ପୃଷ୍ଠା:Aama Madhusudan.pdf/୧୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶତାବ୍ଦୀର ନିଦ୍ରାଭଙ୍ଗ

ସ୍ମରଣୀୟ ୧୯୯୮ ଅଗଷ୍ଟ ପନ୍ଦର ତାରିଖରେ ଶୁଭାରଂଭ ହୋଇଛି ବହୁ ପ୍ରତୀକ୍ଷିତ "ତପସ୍ୱିନୀ ଏକ୍ସପ୍ରେସ୍‍'ର ଯୁଗାଂତକାରୀ ଯାତ୍ରା ,ଓଡ଼ିଶାର ପଶ୍ଚିମାଞ୍ଚଳକୁ ପୂର୍ବାଞ୍ଚଳ ସହିତ କେବଳ ସଂଯୁକ୍ତ କରି ନୁହେଁ, ଭାବଗତ ଆଦାନ ପ୍ରଦାନ କ୍ଷେତ୍ରରେ ଗଭୀର ଭାବେ ସମନ୍ୱିତ କରି । ହେଲେ ଏହା ଥିଲା, ଓଡ଼ିଶାରେ ପ୍ରଥମ ରେଳଯାତ୍ରାର ଦୀର୍ଘ ଏକଶହ ବର୍ଷ ପରେ ଶତାବ୍ଦୀର ନିଦ୍ରାଭଙ୍ଗ ପରି ।
ଓଡ଼ିଶାର ମୁଖ୍ୟ ରେଳପଥ, କଲିକତା ସହିତ ମାନ୍ଦ୍ରାଜକୁ ସଂଯୋଗ କରି ,ଗତ ଏକଶହ ବର୍ଷ ଧରି ଓଡ଼ିଶାକୁ ଭାରତର ମାନଚିତ୍ରରେ କାହିଁକି ଭାରତୀୟ, ଜନମାନସରେ ଚିହ୍ନିତ କରି ଆସିଛି । ପ୍ରାୟ ଷୋଳ ଶହ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଏହି ରେଳପଥର କାର୍ଯ୍ୟ ଅତ୍ୟନ୍ତ କ୍ଷିପ୍ରତାର ସହ ଆରମ୍ଭ ହୋଇ ୧୮୯୫ଠାରୁ ୧୯୦୦ ସାଲ ମଧ୍ୟରେ ସମାପ୍ତ ହୋଇଥିଲା । କ୍ରିଷ୍ଣା, ଗୋଦାବରୀ, ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଆଦି ନଦୀଗୁଡିକୁ ଅତିକ୍ରମ କରିବାଲାଗି ଏଥିପାଇଁ ବ୍ୟୟବହୁଳ ବୈଜ୍ଞାନିକ କୌଶଳସଂବଳିତ ସେତୁନିର୍ମାଣର ଆବଶ୍ୟକତା ରହିଥିଲା । ୧୯୨୬ ସାଲରେ ନିର୍ଗୁଣ୍ଡିରୁ ଢେଙ୍କାନାଳ ଓ ତାଳଚେର ଗଡ଼ଜାତ ମଧ୍ୟ ଦେଇ ରେଳପଥ ତାଳଚେର ସହିତ ସଂଯୋଜିତ ହୋଇଥିଲା,ମୁଖ୍ୟତଃ କୋଇଲା ତଥା ଯାତ୍ରୀ ପରିବହନ ଲାଗି । ଏ କ୍ଷେତ୍ରରେ ମଧ୍ୟ ମଧୁସୂଦନଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ । ମାତ୍ର କୌଣସି ପ୍ରାକୃତିକ ପ୍ରତିବଂଧକ ନଥାଇ, ଅତ୍ୟାଧୁନିକ ବିଜ୍ଞାନଯୁଗରେ ତାଳଚେରରୁ ସଂବଲପୁର ପର୍ଯ୍ୟନ୍ତ ମାତ୍ର ୧୭୫ କିଲୋମିଟର ରେଳରାସ୍ତା ନିର୍ମାଣ କରିବାକୁ ଲାଗିଛି ସୁଦୀର୍ଘ ୧୫ ବର୍ଷରୁ ଅଧିକକାଳ । ବୋଧହୁଏ ରେଳପଥ ନିର୍ମାଣ କ୍ଷେତ୍ରରେ ଏହା ଶିଥିଳତାର ସର୍ବୋତ୍ତମ ରେକଡର଼୍ । ଏହି ରେଳପଥ ନିର୍ମାଣର ଶୁଭାରଂଭ ହୋଇଥିଲା ୧୯୮୩-୮୪ ସାଲରେ ।
ଓଡ଼ିଶାରେ ରେଳପଥ ନିର୍ମାଣ କ୍ଷେତ୍ରରେ ଯାହାଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ, ସେ ହେଉଛନ୍ତି ମଧୁସୂଦନ ଦାସ । ତାଙ୍କର କ୍ରମାଗତ ଅବିରାମ ପ୍ରଚେଷ୍ଟା ଆଉ ଅକ୍ଲାନ୍ତ ଉଦ୍ୟମରେ ଊନବିଂଶ