ପୃଷ୍ଠା:Aama Madhusudan.pdf/୧୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

-ବିଜ୍ଞାପନ-
"ଉଦ୍‍ଯୋଗୀ ସମିତି ଭଣ୍ଡାର, କଟକ"

"କ୍ରେତା ଓ ବିକ୍ରେତାର ସ୍ୱାର୍ଥ ଯହିଁରେ ବିପରୀତ ନହୁଏ, ଅର୍ଥାତ୍‍ କ୍ରେତାର ଲାଭରେ ବିକ୍ରେତାର ଲାଭ ଓ ବିକ୍ରେତାର ଲାଭରେ ଏବଂ କ୍ରେତାର ଲାଭ ହୋଇପାରେ, ଏହି ଉଦ୍ଦେଶ୍ୟ ସାଧନ ନିମନ୍ତେ ଭଣ୍ଡାର ସ୍ଥାପିତ ହୋଇଛି । ପ୍ରବଞ୍ଚନା କ୍ରୟ ସମୟରେ ଅକାରଣ ବାକ୍‍ବିତଣ୍ଡା ପ୍ରଭୃତିଠାରୁ କ୍ରେତାମାନଙ୍କୁ ରକ୍ଷା କରିବା ନିମନ୍ତେ ବିଶେଷ ଉପାୟ କରାହୋଇଅଛି । ଦୋକାନରେ ରଖା ହୋଇଥିବା ଦ୍ରବ୍ୟାଦିର ତାଲିକା କ୍ରେତାମାନେ ଦେଖିପାରନ୍ତି । ସେହି ନିର୍ଦ୍ଦିଷ୍ଟ ମୂଲ୍ୟ ହ୍ରାସ ବା ବୃଦ୍ଧି କରିବାର କ୍ଷମତା କର୍ତ୍ତୃପକ୍ଷଙ୍କ ଛଡ଼ା ଆଉ କାହାରି ନାହିଁ । କର୍ତ୍ତୃପକ୍ଷ ମଧ୍ୟ ବିଶେଷ ବିବେକତାର ସହିତ ଯେତେଦୂର ସଂଭବ ମୂଲ୍ୟ ସୁଲଭ କରିଥାନ୍ତି । ସମୁଦାୟ ଦ୍ରବ୍ୟର ତାଲିକା ଦେବା ସଂଭବ ନୁହେଁ । ପ୍ରଧାନ କେତେକ ଦ୍ରବ୍ୟର ନାମ ପ୍ରକାଶ କରାଯାଉଛି ।"
ଦେଶୀ ତନ୍ତ, ଚନ୍ଦ୍ରକୋଣା, ଫରାସୀ ଡାଙ୍ଗା ଓ ଶାନ୍ତିପୁରୀ ଧୋତି, ଚଦର ଓ ଶାଢ଼ି ଭିନ୍ନଭିନ୍ନ ସ୍ଥାନର ଟସର, ବାପ୍ତି, ନାନା ରକମର ରେଶମ ଲୁଗା, ମୋମ୍ବାଇ, ମାନ୍ଦ୍ରାଜ, ଅହମଦାବାଦ, କାନପୁର ପ୍ରଭୃତି କଳର ଧୋତି, ଚଦର, ଛିଟ, ମୋଜା, ତଉଲିଆ, ଝାଡ଼ନ ଓ ଗାମୁଛା, ବାଦାମି ଓ ସାଦା କାଗଜ, ଚିଠିର କାଗଜ, ଲଫାଫା, ଦୁଆତ, କାଳି, କଲମ, ପେନ୍‍ସିଲ୍‍, ରେଜର, ଛୁରା, କଇଁଚି, ଷ୍ଟିଲ୍‍ପେନ୍‍, ନିବ୍‍ ପ୍ରଭୃତି, ସର୍ବପ୍ରକାର ସାମାନ, ବିବିଧ ସୁଗନ୍ଧ ତେଲ ଓ ସୁଗନ୍ଧ ପାଣି ବାର୍ଲି, ଆରାରୁଟ୍‍, ଶାଗୁ ପ୍ରଭୃତି ରୋଗୀମାନଙ୍କର ବହୁବିଧପଥ୍ୟ, କଟକର ବିଖ୍ୟାତ ଶିଳ୍ପୀର ଫରୁଆ ଓ ଖେଳଣା ଓ ସୁନାରୂପାର ଉତ୍କୃଷ୍ଟ ନାନାବିଧ ଅଳଂକାର । ଏହାଛଡ଼ା ଅନ୍ୟ ସ୍ୱଳ୍ପମୂଲ୍ୟ ଦ୍ରବ୍ୟ ନେବାକୁ ଇଚ୍ଛାକଲେ ସୁଲଭ ମୂଲ୍ୟରେ ଅଣାଇ ଦିଆଯାଏ । କଟକର ଦେଓ୍ୱାନି ଅଦାଲତର ସମ୍ମୁଖରେ ଭଣ୍ଡାର ସ୍ଥାପିତ ।
ଆମଦାନି ନାନାବିଧ ଶୀତବସ୍ତ୍ର:
କଟକ କୋ-ଅପରେଟିଭ୍‍ ଷ୍ଟୋର ବିପୁଳ ଜନପ୍ରିୟତା ହାସଲ କରିଥିଲା ଏବଂ ଏହା କଟକ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିପାରିଥିଲା । କାରବାର ଉତ୍ସାହଜନକ ଥିଲା ।
ଏହି ଭଣ୍ଡାରରେ ବିଦେଶୀ ଉତ୍ପାଦିତ ଜିନିଷମାନ ରଖିବା ଏକ ପ୍ରକାର ନିଷିଦ୍ଧ କରାଯାଇଥିଲା । ଏହା ମଧୁବାବୁଙ୍କର ସ୍ୱଦେଶୀପ୍ରୀତିର ପରିଚୟ ଥିଲା । ଏଥିରେ ସ୍ୱଦେଶୀ ତନ୍ତ ଲୁଗା ତଥା ସ୍ୱଦେଶୀ କଳର ଉତ୍ପାଦିତ ବସ୍ତ୍ର ଛଡ଼ା କାଗଜ, ଖାତା, ବହି, ଶୀତବସ୍ତ୍ର, କଟକର ବିଖ୍ୟାତ ତାରକସି କମନୀୟ ବସ୍ତୁରାଜି, ଅଳଂକାର, ଶିଙ୍ଗ ଉତ୍ପାଦିତ ମନୋହର ପଦାର୍ଥ ତଥା ବିଭିନ୍ନ ହସ୍ତଶିଳ୍ପର ସୁରୁଚିସଂପନ୍ନ ବସ୍ତୁମାନଙ୍କର ବିକ୍ରୟର ବ୍ୟବସ୍ଥା ଥିଲା । ସ୍ୱଦେଶୀ ତନ୍ତପ୍ରସ୍ତୁତ ବନାରସି ପାଟବସ୍ତ୍ର ଏବଂ ଭାରତର ବିଖ୍ୟାତ ଶାଢିମାନଙ୍କର ଏକ ସୁଦୃଶ୍ୟ ସମାହାର ଏହି ଭଂଡାର ମଧ୍ୟରେ ଦେଖିବାକୁ ମିଳିଥିଲା । ଏହା ସହିତ ମଧ୍ୟ ଗଚ୍ଛିତ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ରହିଥିଲା ।