ପୃଷ୍ଠା:Aama Madhusudan.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ
ଜାତିର ଉନ୍ନତି ପଥ ।
ସୁଦର୍ଶନ ଚକ୍ର ଗରଜି ଉଠିବ
ବଳିୟାର ବାହୁ କରେ,
ମାତାଙ୍କ ଶ୍ରୀଅଙ୍ଗ ପୂର୍ବବତ ହେବ
ଶତ୍ରୁ ପଳାଇବେ ଡରେ ।

ଆମ୍ଭେ ଜାଣୁନାହିଁ, ସେହି ପ୍ରାର୍ଥନାର ଗଭୀରତା କିପରି ଅତଳସ୍ପର୍ଶୀ ଆଉ ପ୍ରମତ୍ତ ଥିଲା । ମାତ୍ର ଠିକ୍‍ ଏହାର ଏକମାସ ପରେ ମଧୁସୂଦନଙ୍କ ପ୍ରେରିତ ଓଡ଼ିଆ ପ୍ରତିନିଧି ଦଳ ୧୨.୧୨.୧୯୨୮ରେ ପାଟନା ରେଳଷ୍ଟେସନ୍‍ଠାରେ ସାଇମନ୍‍ କମିଶନ୍‍ଙ୍କୁ କେବଳ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଲେ ନାହିଁ, ୧୪.୧୨.୧୯୨୮ରେ ପାଟନା ସେକ୍ରେଟେରୀଏଟ୍‍ଠାରେ ଓଡ଼ିଆ ଜାତିର ଦାବିପତ୍ର ଉପସ୍ଥାପନ କଲେ । ଠିକ୍‍ ସେହି ମୁହୂର୍ତ୍ତ ପରଠାରୁ ଅଟଲି କମିଟି, ତିନିଗୋଟି ଗୋଲ୍‍ଟେବୁଲ୍‍ ବୈଠକ ଏବଂ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ମାଧ୍ୟମରେ ୧୯୩୬ ସାଲରେ ଓଡ଼ିଶା ପ୍ରଦେଶ ସ୍ଥାପିତ ହେଲା ।

ହେ ପାଠକବର୍ଗ ! ଆପଣ ଜାଣନ୍ତି କି ? ନବଭାରତର ରେନେଁସା କାଳରେ ତିଳକ, ମହାରାଷ୍ଟ୍ରର ଜାଗରଣପାଇଁ ଗଣପତି ପୂଜାର ପ୍ରବର୍ତ୍ତନ କରିଥିଲେ । ଶ୍ରୀ ଅରବିନ୍ଦ ଓ ସୁରେନ୍ଦ୍ର ନାଥ ବାନାର୍ଜୀ ବଙ୍ଗ ଦେଶରେ ଭବାନୀ ପୂଜାର ଆବାହନ କରିଥିଲେ । ମାତ୍ର ମଧୁସୂଦନଙ୍କପାଇଁ ଏକ ମାତ୍ର ପରମ ଆରାଧ୍ୟ ଆଉ ଇଷ୍ଟଦେବତା ଥିଲେ ଶ୍ରୀ ଜଗନ୍ନାଥ । ତାଙ୍କର ବକ୍ତବ୍ୟ ଥିଲା,ଶ୍ରୀମନ୍ଦିରର ନିର୍ମାଣ ପରେ ଅନଙ୍ଗଭୀମ ଦେବ ସମସ୍ତ ଓଡ଼ିଶା ରାଜ୍ୟକୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରି, ତାଙ୍କର ପ୍ରତିନିଧି ରୂପରେ ଦେଶର ଶାସନନିର୍ବାହ କରିଥିଲେ । ସାମ୍ୟ, ମୈତ୍ରୀ ଓ ପ୍ରୀତିର ପ୍ରତୀକ ରୂପେ ଜାତିଭେଦର ଧ୍ୱଂସାବଶେଷ ଉପରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ପ୍ରତିଷ୍ଠିତ ।

ଇଂଲଣ୍ଡ ପରିଦର୍ଶନ ବେଳେ ମଧୁସୂଦନ ଉଦ୍‍ବେଳିତ କଣ୍ଠରେ ଶ୍ରୀ ଜଗନ୍ନାଥଙ୍କ ଉଦାତ୍ତ ଓ ପ୍ରଗାଢ଼ ତତ୍ତ୍ୱର ମହନୀୟ ଅବତାରଣା କରି ଜନସମାଜକୁ ମନ୍ତ୍ରମୁଗ୍ଧ ଓ ସ୍ତମ୍ଭୀଭୂତ କରିଥିଲେ ।

ମଧୁସୂଦନଙ୍କର ବକ୍ତବ୍ୟର ଧାରା ବହିଚାଲିଥିଲା ଓଡ଼ିଶା-ସଂସ୍କୃତିର ଗହନ ଅନ୍ତରାଳକୁ- "ପ୍ରତ୍ୟେକ ଓଡ଼ିଆ ଜନ୍ମ ମୁହୂର୍ତ୍ତରୁ ହିଁ ଶ୍ରୀ ଜଗନ୍ନାଥଙ୍କ ସହିତ ନିବିଡ଼ ଭାବରେ ସମ୍ବନ୍ଧିତ । ତାହାର ଜନ୍ମଜାତକରେ ଲିପିବଦ୍ଧ ରହେ ଶ୍ରୀ ଜଗନ୍ନାଥଙ୍କର ପ୍ରତିଭୂ ଗଜପତି ମହାରାଜାଙ୍କ ପ୍ରଶାସନର ଅଂକ । ଏହି ଜାତକର ବେଳା ତାହାର ଭାଗ୍ୟ ନିର୍ଦ୍ଧାରଣ କରେ । ଏହି ଭଳି ବ୍ୟବସ୍ଥା ପୃଥିବୀର ଅନ୍ୟ କୌଣସି ପ୍ରାନ୍ତରେ ପରିଲକ୍ଷିତ ହୁଏ ନାହିଁ । ଏହା ଥିଲା ମଧୁସୂଦନଙ୍କ ମହିମାଦୀପ୍ତ ବକ୍ତବ୍ୟ, ଯେଉଁଥିପାଇଁ ଗଜପତି ବଂଶର ସୁରକ୍ଷା ଓ ସଂସ୍ଥାନ ସକାଶେ ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ସମର୍ପିତ ଥିଲେ । ଜଣେ ଓଡ଼ିଆ ନିଜର ଜାତକ ଲିଖନ ମାଧ୍ୟମରେ ଅଜାଣତରେ ଓ ଅଲଂଘ୍ୟ ଭାବରେ ସଂପର୍କିତ ହୋଇଯାଏ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ।

୧୪ ଆମ ମଧୁସୂଦନ