ଅସୁରମାନେ ଦେବତାମାନଙ୍କୁ ଥଟ୍ଟା ପରିହାସ କରୁଥିବା ଜାଣି ଶିବ ଚିନ୍ତିତ ହେଲେ । କାହିଁ କେଉଁ ହଜାରେ ବର୍ଷରେ ଥରେ ତିନିଟି ଯାକ ପୁର କ୍ଷଣକ ପାଇଁ ଏକା ଧାଡ଼ିରେ ରହିବେ ଏବଂ ସେତିକିବେଳେ ହିଁ ସେ ତିନି ପୁରକୁ ଗୋଟିଏ ତୀରରେ ସଂହାର କରିବାକୁ ପଡ଼ିବ । ସେଥିପାଇଁ ସେହିଭଳି ଶକ୍ତିଶାଳୀ ଧନୁ ଓ ତୀର ଆବଶ୍ୟକ ।
ବହୁ ଚିନ୍ତା କଲା ପରେ ଶିବ ଠିକ୍ କଲେ, ମନ୍ଦର ପର୍ବତକୁ ଧନୁ କରିବେ । ସେହି ଧନୁର ଗୁଣ ହେବା ପାଇଁ ସେହିପରି ଶକ୍ତ ଓ ଦୀର୍ଘ ଦଉଡି ଆବଶ୍ୟକ । ତେଣୁ ବାସୁକୀଙ୍କୁ ହିଁ ସେ ସେହି ଧନୁର ଗୁଣ ପାଇଁ ବାଛିଲେ । ବିଷ୍ଣୁ ହେଲେ ଧନୁର ତୀର । ଅଗ୍ନି ରହିଲେ ତୀରର ଅଗ୍ର ଭାଗରେ । ବାୟୁ ରହିଲେ ତୀରର ପଶ୍ଚାତ୍ ଭାଗରେ । ପୃଥିବୀ ହେଲା ତାଙ୍କର ରଥ, ରଥର ଅଖ ମଧ୍ୟ ବାସୁକୀ ହେଲେ । ଚାରିବେଦ ହେଲେ ରଥର ଚାରି ଅଶ୍ୱ । ଏ ସବୁକୁ ସଜ କରି ରଖି ଶିବ ତିନିଟିଯାକ ପୁର ଏକା ଧାଡ଼ିରେ ରହିବାର ସୁଯୋଗକୁ ଅପେକ୍ଷା କଲେ । ସହସ୍ର ବର୍ଷ ପରେ ଯେତେବେଳେ ତିନିଟିଯାକ ପୁର ଏକାଠି ହେଲେ, ସେତେବେଳେ ସେହି ତୀର ମାରି ସେ ଏକାବେଳକେ ତ୍ରିପୁରକୁ ଧ୍ୱଂସ କରିଦେଲେ । ସେହିଦିନୁ ତାଙ୍କର ଗୋଟିଏ ନାଆଁ ହେଲା ତ୍ରିପୁରାରି ।
ବାସୁକୀଙ୍କ ସମ୍ପର୍କରେ ପୁରାଣରେ ଆହୁରି ଅନେକ କାହାଣୀ ଲେଖା ଅଛି । ସେ ସବୁ ମଧ୍ୟରୁ ଗୋଟିଏ କାହାଣୀ ଖୁବ୍ ମଜାଦାର । ସେହି କାହାଣୀଟି ହେଉଛି- ଥରେ ବାସୁକୀ ଓ ବାୟୁଙ୍କ ମଧ୍ୟରେ ବିବାଦ ହେଲା । ବାସୁକୀ କହିଲେ ମୋର ବଳ ବେଶି ଓ ବାୟୁ କହିଲେ ମୋର ବଳ ବେଶି । କୌଣସି ସମାଧାନ ହୋଇ ନପାରି ଉଭୟଙ୍କ ମଧ୍ୟରେ ବଳ କଷାକଷି ହେବାକୁ ସ୍ଥିର ହେଲା । କଥା ହେଲା, ବାସୁକୀ ଯାଇ ମହାମେରୁ ପର୍ବତର ଚାରିପାଖରେ ଗୁଡେ଼ଇ ହୋଇଯିବେ । ବାୟୁ ତୀବ୍ର ବେଗରେ ବହି ତାଙ୍କୁ ଉଡ଼ାଇ ନେବାକୁ ଚେଷ୍ଟା କରିବେ । ତେଣୁ ବାସୁକୀ ଯାଇ ମହାମେରୁ ପର୍ବତ ଦେହରେ ଏପରି ଗୁଡେ଼ଇ ହୋଇଗଲେ, ଯେମିତିକି ବାୟୁ ସେଠାରେ ପଶି ପାରିବେ ନାହିଁ । ତାହା ଦେଖି ବାୟୁ ଉତ୍କ୍ଷିପ୍ତ ହୋଇ ପ୍ରଖର ବେଗରେ ବହିଲେ । ପ୍ରବଳ ଝଞ୍ଜାରେ ପୃଥିବୀ ଥରହର ହେଲା । ମନେହେଲା, ମହାମେରୁ ଭୁଶୁଡି ପଡ଼ିବ । ମହାମେରୁର ଚାରିପଟରେ ରହିଥାଏ କୋଡ଼ିଏଟି ପର୍ବତ । ବାସୁକୀ ସେଥିରେ ଏପରି ଗୁଡେଇ ହୋଇ ରହି ଥାଆନ୍ତି ଯେ ସବୁଗୁଡ଼ିକ ଏକାକାର ମନେ ହେଉଥାଏ । ପ୍ରଖର ଝଞ୍ଜା ସତ୍ତ୍ୱେ କେହି ଟିକିଏ ହେଲେ ଚଙ୍କୁ ନଥାନ୍ତି । ବେଳକୁ ବେଳ ପବନ ପ୍ରବଳ ହେଉଥାଏ । ଅବସ୍ଥା ଏପରି ହେଲା ଯେ ପୃଥିବୀ ଥରଥର ହୋଇ କମ୍ପିଲା । ଦେବତାମାନେ ଭୟ ପାଇଗଲେ । ସାଙ୍ଗରେ ବ୍ରହ୍ମା ଓ ଶିବଙ୍କୁ ଧରି ଯାଇ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ । ସବୁ ଶୁଣି ବିଷ୍ଣୁ ବୈକୁଣ୍ଠ ପୁରରୁ ଆସି ପହଞ୍ଚିଲେ ଏବଂ ସେହି ବଳ କଷାକଷି ବନ୍ଦ କରିବାକୁ କହିଲେ । ତାଙ୍କ କଥା ମାନି ବାସୁକୀ ନିଜକୁ କ୍ରମେ ହୁଗୁଳା ଖରି ଆସ୍ତେ ଆସ୍ତେ କୁଣ୍ଡଳୀ ଫିଟାଇଦେଲେ ।
ଆମ ଦେବଦେବୀ . ୧୦୯