ପୃଷ୍ଠା:Aama Madhusudan.pdf/୧୩୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୧୮୯୩ ସାଲରେ ଝାରସୁଗୁଡ଼ା ସହିତ ରେଳପଥଦ୍ୱାରା ସଂଯୁକ୍ତ ହେବାପରେ, ମଧ୍ୟପ୍ରଦେଶ ସରକାର ସମ୍ୱଲପୁର ଜିଲ୍ଲାରେ ହିନ୍ଦୀ ଭାଷାର ପ୍ରଚଳନ ସହିତ ପ୍ରାଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ଉଚ୍ଛେଦପାଇଁ ସଂକଳ୍ପବଦ୍ଧ ଥିଲେ । ଏଥିରେ ଗଭୀରଭାବେ ମର୍ମାହତ ହୋଇ ତୀବ୍ର ଅନ୍ତର୍ଦାହର ତାଡ଼ନାରେ "ଭାରତୀ ରୋଦନ' ଶୀର୍ଷକ ଏକ କବିତାରେ ଗଂଗାଧର ମେହେର ୩୦.୧୦.୧୮୯୪ରେ "ସମ୍ୱଲପୁର ହିତୈଷିଣୀ'ରେ ଲେଖିଥିଲେ-

"ହିନ୍ଦୀ ସରସ୍ୱତୀ ମୋ ଛାତିରେ ବସି
କରିବ ପରା ରାଜତ୍ୱ
ମୋ ଆଶା କାନନ ଭସ୍ମରାଶି ହେବ
ତା ନବ ଉଦ୍ୟାନେ ଖତ ।"

ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀକୁ ପ୍ରାଶାସନିକ ଭାଷାର ମର୍ଯ୍ୟାଦା ଦିଆ ଯାଇଥିଲା ୧୮୯୫ଜାନୁଆରି ୧୫ତାରିଖର ୨୩୭ ନମ୍ୱର ଆଦେଶରେ ।ଏହି ଆଦେଶ ଦେଇଥିଲେ ମଧ୍ୟପ୍ରଦେଶର ଚିଫ୍‍ କମିଶନର ଉଡ଼ବର୍ଣ୍ଣ । ୨୫ ଜାନୁଆରି ୧୮୯୫ରେ ଚିଫ୍‍ ସେକ୍ରେଟେରୀଙ୍କଦ୍ୱାରା ଏହା ପ୍ରଚାରିତ ହୋଇଥିଲା । ଏହି ନିଦାରୁଣ ଆଦେଶଟି ପ୍ରକାଶିତ ହେବା ପରେ ଜନମାନସରେ ବିସ୍ଫୋରଣ ସୃଷ୍ଟି ହୋଇଥିଲା ଏବଂ କ୍ରମାଗତ ଭାବେ "ସମ୍ୱଲପୁର ହିତୈଷିଣୀ'ର ପୃଷ୍ଠାମାନଙ୍କରେ ପ୍ରତିବାଦ ପତ୍ର, ବିଦ୍ରୋହମୂଳକ କବିତା ତଥା ନିବନ୍ଧମାନ ବହୁ ସଂଖ୍ୟାରେ ପ୍ରକାଶିତ ହେବାକୁ ଲାଗିଲା । ଏହା ଥିଲା ସ୍ୱତଃସ୍ଫୂର୍ତ୍ତ ସାରସ୍ୱତ ପ୍ରତିବାଦ , ଯାହାର ପଶ୍ଚାତରେ ଉଭା ରହିଥିଲେ ବାମଣ୍ଡାର ନରେଶ ସୁଢ଼ଳ ଦେବ ଏବଂ ପତ୍ରିକାର ସମ୍ପାଦକ ନୀଳମଣି ବିଦ୍ୟାରତ୍ନ । ଏଣେ କଟକରୁ ପ୍ରକାଶିତ "ଉତ୍କଳ ଦୀପିକା'ର ପୃଷ୍ଠାମାନଙ୍କରେ ପ୍ରକାଶିତ ହୋଇଥିଲା ମଧୁସୂଦନ ଦାସଙ୍କର ଭାବଗର୍ଭକ ନିବନ୍ଧମାନ କ୍ରମାଗତ ଭାବେ ୭୦ ପୃଷ୍ଠାର ରଚନାରେ, ଯାହା ଅଚିନ୍ତନୀୟ ଥିଲା ।

ସେହି ୧୮୯୫ ସାଲରେ ଯେଉଁ ଘୋଷଣାନାମାଟି ପ୍ରଚାରିତ ହୋଇ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା, ସେଥିମଧ୍ୟରୁ ଦୁଇଟି ବିଷୟର ଏ ପର୍ଯ୍ୟନ୍ତ ପ୍ରାସଙ୍ଗିକତା ରହିଛି । ପ୍ରଥମଟି ହେଲା, ସମ୍ୱଲପୁର ଅଞ୍ଚଳରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପରମ୍ପରା ଅନୁସାରେ ବିଭିନ୍ନ ଗୋଷ୍ଠୀ ଓ ବର୍ଗଙ୍କ ମଧ୍ୟରେ ମହାପ୍ରସାଦ ବସିବା ସହିତ ବନ୍ଧୁତ୍ୱର ଅକାଟ୍ୟ ବନ୍ଧନରେ ଆବଦ୍ଧ ହେବା, ପୋଲିସ୍‍ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା । କାରଣ ମହାପ୍ରସାଦ ପରମ୍ପରାରେ ଆବଦ୍ଧ ନିବିଷ୍ଟ ସମାଜ ମଧ୍ୟରେ କୌଣସି ଗୋପନୀୟ ତଥ୍ୟ ଆହରଣ କରି ସେମାନଙ୍କୁ ପ୍ରଶାସନର ଡୋରି ମଧ୍ୟରେ ବାନ୍ଧିବା ସମ୍ଭବପର ହେଉନଥିଲା ବୋଲି ଜଣେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଗେଜେଟରେ ତାଙ୍କର ସ୍ୱତନ୍ତ୍ର ଲେଖା ପ୍ରକାଶିତ କରିଥିଲେ । ଓଡ଼ିଆ ଭାଷା ସହିତ ଜଗନ୍ନାଥ ପରମ୍ପରା ଓ ମହାପ୍ରସାଦ ବସିବା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ସମ୍ୱଲପୁରରୁ ଓଡ଼ିଆ ଭାଷାର ଉଚ୍ଛେଦ ଲାଗି ପ୍ରଶାସନ ଆଗଭର ହୋଇଥିଲା । ସେହି ଓଡ଼ିଆ ଭାଷା ଉଚ୍ଛେଦ ସଂପର୍କୀୟ ଘୋଷଣାନାମାରେ ଉଲ୍ଲେଖ ରହିଥିଲା ଯେ, ସମ୍ୱଲପୁରରେ ବ୍ୟବହୃତ ଓଡ଼ିଆ, ମୂଳ