ପାର୍ବତୀ କାବ୍ୟର ଉପସଂହାର

ଉଇକିପାଠାଗାର ରୁ
Jump to navigation Jump to search

ପାର୍ବତୀ କାବ୍ୟର ଉପସଂହାର

               

(ମୋର ପଞ୍ଚଦଶ ବର୍ଷ ବୟସରେ ପରମାରାଧ୍ୟ ପିତୃଦେବ ପାର୍ବତୀ କାବ୍ୟ ରଚନା କରିଥିଲେ । କଠୋର ଦୁର୍ବିପାକ ବଶରୁ ସେହି ସମୟରେ ମୋହର ପୀଡ଼ା ବଳବତର ହୋଇଥିଲା । ସେହି ଦୁଃଖ ତାହାଙ୍କୁ ପାର୍ବତୀ ରଚନାରୁ ବିରତ କରିଥିବା ବିଷୟ ସ୍ଥାନାନ୍ତରରେ କଥିତ ହୋଇଥିଲା । ଯେତିକି କବିତାକାରରେ ଥିଲା ତାହା ପୂର୍ବରୁ ମୁଦ୍ରିତ ହୋଇଅଛି । ସେହି ଦୁଃଖକୁ ସ୍ମରଣୀୟ କରିବା ପାଇଁ ପାର୍ବତୀକୁ ଅସମ୍ପୂର୍ଣ୍ଣ ରଖିଥିଲେ ହେଁ ଏହାର ଉତ୍ତରାର୍ଦ୍ଧ ଗଦ୍ୟାକାରରେ ଲେଖି ରଖିଥିଲେ । ତାହାଙ୍କର ସ୍ୱର୍ଗାରୋହଣ ପୂର୍ବରୁ ଉତ୍କଳର ବହୁସଂଖ୍ୟକ ବନ୍ଧୁଙ୍କ ଅନୁରୋଧ କ୍ରମେ ତାହାକୁ କବିତାକାରରେ ସାଙ୍ଗ କରିବାର ଅଭିଳାଷ ଥିଲା । ମାତ୍ର ଦାରୁଣ ବିଧି ବାମ ହେବାରୁ ତାଙ୍କର ସେ ଅଭିଳାଷ ପୂର୍ଣ୍ଣ ହୋଇପାରିଲା ନାହିଁ । ସେହି ଗଦ୍ୟକାବ୍ୟାଂଶ ବର୍ତ୍ତମାନ ଅବିକଳ ପ୍ରଦତ୍ତ ହେଲା । - ଶ୍ରୀ ଶଶିଭୂଷଣ ରାୟ)

 

                ହେମପୁର ରାଜକନ୍ୟା ଅନ୍ନପୂର୍ଣ୍ଣା ପାର୍ବତୀଙ୍କୁ କହିଲେ, “ଦେବୀ! କି ହେତୁରୁ ମୁଁ ମୋର ପିତାମାତାଙ୍କର ମୃତ୍ୟୁର କାରଣ ହେଲି, କହୁଅଛି, ଶୁଣିବା ହେଉନ୍ତୁ । ଆମ୍ଭମାନଙ୍କ ଦୁର୍ଗ ଶାଳ୍ମଳୀ ପର୍ବତର ମେଖଳାରେ ଅବସ୍ଥିତ । ଦୁର୍ଗର ଉଭୟ ପାଶ୍ୱର୍ ଘନବନାକୀର୍ଣ୍ଣ, ପୃଷ୍ଠଭାଗରେ ଉତ୍ତୁଙ୍ଗ ଶିଖର, ସମ୍ମୁଖରେ ମୁକ୍ତ ପ୍ରଦେଶ, ଦୁର୍ଗଦ୍ୱାର ଅବରୁଦ୍ଧ, ଗଙ୍ଗେଶ୍ୱର ଓ ଅନ୍ୟାନ୍ୟ ସୈନ୍ୟବର୍ଗ ଶିବିର ତୋରଣ ସମ୍ମୁଖରେ ଅବସ୍ଥିତ ।

                ଯୁଦ୍ଧ ଅନେକ ଦିନ ହେଲା ଚଳୁଅଛି । ଶେଷ ଛ’ମାସ ଆପଣଙ୍କ ପୁତ୍ର ଯୁବରାଜ ଏକଜାତ ଯେତେବେଳେ ଯୁଦ୍ଧଭୂମିରେ  ଉପନୀତ ହୋଇ ସେନାର ଅଧିନାୟକତା ଗ୍ରହଣ କଲେ, ସେ ସମୟରୁ ଯୁଦ୍ଧ ଘୋରରୁ ଘୋରତର ଆକାର ଧାରଣ କଲା । ଉଭୟ ପକ୍ଷୀୟ, ବିଶେଷତଃ ଆମ୍ଭ ପକ୍ଷର ଅନେକ ସୈନ୍ୟ ହତ ହେଲେ । ସର୍ବପ୍ରଥମେ ଗଙ୍ଗେଶ୍ୱର ଆମ୍ଭଙ୍କୁ କର ମାଗିଥିଲେ, ତହିଁରେ ମୋର ପିତା ଅସମ୍ମତ ହେବାରୁ ଅବରୋଧ ଆରମ୍ଭ ହେଲା ।

                ଦୁର୍ଗର ପଶ୍ଚାଦ୍ ଭାଗରେ ପର୍ବତ ତଟରେ ଦୁର୍ଗର ପୃଷ୍ଠପରିଖା ରୂପୀ ଗୋଟିଏ ଗିରିନଦୀ ପ୍ରବାହିତ ହେଉଅଛି । ସେଆଡ଼କୁ ଅନ୍ୟ କାହାର ଯିବାର ସୁବିଧା ନାହିଁ । ଏହି କାରଣରୁ ରାଜପୁରର ରମଣୀମାନେ ସମୟ ସମୟରେ ସେଠାକୁ ବିହାରାର୍ଥେ ଗମନ କରିଥାନ୍ତି । ଚତୁର୍ଦ୍ଦିଗରେ ବନବେଷ୍ଟିତ ସେହି ଗିରିତରଙ୍ଗିଣୀ ନିକଟରେ ଗୋଟିଏ ଉପବନ ଅଛି । ଶରତର ଶ୍ୟାମଳ ଶୋଭା ଓ ପର୍ବତର ଅପରାଜିତାର ନୀଳିମା ଦ୍ୱାରା ଆକୃଷ୍ଟ ହୋଇ ଆମ୍ଭେମାନେ ସେହି ଉପବନରେ ଦିନେ ବନଭୋଜନ କରୁଥିଲୁଁ । ମୁଁ ଓ ମୋହର ସଖୀ ଭିନ୍ନ ସେଠାରେ କେହି ନଥିଲେ । ସେଦିନ ଆମ୍ଭେମାନେ ଫୁଲ ଗୁନ୍ଥୁଥିଲୁଁ । ଏପରି ସମୟରେ ହଠାତ୍ ଗୋଟିଏ କପୋତ ବାଣବିଦ୍ଧ ହୋଇ ସେହିଠାରେ ପଡ଼ିଲା । ତାହାର ବକ୍ଷରେ ଶର ବିଦ୍ଧ ହୋଇଥିଲା । ମୁଁ ତାହାକୁ ପଡ଼ିବାର ଦେଖି ସଖୀ ସାହାଯ୍ୟରେ ତାହାର ଡେଣାରୁ ଶରଫଳା ଉନ୍ମୁକ୍ତ କଲି । ତାହାକୁ କୋଳକୁ ନେଇ ଜଳପାନ କରାଇ ତାହାର ଚେତନା ଜନ୍ମାଉଥିଲି । ଏହିପରି ସମୟରେ ଦେଖିଲି ଯେ ଜଣେ ସୌମ୍ୟମୂର୍ତ୍ତି ଯୁବା ପାରିଧିବେଶରେ ସମ୍ମୁଖରେ ଦଣ୍ଡାୟମାନ । ଯୁବାଙ୍କୁ ଦେଖି ଆମ୍ଭେମାନେ ବ୍ୟସ୍ତ ହୋଇ ପଳାଇବାକୁ ଉଦ୍ୟତ ହେଲୁ । ଯୁବା ସହାସ୍ୟମୁଖରେ କହିଲେ, “ଭୟ ନାହିଁ, ତୁମ୍ଭେମାନେ କିଏ ଏବଂ ଯେ ପକ୍ଷୀଟିକୁ କୋଳରେ ଧରି ଜଳ ପିଆଉଅଛନ୍ତି, ସେ ଅବା କିଏ କହ ।” ମୁଁ ଲଜ୍ଜା ଓ ଭୟରେ ଉତ୍ତର ଦେଇପାରିଲି ନାହିଁ । ମୋହର ସଖୀ ତାହାଙ୍କୁ ଯୁଦ୍ଧସ୍ଥଳରେ ଦେଖି ଚିହ୍ନିବାରୁ ସେ କହିଲା, “ଏ ଅଞ୍ଚଳରେ ଲୋକମାନଙ୍କର ଗତି ନିଷିଦ୍ଧ, ତୁମ୍ଭେ କେଉଁ ସାହସରେ ଏଠିକି ଆସିଲ? ତୁମ୍ଭେ ଶତ୍ରୁପକ୍ଷୀୟ ରାଜକୁମାର, ଆମ୍ଭେମାନେ ଯେବେ ପରିଚୟ ଦେଉଁ, ତେବେ ତୁମ୍ଭ ଏହିକ୍ଷଣି ପ୍ରହରିକର୍ତ୍ତୃକ ଧୃତ ହେବ ।” ଏହା କହି ସଖୀ ମୋହର ମୁହଁକୁ ଆଦେଶ ନିମିତ୍ତ ଅନାଇ ରହିଲା । ରାଜକୁମାରଙ୍କୁ ଦେଖିବା ମାତ୍ରେ ମୁଁ ତାଙ୍କ ମନୋହର ରୂପରେ ମୁଗ୍ଧ ହୋଇଥିଲି । ମୁଁ ସଖୀକି ନିଷେଧ କରି କହିଲି, ଏ ସ୍ଥାନ ତାଙ୍କ ପକ୍ଷରେ ନିରାପଦ ନୁହେଁ । ତାଙ୍କୁ ସତ୍ୱର ଶିବିରକୁ ନେଉଟି ଯିବାକୁ କହ ।” ସଖୀ ତାହାହିଁ କହିଲା । ରାଜକୁମାର କହିଲେ, “ଶିବିରରୁ ମୃଗୟାର୍ଥ ନିର୍ଗତ ହୋଇ ଅତର୍କିତ ଭାବରେ ପର୍ବତରେ ବୁଲୁ ବୁଲୁ ମୁଁ ଏହି ସ୍ଥାନକୁ ଆସିଲି ।  ତୁମ୍ଭ ସଖୀଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ଶିବିରକୁ ବାହୁଡ଼ି ଯାଉଅଛି, କିନ୍ତୁ ମୋହ ଶରରେ ବିଦ୍ଧ ପକ୍ଷୀ ତୁଲ୍ୟ ତୁମ୍ଭ ସଖୀଙ୍କ କଟାକ୍ଷ-ବାଣରେ ମୋର ହୃଦୟ ଜର୍ଜର ହୋଇଅଛି । ସେହି ପକ୍ଷୀଟିକୁ ଓ ମୋର ହୃଦୟକୁ ତୁମ୍ଭ ସଖୀଙ୍କ ହସ୍ତରେ ଦେଇଗଲି । ପକ୍ଷୀଟିକୁ ଦୟାବତୀ ଦୟାକରି ବଞ୍ଚାଇଲେ, ମୋର ମାନସପକ୍ଷୀ ଯେପରି କଷ୍ଟ ନହୁଏ ।” ରାଜକୁମାର ଚାଲିଯିବାରୁ ସତୃଷ୍ଣ ନୟନରେ ମୁଁ ତାହାଙ୍କୁ ଅନାଇ ରହିଲି । କେତେକ୍ଷଣ ପରେ ଆମ୍ଭେମାନେ ଦୁର୍ଗକୁ ନେଉଟି ଆସିଲୁଁ । ସେହିଦିନଠାରୁ ରାଜପୁତ୍ରଙ୍କ ପ୍ରେମରେ ଆସକ୍ତ ହୋଇ ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଲି । ସଖୀ ଆତଙ୍କିତ ହୋଇ ପିତାଙ୍କୁ ମୋ ବ୍ୟାଧି ବିଷୟ ଜଣାଇଲା । ଜନ୍ମକାଳରୁ ମୋର ମାତାଙ୍କ ମୃତ୍ୟୁ ହୋଇଥିଲା । ପିତା ରାଜା ହୋଇ ମଧ୍ୟ ମତେ ବିମାତାଙ୍କ କଷ୍ଟରୁ ରକ୍ଷା କରିବାଲାଗି ଆଉ ଦାରପରିଗ୍ରହ କଲେନାହିଁ । ପିତାମାତା ଉଭୟସ୍ଥାନୀୟ ହୋଇ ପିତା ମୋତେ ଲାଳନପାଳନ କକରୁଥିଲେ । ମୁଁ ଏପରି ପିତାଙ୍କୁ ହରାଇ ଅଛି । ମୁଁ ଇଚ୍ଛା କରିଥିଲେ ଶତ୍ରୁ ରାଜକୁମାରଙ୍କୁ  ପ୍ରଥମ ସାକ୍ଷାତ ସମୟରେ ଧରାଇ ଦେଇଥାନ୍ତି । ପିତା ଶତ୍ରୁ ଉପରେ ସମ୍ପୂର୍ଣ୍ଣ କ୍ଷମତା ବିସ୍ତାର କରିପାରିଥାନ୍ତେ । ଗଙ୍ଗେଶ୍ୱର ପୁତ୍ରସ୍ନେହରେ ବୈର ତ୍ୟାଗକରି ପୁତ୍ରକୁ ରକ୍ଷା କରିବାଲାଗି ଅବଶ୍ୟ ସଚେଷ୍ଟ ହୋଇଥାନ୍ତେ । ଦେବୀ, ଆପଣ ପୁତ୍ରର ଅସମ୍ଭାବିତ ବିପଦ ମନେକରି କାନ୍ଦୁଅଛନ୍ତି, କିନ୍ତୁ ଆପଣ ଭାଗ୍ୟବତୀ, ବିଧାତା ମୋଭଳି ଅଭାଗିନୀ ନିମିତ୍ତ ଅଶ୍ରୁଜଳ ସୃଷ୍ଟି କରିଥିଲେ, ଆପଣଙ୍କ ପାଇଁ ନୁହେଁ ।

                ପିତା ଯେପରି ମୋର ବ୍ୟାଧି କଥା ଶୁଣିଲେ, ସେପରି ଗଙ୍ଗେଶ୍ୱରଙ୍କ ନିକଟକୁ ସନ୍ଧିପ୍ରସ୍ତାବ, ବଶ୍ୟତା ସ୍ୱୀକାର ଓ ଯୁବରାଜଙ୍କୁ ମତେ ସମର୍ପଣ କରିବାକୁ ପ୍ରସ୍ତାବ ପଠାଇଲେ । ମୋର ଦୂରଦୃଷ୍ଟିରୁ ଫଳ ବିପରୀତ ହେଲା । ଗଙ୍ଗେଶ୍ୱର ଅନପେକ୍ଷିତ ଉତ୍ତର ଦେଲେ, “ରତ୍ନପୁର ରାଜା ଆମ୍ଭଙ୍କୁ ବୃଦ୍ଧ ଓ ଅକର୍ମଣ୍ୟ ଭାବିଅଛନ୍ତି, ଏହାର ଫଳ ସେ ଶୀଘ୍ର ପାଇବେ ।” ପିତା ନିତାନ୍ତ ଦୁଃଖିତ ହେଲେ । ଯୁଦ୍ଧ ପୂର୍ବପରି ଚଳିଲା । କ୍ରମଶଃ ଆମ୍ଭମାନଙ୍କ ଦୁର୍ଗରୁ ଆହାର୍ଯ୍ୟ ଶେଷ ହେଲା । ଦୁର୍ଭିକ୍ଷ ଆରମ୍ଭ ହେଲା, ଆହାରାଭାବରେ ଦୁର୍ଗବାସୀମାନେ କ୍ରମଶଃ ଶୀର୍ଣ୍ଣ ହୋଇଗଲେ । ସେମାନଙ୍କ ଚକ୍ଷୁ କୋଟରଗତ ହେଲା ଏବଂ ଦେହ ଅସ୍ଥିକଙ୍କାଳସାର ହେଲା । ଯାହା ଆହାର୍ଯ୍ୟ ଥିଲା ତହିଁରୁ ଅଧିକାଂଶ ଆମ୍ଭେମାନେ ଯୋଦ୍ଧାମାନଙ୍କୁ ଦେଇଥାଉଁ । ପିତା ସ୍ୱୟଂ ଆହାର ବଣ୍ଟନର ତତ୍ତ୍ୱାବଧାରଣ କରୁଥାନ୍ତି । ସେ ନିଜ ଖାଦ୍ୟରୁ କର୍ତ୍ତନ କରି ମୋହର ଅଂଶ ବଢ଼ାଇ ଦିଅନ୍ତି । କ୍ରମଶଃ ଆମ୍ଭମାନଙ୍କର ଦୁର୍ଗବାସର ଅବସାନ ହୋଇଆସିଲା । ଆହାରାଭାବରେ ଲୋକମାନେ ଅବସନ୍ନ । ପ୍ରାଚୀର ଉପରେ ଦଣ୍ଡାୟମାନ ହୋଇ ସୈନ୍ୟଗଣ ଯୁଦ୍ଧ କରନ୍ତି । ଜଳମଗ୍ନ ହେଲାପରି ଶତ୍ରୁଶରାଘାତରେ ସୈନ୍ୟମାନେ ପ୍ରାଚୀରରୁ ଖସି ପଡୁଥିଲେ । ଯେଉଁମାନେ ହତ ହୁଅନ୍ତି, ସେମାନଙ୍କ ସ୍ଥାନ ପୂରଣ ହୋଇପାରେ ନାହିଁ । ଆକ୍ରମଣକାରୀଙ୍କ ମଧ୍ୟରେ ଯୁବରାଜ ହିଁ ପ୍ରଧାନ ଯୋଦ୍ଧା । ରାଜା ମୋର ଚିନ୍ତାଜ୍ୱର ଆଶଙ୍କା କରି ଆଦେଶ ଦେଲେ ଯେ, କେହି ଯେପରି ରାଜକୁମାରଙ୍କୁ ଲକ୍ଷ୍ୟକରି ଶରନିକ୍ଷେପ ନକରନ୍ତି । ଏଥିରେ ସୈନ୍ୟଗଣ ଅଧିକ ନିରୁତ୍ସାହିତ ହୋଇପଡ଼ିଲେ । ଶେଷଦିନ ଆଉ ବିଳମ୍ବ ନାହିଁ । ୩ ।୪ ଦିନ ପରେ ଶତ୍ରୁମାନେ ହଠାତ୍ ଦୁର୍ଗ-ପ୍ରାଚୀର ଡେଇଁ ଗଡ଼ ଆକ୍ରମଣ କଲେ । ନଗରରେ ମହା କୋଳାହଳ ଉଠିଲା । ଯେଉଁ ସ୍ଥାନରେ ଗୃହଦଗ୍ଧ ହେଉଅଛି, ଆକାଶ ଆଲୋକିତ  ଏବଂ ଧୂମପଟଳରେ ତାରକା ରାଜି ନିଷ୍ପ୍ରଭ ହୋଇଯାଉଅଛି, କେଉଁ ସ୍ଥାନରେ ଯୁଦ୍ଧ, କେଉଁଠି ଘାତକଙ୍କର ଗର୍ଜ୍ଜନ, କେଉଁଠି ବା ଅବଳା ଓ ଶିଶୁମାନଙ୍କର ରୋଦନ-ନିନାଦ । ମୁଁ ସେ ସମୟରେ ପିତୃ ସମୀପରେ ଥିଲି । ଦଳେ ସୈନ୍ୟ ଆସି ପିତାଙ୍କର କେଶାକର୍ଷଣ ପୂର୍ବକ ତାହାଙ୍କୁ ନେଇଗଲେ । ଅନ୍ତଃପୁରର ରମଣୀମାନେ ବକ୍ଷରେ କରାଘାତ କରି ବିଳାପ କରିବାକୁ ଲାଗିଲେ । ମୁଁ କାକୁତିମିନତି କରି ସେମାନଙ୍କ ପଦଧାରଣ କଲି । ମୋ କଥାରେ କେହି କର୍ଣ୍ଣପାତ କଲେନାହିଁ । ପିତାଙ୍କ ସହିତ ମୁଁ ଆଲୁଳାୟିତ ଓ ଅସଂବୃତବାସରେ ଚାଲିବାକୁ ଲାଗିଲି । ସୈନ୍ୟମାନେ ଗଙ୍ଗେଶ୍ୱରଙ୍କ ନିକଟରେ ତାହାଙ୍କୁ ଉପସ୍ଥିତ କଲେ । ପିତାଙ୍କର ସ୍ଥବିରାବସ୍ଥା ଓ କଙ୍କାଳବିଶେଷ ଶରୀର ଦେଖି ରାଜାଙ୍କ ପାଶ୍ୱର୍ଚରମାନେ କରୁଣାର୍ଦ୍ର ହେଲେ । ଗଙ୍ଗେଶ୍ୱର ରକ୍ତଚକ୍ଷୁରେ ପିତାଙ୍କୁ ଅନାଇଲେ ଏବଂ ସର୍ବସମକ୍ଷରେ ତାଙ୍କର ଶିରଚ୍ଛେଦ କଲେ । ଯୁବରାଜ ମୋ ପିତାଙ୍କ ପାଇଁ ଅନେକ ସାଧ୍ୟ ସାଧନା କରି ତିରସ୍କୃତ ହେଲେ । ମୁଁ ରାଜାଙ୍କ ପାଦତଳେ  ପଡ଼ିଗଲି । ତଥାପି ଗଙ୍ଗେଶ୍ୱରଙ୍କର କରୁଣା ନୋହିଲା । ପିତାଙ୍କ ପ୍ରାଣଦଣ୍ଡରେ ମୁଁ ଅଚେତନ ହେଲି । କେତେକ୍ଷଣ ଅଚେତାବସ୍ଥାରେ  ନିଶ୍ଚିନ୍ତ ଥିଲି । ଚେତନା ପରେ ଦେଖିପାରିଲି ଯେ ମୁଁ ରାଜାଙ୍କ ଅବରୋଧ ଶିବିରରେ ବନ୍ଧା ହୋଇଅଛି ।

                ତତ୍ପରଦିନ ସ୍କନ୍ଧବାର ସହିତ ଗଙ୍ଗେଶ୍ୱର ହେମପୁର ପରିତ୍ୟାଗ କଲେ । ସେହିଦିନଠାରୁ ଜୀବନ୍ନ୍ମୃତ ହୋଇ ସଙ୍ଗେସଙ୍ଗେ ଆସିଅଛି । ଏହି ଦାରୁଣ ବିପାକରେ ମଧ୍ୟ ମୋର ପୋଡ଼ାପ୍ରାଣ ରହିଅଛି । ଦେବି! ଏବେ ଆପଣଙ୍କ ଚରଣାଶ୍ରୟକୁ ଆସିଲି । ମୁଁ ଅବଳା, ଆପଣଙ୍କ କନ୍ୟା ସ୍ୱରୂପ । ଶୁଣିଲି ଆଜିଠାରୁ ମୋତେ ଗଙ୍ଗେଶ୍ୱରଙ୍କର ଭୋଗିନୀ ହେବାକୁ ପଡ଼ିବ । ତାହାହେଲେ ତତ୍ ପୂର୍ବରୁ ମୋର ପ୍ରାଣତ୍ୟାଗ ନିଶ୍ଚିତ । ବର୍ତ୍ତମାନ ଆପଣ ହିଁ ମୋର ପ୍ରାଣାପେକ୍ଷା ଅଧିକ ମୂଲ୍ୟବାନ ଧର୍ମର ରକ୍ଷକ ସ୍ୱରୂପ । ମୋତେ ଶ୍ରୀଚରଣରେ ଆଶ୍ରୟ ଦିଅନ୍ତୁ । ଆପଣଙ୍କ ଆଶାରେ ଏତେବେଳଯାଏ ଜୀବନ ରଖିଅଛି ।” ମହାଦେବୀ ନୀରବରେ ସମସ୍ତ ଶୁଣିଲେ । ଏସମୟରେ ତାହାଙ୍କ ମନ କଣ ହେଉଥିଲା କେହି ଜାଣିଲେ ନାହିଁ । ରାଜକନ୍ୟାଙ୍କୁ ଆଶ୍ୱାସ ଦେଇ ତାଙ୍କ ଶୁଶ୍ରୂଷାର ବନ୍ଦୋବସ୍ତ କରି ରାଣୀ ନିଭୃତ କକ୍ଷରେ ଏକାକୀ ଶୟନ କରି ଭାଳିଲେ, ଏବେ କଣ କରିବି? ଏହାଙ୍କୁ ଦେଖିଲାବେଳୁ ମୋର ସେହି ଦୁଃଖିନୀ କୌଶର ଚନ୍ଦ୍ରମୁଖ ମନେପଡୁଅଛି । ଏ ମୋର ପୁତ୍ରଠାରେ ମନ ସମର୍ପଣ କରିଥିବାରୁ ମୋର ବଧୂ, ସୁତରାଂ କନ୍ୟା-ସ୍ଥାନୀୟା ହୋଇଛନ୍ତି । ଏହାଙ୍କ ଉପରେ ପୁଣି ଅତ୍ୟାଚାର! ହେ ବିଧାତା! କେଉଁ ପାପରେ ଏଭଳି ସ୍ୱାମୀ ପାଇଲି? ଏପରି ନରରାକ୍ଷସକୁ ପୃଥିବୀ ସ୍ୱୀୟ ପତି ବୋଲି ସହିପାରନ୍ତି, ମାତ୍ର ମୁଁ ତାହା ପାରିବି ନାହିଁ । ଏହା କହୁ କହୁ ମହାଦେବୀଙ୍କ ଚକ୍ଷୁରୁ ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହେଲା । କାନ୍ଥରେ ଗୋଟାଏ କଟାର ଝୁଲୁଥିଲା । ତାହା ଆଣି ନିଷ୍ପେଷିତ କରି କହିଲେ, “ଦେବତାମାନେ କଳିଯୁଗରେ ସ୍ୱୟଂ କାର୍ଯ୍ୟ କରନ୍ତି ନାହିଁ । ନିଜ ଇଚ୍ଛାକୁ ମନୁଷ୍ୟ ହାତରେ କାର୍ଯ୍ୟରେ ପରିଣତ କରନ୍ତି । ଆଜି ଏହି କଟାରଦ୍ୱାରା ଅବଳା ହସ୍ତରେ ପୃଥିବୀର ଭାର ଲାଘବ ହେବ । ଏହି କଟାର ଆଜି କୌଶଲ୍ୟାର ଦୁଃଖର ପ୍ରତିଶୋଧ ନେବ ଏବଂ ଏହି କଟାରରେ ଅନ୍ନପୂର୍ଣ୍ଣାର ସତୀତ୍ୱ ରକ୍ଷିତ ହେବ । ପାଷାଣ୍ଡମର୍ଦ୍ଦନ ଦେବ ସୁଦର୍ଶନ! ଏଥିରେ ତୁମ୍ଭେ ଆବିର୍ଭୂତ ହୁଅ ।” ରାଣୀ ଏହା କହିବା ମାତ୍ରେ ହଠାତ୍ ଦେଖିଲେ, ବଡ଼ଦେଉଳ ଆଡୁ ଆକାଶ ମାର୍ଗରେ ଆଗ୍ନେୟ ଚକ୍ର ଘୂର୍ଣ୍ଣାୟମାନ ହୋଇ ଧାଇଁ ଆସି କଟାରରେ ମିଶିଗଲା । ରାଣୀ ଏହାଦେଖି କଟାର ରଖିଦେଲେ ଏବଂ ଭୂମିଷ୍ଠ ହୋଇ ପ୍ରଣାମ କଲେ ।

                ପ୍ରଦୋଷରେ ଦାମାମା ଧ୍ୱନି ରାଜପ୍ରାସାଦକୁ ନାଦିତ କଲା । ପଥ ପରିଷ୍କୃତ ଏବଂ ନଗର ତୋରଣ ପତାକାରେ ଶୋଭିତ ହୋଇଗଲା । ଦେଉଳମାନଙ୍କରେ ସାନ୍ଧ୍ୟ ଦୀପାବଳୀର ବନ୍ଦୋବସ୍ତ ହେଲା । ଦୀପାବଳୀ ଆକାଶରେ ତାରାବ୍ରଜ ତୁଲ୍ୟ କିମ୍ବା ନୀଳ ଚିଲିକାରେ ମତ୍ସ୍ୟଜୀବିମାନଙ୍କ ମଶାଲ ପରି ଅଥବା ପର୍ବତର ଦାବାନଳ ସଦୃଶ ପରିଶୋଭିତ ହେଲା । କ୍ରମଶଃ ଦୂରରୁ ରାଜାଙ୍କ ବିଜୟବାଦ୍ୟ ଶୁଣାଗଲା ଏବଂ ନଗର ଲୋକ କୋଳାହଳରେ ପୂର୍ଣ୍ଣ ହେଲା । ପଥ, ଘାଟ ଅସଂଖ୍ୟ ଲୋକଦ୍ୱାରା ପରିପୂରିତ ହୋଇ ଯେପରି ନରମୁଣ୍ଡର ସାଗର ପରି ବୋଧହେଲା । ସୌଧସମୂହର ଛାତମାନ ଲୋକ ପରିପୂର୍ଣ୍ଣ ହେଲା । ବାତାୟନରେ ରମଣୀମାନଙ୍କର ନୀଳନେତ୍ର ନୀଳକୁମୁଦ ଫୁଟିଲା ପରି ଦିଶୁଥିଲା । କ୍ରମଶଃ ରାଜଦଳ ସହରରେ ପ୍ରବେଶ କଲେ ।

                ବୃଦ୍ଧ କଞ୍ଚୁକୀ ସହିତ ରାଣୀ ଓ ସିଂହାରୀ (ବେଶକାରୀ) ପ୍ରାସାଦର ଉଚ୍ଚ ବାତାୟନ ନିକଟରେ ଠିଆହେଲେ - ଦେଖିଲେ, ଯେତେଦୂର ଦୃଷ୍ଟି ଯାଏ, ସମସ୍ତ ବଡ଼ଦାଣ୍ଡ ବୀରମାନଙ୍କର ଉଜ୍ୱଳ ବର୍ମଝଟକ ଓ ଢାଲଦ୍ୱାରା ସୁବର୍ଣ୍ଣମୟ ହୋଇଛି । ସାଗର ସମୀପରେ ପତାକା ପଂକ୍ତିର ଚୀନାଂଶୁକ ଦୋହଲୁଛି । ଆଜି ଗଙ୍ଗେଶ୍ୱରଙ୍କର ମହିମା ଏବଂ ପ୍ରତାପର ପରାକାଷ୍ଠା - ସଂସାରରେ  ତାହାଙ୍କ ତୁଲ୍ୟ ଭାଗ୍ୟବାନ ଆଉ କିଏ ଅଛି?

                କଞ୍ଚୁକୀ ଦେଖି ବିଭିନ୍ନ ଦେଶାଗତ ରାଜାମାନଙ୍କୁ ଚିହ୍ନାଇ ଦେଲା, “ଏହି ଦେଖନ୍ତୁ ରାଣୀ, ଯେ ସର୍ବାଗ୍ରେ ସୁବର୍ଣ୍ଣ ଝାଲର ବିଶିଷ୍ଟ ଚିତ୍ରିତ ଶୁଣ୍ଢ ହସ୍ତୀରେ ସୁବର୍ଣ୍ଣ କଳସଯୁକ୍ତ ହାଓଦାରେ ଆସୁଛନ୍ତି, ସେ ବ୍ରାହ୍ଣଣ ବୌଦରାଜା । ମହାନଦୀ ତୀରରେ ବଂଶବନବ୍ରାହ ଦୁର୍ଗରେ ଏହାଙ୍କର ଅବସ୍ଥିତି ଉପଳବିଷମଦ୍ୱାରା ପ୍ରତିହତା ମହାନଦୀର ସ୍ୱଚ୍ଛ ଜଳରାଶିର ଝର୍ଝର ଶବ୍ଦରେ ଏହାଙ୍କ ନଗରୀ ସର୍ବଦା ମୁଖରା । ଦୁର୍ଗମ ଗିରି-ମହାରଣ୍ୟ-ବେଷ୍ଟିତ ହରିଦ୍ରା ହରିତ ଅଧିତ୍ୟକାବାସୀ ଏବଂ ପ୍ରସାଧନୀ-ଗର୍ଭିତ ଚଡ଼ାଧାରୀ କନ୍ଧ ସୈନ୍ୟଗଣ ଏହାଙ୍କ ଆଗେଆଗେ ବାଦ୍ୟତାଳରେ ଏକ ହସ୍ତରେ ଧନୁ ଏବଂ ଅପର ହସ୍ତରେ ଟାଙ୍ଗିଆ ଆସ୍ଫାଳନ କରି କରି ଆସୁଛନ୍ତି । ତତ୍ପରେ ଯେ ଆସୁଛନ୍ତି, ସେ ଅନୁଗୁଳ ରାଜା । ମହାନଦୀରରେ କନ୍ଦରାମଧ୍ୟବର୍ତ୍ତୀ ବନହସ୍ତି ସେବିତ ଗିରିଦୁର୍ଗରେ ଏହାଙ୍କର ବାସ । ଏହାଙ୍କର ଅଧିକାଂଶ ସୈନ୍ୟ ହିଁ ଅଶ୍ୱାରୋହୀ ଓ ପଦାତିକ । ଏହାଙ୍କ ରାଜ୍ୟ ଅଶ୍ୱନିମିତ୍ତ ପ୍ରସିଦ୍ଧ । ତତ୍ପରେ ଯେ ଆସୁଛନ୍ତି, ସେ ତାଳଚେରାଧିପତି - ଚକ୍ରବାକିନୀ ବ୍ରାହ୍ମୀ ଏହାଙ୍କ କାନନବେଷ୍ଟିତ ରାଜଧାନୀର ପାଦଧୌତ କରୁଅଛି । ଏହାଙ୍କର ପତାକାରେ ପିଙ୍ଗଳବର୍ଣ୍ଣା ଉଜ୍ୱଳଜ୍ୱାଳାମୟୀ ହିଙ୍ଗୁଳା ଅଙ୍କିତ । ଏହାଙ୍କର ଶ୍ମଶ୍ରୁଳ ପଦାତିକଗଣ ବଲ୍ଲମଧାରୀ । ତତ୍ପରେ ଯେ ଆସୁଛନ୍ତି ସେ ତୁଙ୍ଗତମ ମାଲ୍ୟଗିରିର ଅଧୀଶ୍ୱର - ଏହାଙ୍କ ସୈନ୍ୟମାନେ ଖରଶାଣ ପରଶୁଧାରୀ । ଆମ୍ଭେମାନେ ଯେତେବେଳେ ଏହାଙ୍କ ଦୁର୍ଗ ଅଧିକାରକୁ ଗଲୁଁ ସେ ସସୈନ୍ୟରେ ମେଘାବୃତ ମାଲ୍ୟଗିରିରେ ଆଶ୍ରୟ ନେଇଥିଲେ । ଏହି ଦେଖନ୍ତୁ ଦେବୀ, ବାଣପୁରର ରାଜା ଆସୁଛନ୍ତି - ଏହାଙ୍କ ସୈନ୍ୟମାନେ ଚିତ୍ରାଙ୍ଗ ଓ ଏରାପକ୍ଷୀର ପକ୍ଷଚୂଡ଼ାଧାରୀ । ମତ୍ସ୍ୟମୟୀ ଚିଲିକାର ଏ ଅଧୀଶ୍ୱର ଏବଂ ଏହାଙ୍କର ଅୟୁତ ତରଣୀ ନୀଳ ଚିଲିକାର ତରଙ୍ଗ ସର୍ବଦା କାଟୁଅଛି । ଏ କେତେବେଳେ ଗିରିଦୁର୍ଗରେ, କେତେବେଳେ ଅବା ଚିଲିକାବେଷ୍ଟିତ ଜଳଦୁର୍ଗରେ ବାସକରନ୍ତି । ଏହି ଦେଖନ୍ତୁ, ଶାର୍ଦ୍ଦୁଳଚର୍ମାବୃତ ପଦାତି ବେଷ୍ଟିତ ବାଙ୍କିରାଜା - ଏହାଙ୍କ ପଦାତିକମାନଙ୍କର ବର୍ଚ୍ଛା ହିଁ ପ୍ରଧାନ ଆୟୁଧ । ମହାନଦୀ ତୀରବର୍ତ୍ତୀ ଏହି ବଡ଼ମ୍ବାର ରାଜା ଆସୁଛନ୍ତି - ମହାନଦୀ ନାବିକଗଣଙ୍କ ଅର୍ଚ୍ଚିତା ବୃହଦମ୍ବିକା ଭଟ୍ଟାରିକାଙ୍କ ପଦସିନ୍ଦୂରରେ ଏହାଙ୍କ ହସ୍ତିର ମୁଣ୍ଡ ଆରକ୍ତବର୍ଣ୍ଣ । ଏହି ଦର୍ପଣୀରାଜା, ମହାବିନାୟକ ଶୈଳ ଏହାଙ୍କ ଅଳଙ୍କାର ସ୍ୱରୂପ । ଏହି ଦେଖନ୍ତୁ, ଧାମରାଦେବୀ-ଅଧ୍ୟାସିତ କନିକା ଏବଂ ବରାହପାଳିତ ଆଳିର ରାଜା ଆସୁଛନ୍ତି - ଏମାନେ ଅନୁପ (ଜଳବହୁଳ) ଦେଶବାସୀ ବ୍ୟାଘ୍ର ଭଲ୍ଲୁକ-ବିଶିଷ୍ଟ ତାଳୀବନ ସଙ୍କୁଳ ନକ୍ରଚକ୍ର-ଭୀଷଣ ଜଳଦୁର୍ଗରେ ଏମାନେ  ଅବସ୍ଥାନ କରନ୍ତି । ଏମାନଙ୍କ ପୋତମାଳ ବରୁଣଙ୍କର ଜଳରାଜ୍ୟକୁ ସମୟ ସମୟରେ କ୍ଷୁବ୍ଧ କରେ । ବିଦେଶାଗତ ବଣିକମାନେ ଦୂରସ୍ଥିତ ଦ୍ୱୀପରୁ ସମୁଦ୍ରପଥରେ ଆସି ଏମାନଙ୍କୁ ମୁକ୍ତା, କଉଡ଼ି ଓ ଚନ୍ଦନକାଷ୍ଠ ପ୍ରଭୃତି ଉପହାର ଦିଅନ୍ତି । ଦେଖନ୍ତୁ, ଜନ୍ମେଜୟଦେବଙ୍କ ବଂଶଧର ସଞ୍ଜୟରାଜ ଆସୁଛନ୍ତି । ଚୌଦ୍ୱାର ଗଡ଼ ଏହାଙ୍କ ବାସସ୍ଥାନ - ସେହି ଚୌଦ୍ୱାର ଗଡ଼ର ଆଦର୍ଶରେ ଏକାମ୍ର ଗଡ଼ ରଚିତ ହୋଇଥିଲା । ଚୌଦ୍ୱାର ଗଡ଼ର ନିସର୍ଗ (ପ୍ରକୃତି) ପରିଖା ରୂପେ ବିରୂପା ପ୍ରବାହିତ ହେଉଅଛି । ଦେଖନ୍ତୁ, ଯାଜପୁର ରାଜା ଆସୁଛନ୍ତି - ଏ କେଶରୀ ବଂଶର ବଂଶଧର । କେଶରୀବଂଶର ରାଜଧାନୀ ପ୍ରଥମେ ଯାଜପୁରରେ ଥିଲା । ପରେ ଏକାମ୍ର ଏବଂ କଟକରେ ହେଲା । ସେହି ସମୟରୁ ସେହି ବଂଶର ଅନ୍ୟତର ଶାଖା ଯାଜପୁରରେ ପ୍ରତିଷ୍ଠିତ ହେଲା । ବିରଜାଦେବୀ ଏହି ବଂଶର ଅଧିଦେବୀ । ଗୋନାସାନିଃସୃତ ବୈତରଣୀ ଏହି ରାଜଧାନୀର ପାଦଧୌତ କରୁଅଛି। ଏହି ଦେଖନ୍ତୁ, ଘୁମୁସର ରାଜା, ଏହାଙ୍କ ରାଜ୍ୟର କନ୍ଧଯୋଦ୍ଧାମାନେ ଦୁର୍ଦ୍ଧର୍ଷ । ଋଷିକୂଲ୍ୟା ଏହାଙ୍କ ରାଜ୍ୟଧୌତ କରୁଅଛି ।” କଞ୍ଚୁକୀ ଏହିପରି ସମସ୍ତ ରାଜାଙ୍କୁ ଦେଖାଇ ଦେଉଥିଲା । କ୍ରମେ କ୍ରମେ ରାଜବାହିନୀ ଅଗ୍ରସର ହେବାକୁ ଲାଗିଲେ । ସୈନ୍ୟମାନଙ୍କ ହୁଙ୍କାର, ଫେନମୁଖ ଉଦଗ୍ରୀବ ଅଶ୍ୱମାନଙ୍କ ହ୍ରେଷା, ହସ୍ତୀର ବୃଂହିତ, ବାଦ୍ୟରବ, ଭାଟମାନଙ୍କର ସ୍ତବ ଏବଂ ବାତାୟନ ନିକଟରେ ଦଣ୍ଡାୟମାନ ପୁରକାମିନୀମାନଙ୍କର ଶଙ୍ଖଧ୍ୱନି ଓ ହୁଳହୁଳି ଦ୍ୱାରା ବଡ଼ଦାଣ୍ଡ କମ୍ପିତ ହେବାକୁ ଲାଗିଲା - ଯେପରି ଦ୍ୱିତୀୟ ସମୁଦ୍ର ଉଛୁଳି ପଡୁଅଛି । କ୍ରମଶଃ ଗଙ୍ଗେଶ୍ୱରଙ୍କର ହସ୍ତୀ ଯେତେବେଳେ ନଗରରେ ପ୍ରବେଶକଲା, ପୌରକାମିନୀମାନଙ୍କର ଲାଜାଞ୍ଜଳି (ଖଇ, ଲିଆ) ପୁଷ୍ପବୃଷ୍ଟି ପରି ବୋଧହେଲା । ଶଙ୍ଖଧ୍ୱନି ଓ ହୁଳହୁଳିରେ ଚତୁର୍ଦ୍ଦିଗ କମ୍ପିତ ହେଲା ।

                ଏଆଡ଼େ ପୂର୍ଣ୍ଣଚନ୍ଦ୍ରର ଆରକ୍ତମୂର୍ତ୍ତି ପୂର୍ବ ଦିଗବଳୟ ମୂଳରେ ସାଗରର ନୀଳ ଲହରୀରେ ଭାସିବାକୁ ଲାଗିଲା । ଚନ୍ଦ୍ର ଉଠି ପ୍ରଥମେ ସମୁଦ୍ରରେ ପଦ୍ମରାଗ-ଲହରୀ ବୁଣିଦେଲେ । କ୍ରମଶଃ ଚନ୍ଦ୍ର ଉଠି ରଜତଜ୍ୟୋତ୍ସ୍ନା ଦ୍ୱାରା ଦିଗବିଦିଗ ଉଦ୍ଭାସିତ କଲେ । ସୈନ୍ୟମାନଙ୍କ ଅସ୍ତ୍ର ଓ ବର୍ମରେ, ବିମାନର ହେମ କଳସରେ, ପତାକାର ଚନ୍ଦ୍ରିକାରେ, ଦେବମନ୍ଦିରର ଚକ୍ରରେ, ସୌଧର ପ୍ରାଚୀରରେ ଏବଂ ଧବଳ ବାଲିସ୍ତୂପରେ ଚନ୍ଦ୍ରିକା ଝଟକି ଉଠିଲା । ରାଣୀ ସ୍ୱାମୀଙ୍କର ବିଭବ ଦେଖିଲେ, କିନ୍ତୁ ସେଥି ସଙ୍ଗେ ସଙ୍ଗେ ସାମାନ୍ୟ କୃଷକ-ପତ୍ନୀମାନଙ୍କୁ ମଧ୍ୟ ଆପଣା ଅପେକ୍ଷା ଭାଗ୍ୟବତୀ ମଣିଲେ । କ୍ରମେ ରାଜା ନବରମୁଖ ହେବାର ଦେଖି ରାଣୀ ଅବତୀର୍ଣ୍ଣ ହେଲେ । ଅନ୍ୟାନ୍ୟ ପୁରକାମିନୀଙ୍କ ସହିତ ଅର୍ଘ୍ୟ ସଜାଇ ପ୍ରସ୍ତୁତ ହେଲେ ଏବଂ ତୋରଣ ଅଭିମୁଖରେ ଅର୍ଘ୍ୟସ୍ଥାଳୀ ହସ୍ତରେ ବନ୍ଦାପନା ଲାଗି ବାହାରିଲେ । ରାଜା ହସ୍ତୀପୃଷ୍ଠରୁ ଅବତୀର୍ଣ୍ଣ ହେବା ମାତ୍ରେ ବନ୍ଦାପନା କାର୍ଯ୍ୟ ସମାପ୍ତ ହେଲା ।

                ରାଜା ପ୍ରଫୁଲ୍ଲମୁଖରେ ରାଣୀଙ୍କୁ କହିଲେ, “ସୁନ୍ଦରୀ, ବହୁଦିନ ପରେ ତୁମ୍ଭର ଚନ୍ଦ୍ରାନନ ଦେଖି ପ୍ରାଣ ଶୀତଳ ହେଲା । ଜଗନ୍ନାଥଦେବଙ୍କ ପ୍ରସାଦରୁ ଦିଗବିଜୟ ନିର୍ବିଘ୍ନରେ ଶେଷ ହେଲା । ସମସ୍ତ ଓଡ଼ିଶା ବର୍ତ୍ତମାନ ଗଙ୍ଗେଶ୍ୱରର ପଦାନତ ଏବଂ ଗଙ୍ଗେଶ୍ୱର ତୁମ୍ଭ ପଦାନତ । ହେମପୁରପତି ନିଜ ଦୁଃସାହସର ଉଚିତ ପୁରସ୍କାର ପାଇଅଛି । ଜଗନ୍ନାଥ ଦେବଙ୍କ ଭକ୍ତର ଗତିରୋଧ କରିବା କାହାର ସାଧ୍ୟ? ହେମପୁର ରାଜକନ୍ୟା ବର୍ତ୍ତମାନ ତୁମ୍ଭର ଦାସୀହୋଇ ତୁମ୍ଭର ଚରଣସେବା କରିବ । ଆଜି ଦୋଳଉତ୍ସବ, ଏହି ଉତ୍ସବରେ ତୁମ୍ଭ ସହିତ ଯୋଗ ଦେବାଲାଗି ଆମ୍ଭେ ଏତେ ଶୀଘ୍ର ପୁରୀକୁ ଚାଲିଆସିଲୁ । ମକରୋଦ୍ୟାନରେ ଆଜି ତୁମ୍ଭେ ସହଚରୀ ସହିତ ଉପସ୍ଥିତ ଥିବ । ବହୁକାଳ ଯୁଦ୍ଧକ୍ଷେତ୍ରରେ ତରବାରୀ ଧାରଣ କରି କରି ଶୋଣିତପାତରେ ଅଭ୍ୟସ୍ତ ହୋଇ ଅବସନ୍ନ ହୋଇଅଛି । ଆଜି ନୂତନ ଯୁଦ୍ଧକ୍ଷେତ୍ରରେ ତରବାରୀର ସ୍ଥାନ ପିଚକାରୀରେ; ରକ୍ତର ସ୍ଥାନ ବର୍ଣ୍ଣୋଦକ ନେବ, ଦିଗବିଜୟୀ ଗଙ୍ଗେଶ୍ୱରର ଆଜି ତୁମ୍ଭେମାନେ ପ୍ରତିପକ୍ଷ ହେବ ।” ରାଣୀ କହିଲେ, “ମହାରାଜ, ବହୁକାଳ ପରେ ଆପଣଙ୍କୁ ଦେଖି ମନ କ’ଣ  ହେଉଅଛି, ତାହା ଜଗନ୍ନାଥ ହିଁ ଜାଣନ୍ତି । ମରୁଭୂମିରେ ଘୁମନ୍ତ ପଥିକର ନିର୍ଝର ଦର୍ଶନରେ ସୁଦ୍ଧା ମନ ଏଡ଼େ ପ୍ରସନ୍ନ ହୁଏନାହିଁ । ମକରୋଦ୍ୟାନରେ ଉତ୍ସବର ଆୟୋଜନ ପୂର୍ବରୁ ହୋଇଅଛି । ବହୁକାଳ ବିଦେଶରେ ଭ୍ରମଣ କଲେ, ଆଉ ଆପଣଙ୍କୁ ଗୃହରୁ ବହିର୍ଗତ ହେବାକୁ ହେବନାହିଁ । ଆଜିଠାରୁ ଆପଣ ଚିରକାଳ ବିଶ୍ରାମ ଭୋଗ କରିବେ । ଜଗନ୍ନାଥ ଆପଣଙ୍କ ତପସ୍ୟାର ଫଳ ଆପଣଙ୍କୁ ଅବଶ୍ୟ ଦେବେ । ସେ କର୍ମଫଳିଦ, ଏହାର ଅନ୍ୟଥା କଦାପି କରିବେ ନାହିଁ । ଆମ୍ଭେ ମକରୋଦ୍ୟାନରେ ତୃଷିତପ୍ରାଣରେ ଆପଣଙ୍କୁ ଅପେକ୍ଷା କରିଥିବୁଁ ।” ଗଙ୍ଗେଶ୍ୱର ରାଣୀଙ୍କ ବାକ୍ୟରେ ଅତ୍ୟନ୍ତ ଆହ୍ଲାଦିତ ହେଲେ । ଅପର ପ୍ରକୋଷ୍ଠକୁ ଯାଇ ସିଂହାରୀମାନଙ୍କୁ ଡାକି ହେମପୁର ରାଜକନ୍ୟାଙ୍କୁ ବେଶଭୂଷାରେ ମଣ୍ଡିତ କରିବାକୁ ଏବଂ ଉତ୍ସବ ପୂର୍ବରୁ ମକରୋଦ୍ୟାନର ନିକଟବର୍ତ୍ତୀ ପ୍ରମୋଦଭବନକୁ ନେବାକୁ ଆଦେଶ ଦେଇ ବହିର୍ଗତ ହେଲେ।

                ବଡ଼ଦାଣ୍ଡରେ ରାଜନ୍ୟବର୍ଗ ଗଙ୍ଗେଶ୍ୱରଙ୍କ ପ୍ରତୀକ୍ଷାରେ ଥିଲେ । ଗଙ୍ଗେଶ୍ୱର ଆସିବା ମାତ୍ରକେ ତାହାଙ୍କ ସହିତ ରାଜନ୍ୟମଣ୍ଡଳୀ ଦେବଦର୍ଶନ ବିଧି ଅନୁସାରେ ଅରୁଣସ୍ତମ୍ଭ ନିକଟରେ ପଦ ଧୌତକରି ବିଶ୍ୱେଶ୍ୱର, ଅକ୍ଷୟବଟ, ବଟକୃଷ୍ଣ, ବଟମଙ୍ଗଳା, ବଟଗଣେଶ, ବଟମାର୍କଣ୍ଡେୟ, କ୍ଷେତ୍ରପାଳ, ନୃସିଂହ, ରୋହିଣୀକୁଣ୍ଡ, ବିମଳା, ମହାବୀର, ସରସ୍ୱତୀ, କାଳୀ, ଲକ୍ଷ୍ମୀ, ସୂର୍ଯ୍ୟ, ଈଶାନେଶ୍ୱର, ଶୀତଳାଦର୍ଶନ କ୍ରମଶଃ ଶେଷକରି ଗରୁଡ଼ସ୍ତମ୍ଭ ସ୍ପର୍ଶ ପୂର୍ବକ ବଡ଼ଦେଉଳରେ ପ୍ରବେଶ କଲେ । ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କଲେ । ରଜତକାନ୍ତି ରକ୍ତନେତ୍ର ବଳଦେବ, ହେମକାନ୍ତି ସୁଭଦ୍ରା ଏବଂ ଇନ୍ଦ୍ରନୀଳପ୍ରଭ ଜଗନ୍ନାଥଦେବ ସମ୍ମୁଖରେ ବିରାଜିତ । ଚୌରଗଙ୍ଗ ପ୍ରଦତ୍ତ ଦିବ୍ୟମଣି ଜଗନ୍ନାଥଙ୍କ ମସ୍ତକରେ ଧପ୍ ଧପ୍ ହୋଇ ଜଳୁଅଛି । ନାନା ପୁଷ୍ପହାରରେ ଦେବବିଗ୍ରହ ଅପୂର୍ବ ଶୋଭା ପାଉଅଛି । ତିନି ବିଗ୍ରହଙ୍କ ମସ୍ତକରେ ବିଶାଖା ନକ୍ଷତ୍ର ତୁଲ୍ୟ ତୋରଣାକାର ରତ୍ନମୁକୁଟ ଶୋଭା ପାଉଅଛି । ଜଗନ୍ନାଥଙ୍କ ଉପରେ  ଯେଉଁ ଚନ୍ଦ୍ରାତପ; ତହିଁରେ ଥିବା ସୁବର୍ଣ୍ଣ ଝାଲରେ ଅଶ୍ୱିନୀ ନକ୍ଷତ୍ର କେଶରରେ ରଚିତ ହେବାପରି ଝଟକୁଛି । ସର୍ବାପେକ୍ଷା ଆଜି ଜଗନ୍ନାଥଙ୍କ ହସ୍ତରେ ସୁଦର୍ଶନ ଉଜ୍ୱଳତମ ଧୂମକେତୁପ୍ରଭ ଏବଂ ଆରକ୍ତ ହୋଇଅଛି। ଦେଖିଲେ ଆଖି ଠିରିକି ପଡ଼େ ଏବଂ ମନରେ ଭୟ ସଞ୍ଚାର ହୁଏ । ରାଜାମାନେ ନାନାବିଧ ରତ୍ନ ଉପାୟନ ସମର୍ପଣ କରି  ସାଷ୍ଟାଙ୍ଗ ପ୍ରଣିପାତ କଲେ । ଗଙ୍ଗେଶ୍ୱର ଯେତେବେଳେ ପ୍ରଣାମ କଲେ ସମସ୍ତେ ଚକିତ ହୋଇ ଦେଖିଲେ ଯେ ସେତେବେଳେ ସୁଦର୍ଶନରୁ ବିଦ୍ୟୁତ ଆକାରରେ ରଶ୍ମିରେଖା ନିର୍ଗତ ହେଉଅଛି । ପଣ୍ଡା ସ୍ତୁତି କଲେ, “ପ୍ରଭୋ! ଗଙ୍ଗେଶ୍ୱରଙ୍କ ଶତ୍ରୁଗଣ ଆପଣଙ୍କ ସୁଦର୍ଶନରୂପ ମୂର୍ତ୍ତିମାନ କ୍ରୋଧବହ୍ନିର ଶଲଭ ହୁଅନ୍ତୁ ।”

                ଦେଉଳରୁ ବହିର୍ଗତ ହୋଇ ରାଜାମାନେ ବିଦାୟନେଇ ପୂର୍ବ ନିର୍ଦ୍ଦିଷ୍ଟ ବାସଭବନକୁ ଗମନ କଲେ । ଗଙ୍ଗେଶ୍ୱର ନଅରରେ ପ୍ରବେଶ କରି ବୀରବେଶ ପରିତ୍ୟାଗ ପୂର୍ବକ ଆହାରାଦି ସମାପନ କଲେ । ତତ୍ପରେ ସିଂହାରିଗଣ ତାହାଙ୍କର ବେଶବିନ୍ୟାସ କଲେ । କୁଙ୍କୁମବସ୍ତ୍ର ପରିହିତ, ଅଙ୍ଗରାଗ-ସୁରଭିତ ଏବଂ ପୁଷ୍ପମାଳା ସୁଶୋଭିତ ହୋଇ ପଦ୍ମବନରେ ସଞ୍ଚରଣଶୀଳା କରିଣୀମାନଙ୍କ ମଧ୍ୟରେ ମତ୍ତ ଦନ୍ତାବଳ ଯେପରି ଉଲ୍ଲାସରେ ପ୍ରବେଶ କରେ, ସେପରି ମକରୋଦ୍ୟାନରେ ପ୍ରବେଶ କଲେ । ମକରୋଦ୍ୟାନ ମନୋହର ସଜ୍ଜାରେ ସଜ୍ଜିତ । ଊର୍ଦ୍ଧରେ ରତ୍ନ ଚନ୍ଦ୍ରାତପ ବିଲମ୍ବିତ, ଚନ୍ଦ୍ରାତପରେ ସମସ୍ତ ରଙ୍ଗ ବିମ୍ବିତ ହୋଇଅଛି । ଧାଡ଼ି ଧାଡ଼ି ହୋଇ ସୁବର୍ଣ୍ଣ ଦୀପବୃକ୍ଷମାନ ଉଜ୍ୱଳ ଆଲୋକ ବିକିରଣ କରୁଅଛି । ନର୍ତ୍ତକୀମାନେ ବିବିଧ ବେଶଭୂଷାରେ ମଣ୍ଡିତ ହୋଇ ନୃତ୍ୟ ଗୀତ କରୁଅଛନ୍ତି । ବୀଣା, ମୁରଜ, ମନ୍ଦିରା ଧ୍ୱନିରେ ରଙ୍ଗସ୍ଥଳ ପରିପୂର୍ଣ୍ଣ । ସୁବର୍ଣ୍ଣ ଥାଳୀରେ ରାଶି କୁଙ୍କୁମ ଓ ଅବିର ରହିଅଛି । ସପଲ୍ଲବ ପୁଷ୍ପମାଳା ସ୍ତମ୍ଭମାନଙ୍କରେ ସଂଲଗ୍ନ ହୋଇଅଛି । ବର୍ଣ୍ଣୋଦକପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଏବଂ ଶୃଙ୍ଗକୋଷ ସ୍ଥାନେ ସ୍ଥାନେ ସଜ୍ଜିତ । ଚନ୍ଦ୍ରାତପ ବାହାରେ ଚାରିଆଡ଼େ ଶୁଭ ସୈକତସ୍ତୂପରେ ଏବଂ ତରୁପତ୍ରରେ ପୂର୍ଣ୍ଣଚନ୍ଦ୍ରର ରଜତକିରଣ ଝଟକୁଅଛି । ରାଜକାମିନୀଗଣ ଉତ୍ସବତରଙ୍ଗରେ ଭାସମାନ ହେଅଛନ୍ତି । ଗଙ୍ଗେଶ୍ୱର ଦେବକାମିନୀମାନଙ୍କ ସହିତ ପିଚକାରୀ-କ୍ରୀଡ଼ାରେ ରତ ହେଲେ । ରଙ୍ଗସ୍ଥଳୀର ଅଦୂରରେ ମଣ୍ଡପ ନିକଟରେ ଗୋଟିଏ ସୁନ୍ଦର ଦୋଳା ନିର୍ମିତ ହୋଇଥିଲା । ରାଣୀ ତାହାଙ୍କୁ ସେହି ଦୋଳା ଆଡ଼କୁ ଏକାକୀ ନେଇଗଲେ । ରାଜାଙ୍କୁ ସେହି ଦୋଳାରେ ବସାଇ ରାଣୀ କେତେକ୍ଷଣ ସେହି ଦୋଳାକୁ ଚଳାଇଲେ । ଦୋଳାରେ ବସାଇ ରାଣୀ କୃତ୍ରିମ ସୁଆଗରେ ଗଙ୍ଗେଶ୍ୱରଙ୍କୁ କହିଲେ, “ଆପଣ ବହୁଦିନ ବିଦେଶରେ ରହିଲେ, ଏଥିପାଇଁ ପୁଷ୍ପମାଳାରେ ଆପଣଙ୍କ ହସ୍ତପଦାଦି ବନ୍ଧନ କରିବି ।” ଗଙ୍ଗେଶ୍ୱର ହସି ହସି ସମ୍ମତ ହେଉଅଛନ୍ତି, ରାଣୀ ହସି ହସି ତାହାଙ୍କୁ ବାନ୍ଧୁଅଛନ୍ତି ଏବଂ ଝୁଲାଉଅଛନ୍ତି । ହଠାତ୍ ରାଜା ‘ମଲି ମଲି’ ବୋଲି ଆର୍ତ୍ତନାଦ କରି ଉଠିଲେ । ରାଜାଙ୍କର ଆର୍ତ୍ତନାଦରେ ବ୍ୟସ୍ତ ହୋଇ ସମସ୍ତେ ସେହି ଆଡ଼କୁ ଦଉଡ଼ିଲେ । ତୁମୁଳ ଗଣ୍ଡଗୋଳ ଉପସ୍ଥିତ ହେଲା, ବାହାରୁ ରାଜାନୁଚରମାନେ ଭିତରକୁ ଦଉଡ଼ିଗଲେ । ଚାରିଆଡ଼େ ହାହାକାର ପଡ଼ିଲା । ରାଜାଙ୍କ ନିକଟକୁ ଆଲୋକ ନେଇ ସମସ୍ତେ ଦେଖିଲେ ବର୍ଣ୍ଣୋଦକ ସହିତ ଶୋଣିତର ପ୍ରବାହରେ ରାଜାଙ୍କ ଶରୀର ଭାସୁଅଛି, ପରମାସୁନ୍ଦରୀ ଆଲୁଳାୟିତ କୁନ୍ତଳା ପାର୍ବତୀ ଦେବୀ ଆରକ୍ତ ନୟନରେ ରକ୍ତସ୍ରାବୀ କଟାର ହସ୍ତରେ ଧାଣ କରି ଶବ ଆଡ଼କୁ ଅନାଇଅଛନ୍ତି । ସହଚରୀମାନେ କ’ଣ କଲେ,  ବୋଲି ଆର୍ତ୍ତନାଦ କରି ମୁଣ୍ଡକୋଡ଼ି ଧୂଳିରେ ଗଡ଼ିବାକୁ ଲାଗିଲେ । ବର୍ଣ୍ଣୋଦକ, ରାଜଶୋଣିତ ଓ ଅଶ୍ରୁ ପ୍ରବାହରେ ସ୍ଥଳୀ ଆର୍ଦ୍ର ହୋଇଗଲା । ବାହାରୁ ଲୋକମାନେ ଭିତରକୁ ଦଉଡ଼ିଗଲେ । ମନ୍ତ୍ରୀ, ରାଜଗୁରୁ ଓ ସ୍ୱୟଂ ଯୁବରାଜ ଉପସ୍ଥିତ ହେଲେ । ଦେଖି ସମସ୍ତେ ତଟସ୍ଥ ଓ ଅବାକ୍ । ରାଣୀ ସଂହାରରୂପିଣୀ ମହେଶ୍ୱରୀତୁଲ୍ୟ ଦଣ୍ଡାୟମାନା। ତାହାଙ୍କର ନୀଳନଳିନାଭ ନୟନ ରକ୍ତ କୋକନଦ ତୁଲ୍ୟ ହୋଇଅଛି । ହସ୍ତରେ ଶୋଣିତବାହୀ ମୁଷ୍ଟିବଦ୍ଧ କଟାର, ଭୟରେ କାହାର ବାକ୍ ସ୍ଫୁର୍ତ୍ତି ହେଲାନାହିଁ ।

                ରାଣୀ ଯୁବରାଜଙ୍କୁ ଲକ୍ଷ୍ୟକରି କହିଲେ, “ଦେଖ କୁମାର, ଏଡ଼େ ଦୂରନ୍ତ ପ୍ରତାପୀ ବର୍ତ୍ତମାନ ମାଂସପିଣ୍ଡ ମାତ୍ର । ଯେଉଁ ଅଗ୍ନି ସଂସାର ଜଳାଉଥିଲା, ଯାହାଙ୍କ ତୃଷ୍ଣାକୁ ଏହି ସଂସାର ଅଣ୍ଟୁ ନଥିଲା, ଯାହାଙ୍କ ଉତ୍ପୀଡ଼ନରେ ସଂସାର କାନ୍ଦୁଥିଲା, ସତୀର ସତୀତ୍ୱ ନିର୍ଦ୍ଦୋଷ  ବ୍ୟକ୍ତି ଜୀବନକୁ ଯେ ଅହଙ୍କାର ମଦରେ କ୍ରୀଡ଼ନକ ବୋଲି ଭାବୁଥିଲେ ବର୍ତ୍ତମାନ ସେ ମାଂସପିଣ୍ଡ । ମୁଁ ସ୍ୱାମୀହତ୍ୟା କଲି, ଏଥିପାଇଁ ଯେଉଁ ନରକକୁ ଯିବାକୁ ହେବ, ସେହି ନରକର କ୍ଳେଶ ମୁଁ ଆହ୍ଲାଦ ପୂର୍ବକ ନେବାକୁ ପ୍ରସ୍ତୁତ । ମୁଁ ଏଡ଼େ ସ୍ୱାର୍ଥପର ନୁହେଁ ଯେ ମୋହର ସ୍ୱାର୍ଥପ୍ରାପ୍ତି ନିମିତ୍ତ ଏଭଳି ନରରାକ୍ଷସକୁ ସ୍ୱାମୀଭକ୍ତି ଦେବି । ଏହି ପାଷାଣ୍ଡର ଯେବେ ଶତ ଜୀବନ ଥାନ୍ତା, ମୁଁ ଅବଳା ହୋଇ ମଧ୍ୟ ଗୋଟିଏ ବିଦ୍ୟୁତ ଯେପରି ପର୍ବତର ଶତଶୃଙ୍ଗ ଚୂର୍ଣ୍ଣକରେ, ସେହିପରି କରନ୍ତି । ଏ ରାକ୍ଷସ ନିଜର ରୋପିତ ବୃକ୍ଷଚ୍ଛେଦନ ପ୍ରତିଜ୍ଞା କରିଥିଲା । ଶୁଣି ବିସ୍ମିତ ହୁଅନାହିଁ, ଏହି ରାକ୍ଷସ କୌଶଲ୍ୟାକୁ ଭ୍ରଷ୍ଟା କରି ସେହି ଅନାଥା ବାଳିକାକୁ ସସନ୍ତାନ ନିହତ କରାଇଲା । କୁମାର, ତୁମ୍ଭର ସେହି ପ୍ରାଣର ଭଗିନୀ ଓ ମୋହର ସେହି ପ୍ରାଣର ଦୁହିତା କୌଶଲ୍ୟା ଆଉ ଜୀବନରେ ନାହିଁ । ଏ ପାମର ନିଜର ରୋପିତ ବୃକ୍ଷ ବୋଲି ମୋହ କନ୍ୟାର ସତୀତ୍ୱ ନଷ୍ଟ କଲା । ଜଗନ୍ନାଥ ସ୍ୱକର୍ମାର୍ଜିତ ଫଳ ଭୋଗାଇବା ପାଇଁ ଏବଂ ଭୂଭାର ହରଣ ନିମିତ୍ତ ତାହାର ମୃତ୍ୟୁରୂପିଣୀ କରି ଏହି ଅବଳାକୁ ପଠାଇଥିଲେ । ପାପିଷ୍ଠ ଏହି ମୁହୂର୍ତ୍ତରେ ଆଉ ଗୋଟିଏ ଦାରୁଣ ପାପର ସଂକଳ୍ପ କରୁଥିଲା । ହଂସପୁରକୁ ଯାଇ ଦେଖ, ହେମପୁର-ରାଜକନ୍ୟା ବର୍ତ୍ତମାନ କି ଅବସ୍ଥା ଭୋଗ କରୁଅଛନ୍ତି । ସେ ଦୁଃଖିନୀ ମୋର ବଧୂ, ସେ ତୁମ୍ଭଙ୍କୁ ଆତ୍ମସମର୍ପଣ କରିଥିଲେ । ଏ ମରିନଥିଲେ କୌଶଲ୍ୟାର ଯେଉଁ ଦଶା ହୋଇଥିଲା, ହେମପୁର ଜେମା ଅନ୍ନପୂର୍ଣ୍ଣାଙ୍କର ମଧ୍ୟ ସେହି ଦଶା ହୋଇଥାନ୍ତା । ମୁଁ ଏହାଙ୍କୁ ବଧକରି ନାହିଁ, ମୁଁ ଉପଲକ୍ଷ୍ୟ ମାତ୍ର, ସ୍ୱୟଂ ସୁଦର୍ଶନ ଏହା କରିଅଛନ୍ତି ।” ରାଣୀ ଏହା କହୁଁ କହୁଁ ସେହି କଟାରରୁ ବିଦ୍ୟୁତ ଆକାର ଧାରଣ କରି ଚକ୍ରାକାର ରଶ୍ମି ଊଦ୍ଧ୍ୱର୍କୁ ଉଠିଲା ଏବଂ ବିଦ୍ୟୁତ ବେଗରେ ବଡ଼ଦେଉଳଆଡ଼କୁ ଚାଲିଯାଇ ଅନ୍ତର୍ହିତ ହେଲା। ଏହା ଦେଖି ରାଣୀଙ୍କ ସହିତ ସମସ୍ତେ ଚମକି ପଡ଼ିଲେ । ଇତିମଧ୍ୟରେ ହଂସପୁରରୁ ଆର୍ତ୍ତନାଦ ଶୁଣାଗଲା । ସମସ୍ତେ ସେହି ଆଡ଼କୁ ଦଉଡ଼ିଲେ । ଯୁବରାଜ ପ୍ରଭୃତି ଅନ୍ତଃପୁରକୁ ଯାଇ ସେହି ଭୀଷଣ ଦୃଶ୍ୟ ଦେଖିଲେ । ହେମପୁର ରାଜକନ୍ୟା କଲବଲ ହେଉଛନ୍ତି । ଯୁବରାଜଙ୍କୁ ଦେଖିବା ମାତ୍ରେ ସେ କହିଲେ, “କୁମାର! ମୋ ଜୀବନର ସନ୍ଧ୍ୟାତାରା! ସନ୍ଧ୍ୟାତାରା ଦେଖୁ ଦେଖୁ ସନ୍ଧ୍ୟା ଯେପରି ପଶ୍ଚିମାର୍ଣ୍ଣବରେ ବୁଡ଼ିଯାଏ, ମୁଁ ତୁମ୍ଭଙ୍କୁ ସେହିପରି ଦେଖୁଦେଖୁ ଅନନ୍ତ ଜୀବନ-ସମୁଦ୍ରରେ ବୁଡ଼ିଯାଉଅଛି । ସଙ୍ଗତରେ ଅବଳାର ଏକମାତ୍ର ସମ୍ବଳ ବିଷ ଆଣିଥିଲି - ସେହି ବିଷ ଖାଇଅଛି - ପ୍ରାଣ ଯିବାପରି - ଅନ୍ତିମ କାଳରେ ମୋ ମସ୍ତକରେ ତୁମ୍ଭର ପଦ ଦିଅ - ଆଉ କ’ଣ  । ଚାଲିଲି, ମନେ ରଖିଥିବ ।” ଏହା କହୁଁ କହୁଁ ଦୁଃଖିନୀର ପ୍ରାଣବାୟୁ ବହିର୍ଗତ ହେଲା । ରାଜକୁମାର ମୂର୍ଚ୍ଛିତ ହେଲେ । ଅନେକ ଉପାୟରେ ସଂଜ୍ଞା ଲାଭକରି ଉଭୟ ଶବର ଉଚିତ ସତ୍କାର  କରାଇଲେ ।

                ପାର୍ବତୀଙ୍କୁ ଆଉ କେହି ଦେଖିଲା ନାହିଁ । ସେ କେଉଁଆଡ଼େ ଗଲେ, କେହି ଜାଣିଲେ ନାହିଁ ଏବଂ ଅନେକ ଅନୁସନ୍ଧାନରେ ସୁଦ୍ଧା କିଛି ତଥ୍ୟ ମିଳିଲାନାହିଁ । ପୁଣ୍ୟଶ୍ଳୋକ ଅନଙ୍ଗଭୀମଦେବଙ୍କ ସମୟରେ ରାଜନବର ଯେତେବେଳେ ପୁର୍ନଗଠିତ ହେଲା, ସେତେବେଳେ ରାଜୋଦ୍ୟାନସ୍ଥ ଗୋଟିଏ ଜୀର୍ଣ୍ଣକୂପରୁ ରତ୍ନାଭରଣ ବିଶିଷ୍ଟ ଗୋଟିଏ କଙ୍କାଳ ମିଳିଥିଲା । ତାହା ରାଣୀଙ୍କ କଙ୍କାଳ ବୋଲି ଅନେକ ଅନୁମାନ କରିଥିଲେ ।