ପୃଷ୍ଠା:Aama Madhusudan.pdf/୧୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଶେଷ କରି ଅମଲା ଗୋଷ୍ଠୀଙ୍କ ମଧ୍ୟରେ ଏକ ଜାଗରୁକତା ସୃଷ୍ଟି କରିଥିଲା । ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ କିରାଣି ବା ଅମଲା, ଯେଉଁମାନେ ସ୍ୱଳ୍ପ ବେତନଭୋଗୀ ଥିଲେ, ସେମାନେ ଅତ୍ୟନ୍ତ ଉତ୍କଣ୍ଠା ପ୍ରକାଶ କରିଥିଲେ ଏହାର ସଦସ୍ୟ ହେବାପାଇଁ । ଏହାଥିଲା ସ୍ୱତଃସ୍ଫୂର୍ତ୍ତ ଜନସହଯୋଗର ନମୁନା, ଯାହା ସମବାୟ ଅନୁଷ୍ଠାନପାଇଁ ଏକ ଦୁର୍ଲ୍ଲଭ ବିଭବ ରୂପେ ବିବେଚିତ ହେଉଥିଲା ।
ସୁଦୀର୍ଘ ବିବରଣୀରୁ ଜଣାଯାଏ, ଏକ ଗଣତାନ୍ତ୍ରିକ ପରୀକ୍ଷା ମଧ୍ୟରେ ଜନଗଣଙ୍କ ଆବେଦନକୁ ଭିତ୍ତିକରି, ଏହି ସମିତି ଗଠନ ହୋଇଥିଲା, ମାନବିକ ମୂଲ୍ୟବୋଧର ଆଧାରରେ ସମାଜର ନିମ୍ନବର୍ଗଙ୍କୁ ଉପକାର ପ୍ରଦାନ କରିବାପାଇଁ । ତେଣୁ ଆଜିକାଲିର ସମବାୟ ପ୍ରଚେଷ୍ଟା ପରି ଏହା ଜନସାଧାରଣଙ୍କ ଉପରେ ଆରୋପିତ କରା ନଯାଇ ତାଙ୍କର ସହାନୁଭୂତି ଓ ସହଯୋଗ ଭିକ୍ଷା କରି ଏକ ଗଭୀର ଆନ୍ତରିକତା ଓ ଭ୍ରାତୃତ୍ୱବୋଧ ମଧ୍ୟରେ ଏହି ସମିତି ଗଢ଼ିଉଠିଥିଲା । ଏଠାରେ ସୂଚାଇବା ଅପ୍ରାସଂଗିକ ବୋଧ ହେବନାହିଁ ଯେ, ଯେଉଁ ପ୍ରିଣ୍ଟିଂ କଂପାନିର କୋଠାରେ ଏହି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଅଧିବେଶନ ଆହୂତ ହେଉଥିଲା, ସେହି ତାତ୍ପର୍ଯ୍ୟପୂର୍ଣ୍ଣ କୋଠାଟି ବିଧିର ନିର୍ଦ୍ଦେଶ କ୍ରମେ ସମବାୟ ପରିସରକୁ ଆସିଛି । ସେହି ଗୃହରେ ବର୍ତ୍ତମାନ ରାଜ୍ୟ ସମବାୟ ବ୍ୟାଙ୍କ୍‍ କଟକ ଶାଖା ସଂଚାଳିତ ହେଉଛି । ତେଣୁ ଏଠାରେ ଏକ ସ୍ମୃତି ସଭାଗୃହ ପ୍ରତିଷ୍ଠା କରାଯିବା ସଂପର୍କରେ କର୍ମକର୍ତ୍ତାମାନେ ବିଚାର କରିବା ଆବଶ୍ୟକ ।
୧୮୯୮ ସାଲର ଅଗଷ୍ଟ ୬ ତାରିଖରୁ ସେହି ବର୍ଷର ଅକ୍ଟୋବର ପହିଲା ଦିନ କଟକ କୋ- ଅପରେଟିଭ୍‍ ଷ୍ଟୋର ତାର ବ୍ୟବସାୟ ଆରମ୍ଭ କରିଥିଲା, ଏହା ମଧ୍ୟରେ ସମୟର ବ୍ୟବଧାନ ଥିଲା ମାତ୍ର ଦେଢ଼ ମାସ । ଏହି ସ୍ୱଳ୍ପ ସମୟ ମଧ୍ୟରେ କି କ୍ଷିପ୍ରତାର ସହ କାର୍ଯ୍ୟ ସଂପାଦନ କରାଯାଇ, ସମିତିର ଅଂଶଧନ ଆଶାଜନକ ଭାବରେ ସଂଗ୍ରହ କରାଯାଇ, ସମିତିର ଗତିଧାରାକୁ ତ୍ୱରାନ୍ୱିତ କରାଯାଇଥିଲା, ତାହାର ପଟ୍ଟାନ୍ତର ନାହିଁ । ସମୁଦାୟ ନିର୍ଣ୍ଣିତ ହୋଇଥିବା କାର୍ଯ୍ୟକାରୀ ମୂଳଧନ ଦଶହଜାର ଟଂକାରୁ ଏହି ଦେଢ଼ ମାସ ମଧ୍ୟରେ ଛଅ ହଜାର ଟଂକା ସଂଗ୍ରହ ହୋଇଥିଲା, ଯାହା ଆସିଥିଲା ନିମ୍ନବର୍ଗ ତଥା ଅମଲାମାନଙ୍କଠାରୁ । ଅଂଶଧନ କ୍ରୟ କରିବାପାଇଁ ଅମଲାମାନେ ଛଅ ମାସ ଧରି ନିଜ ଦରମାରୁ କାଟି ପୋଷ୍ଟ ଅଫିସର୍‍ ସେଭିଙ୍ଗ ବ୍ୟାଙ୍କରେ ଜମା ଦେଇ ଆସୁଥିଲେ ।
ଭଣ୍ଡାରର ଅଗ୍ରଗତି ସଂପର୍କରେ ଉତ୍କଳଦୀପିକାରେ ୧୮୯୮ ସାଲ ଅକ୍ଟୋବର ପହିଲାରେ ଯେଉଁ ବିବରଣୀ ପ୍ରକାଶ ହୋଇଥିଲା, ତାହାର କିଛି ଉଦ୍ଧୃତି ନିମ୍ନରେ ପ୍ରଦତ୍ତ ହେଲା -
ବ୍ୟବସାୟର ଉନ୍ନତି:
ଶ୍ରଦ୍ଧାସ୍ପଦ ବାବୁ ମଧୁସୂଦନ ଦାସ ବିଲାତରୁ ଫେରିଆସି ସ୍ଥାନୀୟ ଲୋକଙ୍କୁ ବାଣିଜ୍ୟ ବ୍ୟବସାୟରେ ପ୍ରବୃତ୍ତ କରିବା ବିଷୟରେ ଯେତେ ଚେଷ୍ଟା ଓ ଯତ୍ନ କରୁଅଛନ୍ତି ତାହା ସମୟ ସମୟରେ ପାଠକମାନଙ୍କୁ ଜଣାଉଅଛୁ । ସେ କେବଳ ଏ ସ୍ଥାନରେ ନାନା ଶ୍ରେଣୀର ଭଦ୍ରଲୋକଙ୍କୁ ପୁନଃପୁନଃ ଆପଣା କୋଠିକୁ ଆମନ୍ତ୍ରିତ କରି ଉପଦେଶ ଓ ପରାମର୍ଶ ଦେଇ ନିଶ୍ଚିନ୍ତ ନହୋଇ