ପୃଷ୍ଠା:Aama Madhusudan.pdf/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନ୍ତର୍ଦାହର ଜ୍ୱାଳାରେ
ଷଢେ଼ଇକଳା-ଖରସୁଆଁ

ଷଢେ଼ଇକଳା ଓ ଖରସୁଆଁ- ଓଡ଼ିଶାର ଥିଲା ଅବିଚ୍ଛେଦ୍ୟ ଅଂଗ । ଓଡିଶାର ମହନୀୟ ପରମ୍ପରା, ସଂସ୍କୃତି ଓ ଜନଜୀବନର ଏହା ଏକ ଅବିଛିନ୍ନ ଧାରା । ନିଜସ୍ୱ ଐତିହ୍ୟ, କଳା ଓ ସଂସ୍କୃତିରେ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ । ମାତ୍ର ବର୍ତ୍ତମାନ ଏହାର ସ୍ଥିତି ଉପରେ ପ୍ରଶ୍ନବାଚୀର ଚିହ୍ନ । ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ତୀବ୍ର ଅନ୍ତର୍ଦାହର ଜ୍ୱାଳାରେ ଏହା ଯେପରି ମୂର୍ଚ୍ଛିତ ।
ବିଗତ ୨୦୦୦ ଜୁଲାଇ ୨୫ ତାରିଖରେ ପାର୍ଲାମେଣ୍ଟରେ ଝାଡ଼ଖଣ୍ଡ ବିଲ୍‍ ଉପସ୍ଥାପିତ ହେଲା, ଏହାକୁ ସେହି ରାଜ୍ୟର ସୀମା ମଧ୍ୟରେ ଅନ୍ତର୍ଭୁକ୍ତ କରି । ବିଗତ ୧୦.୭.୨୦୦୦ରେ ଓଡ଼ିଶାର ବିଧାନସଭାରେ ଦଳମତ ନିର୍ବିଶେଷରେ ଏକ ସ୍ୱରରେ ପ୍ରସ୍ତାବ ଗୃହୀତ ହୋଇଥିଲା ଷଢେ଼ଇକଳା-ଖରସୁଆଁର ଓଡ଼ିଶାରେ ପୁନଃମିଶ୍ରଣପାଇଁ । ମାତ୍ର ପାର୍ଲାମେଣ୍ଟରେ ଜୁଲାଇ ୨୫ ତାରିଖରେ ଓଡ଼ିଶାର ସାଂସଦମାନଙ୍କ ମଧ୍ୟରେ ଏ ପ୍ରକାର ସହମତି ଓ ଏକତା ପ୍ରଦର୍ଶିତ ହୋଇ ନଥିଲା । ସମସ୍ତେ ଯେପରି ଥିଲେ ସଂଶୟ ଆଉ ଦ୍ୱିଧାଚ୍ଛନ୍ନ । ତାହାହିଁ ପୁନର୍ବାର ଅଭିନୀତ ହୋଇଥିଲା ପରବର୍ତ୍ତୀ ଅଗଷ୍ଟ ୨ ତାରିଖରେ, ଝାଡ଼ଖଣ୍ଡ ରାଜ୍ୟ ବିଲ୍‍ ପାର୍ଲାମେଣ୍ଟରେ ଗୃହୀତ ହେବା ବେଳେ । ଅବଶ୍ୟ ବିଜେଡ଼ି ପକ୍ଷରୁ ଏକ ପ୍ରସ୍ତାବ ଷଢେ଼ଇକଳା ଓ ଖରସୁଆଁର ମିଶ୍ରଣ ଓଡ଼ିଶା ସହିତ କରିବା ଲାଗି ଉପସ୍ଥାପିତ ହୋଇଥିଲା, ଯାହା କାଟ ଖାଇବା ପରେ ସେହି ଦଳର ସାଂସଦମାନେ ପାର୍ଲିିଆମେଣ୍ଟ କକ୍ଷତ୍ୟାଗ କରି ଚାଲିଯାଇଥିଲେ ।
ଏକ ବିବରଣୀରୁ ପ୍ରକାଶ ଯେ ଗୃହମନ୍ତ୍ରୀ ଲାଲ୍‍କୃଷ୍ଣ ଆଡ଼୍‍ଭାନି ସୂଚାଇଥିଲେ ଯେ, ଝାଡ଼ଖଣ୍ଡ ରାଜ୍ୟର ଗଠନ ପରେ, ଓଡ଼ିଶା ଓ ଝାଡ଼ଖଣ୍ଡର ରାଜ୍ୟ ଆପୋଷ ବୁଝାମଣାରେ ଏହି ସୀମାରେ ପରିବର୍ତ୍ତନ ଆଣି ପାରିବେ । ମାନ୍ୟବର ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ ଏକ କମିଟି,