ପୃଷ୍ଠା:Aama Madhusudan.pdf/୧୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାର ସ୍ୱାଧୀନତା ଲୋପପାଇଗଲା ୧୫୬୮ ସାଲରେ ଏବଂ ୧୫୯୨ ସାଲରେ ଉପକୂଳର ସମସ୍ତ ଓଡ଼ିଆଭାଷୀ ଅଂଚଳ ମୋଗଲ ବଂଦୀ ନାମରେ ପରିଚିତ ହେଲା । ମୋଗଲ ଶାସନାଧୀନ ଏହି ପରିସରରେ ଥିଲା ପାଞ୍ଚଟି ସରକାର ବା ଜିଲ୍ଲା । ସେଗୁଡ଼ିକ ହେଲା ୧. ଜଳେଶ୍ୱର (ମେଦିନୀପୁର ଆଉ ବାଙ୍କୁଡ଼ା ସମେତ), ୨. ଭଦ୍ରକ, ୩. କଟକ. ୪.ସିକାକୋଲ, ୫. ରାଜମହେନ୍ଦ୍ରୀ । ଏହାଛଡ଼ା ପଶ୍ଚିମରେ ଥିଲା ପରିବ୍ୟାପ୍ତ ଓଡ଼ିଆଭାଷୀ ଗଡ଼ଜାତ ଅଂଚଳ । ଏହା ପରଠାରୁ ଦୁର୍ଦ୍ଦିନର କଳାମେଘ ଛାଇ ରହିଲା ଓଡ଼ିଶାର ରାଜନୈତିକ ଆକାଶକୁ । ଏହାପରେ ଓଡ଼ିଶାର ଦକ୍ଷିଣାଞ୍ଚଳ ବି୍ରଟିଶ ଶାସନ ଅଧୀନକୁ ଆସିଲା ୧୭୬୮ ସାଲରେ ଆଉ ଉତ୍ତର ଓଡ଼ିଶା ୧୮୦୩ ସାଲରେ ଯାହା ଯଥାକ୍ରମେ ମାନ୍ଦ୍ରାଜ ଓ ବଂଗଳା ପ୍ରଦେଶରେ ଥିଲା । ପଶ୍ଚିମର ସଂବଲପୁର ଜିଲ୍ଲା ଆଉ ଏହାର ସଂଲଗ୍ନ ପାଞ୍ଚଟି ଗଡ଼ଜାତ, (କଳାହାଣ୍ଡି, ପାଟନା, ସୋନପୁର, ବାମଣ୍ଡା ଆଉ ରେଢ଼ାଖୋଲ) ଅଞ୍ଚଳ ମଧ୍ୟପ୍ରଦେଶର ପରିସରକୁ ୧୮୪୯ ସାଲରେ ଆସିଥିଲା । ପରେ ଏହି ଅଂଚଳ ୧୮୬୦ରେ ଓଡ଼ିଶା ଡିଭିଜନକୁ ଆସିଲା, ଯେଉଁ ସମୟରେ ଓଡ଼ିଆଭାଷାର ପ୍ରସାର ଘଟିଥିଲା । ପୁନରାୟ ଏହି ଅଞ୍ଚଳ ୩୦.୪.୧୯୬୨ରେ ମଧ୍ୟପ୍ରଦେଶକୁ ସ୍ଥାନାନ୍ତରିତ ହେଲେ ମଧ୍ୟ ଓଡ଼ିଆ ରାଜଭାଷା ଥିଲା । ବଙ୍ଗ ପ୍ରଦେଶର ଓଡ଼ିଶା ଡିଭିଜନ ମଧ୍ୟରେ ଥିବା ମେଦିନୀପୁର ଆଉ ବାଙ୍କୁଡ଼ା ଅଞ୍ଚଳ ୧୮୪୦ ସାଲରେ ବଙ୍ଗ ପ୍ରଦେଶର ବର୍ଦ୍ଧମାନ ଡିଭିଜନକୁ ହସ୍ତାନ୍ତରିତ ହେଲା । ମାତ୍ର ତିରିଶି ବର୍ଷ ମଧ୍ୟରେ ୧୮୭୦ ବେଳକୁ ଏହି ସୁବିଶାଳ ଓଡ଼ିଆଭାଷୀ ଅଂଚଳଟି ବଂଗଳାଭାଷୀ ଅଂଚଳରେ ପରିଣତ ହୋଇଗଲା । ଦକ୍ଷିଣରେ ଯେଉଁ ଓଡ଼ିଆଭାଷୀ ଅଂଚଳ ରାଜମହେନ୍ଦ୍ରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା, କ୍ରମେ ସଂକୁଚିତ ହୋଇଆସିଲା ବିଶାଖାପାଟନମ୍‍ ପର୍ଯ୍ୟନ୍ତ । ଓଡ଼ିଶାର ଦକ୍ଷିଣାଞ୍ଚଳ ୧୭୬୮ ବେଳକୁ ଇଂରେଜ ଅଧିକାର ସତ୍ତ୍ୱେ ଏ ଅଞ୍ଚଳର ଓଡ଼ିଆ ରାଜାମାନେ ଇଂରେଜ ସରକାରଙ୍କର ବଶ୍ୟତା ସ୍ୱୀକାର ନକରି କ୍ରମାଗତଭାବେ ବିଦ୍ରୋହ ଚାଲୁ ରଖିଥିଲେ । ଏହି ବିଦ୍ରୋହକୁ ପ୍ରତିହତ କରିବାପାଇଁ ଇଂରେଜମାନେ ତେଲ୍‍ଗୁଭାଷୀ ଲୋକଙ୍କୁ ସୈନ୍ୟବାହିନୀରେ ନିଯୁକ୍ତ କରି ଏ ଅଂଚଳକୁ ପ୍ରେରଣ କରୁଥିଲେ । ଇଂରେଜ ଶାସନ କାଳରେ ୧୭୮୯ଠାରୁ ୧୭୯୨ ପର୍ଯ୍ୟନ୍ତ ଯେଉଁ ଭୟାବହ ପାଞ୍ଚମଣିଆ କାନ୍ତର ବା ଦୁର୍ଭିକ୍ଷ ପଡ଼ିଲା ସେଥିରେ ବହୁ ଜନକ୍ଷୟ ହେବା ସଂଗେସଂଗେ ଅଧିକାଂଶ ଅଧିବାସୀ ପଶ୍ଚିମାଞ୍ଚଳର ଗଡ଼ଜାତକୁ ଚାଲିଗଲେ । ତେଣୁ ୧୮୦୦ ସାଲ ବେଳକୁ ଗଞ୍ଜାମ (ସିକାକୋଲ ସମେତ)ର କଲେକ୍ଟର ମିଷ୍ଟର ବ୍ରାଉନ ଲେଖିଛନ୍ତି ଯେ, ସମଗ୍ର ଅଂଚଳଟି ଜନଶୂନ୍ୟତାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଏହି ଜନଶୂନ୍ୟ ଅଂଚଳରେ ଆନ୍ଧ୍ର ଅଂଚଳରୁ ଆଗତ ସୈନ୍ୟବାହିନୀ, ରାଜକର୍ମଚାରୀ ଓ ଜନସାଧାରଣ, ତେଲୁଗୁ ଅଫିସରମାନଙ୍କ ସହାୟତାରେ ବସତି ସ୍ଥାପନକରି ଜମିସବୁ ଅଧିକାର କଲେ । ଏହାଛଡ଼ା ଜନଗଣନାରେ ଓଡ଼ିଆ ଅଧିବାସୀମାନଙ୍କୁ ତେଲୁଗୁ ଭାବରେ ଚିହ୍ନିତ କରାଗଲା ଫଳରେ ଓଡ଼ିଆଭାଷୀ ଅଞ୍ଚଳ ସଂକୁଚିତ ହୋଇଗଲା । ପଶ୍ଚିମରେ ବସ୍ତର, ରାୟଗଡ଼, ଫୁଲଝର, ଅଂଚଳରେ ହିନ୍ଦୀଭାଷାର ପ୍ରଭାବ ବୃଦ୍ଧିପାଇବାରୁ ଅଳ୍ପ କେତୋଟି ଗଡ଼ଜାତକୁ ଛାଡ଼ିଦେଲେ ଓଡ଼ିଆଭାଷୀ ଅଞ୍ଚଳ ନିଶ୍ଚିହ୍ନ ହେବା ଅବସ୍ଥାକୁ ଆସିଗଲା ।ଏହାଥିଲା ୧୮୮୧ ସାଲରେ ଓଡ଼ିଆଭାଷୀ ଅଂଚଳର ପରିସ୍ଥିତି ।