ସେତେବେଳେ ଦେଶପ୍ରାଣ ମଧୁସୂଦନ ଦାସ ଓଡ଼ିଶାକୁ ଫେରି ଆସି ଏହି ପରିସ୍ଥିତିର ମୁକାବିଲା
କରିବାପାଇଁ ୧୮୮୨ ସାଲରେ ଉତ୍କଳସଭା ଗଠନ କଲେ । ଏହାପରେ କ୍ରମାଗତ ଭାବରେ
ଦାବି ଉପସ୍ଥାପନା କଲେ, ସମସ୍ତ ଓଡ଼ିଆ ଭାଷୀ ଅଂଚଳକୁ ମିଶ୍ରଣ କରି ଏକ ଶାସନର ପରିସର
ମଧ୍ୟରେ ରଖିବାପାଇଁ ।
ଓଡ଼ିଶା ଇତିହାସର ଧାରା ସୂଚାଇ ଦିଏ ଯେ କେତେ ଶତାବ୍ଦୀର ଘଟଣା ପ୍ରବାହ ପରେ ଉତ୍କଳ ସହିତ ଦକ୍ଷିଣ କୋଶଳର ମିଶ୍ରଣ ହେଲା । ଦଶମ ଶତାବ୍ଦୀରେ ଯଯାତି କେଶରୀଙ୍କଦ୍ୱାରା ଏବଂ ଦ୍ୱାଦଶ ଶତାବ୍ଦୀରେ ଚୋଡ଼ଗଂଗଙ୍କଦ୍ୱାରା କଳିଂଗ ମିଶ୍ରିତ ଥିଲା ସମନ୍ୱିତ ଉତ୍କଳ କୋଶଳ ଖଣ୍ଡରେ । ଏହାପରେ ଅମୀତ କ୍ଷମତାଶାଳୀ ଓଡ଼ିଶା ଭୂଖଣ୍ଡର ସୃଷ୍ଟି ହେଲା । ତାହା ପୁଣି ଇତିହାସର ଧାରା ପ୍ରବାହରେ ଅଲଗା ଅଲଗା ତିନିଖଣ୍ଡ ହୋଇ ବଂଗଳା, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜରେ ବିଚ୍ଛିନ୍ନ
ହୋଇ ରହିଗଲା; ବ୍ରିଟିଶ ଶାସନ କାଳରେ । ଏହାର ପୁନଃ ମିଶ୍ରଣର ଲାଗି ଦାୟିତ୍ୱ ପଡିଲା
ମଧୁସୂଦନଙ୍କର ଉପରେ । ତାଙ୍କର ଆବିର୍ଭାବ ଏ ଜାତିର ଉଦ୍ଧାର ଲାଗି ଯେପରି ବିଧି ନିର୍ଦ୍ଦିଷ୍ଟ
ଥିଲା । ଇତିହାସର ଗତିଧାରା ପୁଣି ତ୍ୱରାନ୍ୱିତ ହେଲା ୧୮୯୯ ସାଲରେ । ପ୍ରତ୍ନତତ୍ତ୍ୱ ଓ ସଂସ୍କୃତିରେ ରୁଚି ରଖିଥିବା ଅଭିଜାତ ପୁରୁଷ ଲଡର଼୍ କର୍ଜନ ଭାରତରେ ବଡ଼ଲାଟ ପଦରେ ଅଧିଷ୍ଠିତ ହେଲେ । ମଧୁସୂଦନଙ୍କର ସିମିଲାଠାରେ ୧୯୦୦ ସାଲର ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଲଡର଼୍ କର୍ଜନଙ୍କର ସହିତ ବ୍ୟକ୍ତିଗତ ସାକ୍ଷାତ ଓ ଦାବି ଉପସ୍ଥାପନ ପରେ ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ପ୍ରସଙ୍ଗ ଉଜ୍ଜ୍ୱଳ ହୋଇ ଉଠିଲା । ଏହାର ପୃଷ୍ଠଭୂମିରେ ଥିଲା ମଧୁସୂଦନଙ୍କର ବଳିଷ୍ଠ ଉପସ୍ଥାପନା ଓ ଲର୍ଡ କର୍ଜନଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ।
ରିସ୍ଲେ ସର୍କୁଲାରକୁ ଆଧାର କରି ୧୯୦୫ରେ ମଧ୍ୟପ୍ରଦେଶରୁ ସମ୍ବଲପୁର ଜିଲ୍ଲା ଏବଂ
କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବାମଣ୍ଡା, ରେଢ଼ାଖୋଲ, ବିହାରର ଗାଂଗପୁର ବଣାଇ ସମେତ ପଶ୍ଚିମାଞ୍ଚଳର ଗଡ଼ଜାତ ସମୂହ ବଙ୍ଗପ୍ରଦେଶର ଓଡ଼ିଶା ଡିଭିଜନରେ ସାମିଲ୍ ହେଲା । ଏହା ଥିଲା ଦେଶ ମିଶ୍ରଣ ଆନ୍ଦୋଳନର ପହିଲି ସଫଳତା । ମାତ୍ର ମାନ୍ଦ୍ରାଜ ସରକାରଙ୍କର ଦୃଢ଼ ପ୍ରତିବାଦଯୋଗୁଁ ଦକ୍ଷିଣର ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ସମ୍ଭବପର ହୋଇ ପାରି ନଥିଲା । ୧୯୦୬ରେ ବାଲେଶ୍ୱରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ସଭାମଞ୍ଚରେ ମଧୁବାବୁ ଉଦ୍ବୋଧନ ଦେଇ କହିଥିଲେ- "ଉତ୍କଳ ଜନନୀର ତିନିପୁତ୍ର ମଧ୍ୟରୁ ତାହାର ପୀଡ଼ା ସମୟରେ ଦୁଇପୁତ୍ର ମୃତ୍ୟୁ ଶଯ୍ୟା ପାଖରେ ଉପସ୍ଥିତ । ଅନ୍ୟ ଏକ ପୁତ୍ର (ଗଂଜାମବାସୀ) ଅନେକ ଦୂରରେ ଥିବାରୁ ଜନନୀ ତାହାକୁ ପାଖରେ ନଦେଖି ବିଶେଷ କଷ୍ଟବୋଧ କରୁଅଛି । ସେହି ଦୂରବର୍ତ୍ତୀ ପୁତ୍ର ମାତୃସେବା କରି ନପାରି ବିଶେଷ ଭାବେ ଦୁଃଖିତ ।"
ଏହାପରେ ସମସ୍ତ ଆନ୍ଦୋଳନ ଓ ପ୍ରତିବାଦ ସତ୍ତ୍ୱେ ଦୀର୍ଘ ବାଇଶି ବର୍ଷ ବିତିଯାଇଛି କେବଳ
ପ୍ରତୀକ୍ଷାରେ । ମାତ୍ର ୧୯୨୮ ସାଲରେ ମଧୁସୂଦନଙ୍କର ନିର୍ଦ୍ଦେଶରେ ପାଟଣାଠାରେ ସାଇମନ
କମିଶନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ପ୍ରଦେଶ ଗଠନର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା ।
ଏହାପରେ ଅଟଲି ସବକମିଟି (୧୯୩୦), ଓଡ଼ନେଲ କମିଟି (୧୯୩୧), ଓଡ଼ିଶା ପ୍ରାଶାସନିକ
ପୃଷ୍ଠା:Aama Madhusudan.pdf/୧୨୬
ଏହି ପୃଷ୍ଠାଟି ବୈଧ ହୋଇସାରିଛି