ପୃଷ୍ଠା:Aama Gangadhara.pdf/୨୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗଙ୍ଗାଧରଙ୍କ ଆଦ୍ୟ ସାହିତ୍ୟିକ ଜୀବନକୁ ଲୋକଲୋଚନକୁ ଅଣାଇବାରେ 'ସମ୍ୱଲପୁର ହିତୈଷିଣୀ' (୧୮୮୯) ଓ 'ଉତ୍କଳ ପ୍ରଭା' (୧୮୯୧) ପତ୍ରିକା ଦ୍ୱୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦୁଇଟିଯାକ ପତ୍ରିକା ଯଥାକ୍ରମେ ବାମଣ୍ଡା ରାଜ୍ୟର ରାଜଧାନୀ ଦେବଗଡ଼ ଏବଂ ମୟୂରଭଞ୍ଜ ରାଜ୍ୟର ରାଜଧାନୀ ବାରିପଦାରୁ ରାଜାମାନଙ୍କର ପୃଷ୍ଠପୋଷକତାରେ ପ୍ରକାଶ ପାଉଥିଲା । 'ସମ୍ୱଲପୁର ହିତୈଷିଣୀ'ର ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କ ସହିତ ଗଙ୍ଗାଧରଙ୍କ ସାରସ୍ୱତ ସଂପର୍କ ଘନିଷ୍ଠ ଥିଲା । ଦେବଗଡ଼ରୁ ଆସି 'ପ୍ରଜାବନ୍ଧୁ'ର ସମ୍ପାଦକ ହେବା ପରେ ସେ ଗଙ୍ଗାଧରଙ୍କ 'କୀଚକବଧ'ର ପ୍ରକାଶନ ପାଇଁ ପ୍ରଜାବନ୍ଧୁରେ ବିଜ୍ଞାପନ ପ୍ରକାଶ କରାଇଥିଲେ । 'ଉତ୍କଳ ମଧୁପ'ର ସମ୍ପାଦକ ହୋଇ ବଡ଼ଖେମଣ୍ଡିରେ ମଧ୍ୟ ନୀଳମଣି ଥିଲେ । କଟକରୁ ପ୍ରକାଶ ପାଉଥିବା 'ଉତ୍କଳ ଦୀପିକା'ରେ ୧୯୨୨ ବେଳକୁ ସେ ସମ୍ପାଦକ ଦାୟିତ୍ୱ ତୁଲାଇଲେ । ନୀଳମଣି ବିଦ୍ୟାରତ୍ନ ଗଙ୍ଗାଧରଙ୍କୁ ଭୁଲି ପାରି ନଥିଲେ । 'ବନ୍ଧୁ ସମୀପରେ ମନକଥା ଖୋଲି କହିବାକୁ ଲାଗେ ସୁଖ ।' ୨୧.୧୨.୧୯୨୨ ତାରିଖରେ ନୀଳମଣି ବିଦ୍ୟାରତ୍ନ କଟକରୁ ଗଙ୍ଗାଧରଙ୍କ ପାଖକୁ ଲେଖିଥିବା ଏକ ଚିଠିର ଭାଷାରୁ ଆତ୍ମୀୟତା ଓ ଖୋଲା ମନର ଭାଷା ଶୁଣିହୁଏ । ସେହି ଚିଠିରେ ସେ ଲେଖିଥିଲେ, "ମୋର ଜୀବନ ରାଜ ସାହାଯ୍ୟରେ ନିର୍ବାହିତ ହୋଇ ଆସୁଥିଲା । ଶେଷଭାଗରେ ବଡ଼ଖେମଣ୍ଡି ମୋର ସକଳ ଅଭାବ ପୂରଣ କରୁଥିଲେ । ସଞ୍ଚୟ ନଥିବା ହେତୁ ତାଙ୍କର ବିୟୋଗ ମୋତେ ବିଶେଷ ବାଧୁଅଛି । ଈଶ୍ୱରଙ୍କର ଯାହା ବିଚାର ଥିବ ହେବ । ଏଠାର ଆୟ ଏଠା ଖରଚକୁ ନିଅଣ୍ଟ ।"

ରାଧାନାଥ ରାୟ ଓ ନୀଳମଣି ବିଦ୍ୟାରତ୍ନଙ୍କ ସହିତ ଗଙ୍ଗାଧରଙ୍କର ସାରସ୍ୱତ ସଂପର୍କ ନିବିଡ଼ ଥିଲା । ଏପରିକି ଗଙ୍ଗାଧରଙ୍କ ପତ୍ନୀ ଶାନ୍ତାଙ୍କର ୧୪.୭.୧୮୯୭ରେ ପରଲୋକ ହେବା ପରେ ଉଭୟେ ଗଙ୍ଗାଧରଙ୍କୁ ସାନ୍ତ୍ୱନାମୂଳକ ପତ୍ର ଲେଖିଥିଲେ । ଶାନ୍ତାଙ୍କ ମୃତ୍ୟୁ ପରେ ଗଙ୍ଗାଧର ଦ୍ୱିତୀୟା ପତ୍ନୀ ଗ୍ରହଣ କରିବା ପାଇଁ ରାଧାନାଥ ପରାମର୍ଶ ଦେଇ ଚିଠିରେ ଲେଖିଥିଲେ-"ଦ୍ୱିତୀୟ ଦାର ପରିଗ୍ରହ ପ୍ରଶସ୍ତ ନ ହେଲେ ହେଁ ବିଧବା ବିବାହ ସେପରି ଦୂଷଣୀୟ ନୁହେଁ । ଅଧିକ ବୟସ୍କା ବିଧବା କନ୍ୟା ସୁଲଭ ହେଲେ ମୁଁ ଅସଂକୁଚିତ ଚିତ୍ତରେ ଆପଣଙ୍କୁ ବିବାହ କରିବାକୁ ଉପଦେଶ ଦେବି ।" (୧୬.୧୧.୧୮୯୭ର ଚିଠି) ରାଧାନାଥଙ୍କୁ ଗଙ୍ଗାଧର ଗୁରୁଜ୍ଞାନ କରୁଥିଲେ । କବିବରଙ୍କ ଉପଦେଶ ଗ୍ରହଣ କରି ଗଙ୍ଗାଧର ଚମ୍ପାଙ୍କୁ ବିବାହ କଲେ । ଚମ୍ପା ବିଧବା ଥିଲେ ଏବଂ ତାଙ୍କର ପିଲାପିଲି ନଥିଲେ ।

ଗଙ୍ଗାଧର ମେହେର ନୀଳମଣି ବିଦ୍ୟାରତ୍ନଙ୍କୁ କିଭଳି ଭଲ ପାଉଥିଲେ ଓ ସମ୍ମାନ କରୁଥିଲେ ତାହା ତାଙ୍କ କବିତାର ଭାଷାରୁ ଜାଣିହୁଏ-

"ବୁଧ ହଂସ କେଳିସର' ଦେବଦୁର୍ଗ ଧାମେ,
ଜନମିଲା ସୁପତ୍ରିକା ହିତୈଷିଣୀ ନାମେ ।

+ + +

ନୀଳମଣି ବିଦ୍ୟାରତ୍ନ ବହୁ ଗୁଣାଧାର,
ନରେନ୍ଦ୍ର ଆଦେଶେ ନେଲେ ତା ରକ୍ଷଣ ଭାର ।