ପୃଷ୍ଠା:Aama Madhusudan.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନଙ୍କୁ ସ୍ୱାଗତ କରିବାପାଇଁ । ମଧୁସୂଦନ ରେଳରୁ ଅବତରଣ କଲେ । ବିପୁଳ ଜନତା ଉଚ୍ଛ୍ୱସିତ ଓ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜଣାଇ ତାଙ୍କୁ ଘେନିଗଲେ ଘୋଡ଼ାବିହୀନ ଅଶ୍ୱଯାନ ନିକଟକୁ । ସମ୍ବର୍ଦ୍ଧନାର ଏକ ପ୍ରତୀକ ରୂପରେ, ଏଥିରେ ତାଙ୍କୁ ନଗର ମଧ୍ୟକୁ ବାହିନେବା ଥିଲା ଉଦ୍ଦେଶ୍ୟ ।

ଠିକ୍‍ ଏହି ସମୟରେ ମଧୁସୂଦନଙ୍କ ତେଜୋଦୀପ୍ତ କଣ୍ଠରୁ ଉଚ୍ଚାରିତ ହେଲା ଏକ ଦୁର୍ନିବାର ଚେତାବନୀ, "ହେ ଶ୍ରୋତୃ ମଣ୍ଡଳି ! ଆପଣମାନେ ମହିମାମୟ ଶ୍ରୀଜଗନ୍ନାଥଙ୍କର ପୁଣ୍ୟ ରଥକୁ ବାହିନେବାପାଇଁ ଏକାନ୍ତ ଅଧିକାରୀ । ଏହା ଆପଣଙ୍କର ଜନ୍ମସିଦ୍ଧ ଅଧିକାର । ମାତ୍ର ସ୍ମରଣରଖ, କେବେ ହେଲେ ମନୁଷ୍ୟର ଦାସ ହେବାପାଇଁ ପ୍ରୟାସ କରନାହିଁ ।" ସମସ୍ତ ଜନତା ବିସ୍ମୟାଭିଭୂତ ହୋଇ ଚାହିଁ ରହିଥିଲେ ସତୃଷ୍ଣ ଆଉ ଅପଲକ ନୟନରେ ଏବଂ ସ୍ତମ୍ଭୀଭୂତ ହୋଇ ଶ୍ରବଣ କରୁଥିଲେ ମାନବବାଦର ଏହି ଉଦାତ୍ତ ଓ ମହନୀୟ ବ୍ୟାଖ୍ୟାକୁ ।

ବିଶ୍ୱନାଥ କରଙ୍କର ସ୍ମୃତିଚାରଣରେ, ଓଡ଼ିଆ ଜାତିର ଏହି ମହାନ ବ୍ୟାଖ୍ୟାକାର, ଏକ ହୋଇ ମଧ୍ୟ ଜାତୀୟ ଜୀବନର ସହସ୍ର କ୍ଷେତ୍ରରେ ସହସ୍ର ରୂପରେ ଅବତୀର୍ଣ୍ଣ ହୋଇଥିଲେ । ଗୌରୀଶଙ୍କର ରାୟ ଶ୍ରୀଜଗନ୍ନାଥ ମନ୍ଦିର ମାମଲାରେ ମଧୁସୂଦନଙ୍କ ଯୁଗାନ୍ତକାରୀ ବିଜୟ ପରେ ଓଡ଼ିଆ ଜାତିକୁ ଏକ ଅମୋଘ ମହନୀୟ ମନ୍ତ୍ର ପ୍ରଦାନ କରିଥିଲେ । ତାହାଥିଲା - ବିପତ୍ତୌ ମଧୁସୂଦନ ମନ୍ତ୍ର । ଓଡ଼ିଆ ଜାତିର ବିପତ୍ତିବେଳାରେ ମଧୁସୂଦନ ଦାସ ହିଁ ଏକମାତ୍ର ସହାୟ ଆଉ ଆଶ୍ରୟ । ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି କଙ୍କାଳସାର ଓଡ଼ିଆଜାତି, ଏହି ତେଜୋଦୀପ୍ତ ମନ୍ତ୍ର ଉଚ୍ଚାରଣ କରିଚାଲିଥିଲା । ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅଚଳା ଶ୍ରଦ୍ଧା ଓ ଭକ୍ତିନିବେଦନ ମାଧ୍ୟମରେ ମଧୁସୂଦନ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ, ଗାରିମା ଆଉ ଅସ୍ମିତା ପ୍ରଦାନ କରିଥିଲେ, ଅନ୍ୟଥା ଓଡ଼ିଶାର ସତ୍ତା କେଉଁ କାଳୁ ବିଲୁପ୍ତ ଆଉ ବିଲୀନ ହୋଇ ଯାଇଥାଆନ୍ତା ।

ଆମ ମଧୁସୂଦନ ୧୭