ପୃଷ୍ଠା:Aama Madhusudan.pdf/୧୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନ ଏବଂ ଶ୍ୱେତ ଆଉ ମାଟିଆ
ସାମ୍ରାଜ୍ୟବାଦ

ନବ ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଏ ପର୍ଯ୍ୟନ୍ତ ଯେପରି ଅସଂକଳିତ, ସେହିପରି ରହିଯାଇଛି ସଂଶୟ ବିଜଡ଼ିତ ଆଉ ରହସ୍ୟାବୃତ । ସ୍ୱତନ୍ତ୍ର ଓଡ଼ିଶାର ସ୍ଥାପନା କ୍ଷେତ୍ରରେ ଓଡ଼ିଆମାନଙ୍କୁ ବି୍ରଟିଶ ପ୍ରଶାସନର ନିର୍ଯ୍ୟାତନା ଆଉ ଶୋଷଣ ବିରୁଦ୍ଧରେ ଯେଉଁପରି ସଂଗ୍ରାମ ସଂଚାଳିତ କରିବାକୁ ପଡ଼ୁଥିଲା, ତାହାଠାରୁ ଅଧିକ ପରିମାଣରେ ସଂଘର୍ଷ ସଂଯୋଜିତ କରିବାକୁ ପଡୁଥିଲା, ପଡେ଼ାଶୀ ପ୍ରଦେଶର ନେତୃବର୍ଗଙ୍କ ବିପକ୍ଷରେ । ଏହି ନେତୃବର୍ଗଙ୍କ ଅଧୀନରେ ଥିବା ବିଭାଜିତ ଓଡ଼ିଆଭାଷୀ ଅଂଚଳକୁ ସେମାନେ ଉପନିବେଶରେ ପରିଣତ କରି ଦାସତ୍ୱର ବନ୍ଧନରେ ନିବଦ୍ଧ କରିଥିଲେ । ନବ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ଭୁବନାନନ୍ଦ ଦାସ ଏମ୍‍.ପିଙ୍କ ଅନୁଶୀଳନ ହେଉଛି: ଜାତୀୟ ଗୌରବ ମଧୁସୂଦନ ଦାସ, ଭାରତୀୟମାନଙ୍କୁ ଅର୍ଥନୈତିକ ଓ ରାଜନୈତିକ ଶୋଷଣରୁ ଉଦ୍ଧାର କରିବାପାଇଁ, ଶ୍ୱେତ ସାମ୍ରାଜ୍ୟବାଦ(ଶ୍ୱେତ ବର୍ଣ୍ଣର ଇଂରେଜ ପ୍ରଶାସକ) ବିପକ୍ଷରେ ଯେପରି ସଂଗ୍ରାମ କରୁଥିଲେ, ସେହିପରି ମାଟିଆ ସାମ୍ରାଜ୍ୟବାଦର ଚକ୍ରାନ୍ତ (ପଡେ଼ାଶୀ ପ୍ରଦେଶର ମାଟିଆ ରଂଗର ଭାରତୀୟ ନେତୃବର୍ଗଙ୍କ ଓଡ଼ିଆଭାଷୀ ଅଂଚଳକୁ ବିଖଣ୍ଡିତ ରଖିବାପାଇଁ ଉଦ୍ୟମ) ବିରୁଦ୍ଧରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ସଂଘର୍ଷ ଜାରି ରଖିଥିଲେ ।
ମଧୁସୂଦନ ଦାସ ୧୮୯୮ ସାଲରେ ଶ୍ୱେତ ସାମ୍ରାଜ୍ୟବାଦର ନିଷ୍ପେଷଣ ବିରୋଧରେ ବଂଗୀୟ ଯୁବକମାନଙ୍କୁ ସରଳା ଦେବୀ ଚୌଧୁରୀ, ବିଭୂତି ଭୂଷଣ ଦତ୍ତରାୟ ଆଦିଙ୍କ ମାଧ୍ୟମରେ ଉଗ୍ରବାଦୀ ଭୂମିକାରେ ଅବତୀର୍ଣ୍ଣ କରାଇଥିଲେ । ଏମାନଙ୍କ ସହିତ ଋଷି ଅରବିନ୍ଦ ପରବର୍ତ୍ତୀ କାଳରେ ବୈପ୍ଳବିକ ଭୂମିକା ଗ୍ରହଣ କରିଥିଲେ । ସେହିପରି ମଧୁସୂଦନ, ସମଗ୍ର ଭାରତରେ ସର୍ବ ପ୍ରଥମେ ୧୯୦୦ ସାଲଠାରୁ ବିଦେଶୀ ବର୍ଜନ ଓ ସ୍ୱଦେଶୀ ନିୟୋଜନ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ପଣ୍ଡିତ ନୀଳକଣ୍ଠ ଦାସଙ୍କର ବକ୍ତବ୍ୟ ଅନୁସାରେ ଉଦଗ୍ର ଶପଥ ପାଠ ମାଧ୍ୟମରେ ଦେଶକୁ