ପୃଷ୍ଠା:Aama Madhusudan.pdf/୧୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତୀୟ ଶାସନବିଧିରେ ସଂସ୍କାର ଆଣିବାପାଇଁ ବ୍ରିଟିଶ ସରକାର ୧୯୨୭ରେ ସାଇମନ କମିଶନ ବ୍ରିଟିଶ ଶାସିତ ଅଞ୍ଚଳପାଇଁ ଏବଂ ଦେଶୀୟ ରାଜ୍ୟ ତଥା ଗଡ଼ଜାତମାନଙ୍କୁ ଶାସନ ପ୍ରକ୍ରିୟାରେ ସମ୍ପର୍କିତ କରି ଏକ ଫେଡେରାଲ୍‍ ରାଜ୍ୟ ଗଠନ କରିବା ଉଦ୍ଦେଶ୍ୟରେ ୧୯୨୭ରେ ବାଟଲାର କମିଟି ବସାଇଥିଲେ ।
ବ୍ରିଟିଶ ସରକାରଙ୍କ ଦ୍ୱାରା ଗଠିତ ବାଟଲାର କମିଟି ସମକ୍ଷରେ ଖରସୁଆଁ ଓ ଷଢେ଼ଇକଳା ରାଜାଙ୍କ ପକ୍ଷରୁ ସାକ୍ଷ୍ୟ ଦେବାକୁ ମଧୁସୂଦନ ଦାସ ୧୯୨୮ ଏପ୍ରିଲ୍‍ ୧୫ ତାରିଖରେ ବମ୍ବେରେ ପହଞ୍ଚିଥିଲେ । ସାକ୍ଷ୍ୟ ପ୍ରଦାନ ସମୟରେ ମଧୁସୂଦନ ଦାସ ଷଢେ଼ଇକଳା ଓ ଖରସୁଆଁକୁ ଓଡ଼ିଶା ଡିଭିଜନରେ ମିଶ୍ରଣ କରିବାକୁ ଦାବି ଉପସ୍ଥାପନ କରିଥିଲେ, ଯାହାକୁ ବାଟ୍‍ଲାର୍‍ କମିଟି ସ୍ୱୀକୃତି ପ୍ରଦାନ କରି ତାଙ୍କର ପ୍ରସ୍ତାବ ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲେ । ବାଟଲାର କମିଟିର ରିପୋର୍ଟ ୧୯୩୧ରେ ପ୍ରକାଶ ପାଇବା ପରେ ସରକାର ଓଡ଼ିଶା ସହିତ ଷଢେ଼ଇକଳା-ଖରସୁଆଁର ମିଶ୍ରଣ କାର୍ଯ୍ୟକାରୀ କରିବା ପୂର୍ବରୁ ସାର୍‍ ଆର୍ଥର ଲୋଥିଏନିଙ୍କ ଦ୍ୱାରା ପୁନଃ ଅନୁସନ୍ଧାନ କରାଯାଇ ଷଢେ଼ଇକଳା ଓ ଖରସୁଆଁର ମିଶ୍ରଣ ଲାଗି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ । ଏହିପରି ବହୁ କମିଟି, ସାକ୍ଷ୍ୟ ପ୍ରଦାନ ମଧ୍ୟରେ ବହୁବାର ଷଢେ଼ଇକଳା ଓ ଖରସୁଆଁ ଓଡ଼ିଆ ସଂସ୍କୃତିର ଅଂଚଳ, ଯାହା ଓଡ଼ିଶା ସହିତ ମିଶ୍ରଣ ହେବାର ଉପଯୁକ୍ତ ବୋଲି ପ୍ରମାଣିତ ହୋଇଛି । ଓଡ଼ିଶା ପ୍ରଦେଶ ନିର୍ମାଣର ଅନ୍ୟତମ ବିନ୍ଧାଣୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଖରସୁଆଁରେ ଓ ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେବ ଷଢେ଼ଇକଳା ରାଜବଂଶରେ ବିବାହ କରିଥିଲେ । ଏ ସମସ୍ତ ମଧ୍ୟରେ ଷଢେ଼ଇକଳା, ଖରସୁଆଁରେ ଓଡ଼ିଆଭାଷୀ ଜନସଂଖ୍ୟା ଶତକଡ଼ା ୨୫ ଭାଗରୁ ଊର୍ଦ୍ଧ୍ୱ । ଏଠାର ମୁଖ୍ୟ ଅଧିବାସୀ ଆଦିବାସୀ ସଂପ୍ରଦାୟର । ସୁନ୍ଦରଗଡ଼ ଓ ବଣେଇ ଅଂଚଳ ତଥା କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ ଅଞ୍ଚଳ ପରି ଏଠାରେ ଓଡ଼ିଆ ସଂସ୍କୃତି, ଆଦିବାସୀ ସଂସ୍କୃତି ସହିତ ମିଶ୍ରିତ ହୋଇ ଏକ ସମନ୍ୱିତ ସଂସ୍କୃତି ସୃଷ୍ଟି ହୋଇଛି, ଯାହା ମୁଖ୍ୟ ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଗ । ଏ ସମସ୍ତ ମଧ୍ୟରେ ବାଟ୍‍ଲାର କମିଟିର ସୁପାରିଶ ଓ ସାର ଅର୍ଥର ଲୋଥିଏନଙ୍କର ଅନୁସନ୍ଧାନ ପରେ ୧୯୩୩ ସାଲରେ ଷଢେ଼ଇକଳା ଓ ଖରସୁଆଁ ଓଡ଼ିଶା ଡିଭିଜନ ସହିତ ମିଶ୍ରିତ ହୋଇଥିଲା, ଯାହା ୧୯୩୫ ସାଲର ଭାରତ ଆଇନ ମଧ୍ୟରେ ସାମ୍ବିଧାନିକ ମାନ୍ୟତା ପାଇଥିଲା । ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ଷଢେ଼ଇକଳା ଓ ଖରସୁଆଁ ।
ସ୍ୱାଧୀନତା ପ୍ରାପ୍ତି ପରେ ୧୯୪୭ ଡିସେମ୍ବର ୧୪ ତାରିଖରେ ଷଢେ଼ଇକଳା ଓ ଖରସୁଆଁକୁ ଶାସନ କରୁଥିବା ଦୁଇଜଣଯାକ ରାଜା, ସେମାନଙ୍କର ଗଡ଼ଜାତ ରାଜ୍ୟକୁ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ କରିଥିଲେ । ମାତ୍ର ମୟୂରଭଞ୍ଜ ମିଶି ନଥିବାରୁ ଓଡ଼ିଶା ପ୍ରଦେଶ ସହିତ ସଂଯୁକ୍ତିର ଅଭାବ ଦେଖାଇ ୧୮.୫.୧୯୪୮ରେ ଏହି ଦୁଇଟି ରାଜ୍ୟକୁ ବିହାର ପ୍ରଦେଶ ସହିତ ମିଶାଇ ଦିଆଗଲା । ଏହାର କିଛିକାଳ ପରେ ୧.୧.୧୯୪୯ରେ ମୟୂରଭଞ୍ଜ ରାଜ୍ୟର ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ହେବା ପରେ ମଧ୍ୟ ସ୍ଥିତି ଅପରିବର୍ତ୍ତିିତ ରହିଲା । ୧୯୫୩ ସାଲର ଡିସେମ୍ବର ମାସରେ ରାଜ୍ୟ