ପୃଷ୍ଠା:Aama Madhusudan.pdf/୧୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଂଖ୍ୟା ବାଦ୍‍ ଦେଲେ) ଯହିଁରେ ଓଡ଼ିଶା ପ୍ରଦେଶ ସ୍ଥାପନାର ସବିଶେଷ ବିବରଣୀମାନ ସଂକଳିତ ହୋଇଥିଲା, ସେ ସମସ୍ତ ଓଡ଼ିଶା ରାଜ୍ୟ ଅଭିଲେଖାଗାର ଭୁବନେଶ୍ୱରରେ ସଂରକ୍ଷିତ ରହିଛି ।
ସେହିପରି ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱରରୁ ପ୍ରକାଶିତ ହେଉଥିଲା ସାପ୍ତାହିକ 'ସମ୍ବାଦ ବାହିକା' । ଏହା ବ୍ୟାସକବି ଫକୀରମୋହନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥିଲା । ଏହାର ପୁରାତନ ସଂଖ୍ୟାଗୁଡ଼ିକ ୧୮୮୮ ସାଲରୁ ୧୯୨୩ ପର୍ଯ୍ୟନ୍ତ ଉତ୍କଳ ସାହିତ୍ୟ ସମାଜର ମଧୁସୂଦନ ପାଠାଗାରରେ ସଂରକ୍ଷିତ ରହିଛି । ସେହିପରି ମଧ୍ୟ ସଂରକ୍ଷିତ ରହିଛି ବାଲେଶ୍ୱରରୁ ପ୍ରକାଶିତ ସାପ୍ତାହିକ "ଓଡ଼ିଆ ଓ ନବସଂବାଦ'ର ପୁରାତନ ସଂଖ୍ୟାଗୁଡ଼ିକ ।
ଏହି ସମସ୍ତ ପତ୍ରିକା ତଥା ଉତ୍କଳ ସାହିତ୍ୟ, ସହକାର, ଓ ନବୀନ ଆଦି ସାହିତ୍ୟଭିତ୍ତିକ ପତ୍ରିକାରେ ଓଡ଼ିଶା ପ୍ରଦେଶ ଗଠନଲାଗି ହୋଇଥିବା ସଂଗ୍ରାମର ବିସ୍ତୃତ ବିବରଣୀ ରହିଛି । ଏଗୁଡିକ ସଙ୍କଳିତ ହେବା ଏ ଯୁଗର ଚରମ ଆବଶ୍ୟକତା । ଏଥିପାଇଁ ସରକାରୀ ପ୍ରୋତ୍ସାହନ ଓ ପ୍ରଚେଷ୍ଟା ଏକାନ୍ତ ଆବଶ୍ୟକ । ଏହା ଜାତୀୟ ଜାଗରଣରେ ସହାୟକ ହୋଇ ପାରିବ ।
ଓଡ଼ିଶା ସରକାରଙ୍କର ପକ୍ଷରୁ ଏ ଦିଗରେ କୌଣସି ଉଦ୍ୟମ ଆରମ୍ଭ ହୋଇ ନଥିଲେ ମଧ୍ୟ ଓଡ଼ିଶା ଆଧାରରେ, ପରେ ଗଠିତ ହୋଇଥିବା ଆନ୍ଧ୍ର, ତାମିଲ୍‍ନାଡ଼ୁ, କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ରର ଭାଷାଭିତ୍ତିକ ପ୍ରଦେଶ ଗଠନର ଇତିହାସ ବହୁ ଖଣ୍ଡରେ କେବଳ ସଂକଳିତ ହୋଇ ନାହିଁ,ସଂଗ୍ରାମର ସାରଥିମାନଙ୍କ କର୍ମ କ୍ଷେତ୍ରକୁ ସ୍ମାରକୀରେ ପରିଣତ କରାଯାଇ ବିଭିନ୍ନ ପ୍ରତିଷ୍ଠାନମାନ ଗଠିତ ହୋଇଛି ଓ ସେମାନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିିମାନ ପ୍ରତିଷ୍ଠା କରାଯାଇଛି ।
ବାସ୍ତବିକ୍‍ ବର୍ତ୍ତମାନର ଓଡ଼ିଆ ଜାତୀୟତା ଅବଲୁପ୍ତିର ଶେଷ ପର୍ଯ୍ୟାୟରେ । ଲୁଣ୍ଠନଯୋଗୁଁ ଓଡିଶା ଦରିଦ୍ରରୁ ଦରିଦ୍ରତର ହେବାରେ ଲାଗିଛି । ବିପୁଳ ପ୍ରାକୃତିକ ବିଭବ ଓ ଖଣିଜ ସଂପଦରେ ସମନ୍ୱିତ ଦେଶ ନିରାଭରଣ ହେବାର ତ୍ୱରିତ ପର୍ଯ୍ୟାୟରେ । ଏଣୁ ଓଡ଼ିଆ ଜାତୀୟତାର ଆଧାରରେ ସମନ୍ୱିତ ଏହି ମହାନ ଗ୍ରନ୍ଥମାନଙ୍କର ଆଶୁ ସଂକଳନ ଓ ପ୍ରକାଶନ ଅପରିହାର୍ଯ୍ୟ ହୋଇପଡ଼ିଛି ।

ଦୁଃଖ ବିଷ ଜର୍ଜରିତ ଉତ୍କଳ ଦେହରେ
ସମ୍ମିଳନୀ ତୁହି ସିନା ଢାଳୁଛୁ ଅମୀୟ
ନୈରାଶ୍ୟ ସମୀର ଘୋର ଦୁର୍ଭେଦ୍ୟ ରାଜ୍ୟରେ
ତୁହି ସିନା ସଞ୍ଚାରିଲୁ ଉଜ୍ଜ୍ୱଳ ଆଲୁଅ ।
ଲକ୍ଷଲକ୍ଷ ଉତ୍କଳୀୟ ପଥଭ୍ରାନ୍ତ ହୋଇ
ଭ୍ରମୁଥିଲେ ଇତସ୍ତତଃ ଶୂନ୍ୟମନେ ଦିନେ
ତୋର ଆବିର୍ଭାବେ ସଭା ଚଇତନ୍ୟ ପାଇ
ଧାଇଁଲେଣି ସର୍ବେ ଆଜି କରମ ପ୍ରାଙ୍ଗଣେ ।"

-ରତ୍ନରେଣୁ ବାଳକୃଷ୍ଣ ପଟ୍ଟନାୟକ