ପୃଷ୍ଠା:Aama Madhusudan.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶ୍ରୀଜଗନ୍ନାଥଙ୍କର ପ୍ରମତ୍ତ ଉଚ୍ଚାଟନରେ
ମଧୁସୂଦନ

ବେଳେବେଳେ ବିଷାଦର ନିବିଡ଼ତମ ଶୋକାକୁଳ ମୁହୂର୍ତ୍ତରେ, ଅଥବା ହର୍ଷୋଲ୍ଲାସର ଉତ୍‍ଫୁଲ୍ଲ ବେଳାରେ ମଧୁସୂଦନ ପ୍ରଗଳ୍‍ଭ ଆଉ ବାଙ୍‍ମୟ ହୋଇଯାଆନ୍ତି, ଆଉ ତାହାଙ୍କର ଗଭୀର ଅନ୍ତଃସ୍ଥଳରୁ ଝରିଆସେ ଆଶୁ କବିତାର ଅଜସ୍ର ଉଦ୍‍ବେଳିତ ନିର୍ଝର ଅଥବା ସେକ୍ସପିଅରଙ୍କ ନାଟକର ଉଦ୍ଦାମ ସ୍ୱାଗତୋକ୍ତି ।

ଓଡ଼ିଶା ଡିଭିଜନରେ ୧୬.୧୦.୧୯୦୫ରେ ପଶ୍ଚିମାଞ୍ଚଳ ଆଉ ଉତ୍ତରାଞ୍ଚଳ ସମ୍ମିଳିତ ହେବା ପରେ ଦକ୍ଷିଣାଞ୍ଚଳର ମିଶ୍ରଣପାଇଁ ମଧୁସୂଦନଙ୍କୁ ସୁଦୀର୍ଘ ତିରିଶିବର୍ଷ କାଳ ବିବଶ ଆଉ ଉଦ୍‍ବିଗ୍ନ ହୋଇ ଦୁର୍ବାର ସଂଗ୍ରାମ ଚଳାଇବାକୁ ପଡ଼ିଥିଲା, ଯାହା ଥିଲା ଅତ୍ୟନ୍ତ କ୍ଲେଶଦାୟକ ଆଉ ଅସହନୀୟ । ସେଦି ୧୦.୧୧.୧୯୨୮ରେ କଟକ ଟାଉନ ହଲ୍‍ଠାରେ ନିଘଞ୍ଚ ବିପୁଳ ଲୋକାରଣ୍ୟ ମଧ୍ୟରେ ମଧୁସୂଦନଙ୍କ ଦୁର୍ନିବାର ଆଉ ବଜ୍ର ନିର୍ଘୋଷ କଣ୍ଠରୁ ଲାଭାର ଉଦ୍ଗୀରଣ ପରି ଆଗ୍ନେୟ ବକ୍ତବ୍ୟ ବହିଚାଲିଥିଲା -

"ଉତ୍କଳର ଦେଶମିଶ୍ରଣ ଆନ୍ଦୋଳନପାଇଁ ବହୁକାଳରୁ ମୁଁ ବ୍ୟାକୁଳ ଓ ଉତ୍କଣ୍ଠିତ । ମୋର ଅବସ୍ଥାକୁ ଘେନି ମୁଁ ବିଦୁରର ଖୁଦ ଗଣ୍ଡିଏ ମାତ୍ର ଦେଇଛି । ପରଠାରୁ ମାଗି ଦେଶସେବା କାର୍ଯ୍ୟ ମୁଁ ଜାଣେ ନାହିଁ । ଆମର ପାପ ଦୂର ନହେଲେ ଉତ୍କଳ ମାତାଙ୍କର ଦୁର୍ଦ୍ଦଶା ଦୂର ହେବନାହିଁ ।" ଟିକିଏ ନୀରବିଗଲେ ମଧୁସୂଦନ । ତା'ପରେ ତାଙ୍କର ଓଜସ୍ୱିୀ ଆଉ ଉର୍ଜସ୍ୱଳ କଣ୍ଠରୁ ସ୍ୱତଃ ଉଚ୍ଚାରିତ ହେଲା ଆଶୁ କବିତାର ବିହ୍ୱଳିତ ନିର୍ଝର ।

"କୋଟିଏ ଓଡ଼ିଆଗୋଟିଏ ସ୍ୱରରେ

ଡାକ ତ୍ରାହି ଜଗନ୍ନାଥ,

ଆମ ମଧୁସୂଦନ * ୧୩