଶ୍ଚେ ଆସିବି ଶପଥ ମୋର । ଏହି ପଥରେ ନାଗରବର ।
ଯାହା ବୋଇଲେ ମୁଁ ନିୟମ କରୁଛି
ଅବଶ୍ୟ କରବି ଅଙ୍ଗୀକାର ଯେ । ୩୫ ।

ଫିଟିଗଲା ମୋ କବରୀ ଭାର । ଝାଳେ ପୂରିଲାଣି କଳେବର ।
କାହା ମୁଖ ଚାହିଁ ଆସିଥିଲି ଆଜ
ପଡ଼ିଗଲି ଏଡ଼େ ହରବର ଯେ । ୩୬ ।

କି ଶତ୍ରୁ ହେଲେଟି ଅଳି ଆଳି । ଏତିକି ବେଳକୁ ପାଶେ ମିଳି ।
କଣ୍ଠ କାକଳୀ ମୋ ବିବେକ ହରିଲେ
ଆହା କେଉଁଆଡ଼େ ଗଲେ ଆଳୀ ଯେ । ୩୭ ।

ହସି ବ୍ରଜବିଧୁ ମଧୁକର । ନିକର କରି ଶ୍ରୀକରେ ଦୂର ।
ଭାଷିଲେ ହୃଦେ ଲଗାଇ କି କରିବ
ପରିଜନେ ଅବଧାନ କର ଯେ । ୩୮ ।

ନକ୍ଷତ୍ର ମାଳା ହୃଦରୁ ଫେଇ । ମୋହନ ଶ୍ରରାଧା କଣ୍ଠେ ଦେଇ।
ବିନୟ ହୋଇ ଭାଷିଲେ ମିଷ୍ଟ ମିଷ୍ଟ
ବାଣୀକି ସକମ୍ପ ତନୁ ବହି ଯେ । ୩୯।

ବଲ୍ଲୀ ଉହାଡ଼ରେ ସଖୀ ବ୍ୟୁହ । ରହି ଶୁଣୁଥିଲେ ସେ କଳହ ।

ଶ୍ରୀକୃଷ୍ଣ ଶ୍ରୀମତୀ ମିଳନ ବିଲୋକି
ସୁଖରେ ପାଶୋରି ଦେଲେ ଦେହ ଯେ । ୪୧ ।

ଶ୍ରୀକୁଣ୍ଡ ସେତୁ ନିକୁଞ୍ଜ ଶେଯେ । ଶ୍ରରାଧା ମାଧବ କଲେ ବିଜେ ।
ପୁଷ୍ପ ବ୍ୟଜନ ଧରି ଗୋପାଳକୃଷ୍ଣ
ପଟ୍ଟନାୟକ ପଦାବଜେ ଭଜେ ଯେ । ବନମାଳି । ୪୨ ।