ପୃଷ୍ଠା:Aama Madhusudan.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପ୍ରଦେଶର ସ୍ରଷ୍ଟା । ଅବଶ୍ୟ ଓଡ଼ିଶା ପ୍ରଦେଶ ଗଠନର ପହିଲି ପର୍ଯ୍ୟାୟରେ ଚନ୍ଦ୍ରଶେଖର ବେହେରା, ଧରଣୀଧର ମିଶ୍ର, ଶ୍ରୀପତି ମିଶ୍ର ଆଉ ପ୍ରକୃତି କବି ଗଙ୍ଗାଧର ପ୍ରମୁଖ ଅକୁଣ୍ଠିତ ଯୋଗଦାନ କରିଥିଲେ । ପ୍ରଦେଶ ଗଠନର ଅନ୍ତିମ ପର୍ଯ୍ୟାୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲ୍ଲିକୋଟ ରାଜା, ଭୁବନାନନ୍ଦ ଦାସ, ବ୍ରଜସୁନ୍ଦର ଦାସ ଓ ଶଶିଭୂଷଣ ରଥଙ୍କ ପରି ବହୁ ଜନନାୟକ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ ।

ମଧୁସୂଦନ ଯେତେବେଳେ ରାଜନୀତିରେ ପ୍ରବେଶକଲେ, ଓଡ଼ିଶାର ରାଜନୈତିକ ପରିବେଶ ସଂପର୍କରେ ତାଙ୍କର ବକ୍ତବ୍ୟ ଥିଲା-

"ମୁଁ ଯେତେବେଳେ ଏ ଆନ୍ଦୋଳନ ଆରମ୍ଭ କଲି, ସେତେବେଳେ ଓଡ଼ିଆଜାତି ବୋଲି କିଛି ନଥିଲା । ମୁଁ କେବଳ କୁଢ଼କୁଢ଼ ଅସ୍ଥି ଦେଖିଥିଲି, ଚାରିଆଡେ଼ କେବଳ ଅସ୍ଥି, ଅସ୍ଥି, ଅସ୍ଥି । ଏହି ଅସ୍ଥିକଙ୍କାଳ ଭିତରେ ପ୍ରାଣ ସଞ୍ଚାର କରି ହସ୍ତପଦ ଓ ପେଶୀ ଯୋଗାଇବା ନିମନ୍ତେ ମୋତେ ବହୁତ କାର୍ଯ୍ୟ କରିବାକୁ ପଡ଼ିଛି । ମୋ ଜାତିକୁ ଯୁଦ୍ଧ ସରଂଜାମରେ ସଜ୍ଜିତ କରିବାପାଇଁ ମତେ ଏକାକୀ କାର୍ଯ୍ୟ କରିବାକୁ ହୋଇଛି ।"

ସେତେବେଳେ କଲିକତା ଥିଲା ଭାରତର ରାଜଧାନୀ ଆଉ କ୍ଷମତାର କେନ୍ଦ୍ରସ୍ଥଳୀ । ବଙ୍ଗ ପ୍ରଦେଶର ସୀମା ଥିଲା ବନାରସଠାରୁ ଆରମ୍ଭ କରି ପୂର୍ବରେ ସମଗ୍ର ଆସାମ, ମଣିପୁର ଡେଇଁ ବର୍ମାଞ୍ଚଳ ପର୍ଯ୍ୟନ୍ତ । ଏହି ସୁବିସ୍ତୀର୍ଣ୍ଣ ଅଞ୍ଚଳ ଅନ୍ତର୍ଗତ ବ୍ରିଟିଶ ଶାସନର ଛତ୍ରଛାୟା ତଳେ ବର୍ଦ୍ଧିତ ହୋଇଥିଲା ବଙ୍ଗୀୟ ନୌକରୀ ସାହି ଶାସନ । ମଧୁସୂଦନଙ୍କ ପ୍ରଥମ ସଂଗ୍ରାମ ଥିଲା, ବଙ୍ଗୀୟ ନୌକରୀ ସାହି ଶାସନକୁ ଦୁର୍ବଳ ଓ କ୍ଷୁଣ୍ଣ କରିବାପାଇଁ ଓ ଏଥିରେ ସେ ଆଶାତୀତ ଭାବେ ସଫଳତା ହାସଲ କରିଥିଲେ । ୧୯୧୫ବେଳକୁ ମଧୁସୂଦନ ଏକ ସୁସଂସ୍ଥାପିତ ଓଡ଼ିଆ ପ୍ରଶାସକ (ଡେପୁଟି କଲେକ୍ଟର ପୁଲିସ୍‍ ସୁପରିଟେଣ୍ଡେଣ୍ଟ) ମୁନ୍‍ସଫ୍‍ ଆଉ ବଳିଷ୍ଠ ଆଇନ୍‍ଜୀବୀ ଗୋଷ୍ଠୀ ତିଆରି କରିବା ପରେ, ବଙ୍ଗୀୟ ନୌକରୀ ସାହି ଶାସନକୁ ବହୁ ପରିମାଣରେ ପ୍ରତିହତ କରିପାରିଥିଲେ । ୧୯୨୧ସାଲରେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ, କଂଗ୍ରେସ ନେତୃସ୍ଥାନୀୟ ବ୍ୟକ୍ତିମାନେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ କରୁଥିବାବେଳେ, ୧୮୮୨ ସାଲରେ ମଧୁସୂଦନଙ୍କୁ ସଂଗ୍ରାମ ଜାରି ରଖିବାକୁ ପଡ଼ିଥିଲା, ଉଭୟ ନୌକରୀ ସାହି ଶାସନର ଉପନିବେଶବାଦ ଓ ବ୍ରିଟିଶ୍‍ ଶାସନର ସାମ୍ରାଜ୍ୟବାଦ ବିରୋଧରେ । ଏହାଛଡ଼ା ଥିଲା ଜମିଦାରୀ ଅତ୍ୟାଚାର ଓ ଗଡ଼ଜାତ ଶାସନର ଚକ୍ରାନ୍ତ ବିରୋଧରେ ସଂଗ୍ରାମ । ଏ ସବୁ ଭିତରେ ସବୁଠାରୁ ଅସହନୀୟ ଥିଲା ବଙ୍ଗୀୟ ନୈକରୀ ସାହି ଶାସନର ଦୁରଭିସନ୍ଧି । ଏଥିଯୋଗୁଁ ସୂର୍ଯ୍ୟାସ୍ତ ଆଇନ ଜାରି କରାଯାଇ ଓଡ଼ିଆଙ୍କ ଜମିଦାରୀ ଅପହୃତ ହେବା ସହିତ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଲୋପ କରିବାଲାଗି କାନ୍ତି ଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ 'ଓଡ଼ିଆ ସ୍ୱତନ୍ତ୍ରଭାଷା ନୟ'ଭଳି ପ୍ରଚାର ଅଭିଯାନ ।

ମଧୁସୂଦନ ହେଉଛନ୍ତି ପରାଧୀନକାଳୀନ ଭାରତର ଶାସନ ବ୍ୟବସ୍ଥା ମଧ୍ୟରେ ଏକମାତ୍ର ଓଡ଼ିଆ, ଯାହାଙ୍କପାଇଁ ଶାସକୀୟ ପରିଧିର ଅଳିନ୍ଦ ସବୁ ଖୋଲା ରହିଥିଲା, ବ୍ରିଟେନ୍‍ର ପ୍ରଧାନମଂତ୍ରୀ ସାର୍‍ ରାମ୍‍‌ସେ ମ୍ୟାକ୍‍‌ଡୋନାଲଡ୍‍ଙ୍କଠାରୁ ଆରମ୍ଭ କରି ଭାରତ ସଚିବ, ବଡ଼ଲାଟ ଓ ପ୍ରାଦେଶିକ

ଆମ ମଧୁସୂଦନ ୧୯