'ତୃତୀୟ ଅଧ୍ୟାୟ
ପ୍ରାଣ'
କେହି କେହି ମନେ କରନ୍ତି, ପ୍ରାଣାୟାମ ହେଉଛି ଶ୍ଵାସ-ପ୍ରଶ୍ଵାସର କୌଣସି ଏକ କ୍ରିୟା,
କିନ୍ତୁ ବାସ୍ତବିକ ତାହା ନୁହେଁ । ପ୍ରକୃତ ପକ୍ଷେ ଶ୍ବାସ-ପ୍ରଶ୍ୱାସ ସହିତ ଏହାର ସମ୍ବନ୍ଧ ଅତି ସାମାନ୍ୟ ।
ପ୍ରକୃତରେ ପ୍ରାଣାୟାମ ସାଧନ କରିବାକୁ ହେଲେ ଅନେକଗୁଡ଼ିଏ କ୍ରିୟା କରିବାକୁ ହୁଏ । ଶ୍ୱାସ-
ପ୍ରଶ୍ଵାସର କ୍ରିୟା ସେଗୁଡ଼ିକ ମଧ୍ୟରୁ ଗୋଟିଏ । ପ୍ରାଣାୟାମର ଅର୍ଥ ପ୍ରାଣର ସଂଯମ । ଭାରତୀୟ
ଦାର୍ଶନିକଗଣଙ୍କ ମତରେ ସମଗ୍ର ଜଗତ ଦୁଇଟି ଉପାଦାନରେ ନିର୍ମିତ । ତା’ ମଧ୍ୟରୁ ଗୋଟିକର
ନାମ ‘ଆକାଶ’ । ଏହି ଆକାଶ ଗୋଟିଏ ସର୍ବବ୍ୟାପୀ ସତ୍ତା । ଯାହାର ଆକାର ଅଛି, ଯାହା
ଅନ୍ୟାନ୍ୟ ବସ୍ତୁର ମିଶ୍ରଣରେ ଉତ୍ପନ୍ନ, ତାହା ହିଁ ଏହି ଆକାଶରୁ ଉତ୍ପନ୍ନ ହୋଇଅଛି । ଏହି ଆକାଶ
ହିଁ ବାୟୁରେ ପରିଣତ ହୁଏ । ଆକାଶ ହିଁ ତରଳ ପଦାର୍ଥର ରୂପ ଧାରଣ କରେ, ଏହା ହିଁ ପୁଣି
କଠିନାକାର ପ୍ରାପ୍ତ ହୁଏ; ଏହି ଆକାଶ ସୂର୍ଯ୍ୟ, ପୃଥ୍ବୀ, ନକ୍ଷତ୍ର, ଧୂମକେତୁ ପ୍ରଭୃତି ରୂପେ
ପରିଣତ ହୁଏ । ପ୍ରତ୍ୟେକ ଶରୀର—ପଶୁ ଶରୀର, ଉଭିଦ, ପ୍ରଭୃତି ଯେଉଁ ସକଳ ରୂପ ଆମେ
ଦେଖିବାକୁ ପାଉ, ଯେଉଁ ସବୁ ବସ୍ତୁ ଆମେ ଇନ୍ଦ୍ରିୟଦ୍ଵାରା ଅନୁଭବ କରୁ, ତାହା ପ୍ରତ୍ୟେକଟି
ଆକାଶରୁ ଉତ୍ପନ୍ନ । ଏହି ଆକାଶକୁ ଇନ୍ଦ୍ରିୟମାନଙ୍କଦ୍ୱାରା ଉପଲବ୍ଧ କରିହେବ ନାହିଁ; ଏହା
ଏତେ ସୂକ୍ଷ୍ମ ଯେ, ସାଧାରଣ ଅନୁଭୂତିର ଅତୀତ । ଯେତେବେଳେ ଏହା ସ୍ଥୂଳ ହୋଇ କୌଣସି
ଆକାର ଧାରଣ କରେ, ଆମେ ସେତେବେଳେ ତାହା ଅନୁଭବ କରିଥାଉ । ସୃଷ୍ଟିର ଆରମ୍ଭରେ
କେବଳ ଏହି ଆକାଶ ଥାଏ । ପୁନଶ୍ଚ କଳ୍ପାନ୍ତେ ସମୁଦାୟ କଠିନ, ତରଳ ଓ ବାୟବୀୟ
ପଦାର୍ଥ—ସବୁ କିଛି ଆକାଶରେ ଲୟ ହୁଏ । ପରବର୍ତ୍ତୀ ସୃଷ୍ଟି ଏହି ରୂପେ ଆକାଶରୁ ହିଁ ଉତ୍ପନ୍ନ
ହୋଇଥାଏ ।
କେଉଁ ଶକ୍ତିର ପ୍ରଭାବରେ ଆକାଶ ଜଗତରୂପେ ପରିଣତ ହୁଏ ? – ପ୍ରାଣର ଶକ୍ତିରେ ।
ଯେପରି ଆକାଶ ଏହି ଜଗତର ସର୍ବବ୍ୟାପୀ ଉପାଦାନ, ପ୍ରାଣ ମଧ୍ୟ ସେହିପରି ଏହି ଜଗତର
ଅନନ୍ତ ସର୍ବବ୍ୟାପୀ ପ୍ରକାଶିକା ଶକ୍ତି । କଳ୍ପର ଆଦିରେ ଓ ଅନ୍ତରେ ସବୁକିଛି ଆକାଶରେ ପରିଣତ
ହୁଏ, ଜଗତରେ ସକଳ ଶକ୍ତି ପୁଣି ପ୍ରାଣରେ ଲୟ ହୁଏ; ପର କଳ୍ପରେ ପୁନଶ୍ଚ ଏହି ପ୍ରାଣରୁ
ବିଭିନ୍ନ ଶକ୍ତିର ବିକାଶ ହୁଏ । ଏହି ପ୍ରାଣ ହିଁ ଗତିରୂପେ ପ୍ରକାଶ ପାଉଅଛି, ଏହି ପ୍ରାଣ ହିଁ
ମାଧ୍ୟାକର୍ଷଣ ଅଥବା ଚୁମ୍ବକ ଶକ୍ତିରୂପେ ପ୍ରକାଶ ପାଉଅଛି । ଏହି ପ୍ରାଣ ହିଁ ସ୍ନାୟୁ-ଶକ୍ତି-ପ୍ରବାହ
ରୂପେ ( nerve current), ଚିନ୍ତାଶକ୍ତି ରୂପେ ଓ ଦୈହିକ ସମୁଦାୟ କ୍ରିୟାରୂପେ ପ୍ରକାଶିତ
ହୋଇଅଛି । ଚିନ୍ତାଶକ୍ତିରୁ ଆରମ୍ଭ କରି ସ୍ଥୂଳତମ ଶକ୍ତି ପର୍ଯ୍ୟନ୍ତ ସବୁ କିଛି ପ୍ରାଣର ବିକାଶ ।
ବାହ୍ୟ ଓ ଅନ୍ତର୍ଜଗତର ସକଳ ଶକ୍ତି ଯେତେବେଳେ ସେମାନଙ୍କର ମୂଳାବସ୍ଥାକୁ ଗମନ କରନ୍ତି,
ସେତେବେଳେ ସେହି ସମଷ୍ଟିକୁ ହିଁ ପ୍ରାଣ କୁହାଯାଏ । ଯେତେବେଳେ ଅସ୍ତି ବା ନାସ୍ତି କିଛି