ପୃଷ୍ଠା:Aama Gangadhara.pdf/୨୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ନବ୍ୟ ସଭ୍ୟଦଳ ହାସରେ କେବଳ
ଉଡ଼ାଇ ନ ଦିଅ କଥା ମାନ,
ତୁମ୍ଭ ପୂର୍ବ ବଂଶ ବୀରତ୍ୱର ଯଶ
ଗ୍ରୀକ୍‍ ବୀରେ କରିଅଛନ୍ତି ଗାନ ।

'ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ' ଭଳି 'ଭାରତଗୀତିକା'ର କବି ରାଧାନାଥ ରାୟ ଓଡ଼ିଶାରେ ଜାତୀୟତାବାଦ ଓ ଦେଶପ୍ରେମ ଉଦ୍‍ବୋଧନର ଆଦ୍ୟ କବି ରୂପେ ସମ୍ମାନିତ । ଗଙ୍ଗାଧର ମଧ୍ୟ 'ତାହାଙ୍କ ଭାରତୀ ବଳେ ହେବ ଖ୍ୟାତ ଭାରତେ ଉତ୍କଳମହୀ' ବୋଲି ବୁଝିଛନ୍ତି । କିନ୍ତୁ ଭାରତରେ ଉତ୍କଳ ଖ୍ୟାତ ହେବ କି ନ ହେବ ତାହା ଅପେକ୍ଷା ଗଙ୍ଗାଧର ଉତ୍କଳକୁ କିଭଳି ଖ୍ୟାତ କରିବାକୁ ହେବ ସେ ଘେନି କବିତା ଲେଖିଛନ୍ତି । ସମକାଳର ସମସ୍ୟାକୁ ସେ ଅଙ୍ଗେ ନିଭେଇଛନ୍ତି । ଓଡ଼ିଆ ଭାଷା ଭିତ୍ତିରେ ଓଡ଼ିଆମାନେ ନିଜସ୍ୱ ଭୂମିର ପରିଚୟ ଦେବେ- ଏହା ଗଙ୍ଗାଧରଙ୍କର ଦେଶପ୍ରେମ । ସେଥିପାଇଁ ଉତ୍କଳ ସମ୍ମିଳନୀ ଓ ତା'ର ନେତୃତ୍ୱବାଦୀଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ବିଶ୍ୱାସ । ତାଙ୍କ ଦୃଷ୍ଟିରେ "ଶ୍ରୀ ମଧୁସୂଦନ ସର୍ବଗୁଣ ଯୁତ/ଫିଟାଇବେ ପରା ସୌଭାଗ୍ୟର ପଥ ।" (ବେଦବ୍ୟାସ) ପୁଣି ବାରିଷ୍ଟର ମଧୁସୂଦନଙ୍କ 'ଉଠ ଉଠ ଜାଗ ଜାଗ'- ଆହ୍ୱାନରେ ଅଣ୍ଟାଭିଡ଼ି ବାହାରିବାକୁ ଲୋକେ ପ୍ରସ୍ତୁତ ହୁଅନ୍ତୁ ବୋଲି ଉଦ୍‍ବୋଧନ ଶୁଣାଇଛନ୍ତି ଗଙ୍ଗାଧର

ଯା'ଭାଷା ଦୁର୍ବଳା କାହିଁ ତାର ଜ୍ଞାନ ?
କାହିଁ ତାର ରାଜ ଦୁଆରେ ସମ୍ମାନ ?
ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା ।
ମାତୃଭାଷା ପୋଥି ଛୁଇଁବାକୁ କରେ
ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ ?
ଉଠ ଭାଇ ଉଠ ନବୀନ ଆଲୋକେ,
ଶୋଇଥିଲେ ଚାହିଁ ହସୁଥିବେ ଲୋକେ ।
ଶୁଭ କର୍ମ ପଥେ ହୁଅ ଅଗ୍ରସର,
ଚକ୍ଷୁ ମଳିବାକୁ ନାହିଁ ଅବସର ।
ମାତୃଭୂମି ମାତୃଭାଷାର ବଦନ
ଦୀପ୍ତ କର ଦେଇ ଧନ ଧ୍ୟାନ ମନ । (ଉଦ୍‍ବୋଧନ- ଅର୍ଘ୍ୟଥାଳୀ)

'ଉତ୍କଳଲକ୍ଷ୍ମୀ', 'ଉତ୍କଳ ଗୌରବ', 'ଉତ୍କଳଭାରତୀଙ୍କୁ ନିବେଦନ' ଆଦି ସୃଷ୍ଟିରୁ କବିଙ୍କ ଦେଶପ୍ରେମୀ ମନକୁ ଚିହ୍ନିହୁଏ । ଦେଶକୁ ଭଲ ପାଉଥିବା କବି ଗଙ୍ଗାଧର ଅନେକ ସମାନଧର୍ମାଙ୍କ ସହିତ ସମ୍ୱନ୍ଧ ସ୍ଥାପନ କରିଥିଲେ । ଭାଷା ଓ ସାହିତ୍ୟର ଉନ୍ନତି କରିବାରେ ଜଣ ଅପେକ୍ଷା ଗଣର